28.07.24 Avyakt Bapdada Odia Murli 31.12.20 Om Shanti Madhuban
“ସଞ୍ଚୟର ଖାତା ଜମା କରି
ଅଖଣ୍ଡ ମହାଦାନୀ ହୁଅ”
ଆଜି ନବଯୁଗର ରଚୟିତା
ନିଜର ଅଧିକାରୀ ପିଲାମାନଙ୍କୁ ଦେଖୁଛନ୍ତି । ଆଜିର ଏହି ପୁରୁଣା ଯୁଗରେ ଏମାନେ ସାଧାରଣ ଅଟନ୍ତି
କିନ୍ତୁ କାଲିର ନୂଆ ଯୁଗରେ ଏମାନେ ରାଜ୍ୟ ଅଧିକାରୀ ପୂଜ୍ୟ ଆତ୍ମା ଅଟନ୍ତି । ତେଣୁ ଏହା ଆଜି ଏବଂ
କାଲିର ଖେଳ ଅଟେ । ଆଜି କ’ଣ ଅଛନ୍ତି ଏବଂ କାଲିକୁ କ’ଣ ହେବେ! ଯେଉଁମାନେ ଅନନ୍ୟ ଜ୍ଞାନୀ ତୁ
ଆତ୍ମା ପିଲାମାନେ ଅଛନ୍ତି ସେମାନଙ୍କ ସମ୍ମୁଖରେ ଆସନ୍ତା କାଲି ମଧ୍ୟ ସେତିକି ସ୍ପଷ୍ଟ ଅଟେ ଯେତିକି
ସୂକ୍ଷ୍ମ ଆଜି ଅଟେ । ତେବେ ତୁମେମାନେ ତ ଏଠାକୁ ନୂଆ ବର୍ଷ ପାଳନ କରିବା ପାଇଁ ଆସିଛ କିନ୍ତୁ
ବାପଦାଦା ନୂଆ ଯୁଗକୁ ଦେଖୁଛନ୍ତି । ନୂତନ ବର୍ଷ ପାଇଁ ତ ସମସ୍ତେ ନିଜ-ନିଜର ନୂଆ ଯୋଜନା
ପ୍ରସ୍ତୁତ କରି ରଖିଥିବେ । ଆଜି ତ ପୁରୁଣା ବର୍ଷର ସମାପ୍ତି ଦିବସ, ଏହି ଦିନ ଲୋକମାନେ ସାରା
ବର୍ଷର ଫଳାଫଳ ଦେଖିଥାଆନ୍ତି । ତେଣୁ ଆଜି ବାପଦାଦା ମଧ୍ୟ ପ୍ରତ୍ୟେକ ସନ୍ତାନର ସାରା ବର୍ଷର
ଫଳାଫଳ ଦେଖୁଥିଲେ । ତେବେ ବାପଦାଦାଙ୍କୁ ତ ଦେଖିବା ପାଇଁ ସମୟ ଲାଗେ ନାହିଁ । ତେଣୁ ଆଜି ବିଶେଷ
କରି ସବୁ ପିଲାଙ୍କର ଜମାର ଖାତାକୁ ଦେଖୁଥିଲୁ । ପୁରୁଷାର୍ଥ ତ ସବୁ ପିଲା କରିଛନ୍ତି, ଯୋଗ ମଧ୍ୟ
କରିଛନ୍ତି, ସେବା ମଧ୍ୟ କରିଛନ୍ତି, ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ଲୌକିକ ଏବଂ ଅଲୌକିକ ପରିବାର
ସହିତ ସମ୍ବନ୍ଧ ରକ୍ଷା କରିଛନ୍ତି କିନ୍ତୁ ଏହି ତିନୋଟି ଯାକ କଥାରେ ଜମାର ଖାତା କେତେ ହେଲା?
ଆଜି ସୂକ୍ଷ୍ମବତନରେ ବାପଦାଦା ଜଗଦମ୍ବାଙ୍କୁ ପ୍ରକଟ କରାଇଥିଲେ । (କାଶ ହେଲା) ଆଜି ବାଜା ଟିକିଏ
ଖରାପ ଅଛି, କିନ୍ତୁ ବଜାଇବାକୁ ତ ପଡିବ ନା । ତେଣୁ ବାପଦାଦା ଏବଂ ମମ୍ମା ଦୁହେଁ ମିଶି ସବୁ
ପିଲାଙ୍କର ସଞ୍ଚୟ ଖାତାକୁ ଦେଖୁଥିଲେ । ପିଲାମାନେ ସଞ୍ଚୟ କରି କେତେ ଜମା କରିଛନ୍ତି! ତେବେ କ’ଣ
ଦେଖିଲେ? କ୍ରମାନ୍ୱୟ ହିସାବରେ ତ ସମସ୍ତେ ଅଛନ୍ତି କିନ୍ତୁ ଜମାର ଖାତା ଯେତିକି ହେବା ଦରକାର ସେହି
ଅନୁସାରେ ଜମା କମ୍ ଥିଲା । ତେଣୁ ଜଗଦମ୍ବା ମା’ ପ୍ରଶ୍ନ ପଚାରିଲେ - ଯୋଗର ବିଷୟ ଉପରେ ଅନେକ
ପିଲାଙ୍କର ଲକ୍ଷ୍ୟ ମଧ୍ୟ ବହୁତ ଭଲ ଅଛି, ପୁରୁଷାର୍ଥ ମଧ୍ୟ ଭଲ ଅଛି, ପୁଣି ବି ଜମାର ଖାତା ଯେତିକି
ହେବା ଦରକାର ତା’ଠାରୁ କମ୍ କାହିଁକି ରହିଛି? ତେବେ ଅନେକ କଥା, ଅନେକ ବାର୍ତ୍ତାଳାପ ଚାଲିବା ପରେ
ଏହି ଫଳାଫଳ ବାହାରିଲା ଯେ ପିଲାମାନେ ଯୋଗର ଅଭ୍ୟାସ ତ ନିଶ୍ଚିତ କରୁଛନ୍ତି କିନ୍ତୁ ଯୋଗର
ସ୍ଥିତିର ମାନ ସାଧାରଣ ହେବା କାରଣରୁ ଜମାର ଖାତା ସାଧାରଣ ହିଁ ରହୁଛି । ଯୋଗ କରିବାର ଲକ୍ଷ୍ୟ
ମଧ୍ୟ ବହୁତ ଭଲ ରଖିଛନ୍ତି କିନ୍ତୁ ଯୋଗର ପରିଶ୍ରମ ହେଲା - ଯୋଗଯୁକ୍ତ ସ୍ଥିତି ଏବଂ ଯୁକ୍ତିଯୁକ୍ତ
ବାଣୀ ତଥା ଚାଲି ଚଳନ । ସେଥିରେ କମୀ ରହୁଥିବା କାରଣରୁ ଯୋଗ ଲଗାଇବା ସମୟରେ ଯୋଗଯୁକ୍ତ ଭଲ
ରହୁଛନ୍ତି କିନ୍ତୁ ଯୋଗୀର ଅର୍ଥ ହେଲା ଯୋଗୀ ଆତ୍ମାର ଜୀବନରେ ତା’ର ଯୋଗର ପ୍ରଭାବ ଦେଖାଯିବା
ଦରକାର, ସେଥିପାଇଁ ଜମାର ଖାତା କିଛି କିଛି ସମୟରେ ଜମା ହେଉଛି କିନ୍ତୁ ସବୁ ସମୟରେ ଜମା ହେଉ ନାହିଁ
। କର୍ମଧନ୍ଦା ଭିତରେ ଯୋଗର ମାତ୍ରା ସାଧାରଣ ହୋଇଯାଉଛି ଯାହା ଦ୍ୱାରା ଜମାର ଖାତା ବହୁତ କମ୍
ହେଉଛି ।
ଦ୍ୱିତୀୟରେ - ସେବା ବିଷୟରେ ବାର୍ତ୍ତାଳାପ ମଧ୍ୟ ଚାଲିଥିଲା । ସେବା ତ ବହୁତ କରୁଛନ୍ତି, ରାତି
ଦିନ ସେବାର ବ୍ୟସ୍ତତା ଭିତରେ ମଧ୍ୟ ରହୁଛନ୍ତି । ଯୋଜନା ମଧ୍ୟ ବହୁତ ଭଲ-ଭଲ କରୁଛନ୍ତି ଏବଂ
ସେବାରେ ବୃଦ୍ଧି ମଧ୍ୟ ବହୁତ ଭଲ ହେଉଛି ପୁଣି ବି ଅଧିକାଂଶ ପିଲାଙ୍କର ଜମାର ଖାତା କମ୍ କାହିଁକି
ଅଛି? ତେବେ ବାର୍ତ୍ତାଳାପ ଭିତରେ ଏହି ଫଳାଫଳ ବାହାରିଲା ଯେ ସେବା ତ ସମସ୍ତେ କରୁଛନ୍ତି, ନିଜକୁ
ବ୍ୟସ୍ତ ରଖିବାର ପୁରୁଷାର୍ଥ ମଧ୍ୟ ବହୁତ ଭଲ କରୁଛନ୍ତି । ତାହା ହେଲେ ପୁଣି କାରଣ କ’ଣ ରହୁଛି?
ତେବେ କାରଣ ଏହା ହିଁ ବାହାରିଲା ଯେ ସେବାର ବଳ ମଧ୍ୟ ମିଳୁଛି, ଫଳ ମଧ୍ୟ ମିଳୁଛି । ବଳ ହେଲା
ନିଜର ଆନ୍ତିରିକ ସନ୍ତୁଷ୍ଟତା ଏବଂ ଫଳ ହେଲା ଅନ୍ୟମାନଙ୍କର ସନ୍ତୁଷ୍ଟତା । ଯଦି ସେବା କରିଲ,
ସେଥିରେ ନିଜର ଶ୍ରମ ଏବଂ ସମୟ ମଧ୍ୟ ଲଗାଇଲ କିନ୍ତୁ ନିଜର ଆନ୍ତରିକ ସନ୍ତୁଷ୍ଟତା ଏବଂ
ଅନ୍ୟମାନଙ୍କର ସନ୍ତୁଷ୍ଟତା, ଚାହେଁ ତୁମର ସାଥୀ ସହଯୋଗୀ ହୋଇଥାଆନ୍ତୁ, ଚାହେଁ ଯେଉଁମାନଙ୍କର ସେବା
କରିଲ ସେମାନେ ନିଜର ହୃଦୟରେ ସନ୍ତୁଷ୍ଟତାର ଅନୁଭବ କରନ୍ତୁ, କେବଳ ବହୁତ ଭଲ, ବହୁତ ଭଲ କହି ଚାଲି
ଯାଆନ୍ତୁ । ତାହା ନୁହେଁ, କିନ୍ତୁ ସେମାନଙ୍କ ହୃଦୟରେ ସନ୍ତୁଷ୍ଟତାର ଏକ ତରଙ୍ଗର ଅନୁଭବ ହେଉ ।
କିଛି ମିଳିଗଲା, ବହୁତ କିଛି ଆମେ ଶୁଣିଲୁ - ଏହା ଅଲଗା କଥା । କିନ୍ତୁ କିଛି ମିଳିଲା ବା କିଛି
ପାଇଗଲୁ ଯାହାକୁ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି - ଗୋଟିଏ ହେଲା ବୁଦ୍ଧିରେ ଅର୍ଥାତ୍
ଦିମାଗରେ ତୀର ଲାଗିବା ଏବଂ ଆଉ ଗୋଟିଏ ହେଲା ଦିଲରେ ତୀର ଲାଗିବା ।
ଯଦି ସେବା କରିଲ ଏବଂ ସ୍ୱ-ର ଅର୍ଥାତ୍ ନିଜର ସନ୍ତୁଷ୍ଟତା, ନିଜକୁ ଖୁସି କରିବାର ସନ୍ତୁଷ୍ଟତା
ନୁହେଁ । ବହୁତ ଭଲ ହେଲା, ବହୁତ ଭଲ ହେଲା ତାହା ନୁହେଁ କିନ୍ତୁ ନିଜର ତଥା ସମସ୍ତଙ୍କର ହୃଦୟ
ସ୍ୱୀକାର କରୁ ଏବଂ ଆଉ ଗୋଟିଏ କଥା ହେଲା ଯେ ସେବା କରିଲ କିନ୍ତୁ ଯାହାର ଫଳାଫଳରେ ନିଜର ମେହନତର
ମହିମା ବା ମୁଁ କରିଛି... ମୁଁ କରିଛି... ଏହାକୁ ସ୍ୱୀକାର କରିନେଲ ତେବେ ସେବାର ଫଳକୁ ଖାଇଦେଲ ।
କିଛି ଜମା ହେଲା ନାହିଁ । ଯଦି ଭାବିବ ବାପଦାଦା କରାଇଛନ୍ତି, ବାପଦାଦାଙ୍କ ଆଡକୁ ସମସ୍ତଙ୍କର
ଧ୍ୟାନ ଆକର୍ଷିତ କରାଇଲ, ନିଜ ଆଡକୁ ନୁହେଁ । ଏହି ଭଉଣୀ ବହୁତ ଭଲ, ଏହି ଭାଇ ବହୁତ ଭଲ, ନା ।
