27.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏହି କବରସ୍ତାନ ଅର୍ଥାତ୍ ଶ୍ମଶାନ ଭୂମିକୁ ପରିସ୍ତାନ ଅର୍ଥାତ୍ ସ୍ୱର୍ଗରେ ପରିଣତ କରୁଛ,
ସେଥିପାଇଁ ତୁମର ଏହି ପୁରୁଣା ଦୁନିଆ, କବରସ୍ତାନ ପ୍ରତି ସମ୍ପୂର୍ଣ୍ଣ ବୈରାଗ୍ୟ ଆସିବା ଉଚିତ୍ ।”
ପ୍ରଶ୍ନ:-
ବେହଦର ପିତା
ନିଜର ରୁହାନୀ ସନ୍ତାନମାନଙ୍କର ଅତି ବିଚିତ୍ର ସେବକ ଅଟନ୍ତି, କିପରି?
ଉତ୍ତର:-
ବାବା କହୁଛନ୍ତି, ପିଲାମାନେ ମୁଁ ତୁମର ଧୋବା ଅଟେ, କେବଳ ତୁମମାନଙ୍କର ନୁହେଁ ସାରା ଦୁନିଆର ଛି
ଛି ବା ଅପରିଷ୍କାର ବସ୍ତ୍ରକୁ ଗୋଟିଏ ସେକେଣ୍ଡରେ ସଫା କରିଦେଉଛି । ଆତ୍ମା ରୂପୀ ବସ୍ତ୍ର ସ୍ୱଚ୍ଛ
ହେବା ଦ୍ୱାରା ଶରୀର ମଧ୍ୟ ପବିତ୍ର ମିଳିଥାଏ । ବାବା ଏଭଳି ବିଚିତ୍ର ସେବକ ଅଟନ୍ତି ଯିଏକି
ମନମନାଭବ ରୂପୀ ଛୁ ମନ୍ତ୍ର ଦ୍ୱାରା ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ସଫା କରି ଦେଇଥାନ୍ତି ।
ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଅହମ୍ ଆତ୍ମା ଅର୍ଥାତ୍ ମୁଁ ଆତ୍ମା ମୋ’ର
ସ୍ୱଧର୍ମ ହେଲା ଶାନ୍ତ । ଶାନ୍ତିଧାମ ଯିବା ପାଇଁ କୌଣସି ପୁରୁଷାର୍ଥ କରିବାକୁ ପଡି ନ ଥାଏ ।
ଆତ୍ମା ସ୍ୱୟଂ ଶାନ୍ତସ୍ୱରୂପ, ଶାନ୍ତିଧାମର ନିବାସୀ । ହଁ କିଛି ସମୟ ଏଠାରେ ଶାନ୍ତିରେ ରହିପାରିବ
। ଆତ୍ମା କହୁଛି - ମୁଁ କର୍ମେନ୍ଦ୍ରିୟ ଗୁଡିକର ବୋଝ ଦ୍ୱାରା ଥକି ଯାଇଛି, ସେଥିପାଇଁ ମୁଁ ନିଜର
ସ୍ୱଧର୍ମରେ ସ୍ଥିତ ହୋଇଯାଉଛି, ଶରୀରଠାରୁ ଅଲଗା ହୋଇଯାଉଛି । କିନ୍ତୁ କର୍ମ ତ କରିବାକୁ ହିଁ ହେବ
। ଶାନ୍ତିରେ କେତେ ସମୟ ବସି ରହିବ । ଆତ୍ମା କହୁଛି ମୁଁ ଶାନ୍ତି ଦେଶର ନିବାସୀ ଅଟେ । କେବଳ
ଶରୀରକୁ ଆସିବା ଦ୍ୱାରା ମୁଁ ବାଣୀରେ ଆସୁଛି ବା କଥାବାର୍ତ୍ତା କରୁଛି । ମୁଁ ଆତ୍ମା ଅବିନାଶୀ
ମୋର ଶରୀର ବିନାଶୀ । ଆତ୍ମା ହିଁ ପାବନ ଏବଂ ପତିତ ହୋଇଥାଏ । ସତ୍ୟଯୁଗରେ ପଞ୍ଚତତ୍ତ୍ୱ ମଧ୍ୟ
ସତ୍ତ୍ୱପ୍ରଧାନ ଥାଏ । ଏଠାରେ ପଞ୍ଚତତ୍ତ୍ୱ ମଧ୍ୟ ତମୋପ୍ରଧାନ ଅଟେ । ସୁନାରେ ଖାଦ ମିଶିବା ଦ୍ୱାରା
ସୁନା ପତିତ ହୋଇଯାଏ ପୁଣି ତାକୁ ସଫା କରିବା ପାଇଁ ନିଆଁରେ ପକାଯାଏ, ସେହିଭଳି ଏହାର ନାମ ହେଲା
ଯୋଗଅଗ୍ନି । ଦୁନିଆରେ ତ ଅନେକ ପ୍ରକାରର ହଠଯୋଗ ଆଦି ଶିଖାଉଛନ୍ତି । ତାକୁ ଯୋଗ ଅଗ୍ନି କୁହାଯିବ
ନାହିଁ । ଯୋଗ ଅଗ୍ନି ତାକୁ କୁହାଯିବ ଯାହା ଦ୍ୱାରା ପାପ ଭସ୍ମ ହୋଇଥାଏ । ପରମାତ୍ମା ହିଁ ଆତ୍ମାକୁ
ପତିତରୁ ପାବନ କରିଥା’ନ୍ତି, ସେଥିପାଇଁ ତାଙ୍କୁ ଡାକୁଛନ୍ତି, ହେ ପତିତପାବନ ଆସ । ଡ୍ରାମାର
ପ୍ଲାନ (ଯୋଜନା) ଅନୁସାରେ ସମସ୍ତଙ୍କୁ ପତିତ ତମୋପ୍ରଧାନ ହେବାକୁ ହିଁ ପଡିବ । ଏହା କଳ୍ପବୃକ୍ଷ
ଅଟେ, ଏହାର ବୀଜ ବାବା ଉପରେ ଅଛନ୍ତି । ବାବାଙ୍କୁ ଯେତେବେଳେ ଡାକିଥାନ୍ତି, ବୁଦ୍ଧି ଉପରକୁ
ଚାଲିଯାଇଥାଏ, ଯାହାଙ୍କଠାରୁ ତୁମେ ସମ୍ପତ୍ତି ପ୍ରାପ୍ତ କରୁଛ, ସିଏ ଏବେ ତଳକୁ ଆସିଛନ୍ତି । ସିଏ
କହୁଛନ୍ତି ମୋତେ ଆସିବାକୁ ହିଁ ପଡୁଛି । ଭିନ୍ନ ଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ଏବେ
ପତିତ ତମୋପ୍ରଧାନ ହୋଇଯାଇଛି, ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ବାବା ଆସି ପିଲାମାନଙ୍କୁ
ବୁଝାଉଛନ୍ତି । ସତ୍ୟଯୁଗରେ ଦେବୀ-ଦେବତାମାନେ ନିବାସ କରନ୍ତି ଏବଂ କଳିଯୁଗରେ ଅସୁରମାନେ ନିବାସ
କରନ୍ତି । ବାକି ଅସୁର ଏବଂ ଦେବତାମାନଙ୍କର କେବେ ଲଢେଇ ଲାଗିନାହିଁ । ତୁମେ ଏହି ଆସୁରୀ ୫ ବିକାର
ଉପରେ ଯୋଗବଳ ଦ୍ୱାରା ବିଜୟ ପ୍ରାପ୍ତ କରୁଛ । ଏହାଛଡା ଅନ୍ୟ କୌଣସି ହିଂସକ ଲଢେଇ ଆଦିର କଥା ନାହିଁ
। ତୁମେ କୌଣସି ପ୍ରକାରର ହିଂସା କରୁନାହଁ । ତୁମେ କେବେ କାହାକୁ ହାତ ବି ଲଗାଇ ନ ଥାଅ । ତୁମେ
ଡବଲ ଅହିଂସକ ଅଟ । କାମରୂପୀ କଟୁରୀ ଚଲାଇବା ଏହା ତ ସବୁଠାରୁ ବଡ ପାପ । ବାବା କହୁଛନ୍ତି ଏହି
କାମ କଟୁରୀ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ତେଣୁ ବିକାରରେ କେବେ ବି ଯିବା ଉଚିତ୍ ନୁହେଁ ।
ଦେବତାମାନଙ୍କ ସମ୍ମୁଖରେ ମହିମା ଗାନ କରିଥା’ନ୍ତି ନା - ଆପଣ ସର୍ବଗୁଣ ସମ୍ପନ୍ନ... । ଆତ୍ମା
କହୁଛି ମୁଁ ପତିତ ହୋଇଯାଇଛି, ସେଥିପାଇଁ ତ ଡାକୁଛନ୍ତି ହେ ପତିତ ପାବନ ଆସ । ଯେତେବେଳେ ଆତ୍ମା
ପାବନ ଥାଏ ସେତେବେଳେ କାହାକୁ ବି ଡାକି ନ ଥାଏ । ତାକୁ ସ୍ୱର୍ଗ କୁହାଯାଏ । ଏଠାରେ ତ ସାଧୁ
ସନ୍ଥମାନେ ମଧ୍ୟ କେତେ ଗାୟନ କରୁଛନ୍ତି ହେ ପତିତ ପାବନ ସୀତାରାମ.... । ବାବା କହୁଛନ୍ତି ଏହି
ସମୟରେ ସାରା ଦୁନିଆ ପତିତ, ଏଥିରେ କାହାର ଦୋଷ ନାହିଁ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ।
ଯେ ପର୍ଯ୍ୟନ୍ତ ମୁଁ ନ ଆସିଛି ସେମାନଙ୍କୁ ନିଜର ପାର୍ଟ କରିବାକୁ ପଡିବ । ଜ୍ଞାନ ଏବଂ ଭକ୍ତି
ତାପରେ ବୈରାଗ୍ୟ ହୋଇଥାଏ । ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ । ଏହା ହେଲା ବେହଦର ବୈରାଗ୍ୟ ।
ସେମାନଙ୍କର ହେଲା ହଦର ବୈରାଗ୍ୟ ।
