30.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଦୁଃଖହର୍ତ୍ତା, ସୁଖକର୍ତ୍ତା ଏକମାତ୍ର ବାବା ହିଁ ଅଟନ୍ତି, ସେ ହିଁ ତୁମର ସବୁ ଦୁଃଖ ଦୂର କରୁଛନ୍ତି । ମନୁଷ୍ୟ କାହାର ଦୁଃଖ ଦୂର କରିପାରିବ ନାହିଁ ।”

ପ୍ରଶ୍ନ:-
ବିଶ୍ୱରେ ଅଶାନ୍ତିର କାରଣ କ’ଣ? ଶାନ୍ତିର ସ୍ଥାପନା କିପରି ହେବ?

ଉତ୍ତର:-
ବିଶ୍ୱରେ ଅଶାନ୍ତିର କାରଣ ହେଉଛି ଅନେକାନେକ ଧର୍ମ । କଳିଯୁଗର ଶେଷ ସମୟରେ ଯେତେବେଳେ ଅନେକତା ହୋଇଯାଏ ସେତେବେଳେ ଅଶାନ୍ତି ସୃଷ୍ଟି ହୁଏ । ବାବା ଆସି ଗୋଟିଏ ସତ୍ୟ ଧର୍ମର ସ୍ଥାପନା କରୁଛନ୍ତି, ଯେଉଁଠାରେ ଶାନ୍ତି ବିରାଜମାନ କରୁଛି । ତୁମେମାନେ ଜାଣିପାରୁଛ ଯେ, ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟରେ ଶାନ୍ତି ଥିଲା, ପବିତ୍ର ଧର୍ମ, ପବିତ୍ର କର୍ମ ଥିଲା । କଲ୍ୟାଣକାରୀ ପିତା ପୁନର୍ବାର ସେହି ନୂଆ ଦୁନିଆ ନିର୍ମାଣ କରୁଛନ୍ତି, ଯେଉଁଠାରେ ଅଶାନ୍ତିର ଚିହ୍ନ ବର୍ଣ୍ଣ ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ବାବା ବସି ଆତ୍ମିକ ପିଲାମାନଙ୍କୁ ବୁଝାଉଛନ୍ତି । ଆତ୍ମିକ ପିତାଙ୍କୁ ହିଁ ଜ୍ଞାନର ସାଗର ବୋଲି କୁହାଯାଉଛି । ଏକଥା ତ ପିଲାମାନଙ୍କୁ ବୁଝାଯାଇଛି । ବମ୍ବେରେ ବହୁତ ସମାଜ ସେବକ ଅଛନ୍ତି । ସେମାନଙ୍କର ମିଟିଙ୍ଗ୍ ମଧ୍ୟ ହୋଇଥାଏ । ବମ୍ବେରେ ସ୍ୱତନ୍ତ୍ର ଭାବେ ଯେଉଁଠାରେ ମିଟିଙ୍ଗ୍ କରିଥା’ନ୍ତି ତା’ର ନାମ ହେଲା ଭାରତୀୟ ବିଦ୍ୟା ଭବନ । ତେବେ ବିଦ୍ୟା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଲା ଶାରୀରିକ ବିଦ୍ୟା, ଯାହାକି ସ୍କୁଲ-କଲେଜରେ ଦିଆଯାଇଥାଏ । କିନ୍ତୁ ଏହାକୁ ବିଦ୍ୟା ଭବନ ବୋଲି କହୁଛନ୍ତି । ତେବେ ନିଶ୍ଚିତ ଭାବରେ ସେଠାରେ ଅନ୍ୟ କିଛି କଥା ଅଛି । ବିଦ୍ୟା କାହାକୁ କୁହାଯାଏ ଏକଥା ତ ମନୁଷ୍ୟମାନେ ଜାଣିନାହାଁନ୍ତି । ଏଠାରେ ତ ରୁହାନୀ ବିଦ୍ୟା ଭବନ ହେବା ଦରକାର । ଜ୍ଞାନକୁ ହିଁ ବିଦ୍ୟା କୁହାଯାଏ । ପରମପିତା ପରମାତ୍ମା ହିଁ ଜ୍ଞାନର ସାଗର ଅଟନ୍ତି, କୃଷ୍ଣଙ୍କୁ ଜ୍ଞାନର ସାଗର କୁହାଯିବ ନାହିଁ । ଶିବବାବାଙ୍କର ମହିମା ଅଲଗା । କୃଷ୍ଣଙ୍କର ମହିମା ଅଲଗା । କିନ୍ତୁ ଭାରତବାସୀ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । ଗୀତାର ଭଗବାନ କୃଷ୍ଣ ବୋଲି ଭାବୁଛନ୍ତି, ତେଣୁ ବିଦ୍ୟା ଭବନ ଖୋଲୁଛନ୍ତି । କିଛି ହେଲେ ବି ବୁଝୁନାହାଁନ୍ତି । ବିଦ୍ୟା