29.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ଯୋଗବଳ ଦ୍ୱାରା ହିଁ ବିକର୍ମ ବିନାଶ କରି ପବିତ୍ର ହୋଇ ପବିତ୍ର ଦୁନିଆ ଗଢିବାକୁ ହେବ, ଏହା ହିଁ
ତୁମର ସେବା ।”
ପ୍ରଶ୍ନ:-
ଦେବୀ-ଦେବତା
ଧର୍ମର କେଉଁ ବିଶେଷତାର ଗାୟନ କରାଯାଇଛି?
ଉତ୍ତର:-
ଦେବୀ-ଦେବତା ଧର୍ମ ହିଁ ବହୁତ ସୁଖଦାୟୀ ଅଟେ । ସେଠାରେ ଦୁଃଖର ଚିହ୍ନ-ବର୍ଣ୍ଣ ହିଁ ରହିବ ନାହିଁ
। ତୁମେମାନେ ୩/୪ ଭାଗ ଅର୍ଥାତ୍ ଚାରିଯୁଗ ମଧ୍ୟରୁ ତିନି ଯୁଗ ପର୍ଯ୍ୟନ୍ତ ସୁଖ ଭୋଗ କରୁଛ । ଯଦି
ଅଧା ସୁଖ, ଅଧା ଦୁଃଖ ହୋଇଥା’ନ୍ତା ତେବେ କିଛି ମଜା ନଥା’ନ୍ତା ।
ଓମ୍ ଶାନ୍ତି ।
ଭଗବାନୁବାଚ ।
ନିଜେ ଭଗବାନ ହିଁ ଆସି ବୁଝାଉଛନ୍ତି ଯେ କୌଣସି ମନୁଷ୍ୟକୁ ଭଗବାନ କୁହାଯାଇ ପାରିବ ନାହିଁ ।
ଦେବତାମାନଙ୍କୁ ମଧ୍ୟ ଭଗବାନ କୁହାଯିବ ନାହିଁ । ଭଗବାନ ତ ନିରାକାର ଅଟନ୍ତି, ତାଙ୍କର କୌଣସି
ସାକାରୀ ଅଥବା ଆକାରୀ ରୂପ ନାହିଁ । ସୂକ୍ଷ୍ମଲୋକ ନିବାସୀଙ୍କର ମଧ୍ୟ ସୂକ୍ଷ୍ମ ଆକାର ରହିଛି
ସେଥିପାଇଁ ତାକୁ ସୂକ୍ଷ୍ମଲୋକ କୁହାଯାଉଛି । ଏଠାରେ ସାକାର ମନୁଷ୍ୟ ଶରୀର ଅଛି ତେଣୁ ଏହାକୁ
ସ୍ଥୂଳଲୋକ କୁହାଯାଉଛି । ସୂକ୍ଷ୍ମଲୋକରେ ଏହି ସ୍ଥୂଳ ୫ ତତ୍ତ୍ୱର ଶରୀର ନ ଥାଏ । ଏହି ପାଞ୍ଚ
ତତ୍ତ୍ୱରେ ମନୁଷ୍ୟ ଶରୀର ତିଆରି ହୋଇଛି, ତେଣୁ ଏହାକୁ ମାଟିର ପିତୁଳା କୁହାଯାଉଛି । ସୂକ୍ଷ୍ମଲୋକ
ନିବାସୀଙ୍କୁ ମାଟିର ପିତୁଳା କୁହାଯିବ ନାହିଁ । ଦେବତା ଧର୍ମାବଲମ୍ବୀମାନେ ମଧ୍ୟ ମନୁଷ୍ୟ ଅଟନ୍ତି,
କିନ୍ତୁ ତାଙ୍କୁ ଦୈବୀ ଗୁଣଧାରୀ ମନୁଷ୍ୟ କୁହାଯିବ । ଏହି ଦୈବୀଗୁଣ ସେମାନେ ଶିବବାବାଙ୍କଠାରୁ
ପ୍ରାପ୍ତ କରିଛନ୍ତି । ଦୈବୀଗୁଣ ଓ ଆସୁରୀ ଗୁଣଧାରୀ ମନୁଷ୍ୟମାନଙ୍କ ଭିତରେ କେତେ ଫରକ ରହିଛି ।
ମନୁଷ୍ୟମାନେ ହିଁ ଶିବାଳୟ ଅଥବା ବେଶ୍ୟାଳୟରେ ରହିବା ଯୋଗ୍ୟ ହେଉଛନ୍ତି । ସତ୍ୟଯୁଗକୁ ଶିବାଳୟ
କୁହାଯାଉଛି । ଏହିଠାରେ ହିଁ ସତ୍ୟଯୁଗ ହେଉଛି । କୌଣସି ବ୍ରହ୍ମଲୋକ ଅଥବା ସୂକ୍ଷ୍ମଲୋକରେ
ସତ୍ୟଯୁଗ ହେଉ ନାହିଁ । ତୁମେମାନେ ଜାଣିଛ ତାହା ଶିବବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା
ଶିବାଳୟ ଅଟେ । କେବେ ସ୍ଥାପନ କରିଥିଲେ? ସଂଗମଯୁଗରେ । ଯାହାକୁ ପୁରୁଷୋତ୍ତମ ଯୁଗ କୁହାଯାଉଛି ।
ବର୍ତ୍ତମାନ ଏହା ପତିତ ତମୋପ୍ରଧାନ ଦୁନିଆ ଅଟେ । ଯାହାକୁ ସତ୍ତ୍ୱପ୍ରଧାନ ନୂଆ ଦୁନିଆ କୁହାଯିବ