ତୁମେମାନେ ଜାଣିଛ ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି । ନୂଆ ଘର ତିଆରି କଲେ ପୁରୁଣା
ପ୍ରତି ବୈରାଗ୍ୟ ଆସିଯାଏ ନା । ବେହଦର ବାବା କହୁଛନ୍ତି ମୁଁ ଏବେ ତୁମକୁ ସ୍ୱର୍ଗ ରୂପକ ଘର ତିଆରି
କରି ଦେଉଛି । ଏବେ ତ ନର୍କ ଅଟେ । ସ୍ୱର୍ଗ ହେଲା ନୂଆ ଦୁନିଆ । ନର୍କ ହେଲା ପୁରୁଣା ଦୁନିଆ । ଏବେ
ପୁରୁଣା ଦୁନିଆରେ ରହି ଆମେ ନୂଆ ଦୁନିଆ ତିଆରି କରୁଛୁ । ପୁରୁଣା କବରସ୍ତାନ ଅର୍ଥାତ୍ ଶ୍ମଶାନ
ଭୂମି ଉପରେ ଆମେ ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ତିଆରି କରିବୁ । ଏହି ଯୁମନାର କୂଳ ଥିବ ଯେଉଁଠାରେ
ମହଲ ତିଆରି ହେବ । ଏହି ଦିଲ୍ଲୀ, ଯମୁନା ନଦୀ ଇତ୍ୟାଦି ଥିବ କିନ୍ତୁ ଶାସ୍ତ୍ରରେ ଯେଉଁଭଳି
ଦେଖାଯାଇଛି ଯେ ପାଣ୍ଡବମାନଙ୍କର ଦୁର୍ଗ ଇତ୍ୟାଦି ଥିଲା ସେ ସବୁ ହେଲା ଦନ୍ତ କଥା ଅର୍ଥାତ୍ କାହାଣୀ
। ଡ୍ରାମାର ପ୍ଲାନ୍ ଅନୁସାରେ ନିଶ୍ଚିତ ପୁଣି ଏସବୁ ହେବ । ଯେପରି ତୁମେ ଯଜ୍ଞ, ତପ, ଦାନ ଆଦି କରି
ଆସିଛ ସେହିପରି ପୁଣି କରିବାକୁ ପଡିବ । ପ୍ରଥମେ ତୁମେ ଶିବଙ୍କର ଭକ୍ତି କରିଥାଅ, ବହୁତ ସୁନ୍ଦର
ମନ୍ଦିର ତିଆରି କରିଥାଅ । ଏହାକୁ ବ୍ୟଭିଚାରୀ ଭକ୍ତି କୁହାଯାଏ ।
ଏବେ ତୁମେ ଜ୍ଞାନ ମାର୍ଗରେ ଅଛ । ଏହା ହେଲା ଅବ୍ୟଭିଚାରୀ ଜ୍ଞାନ । କେବଳ ଶିବବାବାଙ୍କଠାରୁ ତୁମେ
ଶୁଣୁଛ । ପ୍ରଥମେ ପ୍ରଥମେ ତୁମେ ଯାହାଙ୍କର ଭକ୍ତି କରିବା ଆରମ୍ଭ କରିଲ ସେହି ସମୟରେ ଅନ୍ୟ କୌଣସି
ଧର୍ମ ନ ଥାଏ । କେବଳ ତୁମେମାନେ ହିଁ ଥିଲ । ତୁମେ ସେତେବେଳେ ବହୁତ ସୁଖୀ ଥିଲ । ଦେବତା ଧର୍ମ
ବହୁତ ସୁଖଦାୟୀ ଧର୍ମ ଅଟେ । ଏହାର ନାମକୁ ଉଚ୍ଚାରଣ କରିବା ଦ୍ୱାରା ମଧ୍ୟ ମୁଖ ମିଠା ହୋଇଯାଉଛି ।
ବର୍ତ୍ତମାନ ତୁମେ କେବଳ ଏକମାତ୍ର ବାବାଙ୍କଠାରୁ ହିଁ ଜ୍ଞାନ ଶୁଣୁଛ । ବାବା କହୁଛନ୍ତି ଆଉ
କାହାଠାରୁ ଶୁଣ ନାହିଁ । ଏହା ହେଉଛି ତୁମର ଅବ୍ୟଭିଚାରୀ ଜ୍ଞାନ । ବେହଦର ବାବାଙ୍କର ତୁମେ
ସନ୍ତାନ ହୋଇଛ । ତେଣୁ ତାଙ୍କଠାରୁ ହିଁ ପୁରୁଷାର୍ଥର କ୍ରମ ଅନୁସାରେ ବର୍ସା ମିଳିବ । ବାବା ମଧ୍ୟ
ଅଳ୍ପ ସମୟ ପାଇଁ ସାକାରୀ ସୃଷ୍ଟିକୁ ଆସିଛନ୍ତି । କହୁଛନ୍ତି ମୋତେ ହିଁ ତୁମମାନଙ୍କୁ ଜ୍ଞାନ
ଦେବାକୁ ପଡୁଛି । ମୋର କୌଣସି ସ୍ଥାୟୀ ଶରୀର ନାହିଁ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଥାଏ । ଶିବ
ଜୟନ୍ତୀ ପରେ ପୁଣି ଗୀତା ଜୟନ୍ତୀ ହୋଇଥାଏ । ସେହିଠାରୁ ହିଁ ଜ୍ଞାନ ଦେବା ଆରମ୍ଭ ହୁଏ । ଏହି
