29.09.24    Avyakt Bapdada     Odia Murli    03.02.2002     Om Shanti     Madhuban


“ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କର ଏବଂ ସର୍ବ ସମ୍ପତ୍ତିରେ ସମ୍ପନ୍ନ ହୁଅ”


ଆଜି ସର୍ବ ସମ୍ପତ୍ତିର ମାଲିକ ନିଜର ସମ୍ପତ୍ତି ଗୁଡିକରେ ସମ୍ପନ୍ନ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ପିତାଙ୍କର ସମ୍ପତ୍ତିରେ ସମ୍ପନ୍ନ ଅଟନ୍ତି ତେବେ ଯିଏ ସମ୍ପନ୍ନ ହୋଇଥାଏ ତା’ର ଚିହ୍ନ ହେଲା ସେ ସର୍ବଦା ପ୍ରାପ୍ତି ସ୍ୱରୂପ ତଥା ତୃପ୍ତ ଆତ୍ମା ଭଳି ଦେଖାଯାଉଥିବ ଏବଂ ସର୍ବଦା ଖୁସିରେ ରହୁଥିବାର ଦେଖାଯିବ କାହିଁକି ନା ଭରପୂର ଆତ୍ମା ଅଟେ । ତେଣୁ ପ୍ରତ୍ୟେକ ସନ୍ତାନ ନିଜେ ନିଜକୁ ପଚାର ଯେ ମୋ ପାଖରେ କେତେ ସମ୍ପତ୍ତି ଜମା ଅଛି? ଏହି ଅବିନାଶୀ ସମ୍ପତ୍ତି ଏବେ ମଧ୍ୟ ମିଳିଛି ଏବଂ ଭବିଷ୍ୟତରେ ମଧ୍ୟ ଅନେକ ଜନ୍ମ ପର୍ଯ୍ୟନ୍ତ ସାଥୀରେ ରହିବ, କାରଣ ଏହି ସମ୍ପତ୍ତି ଗୁଡିକ କେବେ ବି ଶେଷ ହେବାର ନାହିଁ । ତେବେ ସବୁଠାରୁ ପ୍ରଥମ ସମ୍ପତ୍ତି ହେଲା ଜ୍ଞାନ ରୂପକ ସମ୍ପତ୍ତି, ଯେଉଁ ଜ୍ଞାନର ସମ୍ପତ୍ତିରେ ବର୍ତ୍ତମାନ ମଧ୍ୟ ତୁମେ ସମସ୍ତେ ମୁକ୍ତି ଏବଂ ଜୀବନମୁକ୍ତିର ଅନୁଭବ କରୁଛ । ଜୀବନରେ ଥାଇ, ପୁରୁଣା ଦୁନିଆ ଭିତରେ ଥାଇ, ତମୋଗୁଣୀ ବାୟୁମଣ୍ଡଳ ଭିତରେ ଥାଇ ମଧ୍ୟ ଜ୍ଞାନ ରୂପୀ ସମ୍ପତ୍ତି ଆଧାରରେ ଏହି ସବୁ ବାୟୁମଣ୍ଡଳ ତଥା ବାତାବରଣ ଠାରୁ ନିଆରା ଅର୍ଥାତ୍ ମୁକ୍ତ ଆତ୍ମା ଅଟ । କମଳ ପୁଷ୍ପ ଭଳି ନିଆରା ଏବଂ ମୁକ୍ତ ଆତ୍ମାମାନେ ଦୁଃଖରୁ, ଚିନ୍ତାରୁ ଏବଂ ଅଶାନ୍ତିରୁ ମଧ୍ୟ ମୁକ୍ତ ଅଟ । ଜୀବନରେ ରହି ମଧ୍ୟ ଖରାପ ସ୍ୱଭାବ-ସଂସ୍କାରର ବନ୍ଧନରୁ ମୁକ୍ତ ଅଟ । ବ୍ୟର୍ଥ ସଂକଳ୍ପର ତୋଫାନ ଠାରୁ ମଧ୍ୟ ମୁକ୍ତ ଅଟ । କ’ଣ ମୁକ୍ତ ଅଟ ତ? ସମସ୍ତେ ହାତ ହଲାଉଛନ୍ତି ।

ତେଣୁ ମୁକ୍ତି ଏବଂ ଜୀବନମୁକ୍ତି ଏହି ଜ୍ଞାନ ରୂପୀ ସମ୍ପତ୍ତିର ଫଳ ବା ପ୍ରାପ୍ତି ଅଟେ । ଚାହେଁ ବ୍ୟର୍ଥ ସଂକଳ୍ପ ମଧ୍ୟ ଆସିବାକୁ ଚେଷ୍ଟା କରୁଛି, ନକରାତ୍ମକ ସଂକଳ୍ପ ମଧ୍ୟ ଆସୁଛି କିନ୍ତୁ ତୁମ ପାଖରେ ଯେହେତୁ ଜ୍ଞାନ ଅର୍ଥାତ୍ ବୁଝିବା ଶକ୍ତି ରହିଛି ଯେ ବ୍ୟର୍ଥ ସଂକଳ୍ପ ବା ନକାରାତ୍ମକ ସଂକଳ୍ପର କାମ ହେଲା ଆସିବା ଏବଂ ତୁମେ ଜ୍ଞାନୀ ଆତ୍ମାମାନଙ୍କର କାମ ହେଲା ଏଗୁଡିକ ଠାରୁ ମୁକ୍ତ ହେବା ଅର୍ଥାତ୍ ନିଆରା ହେବା ଏବଂ ବାବାଙ୍କର ପ୍ରିୟ ହେବା । ତେବେ ଚେକ୍ କର - ଯେ ଜ୍ଞାନ ରୂପୀ ସମ୍ପତ୍ତି ସମସ୍ତଙ୍କୁ ମିଳିଛି ତ? ଭରପୂର ଅଛି ତ? ସମ୍ପନ୍ନ ରୂପରେ ଅଛି ନା କମ୍ ଅଛି? ଯଦି କମ୍ ଅଛି ତେବେ ତାକୁ ଜମା କରିଚାଲ, ଖାଲି ରଖ ନାହିଁ ।

ସେହିପରି ଯୋଗ ରୂପୀ ସମ୍ପତ୍ତି - ଯେଉଁଥିରୁ ସର୍ବ ଶକ୍ତି ଗୁଡିକର ପ୍ରାପ୍ତି ହେଉଛି । ତେବେ ନିଜେ ନିଜକୁ ଦେଖ ଯେ ଯୋଗ ରୂପୀ ସମ୍ପତ୍ତି ଦ୍ୱାରା ସର୍ବ ଶକ୍ତି ଗୁଡିକ ଜମା ଅଛି ତ? ସବୁ ତକ ଅଛି ତ? ଯଦି ଗୋଟିଏ ବି ଶକ୍ତି କମ୍ ଥିବ ତେବେ ଉଚିତ୍ ସମୟରେ ଧୋକା ଦେଇ ଦେବ । ତେଣୁ ତୁମମାନଙ୍କର ଉପାଧି ମଧ୍ୟ - ମାଷ୍ଟର ସର୍ବଶକ୍ତିବାନ ଅଟେ, ଶକ୍ତିବାନ ନୁହେଁ, ସର୍ବଶକ୍ତିବାନ । ତେବେ ସର୍ବ ଶକ୍ତି ଗୁଡିକର ସମ୍ପତ୍ତି ଯୋଗବଳ ଦ୍ୱାରା ଜମା ଅଛି ତ? ଭରପୂର ଅଛି ତ, ପ୍ରାପ୍ତି ସ୍ୱରୂପ ଅଟ ନା କିଛି ନା କିଛି କମୀ ରହିଛି? ତେବେ କମୀ କାହିଁକି ରହିଛି? ଯଦି କମୀ ଅଛି ତେବେ ଏବେ ହିଁ ନିଜର କମୀକୁ ପୂରଣ କରିପାରିବ । ଏବେ ହିଁ ସୁଯୋଗ ଅଛି । ଏହା ପରେ ନିଜକୁ ସମ୍ପନ୍ନ କରିବାର ସମୟ ସମାପ୍ତ ହୋଇଯିବ ଏବଂ କମୀ ରହିଯିବ । ତେଣୁ ଚେକ୍ କର - ଗୋଟିଏ ଗୋଟିଏ ଶକ୍ତିକୁ ସମ୍ମୁଖକୁ ଆଣ ଏବଂ ସାରା ଦିନର ଦିନଚର୍ଯ୍ୟାରେ ଚେକ୍ କର । ଯଦି କିଛି ପ୍ରତିଶତ ମଧ୍ୟ କମ୍ ଅଛି ତେବେ ଫୁଲ୍‌ପାସ୍ କୁହାଯିବ ନାହିଁ, କାହିଁକି ନା ତୁମମାନଙ୍କର ଲକ୍ଷ୍ୟ ହେଲା, ଯାହାକୁ ବି ପଚାର - ତୁମକୁ ଫୁଲ୍‌ପାସ୍ ହେବାର ଅଛି ନା ଅଧା ପାସ୍ ହେଲେ ଚଳିବ? ତେବେ ସମସ୍ତେ କହିବେ ମୁଁ ତ ସୂର୍ଯ୍ୟବଂଶୀ ହିଁ ହେବି, ଚନ୍ଦ୍ରବଂଶୀ ହେବି ନାହିଁ । କିନ୍ତୁ ବାପଦାଦା କହୁଛନ୍ତି ଯଦି ଚନ୍ଦ୍ରବଂଶୀ ହେବ ତେବେ ବାପଦାଦା ବହୁତ ଭଲ ସିଂହାସନ ଦେବେ, କ’ଣ ଚନ୍ଦ୍ରବଂଶୀ ହେବ? ତେବେ ଭାରତବାସୀ ସୂର୍ଯ୍ୟବଂଶୀ ହୋଇ ଯାଆନ୍ତୁ ଏବଂ ବିଦେଶୀମାନେ ଚନ୍ଦ୍ରଂବଶୀ ହୋଇ ଯାଆନ୍ତୁ, ଚଳିବ ତ? ଚଳିବ ନାହିଁ? ତେବେ ସୂର୍ଯ୍ୟବଂଶୀ ହେବାର ଅଛି ତ? ହେବାକୁ ହିଁ ପଡିବ । ଏହା ତ ବାପଦାଦା ପିଲାମାନଙ୍କ ସହିତ ଆଲୋଚନା କରୁଛନ୍ତି । ଯେବେକି ତୁମକୁ ସୂର୍ଯ୍ୟବଂଶୀ ହେବାକୁ ହିଁ ପଡିବ ଏବଂ ଦୃଢ ନିଶ୍ଚୟ ମଧ୍ୟ ଅଛି, ବାବାଙ୍କ ସହିତ ଏବଂ ନିଜ ସହିତ ପ୍ରତିଜ୍ଞା ମଧ୍ୟ କରିନେଇଛ, ତେଣୁ ଏବେଠାରୁ କୌଣସି ବି ଶକ୍ତିର ମାତ୍ରା କମ୍ ହେବା ଉଚିତ୍ ନୁହେଁ । ଯଦି କହିବ ସମସ୍ୟା ଗୁଡିକ କାରଣରୁ, ପରିସ୍ଥିତି କାରଣରୁ ମୋ’ର ନମ୍ବର କମ୍ ରହିଗଲା ତେବେ ୧୪ କଳା ହୋଇଯିବ ସେଥିପାଇଁ ଆଜିକାଲି ବାପଦାଦା ଚାରିଆଡର ସବୁ ପିଲାଙ୍କର ଚାର୍ଟ ବା ଜମାର ଖାତାକୁ ଚେକ୍ କରୁଛନ୍ତି । ବାପଦାଦାଙ୍କ ନିକଟରେ ମଧ୍ୟ ସମସ୍ତଙ୍କର ରେଜିଷ୍ଟର ରହିଛି କାହିଁକି ନା ସମୟର ଦୃଢଗତି ଅନୁସାରେ ବାପଦାଦା ପିଲାମାନଙ୍କୁ ପୂର୍ବରୁ ହିଁ ଶୁଣାଇ ଦେଉଛନ୍ତି ଯେ ସମୟର ବେଗ ଅନୁସାରେ ଏବେ ଆଉ କେବେ କୁହ ନାହିଁ ଏବେ କୁହ । ତେବେ ହୋଇଯିବ ବା କରିନେବି... ହେବ ତ ନିଶ୍ଚିତ..... ଏଭଳି ଭାବ ନାହିଁ । ହେବ ତ ନିଶ୍ଚିତ.... ନା, ଏବେ ଏବେ ହିଁ କରିବାକୁ ହେବ । ଯେହେତୁ ସମୟର ବେଗ ତୀବ୍ର ହେବାରେ ଲାଗିଛି, ସେଥିପାଇଁ ତୁମେମାନେ ଯେଉଁ ଲକ୍ଷ୍ୟ ରଖିଛ - ବାବାଙ୍କ ସମାନ ହେବାର, ଫୁଲପାସ୍ ହେବାର ଏବଂ ୧୬ କଳା ସମ୍ପନ୍ନ ହେବାର, ତେବେ ବାପଦାଦା ମଧ୍ୟ ଏହା ହିଁ ଚାହୁଁଛନ୍ତି ଯେ ବାସ୍ତବିକ ରୂପରେ ଲକ୍ଷ୍ୟ ଏବଂ ଲକ୍ଷଣ ସମାନ ହେବା ଦରକାର । ତେବେ ଯେତେବେଳେ ତୁମର ଲକ୍ଷ୍ୟ ଏବଂ ଲକ୍ଷଣ ଉଭୟ ସମାନ ହୋଇଯିବ, ସେତେବେଳେ ହିଁ ତୁମେମାନେ ସହଜରେ ବାବାଙ୍କ ସମାନ ହୋଇଯିବ । ତେଣୁ ଚେକ୍ କର - ହୋଇ ହିଁ ଯିବି... ହୋଇ ହିଁ ଯିବ... ଏସବୁ ହେଲା ଅବହେଳା ପଣିଆର ଭାଷା । ଯାହା କରିବାର ଅଛି, ଯାହା ହେବାର ଅଛି, ବା ଯାହା ଲକ୍ଷ୍ୟ ରଖିଛ ତାକୁ ଏବେ ଠାରୁ ହିଁ କରିବାକୁ ହେବ ବା ହେବାକୁ ପଡିବ । ତେଣୁ କେବେ ଶବ୍ଦ କୁହ ନାହିଁ, ଏବେ ଏବେ ଶବ୍ଦ କୁହ । ତେବେ ଜ୍ଞାନ ରୂପୀ ସମ୍ପତ୍ତି, ଯୋଗ ରୂପୀ ସମ୍ପତ୍ତି ସହିତ ଆଉ ଗୋଟିଏ ଧାରଣା ରୂପୀ ସମ୍ପତ୍ତି ମଧ୍ୟ ରହିଛି । ଯାହା ଦ୍ୱାରା ଗୁଣ ରୂପୀ ସମ୍ପତ୍ତି ଜମା ହୋଇଥାଏ । ଯେପରି ଶକ୍ତିକୁ ଧାରଣ କରିବାରେ ସର୍ବଶକ୍ତି ରହିଛି ସେହିପରି ଗୁଣରେ ମଧ୍ୟ ସର୍ବଗୁଣ ରହିଛି, କେବଳ ଗୁଣ ନୁହେଁ, ସର୍ବ ଗୁଣକୁ ଧାରଣ କରିବାକୁ ହେବ । ତେଣୁ ସର୍ବ ଗୁଣ ଅଛି ନା ଭାବୁଛ ଗୋଟିଏ ଦୁଇଟି ଗୁଣ ଯଦି କମ୍ ହୋଇଗଲା ତେବେ କ’ଣ ହେଲା? ଚଳିବ ତ? ଚଳିବ ନାହିଁ । ତେବେ ସର୍ବଗୁଣ ରୂପୀ ସମ୍ପତ୍ତି ଜମା ଅଛି ତ? ଯଦି କେଉଁ ଗୁଣର କମୀ ରହିଛି, ତେବେ ତାକୁ ଚେକ୍ କରି ସେଥିରେ ଭରପୁର ହୋଇଯାଅ ।

ଚତୁର୍ଥ କଥା ହେଲା - ସେବା । ସେବା ଦ୍ୱାରା ସମସ୍ତଙ୍କୁ ଅନୁଭବ ତ ଅଛି, ଯେତେବେଳେ ବି ମାନସୀକ ସେବା କରୁଛ ବା ବାଣୀ ଦ୍ୱାରା ଅଥବା କର୍ମ ଦ୍ୱାରା ମଧ୍ୟ ସେବା କରୁଛ, ସେତେବେଳେ ତା’ର ପ୍ରାପ୍ତି ରୂପରେ ଆତ୍ମିକ ଖୁସି ନିଶ୍ଚିତ ମିଳୁଛି, ତେଣୁ ଚେକ୍ କର ସେବା ଦ୍ୱାରା ଖୁସିର ଅନୁଭୁତି କେତେ ପରିମାଣରେ କରୁଛ? ଯଦି ସେବା କରୁଛ କିନ୍ତୁ ଖୁସି ମିଳୁ ନାହିଁ ତେବେ ସେହି ସେବା ଯଥାର୍ଥ ସେବା ନୁହେଁ । ସେବାରେ କିଛି ନା କିଛି କମୀ ରହିଛି, ସେଥିପାଇଁ ଖୁସି ମିଳୁନାହିଁ । ତେବେ ସେବାର ଅର୍ଥ ହେଲା ଆତ୍ମା ନିଜକୁ ଖୁସିବାସିଆ ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ ଆତ୍ମିକ ଗୋଲାପ ଫୁଲଭଳି ଅନୁଭବ କରିବ ତଥା ଖୁସି ରୂପୀ ଝୁଲଣାରେ ଝୁଲିବାର ମଧ୍ୟ ଅନୁଭବ କରିବ । ତେଣୁ ଚେକ୍ କର - ସାରା ଦିନ ତ ସେବା କରିଲି କିନ୍ତୁ ସାରା ଦିନର ସେବାର ତୁଳନାରେ ସେତିକି ଖୁସି ମିଳିଲା, ଭାବିଚିନ୍ତି ହେବାରେ ସମୟ ବିତିଗଲା, ଏଇଆ ନୁହେଁ ସେଇଆ, ସେଇଆ ନୁହେଁ ସେଇଆ....? ତେବେ ତୁମମାନଙ୍କର ଖୁସିର ପ୍ରଭାବ ପ୍ରଥମେ ତ ସେବାସ୍ଥାନ ଉପରେ, ଦ୍ୱିତୀୟରେ ସେବାସାଥୀମାନଙ୍କ ଉପରେ, ତୃତୀୟରେ ଯେଉଁ ଆତ୍ମାମାନଙ୍କର ସେବା କରିଲ ସେହି ଆତ୍ମାମାନଙ୍କ ଉପରେ ମଧ୍ୟ ପଡୁ ଏବଂ ବାୟୁମଣ୍ଡଳ ମଧ୍ୟ ଖୁସି ହୋଇଯାଉ । ଏହା ହିଁ ହେଉଛି ସେବାରୂପୀ ସମ୍ପତ୍ତିର ପରିଣାମ - ଖୁସି ।