ନାହିଁ । ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ କୁହାଯାଏ । ତାହା ଯେତେବେଳେ ପୁରୁଣା ହୋଇ ଯାଉଛି ତାକୁ
ତମୋପ୍ରଧାନ କୁହାଯାଉଛି । ପୁଣି ସତ୍ତ୍ୱପ୍ରଧାନ କିଭଳି ହେଉଛି? ଯୋଗବଳ ଦ୍ୱାରା । ଯୋଗବଳ ଦ୍ୱାରା
ହିଁ ତୁମର ବିକର୍ମ ବିନାଶ ହେଉଛି ଆଉ ତୁମେମାନେ ପବିତ୍ର ହୋଇଯାଉଛ । ପବିତ୍ରମାନଙ୍କ ପାଇଁ
ନିଶ୍ଚିତ ପବିତ୍ର ଦୁନିଆ ଆବଶ୍ୟକ । ନୂଆ ଦୁନିଆକୁ ପବିତ୍ର, ପୁରୁଣା ଦୁନିଆକୁ ଅପବିତ୍ର
କୁହାଯାଉଛି । ପବିତ୍ର ଦୁନିଆ ବାବା ସ୍ଥାପନ କରୁଛନ୍ତି, ପତିତ ଦୁନିଆକୁ ରାବଣ ସ୍ଥାପନ କରୁଛି ।
ଏହି କଥାକୁ କୌଣସି ମନୁଷ୍ୟ ଜାଣିନାହାଁନ୍ତି । ଯଦି ଏହି ୫ ବିକାର ନ ଥାଆନ୍ତା ମନୁଷ୍ୟ ଦୁଃଖୀ
ହୋଇ କାହିଁକି ବାବାଙ୍କୁ ମନେ ପକାଇ ଥା’ନ୍ତେ! ବାବା କହୁଛନ୍ତି ମୁଁ ଦୁଃଖହର୍ତ୍ତା ସୁଖକର୍ତ୍ତା
ଅଟେ । ୧୦ଟି ମୁଣ୍ଡ ଥିବା ରାବଣର ୫ ବିକାରର ପିତୁଳା କରିଦେଇଛନ୍ତି । ସେମାନେ ରାବଣକୁ ଶତ୍ରୁ
ଭାବି ଜଳାଉଛନ୍ତି । ଏପରି ମଧ୍ୟ ନୁହେଁ ଯେ ଦ୍ୱାପର ଆରମ୍ଭରୁ ଜଳାଇବା ଆରମ୍ଭ କରୁଛନ୍ତି । ନା,
ଯେତେବେଳେ ତମଃପ୍ରଧାନ ହେଉଛନ୍ତି ସେତେବେଳେ କୌଣସି ମତ-ମତାନ୍ତର କରିବା ପାଇଁ ଚାହୁଁଥିବା
ବ୍ୟକ୍ତି ଏହି ନୂଆ କଥା ବାହାର କରୁଛନ୍ତି । କେହି ଯଦି ବହୁତ ଦୁଃଖ ଦିଅନ୍ତି ତେବେ ତାଙ୍କର
ପିତୁଳା କରି ଜଳାଇଥା’ନ୍ତି । ତେଣୁ ଏଠାରେ ମଧ୍ୟ ମନୁଷ୍ୟମାନଙ୍କୁ ଯେତେବେଳେ ବହୁତ ଦୁଃଖ ମିଳୁଛି
ସେତେବେଳେ ରାବଣର ପିତୁଳା କରି ଜଳାଉଛନ୍ତି । ତୁମେମାନେ ୩/୪ ଭାଗ ସୁଖ ପାଉଛ । ଯଦି ଅଧା ଦୁଃଖ
ହୋଇଥାନ୍ତା ତେବେ ମଜା କ’ଣ ରହିଲା! ବାବା କହୁଛନ୍ତି - ତୁମର ଏହି ଦେବୀ-ଦେବତା ଧର୍ମ ବହୁତ
ସୁଖଦାୟୀ ଅଟେ । ଅନାଦି ସୃଷ୍ଟି ତିଆରି ହୋଇଛି । ଏ କଥା କେହି ପଚାରି ପାରିବେ ନାହିଁ ଯେ, ସୃଷ୍ଟି
କାହିଁକି ତିଆରି କରାଯାଇଛି ପୁଣି କେବେ ଶେଷ ହେବ? ଏହି ଚକ୍ର ଘୂରି ଚାଲିଛି । ଶାସ୍ତ୍ରରେ କଳ୍ପର
ଆୟୁଷ ଲକ୍ଷ-ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ତେବେ ନିଶ୍ଚିତ ସଂଗମଯୁଗ ମଧ୍ୟ ଥିବ, ଯେତେବେଳେ କି
ସୃଷ୍ଟି ବଦଳିବ । ବର୍ତ୍ତମାନ ଯେପରି ତୁମେମାନେ ଅନୁଭବ କରୁଛ, ଏପରି ଆଉ କେହି ବୁଝୁ ନାହାଁନ୍ତି
। ଏତିକି ମଧ୍ୟ ବୁଝିପାରୁ ନାହାଁନ୍ତି - ପିଲାଦିନେ ରାଧା-କୃଷ୍ଣ ନାମ ଥାଏ ପୁଣି ସ୍ୱୟଂମ୍ବର ହୁଏ
