28.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଅନ୍ତର୍ମୁଖୀ ହୁଅ ଅର୍ଥାତ୍ ଚୁପ୍ ରୁହ, ମୁଖ ଦ୍ୱାରା କିଛି ବି କୁହ ନାହିଁ, ପ୍ରତ୍ୟେକ କାର୍ଯ୍ୟ ଶାନ୍ତିପୂର୍ବକ କର, କେବେ ବି ଅଶାନ୍ତି ସୃଷ୍ଟି କର ନାହିଁ ।”

ପ୍ରଶ୍ନ:-
ତୁମମାନଙ୍କୁ କାଙ୍ଗାଳ କରିଥିବା ସବୁଠାରୁ ବଡ ଶତ୍ରୁ କିଏ?

ଉତ୍ତର:-
କ୍ରୋଧ । କଥାରେ ଅଛି ଯେଉଁଠି କ୍ରୋଧ ଥାଏ ସେଠାରେ ପାଣି ମାଠିଆ ମଧ୍ୟ ଶୁଖିଯାଏ । ଭାରତର ଧନ ସମ୍ପତ୍ତିର ମାଠିଆ ଯାହାକି ହୀରା-ନୀଳାରେ ଭରପୁର ଥିଲା ତାହା ଏହି ଭୂତ କାରଣରୁ ହିଁ ଖାଲି ହୋଇଗଲା । ଏହି ଭୂତଗୁଡିକ ହିଁ ତୁମକୁ କାଙ୍ଗାଳ କରିଛନ୍ତି । କ୍ରୋଧୀ ମନୁଷ୍ୟ ନିଜେ ବି ଜଳିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଳାଇଥାଏ, ସେଥିପାଇଁ ଏହି ଭୂତକୁ ଅନ୍ତର୍ମୁଖୀ ହୋଇ ବିତାଡିତ କର ।

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି - ମଧୁର ସନ୍ତାନମାନେ, ଅନ୍ତର୍ମୁଖୀ ହୋଇ ରୁହ । ଅନ୍ତର୍ମୁଖତା ଅର୍ଥାତ୍ କିଛି ବି କୁହ ନାହିଁ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବା ପିଲାମାନଙ୍କୁ ଏହି ଶିକ୍ଷା ଦେଉଛନ୍ତି । ଏଥିରେ ଆଉ କୌଣସି କଥା ହିଁ ନାହିଁ । ଏଠାରେ ବାବା କେବଳ ଏହି କଥା ବୁଝାଉଛନ୍ତି ଯେ, ଘର ଗୃହସ୍ଥରେ ମଧ୍ୟ ଏହିଭଳି ରହିବାକୁ ହେବ । ଏହା ହିଁ ମନମନାଭବ ଅଟେ । ମୋତେ ମନେ ପକାଅ, ଏହା ହିଁ ପ୍ରଥମ ଏବଂ ମୁଖ୍ୟ ପଏଣ୍ଟ । ତୁମେମାନେ ଘରେ ମଧ୍ୟ କ୍ରୋଧ କରିବା ଉଚିତ୍ ନୁହେଁ । କ୍ରୋଧ ଏପରି ଯାହାକି ପାଣି ମାଠିଆ ମଧ୍ୟ ଶୁଖାଇ ଦେଇଥାଏ । କ୍ରୋଧୀ ମନୁଷ୍ୟ ଅଶାନ୍ତି ସୃଷ୍ଟି କରିଥାଏ, ସେଥିପାଇଁ ଗୃହସ୍ଥରେ ରହି ମଧ୍ୟ ଶାନ୍ତିରେ ରହିବାକୁ ହେବ । ଭୋଜନ କରି ନିଜର ଧନ୍ଦା ଅଥବା ଅଫିସ ଆଦିକୁ ଚାଲିଯିବା, ସେଠାରେ ମଧ୍ୟ ସାଇଲେନ୍ସରେ (ଶାନ୍ତିରେ) ରହିବା ଭଲ କଥା ନା । ସମସ୍ତେ କହୁଛନ୍ତି ଆମର ଶାନ୍ତି ଦରକାର । ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ଯେ ଶାନ୍ତିର ସାଗର ଏକମାତ୍ର ବାବା । ବାବା ହିଁ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ ମୋତେ ମନେ ପକାଅ । ଏଥିରେ ଅଧିକ କିଛି କହିବାର ନାହିଁ । ଅନ୍ତର୍ମୁଖୀ ହୋଇ ରହିବାର ଅଛି । ଅଫିସ୍ ଆଦିରେ ନିଜର କାମ କଲେ ମଧ୍ୟ ଅଧିକ କିଛି କହିବାର ନାହିଁ, ବିଲ୍‌କୁଲ୍ ମିଠା ହୋଇ ରହିବାର ଅଛି । କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ଲଢେଇ ଇତ୍ୟାଦି କରିବା ଏ ସବୁ କ୍ରୋଧ ଅଟେ । ସବୁଠାରୁ ବଡ ଶତ୍ରୁ ହେଲା କାମ ବିକାର । ପୁଣି ଦ୍ୱିତୀୟ ନମ୍ବରରେ କ୍ରୋଧ । ଏହାଦ୍ୱାରା ପରସ୍ପରକୁ ଦୁଃଖ ଦେଇଥା’ନ୍ତି । କ୍ରୋଧ ଦ୍ୱାରା କେତେ ଲଢେଇ ହେଉଛି । ପିଲାମାନେ ଜାଣିଛନ୍ତି ସତ୍ୟଯୁଗରେ ଲଢେଇ ହୋଇ ନ ଥାଏ । ଏ ସବୁ ହେଲା ରାବଣ ପଣିଆର ଲକ୍ଷଣ । କ୍ରୋଧୀମାନଙ୍କୁ ଆସୁରୀ ସମ୍ପ୍ରଦାୟ କୁହାଯାଉଛି । ସେମାନଙ୍କ ଭିତରେ ଭୂତର ପ୍ରବେଶତା ହୋଇଥାଏ ନା । ଏଥିରେ କିଛି କହିବାର ହିଁ ନାହିଁ କାହିଁକି ନା ସେମାନଙ୍କ ଭିତରେ ତ ଜ୍ଞାନ ନାହିଁ, ତେଣୁ ସେମାନେ କ୍ରୋଧ କରିବେ, କ୍ରୋଧୀ ଆତ୍ମାମାନଙ୍କ ସହିତ କ୍ରୋଧ କରିବା ଦ୍ୱାରା ଲଢେଇ ହୋଇଥାଏ । ବାବା ବୁଝାଉଛନ୍ତି - ଏହା ବହୁତ କଡା ଭୂତ, ଏହାକୁ ଯୁକ୍ତିର ସହିତ ନିଜ ଭିତରୁ ବାହାର କରିଦେବା ଦରକାର । ମୁଖରୁ କିଛି ବି କଠୋର ଶବ୍ଦ ବାହାର କରିବା ଉଚିତ୍ ନୁହେଁ । ଏହା ବହୁତ କ୍ଷତିକାରକ । କ୍ରୋଧ ଦ୍ୱାରା ହିଁ ବିନାଶ ହୋଇଥାଏ ନା । ଯେଉଁ ଘରେ କ୍ରୋଧ ଥାଏ ସେହି ଘରେ ବହୁତ ଅଶାନ୍ତି ଥାଏ । ଯଦି ତୁମେ କ୍ରୋଧ କରିବ ତେବେ ବାବାଙ୍କର ନାମ ବଦନାମ କରିଦେବ । ତେଣୁ ଏହି ଭୂତକୁ ନିଜ ଭିତରୁ ବାହାର କରିବାକୁ ହେବ । ଯଦି ଥରେ ବାହାର କରିବ ତେବେ ଅଧାକଳ୍ପ ପର୍ଯ୍ୟନ୍ତ ଏହି ଭୂତ ଆଉ ଆସିବ ନାହିଁ । ଏହି ୫ ବିକାର ଏବେ ସମସ୍ତଙ୍କ ଭିତରେ ପୂର୍ଣ୍ଣ ମାତ୍ରାରେ ରହିଛି । ଠିକ୍ ଏହିପରି ସମୟରେ ହିଁ ବାବା ଆସିଥା’ନ୍ତି, ଯେତେବେଳେ କି ବିକାର ସମସ୍ତଙ୍କ ଭିତରେ ପୂର୍ଣ୍ଣ ମାତ୍ରାରେ ଥାଏ । ବର୍ତ୍ତମାନ ମନୁଷ୍ୟର ଦୃଷ୍ଟି ଏବଂ ବାଣୀ କ୍ରିମିନାଲ୍ ଅର୍ଥାତ୍ ଅତ୍ୟନ୍ତ ବିକାରୀ ହୋଇଯାଇଛି । ଜୋରରେ କଥା ହେବା ଦ୍ୱାରା ମନୁଷ୍ୟ ରାଗି ଯାଇଥା’ନ୍ତି ଏବଂ ଘରେ ମଧ୍ୟ ଅଶାନ୍ତି ସୃଷ୍ଟି କରିଥା’ନ୍ତି । ତେଣୁ କାମ ଏବଂ କ୍ରୋଧ ଏହି ଦୁଇଟିଯାକ ତୁମର ବହୁତ ବଡ ଶତ୍ରୁ । କ୍ରୋଧୀ କେବେ ବି ବାବାଙ୍କୁ ମନେ ପକାଇପାରିବେ ନାହିଁ । ଯୋଗୀମାନେ ହିଁ ସର୍ବଦା ଶାନ୍ତିରେ ରହିପାରିବେ । ତେବେ ନିଜ ମନକୁ ପଚାରିବା ଉଚିତ୍ - ଆମ ଭିତରେ କୌଣସି ଭୂତ ନାହିଁ ତ ? ମୋହ ଏବଂ ଲୋଭର ଭୂତ ମଧ୍ୟ ରହିଛି । ଲୋଭର ଭୂତ ମଧ୍ୟ କିଛି କମ୍ ନୁହେଁ । ଏମାନେ ସମସ୍ତେ ହେଲେ ଭୂତ କାହିଁକି ନା ଏମାନେ ରାବଣର ସେନା ।

