27.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏହି କବରସ୍ତାନ ଅର୍ଥାତ୍ ଶ୍ମଶାନ ଭୂମିକୁ ପରିସ୍ତାନ ଅର୍ଥାତ୍ ସ୍ୱର୍ଗରେ ପରିଣତ କରୁଛ, ସେଥିପାଇଁ ତୁମର ଏହି ପୁରୁଣା ଦୁନିଆ, କବରସ୍ତାନ ପ୍ରତି ସମ୍ପୂର୍ଣ୍ଣ ବୈରାଗ୍ୟ ଆସିବା ଉଚିତ୍ ।”

ପ୍ରଶ୍ନ:-
ବେହଦର ପିତା ନିଜର ରୁହାନୀ ସନ୍ତାନମାନଙ୍କର ଅତି ବିଚିତ୍ର ସେବକ ଅଟନ୍ତି, କିପରି?

ଉତ୍ତର:-
ବାବା କହୁଛନ୍ତି, ପିଲାମାନେ ମୁଁ ତୁମର ଧୋବା ଅଟେ, କେବଳ ତୁମମାନଙ୍କର ନୁହେଁ ସାରା ଦୁନିଆର ଛି ଛି ବା ଅପରିଷ୍କାର ବସ୍ତ୍ରକୁ ଗୋଟିଏ ସେକେଣ୍ଡରେ ସଫା କରିଦେଉଛି । ଆତ୍ମା ରୂପୀ ବସ୍ତ୍ର ସ୍ୱଚ୍ଛ ହେବା ଦ୍ୱାରା ଶରୀର ମଧ୍ୟ ପବିତ୍ର ମିଳିଥାଏ । ବାବା ଏଭଳି ବିଚିତ୍ର ସେବକ ଅଟନ୍ତି ଯିଏକି ମନମନାଭବ ରୂପୀ ଛୁ ମନ୍ତ୍ର ଦ୍ୱାରା ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ସଫା କରି ଦେଇଥାନ୍ତି ।

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଅହମ୍ ଆତ୍ମା ଅର୍ଥାତ୍ ମୁଁ ଆତ୍ମା ମୋ’ର ସ୍ୱଧର୍ମ ହେଲା ଶାନ୍ତ । ଶାନ୍ତିଧାମ ଯିବା ପାଇଁ କୌଣସି ପୁରୁଷାର୍ଥ କରିବାକୁ ପଡି ନ ଥାଏ । ଆତ୍ମା ସ୍ୱୟଂ ଶାନ୍ତସ୍ୱରୂପ, ଶାନ୍ତିଧାମର ନିବାସୀ । ହଁ କିଛି ସମୟ ଏଠାରେ ଶାନ୍ତିରେ ରହିପାରିବ । ଆତ୍ମା କହୁଛି - ମୁଁ କର୍ମେନ୍ଦ୍ରିୟ ଗୁଡିକର ବୋଝ ଦ୍ୱାରା ଥକି ଯାଇଛି, ସେଥିପାଇଁ ମୁଁ ନିଜର ସ୍ୱଧର୍ମରେ ସ୍ଥିତ ହୋଇଯାଉଛି, ଶରୀରଠାରୁ ଅଲଗା ହୋଇଯାଉଛି । କିନ୍ତୁ କର୍ମ ତ କରିବାକୁ ହିଁ ହେବ । ଶାନ୍ତିରେ କେତେ ସମୟ ବସି ରହିବ । ଆତ୍ମା କହୁଛି ମୁଁ ଶାନ୍ତି ଦେଶର ନିବାସୀ ଅଟେ । କେବଳ ଶରୀରକୁ ଆସିବା ଦ୍ୱାରା ମୁଁ ବାଣୀରେ ଆସୁଛି ବା କଥାବାର୍ତ୍ତା କରୁଛି । ମୁଁ ଆତ୍ମା ଅବିନାଶୀ ମୋର ଶରୀର ବିନାଶୀ । ଆତ୍ମା ହିଁ ପାବନ ଏବଂ ପତିତ ହୋଇଥାଏ । ସତ୍ୟଯୁଗରେ ପଞ୍ଚତତ୍ତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ ଥାଏ । ଏଠାରେ ପଞ୍ଚତତ୍ତ୍ୱ ମଧ୍ୟ ତମୋପ୍ରଧାନ ଅଟେ । ସୁନାରେ ଖାଦ ମିଶିବା ଦ୍ୱାରା ସୁନା ପତିତ ହୋଇଯାଏ ପୁଣି ତାକୁ ସଫା କରିବା ପାଇଁ ନିଆଁରେ ପକାଯାଏ, ସେହିଭଳି ଏହାର ନାମ ହେଲା ଯୋଗଅଗ୍ନି । ଦୁନିଆରେ ତ ଅନେକ ପ୍ରକାରର ହଠଯୋଗ ଆଦି ଶିଖାଉଛନ୍ତି । ତାକୁ ଯୋଗ ଅଗ୍ନି କୁହାଯିବ ନାହିଁ । ଯୋଗ ଅଗ୍ନି ତାକୁ କୁହାଯିବ ଯାହା ଦ୍ୱାରା ପାପ ଭସ୍ମ ହୋଇଥାଏ । ପରମାତ୍ମା ହିଁ ଆତ୍ମାକୁ ପତିତରୁ ପାବନ କରିଥା’ନ୍ତି, ସେଥିପାଇଁ ତାଙ୍କୁ ଡାକୁଛନ୍ତି, ହେ ପତିତପାବନ ଆସ । ଡ୍ରାମାର ପ୍ଲାନ (ଯୋଜନା) ଅନୁସାରେ ସମସ୍ତଙ୍କୁ ପତିତ ତମୋପ୍ରଧାନ ହେବାକୁ ହିଁ ପଡିବ । ଏହା କଳ୍ପବୃକ୍ଷ ଅଟେ, ଏହାର ବୀଜ ବାବା ଉପରେ ଅଛନ୍ତି । ବାବାଙ୍କୁ ଯେତେବେଳେ ଡାକିଥାନ୍ତି, ବୁଦ୍ଧି ଉପରକୁ ଚାଲିଯାଇଥାଏ, ଯାହାଙ୍କଠାରୁ ତୁମେ ସମ୍ପତ୍ତି ପ୍ରାପ୍ତ କରୁଛ, ସିଏ ଏବେ ତଳକୁ ଆସିଛନ୍ତି । ସିଏ କହୁଛନ୍ତି ମୋତେ ଆସିବାକୁ ହିଁ ପଡୁଛି । ଭିନ୍ନ ଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ଏବେ ପତିତ ତମୋପ୍ରଧାନ ହୋଇଯାଇଛି, ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ସତ୍ୟଯୁଗରେ ଦେବୀ-ଦେବତାମାନେ ନିବାସ କରନ୍ତି ଏବଂ କଳିଯୁଗରେ ଅସୁରମାନେ ନିବାସ କରନ୍ତି । ବାକି ଅସୁର ଏବଂ ଦେବତାମାନଙ୍କର କେବେ ଲଢେଇ ଲାଗିନାହିଁ । ତୁମେ ଏହି ଆସୁରୀ ୫ ବିକାର ଉପରେ ଯୋଗବଳ ଦ୍ୱାରା ବିଜୟ ପ୍ରାପ୍ତ କରୁଛ । ଏହାଛଡା ଅନ୍ୟ କୌଣସି ହିଂସକ ଲଢେଇ ଆଦିର କଥା ନାହିଁ । ତୁମେ କୌଣସି ପ୍ରକାରର ହିଂସା କରୁନାହଁ । ତୁମେ କେବେ କାହାକୁ ହାତ ବି ଲଗାଇ ନ ଥାଅ । ତୁମେ ଡବଲ ଅହିଂସକ ଅଟ । କାମରୂପୀ କଟୁରୀ ଚଲାଇବା ଏହା ତ ସବୁଠାରୁ ବଡ ପାପ । ବାବା କହୁଛନ୍ତି ଏହି କାମ କଟୁରୀ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ତେଣୁ ବିକାରରେ କେବେ ବି ଯିବା ଉଚିତ୍ ନୁହେଁ । ଦେବତାମାନଙ୍କ ସମ୍ମୁଖରେ ମହିମା ଗାନ କରିଥା’ନ୍ତି ନା - ଆପଣ ସର୍ବଗୁଣ ସମ୍ପନ୍ନ... । ଆତ୍ମା କହୁଛି ମୁଁ ପତିତ ହୋଇଯାଇଛି, ସେଥିପାଇଁ ତ ଡାକୁଛନ୍ତି ହେ ପତିତ ପାବନ ଆସ । ଯେତେବେଳେ ଆତ୍ମା ପାବନ ଥାଏ ସେତେବେଳେ କାହାକୁ ବି ଡାକି ନ ଥାଏ । ତାକୁ ସ୍ୱର୍ଗ କୁହାଯାଏ । ଏଠାରେ ତ ସାଧୁ ସନ୍ଥମାନେ ମଧ୍ୟ କେତେ ଗାୟନ କରୁଛନ୍ତି ହେ ପତିତ ପାବନ ସୀତାରାମ.... । ବାବା କହୁଛନ୍ତି ଏହି ସମୟରେ ସାରା ଦୁନିଆ ପତିତ, ଏଥିରେ କାହାର ଦୋଷ ନାହିଁ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ । ଯେ ପର୍ଯ୍ୟନ୍ତ ମୁଁ ନ ଆସିଛି ସେମାନଙ୍କୁ ନିଜର ପାର୍ଟ କରିବାକୁ ପଡିବ । ଜ୍ଞାନ ଏବଂ ଭକ୍ତି ତାପରେ ବୈରାଗ୍ୟ ହୋଇଥାଏ । ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ । ଏହା ହେଲା ବେହଦର ବୈରାଗ୍ୟ । ସେମାନଙ୍କର ହେଲା ହଦର ବୈରାଗ୍ୟ ।

ତୁମେମାନେ ଜାଣିଛ ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି । ନୂଆ ଘର ତିଆରି କଲେ ପୁରୁଣା ପ୍ରତି ବୈରାଗ୍ୟ ଆସିଯାଏ ନା । ବେହଦର ବାବା କହୁଛନ୍ତି ମୁଁ ଏବେ ତୁମକୁ ସ୍ୱର୍ଗ ରୂପକ ଘର ତିଆରି କରି ଦେଉଛି । ଏବେ ତ ନର୍କ ଅଟେ । ସ୍ୱର୍ଗ ହେଲା ନୂଆ ଦୁନିଆ । ନର୍କ ହେଲା ପୁରୁଣା ଦୁନିଆ । ଏବେ ପୁରୁଣା ଦୁନିଆରେ ରହି ଆମେ ନୂଆ ଦୁନିଆ ତିଆରି କରୁଛୁ । ପୁରୁଣା କବରସ୍ତାନ ଅର୍ଥାତ୍ ଶ୍ମଶାନ ଭୂମି ଉପରେ ଆମେ ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ତିଆରି କରିବୁ । ଏହି ଯୁମନାର କୂଳ ଥିବ ଯେଉଁଠାରେ ମହଲ ତିଆରି ହେବ । ଏହି ଦିଲ୍ଲୀ, ଯମୁନା ନଦୀ ଇତ୍ୟାଦି ଥିବ କିନ୍ତୁ ଶାସ୍ତ୍ରରେ ଯେଉଁଭଳି ଦେଖାଯାଇଛି ଯେ ପାଣ୍ଡବମାନଙ୍କର ଦୁର୍ଗ ଇତ୍ୟାଦି ଥିଲା ସେ ସବୁ ହେଲା ଦନ୍ତ କଥା ଅର୍ଥାତ୍ କାହାଣୀ । ଡ୍ରାମାର ପ୍ଲାନ୍ ଅନୁସାରେ ନିଶ୍ଚିତ ପୁଣି ଏସବୁ ହେବ । ଯେପରି ତୁମେ ଯଜ୍ଞ, ତପ, ଦାନ ଆଦି କରି ଆସିଛ ସେହିପରି ପୁଣି କରିବାକୁ ପଡିବ । ପ୍ରଥମେ ତୁମେ ଶିବଙ୍କର ଭକ୍ତି କରିଥାଅ, ବହୁତ ସୁନ୍ଦର ମନ୍ଦିର ତିଆରି କରିଥାଅ । ଏହାକୁ ବ୍ୟଭିଚାରୀ ଭକ୍ତି କୁହାଯାଏ ।

ଏବେ ତୁମେ ଜ୍ଞାନ ମାର୍ଗରେ ଅଛ । ଏହା ହେଲା ଅବ୍ୟଭିଚାରୀ ଜ୍ଞାନ । କେବଳ ଶିବବାବାଙ୍କଠାରୁ ତୁମେ ଶୁଣୁଛ । ପ୍ରଥମେ ପ୍ରଥମେ ତୁମେ ଯାହାଙ୍କର ଭକ୍ତି କରିବା ଆରମ୍ଭ କରିଲ ସେହି ସମୟରେ ଅନ୍ୟ କୌଣସି ଧର୍ମ ନ ଥାଏ । କେବଳ ତୁମେମାନେ ହିଁ ଥିଲ । ତୁମେ ସେତେବେଳେ ବହୁତ ସୁଖୀ ଥିଲ । ଦେବତା ଧର୍ମ ବହୁତ ସୁଖଦାୟୀ ଧର୍ମ ଅଟେ । ଏହାର ନାମକୁ ଉଚ୍ଚାରଣ କରିବା ଦ୍ୱାରା ମଧ୍ୟ ମୁଖ ମିଠା ହୋଇଯାଉଛି । ବର୍ତ୍ତମାନ ତୁମେ କେବଳ ଏକମାତ୍ର ବାବାଙ୍କଠାରୁ ହିଁ ଜ୍ଞାନ ଶୁଣୁଛ । ବାବା କହୁଛନ୍ତି ଆଉ କାହାଠାରୁ ଶୁଣ ନାହିଁ । ଏହା ହେଉଛି ତୁମର ଅବ୍ୟଭିଚାରୀ ଜ୍ଞାନ । ବେହଦର ବାବାଙ୍କର ତୁମେ ସନ୍ତାନ ହୋଇଛ । ତେଣୁ ତାଙ୍କଠାରୁ ହିଁ ପୁରୁଷାର୍ଥର କ୍ରମ ଅନୁସାରେ ବର୍ସା ମିଳିବ । ବାବା ମଧ୍ୟ ଅଳ୍ପ ସମୟ ପାଇଁ ସାକାରୀ ସୃଷ୍ଟିକୁ ଆସିଛନ୍ତି । କହୁଛନ୍ତି ମୋତେ ହିଁ ତୁମମାନଙ୍କୁ ଜ୍ଞାନ ଦେବାକୁ ପଡୁଛି । ମୋର କୌଣସି ସ୍ଥାୟୀ ଶରୀର ନାହିଁ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଥାଏ । ଶିବ ଜୟନ୍ତୀ ପରେ ପୁଣି ଗୀତା ଜୟନ୍ତୀ ହୋଇଥାଏ । ସେହିଠାରୁ ହିଁ ଜ୍ଞାନ ଦେବା ଆରମ୍ଭ ହୁଏ । ଏହି ରୁହାନୀ ବିଦ୍ୟା ତୁମକୁ ପରମଆତ୍ମା ହିଁ ଦେଉଛନ୍ତି । ଏଠାରେ ପାଣିର କୌଣସି କଥା ନାହିଁ । ପାଣିକୁ କ’ଣ କେବେ ଜ୍ଞାନ କୁହାଯିବ । ପତିତରୁ ପାବନ ଜ୍ଞାନ ଦ୍ୱାରା ହୋଇପାରିବ, ପାଣି ଦ୍ୱାରା କ’ଣ ପାବନ ହୋଇପାରିବ । ନଦୀସବୁ ତ ସାରା ଦୁନିଆରେ ଅଛି । ଏଠାକୁ ତ ଜ୍ଞାନ ସାଗର ଆସି ଏହାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଶୁଣାଉଛନ୍ତି । ଯେତେବେଳେ କେହି ଶରୀର ତ୍ୟାଗ କରନ୍ତି, ତାଙ୍କ ମୁଖରେ ଗଙ୍ଗାଜଳ ଦେଇଥା’ନ୍ତି । ଭାବନ୍ତି ଏହି ଜଳ ପତିତରୁ ପାବନ କରିବ ଏବଂ ଆତ୍ମା ସ୍ୱର୍ଗକୁ ଚାଲିଯିବ । ଏଠାରେ ମଧ୍ୟ ଗୋମୁଖକୁ ଯାତ୍ରା କରିଥା’ନ୍ତି । ବାସ୍ତବରେ ଚୈତନ୍ୟ ଗୋମୁଖ ତ ତୁମେମାନେ ଅଟ । ତୁମ ମୁଖରୁ ଜ୍ଞାନ ଅମୃତ ବାହାରୁଛି । ଗାଈଠାରୁ ତ କ୍ଷୀର ମିଳିଥାଏ, ପାଣିର ତ କଥା ନୁହେଁ । ଏ ସବୁ ଏବେ ତୁମକୁ ଜଣାପଡିଲା । ତୁମେ ଜାଣିଛ ଡ୍ରାମାରେ ଯାହା କିଛି ଥରେ ଘଟି ଯାଉଛି ତାହାର ପୁଣି ୫ ହଜାର ବର୍ଷ ପରେ ଅବିକଳ ପୁନରାବୃତ୍ତି ହେବ । ଏ କଥା ବାବା ଆସି ବୁଝାଉଛନ୍ତି, ଯିଏକି ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ଏବେ ତ ସମସ୍ତେ ଦୁର୍ଗତିରେ ପଡିଛନ୍ତି । ଆଗରୁ ତୁମେ ଜାଣି ନ ଥିଲ ଯେ ରାବଣକୁ କାହିଁକି ଜଳାଉଛନ୍ତି । ଏବେ ତୁମେ ଜାଣୁଛ ଯେ ବେହଦର ଦଶହରା ହେବାକୁ ଯାଉଛି । ସାରା ସୃଷ୍ଟି ଉପରେ ରାବଣର ରାଜ୍ୟ ଚାଲିଛି ନା । ଏହି ସାରା ପୃଥିବୀ ହିଁ ଲଙ୍କା ଅଟେ । ରାବଣ କୌଣସି ଏକ ସୀମିତ ସ୍ଥାନରେ ନାହିଁ । ରାବଣର ରାଜ୍ୟ ସାରା ସୃଷ୍ଟି ଉପରେ ଚାଲିଛି । ଭକ୍ତି ମଧ୍ୟ ଅଧାକଳ୍ପ ଚାଲିଥାଏ । ପ୍ରଥମେ ଅବ୍ୟଭିଚାରୀ ଭକ୍ତି ହୋଇଥାଏ ତାପରେ ବ୍ୟଭିଚାରୀ ଭକ୍ତି ଆରମ୍ଭ ହୋଇଯାଏ । ଦଶହରା, ରକ୍ଷାବନ୍ଧନ ଆଦି ସବୁ ବର୍ତ୍ତମାନ ସମୟର ପର୍ବ ଅଟେ । ଶିବଜୟନ୍ତୀ ପରେ ଶ୍ରୀକୃଷ୍ଣଜୟନ୍ତୀ ହୋଇଥାଏ । ଏବେ ଶ୍ରୀକୃଷ୍ଣପୁରୀର ସ୍ଥାପନା ହେଉଛି । ଆଜି କଂସପୁରୀରେ ଅଛୁ କାଲି କୃଷ୍ଣପୁରୀରେ ଥିବା । ଶ୍ରୀକୃଷ୍ଣ ଏଠାରେ କେଉଁଠୁ ଆସିବେ । ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଜନ୍ମ ନେଇଥା’ନ୍ତି । ସିଏ ହେଲେ ପ୍ରଥମ ଦୈବୀ ରାଜକୁମାର । ପ୍ରଥମେ ସ୍କୁଲକୁ ପାଠ ପଢିବାକୁ ଯାଇଥା’ନ୍ତି । ଯେତେବେଳେ ବଡ ହୋଇଯାନ୍ତି ସେତେବେଳେ ସିଂହାସନର ମାଲିକ ହୁଅନ୍ତି । ବାକି ଏହି ରାସ ଆଦି ତ ସବୁ ହେଲା ପରସ୍ପର ମଧ୍ୟରେ ଖୁସି ହେବା ପାଇଁ । କିନ୍ତୁ କୃଷ୍ଣ କାହାକୁ ଜ୍ଞାନ ଶୁଣାଇବେ ତାହା କିପରି ହୋଇପାରିବ । ସବୁ ମହିମା ଏକମାତ୍ର ଶିବବାବାଙ୍କର ଅଟେ ଯିଏକି ପତିତମାନଙ୍କୁ ପାବନ କରୁଛନ୍ତି । ତୁମେ ଯଦି କୌଣସି ବଡ ଅଫିସରକୁ ବୁଝାଇବ ତେବେ ସିଏ କହିବେ ଆପଣ ଠିକ୍ କଥା କହୁଛନ୍ତି । କିନ୍ତୁ ସିଏ ଆଉ କାହାକୁ ଶୁଣାଇ ପାରିବେ ନାହିଁ । ତାଙ୍କ କଥା କେହି ଶୁଣିବେ ନାହିଁ । ବି.