। ଦୁଇଜଣ ଅଲଗା-ଅଲଗା ରାଜଧାନୀର ଅଟନ୍ତି ପୁଣି ତାଙ୍କର ସ୍ୱୟଂମ୍ବର ହେବା ପରେ ଲକ୍ଷ୍ମୀ-ନାରାୟଣ
ହେଉଛନ୍ତି । ଏହି ସବୁ କଥା ବାବା ବୁଝାଉଛନ୍ତି । ବାବା ହିଁ ଜ୍ଞାନର ସାଗର ଅଟନ୍ତି । ଏପରି ନୁହେଁ
ଯେ ସେ ସବୁ ଜାଣିଛନ୍ତି । ଏବେ ତୁମେ ଜାଣୁଛ ବାବା ତ ଆସି ଜ୍ଞାନ ଦେଉଛନ୍ତି । ପାଠଶାଳାରେ ହିଁ
ଜ୍ଞାନ ମିଳିଥାଏ । ପାଠଶାଳାରେ ଲକ୍ଷ୍ୟ-ଉଦ୍ଦେଶ୍ୟ ତ ନିଶ୍ଚୟ ରହିବା ଦରକାର । ଏବେ ତୁମେମାନେ
ପାଠ ପଢୁଛ । ବିକାରୀ ଦୁନିଆରେ ରାଜତ୍ୱ କରିପାରିବ ନାହିଁ । ଗୁଲ-ଗୁଲ ଅର୍ଥାତ୍ ଫୁଲର ଦୁନିଆରେ
ହିଁ ରାଜତ୍ୱ କରିବ । ସତ୍ୟଯୁଗରେ କେହି ରାଜଯୋଗ ଶିଖାଇବେ ନାହିଁ । ସଂଗମଯୁଗରେ ହିଁ ବାବା
ରାଜଯୋଗ ଶିଖାଉଛନ୍ତି । ଏହା ହେଉଛି ବେହଦର କଥା । ବାବା କେବେ ଆସୁଛନ୍ତି, କେହି ବି
ଜାଣିନାହାଁନ୍ତି । ଘୋର ଅନ୍ଧକାରରେ ଅଛନ୍ତି । ଜ୍ଞାନ ସୂର୍ଯ୍ୟ ନାମରେ ଜାପାନର ଲୋକମାନେ ନିଜକୁ
ସୂର୍ଯ୍ୟବଂଶୀ ବୋଲାଇଥା’ନ୍ତି । ବାସ୍ତବରେ ଦେବତାମାନେ ହିଁ ସୂର୍ଯ୍ୟବଂଶୀ ଅଟନ୍ତି ।
ସୂର୍ଯ୍ୟବଂଶୀ ମାନଙ୍କର ରାଜ୍ୟ ସତ୍ୟଯୁଗରେ ହିଁ ଥିଲା । ଗାୟନ ମଧ୍ୟ କରାଯାଏ ଜ୍ଞାନ ସୂର୍ଯ୍ୟ
ପ୍ରଗଟା... ତେବେ ଭକ୍ତିମାର୍ଗର ଅନ୍ଧକାର ବିନାଶ ହେବ । ନୂଆ ଦୁନିଆ ପୁଣି ପୁରୁଣା, ପୁରୁଣା
ଦୁନିଆ ପୁଣି ନୂଆ ହେବ । ଏହା ବେହଦର ବଡ ଘର ଅଟେ । କେତେ ବଡ ରଙ୍ଗମଞ୍ଚ ଅଟେ । ସୂର୍ଯ୍ୟ,
ଚନ୍ଦ୍ର, ତାରା କେତେ କାମରେ ଆସୁଛନ୍ତି । ରାତିରେ ବହୁତ କାର୍ଯ୍ୟ ଚାଲୁଛି । ଏପରି ବି କେତେକ
ରାଜା ମଧ୍ୟ ଅଛନ୍ତି ଯିଏ ଦିନରେ ଶୋଇଯାନ୍ତି, ରାତିରେ ନିଜର ସଭା ଇତ୍ୟାଦି କରନ୍ତି, କିଣାବିକା
ମଧ୍ୟ କରିଥା’ନ୍ତି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କେଉଁଠି କେଉଁଠି ହେଉଛି । ମିଲ୍ ଆଦି
ମଧ୍ୟ ରାତିରେ ଚାଲିଥାଏ । ଏହା ହେଉଛି ହଦର ଦିନ-ରାତି । ତାହା ବେହଦର କଥା । ଏହି କଥା ତୁମ ବିନା
ଆଉ କାହାରି ବୁଦ୍ଧିରେ ନାହିଁ । ଶିବବାବାଙ୍କୁ ମଧ୍ୟ ଜାଣିନାହାଁନ୍ତି । ବାବା ପ୍ରତ୍ୟେକ କଥା
ବୁଝାଉଛନ୍ତି । ବ୍ରହ୍ମାଙ୍କ ନିମନ୍ତେ ମଧ୍ୟ ବୁଝାଉଛନ୍ତି ଯେ-ଇଏ ପ୍ରଜାପିତା ବ୍ରହ୍ମା ହିଁ
ଅଟନ୍ତି । ବାବା ସୃଷ୍ଟି ରଚନା କରୁଛନ୍ତି ତେବେ ନିଶ୍ଚିତ କାହାର ଶରୀରରେ ପ୍ରବେଶ କରିବେ ନା ।
