28.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜର ଉନ୍ନତି ପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଜର ଚାର୍ଟ ଦେଖ, ଚେକ୍ କର - ମୁଁ ସାରା ଦିନରେ କାହାକୁ ଦୁଃଖ ଦେଇନାହିଁ ତ?”

ପ୍ରଶ୍ନ:-
ମହାନ୍ ସୌଭାଗ୍ୟଶାଳୀ ସନ୍ତାନମାନଙ୍କ ଭିତରେ କେଉଁ ବାହାଦୂରୀ ଥିବ?

ଉତ୍ତର:-
ଯେଉଁମାନେ ମହାନ୍ ସୌଭାଗ୍ୟଶାଳୀ ସନ୍ତାନ ସେମାନେ ସ୍ତ୍ରୀ ପୁରୁଷ ଏକତ୍ର ରହି ମଧ୍ୟ ଆତ୍ମା-ଆତ୍ମା ଭାଇ ଭାଇ ହୋଇ ରହିବେ । ସ୍ତ୍ରୀ ପୁରୁଷର ଭାବନା ରହିବ ନାହିଁ । ସେମାନେ ପକ୍କା ନିଶ୍ଚୟ ବୁଦ୍ଧି ମଧ୍ୟ ହୋଇଥିବେ । ମହାନ୍ ସୌଭାଗ୍ୟଶାଳୀ ସନ୍ତାନମାନେ ତୁରନ୍ତ ବୁଝିଯାଆନ୍ତି - ଆମେ ଉଭୟ ଈଶ୍ୱରୀୟ ବିଦ୍ୟାର୍ଥୀ ତେଣୁ ଭାଇ ଭଉଣୀ ହୋଇଗଲୁ, କିନ୍ତୁ ଏହି ବାହାଦୂରୀ ସେତେବେଳେ ଦେଖାଇପାରିବ, ଯେତେବେଳେ ନିଜକୁ ଆତ୍ମା ଭାବିବ ।

ଗୀତ:-
ମୁଖଡା ଦେଖଲେ ପ୍ରାଣୀ...

ଓମ୍ ଶାନ୍ତି ।
ଏ କଥା ବାବା ପ୍ରତ୍ୟହ ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ଶୋଇବା ସମୟରେ ନିଜର ଚାର୍ଟକୁ ଦେଖ ମୁଁ କାହାକୁ ଦୁଃଖ ଦେଇନାହିଁ ତ ଏବଂ ସାରା ଦିନରେ କେତେ ସମୟ ବାବାଙ୍କୁ ୟାଦ କରିଛି? ଏହା ହିଁ ହେଉଛି ମୂଳକଥା । ଗୀତରେ ମଧ୍ୟ କହୁଛନ୍ତି ନିଜ ଅନ୍ତରକୁ ଦେଖ ଯେ - ମୁଁ କେତେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଛି? ସାରା ଦିନରେ କେତେ ସମୟ ନିଜର ପ୍ରିୟ ବାବାଙ୍କୁ ମନେ ପକାଇଛି? କୌଣସି ଦେହଧାରୀଙ୍କୁ ମନେ ପକାଇବାର ନାହିଁ । ସମସ୍ତ ଆତ୍ମାଙ୍କୁ କୁହାଯାଉଛି ନିଜର ପିତାଙ୍କୁ ମନେ ପକାଅ । ଏବେ ଫେରିବାକୁ ହେବ । କେଉଁଠାକୁ ଯିବ? ଶାନ୍ତିଧାମକୁ ଯାଇ ପୁଣି ନୂଆ ଦୁନିଆକୁ ଯିବାକୁ ହେବ । ଏହା ତ ପୁରୁଣା ଦୁନିଆ ଅଟେ ନା । ଯେବେ ବାବା ଆସିବେ ତେବେ ସ୍ୱର୍ଗର ଦ୍ୱାର ଖୋଲିବ । ଏବେ ତୁମେ ପିଲାମାନେ ଜାଣିଛ ଆମେ ସଙ୍ଗମଯୁଗରେ ଅଛୁ । ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ଅଟେ ଯେ ସଙ୍ଗମଯୁଗକୁ ଆସି ଜ୍ଞାନର ନୌକାରେ ବସି ପୁଣି ଓହ୍ଲାଇ ଯାଉଛନ୍ତି । ଏବେ ତୁମେ ସଙ୍ଗମରେ ପୁରୁଷୋତ୍ତମ ହେବା ପାଇଁ ଆସି ଡଙ୍ଗାରେ ବସିଛ, ପାରି ହେବା ପାଇଁ । ପୁଣି ଏହି ପୁରୁଣା କଳିଯୁଗୀ ଦୁନିଆରୁ ମନକୁ ଦୂରେଇ ଦେବାକୁ ହେବ । ଏହି ଶରୀର ଦ୍ୱାରା କେବଳ ଅଭିନୟ କରିବାକୁ ପଡିବ । ଏବେ ଆମକୁ ବହୁତ ଖୁସିରେ ଫେରି ଯିବାକୁ ହେବ । ମନୁଷ୍ୟ ମୁକ୍ତି ପାଇଁ କେତେ ମୁଣ୍ଡ ପିଟୁଛନ୍ତି କିନ୍ତୁ ମୁକ୍ତି ଜୀବନମୁକ୍ତିର ଅର୍ଥ ବୁଝୁନାହାଁନ୍ତି । ଶାସ୍ତ୍ରର ଅକ୍ଷର କେବଳ ଶୁଣୁଛନ୍ତି କିନ୍ତୁ ସେହି ମୁକ୍ତି-ଜୀବନମୁକ୍ତି କ’ଣ କିଏ ଦେଉଛନ୍ତି, କେବେ ଦେଉଛନ୍ତି, ଏ କଥା କାହାକୁ ଜଣାନାହିଁ । ତୁମେ ପିଲାମାନେ ଜାଣିଛ ବାବା ଆସୁଛନ୍ତି ମୁକ୍ତି-ଜୀବନମୁକ୍ତିର ସମ୍ପତ୍ତି ଦେବା ପାଇଁ । ତାହା ମଧ୍ୟ ଥରେ ନୁହେଁ, ଅନେକଥର ଦେଇଛନ୍ତି । ଅଗଣିତ ଥର ତୁମେ ମୁକ୍ତିରୁ ଜୀବନମୁକ୍ତିକୁ ପୁଣି ଜୀବନବନ୍ଧନକୁ ଆସିଛ । ତୁମେ ଏବେ ବୁଝୁଛ ଯେ ଆମେ ହେଉଛୁ ଆତ୍ମା, ବାବା ଆମକୁ ବହୁତ ଶିକ୍ଷା ଦେଉଛନ୍ତି । ତୁମେ ଭକ୍ତିମାର୍ଗରେ ଦୁଃଖରେ ମନେ ପକାଉଥିଲ, କିନ୍ତୁ ତାଙ୍କୁ ଚିହ୍ନି ନ ଥିଲ । ଏବେ ମୁଁ ତୁମକୁ ନିଜର ପରିଚୟ ଦେଉଛି ଯେ କିପରି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ଏ ଜନ୍ମର ବର୍ତ୍ତମାନ ପର୍ଯ୍ୟନ୍ତ କେତେ ବିକର୍ମ ହୋଇଛି, ତାହା ନିଜର ଚାର୍ଟ ରଖିବା ଦ୍ୱାରା ଜଣାପଡିବ । ଯେଉଁମାନେ ସେବାରେ ଲାଗିରହିଥାନ୍ତି, ସେମାନଙ୍କୁ ଜଣାପଡିଥାଏ, ପିଲାମାନଙ୍କୁ ସେବାର ସଉକ ରହିଥାଏ । ପରସ୍ପର ମଧ୍ୟରେ ମିଳିମିଶି ବିଚାର କରି ସେବା ପାଇଁ ପ୍ରସ୍ତୁତ ହୋଇଥାନ୍ତି, ମନୁଷ୍ୟମାନଙ୍କର ଜୀବନକୁ ହୀରାତୁଲ୍ୟ କରିବା ପାଇଁ ସେବାରେ ଲାଗିଯାଆନ୍ତି । ଏହା କେତେ ପୁଣ୍ୟର କାର୍ଯ୍ୟ । ଏଥିରେ ଖର୍ଚ୍ଚ ଆଦିର କୌଣସି କଥା ନାହିଁ । କେବଳ ହୀରାତୁଲ୍ୟ ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ହେବ । ପୁଖରାଜ ପରୀ, ସବ୍‌ଜ ପରୀ ଇତ୍ୟାଦି ଯେଉଁ ସବୁ ନାମ ରହିଛି, ତାହା ତୁମମାନଙ୍କର ନାମ ଅଟେ । ଯେତେ ୟାଦରେ ରହିବ ସେତେ ହୀରାତୁଲ୍ୟ ହୋଇଯିବ । କେହି ମାଣିକ ସଦୃଶ, କେହି ପୁଖରାଜ ସଦୃଶ ହେବେ । ୯ ରତ୍ନ ରହିଛି ନା । କୌଣସି ଖରାପ ଗ୍ରହ ଚାଲିଲେ ୯ ରତ୍ନର ମୁଦି ପିନ୍ଧିଥା’ନ୍ତି । ଭକ୍ତିମାର୍ଗରେ ବହୁତ ପଥି ଉପଚାର