31.08.25 Avyakt Bapdada Odia Murli 15.12.2006 Om Shanti Madhuban
“ସ୍ମୃତି ସ୍ୱରୂପ,
ଅନୁଭବୀ ମୂରତ ହୋଇ ଗୋଟିଏ ସେକେଣ୍ଡରେ ତୀବ୍ରଗତିରେ ପରିବର୍ତ୍ତନ କରି ସମ୍ମାନର ସହିତ
ଉତ୍ତୀର୍ଣ୍ଣ ହୁଅ”
ଆଜି ବାପଦାଦା ଚାରିଆଡର
ପିଲାମାନଙ୍କ ମସ୍ତକରେ ତିନୋଟି ବିଶେଷ ଭାଗ୍ୟର ରେଖା ଚମକୁଥିବାର ଦେଖୁଛନ୍ତି । ସମସ୍ତଙ୍କର
ମସ୍ତକ ଭାଗ୍ୟର ରେଖାଗୁଡିକ ଦ୍ୱାରା ଚମକୁଛି । ଗୋଟିଏ ହେଲା ପରମାତ୍ମ ମିଳନର ଭାଗ୍ୟର ରେଖା,
ଦ୍ୱିତୀୟରେ ହେଲା ଶ୍ରେଷ୍ଠ ଶିକ୍ଷକଙ୍କର ଦ୍ୱାରା ଶିକ୍ଷା ପ୍ରାପ୍ତ କରିବାର ଭାଗ୍ୟର ରେଖା ।
ତୃତୀୟରେ ହେଲା ସଦ୍ଗୁରୁଙ୍କ ଦ୍ୱାରା ଶ୍ରୀମତ ପ୍ରାପ୍ତ କରିବାର ଭାଗ୍ୟର ରେଖା । ଏମିତି ତ
ତୁମମାନଙ୍କୁ ଅକଳନ ଭାଗ୍ୟ ମିଳିଛି କିନ୍ତୁ ବାପଦାଦା ଆଜି ବିଶେଷ କରି ଏହି ତିନୋଟି ଭାଗ୍ୟର
ରେଖାକୁ ଦେଖୁଛନ୍ତି । ତୁମେମାନେ ମଧ୍ୟ ନିଜ ନିଜର ମସ୍ତକରେ ଚମକୁଥିବା ରେଖାଗୁଡିକୁ ଅନୁଭବ କରୁଛ
ନା! ସବୁଠାରୁ ଶ୍ରେଷ୍ଠ ହେଲା ପରମାତ୍ମ ସ୍ନେହର ପାଳନାର ରେଖା । ଯେପରି ବାବା ଉଚ୍ଚରୁ ଉଚ୍ଚ
ଅଟନ୍ତି ସେହିପରି ପରମାତ୍ମ ପାଳନା ମଧ୍ୟ ଉଚ୍ଚରୁ ଉଚ୍ଚ ଅଟେ । ତେବେ ଏହି ପାଳନା ମଧ୍ୟ କେତେ କମ୍
ଆତ୍ମାଙ୍କୁ ପ୍ରାପ୍ତ ହେଉଛି, କିନ୍ତୁ ତୁମେ ସମସ୍ତେ ଏହି ପାଳନା ପାଇବାର ପାତ୍ର ହୋଇଯାଇଛ । ଏହି
ପାଳନା ସାରା କଳ୍ପ ଭିତରେ ତୁମମାନଙ୍କୁ ଥରେ ମାତ୍ର ପ୍ରାପ୍ତ ହେଉଛି । ଯଦି ଏବେ ନ ହେବ, ତେବେ
ଆଉ କେବେ ବି ପ୍ରାପ୍ତ ହୋଇପାରିବ ନାହିଁ । ଏହିଭଳି ପରମାତ୍ମ ପାଳନା, ପରମାତ୍ମ ସ୍ନେହ, ପରମାତ୍ମ
ପ୍ରାପ୍ତି କୋଟିକ ଭିତରେ କେହି କେହି ଆତ୍ମାଙ୍କୁ ହିଁ ଅନୁଭବ ହୋଇଥାଏ । ତୁମେ ସମସ୍ତେ ତ ଏହାର
ଅନୁଭବୀ ଅଟ ନା! ଅନୁଭବୀ ମୂରତ ଅଟ ନା? ତେବେ ସର୍ବଦା ନିଜର ମସ୍ତକରେ ଏହିଭଳି ଭାଗ୍ୟର ତାରକା
ଚମକୁଥିବାର ଦେଖାଯାଉଛି ତ? ସବୁବେଳେ ତ? ନା, କେବେ କେବେ ଚମକୁଥିବା ତାରକା ମଳିନ ପଡିଯାଉଛି କି?