ଆଉ ଗୋଟିଏ କଥା - ଚାରୋଟିଯାକ ବିଷୟ ତ ହୋଇଗଲା କିନ୍ତୁ ଆଉ ଗୋଟିଏ କଥା ହେଲା ସମ୍ବନ୍ଧ-ସମ୍ପର୍କ ମଧ୍ୟ ବହୁତ ଜରୁରୀ ଅଟେ, କାହିଁକି ଜାଣିଛ? କେତେକ ପିଲା ଭାବୁଛନ୍ତି ବାପଦାଦାଙ୍କ ସହିତ ଆମର ସମ୍ବନ୍ଧ ନିଶ୍ଚିତ ଅଛି । ତେଣୁ ପରିବାର ସହିତ ସମ୍ବନ୍ଧ ରହୁ କି ନ ରହୁ ସେଥିରେ କ’ଣ ଅଛି, ବୀଜ ସହିତ ତ ସମ୍ବନ୍ଧ ଅଛି ନା । କିନ୍ତୁ ତୁମକୁ ତ ବିଶ୍ୱ ଉପରେ ରାଜ୍ୟ କରିବାର ଅଛି ନା! ତେଣୁ ରାଜ୍ୟ କରିବାର ସହିତ ସମ୍ବନ୍ଧରେ ତ ଆସିବାକୁ ହିଁ ପଡିବ । ସେଥିପାଇଁ ସମସ୍ତଙ୍କ ସହିତ ସମ୍ବନ୍ଧ ରଖିବାକୁ ହିଁ ପଡିବ କିନ୍ତୁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ପ୍ରାପ୍ତ ହେଉଥିବା ଯଥାର୍ଥ ସମ୍ପତ୍ତି ହେଲା - ସମସ୍ତଙ୍କର ଆଶୀର୍ବାଦ । ତେଣୁ ସମ୍ବନ୍ଧ-ସମ୍ପର୍କ ବିନା ତୁମ ପାଖରେ ଆଶୀର୍ବାଦ ରୂପୀ ସମ୍ପତ୍ତି ଜମା ହୋଇପାରିବ ନାହିଁ । ତେବେ ମାତା-ପିତାଙ୍କର ଆଶୀର୍ବାଦ ତ ରହିଛି କିନ୍ତୁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ମଧ୍ୟ ଆଶୀର୍ବାଦ ନେବାକୁ ହେବ । ଯଦି ତୁମକୁ ଆଶୀର୍ବାଦ ମିଳୁ ନାହିଁ ବା ଅନୁଭବ ହେଉ ନାହିଁ ତେବେ ବୁଝିନିଆ ଯେ ସମ୍ବନ୍ଧ-ସମ୍ପର୍କରେ କିଛି କମୀ ରହିଛି । ଯଥାର୍ଥ ରୂପରେ ଯଦି ସମ୍ବନ୍ଧ-ସମ୍ପର୍କ ରହିଛି ତେବେ ଆଶୀର୍ବାଦର ଅନୁଭୂତି ହେବା ଦରକାର । ତେବେ ଆଶୀର୍ବାଦର ଅନୁଭୁତି ମଧ୍ୟ କ’ଣ ହେବ? ଏଥିରେ ତ ସମସ୍ତେ ଅନୁଭବୀ ଅଟ ନା! ଯଦି ସେବା ଦ୍ୱାରା ଆଶୀର୍ବାଦ ମିଳୁଛି ତେବେ ଆର୍ଶୀବାଦ ମିଳିବାର ଅନୁଭବ ଏହିଭଳି ହେଉଥିବ ଯାହାକି ନିଜେ ମଧ୍ୟ ସମସ୍ତଙ୍କ ସହିତ ସମ୍ବନ୍ଧ ରଖିବାରେ, କର୍ମଧନ୍ଦା କରିବା ସମୟରେ ଡବଲ ଲାଇଟ୍ ଅର୍ଥାତ୍ ହାଲୁକା ସ୍ଥିତିରେ ରହୁଥିବ, ବୋଝର ଅନୁଭବ ହେଉ ନ ଥିବ ଏବଂ ଯେଉଁମାନଙ୍କର ସେବା କରିଲ ବା ସମ୍ବନ୍ଧ-ସମ୍ପର୍କରେ ଆସିଲ ସେମାନେ ମଧ୍ୟ ଡବଲ ଲାଇଟ୍ ସ୍ଥିତିର ଅନୁଭବ କରିବେ ଏବଂ ଏକଥା ମଧ୍ୟ ଅନୁଭବ କରିବେ ଯେ ଇଏ ସମ୍ବନ୍ଧ ରଖିବାରେ ସର୍ବଦା ହାଲୁକା ଅର୍ଥାତ୍ ସରଳ ସ୍ୱଭାବର ଅଟନ୍ତି, ଗମ୍ଭୀର ନୁହଁନ୍ତି । ଏହାଙ୍କ ସହିତ ମିଶିବି କି ନାହିଁ ଏପରି ଭାବ ନାହିଁ କିନ୍ତୁ ଆଶୀର୍ବାଦ ମିଳୁଥିବା କାରଣରୁ ଉଭୟ ମର୍ଯ୍ୟାଦା ହିସାବରେ ହାଲୁକା ରହୁଥିବେ କିନ୍ତୁ ଏଭଳି ସରଳ ମଧ୍ୟ ହେଉ ନ ଥିବ ଯେପରି କଥାରେ ଅଛି ଅଧିକ ମିଠା ହୋଇଗଲେ ପିମ୍ପୁଡି ମଧ୍ୟ ବେଶୀ ଲାଗିବେ । ତେଣୁ ଅତ୍ୟଧିକ ସରଳ ହେବା ମଧ୍ୟ ଠିକ୍ ନୁହେଁ କିନ୍ତୁ ଡବଲ ଲାଇଟ୍ ସ୍ଥିତିରେ ରହୁଥିବ । ତେଣୁ ବାପଦାଦା କହୁଛନ୍ତି - ନିଜ-ନିଜର ସମ୍ପତ୍ତିକୁ ଚେକ୍ କର । ସେଥିପାଇଁ ସମୟ ମଧ୍ୟ ଦିଆଯାଉଛି । ଏବେ ତ ସମାପ୍ତିର ବୋର୍ଡ ଲାଗି ନାହିଁ ତେଣୁ ଚେକ୍ କର ଏବଂ ଆଗକୁ ବଢିଚାଲ ।

ବାପଦାଦାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା, ତେଣୁ ବାପଦାଦା ଭାବୁଛନ୍ତି କେହି ବି ସନ୍ତାନ ଯେପରି ସମ୍ପତ୍ତିରୁ ବଞ୍ଚିତ ରହି ନ ଯାଉ । ପ୍ରତ୍ୟେକ ସନ୍ତାନ ଆଗକୁ ବଢିଚାଲୁ, କିନ୍ତୁ ଚାଲୁ ଚାଲୁ ପିଲାମାନଙ୍କ ଭିତରେ ଦେହ-ଅଭିମାନ ଆସିଯାଉଛି । ସ୍ୱମାନ ଏବଂ ଦେହ-ଅଭିମାନ ଦୁଇଟି କଥା ଅଟେ ନା! ତେବେ ଦେହ-ଅଭିମାନର କାରଣ ହେଲା ସ୍ୱମାନରେ ରହିବାରେ କମୀ ହୋଇଯାଉଛି । ତେଣୁ ଦେହ-ଅଭିମାନକୁ ସମାପ୍ତ କରିବାର ବହୁତ ସହଜ ସାଧନ ହେଲା - ଦେହ ଅଭିମାନ ଆସିବାର ଯେଉଁ ଗୋଟିଏ ଅକ୍ଷର ବା ଶବ୍ଦ ରହିଛି, ତାହା ତ ତୁମେମାନେ ମଧ୍ୟ ଜାଣିଛ । ତେବେ ସେହି ଶବ୍ଦଟି କ’ଣ? (ମୁଁ) ଆଚ୍ଛା - ସାରା ଦିନ ଭିତରେ କେତେ ଥର - ମୁଁ-ମୁଁ କହୁଛ? କେବେ ଧ୍ୟାନ ଦେଇଛ? ଆଚ୍ଛା ଗୋଟିଏ ଦିନ ହିସାବ ରଖ । ବାରମ୍ବାର ମୁଁ ଶବ୍ଦ ତ ନିଶ୍ଚିତ ଆସୁଛି କିନ୍ତୁ ମୁଁ କିଏ? ତୁମମାନଙ୍କର ତ ପ୍ରଥମ ପାଠ ହେଲା ମୁଁ କିଏ? ଯେତେବେଳେ ବି ଦେହ-ଅଭିମାନରେ ଆସି ମୁଁ କହୁଛ, ଚିନ୍ତା କର ବାସ୍ତବରେ ମୁଁ କିଏ ଅଟେ? ଆତ୍ମା ନା ଦେହ? ଆତ୍ମା ହିଁ ଦେହକୁ ଧାରଣ କରିଛି, ଏହା ତ ଠିକ୍ କଥା ନା ? ତେଣୁ ମୁଁ କିଏ ହେଲି? ଆତ୍ମା ଅଟେ ନା । ତେବେ ସହଜ ସାଧନ ହେଲା, ଯେତେବେଳେ ବି ମୁଁ ଶବ୍ଦ କହୁଛ - ଏହି କଥା ମନେ ରଖ ଯେ ‘ମୁଁ’ କେଉଁ ଆତ୍ମା? ଆତ୍ମା ନିରାକାର ଅଟେ ଏବଂ ଦେହ ସାକାର ଅଟେ । ନିରାକାର ଆତ୍ମା ସାକାର ଦେହକୁ ଧାରଣ କରିଛି । ତେଣୁ ଯେତେ ଥର ବି ମୁଁ ମୁଁ ଶବ୍ଦ କହୁଛ, ସେତିକି ସମୟ ଏହି କଥା ମନେ ପକାଅ ଯେ ମୁଁ ନିରାକାର ଆତ୍ମା ସାକାର ଦେହ ମଧ୍ୟରେ ପ୍ରବେଶ କରିଛି । ଯଦି ନିରାକାର ସ୍ଥିତି ମନେ ରହିବ ତେବେ ନିରଂହକାରୀ ମଧ୍ୟ ସ୍ୱତଃ ହିଁ ହୋଇଯିବ, ଦେହ-ଅଭିମାନ ସମାପ୍ତ ହୋଇଯିବ । ତେଣୁ ସେହି ପ୍ରଥମ ପାଠକୁ ହିଁ ପକ୍କା କର ଯେ ମୁଁ କିଏ? ଯଦି ଏହି କଥା ମନେ ରହିଲା ଯେ ମୁଁ କେଉଁ ଆତ୍ମା ତେବେ ଆତ୍ମା ମନେ ପଡିବା ଦ୍ୱାରା ନିରାକାରୀ ସ୍ଥିତି ପକ୍କା ହୋଇଯିବ ଏବଂ ଯେଉଁଠି ନିରାକାରୀ ସ୍ଥିତି ରହିଥିବ ସେଠାରେ ନିରହଂକାରୀ ଏବଂ ନିର୍ବିକାରୀ ମଧ୍ୟ ନିଶ୍ଚିତ ହୋଇଯିବ । ତେବେ କାଲିଠାରୁ ନୋଟ୍ କର ଅର୍ଥାତ୍ ହିସାବ ରଖ ଯେତେବେଳେ ବି ମୁଁ ଶବ୍ଦ କହୁଛ ସେତେବେଳେ କ’ଣ ସ୍ମୃତିରେ ରହୁଛି? ତେଣୁ ଯେତେ ଥର ମୁଁ ଶବ୍ଦକୁ ବ୍ୟବହାର କରିବ ସେତେ ଥର ନିରାକାରୀ, ନିରହଂକାରୀ, ନିର୍ବିକାରୀ ସ୍ୱତଃ ହୋଇଯିବ, ଆଚ୍ଛା!

ଆଜି ଯୁବା ବର୍ଗବାଲା ଆସିଛନ୍ତି । ଏମାନଙ୍କ ସଂଖ୍ୟା ମଧ୍ୟ ବହୁତ । ବାପଦାଦା ଯୁବାବର୍ଗକୁ ବରଦାନ ଦେଉଛନ୍ତି ଯେ - ସର୍ବଦା ଭରପୂର ରୁହ । କୌଣସି ଗୋଟିଏ ବି ସମ୍ପତ୍ତିକୁ ନଷ୍ଟ କର ନାହିଁ, ସର୍ବଦା ଭରପୂର ରହିଥାଅ ଏବଂ ନିଜକୁ ଭରୀ ଚାଲିଥାଅ । ଲୌକିକ ଗୁରୁମାନେ ତ ଆଶୀର୍ବାଦ ଦିଅନ୍ତି ଆୟୁଷ୍ମାନ ଭବ । କିନ୍ତୁ ବାପଦାଦା କହୁଛନ୍ତି ଶରୀରର ଆୟୁଷ ତ ଯେତିକି ବି ଅଛି ସେତିକି ହିଁ ରହିବ ସେଥିପାଇଁ ଶରୀରର ଆୟୁଷ ହିସାବରେ ଆୟୁଷ୍ମାନ ଭବର ବରଦାନ ଦେଉ ନାହାଁନ୍ତି କିନ୍ତୁ ଏହି ବ୍ରାହ୍ମଣ ଜୀବନରେ ସର୍ବଦା ଆୟୁଷ୍ମାନ ଭବ, କାହିଁକି ଜାଣିଛ? ବ୍ରାହ୍ମଣରୁ ହିଁ ଦେବତା ହେବ । ତେଣୁ ଆୟୁଷ୍ମାନ ତ ହୋଇଯିବ ନା! ଯୁବାବର୍ଗର ମଧ୍ୟ ଗୋଟିଏ ବିଶେଷତା ରହିଛି । ତୁମେମାନେ ନିଜର ବିଶେଷତାକୁ ତ ଜାଣିଛ ନା? କେଉଁ ବିଶେଷତା ତୁମମାନଙ୍କ ଭିତରେ ଅଛି, ଜାଣିଛ? (ଯାହା ଇଚ୍ଛା ତାହା କରିପାରିବୁ) ଆଚ୍ଛା – କରିପାରିବ ? ବହୁତ ଭଲ କଥା, ଦୁନିଆ ହିସାବରେ କହୁଛ, ଯୁବା ଗୋଷ୍ଠିବାଲା ବହୁତ ଜିଦ୍‌ଖୋର ଅଟନ୍ତି, ଯାହା ଭାବିବେ ତାହା ହିଁ କରିବେ ଏବଂ କରି ଦେଖାଇବେ । ସେମାନେ ତ ଓଲଟା କଥା କହିଥାଆନ୍ତି କିନ୍ତୁ ଏଠାରେ ବ୍ରାହ୍ମଣମାନେ ଜିଦିଆ ତ ନୁହଁନ୍ତି ବରଂ ନିଜର ପ୍ରତିଜ୍ଞା ଉପରେ ଦୃଢତା ପୂର୍ବକ ଚାଲିବାବାଲା, ହଟିଯିବାବାଲା ନୁହଁନ୍ତି । କ’ଣ ଏହିଭଳି ଅଟ ନା! ହାତ ଉଠାଇ ଦେବା ତ ବହୁତ ସହଜ ଅଟେ । ବାପଦାଦା ଖୁସି ହେଉଛନ୍ତି କାରଣ ଏହା ମଧ୍ୟ ସାହସର ପ୍ରତୀକ ଅଟେ ନା! କିନ୍ତୁ ପ୍ରତିଦିନ ଅମୃତବେଳାରେ ବାବାଙ୍କ ସହିତ କରିଥିବା ପ୍ରତିଜ୍ଞାକୁ ଦୋହରାଅ ଯେ ମୁଁ ଏହି ବ୍ରାହ୍ମଣ ଜୀବନରେ ପ୍ରାପ୍ତି ଠାରୁ, ସେବାଠାରୁ କେବେ ବି ସଂକଳ୍ପରେ ମଧ୍ୟ ହଟିବି ନାହିଁ । ଏହି ସାହସକୁ ବା ପ୍ରତିଜ୍ଞାକୁ ପ୍ରତିଦିନ ହୋହରାଅ ଏବଂ ବାରମ୍ବାର ଚେକ୍ କର ଯେ ମୁଁ ଯେଉଁ ସାହସର ପ୍ରତିଜ୍ଞା କରିଛି ତାହା ବାସ୍ତବିକ ରୂପରେ କରୁଛି ତ?

