27.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଲୌକିକ ଦୁନିଆର ବାହ୍ୟ କଥାରେ ନିଜର ସମୟ ନଷ୍ଟ କରିବା ଉଚିତ୍ ନୁହେଁ, ବୁଦ୍ଧିରେ ସଦାସର୍ବଦା ରାଜକୀୟ ବିଚାର ଚାଲିବା ଉଚିତ୍ ।”

ପ୍ରଶ୍ନ:-
କେଉଁ ପିଲାମାନେ ବାବାଙ୍କର ସବୁ ଆଦେଶକୁ କାର୍ଯ୍ୟକାରୀ କରିପାରିବେ?

ଉତ୍ତର:-
ଯେଉଁମାନେ ଅନ୍ତର୍ମୁଖୀ, ନିଜର ବଡପଣିଆ ଦେଖାନ୍ତି ନାହିଁ, ଆତ୍ମିକ ନିଶାରେ ରହିଥା’ନ୍ତି ସେହିମାନେ ହିଁ ବାବାଙ୍କର ପ୍ରତ୍ୟେକ ଆଦେଶକୁ ବା ଶ୍ରୀମତକୁ କାର୍ଯ୍ୟକାରୀ କରିପାରିବେ ଅର୍ଥାତ୍ ପାଳନ କରିପାରିବେ। ତୁମମାନଙ୍କର କେବେହେଲେ ବି ମିଥ୍ୟା ଅହଂକାର ଆସିବା ଉଚିତ୍ ନୁହେଁ । ଅନ୍ତର ବହୁତ ସ୍ୱଚ୍ଛ ରହିବା ଦରକାର, ଆତ୍ମା ବହୁତ ଭଲ ସ୍ୱଭାବଯୁକ୍ତ ହେବା ଦରକାର । ଏକମାତ୍ର ବାବାଙ୍କ ସହିତ ହିଁ ସଚ୍ଚା ସ୍ନେହ ରହିବା ଦରକାର । ଟିକିଏ ବି ଲୁଣ ପାଣି ଅର୍ଥାତ୍ କଟୁ ସଂସ୍କାର ନ ରହୁ ତେବେ ଯାଇ ବାବାଙ୍କର ସବୁ ଶ୍ରୀମତକୁ ପାଳନ କରିପାରିବ ।

ଓମ୍ ଶାନ୍ତି ।
ପିଲାମାନେ କେବଳ ଯୋଗର ଯାତ୍ରାରେ ବସିନାହାଁନ୍ତି, ପିଲାମାନଙ୍କୁ ଏହି ଚିନ୍ତା ମଧ୍ୟ ରହିଛି ଯେ ଆମେମାନେ ଶ୍ରୀମତ ଅନୁସାରେ ନିଜର ପରିସ୍ତାନ (ନୂଆ ଦୁନିଆ) ସ୍ଥାପନ କରୁଛୁ । ତେଣୁ ସେତିକି ଉତ୍ସାହ ଏବଂ ଖୁସି ରହିବା ଉଚିତ୍ । ପତିତ ତମଃପ୍ରଧାନତାର ବାହ୍ୟ କଥା ବୁଦ୍ଧିରୁ ବାହାରିଯିବା ଉଚିତ୍ । ବେହଦର ବାବାଙ୍କୁ ଦେଖିବା ମାତ୍ରେ ହିଁ ଅତ୍ୟନ୍ତ ଖୁସି ହେବା ଉଚିତ୍ । ତୁମେମାନେ ଯେତେ ଯେତେ ଯୋଗର ଯାତ୍ରାରେ ରହିବ ସେତେ ସେତେ ତୁମର ଉନ୍ନତି ହୋଇ ଚାଲିବ । ବାବା କହୁଛନ୍ତି - ପିଲାମାନଙ୍କ ପାଇଁ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଖୋଲାଯିବା ଦରକାର । ଏହା ହେଉଛି ତୁମର ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ତେବେ ତୁମର ସେହି ବିଶ୍ୱବିଦ୍ୟାଳୟ କେଉଁଠାରେ ଅଛି? ତାହା ଏବେ ବିଶେଷ ରୂପରେ ସ୍ଥାପନ ହେଉଛି ଏବଂ ତା’ ସହିତ ବହୁତ ସୁନ୍ଦର ଛାତ୍ରାବାସ ମଧ୍ୟ ତିଆରି ହେଉଛି ତେଣୁ ତୁମର ଚିନ୍ତନ କେତେ ଶୁଦ୍ଧ ପବିତ୍ର ହେବା ଦରକାର । ବାବା (ବ୍ରହ୍ମାବାବା)ଙ୍କୁ ତ ରାତି ଦିନ କେବଳ ଏହି ବିଚାର ଚାଲିଥାଏ ଯେ ପିଲାମାନଙ୍କୁ କିପରି ପାଠପଢାଇ ଉଚ୍ଚ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇବି ଯାହା ଦ୍ୱାରା ବିଶ୍ୱର ମାଲିକ ହୋଇପାରିବେ । ବାସ୍ତବରେ ତୁମର ଆତ୍ମା ଯେତେବେଳେ ଶୁଦ୍ଧ ସତ୍ତ୍ୱପ୍ରଧାନ ଥିଲା ସେତେବେଳେ ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ପବିତ୍ର ଥିଲା । ରାଜତ୍ୱ ମଧ୍ୟ କେତେ ଉଚ୍ଚ ଥିଲା । ବର୍ତ୍ତମାନ ତୁମର ପୁରୁଣା ଦୁନିଆର ବ୍ୟର୍ଥ କଥାରେ ସମୟ ବହୁତ ନଷ୍ଟ ହେଉଛି । ତୁମ ବିଦ୍ୟାର୍ଥୀମାନଙ୍କ ଭିତରେ କୌଣସି ବ୍ୟର୍ଥ ଚିନ୍ତନ ଚାଲିବା ଉଚିତ୍ ନୁହେଁ । କମିଟି ଆଦି ତ ବହୁତ ଭଲ ଭଲ କରୁଛନ୍ତି କିନ୍ତୁ ସେଥିରେ ଯୋଗବଳ ନାହିଁ । ବହୁତ ବଡ ବଡ ଭାଷଣ ମାରୁଛନ୍ତି - କହୁଛନ୍ତି, ଆମେ ଏହା କରିଦେବୁ, ତାହା କରିଦେବୁ । ମାୟା ମଧ୍ୟ କହୁଛି ମୁଁ ମଧ୍ୟ ତୁମର ନାକ କାନକୁ ଧରି ଆଗକୁ ଯିବାକୁ ଦେବି ନାହିଁ । କାରଣ ବାବାଙ୍କ ସହିତ ସ୍ନେହ ହିଁ ନାହିଁ । କୁହାଯାଏ ନା - ନର ଚାହୁଁଛି ଗୋଟିଏ କିନ୍ତୁ ହେଉଛି ଆଉ ଗୋଟିଏ - ଏହାର ଅର୍ଥ, ମାୟା କିଛି କରାଇ ଦେଉନାହିଁ । ମାୟା ବହୁତ ଧୋକା ଦେଉଛି, ଏକଦମ୍ କାନ କାଟି ଦେଉଛି । ବାବା ପିଲାମାନଙ୍କୁ କେତେ ଉଚ୍ଚକୁ ଉଠାଉଛନ୍ତି । ସେଥିପାଇଁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି - ଏହିଭଳି ଶ୍ରେଷ୍ଠ କର୍ମ କର । ବାବା ବହୁତ ଭଲ ଭଲ ରାଜକୀୟ ସଂସ୍କାରଯୁକ୍ତ କନ୍ୟା ପଠାଇ ଦେଉଛନ୍ତି । କେହି କେହି ପଚାରୁଛନ୍ତି - ବାବା, ମୁଁ ଟ୍ରେନିଙ୍ଗ ନେବା ପାଇଁ ଯାଇପାରିବି? ତେବେ ବାବା କହୁଛନ୍ତି - ପିଲେ, ପ୍ରଥମେ ତୁମେ ନିଜର ଅବଗୁଣକୁ ତ ବାହାର କର । ନିଜକୁ ଯାଞ୍ଚ କର - ମୋ ଭିତରେ କେତେ ଅବଗୁଣ ରହିଛି? ମାୟା ଭଲ ଭଲ ମହାରଥୀ ପିଲାମାନଙ୍କୁ ମଧ୍ୟ ଏକଦମ୍ ବିଗାଡି ଦେଉଛି । ଏଭଳି ମଧ୍ୟ ପିଲା ଅଛନ୍ତି ଯେଉଁମାନେ କି ବାବାଙ୍କୁ କେବେ ବି ମନେ ପକାଉ ନାହାଁନ୍ତି । ଜ୍ଞାନର ‘ଗ’ ମଧ୍ୟ ଜାଣନ୍ତି ନାହାଁନ୍ତି । ବାହାରକୁ ନିଜର ବଡିମା ଦେଖାଉଛନ୍ତି । ବାସ୍ତବରେ ଏଥିରେ ତ ଅନ୍ତର୍ମୂଖୀ ହୋଇ ରହିବା ଉଚିତ୍‌, କିନ୍ତୁ କେତେକଙ୍କର ଚାଲିଚଳଣୀ ଏଭଳି ହୋଇଥାଏ ଯେପରି ଅପାଠୁଆ ଲୋକ, କିଛି ପଇସା ମିଳିଗଲେ ତା’ର ନିଶା ଲାଗିଯାଏ । ଏ କଥା ବୁଝନ୍ତି ନାହିଁ ଯେ ଆମେ ତ ସମସ୍ତେ କାଙ୍ଗାଳ ଅଟୁ । ମାୟା ବୁଝିବାକୁ ଦିଏ ନାହିଁ । କାରଣ ମାୟା ବହୁତ ଶକ୍ତିଶାଳୀ । ବାବା ଟିକିଏ ମହିମା କରିଦେଲେ ସେଥିରେ ବହୁତ ଖୁସି ହୋଇଯାଉଛନ୍ତି ।

ବାବାଙ୍କୁ ରାତି ଦିନ ଏହି ବିଚାର ଚାଲୁଛି ଯେ ଏହି ବିଶ୍ୱ ବିଦ୍ୟାଳୟ ବହୁତ ଫାଷ୍ଟକ୍ଲାସ ହେବା ଦରକାର ଯେଉଁଠି ପିଲାମାନେ ବହୁତ ଭଲ ଭାବରେ ପାଠ ପଢିପାରିବେ । ତୁମେମାନେ ଜାଣିଛ, ଆମେ ଏବେ ସ୍ୱର୍ଗକୁ ଯାଉଛୁ ତେଣୁ ସର୍ବଦା ଖୁସିର ପାରଦ ଚଢି ରହିବା ଦରକାର । ଏଠାରେ ବାବା ପିଲାମାନଙ୍କର ନିଶା ଚଢାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଡୋଜ୍ ଦେଉଛନ୍ତି । କେହି ଦେବାଳିଆ ହୋଇଯାଇଥିଲେ, ତାଙ୍କୁ ଯଦି ମଦ୍ୟପାନ କରାଇ ଦିଆଯାଏ ତେବେ ସିଏ ନିଜକୁ ରାଜା ବୋଲି ଭାବିନେଇଥାଏ । ପୁଣି ନିଶା ଛାଡି ଗଲାପରେ ଯେମିତି ଥିଲା ସେମିତି ହୋଇଯାଇଥାଏ । କିନ୍ତୁ ଏଠାରେ ହେଉଛି ରୁହାନୀ ନିଶା । ତୁମେମାନେ ଜାଣିଛ - ବେହଦର ବାବା ଶିକ୍ଷକ ରୂପରେ ଆମକୁ ପାଠ ପଢାଉଛନ୍ତି ଏବଂ ନିର୍ଦ୍ଦେଶ ଦେଉଛନ୍ତି ଯେ ଏହିଭଳି କର୍ମ କର । ବେଳେବେଳେ କେତେକଙ୍କର ମିଥ୍ୟା ଅହଂକାର ମଧ୍ୟ ଆସିଯାଉଛି । କାରଣ ମାୟାର ବଶବର୍ତ୍ତୀ ହୋଇଯାଉଛନ୍ତି ନା । ଏଭଳି ଏଭଳି ମିଥ୍ୟା କହୁଛନ୍ତି, ତାହା ନ କହିଲେ ଭଲ । ତେବେ ବାବା ବୁଝି ଯାଆନ୍ତି ଯେ ଇଏ ଜ୍ଞାନରେ ଚାଲିପାରିବ ନାହିଁ କାରଣ ଏଥିରେ ଆନ୍ତରିକ ସ୍ୱଚ୍ଛତା ରହିବା ଦରକାର । ଆତ୍ମା ପବିତ୍ର ଶୁଦ୍ଧ ହେବା ଦରକାର । ତୁମର ବାବାଙ୍କ ସହିତ ଲଭ୍ ମ୍ୟାରେଜ୍ ହୋଇଛି ନା । ଲଭ୍ ମ୍ୟାରେଜ୍‌ରେ ପରସ୍ପର ପ୍ରତି କେତେ ଲଭ୍ ରହିଥାଏ, ପୁଣି ଇଏ ପତିମାନଙ୍କର ପତି । ତେବେ ତାଙ୍କ ସହିତ କେତେ ଆତ୍ମାଙ୍କର ଲଭ୍ ମ୍ୟାରେଜ୍ ହେଉଛି, କେବଳ ଜଣଙ୍କ ସହିତ ନୁହେଁ । ସବୁ ଆତ୍ମା କହୁଛନ୍ତି - ଆମର ନିର୍ବନ୍ଧ ଶିବବାବାଙ୍କ ସହିତ ହୋଇସାରିଛି । ଆମେ ତ ସ୍ୱର୍ଗକୁ ଯିବୁ । ତେବେ ଏହା କେତେ ଖୁସିର କଥା ନା । ବାବା ଆମକୁ କେତେ ସୁସଜ୍ଜିତ କରୁଛନ୍ତି - ଏ କଥା ବୁଦ୍ଧିରେ ଆସିବା ଦରକାର ନା । ତେବେ ଶିବବାବା ଏହି ବ୍ରହ୍ମାଙ୍କ ଦ୍ୱାରା ସଜାଉଛନ୍ତି । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ବାବାଙ୍କୁ ମନେ ପକାଇ ପକାଇ ସତ୍ତ୍ୱପ୍ରଧାନ ହୋଇଯିବା । ଏହି ଜ୍ଞାନକୁ ଆଉ କେହି ଜାଣି ହିଁ ନାହାଁନ୍ତି । ଏଥିରେ ବହୁତ ନିଶା ଚଢିବା ଉଚିତ୍ । କିନ୍ତୁ ବାସ୍ତବରେ ସେତିକି ନିଶା କାହାର ବି ଚଢୁ ନାହିଁ । କିନ୍ତୁ ଆଗକୁ ଚଢିବ ନିଶ୍ଚିତ । ଗାୟନ ମଧ୍ୟ ରହିଛି - ଅତିନ୍ଦ୍ରିୟ ସୁଖ ଗୋପ ଗୋପୀମାନଙ୍କୁ ପଚାର । ଏବେ ତୁମର ଆତ୍ମା କେତେ ଛି-ଛି ପତିତ ହୋଇଯାଇଛି । ଯେପରି ନର୍ଦ୍ଦମାରେ ଆସି ପଡିଛି । ଏବେ ବାବା ଆସି ଏହିଭଳି ଆତ୍ମାମାନଙ୍କୁ ପରିବର୍ତ୍ତନ କରୁଛନ୍ତି, ପୁନର୍ବାର ନୂଆ କରୁଛନ୍ତି । କେହି ଯଦି ନିଜର ଚକ୍ଷୁରୋପଣ କରାଇଥା’ନ୍ତି ତେବେ କେତେ ଖୁସି ହୋଇଯାଆନ୍ତି । ତୁମକୁ ତ ଏବେ ବାବା ମିଳିଯାଇଛନ୍ତି, ତେଣୁ ତୁମର ଜୀବନ ରୂପୀ ନଉକା ହିଁ ପାରି ହୋଇଯାଉଛି । ତୁମେମାନେ ଜାଣୁଛ ଯେ, ଆମେ ବେହଦ ବାବାଙ୍କର ହୋଇଛୁ, ତେଣୁ ନିଜକୁ କେତେ ଶୀଘ୍ର ସୁଧାରିବା ଦରକାର । ରାତି-ଦିନ ଏହି ଖୁସି ଏବଂ ଏହି ଚିନ୍ତନ ଲାଗି ରହୁ ଯେ, ଦେଖ ଆମକୁ ଗୁରୁ କିଭଳି ମିଳିଛନ୍ତି! ରାତି ଦିନ ଏହି ଭାବନାରେ ରହିବାକୁ ହେବ ନା । ଯିଏ ଯିଏ ଏହି ଜ୍ଞାନକୁ ଭଲ ଭାବରେ ବୁଝୁଛନ୍ତି, ବାବାଙ୍କୁ ଭଲ ଭାବରେ ଚିହ୍ନିଛନ୍ତି, ସିଏ ତ ଯେପରି ଉଡିବାରେ ଲାଗିଛନ୍ତି ।