ପବିତ୍ର ମନୁଷ୍ୟ ସତ୍ୟଯୁଗରେ ହିଁ ରହିବେ । କଳିଯୁଗରେ ତ ସମସ୍ତେ ବିକାର ଦ୍ୱାରା ଜନ୍ମ ହେଉଛନ୍ତି
ସେଥିପାଇଁ ପତିତ କୁହାଯାଉଛି । ଲୋକମାନେ କହୁଛନ୍ତି ବିକାର ବିନା ସୃଷ୍ଟି କିପରି ଚାଲିବ? ଆରେ,
ଦେବତାମାନଙ୍କୁ ତ ତୁମେ ସମ୍ପୂର୍ଣ୍ଣ ନିର୍ବିକାରୀ କହୁଛ । କେତେ ଶୁଦ୍ଧତାର ସହିତ ତାଙ୍କର
ମନ୍ଦିର ତିଆରି କରୁଛନ୍ତି । ବ୍ରାହ୍ମଣମାନଙ୍କ ବିନା ଭିତରକୁ ଅନ୍ୟ କାହାକୁ ଯିବାକୁ ଅନୁମତି ମିଳି
ନ ଥାଏ । ବାସ୍ତବରେ ଏହି ଦେବତାମାନଙ୍କୁ କୌଣସି ବିକାରୀ ଛୁଇଁ ପାରିବେ ନାହିଁ । କିନ୍ତୁ ଆଜିକାଲି
ତ ପଇସା ଦ୍ୱାରା ହିଁ ସବୁ କିଛି ହେଉଛି । କେହି ଘରେ ମନ୍ଦିର ଆଦି ତିଆରି କଲେ ବ୍ରାହ୍ମଣଙ୍କୁ
ହିଁ ଡାକିଥା’ନ୍ତି । କିନ୍ତୁ ସେହି ବ୍ରାହ୍ମଣମାନେ ମଧ୍ୟ ବିକାରୀ ଅଟନ୍ତି, କେବଳ ନାମ ବ୍ରାହ୍ମଣ
ରହିଛି । ଏହି ଦୁନିଆ ହିଁ ବିକାରୀ ଅଟେ, ତେଣୁ ପୂଜା ମଧ୍ୟ ବିକାରୀମାନଙ୍କ ଦ୍ୱାରା ହେଉଛି ।
ନିର୍ବିକାରୀ କେଉଁଠାରୁ ଆସିବେ? ସତ୍ୟଯୁଗରେ ହିଁ ନିର୍ବିକାରୀ ଥା’ନ୍ତି । ଏପରି ନୁହେଁ କି ଯିଏ
ବିକାରୀ ନୁହଁନ୍ତି ତାଙ୍କୁ ନିର୍ବିକାରୀ କୁହାଯିବ । ଶରୀର ତ ତଥାପି ବିକାର ଦ୍ୱାରା ହିଁ ସୃଷ୍ଟି
ହୋଇଛି ନା । ବାବା ଗୋଟିଏ କଥା କହିଛନ୍ତି ଯେ ଏହା ରାବଣ ରାଜ୍ୟ ଅଟେ । ରାମ ରାଜ୍ୟରେ ସଂପୂର୍ଣ୍ଣ
ନିର୍ବିକାରୀ ଥା’ନ୍ତି, ରାବଣ ରାଜ୍ୟରେ ଅଛନ୍ତି ବିକାରୀ । ସତ୍ୟଯୁଗରେ ପବିତ୍ରତା ଥିଲା, ତେଣୁ
ଶାନ୍ତି ସମୃଦ୍ଧି ସବୁ ଥିଲା । ତୁମେମାନେ ଦେଖାଇପାରିବ ଯେ, ସତ୍ୟଯୁଗରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ସେଠାରେ ୫ ବିକାର ରହିବ ନାହିଁ । ତାହା ହେଲା ପବିତ୍ର
ରାଜ୍ୟ, ଯାହାକୁ ଭଗବାନ ସ୍ଥାପନ କରୁଛନ୍ତି । ଭଗବାନ କ’ଣ ପତିତ ରାଜ୍ୟ ସ୍ଥାପନ କରନ୍ତି ।
ସତ୍ୟଯୁଗରେ ଯଦି ପତିତ ଥା’ନ୍ତେ ତେବେ ଡାକିଥା’ନ୍ତେ ନା । ସେଠାରେ ତ କେହି ଡାକିବେ ନାହିଁ ।
କାରଣ ସେଠାରେ ସମସ୍ତେ ସୁଖୀ ଏବଂ ସୁଖରେ କେହି ମନେ ପକାଇ ନ ଥା’ନ୍ତି । ପରମାତ୍ମାଙ୍କର ମହିମା
ମଧ୍ୟ କରୁଛନ୍ତି - ସୁଖର ସାଗର, ପବିତ୍ରତାର ସାଗର... । ଏ ମଧ୍ୟ କଥା କହୁଛନ୍ତି ଶାନ୍ତି ହେଉ ।
ତେବେ ସାରା ଦୁନିଆରେ ମନୁଷ୍ୟ କିପରି ଶାନ୍ତି ସ୍ଥାପନ କରିବେ? ଶାନ୍ତିର ରାଜ୍ୟ ତ କେବଳ ସ୍ୱର୍ଗରେ
ହିଁ ଥିଲା । ଯେତେବେଳେ କେହି ପରସ୍ପର ସହିତ ଲଢେଇ କରନ୍ତି ତେବେ ଶାନ୍ତି କରାଇବାକୁ ପଡିଥାଏ ।