ଏମାନଙ୍କର ବାପଦାଦା ବହୁତ ଭଲ ଅଟନ୍ତି, ଏହିଭଳି ଅନୁଭବ କରାଇ ପାରିଲ ତେବେ ଏହା ହିଁ ହେଉଛି ଜମାର
ଖାତାକୁ ବୃଦ୍ଧି କରିବା, ସେଥିପାଇଁ ଦେଖାଗଲା ଯେ ମୋଟ୍ ଫଳାଫଳରେ ମେହନତ ଅଧିକ ହେଉଛି, ସମୟ ଏବଂ
ଶକ୍ତି ମଧ୍ୟ ଅଧିକ ଲାଗୁଛି, କିନ୍ତୁ କିଛି-କିଛି ଶୋ ଅର୍ଥାତ୍ ଦେଖାଇ ହେବା ମଧ୍ୟ ଅଧିକ ରହିଛି
ସେଥିପାଇଁ ଜମାର ଖାତା କମ୍ ହୋଇଯାଉଛି । କିନ୍ତୁ ଜମା ଖାତାର ଚାବୀ ପ୍ରାପ୍ତ କରିବା ବହୁତ ସହଜ,
ତାହା ଏକ ହୀରାର ଚାବୀ । ତୁମେମାନେ ସେଥିରେ ସୁନାର ଚାବୀ ଲଗାଉଛ କିନ୍ତୁ ତାହା ହୀରାର ଚାବୀ ଅଟେ,
ତାହା ହେଲା “ନିମିତ୍ତ ଭାବ ଓ ନିର୍ମାଣ ଭାବ” । ଯଦି ପ୍ରତ୍ୟେକ ଆତ୍ମା ପ୍ରତି, ଚାହେଁ ସାଥୀ
ହୋଇଥାଆନ୍ତୁ, ଚାହେଁ ଯେଉଁ ଆତ୍ମାମାନଙ୍କର ସେବା କରୁଛ ସେମାନେ ହୁଅନ୍ତୁ, ଉଭୟ କ୍ଷେତ୍ରରେ ସେବା
କରିବା ସମୟରେ, ପୂର୍ବରୁ ବା ପରେ ନୁହେଁ, ସେବା କରିବା ସମୟରେ ଯଦି ନିମିତ୍ତ ଭାବ, ନିର୍ମାଣ ଭାବ,
ନିଃସ୍ୱାର୍ଥ ଶୁଭଭାବନା ଏବଂ ଶୁଭ ସ୍ନେହର ସ୍ମୃତି ଜାଗ୍ରତ ରହିବ ତେବେ ଜମାର ଖାତା ବଢି ବଢି
ଚାଲିବ ।
ତେବେ ବାପଦାଦା ଜଗଦମ୍ବା ମା’କୁ ଦେଖାଇଲେ ଯେ ଏହି ବିଧିରେ ସେବା କରୁଥିବା ଆତ୍ମାମାନଙ୍କର ଜମାର
ଖାତା କିପରି ବଢି ବଢି ଚାଲୁଛି! ବାସ୍, ଗୋଟିଏ ସେକେଣ୍ଡ ଭିତରେ ଅନେକ ଘଣ୍ଟାର ପୁଣ୍ୟ ଜମା
ହୋଇଯାଉଛି । ଯେପରି ଟିକ୍-ଟିକ୍-ଟିକ୍ ଯଦି ଖୁବ୍ ଜୋରରେ ଶୀଘ୍ର ଶୀଘ୍ର କରିବ, ଏହି ମେଶିନ୍
ମଧ୍ୟ ଠିକ୍ ସେହିଭଳି ଚାଲୁଛି । ତେଣୁ ଜଗଦମ୍ବା ମଧ୍ୟ ବହୁତ ଖୁସି ହେଉଥିଲେ ଯେ ଜମାର ଖାତା
ଅର୍ଥାତ୍ ସେବାର ପୂଣ୍ୟ ଜମା କରିବା ତ ବହୁତ ସହଜ ଅଟେ । ଶେଷରେ ଉଭୟଙ୍କଠାରୁ (ବାପଦାଦା ଏବଂ
ଜଗଦମ୍ବା) ଏହି ମତ ଆସିଲା ଯେ ଏବେ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି ତେବେ ଜମାର ଖାତାକୁ ଚେକ୍
କର ଯେ ସାରା ଦିନ ଭିତରେ ହୁଏତ କୌଣସି ଭୁଲ୍ କରିନାହିଁ କିନ୍ତୁ ସମୟ ଏବଂ ସଂକଳ୍ପ ଦ୍ୱାରା ସେବା
ଦ୍ୱାରା ତଥା ସମ୍ବନ୍ଧ-ସମ୍ପର୍କରେ ସ୍ନେହ ଏବଂ ସନ୍ତୁଷ୍ଟତା ଦ୍ମାରା ଜମା କେତେ କରିଛି? କେତେକ
ପିଲା କେବଳ ଏତିକି ଚେକ୍ କରିନେଉଛନ୍ତି ଯେ ଆଜି ମୋ ଦ୍ୱାରା କୌଣସି ଖରାପ କାର୍ଯ୍ୟ ହୋଇନାହିଁ ତ?
କାହାକୁ ଦୁଃଖ ଦେଇ ନାହିଁ ତ? କିନ୍ତୁ ଏବେ ଏହି କଥା ଚେକ୍ କର ଯେ ସାରା ଦିନ ଭିତରେ ଶ୍ରେଷ୍ଠ
ସଂକଳ୍ପ ରୂପୀ ସମ୍ପତ୍ତି କେତେ ଜମା କରିଛ? ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ସେବା କରିବାର ପୂଣ୍ୟ ବା
ଖାତା କେତେ ଜମା ହେଲା? କେତେ ଆତ୍ମାଙ୍କୁ କୌଣସି ବି କାର୍ଯ୍ୟ ଦ୍ୱାରା - କେତେ ସୁଖ ଦେଉଛି? ଯୋଗ
ତ କରିଛି କିନ୍ତୁ ଯୋଗର ସ୍ଥିତିର ଗଭୀରତା କେଉଁ ପ୍ରକାରର ଥିଲା? ଆଜି ଦିନରେ ଆଶୀର୍ବାଦର ଅଥବା
ଦୁଆର ଖାତା କେତେ ଜମା କରିଛି?
