26.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ହେଉଛ ତ୍ରିମୂର୍ତ୍ତି ପିତାଙ୍କର ସନ୍ତାନ, ତେଣୁ ତୁମକୁ ନିଜର ତିନୋଟି କର୍ତ୍ତବ୍ୟ ସ୍ମୃତିରେ ରହିବା ଦରକାର - ସ୍ଥାପନା, ବିନାଶ ଓ ପାଳନା ।”

ପ୍ରଶ୍ନ:-
ଦେହ-ଅଭିମାନ ରୂପକ କଡା ବେମାରୀ ହେବା ଦ୍ୱାରା କ’ଣ କ’ଣ କ୍ଷତି ହୋଇଥାଏ?

ଉତ୍ତର:-
(୧) ଦେହ-ଅଭିମାନୀମାନଙ୍କ ମଧ୍ୟରେ ଈର୍ଷା ସୃଷ୍ଟି ହୋଇଥାଏ, ଈର୍ଷା କାରଣରୁ ପରସ୍ପର ମଧ୍ୟରେ ଲୁଣ ପାଣି ଅର୍ଥାତ୍ ଅପ୍ରିୟତା ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ସେମାନେ ସ୍ନେହ ପୂର୍ବକ ସେବା କରିପାରନ୍ତି ନାହିଁ । ଭିତରେ ଭିତରେ ଜଳୁଥା’ନ୍ତି । (୨) ସେମାନେ ସର୍ବଦା ବେପରୁଆ ହୋଇ ରହିଥା’ନ୍ତି । ମାୟା ସେମାନଙ୍କୁ ବହୁତ ଧୋକା ଦେଇଥାଏ । ସେମାନେ ପୁରୁଷାର୍ଥ କରୁ କରୁ ଥକି ଯାଆନ୍ତି । ଯେଉଁ କାରଣରୁ ପାଠପଢା ହିଁ ଛାଡି ଦେଇ ଥାଅନ୍ତି । (୩) ଦେହ-ଅଭିମାନ କାରଣରୁ ହୃଦୟ ନିର୍ମଳ ନ ଥାଏ ଏବଂ ହୃଦୟ ନିର୍ମଳ ନ ଥିବା କାରଣରୁ ବାବାଙ୍କ ହୃଦୟରେ ସ୍ଥାନ ପାଇ ପାରନ୍ତି ନାହିଁ । (୪) ସେମାନେ ମୁଡ୍ ଅଫ୍ ବା ମନ ଖରାପ କରିଦେଇଥାଆନ୍ତି ଏବଂ ତାଙ୍କର ଚେହେରା ହିଁ ବଦଳି ଯାଇଥାଏ ।

ଓମ୍ ଶାନ୍ତି ।
କେବଳ ବାବାଙ୍କୁ ହିଁ ମନେ ପକାଉଛ ନା ଆଉ କିଛି ମନେ ପଡୁଛି? ପିଲାମାନଙ୍କୁ ସ୍ଥାପନା, ବିନାଶ ଏବଂ ପାଳନା ତିନୋଟି ଯାକ ଏକା ସଙ୍ଗେ ମନେ ରହିବା ଦରକାର କାହିଁକି ନା ତିନୋଟିଯାକ କାର୍ଯ୍ୟ ଏକା ସାଥିରେ ଚାଲିଛି ନା । ଯେପରି କେହି ବାରିଷ୍ଟରୀ ପଢୁଥିଲେ ତାଙ୍କୁ ଜଣାଥାଏ ଯେ ମୁଁ ବାରିଷ୍ଟର ହେବି, ଓକିଲାତି କରିବି । ତେଣୁ ବାରିଷ୍ଟରୀ ବିଦ୍ୟାର ପାଳନା ବା ଅଭିବୃଦ୍ଧି ମଧ୍ୟ କରିବେ ନା । ଯିଏବି ପାଠ ପଢିବେ ତାଙ୍କର ଲକ୍ଷ୍ୟ ତ ସମ୍ମୁଖରେ ରହିବ । ସେହିପରି ତୁମେମାନେ ମଧ୍ୟ ଜାଣୁଛ ଯେ - ଆମେ ଏବେ ନୂଆ ଦୁନିଆ ନିର୍ମାଣ କରୁଛୁ । ତେଣୁ ସେହି ପବିତ୍ର ନୂଆ ଦୁନିଆ ସ୍ଥାପନ ପାଇଁ ଯୋଗ ନିତାନ୍ତ ଆବଶ୍ୟକ । କାରଣ ଯୋଗ ଦ୍ୱାରା ହିଁ ଆମର ପତିତ ହୋଇଯାଇଥିବା ଆତ୍ମା ପବିତ୍ର ହେବ । ଆମେ ପବିତ୍ର ହୋଇ ପବିତ୍ର ଦୁନିଆରେ ରାଜ୍ୟ କରିବା । ଏହିକଥା ବୁଦ୍ଧିରେ ରହିବା ଆବଶ୍ୟକ । ଏହା ପରୀକ୍ଷାଠାରୁ ବଡ ପରୀକ୍ଷା ଅଥବା ସବୁ ପାଠପଢାଠାରୁ ସର୍ବଶ୍ରେଷ୍ଠ ପାଠପଢା ଅଟେ । ଶିକ୍ଷା ତ ଅନେକ ପ୍ରକାରର ରହିଛି ନା । ଶରୀର ନିର୍ବାହର