31.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏଠାକୁ ସର୍ବଶକ୍ତିମାନ ବାବାଙ୍କଠାରୁ ଶକ୍ତି ନେବା ପାଇଁ ଆସିଛ ଅର୍ଥାତ୍ ଆତ୍ମା ରୂପକ ଦୀପରେ ଜ୍ଞାନର ଘୃତ ଭରିବା ପାଇଁ ଆସିଛ” ।

ପ୍ରଶ୍ନ:-
ଶିବଙ୍କର ବରଯାତ୍ରୀର ଗାୟନ କାହିଁକି ରହିଛି?

ଉତ୍ତର:-
କାରଣ ଶିବବାବା ଯେତେବେଳେ ପରମଧାମକୁ ଫେରିଯା’ନ୍ତି ସେତେବେଳେ ସବୁ ଆତ୍ମାମାନେ ଦଳ ଦଳ ହୋଇ ତାଙ୍କ ପଛେ-ପଛେ ଚାଲିଯା’ନ୍ତି । ବ୍ରହ୍ମଲୋକରେ ମଧ୍ୟ ଆତ୍ମାମାନେ ଛତା ଆକୃତିରେ ରହିଥା’ନ୍ତି । ତୁମେ ପବିତ୍ର ହେଉଥିବା ପିଲାମାନେ ହିଁ କେବଳ ବାବାଙ୍କ ସାଥୀରେ ଯାଉଛ । ସାଥୀରେ ଯିବା କାରଣରୁ ହିଁ ଶିବଙ୍କର ବରଯାତ୍ରୀର ଗାୟନ ରହିଛି ।

ଓମ୍ ଶାନ୍ତି ।
ପିଲାମାନଙ୍କୁ ପ୍ରଥମେ-ପ୍ରଥମେ ଗୋଟିଏ କଥା ବୁଝିବାକୁ ହେବ ଯେ, ଆମେ ସମସ୍ତେ ପରସ୍ପର ଭାଇ-ଭାଇ ଅଟୁ ଏବଂ ସିଏ (ଶିବବାବା) ସମସ୍ତଙ୍କର ପିତା ଅଟନ୍ତି । ଯାହାଙ୍କୁ ସର୍ବଶକ୍ତିମାନ କୁହାଯାଏ । ତୁମମାନଙ୍କ ଭିତରେ ମଧ୍ୟ ସର୍ବଶକ୍ତି ଥିଲା, ତୁମେମାନେ ସାରା ବିଶ୍ୱ ଉପରେ ରାଜତ୍ୱ କରୁଥିଲ । ଭାରତରେ ହିଁ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ଅର୍ଥାତ୍ ତୁମମାନଙ୍କର ରାଜ୍ୟ ଥିଲା । ତୁମେ ପବିତ୍ର ଦେବୀ-ଦେବତା ଥିଲ, ତୁମର କୁଳ ବା ରାଜବଂଶ ଥିଲା, ସମସ୍ତେ ନିର୍ବିକାରୀ ଥିଲେ । ତେବେ କିଏ ନିର୍ବିକାରୀ ଥିଲା? ଆତ୍ମା । ଏବେ ତୁମେମାନେ ପୁନର୍ବାର ନିର୍ବିକାରୀ ହେବାକୁ ଯାଉଛ । ଯେମିତି କି ତୁମେମାନେ ସର୍ବଶକ୍ତିମାନ ବାବାଙ୍କୁ ସ୍ମରଣ କରି ତାଙ୍କଠାରୁ ଶକ୍ତି ନେଉଛ । ବାବା ବୁଝାଇଛନ୍ତି ଆତ୍ମା ହିଁ ୮୪ ଜନ୍ମର ପାର୍ଟ କରିଥାଏ, ତା’ ଭିତରେ ଯେଉଁ ସତ୍ତ୍ୱପ୍ରଧାନତାର ଶକ୍ତି ଥାଏ ତାହା ଦିନକୁ ଦିନ କମି କମିଯାଏ । କାରଣ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହେବାକୁ ତ ପଡିବ । ଯେପରି ବ୍ୟାଟେରୀର ଶକ୍ତି କମି କମି ଯାଇଥାଏ ଏବଂ ଶେଷରେ ଅଟକିଯାଏ । ବ୍ୟାଟେରୀ ଏକଦମ୍ ଡିସ୍‌ଚାର୍ଜ ହୋଇଯାଏ । କିନ୍ତୁ ଆତ୍ମା ରୂପୀ ବ୍ୟାଟେରୀ ସମ୍ପୂର୍ଣ୍ଣ ଖାଲି ହୁଏ ନାହିଁ, ସେଥିରେ କିଛି ନା କିଛି ଶକ୍ତି ରହିଥାଏ । ଯେମିତି କେହି ମରିଗଲେ ଦୀପ ଜଳାଇଥା’ନ୍ତି ଏବଂ ସେଥିରେ ଘିଅ ଢାଳିଥା’ନ୍ତି ଦୀପ ଯେପରି ଲିଭି ନ ଯାଉ । ଯେପରି ବ୍ୟାଟେରୀର ଶକ୍ତି କମିଗଲେ ତାକୁ ପୁଣି ଚାର୍ଜ କରିବା ପାଇଁ ରଖାଯାଏ । ଏବେ ତୁମେ ପିଲାମାନେ ବୁଝିପାରୁଛ ଯେ, ତୁମର ଆତ୍ମା ମଧ୍ୟ ସର୍ବଶକ୍ତିମାନ ଥିଲା । ଏବେ ପୁଣି ସର୍ବଶକ୍ତିମାନ ବାବାଙ୍କ ସହିତ ନିଜର ବୁଦ୍ଧିର ଯୋଗ ଲଗାଉଛ ଯାହାଦ୍ୱାରା