ତେବେ ଏହି ନୂତନ ବର୍ଷରେ କ’ଣ ସବୁ କରିବ? ଯାହା ବି କରୁଛ ଚାହେଁ ମନ ଦ୍ୱାରା ଚାହେଁ ବାଣୀ ଦ୍ୱାରା,
ଚାହେଁ କର୍ମଣା ଦ୍ୱାରା କିନ୍ତୁ ସମୟର ସମୀପତା ଅନୁସାରେ ମନ ଭିତରେ ସର୍ବଦା ଏହି ଧୁନ୍ ଅର୍ଥାତ୍
ଲଗନ ଲାଗି ରହୁ ଯେ - ମୋତେ ଅଖଣ୍ଡ ମହାଦାନୀ ହେବାକୁ ପଡିବ । କେବଳ ମହାଦାନୀ ନୁହେଁ । ଅଖଣ୍ଡ
ମହାଦାନୀ । ମନ ଦ୍ୱାରା ଶକ୍ତିର ଦାନ, ବାଣୀ ଦ୍ୱାରା ଜ୍ଞାନର ଦାନ ଏବଂ ନିଜର କର୍ମ ଦ୍ୱାରା ଗୁଣର
ଦାନ । ଆଜିକାଲି ଦୁନିଆରେ ଚାହେଁ ବ୍ରାହ୍ମଣ ପରିବାରର ଦୁନିଆ ହେଉ ବା ଅଜ୍ଞାନୀ ଆତ୍ମାମାନଙ୍କର
ଦୁନିଆ ହେଉ, ଆଉ କେହି କିଛି ଶୁଣିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଦେଖିବାକୁ ଚାହୁଁଛନ୍ତି ।
ଦେଖିକରି କରିବାକୁ ଚାହୁଁଛନ୍ତି । କିନ୍ତୁ ତୁମମାନଙ୍କୁ ସହଜ କାହିଁକି ହେଉଛି? କାହିଁକି ନା
ତୁମେମାନେ ବ୍ରହ୍ମାବାବାଙ୍କୁ କର୍ମ ଦ୍ୱାରା ଗୁଣଦାନ ମୂରତ ରୂପରେ ଦେଖିଛ । ତେବେ ସମସ୍ତେ
ଜ୍ଞାନର ଦାନ ତ ନିଶ୍ଚିତ କରୁଛ କିନ୍ତୁ ଏହି ବର୍ଷ ବିଶେଷ ଭାବରେ ଧ୍ୟାନ ରଖ ଯେ - ପ୍ରତ୍ୟେକ
ଆତ୍ମାକୁ ଗୁଣଦାନ ଅର୍ଥାତ୍ ନିଜର ଜୀବନରେ ଦିବ୍ୟଗୁଣର ଧାରଣା ଦ୍ୱାରା ସହଯୋଗ ଦେବାକୁ ହେବ ।
ବ୍ରାହ୍ମଣ ଆତ୍ମାମାନଙ୍କୁ ତ ଦାନ କରିପାରିବ ନାହିଁ ନା, ତେଣୁ ସହଯୋଗ ଦିଅ । ଯାହାବି ହେଉଯାଉ,
ଯିଏ ଯେତେ ବି ଅବଗୁଣ ଧାରୀ ହୋଇଥାଉ ନା କାହିଁକି ମୋତେ ନିଜର ଜୀବନ ଦ୍ୱାରା, କର୍ମ ଦ୍ୱାରା,
ସମ୍ପର୍କ ଦ୍ୱାରା, ଗୁଣ ଦାନ କରିବାକୁ ହିଁ ହେବ ଅର୍ଥାତ୍ ସହଯୋଗୀ ହେବାକୁ ପଡିବ, ଏଥିରେ ଅନ୍ୟ
କାହାକୁ ଦେଖିବାର ନାହିଁ, ଇଏ କରୁ ନାହିଁ, ମୁଁ କିପରି କରିବି, ଇଏ ବି ତ ଏହିଭଳି ଅଟେ କିନ୍ତୁ
ବ୍ରହ୍ମାବାବା କେବଳ ଶିବବାବାଙ୍କୁ ହିଁ ଦେଖିଥିଲେ । ତେଣୁ ତୁମମାନଙ୍କୁ ଯଦି କାହାକୁ ଦେଖିବାର
ଅଛି ତେବେ ବ୍ରହ୍ମାବାବାଙ୍କୁ ଦେଖ । ଏଥିରେ ଅନ୍ୟ କାହାକୁ ନ ଦେଖି ଏହି ଗୋଟିଏ ଲକ୍ଷ୍ୟ ରଖ ଯେ
ବ୍ରହ୍ମାବାବାଙ୍କର ଯେଉଁ ସ୍ଳୋଗାନ ଥିଲା - ଯୋ ଓଟେ ସୋ ଅର୍ଜୁନ ଅର୍ଥାତ୍ ଯିଏ ନିଜକୁ ନିମିତ୍ତ
କରିବ ସେ ନମ୍ବରୱାନ ଅର୍ଜୁନ ହୋଇଯିବ । ବ୍ରହ୍ମାବାବା ନମ୍ବରୱାନ ଅର୍ଜୁନ ହେଲେ ନା । ଯଦି ଅନ୍ୟ
କାହାକୁ ଦେଖି କରିବ ତେବେ ନମ୍ବରୱାନ ହୋଇପାରିବ ନାହିଁ । କ୍ରମାନ୍ୱୟରେ ଆସିଯିବ, ପ୍ରଥମ ନମ୍ବରରେ
ଆସିପାରିବ ନାହିଁ । କିନ୍ତୁ ଯେତେବେଳେ ହାତ ଉଠାଉଛ ସେତେବେଳେ ସମସ୍ତେ ନମ୍ବର ୱାନରେ ହାତ ଉଠାଉଛ
ନା । ତେଣୁ ଏବେ କେଉଁ ଲକ୍ଷ୍ୟ ରଖିବ? ଅଖଣ୍ଡ ଏବଂ ଅଟଳ ମହାଦାନୀ । ଯିଏ ଯେତେ ବି ହଲଚଲ୍ କରିବାକୁ
ଚେଷ୍ଟା କରୁ କିନ୍ତୁ ହଲିବାର ନାହିଁ । ସମସ୍ତେ ପରସ୍ପରକୁ ମଧ୍ୟ କହୁଛନ୍ତି ସମସ୍ତେ ତ ଏହିଭଳି
ଅଟନ୍ତି ତେଣୁ ତୁମେ ନିଜକୁ କାହିଁକି କଷ୍ଟ ଦେଉଛ, ତୁମେ ବି ଆମ ସହିତ ମିଶିଯାଅ କାରଣ ଦୁର୍ବଳ
କରିବାବାଲା ସାଥୀ ତୁମକୁ ବହୁତ ମିଳିବେ କିନ୍ତୁ ବାପଦାଦାଙ୍କୁ ସାହସ ଏବଂ ଉତ୍ସାହ ବଢାଉଥିବା ସାଥୀ
ଦରକାର । ତେଣୁ ବୁଝିପାରିଲ କ’ଣ କରିବ? ସେବା କର କିନ୍ତୁ ଜମାର ଖାତାକୁ ବଢାଇବା ସହିତ ସେବା କର,
ଖୁବ୍ ସେବା କର । ପ୍ରଥମେ ନିଜ ସେବା, ତା’ପରେ ସମସ୍ତଙ୍କର ସେବା । ଆଉ ଗୋଟିଏ କଥା ମଧ୍ୟ ବାପଦାଦା
ଦେଖୁଛନ୍ତି, ଶୁଣାଇବୁ ତ?