ସେଠାରେ ତ ରାଜ୍ୟ ଗୋଟିଏ ହିଁ ହେବ ।
ବାବା କହୁଛନ୍ତି ଏହି
ପୁରୁଣା ଦୁନିଆ ଏବେ ବିନାଶ ହେବାକୁ ଯାଉଛି । ଏହି ମହାଭାରତ ଲଢେଇରେ ସବୁ ବିନାଶ ହୋଇଯିବ ।
ବିନାଶ କାଳେ ବିପରୀତ ବୁଦ୍ଧି - ଅକ୍ଷର ମଧ୍ୟ ଲେଖାଯାଇଛି । ବାସ୍ତବରେ ତୁମେମାନେ ତ ପାଣ୍ଡବ ଅଟ
ନା । ତୁମେ ହେଉଛ ରୁହାନୀ ପଣ୍ଡା । ସମସ୍ତଙ୍କୁ ମୁକ୍ତିଧାମର ରାସ୍ତା ବତାଉଛ । ଶାନ୍ତିଧାମ ହେଉଛି
ଆତ୍ମାମାନଙ୍କର ଘର । ଏହା ହେଉଛି ଦୁଃଖଧାମ । ବର୍ତ୍ତମାନ ବାବା କହୁଛନ୍ତି ଏହି ଦୁଃଖଧାମକୁ
ଦେଖୁଥିଲେ ମଧ୍ୟ ଭୁଲିଯାଅ । ବାସ୍, ଏବେ ତ ଆମକୁ ଶାନ୍ତିଧାମକୁ ଯିବାକୁ ହେବ । ଏ କଥା ଆତ୍ମା
କହୁଛି, ଆତ୍ମା ଅନୁଭବ ମଧ୍ୟ କରୁଛି । ଆତ୍ମାର ସ୍ମୃତି ଆସିଛି ଯେ, ମୁଁ ହେଉଛି ଆତ୍ମା । ବାବା
କହୁଛନ୍ତି ମୁଁ ଯିଏ ଏବଂ ଯେପରି ଅଟେ...ଆଉ ତ କେହି ଜାଣିପାରିବେ ନାହିଁ । ତୁମକୁ ହିଁ ବୁଝାଇ
ଦେଇଛି - ମୁଁ ବିନ୍ଦୁ ଅଟେ । ତୁମମାନଙ୍କର ବୁଦ୍ଧିରେ ସବୁବେଳେ ଏହି କଥା ରହିବା ଉଚିତ୍ ଯେ ଆମେ
କିପରି ୮୪ ର ଚକ୍ର ଲଗାଉଛୁ । ଏଥିରେ ବାବା, ଘର ଏବଂ ଚକ୍ର ମଧ୍ୟ ମନେ ପଡିବ । ଏହି ବିଶ୍ୱର
ଇତିହାସ-ଭୂଗୋଳ ଆଦିକୁ ତୁମେମାନେ ହିଁ ଜାଣିଛ । କେତେ ଦେଶ ଅଛି । କେତେ ଲଢେଇ ଆଦି ଲାଗୁଛି ।
ସତ୍ୟଯୁଗରେ ଲଢେଇ ଆଦିର କଥା ନାହିଁ । କେଉଁଠି ରାମରାଜ୍ୟ ଓ କେଉଁଠି ରାବଣ ରାଜ୍ୟ । ବାବା
କହୁଛନ୍ତି - ଏବେ ତୁମେମାନେ ଯେପରି ଈଶ୍ୱରୀୟ ରାଜ୍ୟରେ ଅଛ କାହିଁକି ନା ଈଶ୍ୱର ଏଠାକୁ ଆସିଛନ୍ତି
ରାଜ୍ୟ ସ୍ଥାପନ କରିବା ପାଇଁ । ଈଶ୍ୱର ନିଜେ ରାଜ୍ୟ ତ କରୁନାହାଁନ୍ତି କିମ୍ବା ନିଜେ ରାଜତ୍ୱ
ନେଉନାହାଁନ୍ତି । ନିଷ୍କାମ ସେବା କରୁଛନ୍ତି । ସର୍ବୋଚ୍ଚ ଭଗବାନ ହେଉଛନ୍ତି ସବୁ ଆତ୍ମାମାନଙ୍କର
ପିତା । ବାବା କହିଲେ ଏକଦମ୍ ଖୁସିର ପାରଦ ଚଢିବା ଦରକାର । ଅତୀନ୍ଦ୍ରିୟ ସୁଖ ତୁମର ଅନ୍ତିମ
ଅବସ୍ଥାର ଗାୟନ ଅଟେ । ଯେତେବେଳେ ପରୀକ୍ଷା ସମୟ ନିକଟତର ହୋଇଥାଏ, ସେ ସମୟରେ ସବୁ ସାକ୍ଷାତ୍କାର
ହୋଇଥାଏ । ଅତୀନ୍ଦ୍ରିୟ ସୁଖ ମଧ୍ୟ ପିଲାମାନଙ୍କର କ୍ରମାନୁସାରେ ରହିଛି । କେହି ତ ବାବାଙ୍କ
ସ୍ମୃତିରେ ବହୁତ ଖୁସିରେ ରହିଥା’ନ୍ତି ।
ତୁମ ପିଲାମାନଙ୍କର
ସାରାଦିନ ଏହି ଅନୁଭବ ରହୁ ଯେ ଓହୋ! ବାବା, ଆପଣ ଆମକୁ କ’ଣରୁ କ’ଣ କରିଦେଇଛନ୍ତି! ଆପଣଙ୍କଠାରୁ