ସରକାର ତ କହୁଛି ବାସ୍ - ଦୁଇ ଚାରି ଲକ୍ଷ ଯୁବକ ଯଦି ସୁଧୁରିଯିବେ ତେବେ ବି ବହୁତ ଭଲ କିନ୍ତୁ ବାପଦାଦା କହୁଛନ୍ତି - ଏହି ବ୍ରାହ୍ମଣ ଯୁବକମାନେ ତ ଜଣେ ଜଣେ ହିଁ ଏକ ଏକ ଲକ୍ଷ ସହିତ ସମାନ ଅଟନ୍ତି କାରଣ ଏମାନେ ସେତିକି ଶକ୍ତିଶାଳୀ ଅଟନ୍ତି । କ’ଣ ଠିକ୍ କଥା ନା? ଦେଖ, ଏମିତି ନ ହେଉ ଯେ ଘରକୁ ଯାଇ ଲେଖିବ ବାବା ମାୟା ଆସିଗଲା, ପୁରୁଣା ସଂସ୍କାର ବାହାରି ପଡିଲା, ସମସ୍ୟା ଆସିଗଲା । ତେଣୁ ସମସ୍ୟା ଗୁଡିକର ସମାଧାନ ସ୍ୱରୂପ ହୁଅ । ସମସ୍ୟା ତ ଆସିବ ନିଶ୍ଚିତ କିନ୍ତୁ ତୁମେ ନିଜକୁ ପଚାର ମୁଁ କିଏ? ସମାଧାନ୍‌ ସ୍ୱରୂପ ଅଟେ ନା ସମସ୍ୟା ଠାରୁ ହାରିଯିବାବାଲା ଅଟେ? ତେବେ ତୁମମାନଙ୍କର ଉପାଧି କ’ଣ? ବିଜୟୀ ରତ୍ନ ଅଟେ ନା । ବ୍ରାହ୍ମଣ ଜନ୍ମ ମିଳିବା ମାତ୍ରକେ ବାପଦାଦା ବ୍ରାହ୍ମଣ ଆତ୍ମାର ମସ୍ତକରେ ବିଜୟର ଅମର ତିଳକ ଲଗାଇ ଦେଇଛନ୍ତି । ତେଣୁ ତୁମେମାନେ ଅମର ଭବର ବରଦାନୀ ଅଟ । ଏବେ ଏହି କଥାକୁ ନିଜ ସହିତ ପ୍ରତିଜ୍ଞା କର, ଏମିତି ତ ମୁଖ ଦ୍ୱାରା ଯଦି ପ୍ରତିଜ୍ଞା କରିବାକୁ କୁହାଯିବ ତେବେ ସମସ୍ତେ କରିଦେବେ କିନ୍ତୁ ନିଜ ମନ ଭିତରେ ନିଜ ସହିତ ପ୍ରତିଜ୍ଞା କର - “କେବେ ବି ସଂସ୍କାରର ବଶୀଭୁତ ହେବି ନାହିଁ ।” ଯାହା ବାବାଙ୍କର ସଂସ୍କାର ତାହା ମୁଁ ବ୍ରାହ୍ମଣ ଆତ୍ମାର ସଂସ୍କାର । ଯେଉଁଗୁଡିକ ଦ୍ୱାପର କଳିଯୁଗର ସଂସ୍କାର ତାହା ମୋ’ର ସଂସ୍କାର ନୁହେଁ କାହିଁକି ନା ସେଗୁଡିକ ବାବାଙ୍କର ସଂସ୍କାର ନୁହେଁ । କ’ଣ ଏହି ସବୁ ତମଃଗୁଣୀ ସଂସ୍କାରଗୁଡିକ ବ୍ରାହ୍ମଣମାନଙ୍କର ସଂସ୍କାର? ନୁହେଁ ନା! ତେଣୁ ତୁମେମାନେ କିଏ, ବ୍ରାହ୍ମଣ ଅଟ ନା!

ବାପଦାଦା ମଧ୍ୟ ଯୁବାବର୍ଗଙ୍କ ପାଇଁ ଗର୍ବ କରୁଛନ୍ତି । ଦେଖ, ଦାଦୀମାନେ ମଧ୍ୟ ଯୁବାବର୍ଗଙ୍କ ପାଇଁ ଗର୍ବ କରୁଛନ୍ତି । ଦାଦୀଙ୍କର ଯୁବାବର୍ଗଙ୍କ ପ୍ରତି ସ୍ନେହ ଅଛି ନା! ଏହାକୁ ଅତିରିକ୍ତ ସ୍ନେହ କୁହାଯିବ ନା! କୁମାରମାନେ କେବଳ କୁମାର ନୁହଁନ୍ତି ସୁକୁମାର ଅଟନ୍ତି । ପ୍ରତ୍ୟେକ କୁମାର ବିଶ୍ୱର କୁମାରମାନଙ୍କୁ ପରିବର୍ତ୍ତନ କରି ଦେଖାଇବେ । ତେବେ ଆଚ୍ଛା, କୁମାରମାନଙ୍କୁ ଗୋଟିଏ କାମ ଦେବା? ସାହସ ଅଛି ତ? କରିବାକୁ ପଡିବ । କୁମାରୀମାନେ ମଧ୍ୟ କରିବ ତ?

