28.09.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯେତେବେଳେ ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ସତ୍ତ୍ୱପ୍ରଧାନ ହେବ ସେତେବେଳେ ଏହି ସବୁ ପ୍ରାକୃତିକ ଦୁର୍ବିପାକ ବା ବିନାଶର ବେଗ ବଢିବ ଏବଂ ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ ।”

ପ୍ରଶ୍ନ:-
କେଉଁ ଗୋଟିଏ ପୁରୁଷାର୍ଥ କରୁଥିବା ଆତ୍ମାମାନଙ୍କୁ ବାବାଙ୍କର ପୂରା ବର୍ସା ଅର୍ଥାତ୍ ସମ୍ପତ୍ତି ପ୍ରାପ୍ତ ହୋଇଥାଏ?

ଉତ୍ତର:-
ଯଦି ପୂରା ସମ୍ପତ୍ତି ନେବାକୁ ଚାହୁଁଛ ତେବେ ପ୍ରଥମେ ବାବାଙ୍କୁ ନିଜର ଉତ୍ତରାଧିକାରୀ କର ଅର୍ଥାତ୍ ଯାହାକିଛି ତୁମ ନିକଟରେ ଅଛି ସେଗୁଡିକୁ ବାବାଙ୍କୁ ସମର୍ପଣ କରିଦିଅ । ବାବାଙ୍କୁ ନିଜର ସନ୍ତାନ କରିଦିଅ ତେବେ ପୂରା ସମ୍ପତ୍ତିର ଅଧିକାରୀ ହୋଇଯିବ । (୨) ସମ୍ପୂର୍ଣ୍ଣ ପବିତ୍ର ହୋଇଯାଅ ତେବେ ମଧ୍ୟ ପୂରା ବର୍ସା ମିଳିଯିବ । ଯଦି ସମ୍ପୂର୍ଣ୍ଣ ପବିତ୍ର ନ ହେବ ତେବେ ଦଣ୍ଡ ଭୋଗ କରି ଅଳ୍ପ କିଛି ସମ୍ପତ୍ତି ଅର୍ଥାତ୍ ଛୋଟ-ମୋଟ ପଦ ପ୍ରାପ୍ତ କରିବ ।

ଓମ୍ ଶାନ୍ତି ।
ପିଲାମାନଙ୍କୁ କେବଳ ଗୋଟିଏ ସ୍ୱରୂପର ସ୍ମୃତିରେ ବସିବା ଉଚିତ୍ ନୁହେଁ । ତିନୋଟି ସ୍ୱରୂପର ସ୍ମୃତିରେ ବସିବା ଉଚିତ୍ । ଯଦିଓ ସିଏ ଜଣେ ଅଟନ୍ତି, କିନ୍ତୁ ତୁମେମାନେ ଜାଣିଛ ସିଏ ପିତା, ଶିକ୍ଷକ, ସଦ୍‌ଗୁରୁ ମଧ୍ୟ ଅଟନ୍ତି । ଆମ ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ ଆସିଛନ୍ତି, ଏହି ନୂଆ କଥା କେବଳ ତୁମେମାନେ ହିଁ ବୁଝୁଛ । ପିଲାମାନେ ଜାଣିଛନ୍ତି ଯେଉଁମାନେ ଭକ୍ତି ଶିଖାଉଛନ୍ତି, ଶାସ୍ତ୍ର ଶୁଣାଉଛନ୍ତି ସେମାନେ ସମସ୍ତେ ମନୁଷ୍ୟ । କିନ୍ତୁ ଏହାଙ୍କୁ ତ ମନୁଷ୍ୟ କୁହାଯିବ ନାହିଁ । ସିଏ ତ ନିରାକାର । ନିରାକାର ଆତ୍ମାମାନଙ୍କୁ ବସି ପାଠ ପଢାଉଛନ୍ତି । ଆତ୍ମା ଶରୀର ଦ୍ୱାରା ଶୁଣିଥାଏ, ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର । ଏବେ ତୁମେମାନେ ବେହଦ ବାବାଙ୍କର ସ୍ମୃତିରେ ବସିଛ । ବେହଦ ବାବା କହୁଛନ୍ତି - ଆତ୍ମିକ ପିଲାମାନେ, ମୋତେ ସ୍ମରଣ କରିଲେ ତୁମର ପାପ କଟିଯିବ । ଏଠାରେ ଶାସ୍ତ୍ର ଆଦିର କୌଣସି କଥା ନାହିଁ । ତୁମେମାନେ ଜାଣିଛ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି, କାରଣ ସିଏ ସର୍ବୋଚ୍ଚ ଶିକ୍ଷକ ଅଟନ୍ତି, ତେଣୁ ପଦ ମଧ୍ୟ ଉଚ୍ଚରୁ ଉଚ୍ଚ ପ୍ରାପ୍ତ କରାଉଛନ୍ତି । ଯେତେବେଳେ ତୁମେମାନେ ପୁରୁଷାର୍ଥର କ୍ରମାନୁସାରେ ସତ୍ତ୍ୱପ୍ରଧାନ ହୋଇଯିବ ସେତେବେଳେ ଲଢେଇ ଲାଗିବ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ତେଣୁ ଯୋଗ ମଧ୍ୟ ନିଶ୍ଚିତ କରିବାକୁ ହେବ । ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିବା ଦରକାର । ନୂଆ ଦୁନିଆ ସ୍ଥାପନା ପାଇଁ କେବଳ ଥରେ ମାତ୍ର ପୁରୁଷୋତ୍ତମ ସଂଗମ ଯୁଗରେ ବାବା ଆସି ବୁଝାଉଛନ୍ତି । ଛୋଟ ପିଲାମାନେ ମଧ୍ୟ ବାବାଙ୍କୁ ମନେ ପକାଉଛନ୍ତି । ତୁମେ ତ ବୁଦ୍ଧିମାନ ଅଟ, ଜାଣିଛ ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ବାବାଙ୍କଠାରୁ ଉଚ୍ଚ ପଦ ପାଇବ । ଏ କଥା ମଧ୍ୟ ତୁମେମାନେ ଜାଣିଛ ଏହି ଲକ୍ଷ୍ମୀ-ନାରାୟଣ ନୂଆ ଦୁନିଆରେ ଯେଉଁ ପଦ ପାଇଛନ୍ତି ତାହା ଶିବବାବାଙ୍କଠାରୁ ହିଁ ପାଇଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ପୁଣି ୮୪ ଜନ୍ମର ଚକ୍ର ଲଗାଇ ଏବେ ବ୍ରହ୍ମା-ସରସ୍ୱତୀ ହୋଇଛନ୍ତି । ଏହିମାନେ ହିଁ ପୁଣି ଲକ୍ଷ୍ମୀ-ନାରାୟଣ ହେବେ । ବର୍ତ୍ତମାନ ଏମାନେ ପୁରୁଷାର୍ଥ କରୁଛନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତୁମ ପାଖରେ ଅଛି । ଏବେ ତୁମେମାନେ ଅନ୍ଧଶ୍ରଦ୍ଧାର ସହିତ ଦେବତାମାନଙ୍କ ପାଖରେ ମୁଣ୍ଡ ନୂଆଁଇବ ନାହିଁ । ଦେବତାମାନଙ୍କ ଆଗରେ ମନୁଷ୍ୟମାନେ ଯାଇ ନିଜକୁ ପତିତ ବୋଲି ସିଦ୍ଧ କରୁଛନ୍ତି, କହୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ ଅଟନ୍ତି, ଆମେ ପାପୀ ବିକାରୀ ଅଟୁ, ଆମ ପାଖରେ କୌଣସି ଗୁଣ ନାହିଁ । ତୁମେମାନେ ଯାହାଙ୍କର ଦିନେ ମହିମା ଗାଉଥିଲ, ଏବେ ତୁମେ ସ୍ୱୟଂ ସେହିପରି ହେଉଛ । କହୁଛନ୍ତି - ବାବା, ଏହି ଶାସ୍ତ୍ର ଆଦି କେବେଠାରୁ ପଢିବା ଆରମ୍ଭ ହୋଇଛି? ବାବା କହୁଛନ୍ତି - ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି । ଏସବୁ ହେଲା ଭକ୍ତିର ସାମଗ୍ରୀ । ତୁମେ ଯେତେବେଳେ ଏଠାରେ ବସୁଛ ସେତେବେଳେ ବୁଦ୍ଧିରେ ସମସ୍ତ ଜ୍ଞାନ ଧାରଣ ହେବା ଦରକାର । ଏହି ସଂସ୍କାର ଆତ୍ମା ହିଁ ନେଇକରି ଯାଉଛି । ଭକ୍ତିର ସଂସ୍କାର ତ ଯିବ ନାହିଁ । ଭକ୍ତିର ସଂସ୍କାର ଥିବା ଆତ୍ମାମାନେ ପୁରୁଣା ଦୁନିଆର ମନୁଷ୍ୟମାନଙ୍କ ପାଖରେ ହିଁ ଜନ୍ମ ନେବେ, ଏ କଥା ମଧ୍ୟ ନିଧାର୍ଯ୍ୟ ଅଟେ । ତୁମମାନଙ୍କ ବୁଦ୍ଧିରେ ଏହି ଜ୍ଞାନର ସ୍ୱଦର୍ଶନ ଚକ୍ର ଘୁରିବା ଉଚିତ୍ । ତା’ ସହିତ ବାବାଙ୍କୁ ମଧ୍ୟ ସ୍ମରଣ କରିବା ଉଚିତ୍ । ବାବା ଆମର ପିତା ବି ଅଟନ୍ତି, ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ବାବା ଆମର ଶିକ୍ଷକ ମଧ୍ୟ ଅଟନ୍ତି ତେଣୁ ପାଠପଢା ମଧ୍ୟ ବୁଦ୍ଧିରେ ଆସିଯିବ ଏବଂ ସୃଷ୍ଟିଚକ୍ରର ଜ୍ଞାନ ତ ତୁମ ବୁଦ୍ଧିରେ ଅଛି, ଯାହା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେବ । (ୟାଦର ଯାତ୍ରା ଚାଲୁଛି)

ଓମ୍ ଶାନ୍ତି । ଭକ୍ତି ଏବଂ ଜ୍ଞାନ । ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି, ତାଙ୍କୁ ଭକ୍ତି ବିଷୟରେ ମଧ୍ୟ ସବୁ ଜଣା ଅଛି - ଭକ୍ତି କେବେଠାରୁ ଆରମ୍ଭ ହେଲା, କେବେ ଶେଷ ହେବ । ମନୁଷ୍ୟମାନେ ଏ କଥା ଜାଣି ନାହାଁନ୍ତି । ବାବା ହିଁ ଆସି ବୁଝାଉଛନ୍ତି । ସତ୍ୟଯୁଗରେ ତୁମେ ଦେବୀ-ଦେବତାମାନେ ବିଶ୍ୱର ମାଲିକ ଥିଲ । ସେଠାରେ ଭକ୍ତିର ନାମ ରହିବ ନାହିଁ । ସେଠାରେ ଗୋଟିଏ ହେଲେ ମଧ୍ୟ ମନ୍ଦିର ନ ଥିଲା, ଦେବୀ-ଦେବତାମାନେ ସ୍ୱୟଂ ଚୈତନ୍ୟରେ ଥିଲେ । ଯେବେ ଦୁନିଆ ଅଧା ପୁରୁଣା ହୋଇଯାଏ ବା ୨୫୦୦ ବର୍ଷ ପୂରା ହୋଇଥାଏ ଅର୍ଥାତ୍ ତ୍ରେତା ଏବଂ ଦ୍ୱାପରର ସଂଗମ ହୋଇଥାଏ ତେବେ ଯାଇ ରାବଣ ଆସିଥାଏ । ତେଣୁ ସଂଗମ ତ ନିଶ୍ଚିତ ରହିବା ଦରକାର ନା । ତ୍ରେତା ଏବଂ ଦ୍ୱାପରର ସଂଗମ ଯୁଗରେ ରାବଣ ଆସିଥାଏ ଯେବେକି ଦେବୀ-ଦେବତାମାନେ ବାମମାର୍ଗରେ ଯା’ନ୍ତି । ଏକଥା ତୁମମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି । ବାବା ମଧ୍ୟ କଳିଯୁଗର ଅନ୍ତ ଏବଂ ସତ୍ୟଯୁଗ ଆଦିର ସଂଗମରେ ଆସୁଛନ୍ତି ଏବଂ ରାବଣ ତ୍ରେତା ଏବଂ ଦ୍ୱାପରର ସଂଗମରେ ଆସୁଛି । କିନ୍ତୁ ସେହି ସଂଗମକୁ କଲ୍ୟାଣକାରୀ କୁହାଯିବ ନାହିଁ । ତାକୁ ଅକଲ୍ୟାଣକାରୀ ହିଁ କହିବା । ବାବାଙ୍କର ନାମ ହିଁ କଲ୍ୟାଣକାରୀ ଅଟେ । ଦ୍ୱାପରରୁ ଅକଲ୍ୟାଣକାରୀ ଯୁଗ ଆରମ୍ଭ ହେଉଛି । ବାବା ତ ଚୈତନ୍ୟ ବୀଜ ରୂପ ଅଟନ୍ତି, ତାଙ୍କ ପାଖରେ ସମସ୍ତ କଳ୍ପବୃକ୍ଷର ଜ୍ଞାନ ରହିଛି । ବୃକ୍ଷର ବୀଜ ଯଦି ଚୈତନ୍ୟ ହୋଇଥାଆନ୍ତା ତେବେ ବୁଝାଇଥା’ନ୍ତା - ମୋ ଠାରୁ ଏହି ବୃକ୍ଷ ଏହିପରି ବାହାରୁଛି । କିନ୍ତୁ ସିଏ ଜଡ ହୋଇଥିବା କାରଣରୁ କହିପାରୁ ନାହିଁ । ଆମେ ଜାଣୁଛୁ ଯେ, ବୀଜ ପକାଇବା ଦ୍ୱାରା ପ୍ରଥମେ ଛୋଟ ବୃକ୍ଷ ହୋଇଥାଏ, ପୁଣି ବଡ ହୋଇ ଫଳ ଦେବା ଆରମ୍ଭ କରିଥାଏ । କିନ୍ତୁ ଚୈତନ୍ୟ ହିଁ ସବୁ କିଛି କହିପାରିବ । ଦୁନିଆରେ ତ ଆଜିକାଲି ମନୁଷ୍ୟ କ’ଣ-କ’ଣ ସବୁ କରୁଛନ୍ତି । କେତେ ପ୍ରକାରର ଆବିଷ୍କାର କରୁଛନ୍ତି । ଚନ୍ଦ୍ରକୁ ଯିବାକୁ ଚେଷ୍ଟା କରୁଛନ୍ତି । ଏହି ସବୁ କଥା ବର୍ତ୍ତମାନ ତୁମେମାନେ ଶୁଣୁଛ । ଚନ୍ଦ୍ରମା ଆଡକୁ କେତେ ଲକ୍ଷ-ଲକ୍ଷ ମାଇଲ୍‌ସ ଉଚ୍ଚକୁ ଚାଲିଯାଉଛନ୍ତି ଯାଞ୍ଚ କରୁଛନ୍ତି ଯେ, ଚନ୍ଦ୍ରମାରେ କ’ଣ ସବୁ ଅଛି? ସମୁଦ୍ରରେ ମଧ୍ୟ କେତେ ଗଭୀରକୁ ଯାଉଛନ୍ତି । ଯାଞ୍ଚ କରୁଛନ୍ତି, କିନ୍ତୁ ଏହାର ଅନ୍ତ ପାଇପାରି ନାହାଁନ୍ତି କେବଳ ପାଣି ହିଁ ପାଣି ରହିଛି । ଉଡାଜାହାଜରେ ଉପରକୁ ଯାଉଛନ୍ତି, ସେମାନେ ଏତେ ପେଟ୍ରୋଲ୍ ପକାଉଛନ୍ତି ଯେପରି ଫେରି ଆସିପାରିବେ, କାହିଁକି ନା ସାଗର ଏବଂ ଆକାଶ ବେହଦ ଅଟେ ନା । ଯେପରି ଇଏ ବେହଦ ଜ୍ଞାନର ସାଗର ଅଟନ୍ତି, ସେହିପରି ତାହା ପାଣିର ବେହଦର ସାଗର ଅଟେ । ଆକାଶ ତତ୍ୱ ଏବଂ ଧରିତ୍ରୀ ମଧ୍ୟ ବେହଦ ଅଟେ, ଏହିପରି ଚାଲୁଥବ ସରିବ ନାହିଁ । ସାଗର ତଳେ ପୁଣି ଧରିତ୍ରୀ ରହିଛି । ପାହାଡ କାହା ଉପରେ ଛିଡା ହୋଇଛି? ଧରିତ୍ରୀ ଉପରେ । ପୁଣି ଧରିତ୍ରୀକୁ ଖୋଲିଲେ ପାହାଡ ବାହାରୁଛି । ତଳୁ ପୁଣି ପାଣି ମଧ୍ୟ ବାହାରୁଛି । ସାଗର ମଧ୍ୟ ଧରିତ୍ରୀ ଉପରେ ଅଛି । ଏହାର କେହି ଅନ୍ତ ପାଇପାରିବେ ନାହିଁ ଯେ କେଉଁ ପର୍ଯ୍ୟନ୍ତ ପାଣି ଏବଂ ଧରିତ୍ରୀ ରହିଛି? ପରମପିତା ପରମାତ୍ମା ଯିଏକି ବେହଦର ପିତା ଅଟନ୍ତି, ତାଙ୍କ ପାଇଁ ଅନ୍ତହୀନ କହିପାରିବା ନାହିଁ । ଯଦିଓ ମନୁଷ୍ୟ କହୁଛନ୍ତି ଈଶ୍ୱର ଅନ୍ତହୀନ, ମାୟା ମଧ୍ୟ ଅନ୍ତହୀନ ଅଟେ । କିନ୍ତୁ ତୁମେ ଜାଣିଛ ଈଶ୍ୱର ତ ଅନ୍ତହୀନ ହୋଇପାରିବେ ନାହିଁ । ବାକି ଆକାଶ ଅନ୍ତହୀନ ଅଟେ । ଏହା ୫ ତତ୍ତ୍ୱ ଅଟେ । ଆକାଶ, ବାୟୁ.... ଏହି ୫ଟି ତତ୍ତ୍ୱ ତମଃପ୍ରଧାନ ହୋଇଯାଉଛନ୍ତି । ଆତ୍ମା ମଧ୍ୟ ତମୋପ୍ରଧାନ ହେଉଛି ପୁଣି ବାବା ଆସି ସତ୍ତ୍ୱପ୍ରଧାନ କରୁଛନ୍ତି । କେତେ ଛୋଟ ଆତ୍ମା, ୮୪ ଜନ୍ମ ଭୋଗ କରୁଛି । ଏହି ଚକ୍ର ଘୂରି ଚାଲିଛି । ଏହା ଅନାଦି ନାଟକ, ଯାହାର କୌଣସି ଅନ୍ତ ନାହିଁ । ଏହା ପରମ୍ପରାରୁ ଚାଲିଆସୁଛି । ଯଦି କହିବା ଏହା କେବେଠାରୁ ଆରମ୍ଭ ହୋଇଛି ତେବେ ଏହା ଶେଷ ହେବା ଉଚିତ୍ । ବାକି ଏ କଥା ବୁଝାଇବାକୁ ହେବ - କେବେଠାରୁ ନୂଆ ଦୁନିଆ ଆରମ୍ଭ ହେଉଛି ପୁଣି କେବେ ପୁରୁଣା ହେଉଛି । ଏହା ୫ ହଜାର ବର୍ଷର ଚକ୍ର, ଯାହାକି ଘୂରି ଚାଲିଛି । ଏବେ ତୁମେମାନେ ସବୁ କିଛି ଜାଣୁଛ ବାକି ସେମାନେ ତ କାହାଣୀ କହିଦେଉଛନ୍ତି । ଶାସ୍ତ୍ରରେ ଲେଖାଯାଇଛି ସତ୍ୟଯୁଗର ଆୟୁଷ ଏତେ ଲକ୍ଷ ବର୍ଷ ଅଟେ । ତେବେ ମନୁଷ୍ୟମାନେ ଶୁଣି-ଶୁଣି ଏହାକୁ ହିଁ ସତ୍ୟ ବୋଲି ଭାବୁଛନ୍ତି । ଏ କଥା ଜାଣି ନାହାଁନ୍ତି ଯେ - ଭଗବାନ କେବେ ଆସି ନିଜର ପରିଚୟ ଦେବେ? ନ ଜାଣିବା କାରଣରୁ କହିଦେଉଛନ୍ତି କଳିଯୁଗର ଆୟୁଷ ଆହୁରି ୪୦ ହଜାର ବର୍ଷ ପଡିଛି । ଯେ ପର୍ଯ୍ୟନ୍ତ ତୁମେମାନେ ନ ବୁଝାଇଛ ସେମାନେ ବୁଝିପାରିବେ ନାହିଁ । ଏବେ ତୁମେମାନେ ବୁଝାଇବା ପାଇଁ ନିମିତ୍ତ ହୋଇଛ ଯେ - କଳ୍ପ ୫ ହଜାର ବର୍ଷର ଅଟେ, ନା କି ଲକ୍ଷ ଲକ୍ଷ ବର୍ଷର ।

ଭକ୍ତିମାର୍ଗର କେତେ ସାମଗ୍ରୀ ରହିଛି, ମନୁଷ୍ୟମାନଙ୍କ ପାଖରେ ପଇସା ଥିଲେ ଖର୍ଚ୍ଚ ମଧ୍ୟ କରିଥା’ନ୍ତି । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ କେତେ ପଇସା ଦେଇ ଯାଉଛି! ବେହଦର ବାବା ନିଶ୍ଚିତ ଭାବରେ ବେହଦର ବର୍ସା ଦେବେ ନା । ଯାହା ଦ୍ୱାରା ସୁଖ ମିଳିବା ସହିତ, ଆୟୁଷ ମଧ୍ୟ ବଡ ହୋଇଥାଏ । ବାବା ପିଲାମାନଙ୍କୁ କହୁଛନ୍ତି - ମୋର ସ୍ନେହୀ ସନ୍ତାନମାନେ, ଆୟୁଷ୍ମାନ ଭବ । ସେଠାରେ ତୁମର ଆୟୁଷ ୧୫୦ ବର୍ଷ ହେବ, କେବେ ହେଲେ କାଳ ଖାଇ ପାରିବ ନାହିଁ । ବାବା ବର ଦେଇ ତୁମକୁ ଆୟୁଷ୍ମାନ କରୁଛନ୍ତି, ତୁମେମାନେ ଅମର ହେବ । ସେଠାରେ କେବେ ଅକାଳମୃତ୍ୟୁ ହେବ ନାହିଁ । ସେଠାରେ ତୁମେମାନେ ବହୁତ ଖୁସିରେ ରହିବ, ସେଥିପାଇଁ ତାକୁ ସୁଖଧାମ ବୋଲି କୁହାଯାଉଛି । ଆୟୁଷ ବଡ ହୋଇଥାଏ, ଧନ ଏବଂ ସୁଖ ମଧ୍ୟ ବହୁତ ମିଳିଥାଏ । ତୁମେମାନେ କାଙ୍ଗାଳରୁ ମୁକୁଟଧାରୀ ହୋଇଯାଉଛ । ତୁମମାନଙ୍କ ବୁଦ୍ଧିରେ ଅଛି - ବାବା ଆସୁଛନ୍ତି ଦେବୀ-ଦେବତା ଧର୍ମର ସ୍ଥାପନା କରିବା ପାଇଁ । ସେହି ବୃକ୍ଷ ତ ନିଶ୍ଚିତ ଭାବରେ ଛୋଟ ହେବ, ସେଠାରେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ, ଗୋଟିଏ ଭାଷା ହେବ । ତାକୁ ହିଁ ବିଶ୍ୱରେ ଶାନ୍ତି ବୋଲି କୁହାଯାଉଛି । ସାରା ବିଶ୍ୱରେ ଆମେ ସମସ୍ତେ ପାର୍ଟଧାରୀ ଅଟୁ, ଏ କଥା ଦୁନିଆ ଜାଣିନାହିଁ । ଯଦି ଜାଣିଛ ତେବେ କୁହ କେବେଠାରୁ ଆମେ ଅଭିନୟ କରି ଆସୁଛୁ? ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି, ଗୀତରେ ମଧ୍ୟ ଅଛି ନା - ବାବାଙ୍କଠାରୁ ଯାହା ମିଳୁଛି ତାହା ଆଉ କାହାଠାରୁ ମିଳୁନାହିଁ । ବାବା ଆମକୁ ସାରା ପୃଥିବୀ ଆକାଶ ଓ ସାରା ବିଶ୍ୱର ରାଜଧାନୀ ଦେଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ ପରେ ଯେଉଁମାନେ ରାଜା ହେଉଛନ୍ତି ସେମାନେ ଭାରତର ରାଜା ଥିଲେ । ଗାୟନ ମଧ୍ୟ ଅଛି ଯାହା ବାବା