କରାଯାଇଥାଏ । ଏଠାରେ ସମସ୍ତ ଧର୍ମାବଲମ୍ବୀମାନଙ୍କ ପାଇଁ ଗୋଟିଏ ମାତ୍ର ପଥି - ମନମନାଭବ କାହିଁକି ନା ଈଶ୍ୱର ଏକ ଅଟନ୍ତି । ମନୁଷ୍ୟରୁ ଦେବତା ହେବା ଅଥବା ମୁକ୍ତି-ଜୀବନମୁକ୍ତି ପାଇବାର ପୁରୁଷାର୍ଥ ଗୋଟିଏ ହିଁ ଅଟେ, କେବଳ ବାବାଙ୍କୁ ୟାଦ କରିବା ଦରକାର, ଅସୁବିଧାର କୌଣସି କଥା ନାହିଁ । ଚିନ୍ତା କରିବା ଉଚିତ୍ ମୋର କାହିଁକି ବାବାଙ୍କ ସ୍ମୃତି ରହୁ ନାହିଁ । ସାରା ଦିନରେ ଏତେ କମ୍ ୟାଦ କାହିଁକି ରହୁଛି? । ଯଦି ଏହି ଯୋଗ ଦ୍ୱାରା ଆମେ ସର୍ବଦା ସୁସ୍ଥ ନିରୋଗ ହେବା, ତେବେ କାହିଁକି ନିଜର ଚାର୍ଟ ରଖି ଉନ୍ନତିକୁ ପ୍ରାପ୍ତ ନ କରିବା । ବହୁତ ଅଛନ୍ତି ଯିଏ ୨-୪ ଦିନ ଚାର୍ଟ ରଖି ପୁଣି ଭୁଲି ଯାଉଛନ୍ତି । କାହାକୁ ବି ବୁଝାଇବା ବହୁତ ସହଜ ହୋଇଥାଏ । ନୂଆ ଦୁନିଆକୁ ସତ୍ୟଯୁଗ ଏବଂ ପୁରୁଣାକୁ କଳିଯୁଗ କୁହାଯାଉଛି । କଳିଯୁଗ ବଦଳି ସତ୍ୟଯୁଗ ହେବାକୁ ଯାଉଛି, ସେଥିପାଇଁ ଆମେ ବୁଝାଉଛୁ ।

କେତେକ ସନ୍ତାନମାନଙ୍କୁ ଏକଥାରେ ମଧ୍ୟ ଦୃଢ ନିଶ୍ଚୟ ନାହିଁ ଯେ ଇଏ ସେହି ନିରାକାର ବାବା ଯିଏକି ଆମକୁ ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଆସି ପଢ଼ାଉଛନ୍ତି । ତୁମେ ବ୍ରାହ୍ମଣ ଅଟ ନା । ବ୍ରହ୍ମାକୁମାର କୁମାରୀ ବୋଲାଉଛନ୍ତି, ତା’ର ଅର୍ଥ କ’ଣ, ସମ୍ପତ୍ତି କେଉଁଠୁ ମିଳିବ! କିଛି ପ୍ରାପ୍ତି ହେବାର ଥିଲେ ହିଁ ପୋଷ୍ୟ ସନ୍ତାନ ହୋଇଥାନ୍ତି । ତୁମେ ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର କୁମାରୀ କାହିଁକି ହୋଇଛ? ନିଶ୍ଚୟର ସହ ହୋଇଛ ନା ଏଥିରେ ମଧ୍ୟ କାହାର ସଂଶୟ ଆସୁଛି । ଯେଉଁମାନେ ମହାନ୍ ସୌଭାଗ୍ୟଶାଳୀ ସନ୍ତାନ ଅଟନ୍ତି ସେମାନେ ସ୍ତ୍ରୀ-ପୁରୁଷ ଏକା ସାଥିରେ ରହି ମଧ୍ୟ ଭାଇ ଭାଇ ହୋଇ ରହିଥା’ନ୍ତି । ସ୍ତ୍ରୀ ପୁରୁଷର ସ୍ମୃତି ରହେ ନାହିଁ । ପକ୍କା ନିଶ୍ଚୟବୁଦ୍ଧି ନହୋଇଥିଲେ ସ୍ତ୍ରୀ ପୁରୁଷର ଭାବନା ପରିବର୍ତ୍ତନ ପାଇଁ ମଧ୍ୟ ସମୟ ଲାଗିଥାଏ । ମହାନ୍ ସୌଭାଗ୍ୟଶାଳୀ ସନ୍ତାନମାନେ ତୁରନ୍ତ ବୁଝିଯାଆନ୍ତି - ଆମେ ଉଭୟ ଛାତ୍ର ଅଟୁ , ତେଣୁ ଭାଇ ଭଉଣୀ ହୋଇଗଲୁ । ଏହି ବାହାଦୂରୀ ସେତେବେଳେ ଦେଖାଇ ପାରିବ ଯେତେବଳେ ନିଜକୁ ଆତ୍ମା ଭାବିବ । ଆତ୍ମାମାନେ ତ ସବୁ ଭାଇ ଭାଇ ଅଟନ୍ତି ପୁଣି ବ୍ରହ୍ମାକୁମାର କୁମାରୀ ହେବା ଦ୍ୱାରା ଭାଇ ଭଉଣୀ ହୋଇଯାଇଥାନ୍ତି । କେହି ତ’ ବନ୍ଧନମୁକ୍ତ ହେଲେ ମଧ୍ୟ, କିଛି ନା କିଛି ବୁଦ୍ଧି ଯାଇଥାଏ । କର୍ମାତୀତ ଅବସ୍ଥା ହେବାରେ ସମୟ ଲାଗିଥାଏ । ତୁମ ଭିତରେ ବହୁତ ଖୁସି ରହିବା ଉଚିତ୍ । କୌଣସି ଝନ୍‌ଝଟ୍ ନାହିଁ । ପୁରୁଣା ଶରୀର ଛାଡି ଆମେ ଆତ୍ମାମାନେ ଏବେ ବାବାଙ୍କ ପାଖକୁ ଯାଉଛୁ । ଆମେ କେତେ ଅଭିନୟ କରିଛୁ । ଏବେ ଏହି ଚକ୍ର ଶେଷ ହେଉଛି । ଏହିପରି ନିଜ ସହିତ କଥା ହେବା ଉଚିତ୍ । ଯେତେ କଥା ହେବ, ସେତିକି ହର୍ଷିତ ମଧ୍ୟ ରହିବ ଏବଂ ନିଜର ଚଳଣିକୁ ମଧ୍ୟ ଦେଖିବା ଦରକାର - ମୁଁ ଲକ୍ଷ୍ମୀ-ନାରାୟଣଙ୍କୁ ବରଣ କରିବାର କେତେ ଯୋଗ୍ୟ ହୋଇଛି? ବୁଦ୍ଧି ଦ୍ୱାରା ବୁଝି ହେଉଛି - ଏବେ ଅଳ୍ପ ସମୟରେ ପୁରୁଣା ଶରୀର ଛାଡିବାକୁ ହେବ । ତୁମେ ଅଭିନେତା ମଧ୍ୟ ଅଟ ନା । ନିଜକୁ ଅଭିନେତା ଭାବୁଛ । ଆଗରୁ ଏହିପରି ଭାବୁ ନ ଥିଲ, ଏବେ ଏହି ଜ୍ଞାନ ମିଳୁଥିବାରୁ ଭିତରେ ବହୁତ ଖୁସି ରହିବା ଉଚିତ୍ । ପୁରୁଣା ଦୁନିଆରୁ ବୈରାଗ୍ୟ, ଘୃଣା ଆସିବା ଦରକାର ।

ତୁମେ ବେହଦର ସନ୍ନ୍ୟାସୀ, ରାଜଯୋଗୀ ଅଟ । ଏହି ପୁରୁଣା ଶରୀରକୁ ମଧ୍ୟ ବୁଦ୍ଧିରୁ ସନ୍ନ୍ୟାସ କରିବାକୁ ହେବ । ଆତ୍ମା ବୁଝୁଛି - ଏହି ପୁରୁଣା ଦୁନିଆ ସହିତ ବୁଦ୍ଧି ଲଗାଇବା ଅନୁଚିତ୍ । ବୁଦ୍ଧି ଦ୍ୱାରା ଏହି ପୁରୁଣା ଦୁନିଆ, ପୁରୁଣା ଶରୀରର ସନ୍ନ୍ୟାସ କରୁଛୁ । ଏବେ ଆମେ ଆତ୍ମାମାନେ ଯାଉଛୁ, ଯାଇ ବାବାଙ୍କ ସହିତ ମିଶିବୁ । ତାହା ମଧ୍ୟ ସେତେବେଳେ ହେବ ଯେବେ ଏକମାତ୍ର ବାବାଙ୍କୁ ମନେ ପକାଇବା । ଆଉ କାହାକୁ ମନେ ପକାଇଲେ ନିଶ୍ଚୟ ତାଙ୍କର ସ୍ମୃତି ଆସିବ । ପୁଣି ଦଣ୍ଡ ମଧ୍ୟ ଖାଇବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଯେଉଁମାନେ ଭଲ ଭଲ ଛାତ୍ର ଅଟନ୍ତି ସେମାନେ ନିଜ ସହିତ ପ୍ରତିଜ୍ଞା କରିଥା’ନ୍ତି ଯେ ମୁଁ ସ୍କଲାରସିପ୍ (ମେଧା ବୃତ୍ତି) ନିଶ୍ଚୟ ନେବି । ତେଣୁ ଏଠାରେ ମଧ୍ୟ ପ୍ରତ୍ୟେକଙ୍କୁ ଏହି ଖିଆଲ ରହିବା ଉଚିତ୍ ଯେ ମୁଁ ବାବାଙ୍କଠାରୁ ସମ୍ପୂର୍ଣ୍ଣ ରାଜ୍ୟ ଭାଗ୍ୟ ନିଶ୍ଚୟ ନେବି । ତାଙ୍କର ଚଳଣି ମଧ୍ୟ ଅନୁରୂପ ରହିବ । ଭବିଷ୍ୟତରେ ପୁରୁଷାର୍ଥ କରି କରି ଦୃତ ଗତିରେ ଆଗକୁ ବଢିବାକୁ ହେବ । ତାହା ସେତେବେଳେ ହେବ ଯେତେବେଳେ ପ୍ରତ୍ୟହ ସନ୍ଧ୍ୟାରେ ନିଜର ଅବସ୍ଥାକୁ ଦେଖିବ । ବାବାଙ୍କ ପାଖକୁ ପ୍ରତ୍ୟେକ ସନ୍ତାନର ସମାଚାର ତ ଆସୁଛି ନା । ବାବା ପ୍ରତ୍ୟେକଙ୍କୁ ବୁଝିପାରୁଛନ୍ତି । କାହାକୁ ବି କହିଦେଉଛନ୍ତି ତୁମ ଭିତରେ ସେହି ଉତ୍ସାହ ଦୃଶ୍ୟମାନ ହେଉନାହିଁ । ଲକ୍ଷ୍ମୀ-ନାରାୟଣ ହେବା ଭଳି ଚଳଣି ଓ ଚେହେରା ଦେଖାଯାଉ ନାହିଁ । ନିଜର ଖାଦ୍ୟ, ପାନୀୟ, ଚାଲିଚଳନ ଆଦି ତ ଦେଖ! କେତେ ସେବା କରୁଛ? ଏହା ଦ୍ୱାରା କ’ଣ ହେବ? ତେଣୁ ସେ ଆତ୍ମା ଭାବିଥା’ନ୍ତି ମୁଁ କିଛି କରି ଦେଖାଇବି । ଏଠାରେ ପ୍ରତ୍ୟେକଙ୍କୁ ସ୍ୱତନ୍ତ୍ର ଭାବେ ନିଜର ଭାଗ୍ୟ ଶ୍ରେଷ୍ଠ କରିବା ପାଇଁ ପଢ଼ିବାକୁ ହେବ । ଯଦି ଶ୍ରୀମତରେ ନ ଚାଲିବ ତେବେ ଏତେ ଉଚ୍ଚପଦ ପାଇପାରିବ ନାହିଁ । ଏବେ ପାସ୍ ନହେଲେ କଳ୍ପ କଳ୍ପାନ୍ତର ହୋଇପାରିବ ନାହିଁ । ତୁମକୁ ସବୁ ସାକ୍ଷାତ୍କାର ହେବ - ମୁଁ କେଉଁ ପଦ ପାଇବା ଯୋଗ୍ୟ ଅଟେ? ନିଜ ପଦର ମଧ୍ୟ ସାକ୍ଷାତ୍କାର କରିବ । ଆରମ୍ଭରେ ମଧ୍ୟ ସାକ୍ଷାତ୍କାର କରୁଥିଲ ପୁଣି ବାବା ସାକ୍ଷାତ୍‌କାର କଥା ଶୁଣାଇବା ପାଇଁ ମନା କରିଦେଉଥିଲେ । ଶେଷ ବେଳକୁ ସବୁ ଜଣାପଡିଯିବ ଯେ ମୁଁ କ’ଣ ହେବି କିନ୍ତୁ କିଛି କରିପାରିବ ନାହିଁ । କଳ୍ପ କଳ୍ପାନ୍ତର ପାଇଁ ଏହି ଅବସ୍ଥା ହୋଇଯିବ । ଡବଲ୍ ମୁକୁଟ, ଡବଲ୍ ରାଜ୍ୟ ଭାଗ୍ୟ ପାଇପାରିବ ନାହିଁ । ଏବେ ପୁରୁଷାର୍ଥ କରିବାର ବହୁତ ସୁଯୋଗ ରହିଛି, ତ୍ରେତା ଯୁଗର ଅନ୍ତ ପର୍ଯ୍ୟନ୍ତ ୧୬୧୦୮ର ବଡ ମାଳା ତିଆରି ହେବ । ଏଠାକୁ ତୁମେ ଆସିଛ ନରରୁ ନାରାୟଣ ହେବାର ପୁରୁଷାର୍ଥ କରିବା ପାଇଁ । ଯେତେବେଳେ କମ୍ ପଦର ସାକ୍ଷାତ୍କାର ହେବ ସେ ସମୟରେ ଯେପରି ନିଜ ପ୍ରତି ଘୃଣା ଆସିବ । ମୁହଁ ତଳକୁ ହୋଇଯିବ । ମୁଁ ତ କିଛି ହେଲେ ପୁରୁଷାର୍ଥ କରିନାହିଁ । ବାବା କେତେ ବୁଝାଇଲେ ଯେ ଚାର୍ଟ ରଖ, ଏପରି କର କିନ୍ତୁ ମୁଁ କଲି ନାହିଁ, ସେଥିପାଇଁ ବାବା କହୁଥିଲେ ସବୁ ସନ୍ତାନମାନଙ୍କର ଫଟୋ ରହୁ । ଭଲେ ପୁରା ଗ୍ରୁପ୍‌ର ଏକତ୍ର ଫଟୋ ରହୁ । ପାର୍ଟି ନେଇ ଆସୁଛ ନା । ପୁଣି ସେଥିରେ ତାରିଖ, ଫଟୋର ନେଗେଟିଭ୍ ଆଦି ସବୁ ଲାଗିରହୁ । ପୁଣି ବାବା ବତାଇବେ କିଏ ତଳକୁ ଖସିଲା? ବାବାଙ୍କ ପାଖକୁ ସମାଚାର ତ ସବୁ ଆସୁଛି, ସବୁକିଛି କହିବେ । କେତେ ଜଣଙ୍କୁ ମାୟା ଟାଣି ନେଇଗଲା । ଜ୍ଞାନ ଛାଡିଦେଲେ । କନ୍ୟାମାନେ ମଧ୍ୟ ବହୁତ ତଳକୁ ଖସିଯାଉଛନ୍ତି । ଏକଦମ୍ ଦୁର୍ଗତିକୁ ପ୍ରାପ୍ତ ହେଉଛନ୍ତି, ସେ କଥା ନ କହିଲେ ଭଲ । ସେଥିପାଇଁ ବାବା କହୁଛନ୍ତି - ପିଲାମାନେ, ଖବରଦାର ରୁହ । ମାୟା କୌଣସି ନା କୌଣସି ରୂପ ଧାରଣ କରି ଧରି ନେଇଯାଉଛି । କାହାର ନାମ ରୂପ ଆଡକୁ ଦେଖ ବି ନାହିଁ । ଯଦିଓ ଏହି ଆଖି ଦ୍ୱାରା ଦେଖୁଛ କିନ୍ତୁ ବୁଦ୍ଧିରେ ଏକମାତ୍ର ବାବାଙ୍କର ସ୍ମୃତି ରହୁ । ତୃତୀୟ ନେତ୍ର ଏଥିପାଇଁ ମିଳିଛି, ଯେ ବାବାଙ୍କୁ ହିଁ ଦେଖ ଏବଂ ମନେ ପକାଅ । ଦେହ ଅଭିମାନକୁ ତ୍ୟାଗ କର । ଏପରି ନୁହେଁ ଯେ ଆଖି ତଳକୁ କରି କାହା ସହିତ କଥା ହେବ । ଏପରି ଦୁର୍ବଳ ହେବା ଅନୁଚିତ୍ । ଦେଖୁଥିଲେ ମଧ୍ୟ ବୁଦ୍ଧିଯୋଗ ନିଜର ପ୍ରିୟତମ ବାବାଙ୍କ ଆଡକୁ ରହୁ । ଏହି ଦୁନିଆକୁ ଦେଖି ମଧ୍ୟ ଅନ୍ତରରେ ବୁଝୁଛନ୍ତି ଯେ ଏ ସବୁ କବରସ୍ତାନ ହେବାକୁ ଯାଉଛି । ଏହା ସହିତ କ’ଣ ସମ୍ପର୍କ ରଖିବା । ତୁମକୁ ଜ୍ଞାନ ମିଳୁଛି - ତାକୁ ଧାରଣ କରି ଚାଲିବାକୁ ହେବ ।

ତୁମେ ପିଲାମାନେ ଯେବେ ପ୍ରଦର୍ଶନୀ ଆଦି ବୁଝାଉଛ ତେବେ ହଜାର ଥର ତୁମ ମୁଖରୁ ବାବା ବାବା ଶବ୍ଦ ବାହାରିବା ଉଚିତ୍ । ବାବାଙ୍କୁ ୟାଦ କରିବା ଦ୍ୱାରା ତୁମର କେତେ ଫାଇଦା ହେବ । ଶିବବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ, ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ବାବା କହୁଛନ୍ତି ମୋତେ ମନେ ପକାଅ । ଏହାକୁ ଭୁଲ ନାହିଁ । ବାବାଙ୍କର ନିର୍ଦ୍ଦେଶ ମିଳିଛି ମନମନାଭବ । ବାବା କହିଛନ୍ତି ଏହି “ବାବା” ଶବ୍ଦକୁ ଖୁବ୍ ଭଲ ଭାବରେ ଚିନ୍ତନ କରିଚାଲ । ସାରାଦିନ ବାବା ବାବା କରି ଚାଲିବା ଉଚିତ୍ । ଅନ୍ୟ କୌଣସି କଥା ନାହିଁ । ନମ୍ବରୱାନ୍ ମୁଖ୍ୟ କଥା ଏହା ହିଁ ଅଟେ । ପ୍ରଥମେ ବାବାଙ୍କୁ ଜାଣ, ଏଥିରେ ହିଁ କଲ୍ୟାଣ ରହିଛି । ଏହି ୮୪ର ଚକ୍ର ବୁଝିବା ତ ବହୁତ ସହଜ ଅଟେ । ପିଲାମାନଙ୍କୁ ପ୍ରଦର୍ଶନୀ ଆଦିରେ ବୁଝାଇବାର ବହୁତ ସଉକ ରହିବା ଉଚିତ୍ । ଯଦି କେଉଁଠି ଦେଖୁଛ ଆମେ ବୁଝାଇପାରୁନାହୁଁ ତେବେ କହିପାର ମୁଁ ଆମର ବଡ ଭଉଣୀକୁ ଡାକୁଛି । କାହିଁକିନା ଏହା ମଧ୍ୟ ପାଠଶାଳା ଅଟେ ନା । ଏଥିରେ କେହି କମ୍‌, କେହି ଅଧିକ ପଢ଼ୁଛନ୍ତି । ଏହା କହିବାରେ ଦେହ ଅଭିମାନ ଆସିବା ଅନୁଚିତ୍ । ଯେଉଁଠି ବଡ ସେଣ୍ଟର ରହିଛି, ସେଠାରେ ପ୍ରଦର୍ଶନୀ ମଧ୍ୟ ଲଗାଇ ଦେବା ଉଚିତ୍ । ଚିତ୍ର ଲାଗିଥିବା ଦରକାର - ଗେଟ୍ ୱେ ଟୁ ହେଭେନ୍ ଅର୍ଥାତ୍ ସ୍ୱର୍ଗକୁ ଯିବାର ରାସ୍ତା । ଏବେ ସ୍ୱର୍ଗର ଦ୍ୱାର ଖୋଲୁଛି । ଏହି ଭବିଷ୍ୟତ ଲଢ଼େଇ ପୂର୍ବରୁ ନିଜର ସମ୍ପତ୍ତି ନେଇଯାଅ । ଯେପରି ମନ୍ଦିରକୁ ପ୍ରତ୍ୟହ ଯାଇଥା’ନ୍ତି, ସେହିପରି ତୁମ ପାଇଁ ପାଠଶାଳା ରହିଛି । ଚିତ୍ର ଲାଗିଥିଲେ ବୁଝାଇବା ପାଇଁ ସହଜ ହେବ । ଚେଷ୍ଟା କର ଆମେ ଆମର ପାଠଶାଳାକୁ କିପରି ଚିତ୍ରଶାଳା କରିବୁ? ଆକର୍ଷକ ହେଲେ ମନୁଷ୍ୟ ଆସିବେ । ବୈକୁଣ୍ଠକୁ ଯିବାର ରାସ୍ତା ତ ଏକ ସେକେଣ୍ଡରେ ବୁଝିବାର ରାସ୍ତା । ବାବା କହୁଛନ୍ତି ତମଃପ୍ରଧାନ ଆତ୍ମା ବୈକୁଣ୍ଠକୁ ଯାଇପାରିବେ ନାହିଁ । ନୂଆ ଦୁନିଆକୁ ଯିବା ପାଇଁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏଥିରେ କୌଣସି ଖର୍ଚ୍ଚ ନାହିଁ । ନା କୌଣସି ମନ୍ଦିର ଅଥବା ଚର୍ଚ୍ଚକୁ ଯିବାର ଆବଶ୍ୟକତା ରହିଛି । ୟାଦ କରି କରି ପବିତ୍ର ହୋଇ ସିଧା ଶାନ୍ତିଧାମକୁ ଚାଲିଯିବ । ମୁଁ ଗ୍ୟାରେଣ୍ଟି ଦେଉଛି ତୁମେ ଏପରି କଲେ ଅପବିତ୍ରରୁ ପବିତ୍ର ହୋଇପାରିବ । ଗୋଲା ଚିତ୍ରରେ ବଡ ଗେଟ୍ ରହିବା ଉଚିତ୍ । ସ୍ୱର୍ଗର ଗେଟ୍ କିପରି ଖୋଲୁଛି । କେତେ ପରିଷ୍କାର ଭାବରେ ରହିଛି । ନର୍କର ଗେଟ୍ ବନ୍ଦ ହେବାକୁ ଯାଉଛି । ସ୍ୱର୍ଗରେ ନର୍କର ନାମ ରହିବ ନାହିଁ । କୃଷ୍ଣଙ୍କୁ କେତେ ସ୍ମରଣ କରୁଛନ୍ତି । କିନ୍ତୁ ଏ କଥା କାହାକୁ ଜଣାନାହିଁ ଯେ ସେ କେବେ ଆସୁଛନ୍ତି, କିଛି ହେଲେ ଜାଣିନାହାଁନ୍ତି । ବାବାଙ୍କୁ ହିଁ ଜାଣିନାହାନ୍ତି । ଭଗବାନ ଆମକୁ ପୁନର୍ବାର ରାଜଯୋଗ ଶିଖାଉଛନ୍ତି - ଏ କଥାର ସ୍ମୃତି ରହିଲେ ମଧ୍ୟ କେତେ ଖୁସି ରହିବ । ଏହି ଖୁସି ମଧ୍ୟ ରହୁ ଯେ ମୁଁ ଗଡ୍ ଫାଦରଲୀ ଷ୍ଟୁଡେଣ୍ଟ୍ ଅର୍ଥାତ୍ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟେ । ଏହା ଭୁଲିବା ଅନୁଚିତ୍ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସାରାଦିନ ମୁଖରୁ ବାବା ବାବା ଶବ୍ଦ ବାହାରୁଥାଉ, ପ୍ରଦର୍ଶନୀ ଆଦି ବୁଝାଇବା ସମୟରେ, ମୁଖରୁ, ଅତି କମ୍‌ରେ ହଜାର ଥର ବାବା ବାବା ଶବ୍ଦ ବାହାରିବା ଉଚିତ୍ ।