ବାବାଙ୍କର ଶକ୍ତି ଆତ୍ମା ଭିତରକୁ ଆସି ଯାଉ କାରଣ ଏବେ ଆତ୍ମାର ଶକ୍ତି ସମ୍ପୂର୍ଣ୍ଣ କମି ଯାଇଛି । କିନ୍ତୁ ସେଥିରେ ଅଳ୍ପ କିଛି ଶକ୍ତି ତ ନିଶ୍ଚିତ ରହିଥାଏ । ଏକଦମ୍ ସମାପ୍ତ ହୋଇଗଲେ ପୁଣି ଶରୀର ରହିପାରିବ ନାହିଁ । ତେବେ ଆତ୍ମା ବାବାଙ୍କୁ ସ୍ମରଣ କରି କରି ବିଲ୍‌କୁଲ୍ ପବିତ୍ର ହୋଇଯାଏ । ସତ୍ୟଯୁଗରେ ତୁମର ବ୍ୟାଟେରୀ ଫୁଲଚାର୍ଜ ଅର୍ଥାତ୍ ସମ୍ପୂର୍ଣ୍ଣ ଭରପୁର ଥାଏ ପୁଣି ଧୀରେ-ଧୀରେ କମି-କମିଯାଏ । ତ୍ରେତାଯୁଗ ପର୍ଯ୍ୟନ୍ତ ମିଟର କମି-କମି ଯାଇଥାଏ, ଯାହାକୁ କଳା କୁହାଯାଏ । ତେବେ ଏପରି କୁହାଯିବ ଯେ, ଯେଉଁ ଆତ୍ମା ସତ୍ତ୍ୱପ୍ରଧାନ ଥିଲା ତାହା ସତ୍ତ୍ୱ ହୋଇଗଲା । ଏହିପରି, ଶକ୍ତି ଧୀରେ ଧୀରେ କମ୍ ହୋଇଯାଏ । ତୁମେମାନେ ଜାଣିଛ ଯେ ଆମେ ସତ୍ୟଯୁଗରେ ମନୁଷ୍ୟରୁ ଦେବତା ହୋଇ ଯାଉଛ । ଏବେ ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେମାନେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏବେ ତୁମେମାନେ ତମୋପ୍ରଧାନ ହୋଇଯାଇଛ, ତେଣୁ ଆତ୍ମିକ ଶକ୍ତିରେ ଦେବାଳିଆ ହୋଇଯାଇଛ । ବାବାଙ୍କୁ ମନେ ପକାଇଲେ ପୁଣି ସମ୍ପୂର୍ଣ୍ଣ ଶକ୍ତି ମିଳିଯିବ, କାହିଁକି ନା ତୁମେମାନେ ଜାଣିଛ ଦେହ ସହିତ ଦେହର ଯେଉଁସବୁ ସମ୍ବନ୍ଧ ରହିଛି, ସେ ସବୁ ସମାପ୍ତ ହେବାକୁ ଯାଉଛି, ପୁଣି ତୁମମାନଙ୍କୁ ବେହଦର ରାଜ୍ୟ ମିଳିବ । ବାବା ମଧ୍ୟ ଅବିନାଶୀ ଅଟନ୍ତି, ତେଣୁ ବର୍ସା ଅର୍ଥାତ୍ ସମ୍ପତ୍ତି ମଧ୍ୟ ଅବିନାଶୀ ଦେଉଛନ୍ତି । ଏବେ ତୁମେମାନେ ପତିତ ହୋଇଯାଇଛ, ତୁମର ଶକ୍ତି ବିଲକୁଲ୍ କମ୍ ହୋଇଯାଇଛି । ସେଥିପାଇଁ ବାବା କହୁଛନ୍ତି - ହେ ସନ୍ତାନମାନେ ଏବେ ତୁମେମାନେ ମୋତେ ମନେ ପକାଅ, ମୁଁ ସର୍ବଶକ୍ତିମାନ ଅଟେ, ମୋ ଦ୍ୱାରା ତୁମକୁ ଅଲମାଇଟୀ ରାଜ୍ୟ ମିଳୁଛି । ସତ୍ୟଯୁଗରେ ଦେବୀ-ଦେବତାମାନେ ସାରା ବିଶ୍ୱର ମାଲିକ ଥିଲେ କାରଣ ସେମାନେ ପବିତ୍ର ଥିଲେ, ଦୈବୀଗୁଣଯୁକ୍ତ ଥିଲେ । ଏବେ ସେହି ଦୈବୀଗୁଣ ନାହିଁ । ଏବେ ସମସ୍ତଙ୍କର ବ୍ୟାଟେରୀ ସମ୍ପୂର୍ଣ୍ଣ ଖାଲି ହେବାରେ ଲାଗିଛି । ପୁଣି ଆତ୍ମା ରୂପି ବ୍ୟାଟେରୀ ଭରପୁର ହେଉଛି । ପରମପିତା ପରମାତ୍ମାଙ୍କ ସହିତ ଯୋଗ ଲଗାଇବା ବ୍ୟତୀତ ବ୍ୟାଟେରୀ ଚାର୍ଜ ହୋଇ ପାରିବ ନାହିଁ । ସେହି ବାବା ସଦା ପବିତ୍ର ଅଟନ୍ତି । ଏଠାରେ ତ ସମସ୍ତେ ଅପବିତ୍ର । ଯେତେବେଳେ ପବିତ୍ର ଥା’ନ୍ତି ସେତେବେଳେ ବ୍ୟାଟେରୀ ଚାର୍ଜ ଥାଏ । ତେଣୁ ଏବେ ବାବା ବୁଝାଉଛନ୍ତି, କେବଳ ଜଣକୁ ହିଁ ସ୍ମରଣ କରିବାକୁ ହେବ । ଉଚ୍ଚରୁ ଉଚ୍ଚ ହେଲେ ଭଗବାନ । ବାକି ସମସ୍ତେ ହେଲେ ରଚନା ଅର୍ଥାତ୍ ତାଙ୍କର ସନ୍ତାନ । ରଚନାକୁ ରଚନାଠାରୁ କେବେ ବି ସମ୍ପତ୍ତି ମିଳି ନ ଥାଏ । ରଚୟିତା ତ କେବଳ ଜଣେ ହିଁ ଅଟନ୍ତି । ସିଏ ହେଲେ ଅବିନାଶୀ ପିତା ପରମାତ୍ମା । ବାକି ତ ସମସ୍ତେ ହେଲେ ବିନାଶୀ । ବେହଦର ବାବାଙ୍କୁ ସ୍ମରଣ କରିଲେ ବେହଦର ବାଦଶାହୀ ଅର୍ଥାତ୍ ବେହଦର ରାଜ୍ୟଭାଗ୍ୟ ମିଳିଥାଏ । ତେଣୁ ପିଲାମାନଙ୍କୁ ହୃଦୟର ସହିତ ବୁଝିବା ଦରକାର – ଆମ ପାଇଁ ବାବା ନୂଆ ଦୁନିଆ ସ୍ୱର୍ଗର ସ୍ଥାପନା କରୁଛନ୍ତି । ଡ୍ରାମା ପ୍ଳାନ ଅନୁସାରେ ଏବେ ସ୍ୱର୍ଗର ସ୍ଥାପନା ହେଉଛି । ତୁମେମାନେ ଜାଣିଛ - ସତ୍ୟଯୁଗ ଆସିବାକୁ ଯାଉଛି । ସତ୍ୟଯୁଗରେ ସଦା ସୁଖ ହିଁ ସୁଖ ଥାଏ । ତେବେ ତାହା କିପରି ପ୍ରାପ୍ତ ହୁଏ? ସେଥିପାଇଁ ବାବା ବୁଝାଉଛନ୍ତି ମାମେକମ୍ ୟାଦ କରୋ ଅର୍ଥାତ୍ ମୋତେ ମନେ ପକାଅ । ମୁଁ ଏଭର ପିଓର ଅର୍ଥାତ୍ ସଦା ପବିତ୍ର ଅଟେ । ମୁଁ କେବେ ମନୁଷ୍ୟ ଶରୀର ଧାରଣ କରୁନାହିଁ । ମୁଁ ନା ଦୈବୀ ଶରୀର ନେଇଥାଏ, ନା ମନୁଷ୍ୟ ଶରୀର ନେଇଥାଏ ଅର୍ଥାତ୍ ମୁଁ ଜନ୍ମ-ମରଣ ଚକ୍ରରେ ଆସେ ନାହିଁ । କେବଳ ତୁମମାନଙ୍କୁ ସ୍ୱର୍ଗର ବାଦଶାହୀ ଦେବା ପାଇଁ, ଯେତେବେଳେ ଇଏ ଅର୍ଥାତ୍ ଏହି ବ୍ରହ୍ମାଙ୍କର ବୟସ ୬୦ ବର୍ଷ ବାନପ୍ରସ୍ଥ ଅବସ୍ଥାରେ ପହଞ୍ଚିଯାଏ, ସେତେବେଳେ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରେ । ଇଏ ପୁରା ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛନ୍ତି । ନମ୍ବରୱାନ ଉଚ୍ଚରୁ ଉଚ୍ଚ ହେଲେ ଭଗବାନ ପୁଣି ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା-ବିଷ୍ଣୁ-ଶଙ୍କର, ଯାହାଙ୍କର ସାକ୍ଷାତ୍‌କାର ହୋଇଥାଏ । ସୂକ୍ଷ୍ମଲୋକ ମଝିରେ ଅଛି ନା । ଯେଉଁଠାରେ ଶରୀର ରହିପାରିବ ନାହିଁ । ସେଠାରେ ସୂକ୍ଷ୍ମ ଶରୀର ଥାଏ ଯାହାକୁ କେବଳ ଦିବ୍ୟଦୃଷ୍ଟି ଦ୍ୱାରା ହିଁ ଦେଖି ହୁଏ । ମନୁଷ୍ୟ ସୃଷ୍ଟି କେବଳ ଏହିଠାରେ ହିଁ ରହିଛି । ବାକି ସେମାନେ ତ କେବଳ ସାକ୍ଷାତ୍‌କାର ପାଇଁ ଫରିସ୍ତା ଅଟନ୍ତି । ତୁମେମାନେ ମଧ୍ୟ ଅନ୍ତିମ ସମୟରେ ଯେତେବେଳେ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଉଛ ସେତେବେଳେ ତୁମମାନଙ୍କର ମଧ୍ୟ ସାକ୍ଷାତ୍‌କାର ହୋଇଥାଏ । ଏହିଭଳି ଫରିସ୍ତା ହୋଇ ପୁନର୍ବାର ସତ୍ୟଯୁଗରେ ଏହିଠାରେ ହିଁ ଆସି ସ୍ୱର୍ଗର ମାଲିକ ହେବ । ଏହି ବ୍ରହ୍ମା କୌଣସି ବିଷ୍ଣୁଙ୍କୁ ସ୍ମରଣ କରନ୍ତି ନାହିଁ । ଇଏ ମଧ୍ୟ ଶିବବାବାଙ୍କୁ ସ୍ମରଣ କରୁଛନ୍ତି ଏବଂ ବିଷ୍ଣୁ ହେଉଛନ୍ତି । ତେବେ ଏ କଥା ବୁଝିବା ଦରକାର ନା । ଏମାନେ ରାଜ୍ୟ କିପରି ପାଇଲେ । ଲଢାଇ ଆଦି ତ କିଛି ବି ହେଉ ନାହିଁ । ଦେବତାମାନେ ହିଂସା କିପରି କରିବେ!

ଏବେ ତୁମେମାନେ ବାବାଙ୍କୁ ସ୍ମରଣ କରି ରାଜ୍ୟପଦ ନେଉଛ, କେହି ମାନନ୍ତୁ ବା ନ ମାନନ୍ତୁ । ଗୀତାରେ ମଧ୍ୟ ଅଛି - ହେ ସନ୍ତାନମାନେ, ଦେହ ସହିତ ଦେହର ସବୁ ଧର୍ମକୁ ଛାଡି କେବଳ ମୋତେ ମନେ ପକାଅ । ତାଙ୍କର (ବାବାଙ୍କର) ତ ଦେହ ହିଁ ନାହିଁ ଯାହାକି ମୋହ ରଖିବେ । କହୁଛନ୍ତି ମୁଁ ଅଳ୍ପ ସମୟ ପାଇଁ ଏହାଙ୍କ ଶରୀରର ଲୋନ୍ ନେଇଛି । ନଚେତ୍ ମୁଁ ଜ୍ଞାନ କିପରି ଦେବି! ମୁଁ ବୀଜରୂପ ଅଟେ ନା । ଏହି ବୃକ୍ଷର ସମ୍ପୂର୍ଣ୍ଣ ଜ୍ଞାନ ମୋ ପାଖରେ ଅଛି । ସୃଷ୍ଟିର ଆୟୁଷ କେତେ ଏକଥା କାହାକୁ ଜଣାନାହିଁ । କିପରି ଏହାର ସ୍ଥାପନା, ପାଳନା, ବିନାଶ ହୋଇଥାଏ? ମନୁଷ୍ୟମାନଙ୍କୁ ତ ଏକଥା ଜଣାଥିବା ଦରକାର ନା । ମନୁଷ୍ୟମାନେ ହିଁ ପାଠ ପଢିଥା’ନ୍ତି । ଜୀବଜନ୍ତୁ ତ ପାଠପଢି ନ ଥା’ନ୍ତି । ଲୌକିକ ଦୁନିଆରେ ମଧ୍ୟ ବିନାଶୀ ପାଠ ପଢିଥା’ନ୍ତି । ବାବା ତୁମମାନଙ୍କୁ ବେହଦର ପାଠ ପଢାଉଛନ୍ତି, ଯେଉଁ ପାଠପଢା ଦ୍ୱାରା ତୁମକୁ ବେହଦର ମାଲିକ କରୁଛନ୍ତି । ତେବେ ଏହି କଥାକୁ ବୁଝାଇବାକୁ ହେବ ଯେ, ଭଗବାନ କୌଣସି ମନୁଷ୍ୟକୁ ଅଥବା ଦେହଧାରୀକୁ କୁହାଯିବ ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ସୂକ୍ଷ୍ମ ଶରୀର ଅଛି ନା । ଏମାନଙ୍କର ନାମ ହିଁ ଅଲଗା, ଏମାନଙ୍କୁ ଭଗବାନ କୁହାଯିବ ନାହିଁ । ଏହି ଶରୀର ତ ଏହି ଦାଦାଙ୍କ ଆତ୍ମାର ତଖତ ଅର୍ଥାତ୍ ସିଂହାସନ ଥିଲା । ଏହା ଅକାଳ ସିଂହାସନ ଅଟେ ନା । ଏବେ ଏହା ଅକାଳମୂରତ ବାବାଙ୍କର ଆସନ ଅଟେ । ଅମୃତସରରେ ମଧ୍ୟ ଗୋଟିଏ ଅକାଳ ତଖତ ଅଛି ନା । ବଡ ବଡ ଲୋକ ଅର୍ଥାତ୍ ଉଚ୍ଚପଦଧିକାରୀମାନେ ତା ଉପରେ ବସିଥା’ନ୍ତି । ଏବେ ବାବା ବୁଝାଉଛନ୍ତି ଏହି ଶରୀର ସମସ୍ତ ଅକାଳ ଆତ୍ମାଙ୍କର ଆସନ ଅଟେ । ଆତ୍ମା ଅକାଳ ଅଟେ, ଯାହାକୁ କାଳ କେବେ ବି ଖାଇପାରିବ ନାହିଁ । ବାକି ତଖତ ଅର୍ଥାତ୍ ଶରୀର ତ ବଦଳିଥାଏ । ଅକାଳମୂରତ ଆତ୍ମା ଏହି ଶରୀରର ଭ୍ରୃକୁଟୀ ରୂପି ଆସନ ଉପରେ ବିରାଜମାନ ହୋଇଥାଏ । ପ୍ରଥମେ ଏହି ସିଂହାସନ ଛୋଟ ହୋଇଥାଏ, ପରେ ବଡ ହୋଇଯାଏ । ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାଏ । ଆତ୍ମା ଅକାଳ ଅଟେ । ବାକି ସେଥିରେ ଭଲ ବା ଖରାପ ସଂସ୍କାର ଥାଏ ସେଥିପାଇଁ ତ କୁହାଯାଏ ନା - ଏହା କର୍ମର ଫଳ ଅଟେ । ଆତ୍ମା କେବେ ବି ବିନାଶ ହୁଏ ନାହିଁ । ଆତ୍ମାର ପିତା ତ କେବଳ ଜଣେ । ଏହି କଥାକୁ ତ ବୁଝିବାକୁ ହେବ ନା । ଶିବବାବା କ’ଣ କୌଣସି ଶାସ୍ତ୍ରର କଥା ଶୁଣାଉଛନ୍ତି କି! ଶାସ୍ତ୍ର ଇତ୍ୟାଦି ପଢିଲେ କେହି ଶାନ୍ତିଧାମକୁ ଫେରିପାରିବେ ନାହିଁ । ଶେଷ ସମୟରେ ସମସ୍ତେ ଘରକୁ ଫେରିଯିବେ । ଯେମିତି ପୋକମାନଙ୍କର ଅଥବା ମହୁମାଛିମାନଙ୍କର ଦଳ ଯାଇଥା’ନ୍ତି ନା । ମହୁମାଛିମାନଙ୍କ ଭିତରେ ବି ରାଣୀ ମହୁମାଛି ଥାଏ । ତା ପଛେ-ପଛେ ସମସ୍ତେ ଯାଇଥା’ନ୍ତି । ସେହିଭଳି ବାବାଙ୍କ ପଛେ-ପଛେ ସବୁ ଆତ୍ମାମାନେ ଯିବେ । ଶାନ୍ତିଧାମରେ ଯେମିତିକି ସବୁ ଆତ୍ମା ଛତା ଆକୃତିରେ ରହିଥାଆନ୍ତି । ଏଠାରେ ପୁଣି ମନୁଷ୍ୟମାନଙ୍କର ଦଳ ରହିଛି । ତେବେ ଏହି ଦଳକୁ ମଧ୍ୟ ଦିନେ ସେଠାକୁ ଯିବାକୁ ହେବ । ବାବା ଆସି ସମସ୍ତ ଆତ୍ମାଙ୍କୁ ସେଠାକୁ ନେଇ ଯାଉଛନ୍ତି । ଶିବଙ୍କର ବରଯାତ୍ରୀ କୁହାଯାଏ । ସନ୍ତାନ କୁହ ଅଥବା ସଜନୀ କୁହ କଥା ତ ଗୋଟିଏ । ବାବା ଆସି ପିଲାମାନଙ୍କୁ ପାଠପଢାଇ ଯୋଗର ଯାତ୍ରା ଶିଖାଉଛନ୍ତି । ପବିତ୍ର ହେବା ବିନା ତ ଆତ୍ମା ଘରକୁ ଯାଇପାରିବ ନାହିଁ । ଯେତେବେଳେ ଆତ୍ମା ପବିତ୍ର ହୋଇଯିବ, ତେବେ ପ୍ରଥମେ ପ୍ରଥମେ ଶାନ୍ତିଧାମକୁ ଯିବ । ସେଠାରେ ସବୁ ଆତ୍ମାମାନେ ରହିଥା’ନ୍ତି । ସେଠାରୁ ପୁଣି ଧୀରେ ଧୀରେ ଏଠାକୁ ଆସିବାକୁ ଲାଗିଥା’ନ୍ତି । ତେଣୁ ଏଠାରେ ବୃଦ୍ଧି ହୋଇ ଚାଲେ । ତୁମେମାନେ ହିଁ ବାବାଙ୍କ ପଛେ ପଛେ ପ୍ରଥମେ-ପ୍ରଥମେ ଯିବ । ତୁମର ବାବାଙ୍କ ସହିତ ଅଥବା ସଜନୀମାନଙ୍କର ସାଜନଙ୍କ ସହିତ ଯୋଗ ରହିଛି । ରାଜଧାନୀ ତିଆରି ହେବ ନା । ସମସ୍ତେ ଏକାଠି ଆସି ନ ଥା’ନ୍ତି । ସେଠାରେ ସମସ୍ତ ଆତ୍ମାମାନଙ୍କର ଦୁନିଆ ରହିଛି । ସେଠାରୁ ପୁଣି କ୍ରମାନ୍ୱୟରେ ଆସିଥା’ନ୍ତି । ସୃଷ୍ଟିରୂପୀ ବୃକ୍ଷ ଧୀରେ ଧୀରେ ବୃଦ୍ଧିକୁ ପ୍ରାପ୍ତ କରିଥାଏ । ପ୍ରଥମେ-ପ୍ରଥମେ ତ ଆଦି ସନାତନ ଦେବୀ-ଦେବତା ଧର୍ମ ଥାଏ, ଯାହାକୁ ବାବା ସ୍ଥାପନ କରୁଛନ୍ତି । ପ୍ରଥମେ-ପ୍ରଥମେ ଆମକୁ ବ୍ରାହ୍ମଣ କରୁଛନ୍ତି । ଇଏ ପ୍ରଜାପିତା ବ୍ରହ୍ମା ଅଟନ୍ତି ନା । ତେବେ ପ୍ରଜାମାନଙ୍କ ଭିତରେ ଭାଇ-ଭଉଣୀର ସମ୍ବନ୍ଧ ହୋଇଯାଏ । ବ୍ରହ୍ମାକୁମାର ଏବଂ କୁମାରୀ ତ ଅନେକ ଅଛନ୍ତି । ନିଶ୍ଚିତ ଭାବରେ ନିଶ୍ଚୟ ବୁଦ୍ଧି ହୋଇଥିବେ ସେଥିପାଇଁ ତ ଏତେ ସଂଖ୍ୟାରେ ଅଛନ୍ତି । ତେବେ ବ୍ରାହ୍ମଣ କେତେ ସଂଖ୍ୟାରେ ହୋଇଥିବେ? କଞ୍ଚା ନା ପକ୍କା? କେହି ତ ୯୯ ନମ୍ବର ରଖୁଛନ୍ତି, କେହି ୧୦ ନମ୍ବର ରଖୁଛନ୍ତି, ତେବେ ସେମାନଙ୍କୁ କଞ୍ଚା ଅର୍ଥାତ୍ ଦୁର୍ବଳ କୁହାଯିବ ନା । ତୁମମାନଙ୍କ ଭିତରେ ମଧ୍ୟ ଯିଏ ପକ୍କା ଅଛନ୍ତି ସେମାନେ ନିଶ୍ଚିତ ସେଠାରେ ପ୍ରଥମେ ଆସିବେ । କମ ଧାରଣାଯୁକ୍ତ ଆତ୍ମା ପଛରେ ଆସିବେ । ଏହା ପାର୍ଟଧାରୀମାନଙ୍କର ଦୁନିଆ ଅଟେ ଯାହାକି ଘୂରିଚାଲିଛି । ସତ୍ୟ ଯୁଗ, ତ୍ରେତା, ଦ୍ୱାପର, କଳି, ଏହାକୁ କୁହାଯାଉଛି ପୁରୁଷୋତ୍ତମ ସଂଗମଯୁଗ । ଏ କଥା ଏବେ ବାବା ଶୁଣାଉଛନ୍ତି । ପୂର୍ବରୁ ତ ଆମେ ଓଲଟା ବୁଝି ଆସିଥିଲେ ଯେ, କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ । ଏବେ ବାବା କହୁଛନ୍ତି ଯେ ଏହା ତ ପୁରା ୫ ହଜାର ବର୍ଷର ଚକ୍ର । ଅଧାକଳ୍ପ ରାମଙ୍କର ରାଜ୍ୟ, ଅଧାକଳ୍ପ ରାବଣର ରାଜ୍ୟ । ଯଦି ଲକ୍ଷ-ଲକ୍ଷ ବର୍ଷର କଳ୍ପ ହୋଇଥାଆନ୍ତା ତେବେ ଅଧା-ଅଧା ମଧ୍ୟ ହୋଇପାରି ନ ଥାନ୍ତା । ଦୁଃଖ ଏବଂ ସୁଖର ଏହି ଦୁନିଆ ତିଆରି ହୋଇଛି । ଏହି ବେହଦର ଜ୍ଞାନ ବେହଦର ବାବାଙ୍କଠାରୁ ମିଳୁଛି । ଶିବବାବାଙ୍କର କୌଣସି ଶାରୀରିକ ନାମ ନାହିଁ । ଏହି ଶରୀର ମଧ୍ୟ ଦାଦାଙ୍କର ଅଟେ । ବାବା କେଉଁଠି ଅଛନ୍ତି? ବାବା ତ କିଛି ସମୟ ପାଇଁ ଏହି ଶରୀରକୁ ଲୋନ୍ ନେଇଛନ୍ତି । ବାବା କହୁଛନ୍ତି ମୋତେ ମୁଖ ତ ଦରକାର ନା । ଏଠାରେ ମଧ୍ୟ ଗୋମୁଖ ତିଆରି କରିଛନ୍ତି । ପାହାଡରୁ ପାଣି ତ ଯେଉଁଠି ପାରେ ସେଇଠି ବାହାରିଥାଏ । ଏଠାରେ ପୁଣି ଗଉମୁଖ ତିଆରି କରିଛନ୍ତି ଯେଉଁଠାରୁ ପାଣି ବାହାରୁଛି, ତାକୁ ଗଙ୍ଗାଜଳ ବୋଲି ଭାବୁଛନ୍ତି । ତେବେ ଗଙ୍ଗା କେଉଁଠୁ ଆସିଲା? ସବୁ ମିଛ କଥା । ସେଥିପାଇଁ କହନ୍ତି, ମିଥ୍ୟାକାୟା, ମିଥ୍ୟାମାୟା ମିଥ୍ୟା ସବୁ ସଂସାର । ଭାରତ ଯେତେବେଳେ ସ୍ୱର୍ଗ ଥିଲା ସେତେବେଳେ ତାକୁ ସତ୍ୟ ଖଣ୍ଡ କୁହାଯାଉଥିଲା, ପୁଣି ସେହି ଭାରତ ଯେତେବେଳେ ପୁରୁଣା ହୋଇଯାଉଛି ତାକୁ ମିଥ୍ୟାଭୂମି କୁହାଯାଉଛି । ଏହି ମିଥ୍ୟାଭୂମିରେ ଯେତେବେଳେ ସମସ୍ତେ ପତିତ ହୋଇଯାଉଛନ୍ତି ସେତେବେଳେ ପୁଣି ଡାକୁଛନ୍ତି - ବାବା ଆମକୁ ପବିତ୍ର କରି ଏହି ପୁରୁଣା ଦୁନିଆରୁ ନେଇଚାଲ । ବାବା କହୁଛନ୍ତି ମୋର ସନ୍ତାନମାନେ କାମ ଚିତା ଉପରେ ବସି କଳା ହୋଇଯାଇଛନ୍ତି । ବାବା ପିଲାମାନଙ୍କୁ କହୁଛନ୍ତି - ତୁମେମାନେ ସ୍ୱର୍ଗର ମାଲିକ ଥିଲ ନା! ତାହା ସ୍ମୃତି ଆସୁଛି ନା । ବାବା ନିଜ ପିଲାମାନଙ୍କୁ ବୁଝାଉଛନ୍ତି, ସାରା ଦୁନିଆକୁ ବୁଝାଉ ନାହାଁନ୍ତି । ତୁମମାନଙ୍କୁ ହିଁ ବୁଝାଉଛନ୍ତି ଯାହାକି ଜଣାପଡିବ ଯେ ଆମର ପିତା କିଏ!

