28.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପରମପ୍ରିୟ ଶିବବାବା ତୁମମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି, ତେଣୁ ତୁମେମାନେ ତାଙ୍କ ଶ୍ରୀମତରେ ଚାଲ’’ ।

ପ୍ରଶ୍ନ:-
ମନୁଷ୍ୟମାନେ ପରମାତ୍ମାଙ୍କ ବିଷୟରେ କେଉଁ ଦୁଇଟି କଥା ପରସ୍ପରଠାରୁ ଭିନ୍ନ ରୂପରେ କହିଥା’ନ୍ତି?

ଉତ୍ତର:-
ଗୋଟିଏ ପଟେ କହୁଛନ୍ତି - ପରମାତ୍ମା ଅଖଣ୍ଡ ଜ୍ୟୋତି ସ୍ୱରୂପ ଅଟନ୍ତି ଏବଂ ଅନ୍ୟ ପଟେ କହୁଛନ୍ତି ସେ ତ ନାମ-ରୂପରୁ ଅଲଗା । ଏହି ଦୁଇଟି କଥା ପରସ୍ପର ଠାରୁ ଭିନ୍ନ ହୋଇ ଯାଉଛି । ପରମାତ୍ମାଙ୍କୁ ଯଥାର୍ଥ ରୂପରେ ନ ଜାଣିବା କାରଣରୁ ହିଁ ପତିତ ହୋଇ ଚାଲିଛନ୍ତି । ବାବା ଯେତେବେଳେ ଏଠାକୁ ଆସିଥାଆନ୍ତି, ସେତେବେଳେ ହିଁ ନିଜର ସଠିକ ପରିଚୟ ଦେଇଥାଆନ୍ତି ।

ଗୀତ:-
ମରନା ତେରୀ ଗଲୀ ମେଁ...

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଯଦି କେହି ମୃତ୍ୟୁବରଣ କରନ୍ତି, ତେବେ ସିଏ ଯାଇ ଅନ୍ୟ ଜଣେ ପିତାଙ୍କ ପାଖରେ ଜନ୍ମ ନିଅନ୍ତି । କଥାରେ କୁହନ୍ତି ଅମୁକ ବାପାଙ୍କ ପାଖରେ ଜନ୍ମ ନେଲା । ସାଧାରଣତଃ କେହି ମା’ର ନାମ କହି ନଥା’ନ୍ତି ବାପାଙ୍କର ନାମ ହିଁ କହିଥା’ନ୍ତି । ବାପାଙ୍କୁ ଅଭିନନ୍ଦନ ଜଣାଇଥା’ନ୍ତି । ଏବେ ତୁମେମାନେ ଜାଣୁଛ ଆମେ ଆତ୍ମା, ତାହା ତ ଶରୀରର କଥା । ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ପୁଣି ଅନ୍ୟ ଏକ ବାପାଙ୍କ ପାଖକୁ ଯାଇଥାଏ । ତୁମେମାନେ ୮୪ ଜନ୍ମରେ ୮୪ ଜଣ ଶାରିରୀକ ପିତାଙ୍କ ପାଖରେ ଜନ୍ମ ଗ୍ରହଣ କରିଛ । କିନ୍ତୁ ବାସ୍ତବରେ ତୁମେମାନେ ନିରାକାର ପିତାଙ୍କର ସନ୍ତାନ । ତୁମେମାନେ ପରମପିତା ପରମାତ୍ମାଙ୍କର ସନ୍ତାନ ଏବଂ ସେଠାକାର ନିବାସୀ ମଧ୍ୟ ଅଟ ଯାହାକୁ ନିର୍ବାଣଧାମ ଅଥବା ଶାନ୍ତିଧାମ କୁହାଯାଏ । ତୁମେମାନେ ବାସ୍ତବରେ ସେଠିକାର ନିବାସୀ ଅଟ । ବାବା ମଧ୍ୟ ସେଠାରେ ରୁହନ୍ତି । ଏଠାକୁ ଆସି ତୁମେମାନେ ଲୌକିକ ପିତାଙ୍କର ସନ୍ତାନ ହେଉଛ ଏବଂ ସେହି ପିତାଙ୍କୁ ଭୁଲିଯାଉଛ । ସତ୍ୟଯୁଗରେ ତୁମେମାନେ ସୁଖୀ ହୋଇଯାଉଛ, ତେଣୁ ସେହି ପାରଲୌକିକ ପିତାଙ୍କୁ ଭୁଲିଯାଉଛ । ସୁଖରେ କେହି ହେଲେ ସେହି ବାବାଙ୍କୁ ସ୍ମରଣ କରନ୍ତି ନାହିଁ । ଦୁଃଖରେ ସମସ୍ତେ ମନେ ପକାନ୍ତି ଏବଂ ଆତ୍ମା ହିଁ ତାଙ୍କୁ ମନେ ପକାଇଥାଏ । ଯେତେବେଳେ ଲୌକିକ ପିତାଙ୍କୁ ମନେ ପକାଇଥା’ନ୍ତି ସେତେବେଳେ ବୁଦ୍ଧି ଶରୀର ଆଡକୁ ରହିଥାଏ । ଏହି ବାବା ଅର୍ଥାତ୍ ବ୍ରହ୍ମାବାବା ମଧ୍ୟ ତାଙ୍କୁ ମନେ ପକାଇଲେ କହିବେ ଓ ବାବା । ଉଭୟ ବାବା ଅଟନ୍ତି । ସଠିକ୍ ଅକ୍ଷର ହେଉଛି ବାବା । ଇଏ ମଧ୍ୟ ବାବା, ସେ ମଧ୍ୟ ବାବା । କିନ୍ତୁ ଆତ୍ମା ଯେତେବେଳେ ସେହି ପିତାଙ୍କୁ ମନେ ପକାଏ ତେବେ ବୁଦ୍ଧି ସେଠାକୁ ଚାଲିଯାଏ । ଏକଥା ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି । ତୁମେମାନେ ଏବେ ଜାଣୁଛ ଯେ, ବାବା ଆସି, ଆମମାନଙ୍କୁ ନିଜର କରିଛନ୍ତି । ବାବା କହୁଛନ୍ତି ପ୍ରଥମେ ମୁଁ ତୁମମାନଙ୍କୁ ସ୍ୱର୍ଗକୁ ପଠାଇଥିଲି । ସେଠାରେ ତୁମେମାନେ ବହୁତ ସାହୁକାର ଥିଲ, ପୁଣି ୮୪ ଜନ୍ମ ନେଇ ଡ୍ରାମା ପ୍ଲାନ ଅନୁସାରେ ଏବେ ତୁମେମାନେ ଦୁଃଖୀ ହୋଇଯାଇଛ । ଏବେ ପୁଣି ଡ୍ରାମା ଅନୁସାରେ ପୁରୁଣା ଦୁନିଆ ସମାପ୍ତ ହୋଇଯିବ । ସେଠାରେ ତୁମମାନଙ୍କର ଆତ୍ମା ଏବଂ ଶରୀର ରୂପୀ ବସ୍ତ୍ର ଉଭୟ ସତ୍ତ୍ୱପ୍ରଧାନ ଥିଲା, ପୁଣି ଯେତେବେଳେ ସ୍ୱର୍ଣ୍ଣିମଯୁଗରୁ ରୌପ୍ୟ ଯୁଗକୁ ଆସିଲ, ସେତେବେଳେ ଶରୀର ମଧ୍ୟ ରୌପ୍ୟ ଯୁଗକୁ ଆସିଲା, ପୁଣି ତାମ୍ର ଯୁଗକୁ ଆସିଲା । ଏବେ ତ ତୁମର ଆତ୍ମା ବିଲ୍‌କୁଲ୍ ପତିତ ହୋଇଯାଇଛି, ତେଣୁ ଶରୀର ମଧ୍ୟ ପତିତ ହୋଇଯାଇଛି । ଯେପରି ୧୪ କ୍ୟାରେଟ୍ ସୁନାକୁ କେହି ବି ପସନ୍ଦ କରନ୍ତି ନାହିଁ । ତାହା କଳା ପଡିଯାଏ । ସେହିପରି ତୁମେମାନେ ମଧ୍ୟ ଏବେ କଳା ଆଇରନ୍ ଏଜଡ୍ ହୋଇଯାଇଛ । ଏବେ ଆତ୍ମା ଏବଂ ଶରୀର ଉଭୟ କଳା ହୋଇଯାଇଛି, ତାହା ପୁଣି ପବିତ୍ର କିପରି ହେବ? ଯେତେବେଳେ ଆତ୍ମା ପବିତ୍ର ହୋଇଯିବ ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳିବ । ତେବେ ତାହା କିପରି ହେବ? କ’ଣ ଗଙ୍ଗା ସ୍ନାନ କରିବା ଦ୍ୱାରା? ନା । ଡାକୁଛନ୍ତି - ହେ ପତିତ-ପାବନ... ଏ କଥା ଆତ୍ମା କହୁଛି ଏବଂ ସେତେବେଳେ ବୁଦ୍ଧି ପାରଲୌକିକ ବାବାଙ୍କ ଆଡକୁ ଚାଲିଯାଇଥାଏ - ହେ ବାବା । ଦେଖ, ଏହି ବାବା ଶବ୍ଦ କେତେ ମିଠା । ଭାରତରେ ହିଁ ବାବା-ବାବା କହିଥା’ନ୍ତି । ଏବେ ତୁମେମାନେ ଆତ୍ମ-ଅଭିମାନୀ ହୋଇ ବାବାଙ୍କର ହୋଇଛ । ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ସ୍ୱର୍ଗକୁ ପଠାଇଥିଲି । ସେଠାରେ ତୁମେମାନେ ନୂଆ ଶରୀର ଧାରଣ କରିଥିଲ । ଏବେ ତୁମେମାନେ କ’ଣ ହୋଇଯାଇଛ । ଏ କଥା ସର୍ବଦା ମନ ଭିତରେ ରହିବା ଉଚିତ୍ । ସବୁବେଳେ ବାବାଙ୍କୁ ହିଁ ସ୍ମରଣ କରିବା ଉଚିତ୍ । ସମସ୍ତେ ସ୍ମରଣ ମଧ୍ୟ କରୁଛନ୍ତି ନା - ହେ ବାବା ଏବେ ଆମେ ପତିତ ହୋଇଯାଇଛୁ । ଆପଣ ଆସି ପବିତ୍ର କରନ୍ତୁ । ଡ୍ରାମାରେ ମଧ୍ୟ ଏହି ପାର୍ଟ ଅଛି, ତେଣୁ ତାଙ୍କୁ ସ୍ମରଣ କରୁଛନ୍ତି । ଡ୍ରାମା ପ୍ଲାନ ଅନୁସାରେ ଆସିବେ ମଧ୍ୟ ସେତେବେଳେ, ଯେତେବେଳେ ପୁରୁଣା ଦୁନିଆ ନୂଆ ହେବାକୁ ଥିବ, ତେବେ ନିଶ୍ଚିତ ସଂଗମ ଯୁଗରେ ହିଁ ଆସିବେ ।

ତୁମର ନିଶ୍ଚୟ ରହିଛି ଯେ ବାବା ହେଉଛନ୍ତି ମୋଷ୍ଟ ବିଲବେଡ୍ ଅର୍ଥାତ୍ ପ୍ରିୟତମ । ଏଭଳି ମଧ୍ୟ କହିଥା’ନ୍ତି ସୁଇଟ୍‌, ସୁଇଟର୍‌, ସୁଇଟେଷ୍ଟ । ତେବେ ସବୁଠାରୁ ମିଠା କିଏ? ଲୌକିକ ସମ୍ବନ୍ଧରେ ପ୍ରଥମେ ହେଉଛନ୍ତି ପିତା, ଯିଏକି ଜନ୍ମ ଦେଇଥା’ନ୍ତି । ତା’ପରେ ଶିକ୍ଷକ, ସିଏ ମଧ୍ୟ ବହୁତ ଭଲ । ତାଙ୍କଠାରୁ ପାଠପଢି ପଦ ଉଚ୍ଚ ପାଉଛ । ଜ୍ଞାନକୁ ରୋଜଗାରର ବାଟ ବୋଲି କୁହାଯାଇଥାଏ । ଜ୍ଞାନ ଅର୍ଥାତ୍ ନଲେଜ । ଯୋଗ ଅର୍ଥାତ୍ ସ୍ମୃତି । ବେହଦର ବାବା ଯିଏକି ତୁମମାନଙ୍କୁ ସ୍ୱର୍ଗର ମାଲିକ କରିଥିଲେ, ତାଙ୍କୁ ଏବେ ତୁମେମାନେ ଭୁଲିଯାଇଛ । ଶିବବାବା କିପରି ଆସନ୍ତି, କେହି ଜାଣିନାହାଁନ୍ତି । ଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଇଛି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । ଶ୍ରୀକୃଷ୍ଣ କିପରି ରାଜଯୋଗ ଶିଖାଇବେ? ରାଜଯୋଗ ତ ସତ୍ୟଯୁଗ ପାଇଁ ଶିଖାଇଥା’ନ୍ତି । ତେବେ ନିଶ୍ଚିତ ଭାବରେ ସଂଗମ ଯୁଗରେ ବାବା ହିଁ ଶିଖାଇଥିବେ । ସତ୍ୟଯୁଗର ସ୍ଥାପନକର୍ତ୍ତା ହେଉଛନ୍ତି ବାବା । ଶିବବାବା ଏହାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି । କରନକରାବନହାର ଅଟନ୍ତି ନା । ମନୁଷ୍ୟମାନେ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହିଦେଉଛନ୍ତି । ବାସ୍ତବରେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ । ଇଏ ହେଲେ ସାକାର, ସେ ନିରାକାର । ସୃଷ୍ଟି ଏହିଠାରେ ହିଁ ରହିଛି । ଏହି ସୃଷ୍ଟିରୂପି ଚକ୍ର ଯାହାକି ଘୂରି ଚାଲିଛି ତାହା ଦ୍ୱାରା ପୁନରାବୃତ୍ତି ହେବାରେ ଲାଗିଛି । ସୂକ୍ଷ୍ମଲୋକର ସୃଷ୍ଟିଚକ୍ରର ଗାୟନ କରାଯାଏ ନାହିଁ । ମନୁଷ୍ୟ ସୃଷ୍ଟିରୂପି ବିଶ୍ୱରେ ଇତିହାସ-ଭୂଗୋଳର ପୁନରାବୃତ୍ତି ହୁଏ । ସୂକ୍ଷ୍ମଲୋକରେ କୌଣସି ଚକ୍ର ଆଦି ନ ଥାଏ । ଗାୟନ ମଧ୍ୟ କରିଥା’ନ୍ତି, ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି । ତାହା ହେଉଛି ଏହି ମନୁଷ୍ୟ ସୃଷ୍ଟିର କଥା । ସତ୍ୟଯୁଗ, ତ୍ରେତା ଯୁଗ.... ମଝିରେ ନିଶ୍ଚିତ ସଂଗମଯୁଗ ହେବା ଦରକାର । ନଚେତ୍ କଳିଯୁଗକୁ ସତ୍ୟଯୁଗ କିଏ କରାଇବ । ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ବାବା ଏହି ସଂଗମଯୁଗରେ ଆସନ୍ତି । ଇଏ ତ ହାଇଏଷ୍ଟ ଅଥରିଟୀ ଗଡ୍ ଫାଦରଲୀ ଗଭର୍ଣ୍ଣମେଣ୍ଟ ( ସର୍ବଶକ୍ତିର ଅଧିକାରୀ ଈଶ୍ୱର ପିତାଙ୍କର ସରକାର) ଅଟେ । ତା’ ସହିତ ଧର୍ମରାଜ ମଧ୍ୟ ଅଟନ୍ତି । ଆତ୍ମା କହୁଛି ମୁଁ ନିର୍ଗୁଣ ମୋ ଠାରେ କୌଣସି ଗୁଣ ନାହିଁ । କୌଣସି ବି ଦେବତାଙ୍କ ମନ୍ଦିରକୁ ଯାଇ ଏହି କଥା କହିଥା’ନ୍ତି । ବାସ୍ତବରେ ଏକଥା ବାବାଙ୍କୁ କହିବା ଦରକାର । ତାଙ୍କୁ ଛାଡି ଭାଇମାନଙ୍କୁ ଅର୍ଥାତ୍ ଦେବତାମାନଙ୍କୁ କହୁଛନ୍ତି । ଦେବତାମାନେ ହେଲେ ଭାଇ । ଭାଇଠାରୁ ତ କିଛି ହେଲେ ମିଳିବାର ନାହିଁ । ଭାଇମାନଙ୍କର ପୂଜା କରି-କରି ତଳକୁ ଖସି ଆସିଛନ୍ତି । ଏବେ ତୁମେମାନେ ଜାଣୁଛ ବାବା ଏଠାକୁ ଆସିଛନ୍ତି, ତାଙ୍କଠାରୁ ଆମମାନଙ୍କୁ ବର୍ସା ମିଳୁଛି । ବାବାଙ୍କୁ ହିଁ ଜାଣି ନାହାଁନ୍ତି, ତେଣୁ ସର୍ବବ୍ୟାପୀ କହି ଦେଉଛନ୍ତି । କେହି ପୁଣି କହୁଛନ୍ତି ଭଗବାନ ଅଖଣ୍ଡ ଜ୍ୟୋତି ତତ୍ତ୍ୱ ଅଟନ୍ତି । କେହି ପୁଣି କହୁଛନ୍ତି ସେ ନାମ-ରୂପରୁ ଅଲଗା । ଯଦି ସିଏ ଅଖଣ୍ଡ ଜ୍ୟୋତି ସ୍ୱରୂପ ତେବେ ପୁଣି ନାମ-ରୂପରୁ ଅଲଗା କିପରି କହୁଛ । ବାବାଙ୍କୁ ନ ଜାଣିବା କାରଣରୁ ସମସ୍ତେ ପତିତ ହୋଇ ଯାଇଛନ୍ତି । ବାସ୍ତବରେ ସମସ୍ତଙ୍କୁ ତମୋପ୍ରଧାନ ମଧ୍ୟ ହେବାକୁ ପଡିବ । ପୁଣି ଯେତେବେଳେ ବାବା ଆସୁଛନ୍ତି ସମସ୍ତଙ୍କୁ ସତ୍ତ୍ୱପ୍ରଧାନ କରୁଛନ୍ତି । ସବୁ ଆତ୍ମା ନିରାକାରୀ ଦୁନିଆରେ ବାବାଙ୍କ ସାଥିରେ ରହିଥା’ନ୍ତି ପୁଣି ଏଠାକୁ ଆସି ସତ୍ତ୍ୱ-ରଜୋ-ତମୋର ପାର୍ଟ କରିଥା’ନ୍ତି । ତେବେ ଆତ୍ମା ହିଁ ବାବାଙ୍କୁ ସ୍ମରଣ କରୁଛି । ବାବା ଏଠାକୁ ଆସି କହୁଛନ୍ତି ମୁଁ ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି । ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ । ବିନା ଆତ୍ମାରେ କ’ଣ ରଥ ଥାଏ କି! ଏବେ ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ, ଏହା ହେଉଛି ଜ୍ଞାନର ବର୍ସା । ଏହା ହେଲା ଜ୍ଞାନ, ଏହା ଦ୍ୱାରା କ’ଣ ହେଉଛି? ଦୁନିଆ ପତିତରୁ ପାବନ ହେଉଛି । ସତ୍ୟଯୁଗରେ ମଧ୍ୟ ଗଙ୍ଗା ନଦୀ ଏବଂ ଯମୁନା ନଦୀ ରହିବ । କହନ୍ତି ଶ୍ରୀକୃଷ୍ଣ ଯମୁନା କୂଳରେ ଖେଳା ଖେଳି କରୁଥିଲେ । ବାସ୍ତବରେ ଏପରି କୌଣସି କଥା ନାହିଁ । ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି । ତାଙ୍କର ବହୁତ ଭଲ ଭାବରେ ଲାଳନ ପାଳନ ହୋଇଥାଏ କାରଣ ସିଏ ଫୁଲ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି । ଫୁଲ କେତେ ସୁନ୍ଦର ହୋଇଥାଏ । ସମସ୍ତେ ଫୁଲର ସୁଗନ୍ଧ ନେଇଥା’ନ୍ତି । କଣ୍ଟାରୁ କ’ଣ କେହି ସୁଗନ୍ଧ ନେବେ କି । ଏବେ ତ ଏହା କଣ୍ଟାର ଦୁନିଆ ଅଟେ । ଏହି କଣ୍ଟାର ଜଙ୍ଗଲକୁ ବାବା ଆସି ଫୁଲର ବଗିଚା କରୁଛନ୍ତି । ସେଥିପାଇଁ ତାଙ୍କର ବବୁଲନାଥ ନାମ ରହିଛି । ସିଏ କଣ୍ଟାକୁ ଫୁଲ କରନ୍ତି । ସେଥିପାଇଁ ତାଙ୍କ ମହିମାର ଗାୟନ କରାଯାଏ, କଣ୍ଟାକୁ ଫୁଲ କରୁଥିବା ବାବା । ତେବେ ତୁମର ବାବାଙ୍କ ସିହତ କେତେ ସ୍ନେହ ରହିବା ଉଚିତ୍ । ସେହି ଲୌକିକ ପିତା ତ ତୁମମାନଙ୍କୁ ବିକାରୀ କରିଦେଇଥା’ନ୍ତି । ଏହି ବାବା ୨୧ ଜନ୍ମ ନିମନ୍ତେ ତୁମକୁ ବିକାରରୁ ମୁକ୍ତ କରି ପବିତ୍ର କରୁଛନ୍ତି । ଲୌକିକ ପିତା ତୁମକୁ ପତିତ କରାଉଛନ୍ତି । ସେଥିପାଇଁ ତ ଲୌକିକ ପିତା ଥାଇ ମଧ୍ୟ ପାରଲୌକିକ ପିତାଙ୍କୁ ଆତ୍ମା ମନେ ପକାଇଥାଏ ।

ଏବେ ତୁମେମାନେ ଜାଣୁଛ ଯେ, ଅଧାକଳ୍ପ ହେବ ଆମେମାନେ ବାବାଙ୍କୁ ମନେ ପକାଇ ଆସିଛୁ ଏବଂ ବାବା ମଧ୍ୟ ନିଶ୍ଚିତ ଆସୁଛନ୍ତି । ସେଥିପାଇଁ ଶିବଜୟନ୍ତୀ ପାଳନ କରୁଛନ୍ତି । ତୁମେମାନେ ଜାଣିଛ, ଏବେ ଆମେ ବେହଦ ବାବାଙ୍କର ହୋଇଛୁ । ଏବେ ଆମର ସମ୍ବନ୍ଧ ତାଙ୍କ ସହିତ ରହିଛି ଏବଂ ଲୌକିକମାନଙ୍କ ସହିତ ମଧ୍ୟ ରହିଛି । ତୁମେମାନେ ପାରଲୌକିକ ପିତାଙ୍କୁ ସ୍ମରଣ କଲେ ପବିତ୍ର ହୋଇଯିବ । ଆତ୍ମା ଜାଣିଛି ସେ ଆମର ଲୌକିକ ପିତା ଏବଂ ଇଏ ପାରଲୌକିକ ପିତା, ଭକ୍ତିମାର୍ଗରେ ମଧ୍ୟ ଆତ୍ମା ଏ କଥା ଜାଣିଥାଏ । ସେଥିପାଇଁ ତ କହୁଛନ୍ତି - ହେ ଭଗବାନ, ଓ ଗଡ୍ ଫାଦର । ସମସ୍ତେ ସେହି ଅବିନାଶୀ ପିତାଙ୍କୁ ହିଁ ମନେ ପକାଉଛନ୍ତି । ଏବେ ସେହି ବାବା ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି । କିନ୍ତୁ ଏହି କଥାକୁ କେହି ବି ଜାଣି ନାହାଁନ୍ତି । ଶାସ୍ତ୍ରରେ ତ ଯୁଗର ଆୟୁଷକୁ ମଧ୍ୟ ବହୁତ ଲମ୍ବା-ଚଉଡା କରି ଦେଇଛନ୍ତି । ଏକଥା କାହାରି ଖିଆଲରେ ଆସେନାହିଁ ଯେ ବାବା ଆସନ୍ତି ହିଁ ପତିତମାନଙ୍କୁ ପାବନ କରିବା ପାଇଁ । ତେବେ ନିଶ୍ଚିତ ଭାବରେ ସଂଗମଯୁଗରେ ହିଁ ଆସିବେ । କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇ ମନୁଷ୍ୟମାନଙ୍କୁ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି । ବାବାଙ୍କୁ ପାଇବା ପାଇଁ କେତେ ଧକ୍କା ଖାଉଛନ୍ତି । କଥାରେ କହନ୍ତି, ଯିଏ ବହୁତ ଭକ୍ତି କରନ୍ତି ତାଙ୍କୁ ଭଗବାନ ମିଳିଥା’ନ୍ତି । ତେବେ ଯେଉଁମାନେ ସବୁଠାରୁ ଅଧିକ ଭକ୍ତି କରିଥା’ନ୍ତି ତାଙ୍କୁ ନିଶ୍ଚିତ ପ୍ରଥମେ ମିଳିବା ଦରକାର । ବାବା ଏହାର ହିସାବ ମଧ୍ୟ ବତାଉଛନ୍ତି, ସର୍ବ ପ୍ରଥମେ ଭକ୍ତି ତୁମେମାନେ କରୁଛ । ତେଣୁ ତୁମମାନଙ୍କୁ ପ୍ରଥମେ ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳିବା ଉଚିତ, ଯେପରି ତୁମେମାନେ ଯାଇ ନୂଆ ଦୁନିଆରେ ରାଜ୍ୟ କରିବ । ବେହଦର ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି, ଏଥିରେ ଅସୁବିଧାର କୌଣସି କଥା ନାହିଁ । ବାବା କହୁଛନ୍ତି ତୁମେମାନେ ମୋତେ ଅଧାକଳ୍ପ ହେବ ମନେ ପକାଇ ଆସିଛ । ସୁଖୀ ଥିବା ସମୟରେ ତ କେହି ସ୍ମରଣ କରନ୍ତି ନାହିଁ । ଅନ୍ତିମ ସମୟରେ ଯେତେବେଳେ ସମସ୍ତେ ଦୁଃଖୀ ହୋଇଯାଉଛନ୍ତି, ସେତେବେଳେ ମୁଁ ଆସି ସମସ୍ତଙ୍କୁ ସୁଖୀ କରୁଛି । ଏବେ ତୁମେମାନେ ବହୁତ ବଡ ଲୋକ ହେଉଛ । ଦେଖ ବର୍ତ୍ତମାନର ଚିଫ୍ ମିନିଷ୍ଟର, ପ୍ରାଇମ୍ ମିନିଷ୍ଟର ଆଦିଙ୍କର ବଙ୍ଗଳା କେତେ ଫାଷ୍ଟକ୍ଲାସ୍ । ତେବେ ସେଠାକାର ଗାଈ, ଫର୍ଣ୍ଣିଚର ଆଦି ସବୁ ସେହିପରି ଫାଷ୍ଟକ୍ଲାସ୍ ହେବ । ତୁମେମାନେ ତ କେତେ ବଡ ଲୋକ ଅର୍ଥାତ୍ ଦେବତା ହୋଇଯାଉଛ । ଦୈବୀଗୁଣଧାରୀ ଦେବତା ସ୍ୱର୍ଗର ମାଲିକ ହୋଇଯାଉଛ । ସେଠାରେ ତୁମମାନଙ୍କ ପାଇଁ ହୀରା-ନୀଳାର ମହଲ ହେବ । ତୁମର ଫର୍ଣ୍ଣିଚର ସବୁ ସୁନାରେ ଜଡିତ ଫାଷ୍ଟକ୍ଲାସ୍ ହେବ । ଏଠାରେ ତ ଝୁଲା ଆଦି ସବୁ ଭିକାରୀ ପରି । ସେଠାରେ ସବୁ ଫାଷ୍ଟକ୍ଲାସ୍ ହୀରା-ନୀଳାର ଜିନିଷ ହେବ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ଶିବଙ୍କୁ ରୁଦ୍ର ମଧ୍ୟ କହିଥା’ନ୍ତି । ଭକ୍ତି ପୂରା ହେଲେ ଭଗବାନ ପୁଣି ରୁଦ୍ର ଯଜ୍ଞ ରଚନା କରିଥା’ନ୍ତି । ସତ୍ୟଯୁଗରେ ଯଜ୍ଞ ଅଥବା ଭକ୍ତିର କଥା ହିଁ ରହିବ ନାହିଁ । ଏହି ସମୟରେ ହିଁ ବାବା ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛନ୍ତି, ଯାହାର ପୁଣି ପରେ ଗାୟନ ହୁଏ । ଭକ୍ତି ତ ସବୁବେଳେ ଚାଲିବ ନାହିଁ । ଭକ୍ତି ଏବଂ ଜ୍ଞାନ । ଭକ୍ତି ହେଉଛି ରାତ୍ରି, ଜ୍ଞାନ ହେଉଛି ଦିନ । ବାବା ଆସି ଦିନ କରୁଛନ୍ତି ତେଣୁ ପିଲାମାନଙ୍କର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଉଚିତ । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ମୋଷ୍ଟ ବିଲବେଡ୍ (ପରମପ୍ରିୟ) ଏକମାତ୍ର ବାବା ହିଁ ଅଟନ୍ତି । ତାଙ୍କଠାରୁ ଅଧିକ ସ୍ନେହୀ ବସ୍ତୁ କିଛି ହୋଇପାରିବ ନାହିଁ । ସେଥିପାଇଁ ତୁମେମାନେ ତାଙ୍କୁ ଅଧାକଳ୍ପ ହେବ ସ୍ମରଣ କରିଆସିଛ । କହୁଛ, ବାବା ଆସି ଆମର ଦୁଃଖକୁ ହରଣ କର । ତେଣୁ ଏବେ ବାବା ଆସିଛନ୍ତି । କହୁଛନ୍ତି ତୁମମାନଙ୍କୁ ନିଜ ଗୃହସ୍ଥରେ ତ ରହିବାକୁ ହିଁ ହେବ । ଏଠାରେ ବାବାଙ୍କ ପାଖରେ କେତେ ଦିନ ରହିବ । ବାବାଙ୍କ ସାଥିରେ ତ ପରମଧାମରେ ହିଁ ରହିପାରିବ । ଏଠାରେ ତ ଏତେ ସବୁ ସନ୍ତାନ ରହିପାରିବେ ନାହିଁ । ଶିକ୍ଷକ ପ୍ରଶ୍ନ କିପରି ପଚାରିବେ? ଲାଉଡ୍‌ସ୍ପିକର ଦ୍ୱାରା ରେସପଣ୍ଡ ଅର୍ଥାତ୍ ପ୍ରତ୍ୟୁତ୍ତର କିପରି ଦେଇପାରିବେ । ସେଥିପାଇଁ ଅଳ୍ପ-ଅଳ୍ପ ବିଦ୍ୟାର୍ଥୀମାନଙ୍କୁ ପାଠ ପଢାଉଛନ୍ତି । କଲେଜ ତ ବହୁତ ରହିଛି । ପୁଣି ସମସ୍ତଙ୍କର ପରୀକ୍ଷା ମଧ୍ୟ ହୋଇଥାଏ ଏବଂ ତା’ର ତାଲିକା ବାହାର କରନ୍ତି । ଏଠାରେ ତ ଏକମାତ୍ର ବାବା ପାଠ ପଢାଉଛନ୍ତି । ଏକଥା ମଧ୍ୟ ବୁଝାଇବା ଦରକାର ଯେ, ଦୁଃଖ ସମୟରେ ସମସ୍ତେ ସେହି ପାରଲୌକିକ ବାବାଙ୍କୁ ସ୍ମରଣ କରିଥା’ନ୍ତି । ଏବେ ସେହି ବାବା ଆସିଛନ୍ତି । ମହାଭାରୀ ମହାଭାରତ ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ । ସେମାନେ ଭାବୁଛନ୍ତି ମହାଭାରତ ଲଢେଇରେ ଶ୍ରୀକୃଷ୍ଣ ଆସିଥିଲେ । ଏକଥା ତ ହୋଇପାରିବ ନାହିଁ । ବିଚରା ମନୁଷ୍ୟ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ତଥାପି ମଧ୍ୟ କୃଷ୍ଣ-କୃଷ୍ଣ କହି ସ୍ମରଣ କରୁଛନ୍ତି । ସବୁଠାରୁ ପ୍ରିୟ ଶିବବାବା ଏବଂ ଶ୍ରୀକୃଷ୍ଣ ଅଟନ୍ତି । କିନ୍ତୁ ଇଏ ନିରାକାର, ଇଏ ହେଉଛନ୍ତି ସାକାର । ନିରାକାର ବାବା ସବୁ ଆତ୍ମାଙ୍କର ପିତା ଅଟନ୍ତି । ଉଭୟ ସବୁଠାରୁ ପ୍ରିୟ ଅଟନ୍ତି । ଶ୍ରୀକୃଷ୍ଣ ମଧ୍ୟ ବିଶ୍ୱର ମାଲିକ ଅଟନ୍ତି ନା । ଏବେ ତୁମେମାନେ ନିର୍ଣ୍ଣୟ କରିପାରିବ - ଅଧିକ ସ୍ନେହୀ କିଏ? ଶିବବାବା ହିଁ ତ ତୁମମାନଙ୍କୁ ଏପରି ଯୋଗ୍ୟ କରୁଛନ୍ତି ନା । ପୁଣି ଶ୍ରୀକୃଷ୍ଣ କ’ଣ କରୁଛନ୍ତି? ତାଙ୍କୁ ମଧ୍ୟ ବାବା ହିଁ ଏପରି କରୁଛନ୍ତି । ତେଣୁ ଗାୟନ ମଧ୍ୟ ଅଧିକ ସେହି ବାବାଙ୍କର ହେବା ଉଚିତ । ଶଙ୍କରଙ୍କର ନୃତ୍ୟ ଦେଖାନ୍ତି । ବାସ୍ତବରେ ନୃତ୍ୟ ଆଦିର କୌଣସି କଥା ନାହିଁ । ବାବା ବୁଝାଉଛନ୍ତି ତୁମେ ସବୁ ହେଉଛ ପାର୍ବତୀ । ଶିବ ଅମରନାଥ ତୁମମାନଙ୍କୁ କଥା ଶୁଣାଉଛନ୍ତି । ତାହା ହେଉଛି ନିର୍ବିକାରୀ ଦୁନିଆ, ଯେଉଁଠାରେ ବିକାରର କୌଣସି କଥା ନାହିଁ । ବାବା କ’ଣ ବିକାରୀ ଦୁନିଆ ରଚନା କରିବେ କି! ବିକାର ହିଁ ମନୁଷ୍ୟକୁ ଦୁଃଖ ଦେଇଥାଏ । ମନୁଷ୍ୟ ବହୁତ ହଠଯୋଗ ଆଦି ଶିଖନ୍ତି । ଗୁମ୍ପାରେ ଯାଇ ବସନ୍ତି, ନିଆଁ ଉପରେ ମଧ୍ୟ ଚାଲିଥା’ନ୍ତି । ରିଦ୍ଧି-ସିଦ୍ଧି ମଧ୍ୟ ବହୁତ ରହିଛି । ଜାଦୁଗରୀ ଦ୍ୱାରା ବହୁତ ଜିନିଷ ବାହାର କରନ୍ତି । ତେବେ ଭଗବାନଙ୍କୁ ମଧ୍ୟ ଜାଦୁଗର, ରତ୍ନାଗର, ସୌଦାଗର କହୁଛନ୍ତି ତେଣୁ ନିଶ୍ଚିତ ଭାବରେ ସିଏ ଚୈତନ୍ୟ ହୋଇଥିବେ ନା । କହୁଛନ୍ତି ମଧ୍ୟ ମୁଁ ଏଠାକୁ ଆସୁଛି, ତେବେ ସିଏ ଜାଦୁଗର ଅଟନ୍ତି ନା । ମନୁଷ୍ୟରୁ ଦେବତା, ବେଗରରୁ ପ୍ରିନ୍ସ ଅର୍ଥାତ୍ ରଙ୍କରୁ ରାଜା କରୁଛନ୍ତି । ଏପରି ଜାଦୁ କେବେ ଦେଖିଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଫୁଲର ବଗିଚାକୁ ଯିବାକୁ ହେବ, ସେଥିପାଇଁ ସୁବାସିତ ଫୁଲ ହେବାକୁ ପଡିବ । କାହାକୁ ବି ଦୁଃଖ ଦେବାର ନାହିଁ । ଏକମାତ୍ର ପାରଲୌକିକ ପିତାଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡିବାକୁ ହେବ ।

(୨) ଶିବବାବା ହିଁ ପରମପ୍ରିୟ ଅଟନ୍ତି, ସେଥିପାଇଁ କେବଳ ତାଙ୍କୁ ହିଁ ସ୍ନେହ କରିବାକୁ ହେବ । ସୁଖଦାତା ବାବାଙ୍କୁ ମନେ ପକାଇବାକୁ ହେବ ।

ବରଦାନ:-
କାହାର ଦୋଷ ଦୁର୍ବଳତାକୁ ନ ଦେଖି ନିଜର ଗୁଣ ବା ଶକ୍ତିଗୁଡିକର ସହଯୋଗ ଦେଉଥିବା ମାଷ୍ଟର ଦାତା ହୁଅ ।

ମାଷ୍ଟର ଦାତା ସେହିମାନେ ଅଟନ୍ତି, ଯେଉଁମାନେ ସର୍ବଦା ଏହି ଆତ୍ମିକ ଭାବନାରେ ରହିଥାଆନ୍ତି ଯେ ଦୁନିଆର ସବୁ ଆତ୍ମାମାନେ ମୋ’ ଭଳି ବାବାଙ୍କ ସମ୍ପତ୍ତିର ଅଧିକାରୀ ହୋଇଯାଆନ୍ତୁ । ସେମାନେ କାହାର ବି କମୀ କମଜୋରୀକୁ ନ ଦେଖି ନିଜେ ଧାରଣ କରିଥିବା ଗୁଣ ବା ଶକ୍ତିଗୁଡିକର ସହଯୋଗ ଦେଇଥାଆନ୍ତି । ଇଏ ତ ଏହିଭଳି ହିଁ ଅଟନ୍ତି - ଏଭଳି ଭାବନା ନ ରଖି ମୁଁ ଏହାକୁ ମଧ୍ୟ ବାବାଙ୍କ ସମାନ କରିବି, ଏହିଭଳି ଶୁଭଭାବନା ରହୁ । ଏହା ସହିତ ଏହି ଶ୍ରେଷ୍ଠ କାମନା ମଧ୍ୟ ରହୁ ଯେ ଦୁନିଆର ସର୍ବ ଆତ୍ମାମାନେ କାଙ୍ଗାଳ, ଦୁଃଖୀ, ଅଶାନ୍ତରୁ ସଦା ଶାନ୍ତ, ସଦା ସୁଖୀ ତଥା ମାଲାମାଲ ହୋଇଯାଆନ୍ତୁ - ତେବେ କୁହାଯିବ ମାଷ୍ଟର ଦାତା ।

ସ୍ଲୋଗାନ:-
ମନ-ବଚନ-କର୍ମ ଦ୍ୱାରା ସେବା କରୁଥିବା ଆତ୍ମାମାନେ ହିଁ ନିରନ୍ତର ସେବାଧାରୀ ଅଟନ୍ତି, ସେମାନଙ୍କର ପ୍ରତିଟି ନିଶ୍ୱାସରେ ସେବା ସମାହିତ ଅଟେ ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ପ୍ରଥମେ ନିଜର ଦେହଠାରୁ, ଦେହର ସମ୍ବନ୍ଧଗୁଡିକଠାରୁ ଏବଂ ପୁରୁଣା ଦୁନିଆର ସ୍ମୃତିଠାରୁ ମୁକ୍ତ ହୁଅ । ଯେତେବେଳେ ଏହିଭଳି ମୁକ୍ତ ଅବସ୍ଥାର ଅନୁଭବ କରିବ, ସେତେବେଳେ ହିଁ ଜୀବନମୁକ୍ତିର ଅନୁଭବ ସ୍ୱତଃ ହିଁ ହେବାକୁ ଲାଗିବ । ତେଣୁ ଚେକ୍ କର ଜୀବନରେ ରହି ନିଜର ଦେହ, ଦେହର ସମ୍ବନ୍ଧ ଏବଂ ପୁରୁଣା ଦୁନିଆର ଆକର୍ଷଣ ଠାରୁ କେତେ ମାତ୍ରାରେ ମୁକ୍ତ ହେଲଣି?