ଦେଉଛନ୍ତି ତାହା ଆଉ କେହି ଦେଇପାରିବେ ନାହିଁ । ବାବା ହିଁ ଆସି ଆମକୁ ସବୁ କିଛି ପ୍ରାପ୍ତ କରାଉଛନ୍ତି । ତେଣୁ କରି ଏହି ସମସ୍ତ ଜ୍ଞାନ ବୁଦ୍ଧିରେ ରହିବା ଦରକାର ଯାହା ଦ୍ୱାରା ଅନ୍ୟ କାହାକୁ ବୁଝାଇ ପାରିବ, ତୁମକୁ ଏହି ଜ୍ଞାନକୁ ଗଭୀର ଭାବେ ବୁଝିବାକୁ ହେବ । ତେବେ କେଉଁମାନେ ବୁଝାଇ ପାରିବେ? ଯେଉଁମାନେ ବନ୍ଧନମୁକ୍ତ ହୋଇଥିବେ । ବାବାଙ୍କ ପାଖକୁ କେହି ଆସିଲେ ବାବା ପଚାରନ୍ତି - ତୁମର କେତୋଟି ସନ୍ତାନ? ତେବେ କୁହନ୍ତି ମୋର ୫ଟି ସନ୍ତାନ ଏବଂ ଷଷ୍ଠ ସନ୍ତାନ ଶିବବାବା ଅଟନ୍ତି । ନିଶ୍ଚିତ ଭାବରେ ଇଏ ସବୁଠାରୁ ବଡ ସନ୍ତାନ ଅଟନ୍ତି ନା । ଯଦି ଶିବବାବାଙ୍କର ହୋଇଗଲ ତେବେ ଶିବବାବା ନିଜର ସନ୍ତାନ କରି ବିଶ୍ୱର ମାଲିକ କରିଦେବେ । ପିଲାମାନେ ହିଁ ଉତ୍ତରାଧିକାରୀ ହୋଇଥା’ନ୍ତି ନା । ଏହି ଲକ୍ଷ୍ମୀ-ନାରାୟଣ ଶିବବାବାଙ୍କର ସମ୍ପୂର୍ଣ୍ଣ ଉତ୍ତରାଧିକାରୀ ଅଟନ୍ତି । ପୂର୍ବ ଜନ୍ମରେ ଏମାନେ ଶିବବାବାଙ୍କୁ ସବୁ କିଛି ଦେଇଥିଲେ, ତେଣୁ ସମ୍ପତ୍ତି ନିଶ୍ଚିତ ଭାବରେ ସେହି ପିଲାମାନଙ୍କୁ ମିଳିବା ଦରକାର । ବାବା କହୁଛନ୍ତି - ମୋତେ ହିଁ ଉତ୍ତରାଧିକାରୀ କର ଆଉ କାହାକୁ ନୁହେଁ । କହୁଛନ୍ତି - ବାବା ଏସବୁ କିଛି ଆପଣଙ୍କର । ଆପଣଙ୍କର ସବୁ କିଛି ପୁଣି ଆମର ହେବ । ଆପଣ ଆମକୁ ସାରା ବିଶ୍ୱର ରାଜତ୍ୱର ସମ୍ପତ୍ତି ଦେଉଛନ୍ତି କାହିଁକି ନା ଆମ ପାଖରେ ଯାହା କିଛି ଥିଲା ଆମେ ବାବାଙ୍କୁ ଦେଇ ଦେଇଛୁ । ଏ ସବୁ ଡ୍ରାମାରେ ନିଧାର୍ଯ୍ୟ ଅଛି ନା । ବାବା ଅର୍ଜୁନକୁ ବିନାଶ ସହିତ ଚତୁର୍ଭୁଜ ମଧ୍ୟ ଦେଖାଇଥିଲେ । ଅର୍ଜୁନ ଆଉ କେହି ନୁହଁନ୍ତି, ଏହି ବ୍ରହ୍ମାଙ୍କୁ ହିଁ ସାକ୍ଷାତ୍‌କାର ହୋଇଥିଲା । ଦେଖିଲେ, ରାଜତ୍ୱ ମିଳୁଛି ତେବେ କାହିଁକି ଶିବବାବାଙ୍କୁ ନିଜର ଉତ୍ତରାଧିକାରୀ ନ କରିବୁ । ସିଏ ପୁଣି ଆମକୁ ଉତ୍ତରାଧିକାରୀ କରୁଛନ୍ତି । ଏହି ସୌଦା ତ ବହୁତ ଭଲ । କେବେ କାହାକୁ କିଛି ନ ପଚାରି ଗୁପ୍ତରେ ସବୁ କିଛି ଦେଇ ଦେଲେ । ଏହାକୁ ହିଁ ଗୁପ୍ତଦାନ ବୋଲି କୁହାଯାଇଥାଏ । କେହି କ’ଣ ଜାଣିପାରିଲେ କି, ଏହାଙ୍କର କ’ଣ ହେଲା । କେହି କେହି ଭାବିଲେ ଏହାଙ୍କର ବୋଧେ ବୈରାଗ୍ୟ ଆସିଗଲା ତେଣୁ ସନ୍ନ୍ୟାସୀ ହୋଇଗଲେ । ଏହି କନ୍ୟାମାନେ ମଧ୍ୟ କହୁଛନ୍ତି - ୫ଟି ସନ୍ତାନ ଆମର, ବାକି ଗୋଟିଏ ସନ୍ତାନ ଶିବବାବାଙ୍କୁ ହିଁ କରିବୁ । ଇଏ ମଧ୍ୟ ଏସବୁ କିଛି ବାବାଙ୍କ ଆଗରେ ରଖି ଦେଲେ, ଯାହା ଦ୍ୱାରା ଅନେକଙ୍କର ସେବା ହୋଇପାରିବ । ତେଣୁ ବାବାଙ୍କୁ ଦେଖି ସମସ୍ତଙ୍କର ଖିଆଲ ଆସିଲା, ସମସ୍ତେ ଘର ଦ୍ୱାର ଛାଡି ପଳାଇ ଆସିଲେ । ସେହିଠାରୁ ହିଁ ହଙ୍ଗାମା ଆରମ୍ଭ ହେଲା । ଘରଦ୍ୱାର ଛାଡିବାର ସାହାସ ଦେଖାଇଲେ । ଶାସ୍ତ୍ରରେ ମଧ୍ୟ ଲେଖା ଅଛି - ଭଟ୍ଟୀ ହୋଇଥିଲା, କାହିଁକି ନା ସେମାନଙ୍କୁ ଏକାନ୍ତର ଆବଶ୍ୟକତା ଥିଲା । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ମନେ ନ ରହନ୍ତୁ । ମିତ୍ର-ସମ୍ବନ୍ଧୀ ଆଦିଙ୍କର ମଧ୍ୟ ସ୍ମୃତି ନ ରହୁ କାହିଁକି ନା ଆତ୍ମା ପତିତ ହୋଇଯାଇଛି ତାକୁ ପବିତ୍ର ନିଶ୍ଚିତ ଭାବରେ କରିବାକୁ ପଡିବ । ବାବା କହୁଛନ୍ତି - ଗୃହସ୍ଥରେ ରହି ମଧ୍ୟ ପବିତ୍ର ରୁହ, ଏହି ଧାରଣାରେ ହିଁ ବିଘ୍ନ ଆସୁଛି । କହୁଛନ୍ତି ଏହା ସ୍ତ୍ରୀ-ପୁରୁଷ ମଧ୍ୟରେ ଝଗଡା କରାଇବା ଜ୍ଞାନ ଅଟେ କାହିଁକି ନା ଜଣେ ପବିତ୍ର ହେବ, ଆଉ ଜଣେ ପବିତ୍ର ନ ହେଲେ ମାଡପିଟ୍ ହୋଇଥାଏ । ଏମାନେ ସମସ୍ତେ ମାଡ ଖାଇଛନ୍ତି କାହିଁକି ନା ଅଚାନକ ନୂଆ କଥା ହେଲା ନା । ସମସ୍ତେ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ, ଏପରି କ’ଣ ହେଲା ଯେ ଏତେ ସବୁ ଘର ଦ୍ୱାର ଛାଡି ଚାଲିଗଲେ । ମନୁଷ୍ୟମାନଙ୍କ ପାଖରେ ତ ଜ୍ଞାନ ନାହିଁ, କେବଳ ଏତିକି କହୁଥିଲେ - ଏହାଙ୍କ ପାଖରେ କୌଣସି ଶକ୍ତି ଅଛି! ଏପରି ତ କେବେ ହୋଇ ନ ଥିଲା ଯେ ନିଜର ଘରଦ୍ୱାର ଛାଡି ଚାଲିଯିବେ । ଡ୍ରାମାରେ ଏହିସବୁ ଚରିତ୍ର ଶିବବାବାଙ୍କର ଅଟେ । କେହି ଖାଲି ହାତରେ ପଳାଇ ଆସୁଥିଲେ, ଏହା ମଧ୍ୟ ଖେଳ ଅଟେ । ଘରଦ୍ୱାର ଆଦି ସବୁ ଛାଡି ପଳାଇ ଆସିଲେ । କୌଣସିଥିରେ ମୋହ ନ ଥିଲା । ବାକି କେବଳ ଏହି ଶରୀର ଅଛି, ଯାହା ଦ୍ୱାରା କାମ କରିବାକୁ ହେବ । ଆତ୍ମାକୁ ମଧ୍ୟ ଯୋଗର ଯାତ୍ରା ଦ୍ୱାରା ପବିତ୍ର ହେବାକୁ ପଡିବ, ତେବେ ଯାଇ ପବିତ୍ର ଆତ୍ମାମାନେ ଘରକୁ ଯାଇପାରିବେ । ସ୍ୱର୍ଗକୁ ଅପବିତ୍ର ଆତ୍ମା ତ ଯାଇପାରିବ ନାହିଁ । ନିୟମ ହିଁ ନାହିଁ । ମୁକ୍ତିଧାମକୁ ଯିବାକୁ ହେଲେ ପବିତ୍ର ହେବା ଦରକାର । କିନ୍ତୁ ପବିତ୍ର ହେବା ପାଇଁ କେତେ ବିଘ୍ନ ପଡୁଛି । ଆଗରୁ କୌଣସି ସତସଙ୍ଗ ଆଦିକୁ ଯିବା ପାଇଁ କ’ଣ ବିଘ୍ନ ପଡୁଥିଲା କି! ଯୁଆଡେ ଇଚ୍ଛା ଯାଉଥିଲେ । ଏଠାରେ ପବିତ୍ରତା ପାଇଁ ହିଁ ବିଘ୍ନ ପଡୁଛି । ଏ କଥା ତ ଜାଣିଛନ୍ତି - ପବିତ୍ର ହେବା ବିନା ଘରକୁ ଯାଇପାରିବେ ନାହିଁ । ଧର୍ମରାଜଙ୍କ ଦ୍ୱାରା ଦଣ୍ଡ ଭୋଗ କରିବାକୁ ପଡିବ । ପୁଣି କମ୍ ପଦ ମିଳିବ । ଦଣ୍ଡ ନ ପାଇଲେ ପଦ ମଧ୍ୟ ଭଲ ମିଳିବ । ଏ ସବୁ ବୁଦ୍ଧିର କଥା ଅଟେ । ବାବା କହୁଛନ୍ତି - ମିଠେ ବଚ୍ଚେ, ତୁମକୁ ମୋ ପାଖକୁ ଆସିବାକୁ ହେବ । ଏହି ପୁରୁଣା ଶରୀର ଛାଡି ପବିତ୍ର ଆତ୍ମା ହୋଇ ଘରକୁ ଯିବାକୁ ପଡିବ । ପୁଣି ଯେତେବେଳେ ୫ ତତ୍ତ୍ୱ ସତ୍ତ୍ୱପ୍ରଧାନ ନୂଆ ହୋଇଯିବ ସେତେବେଳେ ତୁମକୁ ନୂଆ ସତ୍ତ୍ୱପ୍ରଧାନ ଶରୀର ମିଳିବ । ସବୁ କିଛି ଓଲଟ-ପାଲଟ ହୋଇ ନୂଆ ହୋଇଯିବ । ଯେପରି ବାବା ଏହାଙ୍କ ଶରୀରରେ ଆସି ପ୍ରବେଶ କରୁଛନ୍ତି, ସେହିପରି ଆତ୍ମା ବିନା କଷ୍ଟରେ ଗର୍ଭ ମହଲରେ ଯାଇ ପ୍ରବେଶ କରିବ । ପୁଣି ଯେତେବେଳେ ସମୟ ହେବ ସେତେବେଳେ ବାହାରକୁ ଆସିବ, ତେବେ ସେହି ସମୟରେ ଯେପରି ବିଜୁଳି ଚମକିଯିବ, କାହିଁକି ନା ପବିତ୍ର ଆତ୍ମା ଅଟେ ନା । ଏସବୁ କିଛି ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମାକୁ ପବିତ୍ର କରିବା ପାଇଁ ଏକାନ୍ତ ରୂପୀ ଭଟ୍ଟୀ ଅର୍ଥାତ୍ ସାଧନାରେ ରହିବାକୁ ହେବ । ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ମିତ୍ର-ସମ୍ବନ୍ଧୀ ମନେ ପଡୁ ନ ଥିବେ ।

(୨) ସାରା ଜ୍ଞାନକୁ ବୁଦ୍ଧିରେ ରଖି, ବନ୍ଧନମୁକ୍ତ ହୋଇ ଅନ୍ୟମାନଙ୍କର ସେବା କରିବାକୁ ହେବ । ବାବାଙ୍କ ସହିତ ସଚ୍ଚା ସଉଦା କରିବାକୁ ହେବ । ଯେପରି ବ୍ରହ୍ମାବାବା ସବୁ କିଛି ଗୁପ୍ତ ରୂପରେ କରିଥିଲେ, ସେହିଭଳି ଗୁପ୍ତଦାନ କରିବାକୁ ହେବ ।

ବରଦାନ:-
ମାୟାର ବିକରାଳ ରୂପର ଖେଳକୁ ସାକ୍ଷୀ ହୋଇ ଦେଖୁଥିବା ମାୟାଜିତ୍ ଭବ ।

ଯେଉଁମାନେ ମାୟାକୁ ସର୍ବଦା ସ୍ୱାଗତ କରୁଥାଆନ୍ତି ସେମାନେ ତା’ର ବିକରାଳ ରୂପକୁ ଦେଖି ବିଚଳିତ ହୁଅନ୍ତି ନାହିଁ । କାରଣ ସାକ୍ଷୀ ହୋଇ ଖେଳ ଦେଖିବାରେ ବହୁତ ମଜା ଆସିଥାଏ କାହିଁକି ନା ମାୟାର ବାହାରର ରୂପ ଯଦିଓ ବାଘ ଭଳି ଅଟେ କିନ୍ତୁ ତା’ ଭିତରେ ବିଲେଇ ଭଳି ମଧ୍ୟ ଶକ୍ତି ନାହିଁ । କେବଳ ତୁମେମାନେ ବିଚଳିତ ହୋଇଯାଉଛ ଏବଂ ତା’ର ଶକ୍ତିକୁ ବଢାଇ ଦେଉଛ, କ’ଣ କରିବି, କିପରି ହେବ.... କିନ୍ତୁ ଏହା ସର୍ବଦା ମନେ ରଖ ଯେ ଯାହା ସବୁ ଘଟିଯାଉଛି ତାହା ଭଲ ହିଁ ହେଉଛ ଏବଂ ଯାହା ହେବାକୁ ଯାଉଛି ତାହା ଆହୁରି ଭଲ ହେବ । ତେଣୁ ସାକ୍ଷୀ ସ୍ଥିତିରେ ରହି ଯଦି ଖେଳକୁ ଦେଖିବ ତେବେ ମାୟାଜିତ୍ ହୋଇଯିବ ।

ସ୍ଲୋଗାନ:-
ଯେଉଁମାନେ ସହନଶୀଳ ଅଟନ୍ତି ସେମାନେ କାହାର ସ୍ୱଭାବ ସଂସ୍କାରରେ କ୍ରୋଧିତ ହୁଅନ୍ତି ନାହିଁ, ବ୍ୟର୍ଥ କଥାକୁ ଗୋଟିଏ କାନରେ ଶୁଣି ଆର ପଟେ ବାହାର କରି ଦିଅନ୍ତି ।