ତୁମେ ପିଲାମାନେ ଏବେ ସଂଗମ ଯୁଗରେ ଅଛ । ଅନ୍ୟ ସମସ୍ତେ ତ ପତିତ କଳିଯୁଗୀ ନର୍ଦ୍ଦମାରେ ଅଛନ୍ତି । ଯେପରି ନର୍ଦ୍ଦମା ପାର୍ଶ୍ଵରେ କୁଡିଆ ତିଆରି କରି ଅପରିଷ୍କାର ଜାଗାରେ ରହିଥା’ନ୍ତି । ଦୁନିଆରେ ଏହିଭଳି କେତେ ବସ୍ତି ସବୁ ରହିଛି । ସେହିପରି ଏହା ହେଉଛି ବେହଦର କଥା । ଏବେ ସେଥିରୁ ବାହାରିବା ପାଇଁ ଶିବବାବା ତୁମକୁ ବହୁତ ସହଜ ଉପାୟ ବତାଉଛନ୍ତି । ମିଠା-ମଠା ସନ୍ତାନମାନେ, ତୁମେମାନେ ଜାଣିଛ ନା, ଏବେ ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି । ଏବେ ତୁମେ ସେହି ପତିତ ପଣିଆରୁ ବାହାରି ଆସିଛ । ଆଉ ଯେଉଁମାନେ ବାହାରିପାରୁ ନାହାଁନ୍ତି ସେମାନଙ୍କ ଭିତରେ ଜ୍ଞାନର ପରାକାଷ୍ଠା ନାହିଁ । ତୁମମାନଙ୍କୁ ବାବା ମିଳିଗଲେ, ଆଉ ତୁମର କ’ଣ ଦରକାର! ଏହି ନିଶା ଯେତେବେଳେ ଚଢି ରହିବ ସେତେବେଳେ ଯାଇ ତୁମେମାନେ ଅନ୍ୟ କାହାକୁ ବୁଝାଇପାରିବ । ବାବା ଏବେ ଆସିଛନ୍ତି, ଆମ ଆତ୍ମାକୁ ପବିତ୍ର କରୁଛନ୍ତି । ଆତ୍ମା ପବିତ୍ର ହେବା ଦ୍ୱାରା ଶରୀର ମଧ୍ୟ ପବିତ୍ର ମିଳୁଛି । ଏବେ ତୁମର ଆତ୍ମା କେଉଁଠି ବସିଛି? ଏହି ଶରୀରରେ ବସିଛି । ଏହା ତମଃପ୍ରଧାନ ଦୁନିଆ ନା । ଏପରି ନର୍ଦ୍ଦମା ପାର୍ଶ୍ଵରେ ଆସି ସମସ୍ତେ ବସିଛନ୍ତି । ତେବେ ତୁମେମାନେ ବିଚାର କର ଆମେ କେଉଁଠାରୁ ବାହାରିଛୁ । ବାବା ଆମକୁ ନର୍ଦ୍ଦମାରୁ ଉଦ୍ଧାର କରିଛନ୍ତି । ଏବେ ଆମ ଆତ୍ମା ସ୍ୱଚ୍ଛ ହୋଇଯିବ । ଯେଉଁମାନେ ଏଠାରେ ରହିବେ ସେମାନେ ବହୁତ ସୁ୍‌ନ୍ଦର ସୁନ୍ଦର ମହଲ ତିଆରି କରିବେ । ଆମ ଆତ୍ମାକୁ ବାବା ଶୃଙ୍ଗାର କରି ସ୍ୱର୍ଗକୁ ନେଇଯାଉଛନ୍ତି । ଏହିଭଳି ବିଚାର ପିଲାମାନଙ୍କ ବୁଦ୍ଧିରେ ଆସିବା ଉଚିତ୍ । ବାବା କେତେ ନିଶା ଚଢାଉଛନ୍ତି । ତୁମେ ଏତେ ଉଚ୍ଚ ପବିତ୍ର ଥିଲ ପୁଣି ତଳକୁ ତଳକୁ ଖସି ଆସି ଏବେ ନର୍କ ପତିତ ଦୁନିଆରେ ପଡିଛ । ଶିବାଳୟରେ ଥିବା ସମୟରେ ଆତ୍ମା କେତେ ଶୁଦ୍ଧ ଥିଲା । ତେଣୁ ଏବେ ପୁଣି ଥରେ ଶିବାଳୟକୁ ଯିବା ପାଇଁ ସମସ୍ତେ ଏକତ୍ରିତ ହୋଇ ଉପାୟ ବାହାର କରିବା ଉଚିତ୍ ।

ବାବାଙ୍କୁ ତ ଆଶ୍ଚର୍ଯ୍ୟ ଲାଗୁଛି - ପିଲାମାନଙ୍କର ଟିକିଏ ବି ବୁଦ୍ଧି ନାହିଁ! ବାବା ଆମକୁ କେଉଁଠାରୁ ଉଦ୍ଧାର କରୁଛନ୍ତି! ପାଣ୍ଡବ ଗଭର୍ଣ୍ଣମେଣ୍ଟ ବାବା ହିଁ ସ୍ଥାପନ କରୁଛନ୍ତି । ଭାରତ ଯାହାକି ଦିନେ ସ୍ୱର୍ଗ ଥିଲା ତାହା ଏବେ ନର୍କ ହୋଇଯାଇଛି । ବାସ୍ତବରେ ଏହା ଆତ୍ମାର ହିଁ କଥା । ତେଣୁ ଆତ୍ମା ଉପରେ ହିଁ ଦୟା ଆସୁଛି । ଆତ୍ମା ଏକଦମ୍ ତମଃପ୍ରଧାନ ଦୁନିଆକୁ ଆସିଯାଇଛି ତେଣୁ ବାବାଙ୍କୁ ମନେ ପକାଉଛି, କହୁଛି - ବାବା, ଆମକୁ ଏଠାରୁ ନେଇଚାଲ । ଏଠାରେ ରହି ମଧ୍ୟ ତୁମର ବିଚାର ଚାଲିବା ଦରକାର । ସେଥିପାଇଁ ବାବା କହୁଛନ୍ତି - ପିଲାମାନଙ୍କ ପାଇଁ ଫାଷ୍ଟ କ୍ଲାସ୍ ବିଶ୍ୱ ବିଦ୍ୟାଳୟ ତିଆରି କର । ପ୍ରତି କଳ୍ପରେ ତିଆରି ହେଉଛି ନା । ତୁମର ବିଚାର ଉଚ୍ଚକୋଟୀର ହେବା ଦରକାର । କିନ୍ତୁ ଏବେ ତୁମର ସେହି ନିଶା ଆସିନାହିଁ । ଯଦି ନିଶା ଥା’ନ୍ତା ତେବେ କ’ଣ କ’ଣ ସବୁ କରି ଦେଖାନ୍ତେ । କିନ୍ତୁ ପିଲାମାନେ ବିଶ୍ୱ ବିଦ୍ୟାଳୟର ଅର୍ଥ ବୁଝୁନାହାଁନ୍ତି । ସେହି ରାଜକୀୟ ନିଶାରେ ରହୁନାହାଁନ୍ତି । କାରଣ ମାୟା ନିଜ ପାଦ ତଳେ ଚାପି ରଖିଛି । ବାବା ବୁଝାଉଛନ୍ତି - ପିଲାମାନେ, ନିଜ ପ୍ରତି ଓଲଟା ନିଶା ଚଢାଅ ନାହିଁ । ପ୍ରତ୍ୟେକ ନିଜ ନିଜର ଯୋଗ୍ୟତାକୁ ଦେଖ । ଆମେ କିପରି ପଢୁଛୁ, କେଉଁ ପ୍ରକାରର ସହଯୋଗ କରୁଛୁ । କେବଳ ବଡ ବଡ କଥା କୁହ ନାହିଁ । ଯାହା କହୁଛ ତାହା ବାସ୍ତବରେ କରିବାକୁ ହେବ । କେବଳ କଥାରେ କୁହ ନାହିଁ ଯେ ଆମେ ଏଇଆ କରିଦେବୁ, ତାହା କରିଦେବୁ । ଆଜି କହୁଛନ୍ତି ମୁଁ ଏହା କରିଦେବି, ଯଦି କାଲି ମୃତ୍ୟୁ ହୋଇଗଲା ତେବେ ସବୁ ଶେଷ । ସତ୍ୟଯୁଗରେ ତ ଏଭଳି କହିବ ନାହିଁ । ସେଠାରେ କେବେ ଅକାଳମୃତ୍ୟୁ ହୁଏ ନାହିଁ । କାରଣ ସେଠାକୁ କାଳ ଆସିପାରିବ ନାହିଁ । ତାହା ହେଉଛି ସୁଖଧାମ । ସୁଖଧାମରେ କାଳକୁ ଆସିବାର ଅନୁମତି ନାହିଁ । ରାବଣ ରାଜ୍ୟ ଏବଂ ରାମରାଜ୍ୟର ଅର୍ଥକୁ ମଧ୍ୟ ବୁଝିବାକୁ ହେବ । ଏବେ ତୁମର ରାବଣ ସହିତ ହିଁ ଯୁଦ୍ଧ ଚାଲିଛି । ଦେହ-ଅଭିମାନ ମଧ୍ୟ ବହୁତ ଚମତ୍କାର କରୁଛି, ଯାହାକି ବିଲ୍‌କୁଲ୍ ପତିତ କରିଦେଉଛି । ଦେହୀ-ଅଭିମାନୀ ହେବା ଦ୍ୱାରା ଆତ୍ମା ଶୁଦ୍ଧ ହୋଇଯାଉଛି । ସତ୍ୟଯୁଗରେ ଆମର ମହଲ ସବୁ କିଭଳି ହେବ ତାହା ତ ତୁମେମାନେ ଜାଣିଛ ନା, ଏବେ ତୁମେ ଆସି ସଂଗମଯୁଗରେ ପହଞ୍ଚିଛ । କ୍ରମାନୁସାରେ ସୁଧୁରୁଛ ଏବଂ ସତ୍ୟଯୁଗରେ ମାଲିକ ହେବା ପାଇଁ ଯୋଗ୍ୟ ହେଉଛ । ତୁମର ଆତ୍ମା ପତିତ ହୋଇଯିବା କାରଣରୁ ଶରୀର ମଧ୍ୟ ପତିତ ମିଳିଛି । ଏବେ ମୁଁ ତୁମକୁ ସ୍ୱର୍ଗବାସୀ କରିବା ପାଇଁ ଆସିଛି । । ତେଣୁ ଯୋଗ ସହିତ ଦୈବୀଗୁଣ ମଧ୍ୟ ଦରକାର । ଏହା କିଛି ଛୋଟ କଥା ନୁହେଁ । ପିଲାମାନେ ଜାଣିଛନ୍ତି - ବାବା ଆମକୁ ନରରୁ ନାରାୟଣ କରିବା ପାଇଁ ଆସିଛନ୍ତି କିନ୍ତୁ ମାୟା ସହିତ ବଡ ଗୁପ୍ତ ମୁକାବିଲା ଚାଲିଛି । ତୁମର ମାୟା ସହିତ ଲଢେଇ ମଧ୍ୟ ଗୁପ୍ତ ଅଟେ ତେଣୁ ତୁମକୁ ଅଜ୍ଞାତ ଯୋଦ୍ଧା କୁହାଯାଏ । ଅଜ୍ଞାତ ଯୋଦ୍ଧା ତୁମ ବ୍ୟତୀତ ଆଉ କେହି ହୁଅନ୍ତି ନାହିଁ । ତୁମର ନାମ ହିଁ ଯୋଦ୍ଧା ଅଟେ । ଆଉ ସମସ୍ତଙ୍କର ନାମ ତ ରେଜିଷ୍ଟରରେ ଲେଖା ଅଛି । ତୁମ ଅଜ୍ଞାତ ଯୋଦ୍ଧାମାନଙ୍କର