ରୁହାନୀ ବିଦ୍ୟା ତୁମକୁ ପରମଆତ୍ମା ହିଁ ଦେଉଛନ୍ତି । ଏଠାରେ ପାଣିର କୌଣସି କଥା ନାହିଁ । ପାଣିକୁ
କ’ଣ କେବେ ଜ୍ଞାନ କୁହାଯିବ । ପତିତରୁ ପାବନ ଜ୍ଞାନ ଦ୍ୱାରା ହୋଇପାରିବ, ପାଣି ଦ୍ୱାରା କ’ଣ ପାବନ
ହୋଇପାରିବ । ନଦୀସବୁ ତ ସାରା ଦୁନିଆରେ ଅଛି । ଏଠାକୁ ତ ଜ୍ଞାନ ସାଗର ଆସି ଏହାଙ୍କ ଶରୀରରେ
ପ୍ରବେଶ କରି ଜ୍ଞାନ ଶୁଣାଉଛନ୍ତି । ଯେତେବେଳେ କେହି ଶରୀର ତ୍ୟାଗ କରନ୍ତି, ତାଙ୍କ ମୁଖରେ
ଗଙ୍ଗାଜଳ ଦେଇଥା’ନ୍ତି । ଭାବନ୍ତି ଏହି ଜଳ ପତିତରୁ ପାବନ କରିବ ଏବଂ ଆତ୍ମା ସ୍ୱର୍ଗକୁ ଚାଲିଯିବ
। ଏଠାରେ ମଧ୍ୟ ଗୋମୁଖକୁ ଯାତ୍ରା କରିଥା’ନ୍ତି । ବାସ୍ତବରେ ଚୈତନ୍ୟ ଗୋମୁଖ ତ ତୁମେମାନେ ଅଟ ।
ତୁମ ମୁଖରୁ ଜ୍ଞାନ ଅମୃତ ବାହାରୁଛି । ଗାଈଠାରୁ ତ କ୍ଷୀର ମିଳିଥାଏ, ପାଣିର ତ କଥା ନୁହେଁ । ଏ
ସବୁ ଏବେ ତୁମକୁ ଜଣାପଡିଲା । ତୁମେ ଜାଣିଛ ଡ୍ରାମାରେ ଯାହା କିଛି ଥରେ ଘଟି ଯାଉଛି ତାହାର ପୁଣି
୫ ହଜାର ବର୍ଷ ପରେ ଅବିକଳ ପୁନରାବୃତ୍ତି ହେବ । ଏ କଥା ବାବା ଆସି ବୁଝାଉଛନ୍ତି, ଯିଏକି
ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ଏବେ ତ ସମସ୍ତେ ଦୁର୍ଗତିରେ ପଡିଛନ୍ତି । ଆଗରୁ ତୁମେ ଜାଣି
ନ ଥିଲ ଯେ ରାବଣକୁ କାହିଁକି ଜଳାଉଛନ୍ତି । ଏବେ ତୁମେ ଜାଣୁଛ ଯେ ବେହଦର ଦଶହରା ହେବାକୁ ଯାଉଛି ।
ସାରା ସୃଷ୍ଟି ଉପରେ ରାବଣର ରାଜ୍ୟ ଚାଲିଛି ନା । ଏହି ସାରା ପୃଥିବୀ ହିଁ ଲଙ୍କା ଅଟେ । ରାବଣ
କୌଣସି ଏକ ସୀମିତ ସ୍ଥାନରେ ନାହିଁ । ରାବଣର ରାଜ୍ୟ ସାରା ସୃଷ୍ଟି ଉପରେ ଚାଲିଛି । ଭକ୍ତି ମଧ୍ୟ
ଅଧାକଳ୍ପ ଚାଲିଥାଏ । ପ୍ରଥମେ ଅବ୍ୟଭିଚାରୀ ଭକ୍ତି ହୋଇଥାଏ ତାପରେ ବ୍ୟଭିଚାରୀ ଭକ୍ତି ଆରମ୍ଭ
ହୋଇଯାଏ । ଦଶହରା, ରକ୍ଷାବନ୍ଧନ ଆଦି ସବୁ ବର୍ତ୍ତମାନ ସମୟର ପର୍ବ ଅଟେ । ଶିବଜୟନ୍ତୀ ପରେ
ଶ୍ରୀକୃଷ୍ଣଜୟନ୍ତୀ ହୋଇଥାଏ । ଏବେ ଶ୍ରୀକୃଷ୍ଣପୁରୀର ସ୍ଥାପନା ହେଉଛି । ଆଜି କଂସପୁରୀରେ ଅଛୁ
କାଲି କୃଷ୍ଣପୁରୀରେ ଥିବା । ଶ୍ରୀକୃଷ୍ଣ ଏଠାରେ କେଉଁଠୁ ଆସିବେ । ଶ୍ରୀକୃଷ୍ଣ ତ ସତ୍ୟଯୁଗରେ
ଜନ୍ମ ନେଇଥା’ନ୍ତି । ସିଏ ହେଲେ ପ୍ରଥମ ଦୈବୀ ରାଜକୁମାର । ପ୍ରଥମେ ସ୍କୁଲକୁ ପାଠ ପଢିବାକୁ
ଯାଇଥା’ନ୍ତି । ଯେତେବେଳେ ବଡ ହୋଇଯାନ୍ତି ସେତେବେଳେ ସିଂହାସନର ମାଲିକ ହୁଅନ୍ତି । ବାକି ଏହି
ରାସ ଆଦି ତ ସବୁ ହେଲା ପରସ୍ପର ମଧ୍ୟରେ ଖୁସି ହେବା ପାଇଁ । କିନ୍ତୁ କୃଷ୍ଣ କାହାକୁ ଜ୍ଞାନ