ଏଥିରେ ଢିଲା ହେବା ଉଚିତ୍ ନୁହେଁ । ଯଦି ଚମକରେ ଢିଲା ପଣିଆ ଆସୁଛି ତେବେ ତା’ର କାରଣ କ’ଣ?
ଜାଣିଛ ତ?
ବାପଦାଦା ଦେଖୁଛନ୍ତି ଯେ
ଏହାର କାରଣ ହେଲା ପିଲାମାନେ ସର୍ବଦା ସ୍ମୃତି ସ୍ୱରୂପ ହେଉ ନାହାଁନ୍ତି । ଭାବୁଛ ମୁଁ ଆତ୍ମା ଅଟେ,
ତେଣୁ ଭାବିବାର ସ୍ୱରୂପ ହେଉଛ କିନ୍ତୁ ସ୍ମୃତି ସ୍ୱରୂପ କମ୍ ହେଉଛ । ତେବେ ଯେପର୍ଯ୍ୟନ୍ତ ସ୍ମୃତି
ସ୍ୱରୂପ ହୋଇ ନାହଁ ସେପର୍ଯ୍ୟନ୍ତ ସମର୍ଥୀ ଆସିପାରିବ ନାହିଁ । କାରଣ ସ୍ମୃ୍ତି ହିଁ ସମର୍ଥୀ
ପ୍ରାପ୍ତ କରାଇଥାଏ । ସ୍ମୃତି ସ୍ୱରୂପ ହିଁ ସମର୍ଥ ସ୍ୱରୂପ ଅଟେ । ସେଥିପାଇଁ ଭାଗ୍ୟର ତାରକା କମ୍
ଚମକୁଛି । ଏବେ ନିଜେ ନିଜକୁ ପଚାର ଯେ ଅଧିକ ସମୟ ଭାବିବା ସ୍ୱରୂପ ହେଉଛ ନା । ସ୍ମୃତି ସ୍ୱରୂପ
ହେଉଛ? ଭାବିବା ସ୍ୱରୂପ ହେବା ଦ୍ୱାରା ବହୁତ ଭଲ ଭଲ କଥା ଭାବୁଛ, ମୁଁ ଇଏ ଅଟେ, ମୁଁ ସିଏ ଅଟେ,
ମୁଁ ସିଏ ଅଟେ..... କିନ୍ତୁ ସ୍ମୃତି ସ୍ୱରୂପ ନ ହେବା କାରଣରୁ ଭଲ ଭଲ ଭାବୁଥିଲେ ମଧ୍ୟ ସେଥିରେ
ବ୍ୟର୍ଥ ସଂକଳ୍ପ ଏବଂ ସାଧାରଣ ସଂକଳ୍ପ ମିଶିଯାଉଛି । ବାସ୍ତବରେ ଦେଖିବାକୁ ଗଲେ ତୁମମାନଙ୍କର
ଅନାଦି ସ୍ୱରୂପ ସ୍ମୃତି ସ୍ୱରୂପ ସହିତ ସମର୍ଥ ସ୍ୱରୂପ ଅଟେ । ଭାବିବାବାଲା ସ୍ୱରୂପ ନୁହେଁ ଏବଂ
ଆଦି ସମୟରେ ମଧ୍ୟ ବର୍ତ୍ତମାନ ସମୟର ସ୍ମୃତି ସ୍ୱରୂପର ପ୍ରାରବ୍ଧ ପ୍ରାପ୍ତ ହେଉଛି । ତେଣୁ ଅନାଦି
ଏବଂ ଆଦି ସ୍ମୃତି ସ୍ୱରୂପ ଅଟେ ଏବଂ ଏହି ସଂଗମଯୁଗର ଅନ୍ତିମ ସମୟରେ ମଧ୍ୟ ତୁମେ ସମସ୍ତେ ସ୍ମୃତି
ସ୍ୱରୂପ ହେଉଛ । ତେଣୁ ଆଦି, ଅନାଦି ଏବଂ ଅନ୍ତିମ ତିନୋଟିଯାକ କାଳରେ ସ୍ମୃତି ସ୍ୱରୂପ ଅଟ,