ହେଲା ଗୀତା ଜ୍ଞାନ । ତେବେ ଏହି ଜ୍ଞାନ ତ ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି । ସେଥିପାଇଁ ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । କିନ୍ତୁ ମନୁଷ୍ୟ ତାଙ୍କୁ ଜାଣିନାହାଁନ୍ତି । ବାସ୍ତବରେ ଭାରତବାସୀଙ୍କର ଧର୍ମଶାସ୍ତ୍ର ଗୋଟିଏ - ସର୍ବ ଶାସ୍ତ୍ରମୟୀ ଶିରୋମଣୀ ଭଗବତ ଗୀତା । ତେବେ ଭଗବାନ କାହାକୁ କୁହାଯାଉଛି? ଏକଥା ମଧ୍ୟ ଭାରତବାସୀ ବୁଝୁନାହାଁନ୍ତି, ସେଥିପାଇଁ କୃଷ୍ଣଙ୍କୁ କିମ୍ବା ରାମଙ୍କୁ ଅଥବା ନିଜକୁ ପରମାତ୍ମା ବୋଲି କହିଦେଉଛନ୍ତି । ବର୍ତ୍ତମାନ ସମୟ ମଧ୍ୟ ତମୋପ୍ରଧାନ, କାହିଁକି ନା ରାବଣରାଜ୍ୟ ଅଟେ ନା ।

ତୁମେମାନେ ଯେତେବେଳେ କାହାକୁ ବୁଝାଉଛ କୁହ ଶିବ ଭଗବାନୁବାଚ । ପ୍ରଥମେ ତ ଏହି କଥା ବୁଝିଯାଆନ୍ତୁ ଯେ, ଜ୍ଞାନର ସାଗର ଏକମାତ୍ର ପରମପିତା ପରମାତ୍ମା ହିଁ ଅଟନ୍ତି । ଯାହାଙ୍କର ନାମ ଶିବ । ସେଥିପାଇଁ ଶିବରାତ୍ରି ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଏକଥା କାହା ବୁଦ୍ଧିରେ ଆସୁନାହିଁ । ଶିବବାବା ନିଶ୍ଚିତ ଆସିଛନ୍ତି, ସେଥିପାଇଁ ତ ଶିବରାତ୍ରି ପାଳନ କରୁଛନ୍ତି । କିନ୍ତୁ ଶିବ କିଏ - ଏ କଥା ମଧ୍ୟ ଜାଣିନାହାଁନ୍ତି । ବାବା କହୁଛନ୍ତି - ଭଗବାନ ତ ସମସ୍ତଙ୍କର ଜଣେ ହିଁ ଅଟନ୍ତି ଏବଂ ସବୁ ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟନ୍ତି । ସମସ୍ତ ଆତ୍ମାମାନଙ୍କର ପିତା ଏକ ପରମପିତା ପରମାତ୍ମା, ତାଙ୍କୁ ହିଁ ଜ୍ଞାନର ସାଗର ବୋଲି କୁହାଯିବ । ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନାହିଁ । କେଉଁ ଜ୍ଞାନ? ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ କୌଣସି ମନୁଷ୍ୟମାନଙ୍କ ପାଖରେ ନାହିଁ । କହୁଛନ୍ତି ପ୍ରାଚୀନ ଋଷି-ମୁନିମାନେ ମଧ୍ୟ ଏହିକଥା ଜାଣି ନ ଥିଲେ, ପ୍ରାଚୀନର ଅର୍ଥକୁ ମଧ୍ୟ କେହି ଜାଣିନାହାଁନ୍ତି । ସତ୍ୟଯୁଗ-ତ୍ରେତାଯୁଗ ହେଲା ପ୍ରାଚୀନ । ସତ୍ୟଯୁଗ ହେଉଛି ନୂଆ ଦୁନିଆ । ସେଠାରେ ତ ଋଷି-ମୁନି ଆଦି ନଥିଲେ । ଏହି ଋଷି-ମୁନିମାନେ ପରେ ଆସୁଛନ୍ତି । ସେମାନେ ମଧ୍ୟ ଏହି ଜ୍ଞାନକୁ ଜାଣିନାହାଁନ୍ତି । ନେତି-ନେତି ଅର୍ଥାତ୍ ଆମେ କିଛି ଜାଣିନାହୁଁ ବୋଲି କହିଦେଉଛନ୍ତି । ଯଦି ମୁନି-ଋଷିମାନେ ଜାଣିନାହାଁନ୍ତି ତେବେ ଭାରତବାସୀ, ଯେଉଁମାନେ ତମଃଗୁଣୀ ହୋଇଯାଇଛନ୍ତି, ସେମାନେ କିପରି ଜାଣିବେ?