ଶୁଣାଇବେ ତାହା କିପରି ହୋଇପାରିବ । ସବୁ ମହିମା ଏକମାତ୍ର ଶିବବାବାଙ୍କର ଅଟେ ଯିଏକି ପତିତମାନଙ୍କୁ
ପାବନ କରୁଛନ୍ତି । ତୁମେ ଯଦି କୌଣସି ବଡ ଅଫିସରକୁ ବୁଝାଇବ ତେବେ ସିଏ କହିବେ ଆପଣ ଠିକ୍ କଥା
କହୁଛନ୍ତି । କିନ୍ତୁ ସିଏ ଆଉ କାହାକୁ ଶୁଣାଇ ପାରିବେ ନାହିଁ । ତାଙ୍କ କଥା କେହି ଶୁଣିବେ ନାହିଁ
। ବି.କେ. ହେବା ମାତ୍ରେ ସମସ୍ତେ କହିବେ ୟାଙ୍କୁ ତ ଯାଦୁମନ୍ତ୍ର ଲାଗିଯାଇଛି । ବି.କେ. ନାମ
ଶୁଣିବା ମାତ୍ରେ ବାସ୍ । ଭାବନ୍ତି ଏମାନେ ଜାଦୁ କରିଦେଉଥିବେ । କାହାକୁ ଯଦି କିଛି ଜ୍ଞାନ ଦେଉଛ
ତେବେ କହୁଛନ୍ତି ଏହି ବି.କେ. ଅର୍ଥାତ୍ ବ୍ରହ୍ମାକୁମାରୀମାନେ ଯାଦୁ କରି ଦେଉଛନ୍ତି । ବାସ୍ ଏମାନେ
ତ କେବଳ ବ୍ରହ୍ମାଙ୍କ ଛଡା ଆଉ କାହାକୁ ମାନୁନାହାଁନ୍ତି । ଭକ୍ତି ଆଦି କିଛି କରୁନାହାଁନ୍ତି ।
ବାବା ତ କହୁଛନ୍ତି, କାହାକୁ ଭକ୍ତି କରିବା ପାଇଁ ମନା କର ନାହିଁ । ତାହା ତ ଆପେ ଆପେ ଛାଡି ଦେବେ
। ତୁମେ ଭକ୍ତି କରିବା ଛାଡିଦେଉଛ, ୫ ବିକାରକୁ ଛାଡିଦେଉଛ, ତେଣୁ ଏହା ଉପରେ ହିଁ ଗଣ୍ଡଗୋଳ ହେଉଛି
। ବାବା କହୁଛନ୍ତି ମୁଁ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛି, ଏଥିରେ ଆସୁରୀ ସମ୍ପ୍ରଦାୟର ବିଘ୍ନ
ପଡୁଛି । ଏହା ହେଉଛି ଶିବବାବାଙ୍କର ବେହଦର ଯଜ୍ଞ, ଯାହାଦ୍ୱାରା ତୁମେମାନେ ମନୁଷ୍ୟରୁ ଦେବତା
ହେଉଛ । ଗାୟନ ମଧ୍ୟ ଅଛି - ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା । ଯେତେବେଳେ
ପୁରୁଣା ଦୁନିଆର ବିନାଶ ହେବ, ସେତେବେଳେ ତ ତୁମେ ନୂଆ ଦୁନିଆରେ ରାଜତ୍ୱ କରିବ । ମନୁଷ୍ୟମାନେ
କହିବେ ଆମେ କହୁଛୁ ଶାନ୍ତି ହେଉ ଆଉ ଏହି ବ୍ରହ୍ମାକୁମାରୀମାନେ କହୁଛନ୍ତି ବିନାଶ ହେଉ । ବାବା
ବୁଝାଉଛନ୍ତି ଏହି ପୁରୁଣା ଦୁନିଆ ବାବାଙ୍କ ଦ୍ୱାରା ରଚିତ ଜ୍ଞାନ ଯଜ୍ଞରେ ସ୍ୱାହା ହୋଇଯିବ । ଏହି
ପୁରୁଣା ଦୁନିଆକୁ ନିଆଁ ଲାଗିବାର ଅଛି । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ବିନାଶ ତ
ନିଶ୍ଚିତ ହେବ । ମନୁଷ୍ୟମାନେ ସୋରିଷ ସଦୃଶ ପେଶି ହୋଇ ଶେଷ ହୋଇଯିବେ । ବାକି ଆତ୍ମାମାନେ
ବଞ୍ଚିଯିବେ । ଏକଥା ତ କେହି ବି ବୁଝିପାରିବେ ଯେ ଆତ୍ମା ଅବିନାଶୀ ଅଟେ । ଏବେ ବେହଦର ହୋଲିକା
ହେବାକୁ ଯାଉଛି ଯେଉଁଥିରେ ଶରୀର ସବୁ ଦହନ ହୋଇଯିବ । ବାକି ଆତ୍ମାମାନେ ପବିତ୍ର ହୋଇ ଘରକୁ
ଚାଲିଯିବେ । ଅଗ୍ନିରେ ପଡିବା ଦ୍ୱାରା ବସ୍ତୁ ଶୁଦ୍ଧ ହୋଇଥାଏ ନା । ଶୁଦ୍ଧତା ପାଇଁ ହିଁ ହୋମ