ଭାବିବାର ସ୍ୱରୂପ ନୁହେଁ । ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟରେ
ଅନୁଭବୀ ମୂରତ ହେବା ହିଁ ଶ୍ରେଷ୍ଠ ସ୍ଥିତି ଅଟେ । ଭାବୁଛ ମୁଁ ଆତ୍ମା ଅଟେ, ମୋତେ ପରମାତ୍ମ
ପ୍ରାପ୍ତି ମିଳିଛି । କିନ୍ତୁ ବୁଝିଯିବା ଏବଂ ଅନୁଭବ କରିବା ଭିତରେ ବହୁତ ଅନ୍ତର ରହିଛି । ଅନୁଭବୀ
ମୂରତ କେବେ ବି ମାୟାଠାରୁ ଧୋକା ଖାଇ ପାରିବ ନାହିଁ କିମ୍ବା ଦୁଃଖର ଅନୁଭୂତି କରିପାରିବ ନାହିଁ ।
ମଝିରେ ମଝିରେ ତୁମେମାନେ ଯେଉଁ ମାୟାର ଖେଳ ଦେଖୁଛ ବା ଖେଳ ଖେଳୁଛ, ତା’ର କାରଣ ହେଲା ଅନୁଭବୀ
ମୂରତ ହେବାର କମୀ । ତେବେ ଅନୁଭବର ଅଧିକାରୀ ହେବା ସବୁଠାରୁ ଶ୍ରେଷ୍ଠ ସ୍ଥିତି ଅଟେ । ତେଣୁ
ବାପଦାଦା ଦେଖୁଛନ୍ତି ଯେ କେତେକ ପିଲା ଭାବୁଛନ୍ତି ବହୁତ କିନ୍ତୁ ସ୍ୱରୂପ ହେବାର ଅନୁଭୂତି କମ୍
ହେଉଛି ।
ଆଜିର ଦୁନିଆରେ ଅଧିକାଂଶ
ଆତ୍ମା ଦେଖି ଦେଖି ଏବଂ ଶୁଣି ଶୁଣି ଥକିଗଲେଣି କିନ୍ତୁ ଅନୁଭବ ଦ୍ୱାରା ପ୍ରାପ୍ତି କରିବାକୁ
ଚାହୁଁଛନ୍ତି । ତେଣୁ ଅନୁଭବ କରାଇବା ମଧ୍ୟ ଅନୁଭବୀ ଆତ୍ମା ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଏହା
ଛଡା ଅନୁଭବୀ ଆତ୍ମା ସଦାସର୍ବଦା ଆଗକୁ ବଢିଚାଲିଥିବ ଏବଂ ଉଡିଚାଲିଥିବ କାହିଁକି ନା ଅନୁଭବୀ ଆତ୍ମା
ଭିତରେ ହିଁ ଉମଙ୍ଗ-ଉତ୍ସାହ ସର୍ବଦା ଉଜାଗର ରହିଥାଏ । ତେଣୁ ଚେକ୍ କର ମୁଁ ଜ୍ଞାନର ସବୁ ପଏଣ୍ଟ
ଗୁଡିକର ଅନୁଭବୀ ମୂରତ ହେଲିଣି? ଅନୁଭବର ଅଧିକାରୀ ପଣିଆ ତୁମର ପ୍ରତ୍ୟକ କର୍ମରେ ଦେଖାଯାଉଛି ତ?