ବାବା ପିଲାମାନଙ୍କୁ ଯୋଗର ଯାତ୍ରା ଶିଖାଉଛନ୍ତି । କିନ୍ତୁ ପିଲାମାନେ ଏଥିରେ ବହୁତ ଦ୍ୱନ୍ଦ୍ୱରେ ପଡୁଛନ୍ତି । କିଛି ହେଲେ ବି ବୁଝୁ ନାହାଁନ୍ତି, କାହିଁକି ନା ବହୁତ ଭକ୍ତି କରିଛନ୍ତି । ଭକ୍ତି ହେଲା ଦେହ-ଅଭିମାନ । ଅଧାକଳ୍ପ ହେବ ତୁମେ ଦେହ-ଅଭିମାନରେ ରହି ଆସିଛ । ବାହ୍ୟମୁଖତାରେ ରହିଥିବା କାରଣରୁ ନିଜକୁ ଆତ୍ମା ବୋଲି ଭାବୁନାହଁ । ବାବା ବହୁତ ଚେଷ୍ଟା କରୁଛନ୍ତି ଯେପରି ପିଲାମାନେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାନ୍ତୁ । କିନ୍ତୁ ସେପରି ହୋଇପାରୁ ନାହାଁନ୍ତି, ଅନ୍ୟ ସବୁ କଥା ମାନୁଛନ୍ତି । ପୁଣି ବି କହୁଛନ୍ତି ଆମେ ବାବାଙ୍କୁ କିପରି ମନେ ପକାଇବୁ, କିଛି ତ ଦେଖାଯାଉନାହିଁ । ତେବେ ସେମାନଙ୍କୁ ବୁଝାଯାଉଛି - ତୁମେ ନିଜକୁ ଆତ୍ମା ମନେ କରୁଛ ଏବଂ ଏ କଥା ମଧ୍ୟ ଜାଣିଛ ଯେ ଇଏ ଆମର ଅବିନାଶୀ ପିତା, ତେଣୁ ମୁଖରେ ଶିବ-ଶିବ କହିବାର ନାହିଁ । ତୁମେ ନିଜ ଅନ୍ତର୍ମନରେ ଜାଣିଛ ନା ମୁଁ ଏକ ଆତ୍ମା ଅଟେ । ମନୁଷ୍ୟମାନେ ଶାନ୍ତିର ଭିକ୍ଷା କରୁଛନ୍ତି, କିନ୍ତୁ ଶାନ୍ତିର ସାଗର ପରମାତ୍ମା ହିଁ ଅଟନ୍ତି । ତେଣୁ ନିଶ୍ଚିତ ଭାବରେ ସିଏ ସମ୍ପତ୍ତି ମଧ୍ୟ ଦେବେ । ଏବେ ବାବା ବୁଝାଉଛନ୍ତି ତୁମେ ମୋତେ ମନେ ପକାଅ ତେବେ ଶାନ୍ତି ହୋଇଯିବ ଏବଂ ଜନ୍ମ-ଜନ୍ମାନ୍ତରର ବିକର୍ମ ମଧ୍ୟ ବିନାଶ ହୋଇଯିବ । ବାକି ଆଉ କୌଣସି କଥା ହିଁ ନାହିଁ । କିଛି ଏତେ ବଡ ଲିଙ୍ଗ ଆଦି ନାହିଁ । ଆତ୍ମା ବହୁତ ସୂକ୍ଷ୍ମ ଏବଂ ବାବା ମଧ୍ୟ ବହୁତ ସୂକ୍ଷ୍ମ । ତାଙ୍କୁ ତ ସମସ୍ତେ ମନେ ପକାଉଛି - ହେ ଭଗବାନ, ହେ ଗଡ୍ ବୋଲି କହୁଛନ୍ତି । କିଏ କହୁଛି? ଆତ୍ମା କହୁଛି - ନିଜର ପିତାଙ୍କୁ ମନେ ପକାଅ । ତେଣୁ ବାବା ପିଲାମାନଙ୍କୁ କହୁଛନ୍ତି ମନମନାଭବ । ମିଠା-ମିଠା ପିଲାମାନେ, ଅନ୍ତର୍ମୁଖୀ ହୋଇ ରୁହ । ଏ ସବୁ ଯାହା କିଛି ଦେଖୁଛ ସେସବୁ ବିନାଶ ହୋଇଯିବ । ବାକି ଆତ୍ମା ଶାନ୍ତିରେ ରହିଥାଏ । ଆତ୍ମାକୁ ଶାନ୍ତିଧାମକୁ ଯିବାକୁ ହିଁ ହେବ । କିନ୍ତୁ ଯେ ପର୍ଯ୍ୟନ୍ତ ଆତ୍ମା ପବିତ୍ର ନ ହୋଇଛି ସେ ପର୍ଯ୍ୟନ୍ତ ଶାନ୍ତିଧାମକୁ ଯାଇପାରିବ ନାହିଁ । ଋଷି-ମୁନି ଆଦି ସମସ୍ତେ କହୁଛନ୍ତି ଶାନ୍ତି କିପରି ମିଳିବ? ତେବେ ବାବା ତ ଏହାର ସହଜ ଉପାୟ ବତାଉଛନ୍ତି କିନ୍ତୁ ଅନେକ ସନ୍ତାନ ଅଛନ୍ତି ଯେଉଁମାନେ ଶାନ୍ତିରେ ରହୁନାହାଁନ୍ତି । ବାବା ଜାଣିଛନ୍ତି ଘରେ ରହୁଛନ୍ତି କିନ୍ତୁ ବିଲକୁଲ୍ ଶାନ୍ତ ହୋଇ ରହୁନାହାଁନ୍ତି । ସେଣ୍ଟରକୁ ଅଳ୍ପ ସମୟ ପାଇଁ ଯାଉଛନ୍ତି, ସେହି ସମୟ ଭିତରେ ଶାନ୍ତ ରହି ବାବାଙ୍କୁ ମନେ ପକାନ୍ତୁ, ତାହା ମଧ୍ୟ କରୁନାହାଁନ୍ତି, ସାରା ଦିନ ଘରେ ହଙ୍ଗାମା କରୁଛନ୍ତି । ସେଥିପାଇଁ ସେଣ୍ଟରକୁ ଆସିଲେ ମଧ୍ୟ ଶାନ୍ତିରେ ରହିପାରୁ ନାହାଁନ୍ତି । ଯଦି କାହାର ଦେହ ସହିତ ପ୍ରୀତି ହୋଇଗଲା ତେବେ ତାଙ୍କର ମନକୁ କେବେ ବି ଶାନ୍ତି ମିଳିପାରିବ ନାହିଁ । ବାସ୍‌, କେବଳ ତାଙ୍କର ସ୍ମୃତି ହିଁ ଆସିବ । ବାବା ବୁଝାଉଛନ୍ତି - ମନୁଷ୍ୟମାନଙ୍କ ଭିତରେ ରହିଛି ୫ଟି ଭୂତ । କଥାରେ ମଧ୍ୟ କହିଥା’ନ୍ତି ନା ଏହାଙ୍କ ଭିତରେ ଭୂତର ପ୍ରବେଶତା ହୋଇଛି । ଏହି ଭୂତମାନେ ହିଁ ତୁମକୁ କାଙ୍ଗାଳ କରିଦେଇଛନ୍ତି । ବାବା କହୁଛନ୍ତି - କେବେ-କେବେ ଦୁଷ୍ଟ ଆତ୍ମାର ପ୍ରବେଶତା ମଧ୍ୟ ହୋଇଥାଏ । କିନ୍ତୁ ଏଠାରେ ତ ସମସ୍ତଙ୍କ ଭିତରେ ୫ଟି ଭୂତର ପ୍ରବେଶତା ହୋଇଛି । ତେଣୁ ଏହି ଭୂତକୁ ତଡିବା ପାଇଁ ହିଁ ବାବାଙ୍କୁ ଡାକୁଛନ୍ତି । କହୁଛନ୍ତି - ବାବା, ଆସି ଆମକୁ ଶାନ୍ତି ଦିଅ, ଏହି ଭୂତକୁ ତଡିବା ପାଇଁ ଉପାୟ ବତାଅ । ଏହି ଭୂତ ତ ସମସ୍ତଙ୍କ ଭିତରେ ରହିଛି । ଏହା ରାବଣ ରାଜ୍ୟ ଅଟେ ନା । ସବୁଠାରୁ ବଡ ଭୂତ ହେଲା କାମ-କ୍ରୋଧ । ତେବେ ବାବା ଆସି ଭୂତମାନଙ୍କୁ ବାହାର କରୁଛନ୍ତି । ତେଣୁ ତା’ ପରିବର୍ତ୍ତେ ତାଙ୍କୁ କିଛି ମିଳିବା ଦରକାର ନା । ବାବା ଭୂତ-ପ୍ରେତ ବାହାର କରୁଛନ୍ତି, କିନ୍ତୁ ତାଙ୍କୁ କିଛି ହେଲେ ବି ମିଳୁନାହିଁ । ଏ କଥା ପିଲାମାନେ ଜାଣିଛନ୍ତି ଯେ, ବାବା ଆସୁଛନ୍ତି ସାରା ବିଶ୍ୱରୁ ଭୂତକୁ ବାହାର କରିବା ପାଇଁ । ବର୍ତ୍ତମାନ ସାରା ବିଶ୍ୱରେ ସମସ୍ତଙ୍କ ଭିତରେ ଭୂତର ପ୍ରବେଶତା ହୋଇଛି । ଦେବତାମାନଙ୍କ ପାଖରେ କୌଣସି ଭୂତ ନ ଥାଏ, ନା ଦେହ-ଅଭିମାନର, ନା କାମ, କ୍ରୋଧ, ଲୋଭ, ମୋହର.... କିଛି ବି ରହି ନ ଥାଏ । ଲୋଭର ଭୂତ ମଧ୍ୟ କିଛି କମ ନୁହେଁ । ଅଣ୍ଡା ଖାଇବୁ, ତାହା ଖାଇବୁ.... ଏହିଭଳି ଅନେକଙ୍କ ଭିତରେ ଭୂତ ରହିଛି । ନିଜର ଅର୍ନ୍ତମନ ଜାଣିଛି -- ବାସ୍ତବରେ ମୋ ଭିତରେ କାମର ଭୂତ, କ୍ରୋଧର ଭୂତ ରହିଛି । ତେଣୁ ଏହି ଭୂତମାନଙ୍କୁ ବାହାର କରିବା ପାଇଁ ବାବା କେତେ ଚେଷ୍ଟା କରୁଛନ୍ତି । ଦେହ-ଅଭିମାନରେ ଆସିବା ଦ୍ୱାରା ଇଚ୍ଛା ହୁଏ, ଆଲିଙ୍ଗନ କରିବୁ, ଏପରି କରିବୁ । ତେବେ ଏହା ଦ୍ୱାରା ସବୁ (ଜମା)ରୋଜଗାର ସମାପ୍ତ ହୋଇଯାଇଥାଏ । କ୍ରୋଧୀମାନଙ୍କର ଅବସ୍ଥା ମଧ୍ୟ ଏହିଭଳି ହୋଇଥାଏ । କ୍ରୋଧରେ ଆସି ବାପା ପିଲାମାନଙ୍କୁ, ପିଲା ବାପାଙ୍କୁ, ସ୍ତ୍ରୀ ସ୍ୱାମୀକୁ ମାରି ଦେଇଥାଏ । ଜେଲ୍‌କୁ ଯାଇ ତୁମେ ଦେଖ କିଭଳି କେଶ ସବୁ ରହିଛି । ଏହି ଭୂତର ପ୍ରବେଶତା ଯୋଗୁଁ ଭାରତର ଅବସ୍ଥା କ’ଣ ହୋଇଗଲାଣି । ଭାରତରେ ଯେଉଁ ବଡ ମାଠିଆ ଥିଲା ଯେଉଁ ଥିରେ ସୁନା-ହୀରା ସବୁ ଭରି ହୋଇ ରହିଥିଲା, ତାହା ସବୁ ଖାଲି ହୋଇଯାଇଛନ୍ତି । କ୍ରୋଧ ପାଇଁ କହିଥା’ନ୍ତି ନା - ପାଣି ମାଠିଆ ମଧ୍ୟ ଶୁଖିଯାଇଥାଏ । ତେବେ ଭାରତର ଅବସ୍ଥା ମଧ୍ୟ ଏହିଭଳି ହୋଇଗଲାଣି । ଏ କଥା ମଧ୍ୟ କେହି ହେଲେ ଜାଣିନାହାଁନ୍ତି । ବାବା ଏହି ଭୂତମାନଙ୍କୁ ବାହାର କରିବା ପାଇଁ ହିଁ ଆସୁଛନ୍ତି ଯାହାକୁ ଅନ୍ୟ କୌଣସି ମନୁଷ୍ୟ ବାହାର କରିପାରିବେ ନାହିଁ । ଏହି ୫ ଭୂତ ବହୁତ ଶକ୍ତିଶାଳୀ ଅଟେ । ତେବେ ଅଧାକଳ୍ପ ପର୍ଯ୍ୟନ୍ତ ଏମାନଙ୍କର ପ୍ରବେଶତା ହୋଇପାରି ନ ଥିଲା । କିନ୍ତୁ ବର୍ତ୍ତମାନ ସମୟର କଥା ନ କହିଲେ ଭଲ । ଯଦିଓ କେହି ପବିତ୍ର ରହୁଛନ୍ତି କିନ୍ତୁ ଜନ୍ମ ତ ବିକାର ଦ୍ୱାରା ହିଁ ହେଉଛି । ତେବେ ଏହା ତ ଭୂତ ଅଟେ ନା । ଏହି ୫ଟି ଭୂତ ଭାରତକୁ ବିଲକୁଲ୍ କାଙ୍ଗାଳ କରିଦେଇଛନ୍ତି । ଡ୍ରାମା କିପରି ରଚନା ହୋଇଛି, ତାହା ବାବା ବସି ବୁଝାଉଛନ୍ତି । ଭାରତ କାଙ୍ଗାଳ ହୋଇଯାଇଛି ତେଣୁ ବାହାରୁ କରଜ ନେଉଛି । ଭାରତ ପାଇଁ ବାବା ବୁଝାଉଛନ୍ତି, ଏବେ ତୁମମାନଙ୍କୁ ଏହି ପାଠପଢା ଦ୍ୱାରା କେତେ ଧନ ସମ୍ପତ୍ତି ମିଳୁଛି । ଏହି ଅବିନାଶୀ ପାଠ ଅବିନାଶୀ ବାବା ହିଁ ପଢାଉଛନ୍ତି । ଭକ୍ତିମାର୍ଗରେ ତ ଭକ୍ତିର ବହୁତ ସାମଗ୍ରୀ ରହିଛି । ବ୍ରହ୍ମାବାବା ଛୋଟ ବୟସରୁ ଗୀତା ପଢୁଥିଲେ, ନାରାୟଣଙ୍କର ପୂଜା କରୁଥିଲେ । କିନ୍ତୁ କିଛି ହେଲେ ବି ବୁଝୁ ନ ଥିଲେ । ମୁଁ ଆତ୍ମା, ସିଏ ଆମର ପିତା ଏହି ଜ୍ଞାନ ମଧ୍ୟ ନ ଥିଲା, ସେଥିପାଇଁ ପଚାରୁଛନ୍ତି ଆମେ ବାବାଙ୍କୁ କିପରି ମନେ ପକାଇବୁ? ଆରେ, ତୁମେ ତ ଭକ୍ତିମାର୍ଗରୁ ମନେ ପକାଇ ଆସିଛ - ହେ ଭଗବାନ ଆସ, ଉଦ୍ଧାର କର, ଆମର ଗାଇଡ୍ ହୁଅ । ମୁକ୍ତି-ଜୀବନମୁକ୍ତି ପାଇବା ପାଇଁ ଏବେ ବାବା ଗାଇଡ୍ ରୂପେ ମିଳିଛନ୍ତି । ବାବା ତୁମକୁ ଏହି ପୁରଣା ଦୁନିଆରୁ ବୈରାଗ୍ୟ ଦିଆଉଛନ୍ତି । ବର୍ତ୍ତମାନ ସମୟରେ ସମସ୍ତଙ୍କର ଆତ୍ମା ଅପବିତ୍ର ପତିତ ହୋଇଯାଇଛି, ତେବେ ସେମାନେ ପବିତ୍ର କିପରି ହେବେ । ଚମଡା ଯେତେ ଗୋରା ହେଲେ ମଧ୍ୟ ଆତ୍ମା ତ କଳା ଅର୍ଥାତ୍ ପତିତ ଅଟେ ନା । ଯେଉଁମାନଙ୍କର ଗୋରା ସୁନ୍ଦର ଶରୀର ହୋଇଥାଏ ସେମାନଙ୍କର କେତେ ନିଶା ରହିଥାଏ । ତେବେ ମନୁଷ୍ୟମାନେ ଜାଣିନାହାଁନ୍ତି ଯେ, ଆତ୍ମା ଗୋରା କିପରି ହେଉଛି? ସେଥିପାଇଁ ତାଙ୍କୁ ନାସ୍ତିକ କୁହାଯାଉଛି । ଯେଉଁମାନେ ନିଜର ପିତା ରଚୟିତା ଏବଂ ରଚନାକୁ ଜାଣିନାହାଁନ୍ତି ସେମାନେ ହେଲେ ନାସ୍ତିକ, ଯେଉଁମାନେ ଜାଣିଛନ୍ତି ସେମାନେ ହେଉଛନ୍ତି ଆସ୍ତିକ । ବାବା କେତେ ଭଲ ଭାବରେ ତୁମକୁ ବୁଝାଉଛନ୍ତି । ତେବେ ପ୍ରତ୍ୟେକ ନିଜର ମନକୁ ପଚାରନ୍ତୁ - ଆମ ପାଖରେ କେତେ ସ୍ୱଚ୍ଛତା ରହିଛି? କେତେ ଆମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଉଛୁ? ତୁମକୁ ଯୋଗ ବଳ ଦ୍ୱାରା ହିଁ ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏଥିରେ ଶାରୀରିକ ବଳର କୌଣସି କଥା ନାହିଁ । ବର୍ତ୍ତମାନ ସମୟରେ ସବୁଠାରୁ ବଳବାନ ହେଲା ଆମେରିକା କାହିଁକି ନା ତା’ ପାଖରେ ଧନ, ଦୌଲତ, ବାରୁଦ ଆଦି ବହୁତ ରହିଛି । ତେବେ ଏହା ହେଲା ଅନ୍ୟକୁ ମାରିବାର ଶାରୀରିକ ବଳ । କିନ୍ତୁ ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ବିଜୟୀ ଆମେ ହିଁ ହେବୁ । ତୁମ ପାଖରେ ଆତ୍ମିକ ବଳ ଅଛି, ଯାହା ଦ୍ୱାରା ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ, ତୁମେ ବିଶ୍ୱର ମାଲିକ ହୋଇଯାଉଛ । ତୁମ ଉପରେ କେହି ବିଜୟ ପ୍ରାପ୍ତ କରିପାରିବେ ନାହିଁ । ଅଧାକଳ୍ପ ପର୍ଯ୍ୟନ୍ତ ତୁମଠାରୁ କେହି ରାଜତ୍ୱ ଛଡାଇ ନେଇପାରିବେ ନାହିଁ । ଅନ୍ୟ କାହାକୁ ମଧ୍ୟ ବାବାଙ୍କଠାରୁ ଏହି ବର୍ସା ମିଳୁ ନାହିଁ । ତେଣୁ ତୁମେ କ’ଣ ହେଉଛ । ଟିକେ ବିଚାର କର । ତେଣୁ ତୁମକୁ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ସେମାନେ ଭାବୁଛନ୍ତି ସ୍ୱଦର୍ଶନ ଚକ୍ର ଦ୍ୱାରା ବିଷ୍ଣୁ ସମସ୍ତଙ୍କର ମୁଣ୍ଡ କାଟ କରିଥିଲେ । କିନ୍ତୁ ଏଥିରେ ହିଂସାର କୌଣସି କଥା ନାହିଁ ।

ତେଣୁ ମିଠା-ମିଠା ପିଲାମାନଙ୍କୁ ବାବା କହୁଛନ୍ତି - ମିଠା ସନ୍ତାନମାନେ, ତୁମେ କ’ଣ ଥିଲ, ଏବେ ନିଜର ଅବସ୍ଥାକୁ ତ ଦେଖ । ଯଦିଓ ତୁମେ ଯେତେ ବି ଭକ୍ତି ଇତ୍ୟାଦି କରୁଥିଲ କିନ୍ତୁ ଭୂତକୁ ବାହାର କରିପାରି ନ ଥିଲ । ଏବେ ତୁମେ ଅନ୍ତର୍ମୂଖୀ ହୋଇ ଦେଖ ଆମ ଭିତରେ କୌଣସି ଭୂତ ନାହିଁ ତ? ଯଦି କାହା ସହିତ ମନ ଲାଗିଗଲା, ଆଲିଙ୍ଗନ କରିଦେଲ ତେବେ ବୁଝିଯାଅ ତୁମର ସମସ୍ତ ପୁଣ୍ୟର ଖାତା ସମାପ୍ତ ହୋଇଗଲା । ସେମାନଙ୍କର ମୁହଁକୁ ମଧ୍ୟ ଦେଖିବାକୁ ଭଲ ଲାଗି ନ ଥାଏ । ସେମାନେ ତ ଯେପରି ଅଛୁଆଁ ହୋଇ ଗଲେ, ସ୍ୱଚ୍ଛ ନୁହଁନ୍ତି । ସେମାନେ ମଧ୍ୟ ମନେ ମନେ ଅନୁଭବ କରନ୍ତି ଯେ ବାସ୍ତବରେ ମୁଁ ଅଛୁତ ଅଟେ । ବାବା କହୁଛନ୍ତି ଦେହ ସହିତ ସବୁ କିଛି ଭୁଲି, ନିଜକୁ ଆତ୍ମା ମନେ କର, ଏହି ଅବସ୍ଥା ସ୍ଥାୟୀ ରହିଲେ ହିଁ ତୁମେ ଦେବତା ହୋଇପାରିବ । ତେଣୁ ତୁମ ଭିତରକୁ କୌଣସି ପ୍ରକାରର ଭୂତ ଆସିବା ଉଚିତ୍ ନୁହେଁ । ସେଥିପାଇଁ ବାବା ବୁଝାଉଛନ୍ତି ନିଜର ଯାଞ୍ଚ କର । ଅନେକଙ୍କ ଭିତରେ କ୍ରୋଧ ବହୁତ ରହିଛି, ସେମାନେ ଗାଳି ଦେବା ବିନା ରହିପାରନ୍ତି ନାହିଁ, ଲଢେଇ ମଧ୍ୟ କରିଥା’ନ୍ତି । କ୍ରୋଧ ବହୁତ ଖରାପ ଜିନିଷ । ତେଣୁ ଭୂତମାନଙ୍କୁ ବାହାର କରି ଏକଦମ୍ କ୍ଲିଅର ହେବା ଦରକାର । ଶରୀର ମଧ୍ୟ ଯେପରି ମନେ ନ ପଡୁ ତେବେ ଯାଇ ଉଚ୍ଚ ପଦ ପାଇପାରିବ । ସେଥିପାଇଁ ରତ୍ନର ଗାୟନ ରହିଛି । ତୁମକୁ ଜ୍ଞାନର ରତ୍ନ ମିଳିଛି ରତ୍ନ ହେବା ପାଇଁ । କହନ୍ତି ଭାରତରେ ୩୩ କୋଟି ଦେବତାମାନେ ଥିଲେ, କିନ୍ତୁ ସେଥିରୁ ମଧ୍ୟ ୮ ରତ୍ନ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବେ । ସେମାନଙ୍କୁ ହିଁ ପୁରସ୍କାର ମିଳିବ । ଯେପରି ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ବୃତ୍ତି ମିଳିଥାଏ ନା । ତୁମେମାନେ ଜାଣିଛ, ଏହି ଲକ୍ଷ୍ୟ ବହୁତ ଉଚ୍ଚ । କେହି-କେହି ଚାଲୁ-ଚାଲୁ ତଳକୁ ଖସି ଯାଉଛନ୍ତି, ପୁଣି ଭୂତର ପ୍ରବେଶତା ହୋଇଯାଉଛି । କିନ୍ତୁ ସେଠାରେ କୌଣସି ବିକାର ରହିବ ନାହିଁ । ତେବେ ତୁମମାନଙ୍କ ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିବା ଦରକାର ।

ତୁମେ ଜାଣିଛ ୫ ହଜାର ବର୍ଷରେ କେତେ ମାସ, କେତେ ଘଣ୍ଟା, କେତେ ସେକେଣ୍ଡ ରହିଛି । କେହି ଯଦି ହିସାବ ବାହାର କରିବାକୁ ଚାହିଁବ ତେବେ ବାହାର କରିପାରିବ । ତେବେ ଆମେ କଳ୍ପବୃକ୍ଷର ଚ୍ରିତରେ ଲେଖିପାରିବା ଯେ, ଗୋଟିଏ କଳ୍ପରେ ଏତିକି ମାସ, ଏତିକି ଦିନ, ଏତିକି ଘଣ୍ଟା, ଏତିକି ସେକେଣ୍ଡ ହୋଇଥାଏ । ତେବେ ମନୁଷ୍ୟମାନେ କହିବେ ଯେ, ଏମାନେ ବିଲ୍‌କୁଲ୍ ଠିକ୍ କଥା କହୁଛନ୍ତି । ପୁରା ୮୪ ଜନ୍ମର ହିସାବ ବତାଉଛନ୍ତି । ତେବେ କଳ୍ପର ଆୟୁଷ କାହିଁକି ନ ବତାଇବେ । ପିଲାମାନଙ୍କୁ ମୁଖ୍ୟ କଥା କୁହାଯାଇଛି ଯେ - ଯେମିତି ବି ହେଉ ଭୂତକୁ ବାହାର କରିବାକୁ ହେବ । ଏହି ଭୂତମାନେ ତୁମର ପୂରା ସତ୍ୟାନାଶ କରିଦେଇଛନ୍ତି । ବର୍ତ୍ତମାନ ସବୁ ମନୁଷ୍ୟମାନଙ୍କ ଭିତରେ ଭୂତ ନିଶ୍ଚିତ ରହିଛି । କାହିଁକି ନା ସମସ୍ତେ ଏହି ଭ୍ରଷ୍ଟାଚାରରୁ ସୃଷ୍ଟି ହୋଇଛନ୍ତି । ସତ୍ୟଯୁଗରେ ଭ୍ରଷ୍ଟାଚାର ହେବ ନାହିଁ । କାରଣ ସେଠାରେ ରାବଣ ହିଁ ରହିବ ନାହିଁ । ରାବଣକୁ ମଧ୍ୟ କେହି