ବିଦ୍ୟା ତ’ ମନୁଷ୍ୟ ମନୁଷ୍ୟକୁ ଶିକ୍ଷା ଦେଉଛନ୍ତି ଏବଂ ସେହି ଶିକ୍ଷା ଏହି ଦୁନିଆ ପାଇଁ ଉଦ୍ଧିଷ୍ଟ, ପାଠପଢି ତାର ଫଳ ମଧ୍ୟ ଏହିଠାରେ ହିଁ ପାଇବେ । ତୁମେ ପିଲାମାନେ ଜାଣୁଛ ଏହି ବେହଦ ପାଠପଢାର ଫଳ ଆମକୁ ନୂଆ ଦୁନିଆରେ ମିଳିବ ଏବଂ ସେହି ଦୁନିଆ ଆସିବା ଆଉ ବେଶୀ ଦିନ ନାହିଁ । ଏବେ ସଂଗମଯୁଗ । ନୂଆ ଦୁନିଆରେ ହିଁ ଆମକୁ ରାଜତ୍ୱ କରିବାକୁ ହେବ । ଏଠାରେ ବସି ମଧ୍ୟ ବୁଦ୍ଧିରେ ଏହି ସ୍ମୃତିଚାରଣ କରିବା ଦରକାର । ଏହି ଯୋଗବଳ ଦ୍ୱାରା ହିଁ ଆତ୍ମା ପବିତ୍ର ହେବ । ପୁଣି ଏ କଥା ମଧ୍ୟ ମନେ ରଖିବାକୁ ହେବ ଯେ ଆମେ ପବିତ୍ର ହୋଇଗଲେ ଏହି ଅଶୁଦ୍ଧ ଦୁନିଆର ବିନାଶ ନିଶ୍ଚିତ ହେବ । ସମସ୍ତେ ତ ପବିତ୍ର ହେବେ ନାହିଁ । ତୁମେ ବହୁତ ସ୍ୱଳ୍ପ ସଂଖ୍ୟକ ଆତ୍ମା ଅଛ, ଯେଉଁମାନଙ୍କ ମଧ୍ୟରେ ପରମାତ୍ମ ଶକ୍ତି ଅଛି । ତୁମମାନଙ୍କ ଭିତରେ ମଧ୍ୟ ଶକ୍ତିର ଧାରଣ ଅନୁସାରେ କ୍ରମାନୁଯାୟୀ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେଉଛନ୍ତି ନା । ଶକ୍ତି ତ ସବୁଠି ଆବଶ୍ୟକ । ଏହା ହେଉଛି ଈଶ୍ୱରୀୟ ଶକ୍ତି ଯାହାକୁ ଯୋଗବଳର ଶକ୍ତି କୁହାଯାଉଛି । ବାକି ସବୁ ହେଲା ଶାରିରୀକ ଶକ୍ତି । ଏହା ହେଉଛି ରୁହାନୀ ଅର୍ଥାତ୍ ଆତ୍ମିକ ଶକ୍ତି । ବାବା କଳ୍ପ କଳ୍ପ କହୁଛନ୍ତି - ହେ ପିଲାମାନେ, ମୋତେ ମନେ ପକାଅ । ସର୍ବଶକ୍ତିମାନ ବାବାଙ୍କୁ ମନେ ପକାଅ । ସିଏ ହିଁ ଏକମାତ୍ର ପିତା ଯାହାଙ୍କୁ ସ୍ମରଣ କରିଲେ ଆମର ଆତ୍ମା ପବିତ୍ର ହେବ । ଏହା ହିଁ ଧାରଣା କରିବାର ମୁଖ୍ୟ କଥା ଅଟେ । ଆମେ ୮୪ ଜନ୍ମ ନେଉଛୁ, ଯେଉଁମାନଙ୍କର ଏ କଥା ଉପରେ ନିଶ୍ଚୟ ନାହିଁ ସେମାନଙ୍କର ବୁଦ୍ଧିରେ କିଛି ବି ଧାରଣା ହେବ ନାହିଁ । ଯେଉଁମାନେ ସତ୍ତ୍ୱପ୍ରଧାନ ଆତ୍ମାମାନଙ୍କ ଦୁନିଆରେ ଆସିଥିଲେ ସେହିମାନେ ହିଁ ଏବେ ତମଃପ୍ରଧାନ ହୋଇ ଯାଇଛନ୍ତି । ସେହିମାନଙ୍କର ହିଁ ବହୁତ ଶୀଘ୍ର ନିଶ୍ଚୟ ଆସିବ । ଯଦି କିଛି ବୁଝିପାରୁ ନାହଁ ତେବେ ପଚାରିବା ଆବଶ୍ୟକ । ଭଲ ଭାବରେ ବୁଝିଗଲେ ବାବାଙ୍କୁ ମଧ୍ୟ ଠିକ୍ ରୂପେ ମନେ ପକାଇପାରିବ । ଠିକ୍ ରୂପେ ନ ବୁଝିଲେ ଯୋଗ ମଧ୍ୟ ଠିକ୍ ରୂପେ କରିପାରିବ ନାହିଁ । ଏହା ତ ସିଧା କଥା ଅଟେ । ଆମେ ଯେଉଁ ଆତ୍ମାମାନେ ସତ୍ୱପ୍ରଧାନ ଥିଲେ ସେହିମାନେ ପୁଣି ତମଃପ୍ରଧାନ ହୋଇଛେ । ଯେଉଁମାନଙ୍କର ସଂଶୟ ଉପନ୍ନ ହେବ ଯେ, ଆମେ କିପରି ଜାଣିବୁ ୮୪ ଜନ୍ମ ନେଉଛୁ ନା ନାହିଁ ବା କଳ୍ପ ପୂର୍ବେ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେଇଥିଲୁ ନା ନାହିଁ । ଏହିଭଳି ଆତ୍ମାମାନେ ପାଠପଢା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ହିଁ ଦେବେ ନାହିଁ । ତେଣୁ ବୁଝିବାକୁ ହେବ ଯେ, ତାଙ୍କ ଭାଗ୍ୟରେ ନାହିଁ । କଳ୍ପ ପୂର୍ବରୁ ମଧ୍ୟ ବୁଝି ନ ଥିଲେ ତେଣୁ ଏବେ ମଧ୍ୟ ଯୋଗ କରିପାରିବେ ନାହିଁ । ଏହା ହେଉଛି ଭବିଷ୍ୟତ ପାଇଁ ପାଠପଢା । ଯଦି ପଢୁନାହାଁନ୍ତି ତେବେ ଜଣା ପଡିଯାଉଛି ଯେ କଳ୍ପ କଳ୍ପ ପଢି ନ ଥିଲେ ବା ଅଳ୍ପ ନମ୍ବରରେ ପାସ୍ ହୋଇଥିଲେ । ସ୍କୁଲରେ ବହୁତ ଛାତ୍ର ଫେଲ୍ ମଧ୍ୟ ହୋଇଥାଆନ୍ତି । ଉତ୍ତୀର୍ଣ୍ଣ ମଧ୍ୟ କ୍ରମାନୁଯାୟୀ ହୋଇଥାଆନ୍ତି । ଏହା ମଧ୍ୟ ପାଠପଢା । ଏଥିରେ ମଧ୍ୟ କ୍ରମାନୁଯାୟୀ ପାସ୍ ହେବେ । ଯିଏ ବୁଦ୍ଧିମାନ ଛାତ୍ର ହୋଇଥିବେ ସେମାନେ ପାଠପଢି ପୁଣି ଅନ୍ୟକୁ ପଢାଇବାରେ ଲାଗିଯିବେ । ବାବା କହୁଛନ୍ତି - ମୁଁ ତୁମମାନଙ୍କର ସେବକ ଅଟେ । ପିଲାମାନେ ମଧ୍ୟ କହୁଛନ୍ତି - ଆମେ ବାବାଙ୍କର ସେବକ । ପ୍ରତ୍ୟେକ ଭାଇ ଭଉଣୀମାନଙ୍କର କଲ୍ୟାଣ କରିବାକୁ ହେବ । ବାବା ଆମର କଲ୍ୟାଣ କରୁଛନ୍ତି ଆମକୁ ପୁଣି ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ସମସ୍ତଙ୍କୁ ଏ କଥା ମଧ୍ୟ ବୁଝାଇବାକୁ ହେବ ଯେ, ଏକମାତ୍ର ବାବାଙ୍କୁ ହିଁ ମନେ ପକାଇଲେ ହିଁ ପାପ କଟିବ । ଯିଏ ଅନେକ ଆତ୍ମାଙ୍କୁ ସନ୍ଦେଶ ଦେବେ ତାଙ୍କୁ ସେତେ ବଡ ସନ୍ଦେଶବାହକ କୁହାଯିବ । ତାଙ୍କୁ ହିଁ ମହାରଥୀ ଅଥବା ଅଶ୍ୱାରୋହୀ କୁହାଯିବ । ପଦାତିକମାନେ ପ୍ରଜା ପଦ ପାଇବେ । ପିଲାମାନେ ଜାଣୁଛନ୍ତି ଯେ, କେଉଁ କେଉଁ ଆତ୍ମାମାନେ ସାହୁକାର ହୋଇପାରିବେ । ଏହି ଜ୍ଞାନ ବୁଦ୍ଧିରେ ରହିବା ଉଚିତ୍ । ତୁମେ ପିଲାମାନେ ଯେଉଁମାନେ ସେବା ପାଇଁ ନିମିତ୍ତ ହୋଇଛ, ସେବା ପାଇଁ ହିଁ ଜୀବନ ଦେଇଛ, ସେହିପରି ଶ୍ରେଷ୍ଠ ପଦ ମଧ୍ୟ ପାଇବ । ସେମାନେ କୌଣସି ବିଘ୍ନକୁ ଖାତିର୍ କରନ୍ତି ନାହିଁ । ପ୍ରତ୍ୟେକ ମନୁଷ୍ୟର ନିଜର ସ୍ୱତନ୍ତ୍ର ହାତ ପାଦ ରହିଛି । ଯାହାକୁ କେହି ବାନ୍ଧି ରଖିପାରିବେ ନାହିଁ, ପ୍ରତ୍ୟେକ ନିଜକୁ ସ୍ୱତନ୍ତ୍ର ରଖିପାରିବେ । ତେଣୁ ନିଜେ ଭାବିବା ଦରକାର ଯେ ମୁଁ ଏଭଳି ବନ୍ଧନରେ କାହିଁକି ପଡିବି? କାହିଁକି ବାବାଙ୍କଠାରୁ ଅମୃତ ନେଇ ଅନ୍ୟମାନଙ୍କୁ ଅମୃତର ଦାନ ନ କରିବି । ମୁଁ କ’ଣ ଛେଳି ନା ମେଣ୍ଢା ଯେ ମୋତେ କେହି ବାନ୍ଧିବେ । ଆରମ୍ଭରେ ତୁମେ ପିଲାମାନେ କିପରି ନିଜକୁ ମୁକ୍ତ କଲ । ବହୁତ ରଡି ଛାଡିଲେ ହାୟ ହାୟ କଲେ ଶେଷରେ ବସିଗଲେ । ତୁମେମାନେ କହିବ ଆମକୁ କ’ଣ ଚିନ୍ତା, ଆମେ ସ୍ୱର୍ଗ ସ୍ଥାପନା କରିବୁ ନା ଏହି ସବୁ କାମ ବସି କରିବୁ । ଏହିଭଳି ନିଶା ଚଢିଯାଏ, ଯାହାକୁ ମୌଲାଇ ମସ୍ତି ଅର୍ଥାତ୍ ଈଶ୍ୱରୀୟ ନିଶା କୁହାଯାଏ । ଆମେ ମୌଲାଙ୍କର ମସ୍ତାନା ଅର୍ଥାତ୍ ଈଶ୍ୱରୀୟ ନିଶାଗ୍ରସ୍ତ ଅଟୁ । ତୁମେମାନେ ଜାଣିଛ ଆମକୁ ମୌଲାଙ୍କଠାରୁ କ’ଣ ପ୍ରାପ୍ତି ହେଉଛି । ମୌଲା ଆମକୁ ପାଠ ପଢାଉଛନ୍ତି ନା, ତାଙ୍କର ତ ବହୁତ ମହିମା ରହିଛି । ସେଥିମଧ୍ୟରୁ କିଛି କିଛି ନାମ ବହୁତ ମଧୁର ଅଟେ । ଏବେ ଆମେ ଈଶ୍ୱର ପ୍ରେମୀ ହୋଇଛୁ ବାବା ତ ବହୁତ ସରଳ ନିର୍ଦ୍ଦେଶ ଦେଉଛନ୍ତି । ଏକଥା ବୁଦ୍ଧି ମଧ୍ୟ ସ୍ୱୀକାର କରୁଛି ଯେ - ବାସ୍ତବରେ ଆମେ ବାବାଙ୍କୁ ସ୍ମରଣ କରି କରି ସତ୍ୱପ୍ରଧାନ ହୋଇଯିବୁ ଏବଂ ବିଶ୍ୱର ମାଲିକ ମଧ୍ୟ ହେବୁ । ଏହି ନିଶା ଚଢି ରହିଛି । ବାବାଙ୍କୁ ସଦାସର୍ବଦା ମନେ ପକାଇବା ଦରକାର । ସାମ୍‌ନାରେ ବସିଛ ନା, ତେଣୁ ମନେ ରହୁଛି କିନ୍ତୁ ଏଠାରୁ ବାହାରକୁ ଗଲା ପରେ ଭୁଲିଯିବ । ଏଠାରେ ଯେତେ ନିଶା ଚଢେ ସେତେ ବାହାରେ ରହେ ନାହିଁ, ଭୁଲିଯା’ନ୍ତି । ବାସ୍ତବରେ ବାବାଙ୍କୁ କେବେ ବି ଭୁଲିବା ଉଚିତ୍ ନୁହେଁ । କିନ୍ତୁ ଭାଗ୍ୟରେ ନ ଥିଲେ ଏଠାରେ ବସି ମଧ୍ୟ ଭୁଲିଯାଆନ୍ତି ।

ପିଲାମାନଙ୍କ ପାଇଁ ମ୍ୟୁଜିୟମ୍‌ରେ ଏବଂ ଗାଁ ଗାଁରେ ସେବା କରିବା ପାଇଁ ବ୍ୟବସ୍ଥା ହେଉଛି । ଯେତିକି ବି ସମୟ ମିଳୁଛି ବାବା ତ କହୁଛନ୍ତି ଜଲଦି କର । କିନ୍ତୁ ଡ୍ରାମାନୁଯାୟୀ ଜଲ୍‌ଦି ହୋଇପାରିବ ନାହିଁ । ବାବା ତ କହୁଛନ୍ତି ଏଭଳି ମେସିନ୍ ତିଆରି ହେଉ ଯେପରି ହାତ ଲଗାଇବା ମାତ୍ରେ ଜିନିଷ ତିଆରି ହୋଇଯିବ । ଏ କଥା ମଧ୍ୟ ବାବା ବୁଝାଉଛନ୍ତି - ଭଲ ଭଲ ପିଲାମାନଙ୍କର ମଧ୍ୟ ନାକ କାନକୁ ମାୟା ଧରି ନେଉଛି । ଯେଉଁମାନେ ନିଜକୁ ମହାବୀର ଭାବନ୍ତି ସେହିମାନଙ୍କୁ ହିଁ ମାୟାର ବହୁତ ତୋଫାନ ଆସେ । ପୁଣି ସେମାନେ କାହାକୁ ଜଣାନ୍ତି ନାହିଁ, ଲୁଚାଇ ରଖନ୍ତି । ଅନ୍ତର ମନରେ ସତ୍ୟତା ନ ଥାଏ । ଯାହାର ହୃଦୟ ନିର୍ମଳ ସେ ହିଁ ସ୍କଲରସିପ୍ ପାଇଥାଆନ୍ତି । ସଇତାନି ହୃଦୟ ରହିଲେ ତିଷ୍ଠି ପାରିବେ ନାହିଁ । ସଇତାନି ହୃଦୟ ଦ୍ୱାରା ନିଜର ହିଁ ଭେଳା ବୁଡାଇ ଦିଅନ୍ତି । ସମସ୍ତଙ୍କର ଶିବବାବାଙ୍କ ନିକଟରେ କାମ ରହିଛି । ଏହା ତ ତୁମେ ସାକ୍ଷାତ୍‌କାର