କେ. ହେବା ମାତ୍ରେ ସମସ୍ତେ କହିବେ ୟାଙ୍କୁ ତ ଯାଦୁମନ୍ତ୍ର ଲାଗିଯାଇଛି । ବି.କେ. ନାମ ଶୁଣିବା ମାତ୍ରେ ବାସ୍‌ । ଭାବନ୍ତି ଏମାନେ ଜାଦୁ କରିଦେଉଥିବେ । କାହାକୁ ଯଦି କିଛି ଜ୍ଞାନ ଦେଉଛ ତେବେ କହୁଛନ୍ତି ଏହି ବି.କେ. ଅର୍ଥାତ୍ ବ୍ରହ୍ମାକୁମାରୀମାନେ ଯାଦୁ କରି ଦେଉଛନ୍ତି । ବାସ୍ ଏମାନେ ତ କେବଳ ବ୍ରହ୍ମାଙ୍କ ଛଡା ଆଉ କାହାକୁ ମାନୁନାହାଁନ୍ତି । ଭକ୍ତି ଆଦି କିଛି କରୁନାହାଁନ୍ତି । ବାବା ତ କହୁଛନ୍ତି, କାହାକୁ ଭକ୍ତି କରିବା ପାଇଁ ମନା କର ନାହିଁ । ତାହା ତ ଆପେ ଆପେ ଛାଡି ଦେବେ । ତୁମେ ଭକ୍ତି କରିବା ଛାଡିଦେଉଛ, ୫ ବିକାରକୁ ଛାଡିଦେଉଛ, ତେଣୁ ଏହା ଉପରେ ହିଁ ଗଣ୍ଡଗୋଳ ହେଉଛି । ବାବା କହୁଛନ୍ତି ମୁଁ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛି, ଏଥିରେ ଆସୁରୀ ସମ୍ପ୍ରଦାୟର ବିଘ୍ନ ପଡୁଛି । ଏହା ହେଉଛି ଶିବବାବାଙ୍କର ବେହଦର ଯଜ୍ଞ, ଯାହାଦ୍ୱାରା ତୁମେମାନେ ମନୁଷ୍ୟରୁ ଦେବତା ହେଉଛ । ଗାୟନ ମଧ୍ୟ ଅଛି - ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା । ଯେତେବେଳେ ପୁରୁଣା ଦୁନିଆର ବିନାଶ ହେବ, ସେତେବେଳେ ତ ତୁମେ ନୂଆ ଦୁନିଆରେ ରାଜତ୍ୱ କରିବ । ମନୁଷ୍ୟମାନେ କହିବେ ଆମେ କହୁଛୁ ଶାନ୍ତି ହେଉ ଆଉ ଏହି ବ୍ରହ୍ମାକୁମାରୀମାନେ କହୁଛନ୍ତି ବିନାଶ ହେଉ । ବାବା ବୁଝାଉଛନ୍ତି ଏହି ପୁରୁଣା ଦୁନିଆ ବାବାଙ୍କ ଦ୍ୱାରା ରଚିତ ଜ୍ଞାନ ଯଜ୍ଞରେ ସ୍ୱାହା ହୋଇଯିବ । ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବାର ଅଛି । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ବିନାଶ ତ ନିଶ୍ଚିତ ହେବ । ମନୁଷ୍ୟମାନେ ସୋରିଷ ସଦୃଶ ପେଶି ହୋଇ ଶେଷ ହୋଇଯିବେ । ବାକି ଆତ୍ମାମାନେ ବଞ୍ଚିଯିବେ । ଏକଥା ତ କେହି ବି ବୁଝିପାରିବେ ଯେ ଆତ୍ମା ଅବିନାଶୀ ଅଟେ । ଏବେ ବେହଦର ହୋଲିକା ହେବାକୁ ଯାଉଛି ଯେଉଁଥିରେ ଶରୀର ସବୁ ଦହନ ହୋଇଯିବ । ବାକି ଆତ୍ମାମାନେ ପବିତ୍ର ହୋଇ ଘରକୁ ଚାଲିଯିବେ । ଅଗ୍ନିରେ ପଡିବା ଦ୍ୱାରା ବସ୍ତୁ ଶୁଦ୍ଧ ହୋଇଥାଏ ନା । ଶୁଦ୍ଧତା ପାଇଁ ହିଁ ହୋମ ଇତ୍ୟାଦି କରିଥା’ନ୍ତି । ତାହା ସବୁ ହେଲା ଶାରୀରିକ ଅର୍ଥାତ୍ ସ୍ଥୂଳ କଥା । ଏବେ ତ ସାରା ଦୁନିଆ ସ୍ୱାହା ହେବାକୁ ଯାଉଛି । ବିନାଶ ପୂର୍ବରୁ ନିଶ୍ଚିତ ସ୍ଥାପନା ହୋଇଯିବା ଦରକାର । କାହାକୁ ବି ବୁଝାଇଲା ବେଳେ ପ୍ରଥମେ କୁହ ସ୍ଥାପନା ତା’ ପରେ ବିନାଶ । ତେବେ ବ୍ରହ୍ମାଙ୍କ ଦ୍ୱାରା ହିଁ ସ୍ଥାପନା ହେଉଛି । ପ୍ରଜାପିତା ତ ବିଖ୍ୟାତ ଅଟନ୍ତି ନା । ଆଦିଦେବ ଏବଂ ଆଦିଦେବୀ । ଜଗତ ଅମ୍ବାଙ୍କର ମଧ୍ୟ ଲକ୍ଷ-ଲକ୍ଷ ମନ୍ଦିର ରହିଛି । କେତେ ମେଳା-ମହୋତ୍ସବ ହେଉଛି । ତୁମେମାନେ ଜଗତ ଅମ୍ବାଙ୍କର ସନ୍ତାନ, ଜ୍ଞାନ-ଜ୍ଞାନେଶ୍ୱରୀ ଅଟ, ପୁଣି ରାଜ-ରାଜେଶ୍ୱରୀ ହେବ । ତୁମେମାନେ ବହୁତ ଧନବାନ ହେଉଛ ପୁଣି ଭକ୍ତିମାର୍ଗରେ ଲକ୍ଷ୍ମୀଙ୍କଠାରୁ ଦୀପାବଳୀ ଦିନ ବିନାଶୀ ଧନ ମାଗୁଛ । ଏଠାରେ ତ ତୁମକୁ ସବୁ କିଛି ମିଳିଯାଉଛି । ଆୟୁଷ୍ମାନ ଭବ, ପୁତ୍ରବାନ ଭବ । ତୁମେ ଜାଣିଛ ଆମର ଆୟୁଷ ୧୫୦ ବର୍ଷ ହେବ । ବାବା କହୁଛନ୍ତି ଯେତେ ଯୋଗ ଲଗାଇବ ସେତେ ଆୟୁଷ ବଢିଚାଲିବ । ତୁମେ ଈଶ୍ୱରଙ୍କ ସହିତ ଯୋଗ ଲଗାଇ ଯୋଗେଶ୍ୱର ହେଉଛ । ମନୁଷ୍ୟମାନେ ତ ଭୋଗେଶ୍ୱର ଅଟନ୍ତି । କୁହା ବି ଯାଏ ଭଗବାନ ଆସି ବିକାରୀ, ମଇଳା ବସ୍ତ୍ର ଧୋଉଛନ୍ତି..... । ବାବା କହୁଛନ୍ତି ମୋତେ ଧୋବା ମଧ୍ୟ କହୁଛନ୍ତି । ମୁଁ ଆସି ସବୁ ଆତ୍ମାମାନଙ୍କୁ ସଫା କରୁଛି ପୁଣି ତୁମକୁ ଶରୀର ମଧ୍ୟ ନୂଆ ଶୁଦ୍ଧ ମିଳିବ । ବାବା କହୁଛନ୍ତି ମୁଁ ଗୋଟିଏ ସେକେଣ୍ଡରେ ସାରା ଦୁନିଆର ଆତ୍ମା ରୂପୀ କପଡାକୁ ସ୍ୱଚ୍ଛ କରିଦେଉଛି । କେବଳ ମନମନାଭବ ହେବା ଦ୍ୱାରା ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହୋଇଯିବ । ଏହା ଛୁ ମନ୍ତ୍ର ଅଟେ ନା । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ଏହା କେତେ ସହଜ ଉପାୟ । ବାବାଙ୍କୁ ମନେ ପକାଅ, ତେବେ ପାବନ ହୋଇଯିବ । ଚାଲିବା ବୁଲିବା ସମୟରେ ମଧ୍ୟ କେବଳ ବାବାଙ୍କୁ ମନେ ପକାଅ, ଆଉ କୌଣସି ପ୍ରକାରର କଷ୍ଟ ତୁମକୁ ଦେଉନାହିଁ । କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ । ଏବେ ତୁମର ଗୋଟିଏ ଗୋଟିଏ ସେକେଣ୍ଡରେ ଉତ୍‌ଥାନ ହେଉଛି ।

ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କର ସେବକ ଭାବରେ ଆସିଛି । ତୁମେମାନେ ହିଁ ଡାକୁଥିଲ ହେ ପତିତ ପାବନ ଆସ । ଏଠାକୁ ଆସି ଆମକୁ ପବିତ୍ର କର । ଆଚ୍ଛା ପିଲାମାନେ, ମୁଁ ଏବେ ଆସିଯାଇଛି ତେବେ ସେବକ ହେଲି ନା । ଯେତେବେଳେ ତୁମେ ବହୁତ ପତିତ ହୋଇଯାଉଛ, ସେତେବେଳେ ବହୁତ ଜୋରରେ ଚିତ୍କାର କରୁଛ । ତେଣୁ ମୁଁ ଆସିଯାଇଛି । ମୁଁ କଳ୍ପ କଳ୍ପ ଆସି ପିଲାମାନଙ୍କୁ ଏହି ମନ୍ତ୍ର ଦେଉଛି । ମୋତେ ମନେ ପକାଅ ତେବେ ତୁମେ ପାବନ ହୋଇଯିବ । ମନମନାଭବର ଅର୍ଥ ମଧ୍ୟ ରହିଛି - ମନମନାଭବ, ମଧ୍ୟାଜୀଭବ ଅର୍ଥାତ୍ ବାବାଙ୍କୁ ମନେ ପକାଅ ତେବେ ବିଷ୍ଣୁପୁରୀର ମାଲିକ ହୋଇଯିବ । ତୁମେ ଏଠାକୁ ବିଷ୍ଣୁପୁରୀର ରାଜ୍ୟ ନେବା ପାଇଁ ହିଁ ଆସିଛ । ରାବଣ ପୁରୀ ପରେ ବିଷ୍ଣୁପୁରୀ ଆସିବ । କଂସପୁରୀ ପରେ କୃଷ୍ଣପୁରୀ ହେବ । ତୁମକୁ କେତେ ସହଜ କରି ବୁଝାଯାଉଛି । ବାବା କହୁଛନ୍ତି ଏହି ପୁରୁଣା ଦୁନିଆ ଠାରୁ ମୋହ ତୁଟାଇଦିଅ । ଏବେ ଆମେ ୮୪ ଜନ୍ମ ପୂରଣ କରିଲୁ । ବର୍ତ୍ତମାନ ଏହି ପୁରୁଣା ଶରୀର ତ୍ୟାଗ କରି ନୂଆ ଦୁନିଆକୁ ଯିବା । ଯୋଗ ଦ୍ୱାରା ହିଁ ତୁମର ପାପ କଟି ଚାଲିବ । ସେତିକି ସାହାସ ରଖିବା ଦରକାର । ସେମାନେ ତ ବ୍ରହ୍ମକୁ ମନେ ପକାଉଛନ୍ତି, ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯିବୁ । କିନ୍ତୁ ବ୍ରହ୍ମ ତ ରହିବାର ସ୍ଥାନ ଅଟେ । ସନ୍ନ୍ୟାସୀମାନେ ତପସ୍ୟାରେ ବସିଯାଆନ୍ତି । ଭାବନ୍ତି ବାସ୍ ଆମେ ବ୍ରହ୍ମରେ ଯାଇ ଲୀନ ହୋଇଯିବୁ । କିନ୍ତୁ କେହି ତ ଫେରି ଯାଇପାରିବେ ନାହିଁ । ବ୍ରହ୍ମ ସହିତ ଯୋଗ ଲଗାଇବା ଦ୍ୱାରା ପବିତ୍ର ତ ହୋଇପାରିବେ ନାହିଁ । ତା’ ଦ୍ୱାରା ଜଣେ ବି କେହି ଯାଇ ପାରିବେ ନାହିଁ । ପୁନର୍ଜନ୍ମ ତ ଏଠାରେ ନେବାକୁ ହିଁ ହେବ । ବାବା ଆସି ସତ୍ୟ କଥା ଶୁଣାଉଛନ୍ତି, ସତ୍ୟଖଣ୍ଡର ସ୍ଥାପନା ସଚ୍ଚା ବାବା ହିଁ କରୁଛନ୍ତି । ରାବଣ ଆସି ପୁଣି ମିଥ୍ୟାଖଣ୍ଡ କରିଦେଉଛି । ଏବେ ଏହା ହେଲା ସଂଗମଯୁଗ । ଏଥିରେ ତୁମେ ଉତ୍ତମରୁ ଉତ୍ତମ ହେଉଛ ସେଥିପାଇଁ ଏହାକୁ ପୁରୁଷୋତ୍ତମ ଯୁଗ କୁହାଯାଉଛି । ତୁମେ କଉଡିରୁ ହୀରାତୁଲ୍ୟ ହେଉଛ । ଏହା ହେଲା ବେହଦର କଥା । ଉତ୍ତମରୁ ଉତ୍ତମ ମନୁଷ୍ୟ ହେଲେ ଦେବତାମାନେ । ତେବେ ବର୍ତ୍ତମାନ ତୁମେ ପୁରୁଷୋତ୍ତମ ସଂଗମଯୁଗରେ ବସିଛ । ତୁମକୁ ପୁରୁଷୋତ୍ତମ କଲାବାଲା ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି । ଉଚ୍ଚରୁ ଉଚ୍ଚ ସ୍ୱର୍ଗର ସମ୍ପତ୍ତି ତୁମକୁ ଦେଉଛନ୍ତି ପୁଣି ତୁମେମାନେ ଏ ସବୁ କଥା କାହିଁକି ଭୁଲି ଯାଉଛ? ବାବା କହୁଛନ୍ତି ତୁମେମାନେ ମନେ ପକାଅ । ପିଲାମାନେ କହୁଛନ୍ତି ବାବା କୃପା କରନ୍ତୁ ତେବେ ଆମେ ଭୁଲିବୁ ନାହିଁ । ଏହା କିପରି ହୋଇପାରିବ! ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ ନା । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ପତିତରୁ ପାବନ ହୋଇଯିବ! ମୋର ମତ ଅନୁସାରେ ଚାଲ ନା । ବାକି ଆଶୀର୍ବାଦ କ’ଣ କରିବି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶ ଅନୁସାରେ ଚାଲି ନିଜକୁ କଉଡିରୁ ହୀରା ତୁଲ୍ୟ କରିବାକୁ ହେବ । ଏକମାତ୍ର ବାବାଙ୍କର ସ୍ମୃତିରେ ରହି ନିଜର ଆତ୍ମା ରୂପୀ ବସ୍ତ୍ରକୁ ସ୍ୱଚ୍ଛ କରିବାକୁ ହେବ ।

(୨) ବର୍ତ୍ତମାନ ନିଜର ନୂଆ ଘରକୁ ଯିବାକୁ ହେବ ସେଥିପାଇଁ ଏହି ପୁରୁଣା ଘର ପ୍ରତି ବୈରାଗ୍ୟ ରଖିବାକୁ ହେବ । ନିଶା ରହୁ ଯେ ଏହି ପୁରୁଣା କବରସ୍ଥାନରେ ହିଁ ଆମେ ପରିସ୍ତାନ ତିଆରି କରିବୁ ।

ବରଦାନ:-
ଦୟାର ଦୃଷ୍ଟି ଦ୍ୱାରା ଘୃଣା ଦୃଷ୍ଟିକୁ ସମାପ୍ତ କରୁଥିବା ଜ୍ଞାନବାନ ଆତ୍ମା ହୁଅ ।

ଯେଉଁ ପିଲାମାନେ ପରସ୍ପରର ସଂସ୍କାରକୁ ଜାଣି ନିଜର ସଂସ୍କାରକୁ ପରିବର୍ତ୍ତନ କରିବାର ଲଗନରେ ମଗନ ରହିଥାଆନ୍ତି, କେବେ ବି ଏଭଳି ଭାବନ୍ତି ନାହିଁ ଯେ ଇଏ ତ ଏହିଭଳି ହିଁ ଅଟେ, ସେମାନଙ୍କୁ ହିଁ କୁହାଯିବ ଜ୍ଞାନବାନ ଆତ୍ମା । ସେମାନେ କେବଳ ନିଜକୁ ହିଁ ଦେଖିଥାଆନ୍ତି ଏବଂ ନିର୍ବିଘ୍ନରେ ରହିଥାଆନ୍ତି । ସେମାନଙ୍କର ସଂସ୍କାର ବାବାଙ୍କ ଭଳି ଦୟାଶୀଳ ହୋଇଥାଏ । ତେବେ ଦୟାର ଦୃଷ୍ଟି, ଘୃଣା ଦୃଷ୍ଟିକୁ ସମାପ୍ତ କରିଦେଇଥାଏ । ଏହିଭଳି ଦୟାଳୁ ପିଲାମାନେ ପରସ୍ପର ସହିତ କେବେହେଲେ ଲଢେଇ ଝଗଡା କରନ୍ତି ନାହିଁ । ସେମାନେ ସୁପୁତ୍ର ସନ୍ତାନ ହେବାର ପ୍ରମାଣ ଦେଇଥାଆନ୍ତି ।

ସ୍ଲୋଗାନ:-
ସଦାସର୍ବଦା ପରମାତ୍ମ ଚିନ୍ତନ କରିବାବାଲା ପିଲାମାନେ ହିଁ ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି, ସେମାନଙ୍କୁ କୌଣସି ପ୍ରକାରର ଚିନ୍ତା ଆସି ନ ଥାଏ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ସ୍ୱଉନ୍ନତି ଏବଂ ସେବାର ଉନ୍ନତି ଦୁଇଟି ଯାକରେ ଜଣେ ଯଦି କିଛି କହିଲା ତେବେ ଆଉ ଜଣେ ସେଥିରେ ହିଁ ଭରିଲା, ଏହିଭଳି ସର୍ବଦା ଏକତା ଏବଂ ଦୃଢତାର ସହିତ ଆଗକୁ ବଢିଚାଲ । ଯେପରି ଦାଦିମାନଙ୍କର ଏକତା ଏବଂ ଦୃଢତାର ସଂଗଠନ ପକ୍କା ଅଟେ, ସେହିପରି ତୁମଭଳି ରତ୍ନମାନଙ୍କର ସଂଗଠନ ମଧ୍ୟ ପକ୍କା ରହୁ, ତାହା ହେଲେ ତୁମର ସଂଗଠନର ଶକ୍ତି ଯାହା ଚାହିଁବ ତାହା କରିପାରିବ । ତେବେ ସଂଗଠନ ଶକ୍ତିର ପ୍ରତୀକର ସ୍ମାରକୀ ପାଞ୍ଚ ପାଣ୍ଡବ ଅଟନ୍ତି ।