ଆଜି ଚନ୍ଦ୍ରମା ଏବଂ ସୂର୍ଯ୍ୟର ମିଳନ ଥିଲା ନା । ତେଣୁ ଜଗଦମ୍ବା ମା’ କହିଲେ ଆଡଭାନ୍ସ ପାର୍ଟୀ
ଆଉ କେତେ ଦିନ ଅପେକ୍ଷା କରିବ? କାହିଁକି ନା ତୁମେମାନେ ଯେତେବେଳେ ଆଡଭାନ୍ସ ସ୍ଥିତିକୁ ପ୍ରାପ୍ତ
କରିନେବ ସେତେବେଳେ ଯାଇ ଆଡଭାନ୍ସ ପାର୍ଟିଙ୍କର କାର୍ଯ୍ୟ ଶେଷ ହେବ । ତେଣୁ ଜଗଦମ୍ବା ଆଜି
ବାପଦାଦାଙ୍କୁ ବହୁତ ଧୀର କଣ୍ଠରେ, ବଡ କାଇଦାର ସହିତ ଗୋଟିଏ କଥା କହିଲେ, ମୁଁ ମଧ୍ୟ ଚକ୍ର ଲଗାଉଛି
। ମଧୁବନରେ ମଧ୍ୟ ଚକ୍ର ଲଗାଉଛି ଏବଂ ସେଣ୍ଟର ଗୁଡିକର ମଧ୍ୟ ଚକ୍ର ଲଗାଉଛି । ତେଣୁ ହସ-ହସରେ,
ଯେଉଁମାନେ ବି ଜଗଦମ୍ବାଙ୍କୁ ଦେଖିଛନ୍ତି ସେମାନଙ୍କୁ ଜଣା ଅଛି ଯେ କିପରି ହସ-ହସରେ ସଂକେତ ଦେଇ
ଦେଉଥିଲେ, ସିଧା ସିଧା କହୁ ନ ଥିଲେ । ତେଣୁ ସେ କହିଲେ ଆଜିକାଲି ଗୋଟିଏ ବିଶେଷତା ଅଧିକ ଦେଖିବାକୁ
ମିଳୁଛି । ତାହା କ’ଣ ଜାଣିଛନ୍ତି! ସେ କହିଲେ ଯେ ଆଜିକାଲି ଅବହେଳାପଣିଆ ବହୁତ ପ୍ରକାରର ଆସିଗଲାଣି
। କାହା ଭିତରେ କେଉଁ ପ୍ରକାରର ତ ଆଉ କାହା ଭିତରେ ଆଉ କେଉଁ ପ୍ରକାରର ଅବହେଳା ପଣିଆ ରହିଛି ।
ହୋଇଯିବ, କରିନେବୁ.... ଅନ୍ୟମାନେ ବି ତ କରୁଛନ୍ତି ତେଣୁ ମୁଁ ବି ମଧ୍ୟ କରିନେବି.... ଏମିତି ତ
ନିଶ୍ଚିତ ହେବ, ସବୁ ଚଳିଯିବ.... ଏହିଭଳି ଅବହେଳା ପଣିଆର ଭାଷା ସଂକଳ୍ପ ଭିତରେ ତ ନିଶ୍ଚିତ ଅଛି
କିନ୍ତୁ ବାଣୀରେ ମଧ୍ୟ ଆସିଗଲାଣି । ତେଣୁ ବାପଦାଦା କହିଲେ ଏଥିପାଇଁ ଏହି ନୂତନ ବର୍ଷରେ
ପିଲାମାନଙ୍କ ପାଇଁ କିଛି ଉପାୟ ଶୁଣାଅ । ତେବେ ତୁମ ସମସ୍ତଙ୍କୁ ତ ଜଣା ଅଛି ଯେ ଜଗଦମ୍ବା
ମା’ଙ୍କର ଗୋଟିଏ ଧାରଣାର ସ୍ଳୋଗାନ ଯାହାକୁ ସେ ସର୍ବଦା ଶୁଣାଉଥିଲେ, ମନେ ଅଛି ତାହା କ’ଣ? କାହାର
ମନେ ଅଛି? (ହୁକୁମୀ ହୁକୁମ ଚଲାଏ ରହା....) ତେଣୁ ଜଗଦମ୍ବା କହିଲେ ଯଦି ଏହି ଧାରଣାଟିକୁ ସମସ୍ତେ
ଆପଣାଇ ନେବେ ଯେ ଆମକୁ ବାପଦାଦା ହିଁ ଚଲାଉଛନ୍ତି, ତାଙ୍କ ହୁକୁମରେ ଆମେ ପ୍ରତ୍ୟେକ ପାଦ ଚାଲୁଛୁ
। ଯଦି ଏହି କଥା ସ୍ମୃତିରେ ରହିବ ତେବେ ଆମକୁ ଚଲାଇଲାବାଲା ସିଧାସଳଖ ଭାବରେ ବାବା ହୋଇଗଲେ । ତେଣୁ
ତୁମର ଦୃଷ୍ଟି ଆଉ କେଉଁ ଆଡକୁ ଯିବ? ଚାଲିବାବାଲାର ଦୃଷ୍ଟି ଚଲାଇବାବାଲା ଆଡକୁ ହିଁ ଯିବ, ଅନ୍ୟ
ଆଡକୁ ନୁହେଁ । ତେଣୁ ଏଠାରେ ନିର୍ଦ୍ଦେଶକର୍ତ୍ତା ବାବା ମୋତେ ନିମିତ୍ତ କରି କାର୍ଯ୍ୟ କରାଉଛନ୍ତି,
ଚଲାଉଛନ୍ତି, ଦାୟି ସେ ନିଜେ ଅଟନ୍ତି । ତେଣୁ ସେବାରେ ଯେଉଁ ସବୁ ମୁଣ୍ଡପିଟିବାକୁ ପଡୁଛି ସେଥିରୁ
ସର୍ବଦା ହାଲୁକା ରହିବ, ଯେପରିକି ରୁହେ ଗୁଲାବ ଅର୍ଥାତ୍ ଗୋଲାପ ଫୁଲ । ବୁଝିପାରିଲ, କ’ଣ କରିବ?
ଅଖଣ୍ଡ ମହାଦାନୀ ହୁଅ, ଆଚ୍ଛା!
ତେବେ ନୂତନ ବର୍ଷ ପାଳନ କରିବା ପାଇଁ ତ ସମସ୍ତେ ଧାଇଁ ଧାଇଁ ଆସି ପହଞ୍ଚି ଯାଇଛନ୍ତି । ଭଲ କଥା,
ହାଉସ୍ ଫୁଲ୍ ହୋଇଯାଇଛି । ଆଚ୍ଛା ପାଣି ତ ମିଳୁଛି ନା! ମିଳିଛି ନା ପାଣି? ପୁଣି ବି ପାଣି ପାଇଁ
ଯେଉଁମାନେ ମେହନତ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ଏତେ ହଜାର ପିଲାଙ୍କ ପାଇଁ ପାଣି ଯୋଗାଇଦେବା,
ଦୁଇ-ଚାରି ବାଲଟୀର କଥା ତ ନୁହେଁ ନା! ଠିକ୍ ଅଛି କାଲିଠାରୁ ତ ଫେରିବାର ମେଳା ଆରମ୍ଭ ହୋଇଯିବ
ତେଣୁ ସମସ୍ତେ ଆରାମରେ ରହିଛ ତ? ଝଡ ତୋଫାନ ଟିକିଏ ପରୀକ୍ଷା ନେଇଛି । ଅଳ୍ପ ଅଳ୍ପ ପବନ ମଧ୍ୟ
ହୋଇଛି । ସମସ୍ତେ ଠିକରେ ରହିଛ ତ? ପାଣ୍ଡବମାନେ ଠିକ୍ ଭାବରେ ଅଛନ୍ତି ତ? ତେବେ କୁମ୍ଭମେଳା ଠାରୁ
ତ ଭଲ ଅଛ ନା, ଯାହା ବି ହେଉ ତିନି ପାଦ ଭୂମି ତ ମିଳିଛି ନା । ଯଦିଓ ଖଟ ମିଳିନାହିଁ କିନ୍ତୁ
ତିନିପାଦ ଭୁମି ତ ମିଳିଛି ନା! ତେଣୁ ଏହି ନୂତନ ବର୍ଷରେ ଚାରିଆଡର ପିଲାମାନେ, ବିଦେଶରେ ମଧ୍ୟ
ଦେଖୁଛନ୍ତି ଏବଂ ଦେଶ ଭିତରେ ମଧ୍ୟ ଦେଖୁଛନ୍ତି କିନ୍ତୁ ବୁଦ୍ଧି ଦ୍ୱାରା ଦେଖୁଛନ୍ତି ଏବଂ କାନ
ଦ୍ୱାରା ଶୁଣୁଛନ୍ତି । ମଧୁବନରେ ମଧ୍ୟ ଦେଖୁଛନ୍ତି । ମଧୁବନ ନିବାସୀମାନେ ଯଜ୍ଞ ରକ୍ଷକ ହୋଇ
ସେବାର ପାର୍ଟ କରୁଛନ୍ତି, ବହୁତ ଭଲ କଥା । ବାପଦାଦା ଦେଶ ବା ବିଦେଶବାଲାଙ୍କ ସହିତ ମଧୁବନ
ନିବାସୀମାନଙ୍କୁ ମଧ୍ୟ ଯେଉଁମାନେ ସେବାର ନିମିତ୍ତ ଅଟନ୍ତି ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି
। ଆଚ୍ଛା! ବାକି ତ କାର୍ଡ ମଧ୍ୟ ବହୁତ ଆସିଛି । ତୁମେମାନେ ମଧ୍ୟ ଦେଖୁଛ ନା, ବହୁତ କାର୍ଡ ଆସିଛି
। କାର୍ଡ ଆସିବା ମଧ୍ୟ କୌଣସି ବଡ କଥା ନୁହେଁ କିନ୍ତୁ ଏହା ଭିତରେ ପିଲାମାନଙ୍କର ହୃଦୟର ସ୍ନେହ
ଲୁଚି ରହିଛି । ତେବେ ବାପଦାଦା କାର୍ଡର ସୌନ୍ଦର୍ଯ୍ୟକୁ ଦେଖୁ ନାହାଁନ୍ତି କିନ୍ତୁ ତା’ ଭିତରେ
କେତେ ମୂଲ୍ୟବାନ ଦିଲ୍ର ସ୍ନେହ ଭରି ରହିଛି ତାକୁ ଦେଖୁଛନ୍ତି । ତେଣୁ ସମସ୍ତେ ନିଜ ନିଜର
ଅନ୍ତରର ସ୍ନେହ ପଠାଇଛନ୍ତି । ତେଣୁ ଏହିଭଳି ସ୍ନେହୀ ଆତ୍ମାମାନଙ୍କୁ ବିଶେଷ କରି ଜଣ ଜଣଙ୍କର ନାମ
ତ ନେବେ ନାହିଁ ନା! କିନ୍ତୁ ବାପଦାଦା କାର୍ଡ ବଦଳରେ ଏହିଭଳି ପିଲାମାନଙ୍କୁ ସ୍ନେହଭରା ରିଗାର୍ଡ
ଦେଉଛନ୍ତି ଅର୍ଥାତ୍ ସମ୍ମାନ ଦେଉଛନ୍ତି । ସ୍ନେହପୂର୍ଣ୍ଣ ପତ୍ର, ଟେଲିଫୋନ୍, କମ୍ପ୍ୟୁଟର, ଇମେଲ୍,
ଯାହା ବି ସବୁ ସାଧନ ରହିଛି ସେହି ସମସ୍ତ ସାଧନଗୁଡିକ ଦ୍ୱାରା ପହଞ୍ଚିବା ପୂର୍ବରୁ ସଂକଳ୍ପ ଦ୍ୱାରା
ହିଁ ବାପଦାଦାଙ୍କ ନିକଟରେ ପହଞ୍ଚିଯାଉଛି । ତା’ପରେ ତୁମର କମ୍ପ୍ୟୁଟର ଦ୍ୱାରା ବା ଇମେଲ ଦ୍ୱାରା
ଆସୁଛି ତେବେ ପିଲାମାନଙ୍କର ସ୍ନେହ ସବୁ ସମୟରେ ବାପଦାଦାଙ୍କ ପାଖରେ ପହଞ୍ଚିବାରେ ହିଁ ଲାଗିଛି ।
କିନ୍ତୁ ଆଜି ବିଶେଷ କରି ନୂତନ ବର୍ଷରେ କେତେକ ପିଲା ନିଜର ଯୋଜନା ସବୁ ଲେଖି ପଠାଇଛନ୍ତି,
ପ୍ରତିଜ୍ଞା ସବୁ ମଧ୍ୟ କରିଛନ୍ତି, ବିତିଯାଇଥିବା କଥାକୁ ବିତି କରିଦେଇ ଆଗକୁ ବଢିବାର ସାହସ ମଧ୍ୟ
ରଖିଛନ୍ତି । ତେଣୁ ସମସ୍ତଙ୍କୁ ବାପଦାଦା କହୁଛନ୍ତି ବହୁତ ବହୁତ ସାବାସ ପିଲାମାନେ, ସାବାସ୍ ।
ତେବେ ତୁମେ ସମସ୍ତେ ଖୁସି ତ ହେଉଛ ନା! ସେମାନେ ମଧ୍ୟ ଖୁସି ହେଉଛନ୍ତି । ଏବେ ତ ବାପଦାଦାଙ୍କର
ଦିଲ୍ର ଆଶା ଏହା ଯେ - “ଦାତାଙ୍କର ସନ୍ତାନ ହିସାବରେ ସବୁ ପିଲା ଦାତା ହୋଇଯାଅ ।” କିଛି ବି ମାଗ
ନାହିଁ, ଏହା ମିଳିବା ଦରକାର, ଏହା ହେବା ଦରକାର, ଏହା କରିବା ଦରକାର । ନା ଦାତା ହୁଅ, ପରସ୍ପରକୁ
ଆଗକୁ ବଢାଇବାରେ ଉଦାର ହୃଦୟ ହୁଅ । ବାପଦାଦାଙ୍କୁ ଛୋଟମାନେ କହୁଛନ୍ତି ଯେ ଆମକୁ ବଡମାନଙ୍କର
ସ୍ନେହ ଦରକାର କିନ୍ତୁ ବାବା ଛୋଟମାନଙ୍କୁ କହୁଛନ୍ତି ବଡମାନଙ୍କୁ ସମ୍ମାନ ଦିଅ ତେବେ ସ୍ନେହ
ନିଶ୍ଚିତ ମିଳିବ । କାରଣ ସମ୍ମାନ ଦେବା ହିଁ ସମ୍ମାନ ନେବା । ସମ୍ମାନ ମଧ୍ୟ ଖାଲିରେ ମିଳିବ ନାହିଁ,
ଦେଲେ ଯାଇ ମିଳିବ । ଯେବେକି ତୁମମାନଙ୍କର ଜଡ ଚିତ୍ର ଗୁଡିକ କେବଳ ଦେଉଛନ୍ତି କାରଣ ଦେବତାର ଅର୍ଥ
ହିଁ ହେଉଛି ଦେବାବାଲା । ଦେବୀର ଅର୍ଥ ହେଲା ଦେବାବାଲା । ତେଣୁ ସବୁ ଚୈତନ୍ୟ ଦେବୀ-ଦେବତାମାନେ
ଦାତା ହୋଇ ସମସ୍ତଙ୍କୁ ଦିଅ । ଯଦି ସମସ୍ତେ ଦେବାବାଲା ଦାତା ହୋଇଯିବ ତେବେ ନେବାବାଲା ତ ଶେଷ
ହୋଇଯିବେ ନା! ତା’ପରେ ଚାରିଆଡେ ସନ୍ତୁଷ୍ଟତାର ଆତ୍ମିକ ଗୋଲାପମାନଙ୍କର ସୁଗନ୍ଧ ବିଚ୍ଛୁରିତ
ହୋଇଯିବ । ଶୁଣିପାରିଲ?