ଆମକୁ କେତେ ସୁଖ ନ ମିଳୁଛି... ବାବାଙ୍କୁ ମନେ ପକାଇ ପକାଇ ସ୍ନେହରେ ଆଖିରେ ଲୁହ ଆସିଯାଉଛି । ଏହା
ତ କମାଲ ଅଟେ, ଆପଣ ଆସି ଆମକୁ ଦୁଃଖରୁ ମୁକ୍ତ କରି, ବିଷୟ ସାଗରରୁ କ୍ଷୀର ସାଗରକୁ ନେଇ ଯାଉଛନ୍ତି
। ସାରାଦିନ ଏହି ଅନୁଭୂତିରେ ରହିବା ଦରକାର । ବାବା ଯେତେବେଳେ ତୁମକୁ ମନେ ପକାଇ ଦେଉଛନ୍ତି
ସେତେବେଳେ ତୁମେ ଖୁସିରେ କେତେ ଗଦ୍ଗଦ୍ ହୋଇଯାଉଛ । ଶିବବାବା ଆମକୁ ରାଜଯୋଗ ଶିଖାଉଛନ୍ତି ।
ବାସ୍ତବରେ ଶିବରାତ୍ରୀ ମଧ୍ୟ ଏବେ ପାଳନ କରାଯାଉଛି । କିନ୍ତୁ ମନୁଷ୍ୟମାନେ ଶିବବାବାଙ୍କ ବଦଳରେ
ଶ୍ରୀକୃଷ୍ଣଙ୍କ ନାମ ଗୀତାରେ ଲେଖି ଦେଇଛନ୍ତି । ଏହା ସବୁଠାରୁ ବଡ ଭୁଲ୍ ନମ୍ବରୱାନ ଗୀତାରେ ହିଁ
ଭୁଲ୍ କରି ଦେଇଛନ୍ତି । ଡ୍ରାମା ହିଁ ଏପରି ତିଆରି ହୋଇଛି । ବାବା ଆସି ଏହି ଭୁଲ୍ ବତାଉଛନ୍ତି,
କହୁଛନ୍ତି ପତିତ-ପାବନ ମୁଁ ନା କୃଷ୍ଣ? ତୁମକୁ ମୁଁ ରାଜଯୋଗ ଶିଖାଇ ମନୁଷ୍ୟରୁ ଦେବତା କରୁଛି ।
ଗାୟନ ମଧ୍ୟ ମୋର ରହିଛି ନା । ଅକାଳମୂର୍ତ୍ତ, ଅଜୋନି... କୃଷ୍ଣଙ୍କର ଏପରି ମହିମା କରିପାରିବେ
ନାହିଁ । ସେ ତ ପୁନର୍ଜନ୍ମରେ ଆସୁଛନ୍ତି । ତୁମ ପିଲାମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ଅଛନ୍ତି
ଯାହାଙ୍କ ବୁଦ୍ଧିରେ ଏହି ସବୁ କଥା ରହିଛି । ଜ୍ଞାନ ସହିତ ଚଳଣି ମଧ୍ୟ ଭଲ ହେବା ଦରକାର । ମାୟା
ମଧ୍ୟ କିଛି କମ୍ ନୁହେଁ । ଯିଏ ପ୍ରଥମେ ଆସିବେ ସେ ନିଶ୍ଚିତ ସେତିକି ଶକ୍ତିଶାଳୀ ହୋଇଥିବେ ।
ପାର୍ଟଧାରୀମାନେ ମଧ୍ୟ ଭିନ୍ନ-ଭିନ୍ନ ହୋଇଥା’ନ୍ତି ନା । ହିରୋ-ହିରୋଇନ୍ର ପାର୍ଟ ଭାରତବାସୀଙ୍କୁ
ହିଁ ମିଳିଛି । ତୁମେମାନେ ସମସ୍ତଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରୁଛ । ଶ୍ରୀମତ ମାଧ୍ୟମରେ ତୁମକୁ
କେତେ ବଳ ମିଳୁଛି । ମାୟା ମଧ୍ୟ ବଡ ଦୁସ୍ତର ଅଟେ, ଚାଲୁ-ଚାଲୁ ଧୋକା ଦେଇ ଦେଉଛି ।
ବାବା ସ୍ନେହର ସାଗର
ଅଟନ୍ତି ତେଣୁ ତୁମ ପିଲାମାନଙ୍କୁ ମଧ୍ୟ ବାବାଙ୍କ ସମାନ ସ୍ନେହର ସାଗର ହେବାକୁ ପଡିବ । କେବେ କଡା
କଥା କୁହ ନାହିଁ । କାହାକୁ ଦୁଃଖ ଦେଲେ ଦୁଃଖୀ ହୋଇ ମରିବ । ଏହି ଅଭ୍ୟାସ ସବୁ ଛାଡିବାକୁ ପଡିବ ।
ସବୁଠାରୁ ଖରାପ ଅଭ୍ୟାସ ହେଉଛି ବିଷୟ ସାଗରରେ ବୁଡି ରହିବା । ବାବା ମଧ୍ୟ କହୁଛନ୍ତି କାମ
ମହାଶତ୍ରୁ ଅଟେ । କେତେ କନ୍ୟାମାନେ ମାଡ ଖାଉଛନ୍ତି । କେହି-କେହି ତ ନିଜର କନ୍ୟାକୁ ପବିତ୍ର ହେବା