ଇତ୍ୟାଦି କରିଥା’ନ୍ତି । ତାହା ସବୁ ହେଲା ଶାରୀରିକ ଅର୍ଥାତ୍ ସ୍ଥୂଳ କଥା । ଏବେ ତ ସାରା ଦୁନିଆ
ସ୍ୱାହା ହେବାକୁ ଯାଉଛି । ବିନାଶ ପୂର୍ବରୁ ନିଶ୍ଚିତ ସ୍ଥାପନା ହୋଇଯିବା ଦରକାର । କାହାକୁ ବି
ବୁଝାଇଲା ବେଳେ ପ୍ରଥମେ କୁହ ସ୍ଥାପନା ତା’ ପରେ ବିନାଶ । ତେବେ ବ୍ରହ୍ମାଙ୍କ ଦ୍ୱାରା ହିଁ
ସ୍ଥାପନା ହେଉଛି । ପ୍ରଜାପିତା ତ ବିଖ୍ୟାତ ଅଟନ୍ତି ନା । ଆଦିଦେବ ଏବଂ ଆଦିଦେବୀ । ଜଗତ
ଅମ୍ବାଙ୍କର ମଧ୍ୟ ଲକ୍ଷ-ଲକ୍ଷ ମନ୍ଦିର ରହିଛି । କେତେ ମେଳା-ମହୋତ୍ସବ ହେଉଛି । ତୁମେମାନେ ଜଗତ
ଅମ୍ବାଙ୍କର ସନ୍ତାନ, ଜ୍ଞାନ-ଜ୍ଞାନେଶ୍ୱରୀ ଅଟ, ପୁଣି ରାଜ-ରାଜେଶ୍ୱରୀ ହେବ । ତୁମେମାନେ ବହୁତ
ଧନବାନ ହେଉଛ ପୁଣି ଭକ୍ତିମାର୍ଗରେ ଲକ୍ଷ୍ମୀଙ୍କଠାରୁ ଦୀପାବଳୀ ଦିନ ବିନାଶୀ ଧନ ମାଗୁଛ । ଏଠାରେ
ତ ତୁମକୁ ସବୁ କିଛି ମିଳିଯାଉଛି । ଆୟୁଷ୍ମାନ ଭବ, ପୁତ୍ରବାନ ଭବ । ତୁମେ ଜାଣିଛ ଆମର ଆୟୁଷ ୧୫୦
ବର୍ଷ ହେବ । ବାବା କହୁଛନ୍ତି ଯେତେ ଯୋଗ ଲଗାଇବ ସେତେ ଆୟୁଷ ବଢିଚାଲିବ । ତୁମେ ଈଶ୍ୱରଙ୍କ ସହିତ
ଯୋଗ ଲଗାଇ ଯୋଗେଶ୍ୱର ହେଉଛ । ମନୁଷ୍ୟମାନେ ତ ଭୋଗେଶ୍ୱର ଅଟନ୍ତି । କୁହା ବି ଯାଏ ଭଗବାନ ଆସି
ବିକାରୀ, ମଇଳା ବସ୍ତ୍ର ଧୋଉଛନ୍ତି..... । ବାବା କହୁଛନ୍ତି ମୋତେ ଧୋବା ମଧ୍ୟ କହୁଛନ୍ତି । ମୁଁ
ଆସି ସବୁ ଆତ୍ମାମାନଙ୍କୁ ସଫା କରୁଛି ପୁଣି ତୁମକୁ ଶରୀର ମଧ୍ୟ ନୂଆ ଶୁଦ୍ଧ ମିଳିବ । ବାବା
କହୁଛନ୍ତି ମୁଁ ଗୋଟିଏ ସେକେଣ୍ଡରେ ସାରା ଦୁନିଆର ଆତ୍ମା ରୂପୀ କପଡାକୁ ସ୍ୱଚ୍ଛ କରିଦେଉଛି ।
କେବଳ ମନମନାଭବ ହେବା ଦ୍ୱାରା ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହୋଇଯିବ । ଏହା ଛୁ ମନ୍ତ୍ର ଅଟେ ନା
। ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ଏହା କେତେ ସହଜ ଉପାୟ । ବାବାଙ୍କୁ ମନେ ପକାଅ, ତେବେ ପାବନ
ହୋଇଯିବ । ଚାଲିବା ବୁଲିବା ସମୟରେ ମଧ୍ୟ କେବଳ ବାବାଙ୍କୁ ମନେ ପକାଅ, ଆଉ କୌଣସି ପ୍ରକାରର କଷ୍ଟ
ତୁମକୁ ଦେଉନାହିଁ । କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ । ଏବେ ତୁମର ଗୋଟିଏ ଗୋଟିଏ ସେକେଣ୍ଡରେ
ଉତ୍ଥାନ ହେଉଛି ।
ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କର ସେବକ ଭାବରେ ଆସିଛି । ତୁମେମାନେ ହିଁ ଡାକୁଥିଲ ହେ
ପତିତ ପାବନ ଆସ । ଏଠାକୁ ଆସି ଆମକୁ ପବିତ୍ର କର । ଆଚ୍ଛା ପିଲାମାନେ, ମୁଁ ଏବେ ଆସିଯାଇଛି ତେବେ
ସେବକ ହେଲି ନା । ଯେତେବେଳେ ତୁମେ ବହୁତ ପତିତ ହୋଇଯାଉଛ, ସେତେବେଳେ ବହୁତ ଜୋରରେ ଚିତ୍କାର କରୁଛ
। ତେଣୁ ମୁଁ ଆସିଯାଇଛି । ମୁଁ କଳ୍ପ କଳ୍ପ ଆସି ପିଲାମାନଙ୍କୁ ଏହି ମନ୍ତ୍ର ଦେଉଛି । ମୋତେ ମନେ
ପକାଅ ତେବେ ତୁମେ ପାବନ ହୋଇଯିବ । ମନମନାଭବର ଅର୍ଥ ମଧ୍ୟ ରହିଛି - ମନମନାଭବ, ମଧ୍ୟାଜୀଭବ
ଅର୍ଥାତ୍ ବାବାଙ୍କୁ ମନେ ପକାଅ ତେବେ ବିଷ୍ଣୁପୁରୀର ମାଲିକ ହୋଇଯିବ । ତୁମେ ଏଠାକୁ ବିଷ୍ଣୁପୁରୀର
ରାଜ୍ୟ ନେବା ପାଇଁ ହିଁ ଆସିଛ । ରାବଣ ପୁରୀ ପରେ ବିଷ୍ଣୁପୁରୀ ଆସିବ । କଂସପୁରୀ ପରେ କୃଷ୍ଣପୁରୀ
ହେବ । ତୁମକୁ କେତେ ସହଜ କରି ବୁଝାଯାଉଛି । ବାବା କହୁଛନ୍ତି ଏହି ପୁରୁଣା ଦୁନିଆ ଠାରୁ ମୋହ
ତୁଟାଇଦିଅ । ଏବେ ଆମେ ୮୪ ଜନ୍ମ ପୂରଣ କରିଲୁ । ବର୍ତ୍ତମାନ ଏହି ପୁରୁଣା ଶରୀର ତ୍ୟାଗ କରି ନୂଆ
ଦୁନିଆକୁ ଯିବା । ଯୋଗ ଦ୍ୱାରା ହିଁ ତୁମର ପାପ କଟି ଚାଲିବ । ସେତିକି ସାହାସ ରଖିବା ଦରକାର ।
ସେମାନେ ତ ବ୍ରହ୍ମକୁ ମନେ ପକାଉଛନ୍ତି, ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯିବୁ । କିନ୍ତୁ ବ୍ରହ୍ମ
ତ ରହିବାର ସ୍ଥାନ ଅଟେ । ସନ୍ନ୍ୟାସୀମାନେ ତପସ୍ୟାରେ ବସିଯାଆନ୍ତି । ଭାବନ୍ତି ବାସ୍ ଆମେ
ବ୍ରହ୍ମରେ ଯାଇ ଲୀନ ହୋଇଯିବୁ । କିନ୍ତୁ କେହି ତ ଫେରି ଯାଇପାରିବେ ନାହିଁ । ବ୍ରହ୍ମ ସହିତ ଯୋଗ
ଲଗାଇବା ଦ୍ୱାରା ପବିତ୍ର ତ ହୋଇପାରିବେ ନାହିଁ । ତା’ ଦ୍ୱାରା ଜଣେ ବି କେହି ଯାଇ ପାରିବେ ନାହିଁ
। ପୁନର୍ଜନ୍ମ ତ ଏଠାରେ ନେବାକୁ ହିଁ ହେବ । ବାବା ଆସି ସତ୍ୟ କଥା ଶୁଣାଉଛନ୍ତି, ସତ୍ୟଖଣ୍ଡର
ସ୍ଥାପନା ସଚ୍ଚା ବାବା ହିଁ କରୁଛନ୍ତି । ରାବଣ ଆସି ପୁଣି ମିଥ୍ୟାଖଣ୍ଡ କରିଦେଉଛି । ଏବେ ଏହା
ହେଲା ସଂଗମଯୁଗ । ଏଥିରେ ତୁମେ ଉତ୍ତମରୁ ଉତ୍ତମ ହେଉଛ ସେଥିପାଇଁ ଏହାକୁ ପୁରୁଷୋତ୍ତମ ଯୁଗ
କୁହାଯାଉଛି । ତୁମେ କଉଡିରୁ ହୀରାତୁଲ୍ୟ ହେଉଛ । ଏହା ହେଲା ବେହଦର କଥା । ଉତ୍ତମରୁ ଉତ୍ତମ
ମନୁଷ୍ୟ ହେଲେ ଦେବତାମାନେ । ତେବେ ବର୍ତ୍ତମାନ ତୁମେ ପୁରୁଷୋତ୍ତମ ସଂଗମଯୁଗରେ ବସିଛ । ତୁମକୁ
ପୁରୁଷୋତ୍ତମ କଲାବାଲା ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି । ଉଚ୍ଚରୁ ଉଚ୍ଚ ସ୍ୱର୍ଗର ସମ୍ପତ୍ତି ତୁମକୁ
ଦେଉଛନ୍ତି ପୁଣି ତୁମେମାନେ ଏ ସବୁ କଥା କାହିଁକି ଭୁଲି ଯାଉଛ? ବାବା କହୁଛନ୍ତି ତୁମେମାନେ ମନେ
ପକାଅ । ପିଲାମାନେ କହୁଛନ୍ତି ବାବା କୃପା କରନ୍ତୁ ତେବେ ଆମେ ଭୁଲିବୁ ନାହିଁ । ଏହା କିପରି