ତେବେ ବାପଦାଦା ତୁମମାନଙ୍କୁ ଗୋଟିଏ କାମ ଦେଉଛନ୍ତି, ଏହାକୁ ଧ୍ୟାନ ଦେଇ ଶୁଣ । ଆସନ୍ତା ସିଜିନ୍‌ରେ ମଧ୍ୟ କୁମାରମାନଙ୍କର ଏହିଭଳି ବିଶେଷ କାର୍ଯ୍ୟକ୍ରମ ରଖାଯିବ କିନ୍ତୁ...... ସେଥିରେ କିନ୍ତୁ ମଧ୍ୟ ଅଛି । । ଅଧିକ କାମ ଦେଉ ନାହାଁନ୍ତି, ଜଣେ ଜଣେ କୁମାର ୧୦-୧୦ ଜଣ କୁମାରମାନଙ୍କର ସଂଗଠନ ପ୍ରସ୍ତୁତ କରି ଆଣିବ ଯାହାକି ଗଳାର ମାଳା ନୁହେଁ କିନ୍ତୁ ହାତର ଛୋଟିଆ କଙ୍କଣ ଅଟେ । ହାତରେ କଙ୍କଣ ପିନ୍ଧିଥାଆନ୍ତି ନା । ବ୍ରହ୍ମାବାବାଙ୍କ ହାତରେ ସର୍ବଦା ଫୁଲର କଙ୍କଣ ପିନ୍ଧାଇ ଦେଉଛନ୍ତି । ତେଣୁ ଜଣେ ଜଣେ କୁମାର, କଞ୍ଚା କଞ୍ଚାଙ୍କୁ ଆଣିବ ନାହିଁ ପକ୍କା ପକ୍କାଙ୍କୁ ହିଁ ଆଣିବ । ଏମିତି ନୁହେଁ ଯେ ମଧୁବନକୁ ତ ଆସିଯିବେ ପୁଣି ଘରକୁ ଯାଇ ବଦଳିଯିବେ! ନା । ସେମାନଙ୍କୁ ଏଭଳି ପକ୍କା କରାଇ ଆଣିବ ଯାହାକି ବାପଦାଦା ଦେଖୁ ଦେଖୁ କହିବେ ବାଃ କୁମାର ବାଃ! ଏହିଭଳି ପ୍ରସ୍ତୁତ ଅଛ ତ? କରିବ ତ? ଟିକିଏ ଚିନ୍ତା କର ଏମିତି ହାତ ଉଠାଇ ଦିଅ ନାହିଁ । କରିବାକୁ ପଡିବ । ସେମାନଙ୍କୁ ମଧ୍ୟ ପ୍ରସ୍ତୁତ କରିବାକୁ ପଡିବ । କ’ଣ ଡବଲ ବିଦେଶୀମାନେ କରିବେ ତ? ଡବଲ ବିଦେଶୀମାନଙ୍କ ଭିତରେ ଯେଉଁମାନେ କୁମାର ଅଛ ସେମାନେ ହାତ ଉଠାଅ । ତେବେ ତୁମେମାନେ ମଧ୍ୟ ୧୦ ଜଣ ଲେଖାଏଁ ଆଣିବ ତ । ଆଚ୍ଛା - ବିଦେଶବାଲା ମଧ୍ୟ ଆଣିବେ । ଭାରତବାଲା ମଧ୍ୟ ଆଣିବେ । ତେବେ ଯିଏ ଫାଷ୍ଟକ୍ଲାସ୍ କ୍ୱାଲିଟୀବାଲାଙ୍କୁ ଆଣିବେ ତାଙ୍କୁ ପୁରସ୍କାର ଦିଆଯିବ । ପୁରସ୍କାର ମଧ୍ୟ ବଢିଆ ଦିଆଯିବ । ଏମିତି ସେମିତି ନୁହେଁ । କୁମାରମାନଙ୍କ ପ୍ରତି ସ୍ନେହ ଅଛି ନା । ଯଦି ସରକାରଙ୍କୁ ମଧ୍ୟ ଭଲ କାମ କରିବାବାଲା କୁମାର ଅଧିକାଂଶ ଅଧିକ ମିଳିଯିବେ ତେବେ ସରକାର କେତେ ଖୁସି ହେବେ । ତେଣୁ ତୁମେମାନେ ଯଦି ୧୦-୧୦ ଜଣ କୁମାରଙ୍କୁ ଆଣିବ ତେବେ ସାରା ହଲ ତ କୁମାରମାନଙ୍କ ଦ୍ୱାରା ହିଁ ଭର୍ତ୍ତି ହୋଇଯିବ, ପୁଣି ସରକାରଙ୍କୁ ମଧ୍ୟ ଡାକିବା, ଦେଖ ଏହି କୁମାରମାନଙ୍କୁ । କିନ୍ତୁ ଆଣିବାକୁ ପଡିବ, ସେମାନଙ୍କୁ ପ୍ରସ୍ତୁତ ମଧ୍ୟ କରିବାକୁ ପଡିବ । ଯଦି ନିଜର ସ୍ଥିତିକୁ, ଲକ୍ଷ୍ୟକୁ ଏବଂ ଲକ୍ଷଣକୁ ସମାନ ରଖିବ ତେବେ ସେବାରେ ସଫଳତା ମିଳିବ କି ନାହିଁ - ଏଭଳି ସଂକଳ୍ପ ମଧ୍ୟ ଉଠିପାରବ ନାହିଁ । ସଫଳତା ତ ହୋଇ ରହିଛି । କେବଳ ତୁମମାନଙ୍କୁ ନିମିତ୍ତ ହେବାକୁ ପଡିବ । ତେଣୁ ଏହି ପ୍ରତିଜ୍ଞାକୁ ସର୍ବଦା ଦୋହରାଉ ଥାଅ । କମାଲ ତ କରିବାକୁ ହିଁ ପଡିବ । ଆଚ୍ଛା!

(ମୁରଲୀ ମଝିରେ ଅଚାନକ ଦୁଇ ଜଣ କୁମାର ଷ୍ଟେଜ୍ ଉପରକୁ ବାପଦାଦାଙ୍କ ସାମ୍‌ନାକୁ ଆସିଗଲେ, ସେମାନଙ୍କୁ ହଟେଇବାକୁ ପଡିଲା) । ଆଚ୍ଛା, ଏବେ ଖେଳ ଭିତରେ ଖେଳ ଦେଖିଲ । ଏବେ ବାପଦାଦା କହୁଛନ୍ତି ଏବେ ତ ସାକ୍ଷୀ ହୋଇ ଖେଳ ଦେଖିଲ, ଖୁସି ହେଲ, ଏବେ ଗୋଟିଏ ସେକେଣ୍ଡରେ ବିଲ୍‌କୁଲ୍ ଦେହଠାରୁ ନିଆରା ଶକ୍ତିଶାଳୀ ଆତ୍ମିକ ସ୍ୱରୂପରେ ସ୍ଥିତି ହୋଇପାରିବ? ବିଲ୍‌କୁଲ୍ ଫୁଲଷ୍ଟପ୍ ।