ଏହି ଦୁନିଆକୁ କଣ୍ଟାର ଜଙ୍ଗଲ କୁହାଯାଏ । ସବୁଠାରୁ ବଡ କଣ୍ଟା କାମ ବିକାରର କଣ୍ଟା । ଯଦିଓ ଏଠାରେ ଭକ୍ତ ମଧ୍ୟ ବହୁତ ଅଛନ୍ତି, ଯେଉଁମାନେ ଏକଦମ୍ ସାକାହାରୀ ଅଛନ୍ତି କିନ୍ତୁ ଏମିତି ନୁହେଁ ଯେ ବିକାରଗ୍ରସ୍ତ ହେଉ ନାହାଁନ୍ତି । ଏମିତି ତ ବହୁତ ବାଳବ୍ରହ୍ମଚାରୀ ମଧ୍ୟ ରହୁଛନ୍ତି । ଛୋଟ ଅବସ୍ଥାରୁ ହିଁ କେବେ ଅଶୁଦ୍ଧ ଭୋଜନ ଖାଇ ନ ଥା’ନ୍ତି । ସନ୍ନ୍ୟାସୀମାନେ ମଧ୍ୟ କହିଥା’ନ୍ତି - ନିର୍ବିକାରୀ ହୁଅ । ସେହି ବିନାଶୀ ସଂସାରର ସନ୍ନ୍ୟାସ ମଧ୍ୟ ମନୁଷ୍ୟମାନେ ହିଁ ଶିଖାଇଥା’ନ୍ତି । ସେମାନେ ପରବର୍ତ୍ତୀ ଜନ୍ମରେ ଗୃହସ୍ଥିଙ୍କ ପାଖରେ ଜନ୍ମ ନେଇ ପୁଣି ଘରଦ୍ୱାର ଛାଡି ଚାଲିଯାଇଥା’ନ୍ତି । ସତ୍ୟଯୁଗରେ ଶ୍ରୀକୃଷ୍ଣ ଆଦି ଦେବତାମାନେ କେବେ ଘରଦ୍ୱାର ଛାଡିଥା’ନ୍ତି କି? ନା । ତେଣୁ ସେମାନଙ୍କର ହେଲା ହଦର ସନ୍ନ୍ୟାସ । ଏବେ ତୁମର ହେଲା ବେହଦର ସନ୍ନ୍ୟାସ । ତୁମେମାନେ ସାରା ଦୁନିଆକୁ, ସମସ୍ତ ମିତ୍ର-ସମ୍ବନ୍ଧୀ ଆଦିଙ୍କୁ ବୁଦ୍ଧିରୁ ସନ୍ନ୍ୟାସ କରୁଛ । ତୁମମାନଙ୍କ ପାଇଁ ଏବେ ସ୍ୱର୍ଗର ସ୍ଥାପନା ହେଉଛି । ତେଣୁ ତୁମମାନଙ୍କର ବୁଦ୍ଧି ଏବେ ସ୍ୱର୍ଗ ଆଡକୁ ଯିବ । ଏବେ ଶିବବାବାଙ୍କୁ ହିଁ ମନେ ପକାଇବାକୁ ହେବ । ବେହଦର ବାବା କହୁଛନ୍ତି ମୋତେ ମନେ ପକାଅ । ମନମନାଭବ, ମଧ୍ୟାଜୀଭବ । ତେବେ ତୁମେମାନେ ଦେବତା ହୋଇଯିବ । ଏହା ସେହି ଗୀତାର ପର୍ବ ଅଟେ ଏବଂ ଏହାକୁ ସଂଗମ ଯୁଗ ମଧ୍ୟ କୁହାଯାଉଛି । ମୁଁ ସଂଗମଯୁଗରେ ହିଁ ଜ୍ଞାନ ଶୁଣାଉଛି । ତେବେ ଦେବତାମାନେ ରାଜଯୋଗ ନିଶ୍ଚିତ ପୂର୍ବ ଜନ୍ମରେ ହିଁ ଶିଖିଥିବେ । ଏହି ସୃଷ୍ଟି ବଦଳୁଛି ନା, ତୁମେମାନେ ଏବେ ପତିତରୁ ପାବନ ହୋଇଯାଉଛ । ବର୍ତ୍ତମାନ ଏହା ପୁରୁଷୋତ୍ତମ ସଂଗମଯୁଗ, ଯେବେ କି ଆମେ ଏହିଭଳି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛୁ । ତେବେ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝି ନିଶ୍ଚୟ କରିବା ଦରକାର । ଏକଥା କୌଣସି ମନୁଷ୍ୟ କହୁନାହାଁନ୍ତି । ଏହା ହେଲା ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ଭଗବାନଙ୍କର । ବାକି ସବୁ ହେଲା ମନୁଷ୍ୟ ମତ । ମନୁଷ୍ୟ ମତ ଦ୍ୱାରା ତୁମେମାନେ ତଳକୁ ଖସି ଖସି ଆସିଛ । ଏବେ ଶ୍ରୀମତରେ ଚାଲି ତୁମେମାନେ ଉପରକୁ ଚଢୁଛ । ବାବା ତୁମମାନଙ୍କୁ ମନୁଷ୍ୟରୁ ଦେବତା କରି ଦେଉଛନ୍ତି । ଦୈବୀ ମତ ହେଲା ସ୍ୱର୍ଗବାସୀ ଦେବତାଙ୍କର ଏବଂ ଏହା ହେଲା ନର୍କବାସୀ ମନୁଷ୍ୟମାନଙ୍କର ମତ, ଯାହାକୁ ରାବଣ ମତ କୁହାଯାଉଛି । ରାବଣ ରାଜ୍ୟ ମଧ୍ୟ କିଛି କମ୍ ନୁହେଁ । ସାରା ଦୁନିଆ ଉପରେ ରାବଣର ରାଜ୍ୟ ଚାଲିଛି । ଏହା ବେହଦର ଲଙ୍କା ଅଟେ ଯାହା