ଶିରୋନାମାକୁ ଦୁନିଆର ଯୋଦ୍ଧାମାନେ ନିଜ ନାମରେ ଲଗାଇ ଦେଉଛନ୍ତି । ତୁମେ କେତେ ଗୁପ୍ତ, ଏ କଥା କାହାକୁ ଜଣା ନାହିଁ । ତୁମେ ମାୟାକୁ ବଶୀଭୂତ କରିବା ସହିତ ବିଶ୍ୱ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରୁଛ । ତୁମେମାନେ ବାବାଙ୍କୁ ମନେ ପକାଉଛ ପୁଣି ମାୟା ଭୁଲାଇ ଦେଉଛି । କଳ୍ପ କଳ୍ପ ତୁମେମାନେ ନିଜର ରାଜ୍ୟ ସ୍ଥାପନ କରୁଛ । ତୁମେମାନେ ହିଁ ଗୁପ୍ତ ଯୋଦ୍ଧା ଯିଏକି ବାବାଙ୍କୁ ମନେ ପକାଉଛ । ଏଥିରେ ହାତ ଗୋଡ ଚଳାଇବାର ଆବଶ୍ୟକତା ହିଁ ନାହିଁ । ବାବାଙ୍କୁ ମନେ ପକାଇବା ପାଇଁ ବାବା ବହୁତ ଉପାୟ ବତାଉଛନ୍ତି । ତେଣୁ ଚାଲିବା ବୁଲିବା ବେଳେ ମଧ୍ୟ ଯୋଗର ଯାତ୍ରାରେ ରୁହ ତା’ ସହିତ ପାଠ ମଧ୍ୟ ପଢ । ଏବେ ତୁମେମାନେ ଜାଣୁଛ ଯେ, ଆମେ କ’ଣ ଥିଲୁ, କ’ଣ ହୋଇଯାଇଛୁ । ଏବେ ପୁଣି ବାବା ଆମକୁ କ’ଣ କରୁଛନ୍ତି । ସେଥିପାଇଁ କେତେ ସହଜ ଉପାୟ ବତାଉଛନ୍ତି । କେଉଁଠାରେ ବି ରହି ମଧ୍ୟ ବାବାଙ୍କୁ ମନେ ପକାଅ ତେବେ ତୁମର କଳଙ୍କ ଛାଡିଯିବ । ବାବା କଳ୍ପ କଳ୍ପ ଏହି ଯୁକ୍ତି ବତାଉଛନ୍ତି । ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ ତେବେ ଆତ୍ମା ସତ୍ତ୍ୱପ୍ରଧାନ ହୋଇଯିବ, ଆଉ କୌଣସି ବନ୍ଧନ ରହିବ ନାହିଁ । ଗାଧୁଆ ଘରେ ମଧ୍ୟ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ ଆତ୍ମାରୁ ମଇଳା ବାହାରିଯିବ । ଆତ୍ମାକୁ କେବେ ତିଳକ ଲଗାଇବାର ଆବଶ୍ୟକତା ନାହିଁ, ଏ ସବୁ ତ ଭକ୍ତିମାର୍ଗର ଚିହ୍ନ । ଏହି ଜ୍ଞାନମାର୍ଗରେ ତ କିଛି ଖର୍ଚ୍ଚ କରିବାର ଆବଶ୍ୟକତା ହିଁ ନାହିଁ । ଘରେ ଥାଇ ମଧ୍ୟ କେବଳ ବାବାଙ୍କୁ ମନେ ପକାଇଚାଲ । ଏହା କେତେ ସହଜ । ଶିବାବାବା ଆମର ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି ।

ନିୟମ କହୁଛି, ପ୍ରଥମେ ପିତାଙ୍କୁ ମନେ ପକାଅ, ତା’ପରେ ଶିକ୍ଷକ ତା’ପରେ ଗୁରୁଙ୍କୁ ମନେ ପକାଅ । ଶିକ୍ଷକଙ୍କୁ ତ ନିଶ୍ଚିତ ମନେ ପକାଇବ କାରଣ ତାଙ୍କଠାରୁ ପାଠପଢି ସମ୍ପତ୍ତି ପାଇଥାଅ, ପୁଣି ବାନପ୍ରସ୍ଥ ଅବସ୍ଥାରେ ଗୁରୁ ମିଳୁଛନ୍ତି । ଏହି ବାବା ତ ସବୁ କିଛି ହୋଲ୍‌ସେଲ୍‌ରେ ଦେଇ ଦେଉଛନ୍ତି । ତୁମକୁ ୨୧ ଜନ୍ମ ପର୍ଯ୍ୟନ୍ତ ରାଜତ୍ୱ ହୋଲ୍‌ସେଲ୍‌ରେ ଦେଇ ଦେଉଛନ୍ତି । ବିବାହ ବେଳେ କନ୍ୟାକୁ ଯୌତୁକ ଗୁପ୍ତରେ ଦିଅନ୍ତି ନା । ତାହାକୁ ବାହାରକୁ ଦର୍ଶାଇ ନ ଥା’ନ୍ତି । ତାକୁ କୁହନ୍ତି ଗୁପ୍ତ ଦାନ । ଶିବବାବା ମଧ୍ୟ ଗୁପ୍ତ ଅଟନ୍ତି ନା, ଏଥିରେ ଅହଂକାରର କିଛି କଥା ନାହିଁ । କାହାର କାହାର ସମସ୍ତଙ୍କୁ ଦେଖାଇବାର ଅହଂକାର ଥାଏ । କିନ୍ତୁ ଏ ସବୁ ହେଉଛି ଗୁପ୍ତ । ବାବା