କରୁଛ । ବ୍ରହ୍ମାଙ୍କର ରଚୟିତା ମଧ୍ୟ ଶିବବାବା ଅଟନ୍ତି । ଶିବବାବାଙ୍କୁ ମନେ ପକାଇଲେ ହିଁ ଏହିଭଳି ଲକ୍ଷ୍ମୀ-ନାରାୟଣ ହୋଇପାରିବ । ବାବା ଜାଣିଛନ୍ତି ମାୟା ବହୁତ ଶକ୍ତିଶାଳୀ ଅଟେ । ଯେପରି ମୂଷା କାଟି ନେଲେ ଜଣା ପଡେ ନାହିଁ ସେହିପରି ମାୟା ମଧ୍ୟ ବଡ ଚତୁର ମୂଷା ଅଟେ । ତେଣୁ ମହାରଥିମାନଙ୍କୁ ହିଁ ଖବରଦାର ରହିବାକୁ ହେବ । ସେମାନେ ନିଜେ ଜାଣିପାରନ୍ତି ନାହିଁ ଯେ, ମାୟା ମୋତେ ତଳେ ପକାଇ ଦେଉଛି, ମତଭେଦ କରାଇଦେଇଛି । ଜାଣିଯିବା ଦରକାର ଯେ, ଲୁଣପାଣି ଅର୍ଥାତ୍ ମତଭେଦରେ ଆସିଲେ ମୁଁ ବାବାଙ୍କ ସେବା କରିପାରିବି ନାହିଁ । ସେମାନେ ଭିତରେ ଭିତରେ ଜଳିଥାଆନ୍ତି । ଦେହ ଅଭିମାନ ଅଛି, ତେଣୁ ଜଳନ୍ତି । ତେବେ ନିଜକୁ ଦେଖିବାକୁ ହେବ ଯେ, ମୋ’ର ସେହିଭଳି ଅବସ୍ଥା ନାହିଁ ତ? ଯୋଗର ଶକ୍ତି ରହୁ ନାହିଁ ସେଥିପାଇଁ ବହୁତ ଖବରଦାର ରହିବା ଦରକାର । ମାୟା ବଡ ତୀକ୍ଷା ଅଟେ, ଯେହେତୁ ତୁମେମାନେ ଯୁଦ୍ଧ କ୍ଷେତ୍ରରେ ଅଛ ତେଣୁ ମାୟା ମଧ୍ୟ ଛାଡୁ ନାହିଁ । ଅଧା କିମ୍ବା ଅଧାରୁ ଅଧିକ ପିଲାମାନଙ୍କୁ ତ ମାୟା ବଶୀଭୂତ କରିଦେଲାଣି ଅର୍ଥାତ୍ ଜ୍ଞାନ ଛାଡିଦେଲେଣି । କାହାକୁ ବି ଜଣା ପଡେ ନାହିଁ, କିଭଳି ଭଲ ଭଲ ନୂଆ ନୂଆ ଆତ୍ମାମାନେ ମଧ୍ୟ ପାଠପଢିବା ଛାଡି ଘରେ ବସିଯାଉଛନ୍ତି । ଭଲ ଭଲ ନାମିଗ୍ରାମୀଙ୍କ ଉପରେ ମଧ୍ୟ ମାୟାର ଆକ୍ରମଣ ହେଉଛି । ସବୁ ଜାଣି ମଧ୍ୟ ବେଖାତିରି କରିଦେଉଛନ୍ତି । ଛୋଟ ଛୋଟ କଥାରେ ତୁରନ୍ତ ଲୁଣପାଣି ବା ଅପ୍ରିୟ ହୋଇଯାଉଛନ୍ତି । ବାବା ବୁଝାଉଛନ୍ତି - ଦେହ-ଅଭିମାନ କାରଣରୁ ହିଁ ଅପ୍ରିୟ ହେଉଛନ୍ତି । ଏହା ଦ୍ୱାରା ନିଜକୁ ଧୋକା ଦେଉଛନ୍ତି । ବାବା କହିବେ ଇଏ ବି ଡ୍ରାମା । ଯାହା କିଛି ଦେଖୁଛ କଳ୍ପ ପୂର୍ବ ଭଳି ଡ୍ରାମା ଚାଲିଛି । ଅବସ୍ଥା ଦୋଦୁଲ୍ୟମାନ ମଧ୍ୟ ହେଉଛି । କେବେ ଗ୍ରହଚାରୀ ବସୁଛି, ଅର୍ଥାତ୍ ମାୟାର ଅଧିନ ହୋଇଯାଉଛନ୍ତି କେବେ ଭଲ ସେବା କରି ଖୁସିର ସମାଚାର ଲେଖୁଛନ୍ତି । ଅବସ୍ଥା ତଳ ଉପର ହେବାରେ ଲାଗିଛି । କେବେ ପରାଜୟ କେବେ ବିଜୟ । ପାଣ୍ଡବମାନଙ୍କର ମାୟା ସହ କେବେ ବିଜୟ ତ କେବେ ପରାଜୟ ହେଉଛି । ଭଲ ଭଲ ମହାରଥି ମଧ୍ୟ ଦୋହଲି ଯାଉଛନ୍ତି । କେହି କେହି ମଧ୍ୟ ମରିଯାଉଛନ୍ତି ଅର୍ଥାତ୍ ଜ୍ଞାନ ଛାଡି ଦେଉଛନ୍ତି । ତେଣୁ ଯେଉଁଠି ବି ରୁହ ବାବାଙ୍କୁ ସ୍ମରଣ କରିଚାଲ ଏବଂ ସେବା କରିଚାଲ । ସେବା ପାଇଁ ତୁମେ ନିମିତ୍ତ ହୋଇଛ । ତୁମେମାନେ ଯୁଦ୍ଧ କ୍ଷେତ୍ରରେ ଅଛ ନା । ଯିଏ ବାହାରେ ଅର୍ଥାତ୍ ଘର ଗୃହସ୍ଥରେ ରହୁଛନ୍ତି, ସେମାନେ ସେଣ୍ଟରରେ ରହୁଥିବା ପିଲାମାନଙ୍କଠାରୁ ବି ବହୁତ ତୀବ୍ର ବେଗରେ ଯାଇ ପାରିବେ । ମାୟା ସାଥିରେ ପୁରା ଯୁଦ୍ଧ ଲାଗି ରହିଛି । ପ୍ରତି ସେକେଣ୍ଡରେ କଳ୍ପ ପୂର୍ବ ଭଳି ତୁମର ପାର୍ଟ ଚାଲିଛି । ତୁମେମାନେ କହିବ ଏତେ ସମୟ ବିତିଗଲା କ’ଣ କ’ଣ ହେଲା ଏହା ମଧ୍ୟ ତୁମ ବୁଦ୍ଧିରେ ଅଛି । ସାରା ଜ୍ଞାନ ବୁଦ୍ଧିରେ ରହିଛି । ଯେପରି ବାବାଙ୍କଠାରେ ଜ୍ଞାନ ଅଛି, ଏହି ଦାଦାଙ୍କଠାରେ ମଧ୍ୟ ରହିବା ଦରକାର । ବାବା କହୁଛନ୍ତି ତେବେ ତ ନିଶ୍ଚିତ ଭାବରେ ମଝିରେ ଦାଦା ମଧ୍ୟ କହୁଥିବେ । ତୁମେମାନେ ମଧ୍ୟ ଜାଣୁଛ କିଏ କିଏ ଭଲ ସ୍ୱଚ୍ଛ ହୃଦୟବାନ ଅଛନ୍ତି । ନିର୍ମଳ ହୃଦୟବାନ ହିଁ ବାବାଙ୍କ ହୃଦୟରେ ସ୍ଥାନ ପାଇଥାଆନ୍ତି । ତାଙ୍କ ମଧ୍ୟରେ ମତଭେଦର ସ୍ୱଭାବ ରହି ନ ଥାଏ । ସଦା ହର୍ଷିତ ହୋଇ ରହନ୍ତି । ତାଙ୍କ ମନ କେବେ ପରିବର୍ତ୍ତନ ହେବ ନାହିଁ । ଏଠାରେ ତ ବହୁତଙ୍କର ମନ ବଦଳିଯାଉଛି । ସେ କଥା ନ କହିଲେ ଭଲ । ନିଜକୁ ପତିତ ବୋଲି ମଧ୍ୟ କହୁଛନ୍ତି, ତେଣୁ ତ ପତିତପାବନ ବାବାଙ୍କୁ ଡାକିଛନ୍ତି ଯେ ଆସି ପାବନ କର । ବାବା କହୁଛନ୍ତି - ପିଲାମାନେ ମୋତେ ୟାଦ କରିଚାଲ ତେବେ ତୁମର କପଡା ସଫା ହୋଇଯିବ । ମୋର ଶ୍ରୀମତରେ ଚାଲ । ଶ୍ରୀମତରେ ନ ଚାଲୁଥିବା ଆତ୍ମାର କପଡା ସଫା ହେବ ନାହିଁ । ଆତ୍ମା ଶୁଦ୍ଧ ହେବ ନାହିଁ । ବାବା ତ ଦିନ ରାତି ଏହି କଥା ଉପରେ ହିଁ ଗୁରୁତ୍ୱ ଦେଉଛନ୍ତି କି ନିଜକୁ ଆତ୍ମା ଭାବ । ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ତୁମେ ଅଣନିଶ୍ୱାସୀ ହୋଇଯାଉଛି । ତୁମେମାନେ ଯେତେ ଯେତେ ଉପରକୁ ଚଢୁଛ ଅର୍ଥାତ୍ ସ୍ଥିତି ଶ୍ରେଷ୍ଠ ହେଉଛି ସେତେ ଖୁସି ହେଉଛ ଏବଂ ହର୍ଷିତମୁଖ ରହୁଛ । ବାବା ଜାଣୁଛନ୍ତି ଭଲ ଭଲ ପ୍ରଥମ ଶ୍ରେଣୀର ପିଲାମାନେ ଅଛନ୍ତି କିନ୍ତୁ ଆନ୍ତରିକ ଅବସ୍ଥା ଦେଖ ତ ଯେପରି ନିଆଁରେ ତରଳୁଛନ୍ତି । ଦେହ ଅଭିମାନର ଅଗ୍ନି ଯେପରି ତରଳାଇ ଦେଉଛି । ବୁଝୁ ନାହାଁନ୍ତି ଯେ, ଏ ବେମାରୀ ପୁଣି କେଉଁଠାରୁ ଆସିଲା । ବାବା କହୁଛନ୍ତି - ଦେହ ଅଭିମାନରୁ ହିଁ ଏହି ବେମାରୀ ଆସିଲା । ଦେହୀ- ଅଭିମାନୀକୁ କେବେ ବେମାରୀ ହେବ ନାହିଁ । ଭିତରେ ଭିତରେ ବହୁତ ଜଳିଥାଆନ୍ତି । ବାବା କହୁଛନ୍ତି - ପିଲାମାନେ, ଦେହୀ ଅଭିମାନୀ ହୁଅ । ପଚାରୁଛନ୍ତି ଏହି ରୋଗ କାହିଁକି ହେଉଛି? ବାବା କହୁଛନ୍ତି - ଏହି ଦେହ-ଅଭିମାନର ବେମାରୀ ଏପରି ଯେ ସେ କଥା ନ କହିଲେ ଭଲ । ଯଦି କାହାକୁ ଏ ବେମାରୀ ଲାଗୁଛି ତ ଏକଦମ୍ ଲାଖିଯାଉଛି, ଛାଡୁ ହିଁ ନାହିଁ । ଯଦି ଶ୍ରୀମତରେ ନ ଚାଲି ନିଜର ଦେହର ଅଭିମାନରେ ଚାଲିବ ତେବେ ବହୁତ ଜୋରରେ ଆଘାତ ଲାଗିବ । ବାବାଙ୍କ ପାଖକୁ ତ ସବୁ ସମାଚାର ଆସୁଛି । ମାୟା କିଭଳି ଏକଦମ୍ ନାକରୁ ଧରି ତଳକୁ ଖସାଇ ଦେଉଛି, ବୁଦ୍ଧିକୁ ବିଲ୍‌କୁଲ୍ ହତ୍ୟା କରିଦେଉଛି । ସଂଶୟ ବୁଦ୍ଧି ହୋଇଯାଉଛନ୍ତି । ଭଗବାନଙ୍କୁ ଡାକୁଛନ୍ତି କି ଆସି ଆମକୁ ପଥର ବୁଦ୍ଧିରୁ ପାରସ ବୁଦ୍ଧି କର ପୁଣି ତାଙ୍କର ହିଁ ବିରୋଧି ହୋଇଯାଉଛନ୍ତି, ତେବେ ତାଙ୍କର କ’ଣ ଗତି ହେବ । ପୁରା ପୁରି ତଳକୁ ଖସି ପଥର ବୁଦ୍ଧି ହୋଇଯାଉଛନ୍ତି । ପିଲାମାନଙ୍କୁ ଏଠାରେ ବସି ଏହି ଖୁସି ରହିବା ଦରକାର ଯେ, ଏହି ଛାତ୍ର ଜୀବନ ହିଁ ସର୍ବଶ୍ରେଷ୍ଠ ଅଟେ । ବାବା କହୁଛନ୍ତି - ଏହି ଶିକ୍ଷାଠାରୁ ଆଉ କୌଣସି ଶ୍ରେଷ୍ଠ ଶିକ୍ଷା ଅଛି କି? ଏହା ତ ସର୍ବଶ୍ରେଷ୍ଠ ଶିକ୍ଷା । ୨୧ ଜନ୍ମର ଫଳ ଦେଇଥାଏ । ତେବେ ଏଭଳି ପାଠପଢା ପ୍ରତି କେତେ ଧ୍ୟାନ ଦେବା ଆବଶ୍ୟକ । କେହି କେହି ତ ବିଲ୍‌କୁଲ୍ ଧ୍ୟାନ ଦେଉ ନାହାଁନ୍ତି । ମାୟା ଏକଦମ୍ ନାକ କାନ କାଟି ନେଉଛି । ବାବା ନିଜେ କହୁଛନ୍ତି ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି ତେଣୁ ସେ ଏଭଳି ଧରି ନେଉଛି ଯେ ସେ କଥା ନ କହିଲେ ଭଲ, ତେଣୁ ବହୁତ ଖବରଦାର ହୋଇ ରୁହ । ପରସ୍ପରକୁ ସାବଧାନ କରୁଥାଅ । ଶିବବାବାଙ୍କୁ ମନେ ପକାଉଥାଅ ନଚେତ୍ ମାୟା ନାକ କାନ କାଟିନେବ । ପୁଣି କେଉଁ କାମ ପାଇଁ ଯୋଗ୍ୟ ହେବ ନାହିଁ । କେହି କେହି ଭାବୁଛନ୍ତି ମୋତେ ଲକ୍ଷ୍ମୀ-ନାରାୟଣଙ୍କ ପଦ ପାଇବା ଅସମ୍ଭବ ଲାଗୁଛି, ଥକିଯାଇ ନିସ୍ତେଜ ହୋଇଯାଉଛନ୍ତି । ମାୟାଠାରୁ ହାରି ଯାଇ ଏକଦମ୍ ଆବର୍ଜନାରେ ପଡି ଯାଉଛନ୍ତି । ଦେଖ, ଯଦି ବୁଦ୍ଧି ବିଗିଡି ଯାଉଛି ତେବେ ବୁଝିଯିବା ଦରକାର ଯେ ମାୟା ମୋର ନାକକୁ ଧରିଛି । ଯୋଗର ଯାତ୍ରାରେ ବହୁତ ଶକ୍ତି ରହିଛି । ବହୁତ ଖୁସି ଭରି ରହିଛି । ଏକଥା ମଧ୍ୟ କହୁଛନ୍ତି ଯେ - ଖୁସି ଭଳି ଖାଦ୍ୟ ନାହିଁ । ଦୋକାନରେ ଗ୍ରାହକ ଆସୁଥିଲେ, ରୋଜଗାର ହେଉଥିଲେ କେବେ ଥକା ଲାଗିବ ନାହିଁ । ଭୋକରେ ମରନ୍ତି ନାହିଁ । ଖୁବ୍ ଖୁସିରେ ରହିଥା’ନ୍ତି । ତୁମମାନଙ୍କୁ ତ ଅସରନ୍ତି ଧନ ମିଳୁଛି । ତେଣୁ ତ ବହୁତ ଖୁସିରେ ରହିବା ଦରକାର । ନିଜକୁ ଦେଖିବା ଉଚିତ୍ ଯେ ମୋ ଭିତରେ ଚଳଣି, ଦୈବୀ ଅଛି ନା ଆସୁରୀ? ସମୟ ବହୁତ କମ୍ ଅଛି ଅକାଳମୃତ୍ୟୁର ମଧ୍ୟ ଯେମିତି ପ୍ରତିଯୋଗିତା ଚାଲିଛି । ଦେଖ କେତେ ଦୁର୍ଘଟଣା ଇତ୍ୟାଦି ହେଉଛି । ଦିନକୁ ଦିନ ତମଃପ୍ରଧାନ ବୁଦ୍ଧି ହୋଇଯାଉଛି । ଜୋରରେ ବର୍ଷା ହେଲେ ମଧ୍ୟ ଏହାକୁ ପ୍ରକୃତିର ଦୁର୍ଘଟଣା କୁହାଯିବ । ମୃତ୍ୟୁ ତୁମର ସମ୍ମୁଖକୁ ଆସିଲା ହିଁ ଆସିଲା । ବୁଝି ମଧ୍ୟ ପାରୁଛନ୍ତି ଯେ, ଆଟମ୍‌ବମ୍‌ର ଲଢେଇ ମଧ୍ୟ ଲାଗିଯିବ । ସେହିଭଳି ଭୟାନକ କାମ ମଧ୍ୟ କରୁଛନ୍ତି, ଯେତେବେଳେ ଅତି ବିବ୍ରତ କରିଦେବେ, ପୁଣି ଯୁଦ୍ଧ ଲାଗିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଈଶ୍ୱରୀୟ ନିଶାରେ ରହି ନିଜକୁ ମୁକ୍ତ କରିବାକୁ ହେବ । କୌଣସି ପ୍ରକାରର ବନ୍ଧନରେ ବାନ୍ଧି ହେବାର ନାହିଁ, ମାୟା ମୂଷାଠାରୁ ବହୁତ ଦୂରେଇ ରହିବା ସହିତ ସାବଧାନ ମଧ୍ୟ ରହିବାକୁ ହେବ । ଅନ୍ତରରେ ଖଳ ପ୍ରବୃତ୍ତି ସୃଷ୍ଟି ନ ହେଉ ସେଥିପାଇଁ ଖବରଦାର ରହିବା ଉଚିତ୍ । ହୃଦୟରେ କେବେ ବି ସଇତାନି ମନୋଭାବ ନ ଆସୁ ।

(୨) ବାବାଙ୍କ ଦ୍ୱାରା ଯେଉଁ ଅସରନ୍ତି ଜ୍ଞାନ ରତ୍ନ ମିଳୁଛି ସେହି ପ୍ରାପ୍ତିର ଖୁସିରେ ରହିବାକୁ ହେବ । ଏହି ରୋଜଗାରରେ କେବେ ହେଲେ ସଂଶୟ ବୁଦ୍ଧି ହୋଇ ଥକିଯିବାର ନାହିଁ । ବିଦ୍ୟାର୍ଥୀ ଜୀବନ ହିଁ ଶ୍ରେଷ୍ଠ ଜୀବନ । ସେଥିପାଇଁ ପାଠପଢା ପ୍ରତି ପୁରା ପୁରା ଧ୍ୟାନ ଦେବାକୁ ହେବ ।

ବରଦାନ:-
ସର୍ବଦା ସଜାଗ ରହି ସମସ୍ତଙ୍କର ଆଶାକୁ ପୂର୍ଣ୍ଣ କରୁଥିବା ମାଷ୍ଟର ମୁ୍‌କ୍ତି-ଜୀବନମୁକ୍ତିଦାତା ହୁଅ ।

ଏବେ ସବୁ ପିଲାଙ୍କ ଭିତରେ ଏହି ଶୁଭ ସଂକଳ୍ପ ଜାଗ୍ରତ ହେବା ଦରକାର ଯେ ମୁଁ ସମସ୍ତଙ୍କର ଆଶାକୁ ପୂର୍ଣ୍ଣ କରିବି । ସମସ୍ତଙ୍କର ଇଚ୍ଛା ହେଉଛି ଜନ୍ମ-ମରଣ ଚକ୍ରରୁ ମୁକ୍ତ ହୋଇଯାଆନ୍ତୁ । ତେଣୁ ଏହାର ଅନୁଭବ କରାଅ । ଏଥିପାଇଁ ନିଜର ଶକ୍ତିଶାଳୀ ସତ୍ତ୍ୱପ୍ରଧାନ ପ୍ରକମ୍ପନ ଦ୍ୱାରା ପ୍ରକୃତି ଏବଂ ମନୁଷ୍ୟ ଆତ୍ମାମାନଙ୍କର ମନୋବୃତ୍ତିକୁ ପରିବର୍ତ୍ତନ କର । ମାଷ୍ଟର ଦାତା ହୋଇ ପ୍ରତ୍ୟେକ ଆତ୍ମାର ଆଶାକୁ ପୂର୍ଣ୍ଣ କର । ମୁକ୍ତି-ଜୀବନମୁକ୍ତିର ଦାନ ଦିଅ । ଏହିଭଳି ଦାୟିତ୍ୱର ସ୍ମୃତି ତୁମମାନଙ୍କୁ ସବୁବେଳ ପାଇଁ ସଜାଗ କରିଦେବ ।

ସ୍ଲୋଗାନ:-
ମୁରଲୀଧରଙ୍କର ମୁରଲୀକୁ ଶୁଣି ନିଜ ଦେହର ଅସ୍ତିତ୍ୱକୁ ଭୁଲି ଯାଉଥିବା ଆତ୍ମା ର୍ହିଁ ସଚ୍ଚା ଗୋପି ଅଟନ୍ତି ।