ତେଣୁ ନୂତନ ବର୍ଷରେ ନା ତ ପୁରୁଣା ଭାଷା ଶୁଣାଇବାର ଅଛି, ଯଦି କେହି କେହି ପୁରୁଣା ଭାଷା ମଧ୍ୟ
ଶୁଣାଉଛନ୍ତି ତେବେ ଶୁଣିବାକୁ ଆଦୌ ଭଲ ଲାଗୁନାହିଁ, ତେଣୁ ପୁରୁଣା ବାଣୀ, ପୁରୁଣା ଚାଲି ଚଳନ,
କୌଣସି ବି ପୁରୁଣା ଅଭ୍ୟାସର ବଶୀଭୂତ ହେବାର ନାହି । ସବୁ କଥାରେ ନିଜକୁ ପଚାରିବାକୁ ହେବ ଯେ ଏହା
ନୂଆ ଅଟେ ତ! ମୁଁ ନୂଆ କ’ଣ କରିଛି? ବାସ୍, କେବଳ ଏକବିଂଶ ଶତାଦ୍ଦୀର ଉତ୍ସବ ପାଳନ କରିବାର ଅଛି,
୨୧ ଜନ୍ମର ସମ୍ପତ୍ତି ଏହି ଏକବିଂଶ ତମ ଶତାଦ୍ଦୀରେ ହିଁ ପ୍ରାପ୍ତ କରିବାକୁ ହେବ ।
ଚାରିଆଡର ନବଯୁଗର ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସବୁ ପିଲାମାନଙ୍କୁ, ଯେଉଁମାନେ ବି ସର୍ବଦା
ପ୍ରତିପାଦରେ ପଦ୍ମର ରୋଜଗାର ଜମା କରୁଥିବା ଆତ୍ମାମାନେ ଅଛନ୍ତି । ସର୍ବଦା ନିଜକୁ
ବ୍ରହ୍ମାବାବାଙ୍କ ସମାନ ସମସ୍ତଙ୍କ ସମ୍ମୁଖରେ ନିଜେ ସାମ୍ପୂଲ୍ ଅର୍ଥାତ୍ ନମୁନା ହୋଇ ପୁରୁଷାର୍ଥକୁ
ସିମ୍ପୁଲ୍ ଅର୍ଥାତ୍ ସହଜ କରୁଥିବା ଆତ୍ମାମାନଙ୍କୁ, ସର୍ବଦା ନିଜ ଜୀବନରେ ସର୍ବଗୁଣକୁ ପ୍ରତ୍ୟକ୍ଷ
କରି ଅନ୍ୟମାନଙ୍କୁ ଗୁଣବାନ କରୁଥିବା, ସର୍ବଦା ଅଖଣ୍ଡ ମହାଦାନୀ, ମହାସହଯୋଗୀ ଆତ୍ମାମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ । ଏହି ସମୟ ପୁରୁଣା ବର୍ଷ ଏବଂ ନୂତନ
ବର୍ଷର ସଂଗମ ସମୟ ଅଟେ । ସଂଗମର ଅର୍ଥ ହେଲା ପୁରୁଣା ସମାପ୍ତ ହୋଇ ନୂଆ ଆରମ୍ଭ ହେବାର ସମୟ ।
ଯେପରି ବେହଦର ସଂଗମ ଯୁଗରେ ତୁମେ ସମସ୍ତେ ବ୍ରାହ୍ମଣ ଆତ୍ମାମାନେ ବିଶ୍ୱ ପରିବର୍ତ୍ତନ କରିବାର
ନିମିତ୍ତ ଅଟ, ସେହିପରି ଆଜିର ଏହି ପୁରୁଣା ବର୍ଷ ଏବଂ ନୂତନ ବର୍ଷର ସଂଗମ ସମୟରେ ମଧ୍ୟ
ସ୍ୱପରିବର୍ତ୍ତନର ସଂକଳ୍ପକୁ ଦୃଢ କରିଛ ଏବଂ କରିବାକୁ ହିଁ ହେବ । ଯାହା ସବୁ କୁହାଗଲା ସେହି
ଅନୁସାରେ ଅଟଳ ଅଖଣ୍ଡ ମହାଦାନୀ ହେବାକୁ ହିଁ ପଡିବ । ଦାତାଙ୍କର ସନ୍ତାନମାନଙ୍କୁ ମାଷ୍ଟର ଦାତା
ହେବାକୁ ହିଁ ପଡିବ । ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ପୁରୁଣା ଦୁନିଆ ପ୍ରତି ରହିଥିବା
ଆକର୍ଷଣ ଏବଂ ପୁରୁଣା ସ୍ୱଭାବ ସଂସ୍କାରକୁ ବିଦାୟ ଦେଇ ନୂଆ ଏବଂ ଶ୍ରେଷ୍ଠ ସଂସ୍କାରଗୁଡିକୁ ଆବାହନ
କରିବାକୁ ହେବ । ତେଣୁ ସମସ୍ତଙ୍କୁ ଅର୍ବ-ଖର୍ବ ଗୁଣା ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।
ବରଦାନ:-
ପ୍ରାପ୍ତି
ସ୍ୱରୂପ ହୋଇ କାହିଁକି କ’ଣର ପ୍ରଶ୍ନଠାରୁ ଉର୍ଦ୍ଧ୍ୱରେ ରହୁଥିବା ସର୍ବଦା ପ୍ରସନ୍ନଚିତ୍ତ ଆତ୍ମା
ହୁଅ ।
ଯେଉଁମାନେ ପ୍ରାପ୍ତି
ସ୍ୱରୂପ ସମ୍ପନ୍ନ ଆତ୍ମା ସେମାନଙ୍କର କେବେ ବି କୌଣସି କଥାରେ ପ୍ରଶ୍ନ ଉତ୍ପନ୍ନ ହୋଇ ନ ଥାଏ ।
ତେଣୁ ସେମାନଙ୍କର ଚେହେରାରେ ଏବଂ ଚାଲିଚଳନରେ ସର୍ବଦା ପ୍ରସନ୍ନତାର ବ୍ୟକ୍ତିତ୍ୱ ଦେଖାଯାଇଥାଏ,
ଏହାକୁ ହିଁ ସନ୍ତୁଷ୍ଟତା କୁହାଯାଏ । ଯଦି ପ୍ରସନ୍ନତା କମ ରହୁଛି ତେବେ ତା’ର କାରଣ ହେଲା
ପ୍ରାପ୍ତି କମ୍ ହେଉଛି ଏବଂ ପ୍ରାପ୍ତି କମ୍ ହେବାର କାରଣ ହେଲା କୌଣସି ନା କୌଣସି ଇଚ୍ଛା ରହୁଛି ।
ଅନେକ ଗୁଡିଏ ସୂକ୍ଷ୍ମ ଇଚ୍ଛା ଆତ୍ମାକୁ ଅପ୍ରାପ୍ତି ଆଡକୁ ଟାଣି ନେଉଛି, ସେଥିପାଇଁ ଅଳ୍ପକାଳର
ଇଚ୍ଛା ଗୁଡିକୁ ତ୍ୟାଗ କରି ପ୍ରାପ୍ତି ସ୍ୱରୂପ ଆତ୍ମା ହୁଅ, ତାହା ହେଲେ ସର୍ବଦା ପ୍ରସନ୍ନଚିତ୍ତ
ରହିବ ।
ସ୍ଲୋଗାନ:-
ଯଦି ସର୍ବଦା
ପରମାତ୍ମ ସ୍ନେହରେ ଲବଲୀନ ରହିବ ତେବେ ମାୟାର ଆକର୍ଷଣ ସମାପ୍ତ ହୋଇଯିବ ।