ଜାଣିପାରୁ ନାହାଁନ୍ତି । ତୁମେ ଏବେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ ପୁଣି ରାବଣ ରହିବ ହିଁ ନାହିଁ । ତେଣୁ ବର୍ତ୍ତମାନ ତୁମେ ପୁରୁଷାର୍ଥ କର । ଏବେ ବାବା ଆସିଛନ୍ତି, ତେଣୁ ବାବାଙ୍କଠାରୁ ନିଶ୍ଚିତ ଭାବରେ ଆମକୁ ବର୍ସା ମିଳିବା ଦରକାର । ତୁମେମାନେ ଏହିଭଳି ଭାବରେ କେତେ ଥର ଦେବତା ହୋଇଛ ଏବଂ କେତେ ଥର ଅସୁର ହୋଇଛ, ତା’ର ହିସାବ ବାହାର କରିପାରିବ ନାହିଁ । ଅଗଣିତ ଥର ହୋଇଥିବ । ଆଚ୍ଛା, ପିଲାମାନେ, ଶାନ୍ତିରେ ରୁହ ତେବେ କେବେହେଲେ କ୍ରୋଧ ଆସିବ ନାହିଁ । ବାବା ଯେଉଁ ଶିକ୍ଷା ଦେଉଛନ୍ତି, ତାହା ଧାରଣ କରିବା ଦରକାର । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜେ ନିଜକୁ ପଚାର - ମୋ ଭିତରେ କୌଣସି ଭୂତ ନାହିଁ ତ? ମୋର ଆଖି ବିକାରୀ ହେଉ ନାହିଁ ତ? ଜୋରରେ କଥା କହିବା ବା ଅଶାନ୍ତି ସୃଷ୍ଟି କରିବାର ସଂସ୍କାର ମୋ ଭିତରେ ନାହିଁ ତ? ଲୋଭ ବା ମୋହ ରୂପୀ ବିକାର ମୋତେ ଛଟପଟ କରୁନାହିଁ ତ?

(୨) କୌଣସି ବି ଦେହଧାରୀ ସହିତ ମନ ଲଗାଇବାର ନାହିଁ, ଦେହ ସହିତ ସବୁ କିଛି ଭୁଲି ଯୋଗର ଯାତ୍ରା ଦ୍ୱାରା ନିଜ ଭିତରେ ଆତ୍ମିକ ବଳ ଭରିବାକୁ ହେବ । ଗୋଟିଏ ଥର ଭୂତ (୫ ବିକାର) ଗୁଡିକୁ ବିତାଡିତ କରି ଅଧାକଳ୍ପ ପାଇଁ ମୁକ୍ତି ପାଇବାକୁ ହେବ ।

ବରଦାନ:-
ଈଶ୍ୱରୀୟ ବିଧାନ ଅର୍ଥାତ୍ ନିୟମକୁ ଜାଣି ବିଧି ଦ୍ୱାରା ସିଦ୍ଧି ପ୍ରାପ୍ତ କରୁଥିବା ଫାଷ୍ଟ ଡିଭିଜନ୍‌ର ଅଧିକାରୀ ହୁଅ ।

ସାହାସର ସହିତ ଗୋଟିଏ ପାଦ ପକାଇ ପଦ୍ମ ଗୁଣା ସହଯୋଗ ପ୍ରାପ୍ତ କରିବାର ପାତ୍ର ହେବା - ଡ୍ରାମାରେ ଏହିଭଳି ବିଧାନର ବିଧି ନିଧାର୍ଯ୍ୟ ଅଟେ । ଯଦି ଏହିଭଳି ବିଧି, ବିଧାନ ରୂପରେ ନିଧାର୍ଯ୍ୟ ହୋଇ ନ ଥାଆନ୍ତା ତେବେ ସମସ୍ତେ ବିଶ୍ୱର ପ୍ରଥମ ରାଜା ହୋଇ ଯାଇଥାଆନ୍ତେ । ତେବେ କ୍ରମାନ୍ୱୟରେ ରହିବାର ବିଧାନ ଏହି ବିଧି କାରଣରୁ ହିଁ ହେଉଛି । ତେଣୁ ଯେତେ ଇଚ୍ଛା ସେତେ ସାହସ ଧାରଣ କର ଏବଂ ସହଯୋଗ ପ୍ରାପ୍ତ କରିବାର ପାତ୍ର ହୁଅ । ଚାହେଁ ସମର୍ପିତ ହୋଇଥାଅ ବା ଘର ଗୃହସ୍ଥରେ ରହୁଥାଅ - ଅଧିକାର ସମସ୍ତଙ୍କ ପାଇଁ ସମାନ ଅର୍ଥାତ୍ ବିଧି ଦ୍ୱାରା ସିଦ୍ଧି ପ୍ରାପ୍ତ ହେବ । ତେଣୁ ଏହି ଈଶ୍ୱରୀୟ ବିଧାନକୁ ଜାଣି ଅବହେଳା ପଣିଆର ଲୀଳାକୁ ସମାପ୍ତ କର ତାହା ହେଲେ ଫାଷ୍ଟ ଡିଭିଜନ୍‌ର ଅଧିକାର ମିଳିଯିବ ।

ସ୍ଲୋଗାନ:-
ସଂକଳ୍ପ ରୂପୀ ସମ୍ପତ୍ତିକୁ ଖର୍ଚ୍ଚ କରିବାରେ ମିତବ୍ୟୟିତାର ଅବତାର ହୁଅ ।