ପ୍ରତ୍ୟେକ ବାଣୀ ଏବଂ ପ୍ରତ୍ୟେକ ସଂକଳ୍ପ ଅନୁଭବର ଅଧିକାରୀ ହିସାବରେ ହେଉଛି, ନା କେବଳ ବୁଝିବା
ଆଧାରରେ ହେଉଛି? ଗୋଟିଏ ହେଲା ବୁଝିଯିବା, ଆଉ ଗୋଟିଏ ହେଲା ଅନୁଭବ କରିବା । ସବୁ ବିଷୟରେ ଜ୍ଞାନର
ପଏଣ୍ଟଗୁଡିକୁ ବର୍ଣ୍ଣନା କରି ବୁଝାଇବା ଏହା ତ ବାହାରର ବକ୍ତାମାନେ ମଧ୍ୟ ବହୁତ ଭଲ ଭାଷଣ କରି
ବୁଝାଇ ଦେଉଛନ୍ତି । କିନ୍ତୁ ପ୍ରତ୍ୟେକ ପଏଣ୍ଟର ଅନୁଭବୀ ସ୍ୱରୂପ ହେବା, ଏହା ହେଲା ଜ୍ଞାନୀ
ଆତ୍ମାର ଲକ୍ଷଣ । ଯୋଗ ଲଗାଇବାବାଲା ବହୁତ ଅଛନ୍ତି, ଯୋଗରେ ବସିବାବାଲା ମଧ୍ୟ ବହୁତ ଅଛନ୍ତି,
କିନ୍ତୁ ଯୋଗର ଅନୁଭବ କରିବା ଅର୍ଥ ଶକ୍ତି ସ୍ୱରୂପ ହେବା ଏବଂ ଶକ୍ତି ସ୍ୱରୂପର ପରିଚୟ ହେଲା ଯେଉଁ
ସମୟରେ ଯେଉଁ ଶକ୍ତିର ଆବଶ୍ୟକତା ଥିବ, ସେହି ସମୟର ସେହି ଶକ୍ତିକୁ ଆବାହନ କରି ନିର୍ବିଘ୍ନ
ସ୍ୱରୂପ ହୋଇଯାଉଥିବ । ଯଦି ଗୋଟିଏ ବି ଶକ୍ତିର କମୀ ରହିଥିବ, ବର୍ଣ୍ଣନା କରୁଥିବ କିନ୍ତୁ ସ୍ୱରୂପ
ହୋଇ ନଥିବ ତେବେ ବି ସମୟ ଅନୁସାରେ ଧୋକା ଖାଇପାରିବ । ଆବଶ୍ୟକତା ଥିବ ସହନଶକ୍ତିର କିନ୍ତୁ ତୁମେ
ବ୍ୟବହାର କରୁଥିବ ସାମନା କରିବାର ଶକ୍ତିକୁ, ତେବେ ତୁମକୁ ଯୋଗଯୁକ୍ତ ଅନୁଭବୀ ସ୍ୱରୂପ କୁହାଯିବ
ନାହିଁ । ତେବେ ଚାରୋଟିଯାକ ବିଷୟରେ ସ୍ମୃତି ସ୍ୱରୂପ ବା ଅନୁଭବୀ ସ୍ୱରୂପର ଲକ୍ଷଣ କ’ଣ ହୋଇଥିବ?
ସ୍ଥିତିରେ ନିମିତ୍ତ ଭାବ, ବୃତ୍ତିରେ ସର୍ବଦା ଶୁଭଭାବ, ଆତ୍ମିକ ଭାବ, ନିଃସ୍ୱାର୍ଥ ଭାବ ।
ବାୟୁମଣ୍ଡଳରେ ବା ସମ୍ବନ୍ଧ ସମ୍ପର୍କରେ ସର୍ବଦା ନିର୍ମାଣ ଭାବ ଏବଂ ବାଣୀରେ ସର୍ବଦା ନିର୍ମଳବାଣୀ
। ଏହି ସବୁ ବିଶେଷତା ଗୁଡିକ ଅନୁଭବୀ ମୂରତ ଆତ୍ମାର ସବୁ ସମୟରେ ସ୍ୱାଭାବିକ ଚରିତ୍ର ହୋଇଥିବ
ଅର୍ଥାତ୍ ସ୍ୱାଭାବିକ ଭାବରେ ଚରିତ୍ରରେ ଦେଖାଯାଉଥିବ । ତେବେ କେତେକ ପିଲା କେବେ କେବେ କହୁଛନ୍ତି
ଯେ ଆମେ ଚାହୁଁନାହୁଁ ଯେ ଏଭଳି କରିବୁ କିନ୍ତୁ ଏହା ଆମର ପୁରୁଣା ନେଚର ଅଟେ । ତେଣୁ ଯାହା ନେଚର
ଅର୍ଥାତ୍ ସ୍ୱଭାବରେ ପରିଣତ ହୋଇଯାଇଥିବ ତାକୁ ଭାବିବାକୁ ପଡିବ ନାହିଁ କିନ୍ତୁ ନେଚର ଆପେ ଆପେ
ସେହିଭଳି କାର୍ଯ୍ୟ କରାଇ ନେବ । ତେଣୁ ନିଜେ ନିଜକୁ ଚେକ୍ କର - ମୋ’ର ସ୍ୱାଭାବିକ ନେଚର କ’ଣ? ଯଦି
କୌଣସି ବି ପୁରୁଣା ନେଚର ଅଂଶମାତ୍ରରେ ମଧ୍ୟ ରହିଥିବ ତେବେ ସବୁ ସମୟରେ ତାହା କାର୍ଯ୍ୟ କରିବା
ଦ୍ୱାରା ପକ୍କା ସଂସ୍କାର ପାଲଟିଯିବ । ତେଣୁ ସେହି ପୁରୁଣା ନେଚରକୁ, ପୁରୁଣା ସ୍ୱଭାବକୁ, ପୁରୁଣା
ସଂସ୍କାରକୁ ସମାପ୍ତ କରିବାକୁ ମଧ୍ୟ ଚାହୁଁଛ କିନ୍ତୁ କରିପାରୁ ନାହଁ, ଏହାର କାରଣ କ’ଣ? ଜ୍ଞାନୀ
ତ ସବୁଥିରେ ହୋଇଯାଇଛ, କିନ୍ତୁ ଯାହାକୁ ଚାହୁଁଛ ଏହା ହେବା ଉଚିତ୍ ନୁହେଁ, ତାହା ହୋଇଯାଉଛି, ତେବେ
ଏହାର କାରଣ କ’ଣ? ପରିବର୍ତ୍ତନ କରିବାର ଶକ୍ତି କମ୍ ଅଛି । ଅଧିକାଂଶ ପିଲାଙ୍କ ଭିତରେ ଦେଖାଯାଉଛି
ଯେ ପରିବର୍ତ୍ତନ କରିବାର ଶକ୍ତିକୁ ବୁଝିଛନ୍ତି ମଧ୍ୟ, ବର୍ଣ୍ଣନା ମଧ୍ୟ କରୁଛନ୍ତି, ଯଦି
ସମସ୍ତଙ୍କୁ କୁହାଯିବ ପରିବର୍ତ୍ତନ କରିବାର ଶକ୍ତି ବିଷୟରେ ଲେଖିକରି ଆଣ ବା ଭାଷଣ କର ତେବେ
ବାପଦାଦା ଜାଣିଛନ୍ତି ସେଥିରେ ସମସ୍ତେ ବହୁତ ବୁଦ୍ଧିମାନ ଅଟନ୍ତି, ବହୁତ ଭଲ ଭାଷଣ ମଧ୍ୟ
କରିପାରିବେ, ଲେଖି ମଧ୍ୟ ପାରିବେ, ଯଦି କେହି ଆସୁଛି ତେବେ ତାକୁ ଭଲ ଭାବରେ ମଧ୍ୟ ବୁଝାଇ
ଦେଉଛନ୍ତି - ଚିନ୍ତା କର ନାହିଁ, ପରିବର୍ତ୍ତନ କରିଦିଅ । କିନ୍ତୁ ନିଜ ଭିତରେ ପରିବର୍ତ୍ତନ
କରିବାର ଶକ୍ତି କେତେ ଅଛି? ତେବେ ବର୍ତ୍ତମାନ ସମୟର ମହତ୍ୱକୁ ଜାଣି ଥିବା କାରଣରୁ ନିଜକୁ
ପରିବର୍ତ୍ତନ କରିବାରେ ଏବେ ସମୟ ଲଗାଇବା ଉଚିତ୍ ନୁହେଁ । ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ
କରିବାର ଶକ୍ତି କାମ କରିବା ଦରକାର କାହିଁକି ନା ଯେହେତୁ ତୁମେ ବୁଝିପାରୁଛ ଯେ ଏଭଳି ହେବା ଉଚିତ୍
ନୁହେଁ, ତେଣୁ ବୁଝିପାରୁଥିଲେ ମଧ୍ୟ ଯଦି ପରିବର୍ତ୍ତନ କରିପାରୁ ନାହଁ ତେବେ ତା’ର କାରଣ କ’ଣ?