ପାଇଁ ଅନୁମତି ଦେଇ ଦେଉଛନ୍ତି । ଆରେ ପ୍ରଥମେ ନିଜେ ତ ପବିତ୍ର ହୁଅ । କନ୍ୟାକୁ ଦେଇ ଦେଲ,
ଖର୍ଚ୍ଚ ଆଦି ବୋଝରୁ ମୁକ୍ତ ହୋଇଗଲ କାହିଁକି ନା ଭାବୁଛନ୍ତି କିଏ ଜାଣିଛି, ୟାଙ୍କ ଭାଗ୍ୟରେ କ’ଣ
ଅଛି, କୌଣସି ସୁଖୀ ଘର ମିଳିବ କି ନ ମିଳିବ । ଆଜିକାଲି ଖର୍ଚ୍ଚ ମଧ୍ୟ ବହୁତ ହେଉଛି । ଗରୀବ ଲୋକ
ତ ତୁରନ୍ତ ଦେଇ ଦେଇଥା’ନ୍ତି । କାହାର ପୁଣି ମୋହ ରହିଥାଏ । ଆଗରୁ ଜଣେ ଶବରୀ ଝିଅ ଆସୁଥିଲା,
ତାଙ୍କୁ ଜ୍ଞାନରେ ଆସିବାକୁ ଦେଲେ ନାହିଁ କାହିଁକି ନା ଜାଦୁର ଭୟ ଥିଲା । ଭଗବାନଙ୍କୁ ଜାଦୁଗର
ମଧ୍ୟ କହୁଛନ୍ତି । ଭଗବାନଙ୍କୁ ହିଁ ଦୟାର ସାଗର କୁହାଯିବ । କୃଷ୍ଣଙ୍କୁ ଦୟାର ସାଗର କୁହାଯିବ
ନାହିଁ । ସେ ହିଁ ଦୟାଶୀଳ ଯିଏ ଅତ୍ୟାଚାରରୁ ମୁକ୍ତ କରିଥା’ନ୍ତି । ରାବଣ ହିଁ ନିଷ୍ଠୁର ଅଟେ ।
ପ୍ରଥମେ-ପ୍ରଥମେ ହେଉଛି
ଜ୍ଞାନ । ଜ୍ଞାନ, ଭକ୍ତି ପୁଣି ବୈରାଗ୍ୟ । ଏପରି ନୁହେଁ ଯେ ଭକ୍ତି, ଜ୍ଞାନ ପୁଣି ବୈରାଗ୍ୟ
କୁହାଯିବ । ଜ୍ଞାନର ବୈରାଗ୍ୟ ବୋଲି କୁହାଯାଇ ପାରିବ ନାହିଁ । ଭକ୍ତିରୁ ବୈରାଗ୍ୟ କରିବାକୁ
ପଡିଥାଏ ସେଥିପାଇଁ ଜ୍ଞାନ, ଭକ୍ତି, ବୈରାଗ୍ୟ ଏହା ସଠିକ୍ ଅକ୍ଷର ଅଟେ । ବାବା ତୁମକୁ ବେହଦର
ଅର୍ଥାତ୍ ପୁରୁଣା ଦୁନିଆରୁ ବୈରାଗ୍ୟ କରାଉଛନ୍ତି । ସନ୍ନ୍ୟାସୀମାନେ ତ କେବଳ ଘରଦ୍ୱାରରୁ
ବୈରାଗ୍ୟ କରାଇଥା’ନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ମନୁଷ୍ୟମାନଙ୍କ ବୁଦ୍ଧିରେ
ଧାରଣ ହେଉ ନାହିଁ । ଭାରତ ଶତ ପ୍ରତିଶତ ସାଲବେଣ୍ଟ୍(ସମୃଦ୍ଧ), ନିର୍ବିକାରୀ, ସୁସ୍ଥ ଥିଲା, କେବେ
ଅକାଳମୃତ୍ୟୁ ହେଉ ନ ଥିଲା । ଏହି ସବୁ କଥାର ଧାରଣା ବହୁତ କମ୍ ଆତ୍ମାଙ୍କୁ ହିଁ ହୋଇଥାଏ । ଯିଏ
ଭଲ ସେବା କରୁଛନ୍ତି, ସେ ବହୁତ ସାହୁକାର ହେବେ । ପିଲାମାନଙ୍କୁ ତ ସାରାଦିନ ବାବା-ବାବା ହିଁ ମନେ
ରହିବା ଉଚିତ୍ । କିନ୍ତୁ ମାୟା କରିବାକୁ ଦେଉ ନାହିଁ । ବାବା କହୁଛନ୍ତି ସତ୍ତ୍ୱପ୍ରଧାନ ହେବା
ପାଇଁ ଚାଲିବା ବୁଲିବା ସମୟରେ, ଖାଇବା-ପିଇବା ସମୟରେ ମୋତେ ମନେ ପକାଅ । ମୁଁ ତୁମକୁ ବିଶ୍ୱର
ମାଲିକ କରୁଛି । ତୁମେ ମୋତେ ମନେ ପକାଇବ ନାହିଁ! ଅନେକଙ୍କ ପାଖକୁ ମାୟାର ତୋଫାନ ବହୁତ ଆସୁଛି ।
ବାବା ବୁଝାଉଛନ୍ତି - ଏହା ତ ହେବ । ଡ୍ରାମାରେ ନିଧାର୍ଯ୍ୟ ରହିଛି । ସ୍ୱର୍ଗର ସ୍ଥାପନା ତ
ନିଶ୍ଚିତ ହେବ । ସର୍ବଦା ନୂଆ ଦୁନିଆ ତ ରହିପାରିବ ନାହିଁ । ଚକ୍ର ଘୂରିଲେ ଉପର ଯୁଗ ତଳକୁ
ନିଶ୍ଚୟ ଆସିବ । ପ୍ରତ୍ୟେକ ଜିନିଷ ନୂଆରୁ ନିଶ୍ଚୟ ପୁରୁଣା ହୋଇଥାଏ । ବର୍ତ୍ତମାନ ମାୟା
ସମସ୍ତଙ୍କୁ ଏପ୍ରିଲ୍ ଫୁଲ୍ କରିଦେଇଛି, ବାବା ଆସି ଗୁଲ-ଗୁଲ କରୁଛନ୍ତି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ଭଳି ସ୍ନେହର ସାଗର ହେବାକୁ ପଡିବ । କେବେ କାହାକୁ ବି ଦୁଃଖ ଦେବାର ନାହିଁ । କଷ୍ଟଦାୟୀ କଥା
ମଧ୍ୟ କହିବାର ନାହିଁ । ଖରାପ ଅଭ୍ୟାସ ଗୁଡିକୁ ସମାପ୍ତ କରିଦେବାକୁ ହେବ ।
(୨) ବାବାଙ୍କ ସହିତ
ମିଠା-ମିଠା କଥାବାର୍ତ୍ତା ହୋଇ ଏହି ଅନୁଭୂତିରେ ରହିବାକୁ ହେବ ଯେ ଓହୋ ବାବା, ଆପଣ ମୋତେ କ’ଣରୁ
କ’ଣ କରି ଦେଇଛନ୍ତି! ଆପଣ ମୋତେ କେତେ ସୁଖ ଦେଇଛନ୍ତି! ବାବା, ଆପଣ ମୋତେ କ୍ଷୀର ସାଗରକୁ ନେଇ
ଯାଉଛନ୍ତି.... ସାରା ଦିନ ଏହିଭଳି ବାବା-ବାବା ମନେ ରହିଥାଉ ।
ବରଦାନ:-
ସର୍ବ ସମ୍ବନ୍ଧ
ଏବଂ ସର୍ବଗୁଣର ଅନୁଭୂତିରେ ସମ୍ପନ୍ନ ହେଉଥିବା ସମ୍ପୂର୍ଣ୍ଣ ମୂରତ ଭବ ।
ସଂଗମଯୁଗରେ ବିଶେଷ କରି
ସର୍ବ ପ୍ରାପ୍ତିଗୁଡିକରେ ନିଜକୁ ସମ୍ପନ୍ନ କରିବାକୁ ହେବ ସେଥିପାଇଁ ସର୍ବ ସମ୍ପତ୍ତି, ସର୍ବ
ସମ୍ବନ୍ଧ, ସର୍ବଗୁଣ ଏବଂ କର୍ତ୍ତବ୍ୟକୁ ସମ୍ମୁଖରେ ରଖି ଚେକ୍ କର ଯେ ଏହି ସବୁ କଥାରେ ମୁଁ ଅନୁଭବୀ
ହେଲିଣି ତ! ଯଦି କୌଣସି କଥାରେ ଅନୁଭବରେ କମୀ ରହିଛି ତେବେ ସେଥିରେ ନିଜକୁ ସମ୍ପନ୍ନ କର । ଯଦି
ଗୋଟିଏ ବି ସମ୍ବନ୍ଧ ବା ଗୁଣର କମୀ ରହିଯିବ ତେବେ ସମ୍ପୂର୍ଣ୍ଣ ସ୍ଥିତି ବା ସମ୍ପୂର୍ଣ୍ଣ ମୂରତ
ବୋଲାଇ ପାରିବ ନାହିଁ, ସେଥିପାଇଁ ବାବାଙ୍କର ଗୁଣଗୁଡିକୁ ବା ନିଜର ଆଦି ସ୍ୱରୂପର ଗୁଣଗୁଡିକୁ
ଅନୁଭବ କର ତେବେ ଯାଇ ସମ୍ପୂର୍ଣ୍ଣ ମୂରତ ହୋଇପାରିବ ।
ସ୍ଲୋଗାନ:-
ଉତ୍ତେଜିତ ହେବା
ମଧ୍ୟ ମନର କାନ୍ଦଣା ଅଟେ - ଏବେ କାନ୍ଦିବାର ଫାଇଲ୍କୁ ସମାପ୍ତ କର ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୨୯) ମାନସୀକ ସେବା
କରିବା ପାଇଁ ହେଲେ ସର୍ବଶକ୍ତିଗୁଡିକୁ ନିଜର ଜୀବନର ଅଙ୍ଗ କରିଦିଅ ବାବାଙ୍କ ସମାନ ଏଭଳି ପରଫେକ୍ଟ
ଅର୍ଥାତ୍ ନିଖୁଣ ହୋଇଯାଅ, ଯାହାକି ଭିତରେ କୌଣସି ପ୍ରକାରର ଡିଫେକ୍ଟ ବା ଖୁଣ ନ ରହୁ ତେବେ ଯାଇ
ନିଜର ଶ୍ରେଷ୍ଠ ସଂକଳ୍ପର ଏକାଗ୍ରତା ଦ୍ୱାରା ଅର୍ଥାତ୍ ମନର ବୃତ୍ତି ଦ୍ୱାରା ସ୍ୱତଃ ଭାବରେ
ଚତୁର୍ଦ୍ଦିଗରେ ସକାଶ ବିଚ୍ଛୁରିତ ହେବାକୁ ଲାଗିବ ।