ହୋଇପାରିବ! ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ ନା । ବାବା କହୁଛନ୍ତି ମୋତେ ମନେ
ପକାଅ ତେବେ ତୁମେ ପତିତରୁ ପାବନ ହୋଇଯିବ! ମୋର ମତ ଅନୁସାରେ ଚାଲ ନା । ବାକି ଆଶୀର୍ବାଦ କ’ଣ
କରିବି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କର
ପ୍ରତ୍ୟେକ ନିର୍ଦ୍ଦେଶ ଅନୁସାରେ ଚାଲି ନିଜକୁ କଉଡିରୁ ହୀରା ତୁଲ୍ୟ କରିବାକୁ ହେବ । ଏକମାତ୍ର
ବାବାଙ୍କର ସ୍ମୃତିରେ ରହି ନିଜର ଆତ୍ମା ରୂପୀ ବସ୍ତ୍ରକୁ ସ୍ୱଚ୍ଛ କରିବାକୁ ହେବ ।
(୨) ବର୍ତ୍ତମାନ ନିଜର
ନୂଆ ଘରକୁ ଯିବାକୁ ହେବ ସେଥିପାଇଁ ଏହି ପୁରୁଣା ଘର ପ୍ରତି ବୈରାଗ୍ୟ ରଖିବାକୁ ହେବ । ନିଶା ରହୁ
ଯେ ଏହି ପୁରୁଣା କବରସ୍ଥାନରେ ହିଁ ଆମେ ପରିସ୍ତାନ ତିଆରି କରିବୁ ।
ବରଦାନ:-
ଦୟାର ଦୃଷ୍ଟି
ଦ୍ୱାରା ଘୃଣା ଦୃଷ୍ଟିକୁ ସମାପ୍ତ କରୁଥିବା ଜ୍ଞାନବାନ ଆତ୍ମା ହୁଅ ।
ଯେଉଁ ପିଲାମାନେ
ପରସ୍ପରର ସଂସ୍କାରକୁ ଜାଣି ନିଜର ସଂସ୍କାରକୁ ପରିବର୍ତ୍ତନ କରିବାର ଲଗନରେ ମଗନ ରହିଥାଆନ୍ତି,
କେବେ ବି ଏଭଳି ଭାବନ୍ତି ନାହିଁ ଯେ ଇଏ ତ ଏହିଭଳି ହିଁ ଅଟେ, ସେମାନଙ୍କୁ ହିଁ କୁହାଯିବ
ଜ୍ଞାନବାନ ଆତ୍ମା । ସେମାନେ କେବଳ ନିଜକୁ ହିଁ ଦେଖିଥାଆନ୍ତି ଏବଂ ନିର୍ବିଘ୍ନରେ ରହିଥାଆନ୍ତି ।
ସେମାନଙ୍କର ସଂସ୍କାର ବାବାଙ୍କ ଭଳି ଦୟାଶୀଳ ହୋଇଥାଏ । ତେବେ ଦୟାର ଦୃଷ୍ଟି, ଘୃଣା ଦୃଷ୍ଟିକୁ
ସମାପ୍ତ କରିଦେଇଥାଏ । ଏହିଭଳି ଦୟାଳୁ ପିଲାମାନେ ପରସ୍ପର ସହିତ କେବେହେଲେ ଲଢେଇ ଝଗଡା କରନ୍ତି
ନାହିଁ । ସେମାନେ ସୁପୁତ୍ର ସନ୍ତାନ ହେବାର ପ୍ରମାଣ ଦେଇଥାଆନ୍ତି ।
ସ୍ଲୋଗାନ:-
ସଦାସର୍ବଦା
ପରମାତ୍ମ ଚିନ୍ତନ କରିବାବାଲା ପିଲାମାନେ ହିଁ ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି, ସେମାନଙ୍କୁ କୌଣସି
ପ୍ରକାରର ଚିନ୍ତା ଆସି ନ ଥାଏ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ସ୍ୱଉନ୍ନତି ଏବଂ ସେବାର
ଉନ୍ନତି ଦୁଇଟି ଯାକରେ ଜଣେ ଯଦି କିଛି କହିଲା ତେବେ ଆଉ ଜଣେ ସେଥିରେ ହିଁ ଭରିଲା, ଏହିଭଳି ସର୍ବଦା
ଏକତା ଏବଂ ଦୃଢତାର ସହିତ ଆଗକୁ ବଢିଚାଲ । ଯେପରି ଦାଦିମାନଙ୍କର ଏକତା ଏବଂ ଦୃଢତାର ସଂଗଠନ ପକ୍କା
ଅଟେ, ସେହିପରି ତୁମଭଳି ରତ୍ନମାନଙ୍କର ସଂଗଠନ ମଧ୍ୟ ପକ୍କା ରହୁ, ତାହା ହେଲେ ତୁମର ସଂଗଠନର ଶକ୍ତି
ଯାହା ଚାହିଁବ ତାହା କରିପାରିବ । ତେବେ ସଂଗଠନ ଶକ୍ତିର ପ୍ରତୀକର ସ୍ମାରକୀ ପାଞ୍ଚ ପାଣ୍ଡବ ଅଟନ୍ତି
।