ତୁମକୁ ବିଶ୍ୱର ରାଜତ୍ୱ ଯୌତୁକ ରୂପରେ ଦେଉଛନ୍ତି । ବାବା ତୁମର କେତେ ଗୁପ୍ତ ଶୃଙ୍ଗାର କରୁଛନ୍ତି । କେତେ ବଡ ଯୌତୁକ ମିଳୁଛି । ବାବା କିଭଳି ଉପାୟରେ ତାହା ଦେଉଛନ୍ତି, ସେସବୁ କାହାକୁ ଜଣା ନାହିଁ । ଏଠାରେ ତୁମେମାନେ ଦରିଦ୍ର ଅଟ, କିନ୍ତୁ ପରବର୍ତ୍ତୀ ଜନ୍ମରେ ତୁମର ମୁଖରେ ସୁନାର ଚାମଚ ଥିବ । କାରଣ ତୁମେ ନୂଆ ଦୁନିଆକୁ ଯାଉଛ ନା । ସେଠାରେ ସବୁ କିଛି ସୁନାର ହୋଇଥିବ । ସାହୁକାରଙ୍କ ମହଲ ଗୁଡିକରେ ବହୁତ ଭଲ ଭଲ ରତ୍ନ ଖଚିତ ହୋଇଥିବ । କିନ୍ତୁ କିଛି ଫରକ ତ ରହିବ । ଏ କଥା ମଧ୍ୟ ତୁମେମାନେ ଏବେ ବୁଝୁଛ - ଯେ ମାୟା ସମସ୍ତଙ୍କୁ ଓଲଟା ଲଟକାଇ ଦେଉଛି । ଏବେ ବାବା ଆସିଛନ୍ତି ତେଣୁ ପିଲାମାନଙ୍କ ମନରେ କେତେ ଉତ୍ସାହ ଆସିବା ଉଚିତ୍ । କିନ୍ତୁ ମାୟା ଭୁଲାଇ ଦେଉଛି, କହୁଛନ୍ତି - ଏହା ବାବାଙ୍କର ନିର୍ଦ୍ଦେଶ ନା ବ୍ରହ୍ମାଙ୍କର? ଭାଇଙ୍କର ନା ପିତାଙ୍କର? ଏଥିରେ ବହୁତ ଦ୍ୱନ୍ଦ୍ୱରେ ପଡୁଛନ୍ତି । ବାବା କହୁଛନ୍ତି - ଭଲ କିମ୍ବା ମନ୍ଦ ହେଉ ତାକୁ ବାବାଙ୍କର ନିର୍ଦ୍ଦେଶ ବୋଲି ମନେ କର । ପୁଣି ସେହି ଅନୁସାରେ ଚାଲ । ଯଦି ୟାଙ୍କ ନିର୍ଦ୍ଦେଶ ଦ୍ୱାରା (ବ୍ରହ୍ମାଙ୍କର) କିଛି ଭୁଲ୍ ମଧ୍ୟ ହୋଇଯାଉଛି ତେବେ ବାବା ତାକୁ ଅଭୁଲ୍ କରିଦେବେ । ତାଙ୍କ ପାଖରେ ସେତିକି ଶକ୍ତି ଅଛି ନା । ତୁମେମାନେ ଦେଖୁଛ ବ୍ରହ୍ମାବାବା କିପରି ଚାଲୁଛନ୍ତି, ତାଙ୍କ ଶରୀରରେ କିଏ ବସିଛନ୍ତି । ବାବା ଏକଦମ୍ ନିକଟରେ ବସିଛନ୍ତି । ଯେପରି ଗୁରୁମାନେ ପାଖରେ ବସାଇ ଶିକ୍ଷା ଦେଇଥା’ନ୍ତି ନା । ତେବେ ବି ବ୍ରହ୍ମାଙ୍କୁ ତ ପରିଶ୍ରମ କରିବାକୁ ପଡିଥାଏ ନା । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ ତ କରିବାକୁ ପଡିଥାଏ ।

ବାବା କହୁଛନ୍ତି ମୋତେ ମନେ ପକାଇ ପକାଇ ଭୋଜନ ତିଆରି କର । ଶିବବାବାଙ୍କ ସ୍ମୃତି ମିଶ୍ରିତ ଭୋଜନ ଆଉ କାହାକୁ ମିଳିପାରିବ ନାହିଁ । ଏବେକାର ଭୋଜନ ବିଷୟରେ ହିଁ ପୁରାଣରେ ବର୍ଣ୍ଣନା ହୋଇଛି । ଦୁନିଆର ବ୍ରାହ୍ମଣ ଯଦିଓ ସ୍ମୃତି ଗାନ କରୁଛନ୍ତି କିନ୍ତୁ ଅର୍ଥ କିଛି ବୁଝୁନାହାଁନ୍ତି । ମହିମା ଗାନ କରୁଛନ୍ତି କିନ୍ତୁ ଅର୍ଥ କିଛି ବୁଝୁ ନାହାଁନ୍ତି । କିନ୍ତୁ ଏତିକି ବୁଝିବାକୁ ହେବ ଯେ, ଏମାନେ ଧାର୍ମିକ ସ୍ୱଭାବର ଅଟନ୍ତି କାରଣ ପୂଜାରୀ ଅଟନ୍ତି । ସତ୍ୟଯୁଗରେ ତ ଧାର୍ମିକ ଶବ୍ଦର କଥା ହିଁ ନାହିଁ, କାରଣ ସେଠାରେ ଭକ୍ତି ହୁଏ ନାହିଁ । ଏ କଥା ମଧ୍ୟ କେହି ଜାଣି ନାହାଁନ୍ତି ଯେ, ଭକ୍ତି କି ପ୍ରକାରର ଜିନିଷ । କଥାରେ କହୁଛନ୍ତି ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ଏହା କେତେ ଫାଷ୍ଟକ୍ଲାସ୍ ଅକ୍ଷର । ଜ୍ଞାନ ହେଉଛି ଦିନ, ଭକ୍ତି ହେଉଛି ରାତି । ପୁଣି ରାତିରୁ ବୈରାଗ୍ୟ ହୋଇଗଲେ ଦିନକୁ ଚାଲିଯିବା । ଏହା କେତେ ସ୍ପଷ୍ଟ କଥା । ଏବେ ତୁମେମାନେ ବୁଝିଗଲଣି, ତେଣୁ ତୁମକୁ ଆଉ ଧକ୍କା ଖାଇବାକୁ ପଡୁ ନାହିଁ ।