ଉପରେ ରାବଣର ରାଜ୍ୟ ଚାଲିଛି ପୁଣି ଦେବତାମାନଙ୍କର ପବିତ୍ର ରାଜ୍ୟ ହେବ । ସେଠାରେ ବହୁତ ସୁଖ ଥାଏ । ସ୍ୱର୍ଗର କେତେ ମହିମା ରହିଛି । କାହାର ମୃତ୍ୟୁ ହେଲେ କହୁଛନ୍ତି ସ୍ୱର୍ଗକୁ ଗଲା । ତେବେ ନିଶ୍ଚିତ ନର୍କରେ ଥିଲା ନା । ଯଦି ନର୍କରୁ ଗଲା ତେବେ ନିଶ୍ଚିତ ନର୍କକୁ ହିଁ ଆସିବ ନା! ଏବେ ସ୍ୱର୍ଗ କେଉଁଠି ଅଛି? ଏହି ସବୁ କଥା କୌଣସି ଶାସ୍ତ୍ରରେ ନାହିଁ । ଏବେ ବାବା ତୁମମାନଙ୍କୁ ଏ ସବୁର ଜ୍ଞାନ ଦେଉଛନ୍ତି । ତୁମର ଆତ୍ମା ରୂପି ବ୍ୟାଟେରୀ ଏବେ ଚାର୍ଜ ହେଉଛି । କିନ୍ତୁ ମାୟା ତୁମର ଯୋଗ ତୁଟାଇ ଦେଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମନ-ବଚନ-କର୍ମରେ ପବିତ୍ର ହୋଇ ଆତ୍ମା ରୂପୀ ବ୍ୟାଟେରୀକୁ ଚାର୍ଜ କରିବାକୁ ହେବ । ପକ୍କା ବ୍ରାହ୍ମଣ ହେବାକୁ ପଡିବ ।

(୨) ମନମତ ବା ମନୁଷ୍ୟ ମତକୁ ଛାଡି ଏକମାତ୍ର ବାବାଙ୍କ ଶ୍ରୀମତରେ ଚାଲି ନିଜକୁ ଶ୍ରେଷ୍ଠ କରିବାକୁ ହେବ । ସତ୍ତ୍ୱପ୍ରଧାନ ହୋଇ ବାବାଙ୍କ ସହିତ ଉଡି-ଉଡି ଘରକୁ ଯିବାକୁ ହେବ ।

ବରଦାନ:-
ସତ୍ୟତାର ଶକ୍ତି ଦ୍ୱାରା ପ୍ରକୃତିକୁ ବା ବିଶ୍ୱକୁ ସତ୍ତ୍ୱପ୍ରଧାନ କରୁଥିବା ମାଷ୍ଟର ବିଧିବିଧାତା ଭବ ।

ଯେତେବେଳେ ତୁମେମାନେ ସତ୍ୟତାର ଶକ୍ତିକୁ ଧାରଣ କରି ମାଷ୍ଟର ବିଧିବିଧାତା ହେଉଛ ସେତେବେଳେ ପ୍ରକୃତି ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛି ଏବଂ ଯୁଗ ମଧ୍ୟ ସତ୍ୟଯୁଗ ହୋଇଯାଉଛି । ସର୍ବ ଆତ୍ମାମାନେ ମଧ୍ୟ ନିଜର ସଦ୍‌ଗତିର ଭାଗ୍ୟ ନିର୍ମାଣ କରି ଦେଉଛନ୍ତି । ତେଣୁ ତୁମମାନଙ୍କର ସତ୍ୟତା ପାରସମଣି ସଦୃଶ ଅଟେ । ଯେପରି ପାରସ ଲୁହାକୁ ମଧ୍ୟ ପାରସ କରିଦେଉଛି, ସେହିପରି ସତ୍ୟତାର ଶକ୍ତି ଆତ୍ମାକୁ, ପ୍ରକୃତିକୁ, ସମୟକୁ, ସର୍ବ ସାମଗ୍ରୀକୁ, ସର୍ବ ସମ୍ବନ୍ଧକୁ, ସଂସ୍କାରକୁ, ଆହାର-ବ୍ୟବହାରକୁ ସତ୍ତ୍ୱପ୍ରଧାନ କରିଦେଉଛି ।

ସ୍ଲୋଗାନ:-
ଯୋଗୀ ଆତ୍ମା ସେହିମାନେ ଅଟନ୍ତି, ଯେଉଁମାନଙ୍କୁ ପ୍ରକୃତିର ହଲଚଲ ମଧ୍ୟ ଆକର୍ଷିତ କରିପାରୁ ନ ଥିବ ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ଯଦି ତୁମେ ସ୍ୱଦର୍ଶନ ଚକ୍ରଧାରୀ ତଥା ଛତ୍ରଧାରୀ ହୋଇ ଦୈହିକ ସ୍ମୃତିର ଅନେକ ବ୍ୟର୍ଥ ସଂକଳ୍ପର ଚକ୍ରରୁ, ଲୌକିକ ଏବଂ ଅଲୌକିକ ସମ୍ବନ୍ଧର ଚକ୍ରରୁ, ନିଜର ଅନେକ ଜନ୍ମର ସ୍ୱଭାବ ଏବଂ ସଂସ୍କାରର ଚକ୍ରରୁ ଏବଂ ପ୍ରକୃତିର ଅନେକ ପ୍ରକାରର ଆକର୍ଷଣର ଚକ୍ରରୁ ମୁକ୍ତ ହୋଇଯିବ, ତେବେ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ବାବାଙ୍କଠାରୁ ପ୍ରାପ୍ତ ହୋଇଥିବା ଶକ୍ତିଗୁଡିକ ଦ୍ୱାରା ଅନେକ ପ୍ରକାରର ଚକ୍ରରୁ ସହଜରେ ମୁକ୍ତ କରି ଜୀବନମୁକ୍ତ କରିପାରିବ ।