ବର୍ତ୍ତମାନ ବିଜ୍ଞାନର କେତେ ଅହଂକାର ରହିଛି, ଏହି ବିଜ୍ଞାନ ପାଇଁ ହିଁ ଭାବୁଛନ୍ତି ଭାରତ ସ୍ୱର୍ଗ ହୋଇଯାଇଛି । ଏହାକୁ ହିଁ ମାୟାର ଆଡମ୍ବର ବୋଲି କୁହାଯାଉଛି । ଫଲ୍ ଅଫ୍ ପମ୍ପ (ମାୟାର ପତନ) ନାମକ ଏକ ନାଟକ ମଧ୍ୟ ରହିଛି । ଏ କଥା ମଧ୍ୟ କହୁଛନ୍ତି ଯେ - ବର୍ତ୍ତମାନ ସମୟରେ ଭାରତର ପତନ ହୋଇଛି । ସତ୍ୟଯୁଗରେ ଉତ୍‌ଥାନ ଏବଂ ଏବେ ପତନ ହେଉଛି । ଏହା କ’ଣ ବାସ୍ତବରେ ସ୍ୱର୍ଗ କି! ଏହା ତ ମାୟାର ଆଡମ୍ବର, ଯାହାର ସମାପ୍ତି ହେବାକୁ ଯାଉଛି । ମନୁଷ୍ୟମାନେ ଭାବୁଛନ୍ତି - ଏଠାରେ ବିମାନ ଅଛି, ବଡ-ବଡ ମହଲ ଅଛି, ବିଜୁଳି ଅଛି - ତେଣୁ ଏହା ହିଁ ସ୍ୱର୍ଗ ଅଟେ । ଯଦି କାହାର ମୃତ୍ୟୁ ହୁଏ ତେବେ କୁହନ୍ତି ସ୍ୱର୍ଗବାସୀ ହେଲା । କିନ୍ତୁ ବୁଝି ପାରୁନାହାଁନ୍ତି ଯେ, ଯଦି ସ୍ୱର୍ଗକୁ ଗଲେ ତେବେ ନିଶ୍ଚିତ ଭାବରେ ସ୍ୱର୍ଗ କେଉଁଠାରେ ଅଛି ନା । ଏ ସବୁ ତ ରାବଣର ଆଡମ୍ବର । ବେହଦର ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି । ବର୍ତ୍ତମାନ ମାୟା ଏବଂ ଈଶ୍ୱରଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି ଅର୍ଥାତ୍ ଆସୁରୀ ଦୁନିଆ ଏବଂ ଈଶ୍ୱରୀୟ ଦୁନିଆ ମଧ୍ୟରେ ଯୁଦ୍ଧ ଚାଲିଛି । ଏ କଥା ମଧ୍ୟ ଭାରତବାସୀମାନଙ୍କୁ ବୁଝାଇବାକୁ ପଡିବ । ବର୍ତ୍ତମାନ ତ ଆହୁରି ଦୁଃଖ ଆସିବାର ଅଛି ଅସରନ୍ତି ଦୁଃଖ ଆସିବ । ସତ୍ୟଯୁଗରେ ହିଁ ସ୍ୱର୍ଗ ହେବ । କଳିଯୁଗରେ ହୋଇପାରିବ ନାହିଁ । ଏ କଥା ବି କେହି ଜାଣିନାହାଁନ୍ତି ଯେ ପୁରୁଷୋତ୍ତମ ସଂଗମଯୁଗ କାହାକୁ କୁହାଯାଉଛି । ସେଥିପାଇଁ ବାବା ବୁଝାଉଛନ୍ତି - ଯେ ଜ୍ଞାନକୁ ଦିନ କୁହାଯିବ ଏବଂ ଭକ୍ତିକୁ ରାତି । ଅନ୍ଧକାରରେ ଧକ୍କା ଖାଉଛନ୍ତି । ଭଗବାନଙ୍କ ସହିତ ମିଶିବା ପାଇଁ କେତେ ବେଦ ଶାସ୍ତ୍ର ଆଦି ପଢୁଛନ୍ତି । ବ୍ରହ୍ମାଙ୍କର ଦିନ ଏବଂ ରାତି ଅର୍ଥାତ୍ ବ୍ରାହ୍ମଣମାନଙ୍କର ଦିନ ଏବଂ ରାତି, ତୁମେମାନେ ସଚ୍ଚା ମୁଖ ବଂଶାବଳୀ ବ୍ରାହ୍ମଣ ଅଟ । ଦୁନିଆରେ ଥିବା ବ୍ରାହ୍ମଣ ତ କଳିଯୁଗୀ କୋଳ ବଂଶାବଳୀ ଅଟନ୍ତି । ତୁମେ ହେଉଛ ସଚ୍ଚା ପୁରୁଷୋତ୍ତମ ସଂଗମଯୁଗୀ ବ୍ରାହ୍ମଣ । ଏହି କଥାକୁ ଆଉ କେହି ବି ଜାଣିନାହାଁନ୍ତି । ଯେତେବେଳେ ବୁଝିଯିବେ ସେତେବେଳେ ବୁଦ୍ଧିରେ ଆସିବ ଯେ ଆମେ କ’ଣ କରୁଛୁ । ଭାରତ ସତ୍ତ୍ୱପ୍ରଧାନ ଥିଲା, ଯାହାକୁ ସ୍ୱର୍ଗ କୁହାଯାଉଥିଲା । ତେବେ ନିଶ୍ଚିତ ଭାବରେ ଏହା ନର୍କ, ସେଥିପାଇଁ ତ ନର୍କରୁ ସ୍ୱର୍ଗକୁ ଯାଉଛନ୍ତି । ସେଠାରେ ଶାନ୍ତି ଏବଂ ସୁଖ ଅଛି । ତାହା ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଅଟେ ନା । ତୁମେମାନେ ସମସ୍ତଙ୍କୁ ବୁଝାଇପାରିବ - ମନୁଷ୍ୟମାନଙ୍କର ବୃଦ୍ଧି କିପରି କମ୍ ହୋଇପାରିବ? ଅଶାନ୍ତି କିପରି କମ୍ ହୋଇପାରିବ? ଏହି ପୁରୁଣା କଳିଯୁଗରେ ଅଶାନ୍ତି ରହିଛି । ନୁଆ ଦୁନିଆରେ ହିଁ ଶାନ୍ତି ରହିବ । ସ୍ୱର୍ଗରେ ଶାନ୍ତି ଅଛି ନା । ତାକୁ ହିଁ ଆଦି ସନାତନ ଦେବୀ-ଦେବତା ଧର୍ମ କୁହାଯାଉଛି । ହିନ୍ଦୁ ଧର୍ମ ତ ବର୍ତ୍ତମାନ ସମୟର, ଯାହାକୁ ଆଦି ସନାତନ ଧର୍ମ କୁହାଯାଇପାରିବ ନାହିଁ । ଏମାନେ ତ ହିନ୍ଦୁସ୍ଥାନର ନାମ ଅନୁସାରେ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି । ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ସେଠାରେ ସଂପୂର୍ଣ୍ଣ ପବିତ୍ରତା, ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ସମ୍ପତ୍ତି ଆଦି ସବୁ ଥିଲା । ବର୍ତ୍ତମାନ ଡାକୁଛନ୍ତି ଆମେ ପତିତ ହୋଇଯାଇଛୁ, ହେ ପତିତ-ପାବନ ଆସ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ପତିତ-ପାବନ କିଏ? କୃଷ୍ଣଙ୍କୁ ତ ପତିତ-ପାବନ କୁହାଯାଇ ପାରିବ ନାହିଁ । ପତିତ-ପାବନ ପରମପିତା ପରମାତ୍ମା ଯିଏକି ଜ୍ଞାନର ସାଗର ଅଟନ୍ତି । ସିଏ ହିଁ ଆସି ତୁମକୁ ପାଠ ପଢାଉଛନ୍ତି । ଜ୍ଞାନକୁ ପାଠପଢା କୁହାଯାଏ । ତେବେ ସବୁ କିଛି ଗୀତା ଉପରେ ହିଁ ନିର୍ଭର କରୁଛି । ଏବେ ତୁମେ ପ୍ରଦର୍ଶନୀ, ମିୟ୍ୟୁଜିୟମ୍ ଆଦି ତିଆରି କରୁଛ କିନ୍ତୁ କେହି ବି ବି.କେ.ର ଅର୍ଥକୁ ବୁଝୁନାହାଁନ୍ତି । ଭାବୁଛନ୍ତି ଏହା କୌଣସି ନୂଆ ଧର୍ମ ଅଟେ । ଶୁଣୁଛନ୍ତି କିନ୍ତୁ କିଛି ବି ବୁଝୁନାହାଁନ୍ତି । ବାବା କହୁଛନ୍ତି ଏମାନେ ବିଲ୍‌କୁଲ୍ ତମଃପ୍ରଧାନ ପଥରବୁଦ୍ଧି ହୋଇଯାଇଛନ୍ତି । ବର୍ତ୍ତମାନ ସମୟରେ ବିଜ୍ଞାନର ଗର୍ବ ମଧ୍ୟ ବହୁତ ହୋଇଗଲାଣି, ବିଜ୍ଞାନ ଦ୍ୱାରା ହିଁ ନିଜର ବିନାଶ କରୁଛନ୍ତି ତେଣୁ ଏମାନଙ୍କୁ ପଥରବୁଦ୍ଧି କୁହାଯିବ ନା । ଏମାନଙ୍କୁ କ’ଣ ପାରସବୁଦ୍ଧି ବୋଲି କୁହାଯିବ କି! ନିଜର