ବାବା କହୁଛନ୍ତି - ମୋତେ ମନେ ପକାଅ, ମୁଁ ତୁମକୁ ବିଶ୍ୱର ମାଲିକ କରୁଛି । ମୁଁ ତୁମର ବେହଦର ପିତା, ସୃଷ୍ଟିର ଚକ୍ରକୁ ଜାଣିବା ମଧ୍ୟ କେତେ ସହଜ । କେବଳ ବୀଜ ଏବଂ ବୃକ୍ଷକୁ ମନେ ପକାଅ । ଏବେ କଳିଯୁଗର ଅନ୍ତିମ ସମୟ, ପୁଣି ସତ୍ୟଯୁଗ ଆସିବ । ଏବେ ତୁମେମାନେ ସଂଗମଯୁଗରେ ଗୁଲଗୁଲ୍ ଅର୍ଥାତ୍ ଫୁଲ ଭଳି ହେଉଛ । ଆତ୍ମା ଯେତେବେଳେ ସତ୍ତ୍ୱପ୍ରଧାନ ହୋଇଯିବ ସେତେବେଳେ ତାକୁ ରହିବା ପାଇଁ ମହଲ ମଧ୍ୟ ସତ୍ତ୍ୱପ୍ରଧାନ ମିଳିବ । ଦୁନିଆ ହିଁ ନୂଆ ହୋଇଯିବ । ତେଣୁ ପିଲାମାନଙ୍କର କେତେ ଖୁସି ରହିବା ଉଚିତ୍ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସଦାସର୍ବଦା ଏହି ନିଶା ରହିଥାଉ ଯେ ଆମେ ଶ୍ରୀମତ ଅନୁସାରେ ଆମର ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ଦୁନିଆର ସ୍ଥାପନା କରୁଛୁ । ବାହାରର ଅନାବଶ୍ୟକ କଥାକୁ ଛାଡି ବହୁତ ଉମଙ୍ଗ-ଉତ୍ସାହରେ ରହିବାକୁ ହେବ ।

(୨) ନିଜର ବିଚାରକୁ ବହୁତ ଶ୍ରେଷ୍ଠ ରଖିବାକୁ ହେବ । ବହୁତ ଭଲ ଏବଂ ରାଜକୀୟ ବିଶ୍ୱ ବିଦ୍ୟାଳୟ ତଥା ହଷ୍ଟେଲ୍ ଖୋଲିବାର ବ୍ୟବସ୍ଥା କରିବାକୁ ହେବ । ବାବାଙ୍କର ଗୁପ୍ତ ସହଯୋଗୀ ହେବାକୁ ପଡିବ, ନିଜର ବଡ ପଣିଆ ଦେଖାଇବା ଉଚିତ୍ ନୁହେଁ ।

ବରଦାନ:-
ନିମିତ୍ତ ମାତ୍ର କୌଣସି ବି ସେବା କରୁଥିଲେ ମଧ୍ୟ ନିଜର ଉଦାର ମନୋବୃତ୍ତି ଦ୍ୱାରା ଚତୁର୍ଦ୍ଦିଗରେ ପ୍ରକମ୍ପନ ବିଚ୍ଛୁରିତ କରୁଥିବା ବେହଦର ସେବାଧାରୀ ଭବ ।

ଏବେ ବେହଦ ବିଶ୍ୱକୁ ପରିବର୍ତ୍ତନ କରିବାର ସେବାରେ ତୀବ୍ରଗତି ଆଣ । ଏମିତି ନୁହେଁ ଯେ କରୁଛୁ ତ, ମୁଁ ଏତେ ବ୍ୟସ୍ତ ରହିଯାଉଛି, ଯାହାକି ସମୟ ହିଁ ମିଳୁନାହିଁ । କିନ୍ତୁ ନିମିତ୍ତ ମାତ୍ର ଯେ କୌଣସି ସେବା କରୁଥିଲେ ମଧ୍ୟ ବେହଦ ବିଶ୍ୱର ସେବାରେ ସହଯୋଗୀ ହୋଇପାରିବ । କେବଳ ତୁମର ମନୋବୃତ୍ତିକୁ ଯଦି ବିଶାଳ ରଖିଥିବ ତେବେ ବୃତ୍ତି ଦ୍ୱାରା ପ୍ରକମ୍ପନ ବିଚ୍ଛୁରିତ ହେବାକୁ ଲାଗିବ । ତେବେ ଯେତେଯେତେ ତୁମେ ବେହଦ ସେବାରେ ବ୍ୟସ୍ତ ରହିବ ସେହି ଅନୁସାରେ ତୁମର କାର୍ଯ୍ୟ ମଧ୍ୟ ସହଜ ହେବାକୁ ଲାଗିବ । ତେଣୁ ସବୁ ସମୟରେ, ସବୁ ସଂକଳ୍ପରେ ଶ୍ରେଷ୍ଠ ପ୍ରକମ୍ପନ ବିଚ୍ଛୁରିତ କରିବାର ସେବା କରିବା ହିଁ ବେହଦର ସେବାଧାରୀ ହେବା ।

ସ୍ଲୋଗାନ:-
ଶିବ ପିତାଙ୍କ ସହିତ ଯୁଗଳ ରୂପରେ ରହୁଥିବା ଶିବଶକ୍ତିମାନଙ୍କର ଶୃଙ୍ଗାର ହେଲା ଜ୍ଞାନର ଅସ୍ତ୍ରଶସ୍ତ୍ର ।