(ବାପଦାଦା ବହୁତ ଶକ୍ତିଶାଳୀ ଡ୍ରିଲ୍ କରାଇଲେ) ଆଚ୍ଛା - ଏହି ଅଭ୍ୟାସ ସବୁ ସମୟରେ ମଝିରେ ମଝିରେ କରିବା ଦରକାର । ଏବେ ଏବେ କାର୍ଯ୍ୟ କରିବା ପାଇଁ ଆସିଲ । ଏବେ ଏବେ ଦେହଠାରୁ ଅଲଗା, ସାକାରୀ ତଥା ନିରାକାରୀ ସ୍ଥିତିରେ ସ୍ଥିତ ହୋଇ ଯାଉଥିବ । ବର୍ତ୍ତମାନ ଯେଭଳି ଗୋଟିଏ ଅନୁଭବ କରିଲ ବା ଦେଖିଲ, ସେହିଭଳି ଯଦି କୌଣସି ସମସ୍ୟା ଆସିଲା ତେବେ ଗୋଟିଏ ସେକେଣ୍ଡରେ ସାକ୍ଷୀଦ୍ରଷ୍ଟା ହୋଇ, ସମସ୍ୟାକୁ ଗୋଟଏ ସାଇଡ୍ ସୀନ୍ ମନେ କରି, ତୋଫାନକୁ ମଧ୍ୟ ତୋଫା ଅର୍ଥାତ୍ ଉପହାର ମନେ କରି ତାକୁ ଅତିକ୍ରମ କରିଯାଅ । ଅଭ୍ୟାସ ତ ଅଛି ନା? ଆଗକୁ ଗଲେ ଏହିଭଳି ଅଭ୍ୟାସର ବହୁତ ଆବଶ୍ୟକତା ପଡିବ । ବିଲ୍‌କୁଲ୍ ଫୁଲଷ୍ଟପ୍ ଲଗାଇବାକୁ ପଡିବ । ପ୍ରଶ୍ନବାଚକ ଚିହ୍ନ ନୁହେଁ । ଏହା କାହିଁକି ହେଲା, ଏହା କିପରି ହେଲା? ହୋଇଗଲା, ବାସ୍‌, ଫୁଲଷ୍ଟପ ଲଗାଅ ଏବଂ ନିଜର ଫୁଲ୍ ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହୋଇଯାଅ । ତେବେ ସମସ୍ୟା ତଳେ ରହିଯିବ, ତୁମେ ନିଜର ଉଚ୍ଚ ସ୍ଥିତି ରୂପୀ ମଞ୍ଚ ଉପରୁ ସମସ୍ୟା ରୂପୀ ସାଇଡ୍ ସିନ୍‌କୁ ଅର୍ଥାତ୍ ରାସ୍ତାକଡରେ ଦୃଶ୍ୟକୁ ଦେଖୁଥିବ । ଆଚ୍ଛା!

ଚାରିଆଡର ସର୍ବ ସମ୍ପତ୍ତିରେ ଭରପୂର ଆତ୍ମାମାନଙ୍କୁ, ସର୍ବଦା ପ୍ରାପ୍ତି ଗୁଡିକରେ ଭରପୂର ତଥା ସର୍ବଦା ସ୍ମିତହାସ୍ୟ ମୁଖମଣ୍ଡଳରେ ରହୁଥିବା ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କ ସହିତ କରିଥିବା ପ୍ରତିଜ୍ଞାକୁ ଜୀବନରେ ପ୍ରତ୍ୟକ୍ଷ କରୁଥିବା ଜ୍ଞାନୀ ତୁ ଆତ୍ମାମାନଙ୍କୁ, ଯୋଗୀ ତୁ ଆତ୍ମାମାନଙ୍କୁ, ସର୍ବଦା ନିଜର ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରୁଥିବା ବାପ ସମାନ ଆତ୍ମାମାନଙ୍କୁ, ସର୍ବଦା ସବୁ ସମୟରେ ସର୍ବ ସମ୍ପତ୍ତିର ଷ୍ଟକ ଜମା କରୁଥିବା ଏବଂ ଷ୍ଟପ୍ ଲଗାଉଥିବା ତୀବ୍ର ପୁରୁଷାର୍ଥୀ ଶ୍ରେଷ୍ଠ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଦିଲାରାମ ବାବାଙ୍କର ଦିଲ୍‌ର ସହିତ ୟାଦପ୍ୟାର ଏବଂ ନମସ୍ତେ ।

ବରଦାନ:-
ପରିସ୍ଥିତି ଗୁଡିକୁ ଶିକ୍ଷକ ମନେ କରି ସେଗୁଡିକରୁ ଶିକ୍ଷା ଗ୍ରହଣ କରୁଥିବା ଅନୁଭବୀ ମୂରତ ହୁଅ ।

କୌଣସି ବି ପରିସ୍ଥିତିରେ ଭୟଭୀତ ହେବା ପରିବର୍ତ୍ତେ କିଛି ସମୟ ପାଇଁ ତାକୁ ଶିକ୍ଷକ ମନେ କର । ତେବେ ପରିସ୍ଥିତି ତୁମକୁ ବିଶେଷ କରି ଦୁଇଟି ଶକ୍ତିର ଅନୁଭବୀ କରିଥାଏ । ଗୋଟିଏ ହେଲା ସହନ ଶକ୍ତି ଏବଂ ଦ୍ୱିତୀୟଟି ହେଲା ସମ୍ମୁଖୀନ କରିବାର ଶକ୍ତି । ଯଦି ଏହି ଦୁଇଟି ପାଠ ପଢି ନେବ ତେବେ ତୁମେ ଅନୁଭବୀ ହୋଇଯିବ । ଯେବେ କି ତୁମେ କହୁଛ ମୁଁ ତ ଟ୍ରଷ୍ଟୀ ଅଟେ, ମୋ’ର କିଛି ବି ନୁହେଁ ତେବେ ପୁଣି ପରିସ୍ଥିତି ଆସିଲେ ଡରୁଛ କାହିଁକି? ଟ୍ରଷ୍ଟୀ ଅର୍ଥାତ୍ ସବୁ କିଛି ବାବାଙ୍କୁ ସମର୍ପଣ କରିଦେଇଛ, ସେଥିପାଇଁ ଯାହା ହେବ ଭଲ ହିଁ ହେବ, ତେଣୁ ଏହି ସ୍ମୃତି ଦ୍ୱାରା ସର୍ବଦା ନିଶ୍ଚିନ୍ତ ମଧ୍ୟ ରୁହ ଏବଂ ସମର୍ଥ ସ୍ୱରୂପରେ ରୁହ ।

ସ୍ଲୋଗାନ:-
ଯେଉଁମାନଙ୍କର ସ୍ୱଭାବ ମିଠା ସେମାନେ ଭୁଲ୍‌ରେ ମଧ୍ୟ କାହାକୁ ଦୁଃଖ ଦେଇପାରିବେ ନାହିଁ ।