ବିନାଶ ପାଇଁ ହିଁ ବୋମା ଆଦି ତିଆରି କରୁଛନ୍ତି । ଏପରି ନୁହେଁ ଯେ, ଶଙ୍କର କୌଣସି ବିନାଶ କରୁଛନ୍ତି । ନା । ଏମାନେ ନିଜର ବିନାଶ କରିବା ପାଇଁ ହିଁ ସବୁକିଛି ତିଆରି କରିଛନ୍ତି । କିନ୍ତୁ ନିଜକୁ ତମଃପ୍ରଧାନ ପଥରବୁଦ୍ଧି ବୋଲି ଭାବୁ ନାହାଁନ୍ତି । ଯାହା କିଛି ବି ତିଆରି କରୁଛନ୍ତି ଏହି ପୁରୁଣା ସୃଷ୍ଟିର ବିନାଶ ପାଇଁ । ଏହି ପୁରୁଣା ଦୁନିଆର ବିନାଶ ହେବ ତେବେ ଯାଇ ପୁଣି ନୂଆ ଦୁନିଆର ଜୟଜୟକାର ହେବ । ସେମାନେ ଭାବୁଛନ୍ତି ସ୍ତ୍ରୀମାନଙ୍କର ଦୁଃଖ କିପରି ଦୂର କରିବୁ? କିନ୍ତୁ ମନୁଷ୍ୟମାନେ କ’ଣ କେବେ କାହାର ଦୁଃଖ ଦୂର କରିପାରିବେ! ଦୁଃଖହର୍ତ୍ତା, ସୁଖକର୍ତ୍ତା ତ ଏକମାତ୍ର ବାବା । ଦେବତାମାନଙ୍କୁ ମଧ୍ୟ ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯିବ ନାହିଁ । ଶ୍ରୀକୃଷ୍ଣ ମଧ୍ୟ ଦେବତା ତାଙ୍କୁ ମଧ୍ୟ ଭଗବାନ କୁହାଯାଇପାରିବ ନାହିଁ । କିନ୍ତୁ ଏକଥା ମଧ୍ୟ ବୁଝୁ ନାହାଁନ୍ତି, ଯେଉଁମାନେ ବୁଝୁଛନ୍ତି ସେମାନେ ବ୍ରାହ୍ମଣ ହୋଇ ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇଥା’ନ୍ତି । ଯେଉଁମାନେ ରାଜପଦର ଅଧିକାରୀ ଅଥବା ଆଦି ସନାତନ, ଦେବତା ଧର୍ମର, ସେହିମାନେ ଏହି ଜ୍ଞାନମାର୍ଗକୁ ଆସୁଛନ୍ତି । ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ କିପରି ହେଲେ, ଏଭଳି କି କର୍ମ କରିଲେ ଯାହାଦ୍ୱାରା ବିଶ୍ୱର ମାଲିକ ହୋଇଗଲେ? ବର୍ତ୍ତମାନ ଏହି କଳିଯୁଗର ଅନ୍ତିମ ସମୟରେ ଅନେକ ଧର୍ମ ରହିଛି ତେଣୁ ଅଶାନ୍ତି ହେଉଛି । ନୂଆ ଦୁନିଆରେ ଏପରି ହେବ ନାହିଁ । ବର୍ତ୍ତମାନ ହେଲା ସଂଗମଯୁଗ, ଯେତେବେଳେ କି ବାବା ଆସି ରାଜଯୋଗ ଶିଖାଉଛନ୍ତି । ବାବା ହିଁ ଆମକୁ କର୍ମ-ଅକର୍ମ-ବିକର୍ମର ଜ୍ଞାନ ଶୁଣାଉଛନ୍ତି । ଆତ୍ମା ଏଠାରେ ଶରୀର ଧାରଣ କରି କର୍ମ କରିଥାଏ । ସତ୍ୟଯୁଗରେ ଯେଉଁ କର୍ମ କରିଥାଏ ତାହା ଅକର୍ମ ହୋଇଥାଏ । ସେଠାରେ ବିକର୍ମ ହୋଇ ନ ଥାଏ । ତେଣୁ ସେଠାରେ ଦୁଃଖ ନ ଥାଏ । କର୍ମ, ଅକର୍ମ, ବିକର୍ମର ଗୁହ୍ୟ ଗତିକୁ ବାବା ହିଁ ଆସି ଏହି ଅନ୍ତିମ ସମୟରେ ଶୁଣାଉଛନ୍ତି । ବାବା କହୁଛନ୍ତି - ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମର ଅନ୍ତିମ ସମୟରେ ଆସୁଛି । ଏବେ ଏହି ରଥରେ ମୁଁ ପ୍ରବେଶ କରୁଛି । ଅକାଳମୂରତ ଆତ୍ମାର ଏହା ରଥ ଅଟେ । ଅକାଳମୂରତ କେବଳ ଅମୃତସରରେ ନୁହେଁ, ସବୁ ମନୁଷ୍ୟମାନଙ୍କର ଅକାଳତଖତ ରହିଛି । ଆତ୍ମା ଅକାଳମୂରତ ଅଟେ । ଏହି ଶରୀର କଥାବାର୍ତ୍ତା କରେ, ଚଲାବୁଲା କରେ । ଅକାଳ ଆତ୍ମାର ଏହା ଚୈତନ୍ୟ ସିଂହାସନ । ସମସ୍ତେ ତ ଅକାଳମୂରତ ଅଟନ୍ତି, ବାକି ଶରୀରକୁ କାଳ ଖାଇଯାଏ । ଆତ୍ମା ତ ଅକାଳ । ଏହି ଶରୀର ରୂପୀ ସିଂହାସନକୁ ତ ଶେଷ କରିଦେଉଛନ୍ତି । ସତ୍ୟଯୁଗରେ ଏହି ଆତ୍ମା ରୂପୀ ସିଂହାସନ ବହୁତ କମ ହେବ । ବର୍ତ୍ତମାନ ସମୟରେ କୋଟି-କୋଟି ଆତ୍ମାମାନଙ୍କର ତଖତ (ସିଂହାସନ) ରହିଛି । ଆତ୍ମାକୁ ହିଁ ଅକାଳ କୁହାଯାଉଛି । ଆତ୍ମା ହିଁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛି । ମୁଁ ତ ସର୍ବଦା ସତ୍ତ୍ୱପ୍ରଧାନ ପବିତ୍ର ଅଟେ । ଯଦିଓ କହୁଛନ୍ତି ଏହା ଭାରତର ଯୋଗ କିନ୍ତୁ ଭାବୁଛନ୍ତି ଏହା କୃଷ୍ଣ ଶିଖାଇଥିଲେ । ଗୀତାକୁ ମଧ୍ୟ ଖଣ୍ଡନ କରିଦେଉଛନ୍ତି । ଜୀବନ କାହାଣୀରେ ନାମ ବଦଳାଇ ଦେଇଛନ୍ତି, ପିତାଙ୍କ ପରିବର୍ତ୍ତେ ପୁତ୍ରର ନାମ ଲେଖି ଦେଇଛନ୍ତି । ଶିବରାତ୍ରି ପାଳନ କରୁଛନ୍ତି କିନ୍ତୁ ସିଏ କିପରି ଆସୁଛନ୍ତି, ଏ କଥା ଜାଣିନାହାଁନ୍ତି । ଶିବ ହେଉଛନ୍ତି ପରମଆତ୍ମା । ତାଙ୍କର ମହିମା ବିଲ୍‌କୁଲ୍ ଅଲଗା । ଆତ୍ମାମାନଙ୍କର ମହିମା ମଧ୍ୟ ଅଲଗା । ପିଲାମାନେ ଜାଣିଛନ୍ତି ଯେ ରାଧା-କୃଷ୍ଣ ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଯୁଗଳ ରୂପକୁ ହିଁ ବିଷ୍ଣୁ କୁହାଯାଉଛି । ଏଥିରେ କୌଣସି ଫରକ ନାହିଁ । ବାକି ୪ ଭୂଜା, ୮ ଭୂଜାବାଲା କୌଣସି ମନୁଷ୍ୟ ନାହାଁନ୍ତି । ଦେବୀମାନଙ୍କୁ କେତେ ଭୂଜାଧାରୀ ଦେଖାଉଛନ୍ତି, ବୁଝାଇବାରେ ସମୟ ଲାଗୁଛି ।

ବାବା କହୁଛନ୍ତି ମୁଁ ଦୀନବନ୍ଧୁ ଅଟେ । ମୁଁ ସେତେବେଳେ ଆସୁଛି ଯେତେବେଳେ ଭାରତ ଗରୀବ ହୋଇଯାଉଛି, ରାହୁର ଗ୍ରହଣ ପଡୁଛି । ଆଗରୁ ବୃହସ୍ପତ୍ତିର ଦଶା ଥିଲା, ଏବେ ରାହୁର ଗ୍ରହଣ କେବଳ ଭାରତ ଉପରେ ନୁହେଁ, ସାରା ବିଶ୍ୱ ଉପରେ ପଡିଛି ସେଥିପାଇଁ ବାବା ଭାରତକୁ ଆସି, ନୂଆ ଦୁନିଆ ସ୍ଥାପନ କରୁଛନ୍ତି, ଯାହାକୁ ସ୍ୱର୍ଗ କୁହାଯାଉଛି । ଭଗବାନୁବାଚ - ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା, ଦ୍ୱିମୁକୁଟଧାରୀ ସ୍ୱର୍ଗର ମାଲିକ କରିଦେଉଛି । ୫ ହଜାର ବର୍ଷ ପୂର୍ବରୁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ଯାହାକି ବର୍ତ୍ତମାନ ନାହିଁ । ଏବେ ସମସ୍ତେ ତମଃପ୍ରଧାନ ହୋଇଗଲେଣି । ବାବା ସ୍ୱୟଂ ନିଜର ଅର୍ଥାତ୍ ରଚୟିତା ଏବଂ ରଚନାର ପରିଚୟ ଦେଉଛନ୍ତି । ତୁମ ପାଖକୁ ପ୍ରଦର୍ଶନୀ, ମିୟ୍ୟୁଜିୟମ ଆଦିକୁ ଏତେ ସବୁ ଆସୁଛନ୍ତି, କିନ୍ତୁ ସମସ୍ତେ ବୁଝୁ ନାହାଁନ୍ତି! କ୍ୱଚିତ୍ କେହି କେହି ଏହି ଜ୍ଞାନକୁ ବୁଝି କୋର୍ସ କରୁଛନ୍ତି । ତେବେ ରଚୟିତା ଏବଂ ରଚନାକୁ କେହି ଜାଣିନାହାଁନ୍ତି । ବେହଦର ବାବା ତ ରଚୟିତା ଅଟନ୍ତି, ତାଙ୍କଠାରୁ ଆମକୁ ବେହଦର ସମ୍ପତ୍ତି ମିଳୁଛି । ଏହି ଜ୍ଞାନ ବାବା ହିଁ ଦେଉଛନ୍ତି । ପୁଣି ରାଜତ୍ୱ ମିଳିଗଲେ ସେଠାରେ ଜ୍ଞାନର କୌଣସି ଆବଶ୍ୟକତା ରହିବ ନାହିଁ । ନୂଆ ଦୁନିଆ ସ୍ୱର୍ଗକୁ ସଦ୍‌ଗତି ଏବଂ ପୁରୁଣା ଦୁନିଆ ନର୍କକୁ ଦୁର୍ଗତି କୁହାଯାଉଛି । ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି । ପିଲାମାନଙ୍କୁ ମଧ୍ୟ ଏହିଭଳି ବୁଝାଇବାକୁ ପଡିବ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଦେଖାଇବା ଉଚିତ୍ । ବର୍ତ୍ତମାନ ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି । ଏବେ ସୃଷ୍ଟି ରୂପି କଳ୍ପବୃକ୍ଷର ଆଦି ସନାତନ ଦେବୀ-ଦେବତା ଧର୍ମ ରୂପି ମୂଳଦୁଆ ନାହିଁ ଯାହାକି ବାବା ସ୍ଥାପନ କରୁଛନ୍ତି । ସେଠାରେ ଦେବତାମାନଙ୍କର ପବିତ୍ର ଧର୍ମ, ପବିତ୍ର କର୍ମ ଥିଲା । ଏବେ ଏହାହେଲା ବିକାରୀ ଦୁନିଆ । ନୂଆ ଦୁନିଆକୁ ନିର୍ବିକାରୀ ଦୁନିଆ, ଶିବାଳୟ କୁହାଯାଉଥିଲା । ତେବେ ସମସ୍ତଙ୍କୁ ଏହି କଥା ବୁଝାଇବାକୁ ହେବ ତେବେ ବିଚରାମାନଙ୍କର କିଛି କଲ୍ୟାଣ ହୋଇଯିବ । ବାବାଙ୍କୁ ହିଁ କଲ୍ୟାଣକାରୀ କୁହାଯାଉଛି, ସିଏ ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆସୁଛନ୍ତି । କଲ୍ୟାଣକାରୀ ଯୁଗରେ କଲ୍ୟାଣକାରୀ ବାବା ଆସି ସମସ୍ତଙ୍କର କଲ୍ୟାଣ କରୁଛନ୍ତି । ପୁରୁଣା ଦୁନିଆକୁ ପରିବର୍ତ୍ତନ କରି ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ଜ୍ଞାନଦ୍ୱାରା ସଦ୍‌ଗତି ହୋଇଥାଏ । ଏହା ଉପରେ ପ୍ରତ୍ୟେକ ଦିନ ସମୟ ନେଇ ବୁଝାଇପାରିବ । କୁହ, ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଆମେ ହିଁ ଜାଣିଛୁ । ବର୍ତ୍ତମାନ ଗୀତାର ଅଧ୍ୟାୟ ଚାଲିଛି ଯେଉଁ ସମୟରେ କି ଭଗବାନ ଆସି ରାଜଯୋଗ ଶିଖାଇଥିଲେ । ଦ୍ୱିମୁକୁଟଧାରୀ କରାଇଥିଲେ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ରାଜଯୋଗ ଦ୍ୱାରା ଏହିପରି ହୋଇଛନ୍ତି । ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ବାବାଙ୍କଠାରୁ ରାଜଯୋଗ ଶିଖୁଛନ୍ତି । ବାବା ପ୍ରତ୍ୟେକ କଥା କେତେ ସହଜ କରି ବୁଝାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରାଜଯୋଗର ପାଠପଢା ହିଁ ରୋଜଗାରର ଆଧାର ଅଟେ କାହିଁକି ନା ଏହା ଦ୍ୱାରା ହିଁ ଆମେ ରାଜାମାନଙ୍କର ରାଜା ହେଉଛୁ । ତେଣୁ ଏହି ଆତ୍ମିକ ପାଠପଢାକୁ ପ୍ରତିଦିନ ପଢିବାକୁ ହେବ ଏବଂ ପଢାଇବାକୁ ହେବ ।

(୨) ସଦାସର୍ବଦା ଏହି ନିଶା ରହିଥାଉ ଯେ ଆମେ ବ୍ରାହ୍ମଣମାନେ ହିଁ ପ୍ରକୃତ ମୁଖ ବଂଶାବଳୀ ଅଟୁ, ଆମେ କଳିଯୁଗୀ ରାତ୍ରିରୁ ବାହାରି ଦିନକୁ ଆସିଯାଇଛୁ । ଏହା କଲ୍ୟାଣକାରୀ ପୁରୁଷୋତ୍ତମ ଯୁଗ ଅଟେ, ଏଥିରେ ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ ।

ବରଦାନ:-
ପ୍ରତ୍ୟେକ ଶ୍ରେଷ୍ଠ ସଂକଳ୍ପକୁ କର୍ମରେ ପରିଣତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ଭବ ।

ମାଷ୍ଟର ସର୍ବଶକ୍ତିମାନ ଅର୍ଥାତ୍ ଯାହାଙ୍କର ସଂକଳ୍ପ ଏବଂ କର୍ମ ସମାନ ହୋଇଥିବ । ଯଦି ସଂକଳ୍ପ ବହୁତ ଶ୍ରେଷ୍ଠ ହୋଇଥିବ କିନ୍ତୁ କର୍ମ ସଂକଳ୍ପ ଅନୁସାରେ ହେଉ ନ ଥିବ ତେବେ ମାଷ୍ଟର ସର୍ବଶକ୍ତିମାନ କୁହାଯିବ ନାହିଁ । ତେଣୁ ଚେକ୍ କର ଯାହା ବି ଶ୍ରେଷ୍ଠ ସଂକଳ୍ପ କରୁଛ ସେଗୁଡିକ କର୍ମ ପର୍ଯ୍ୟନ୍ତ ଆସୁଛି ନା ନାହିଁ । ମାଷ୍ଟର ସର୍ବଶକ୍ତିମାନର ଲକ୍ଷଣ ହେଲା ଯେଉଁ ଶକ୍ତି ଯେତେବେଳେ ଆବଶ୍ୟକ ହେଉଥିବ ତାହା ସେହି ସମୟରେ କାର୍ଯ୍ୟରେ ଲାଗୁଥିବ । ସ୍ଥୂଳ ଏବଂ ସୂକ୍ଷ୍ମ ଶକ୍ତିଗୁଡିକ ଏଭଳିଆ ଆୟତ୍ତରେ ରହୁଥିବେ ଯାହାକି ଯେଉଁ ଶକ୍ତିକୁ ଯେତେବେଳେ କାର୍ଯ୍ୟରେ ଲଗାଇବାକୁ ଚାହିଁଲେ ଲଗାଇ ପାରୁଥିବ ।

ସ୍ଲୋଗାନ:-
ଜ୍ଞାନୀ ତୁ ଆତ୍ମା ପିଲାମାନଙ୍କ ଭିତରେ ଯଦି କ୍ରୋଧ ରହିବ ତେବେ ଏହା ଦ୍ୱାରା ବାବାଙ୍କର ନାମର ଗ୍ଲାନୀ ହେବ ।