(୨) ଏହି ଆଖି ଦ୍ୱାରା ସବୁକିଛି ଦେଖୁଥିଲେ ମଧ୍ୟ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହିଥାଉ, ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ସମୟରେ ତୃତୀୟ ନେତ୍ର ଦ୍ୱାରା ଆତ୍ମାକୁ ଏବଂ ଆତ୍ମାର ପିତାଙ୍କୁ ଦେଖିବାର ଅଭ୍ୟାସ କରିବାକୁ ହେବ ।

ବରଦାନ:-
ପ୍ରତ୍ୟେକ ସେକେଣ୍ଡ ଏବଂ ସଂକଳ୍ପକୁ ଅମୂଲ୍ୟ ରୀତିରେ ବ୍ୟତୀତ କରୁଥିବା ଅମୂଲ୍ୟ ରତ୍ନ ଭବ ।

ସଂଗମଯୁଗରେ ଗୋଟିଏ ସେକେଣ୍ଡର ମଧ୍ୟ ବହୁତ ଅଧିକ ମୂଲ୍ୟ ରହିଛି । ଯେପରି ଗୋଟିଏର ଲକ୍ଷ ଗୁଣା ପ୍ରାରବ୍ଧ ଜମା ହେଉଛି ସେହିପରି ଯଦି ଗୋଟିଏ ସେକେଣ୍ଡ ମଧ୍ୟ ବ୍ୟର୍ଥରେ ନଷ୍ଟ ହେଉଛି ତେବେ ଲକ୍ଷ ଗୁଣା ଜମା ବ୍ୟର୍ଥରେ ଚାଲିଯାଉଛି - ସେଥିପାଇଁ ସମୟ ଉପରେ ଯଦି ସେତିକି ଧ୍ୟାନ ଦେବ ତେବେ ଅବହେଳା ପଣିଆ ସମାପ୍ତ ହୋଇଯିବ । ଏବେ ତ କେହି ତୁମଠାରୁ ହିସାବ ନେବାବାଲା ନାହାଁନ୍ତି କିନ୍ତୁ ଆଉ ଅଳ୍ପ ସମୟ ପରେ ପଶ୍ଚାତାପ କରିବାକୁ ପଡିବ କାହିଁକି ନା ବର୍ତ୍ତମାନ ସମୟର ମୂଲ୍ୟ ବହୁତ ଅଧିକ ଅଟେ । ତେଣୁ ଯେଉଁମାନେ ନିଜର ପ୍ରତ୍ୟେକ ମୂହୁର୍ତ୍ତ, ପ୍ରତ୍ୟେକ ସଂକଳ୍ପକୁ ଅମୂଲ୍ୟ ରୀତିରେ ବ୍ୟତୀତ କରିଥାଆନ୍ତି ସେହିମାନେ ହିଁ ଅମୂଲ୍ୟ ରତ୍ନ ହୋଇଥାଆନ୍ତି ।

ସ୍ଲୋଗାନ:-
ଯେଉଁମାନେ ସର୍ବଦା ଯୋଗଯୁକ୍ତ ଅଟନ୍ତି ସେମାନେ ସର୍ବଦା ସହଯୋଗର ଅନୁଭବ କରିବା ସହିତ ବିଜୟୀ ହୋଇଯାଆନ୍ତି ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଆତ୍ମା ଶବ୍ଦ ସ୍ମୃତିରେ ଆସିବା ମାତ୍ରକେ ଆତ୍ମିକ ଭାବ ସୃଷ୍ଟି ହେବା ସହିତ ଶୁଭଭାବନା ମଧ୍ୟ ଆସିଯାଇଥାଏ । ଦୃଷ୍ଟି ମଧ୍ୟ ପବିତ୍ର ହୋଇଯାଏ । ଚାହେଁ କେହି ଯଦି ତୁମକୁ ଗାଳି ମଧ୍ୟ ଦେଉଛି ପୁଣି ବି ତୁମ ଭିତରେ ଏହି ସ୍ମୃତି ରହୁ ଯେ ଏହି ଆତ୍ମା ତମୋଗୁଣୀ ପାର୍ଟ କରୁଛି, ତେବେ ତା’ ପ୍ରତି ଘୃଣା ଭାବ ଆସିବ ନାହିଁ ଏବଂ ଶୁଭଭାବନା କାୟମ ରହିବ ।