ଭାବୁଛ କିନ୍ତୁ ସ୍ୱରୂପ ହେଉ ନାହଁ । ସାରା ଦିନ ଭିତରେ ଭାବିବା ସ୍ୱରୂପ ଅଧିକ ସମୟ ହେଉଛ କିନ୍ତୁ
ସ୍ମୃତି ସ୍ୱରୂପ ତଥା ସମର୍ଥ ସ୍ୱରୂପ ହେବାରେ ଅଧିକାଂଶ ପିଲାଙ୍କର କମୀ ରହିଛି ।
ଏବେ ତୀବ୍ରଗତିରେ ତୀବ୍ର
ପୁରୁଷାର୍ଥ କରିବାର ସମୟ, ସାଧାରଣ ପୁରୁଷାର୍ଥ କରିବାର ସମୟ ନୁହେଁ । ତେବେ ଗୋଟିଏ ସେକେଣ୍ଡରେ
ପରିବର୍ତ୍ତନ ହେବାର ଅର୍ଥ ହେଲା - ସ୍ମୃତି ସ୍ୱରୂପ ଦ୍ୱାରା ଗୋଟିଏ ସେକେଣ୍ଡରେ ନିର୍ବିକଳ୍ପ
ସ୍ଥିତି ତଥା ବ୍ୟର୍ଥ ସଂକଳ୍ପରୁ ମଧ୍ୟ ନିବୃତ୍ତ ହେବାର ସ୍ଥିତି, କାହିଁକି ଜାଣିଛ? ତୁମେମାନେ
ସମାପ୍ତିର ସମୟକୁ ପାଖେଇ ଆଣିବାର ନିମିତ୍ତ ଅଟ । ତେବେ ବର୍ତ୍ତମାନର ସମୟର ମହତ୍ୱ ଅନୁସାରେ
ଯେହେତୁ ତୁମେମାନେ ଜାଣିଛ ଯେ ପ୍ରତି ପାଦରେ ପଦ୍ମର ରୋଜଗାର ଜମା ହେବାର ଏହି ସମୟ ଅଟେ, ତେବେ
ଜମାକୁ ବୃଦ୍ଧି କରିବାର କଥା ତ ତୁମ ବୁଦ୍ଧିରେ ରହିଛି କିନ୍ତୁ ହରାଇବାର କଥାଗୁଡିକୁ ମଧ୍ୟ
ବୁଦ୍ଧିରେ ରଖ । ଯଦି ପ୍ରତି ପାଦରେ ପଦ୍ମ ଜମା କରୁଛ ତେବେ ପ୍ରତିପାଦରେ ପଦ୍ମ ହରାଇ ମଧ୍ୟ ଦେଉଛ,
ନା ନାହିଁ? ତେବେ ବର୍ତ୍ତମାନ ମିନିଟ୍ର କଥା ମଧ୍ୟ ଗଲାଣି, ଅନ୍ୟମାନଙ୍କୁ କହୁଛ ନା ଗୋଟିଏ
ମିନିଟ୍ ଶାନ୍ତିର ଅନୁଭୂତି କର କିନ୍ତୁ ତୁମମାନଙ୍କ ପାଇଁ ସେକେଣ୍ଡର କଥା ହେବା ଉଚିତ୍ । ଯେପରି
ହଁ ଏବଂ ନା ଭାବିବା ପାଇଁ କେତେ ମିନିଟ୍ ଲାଗୁଛି? ଗୋଟିଏ ସେକେଣ୍ଡ ନା । ତେଣୁ ପରିବର୍ତ୍ତନ
ଶକ୍ତି ମଧ୍ୟ ଏତିକି ତୀବ୍ର ହେବା ଦରକାର । ଯଦି ବୁଝିଗଲ ଠିକ୍ ଅଟେ କି ଭୁଲ୍ ଅଟେ ତେବେ ଭୁଲ୍କୁ
ବିନ୍ଦୁ ଲଗାଇବାକୁ ହେବ ଏବଂ ଠିକ୍କୁ କାର୍ଯ୍ୟକାରୀ କରିବାକୁ ହେବ । ଏବେ ବିନ୍ଦୁର ମହତ୍ୱକୁ
କାର୍ଯ୍ୟରେ ଲଗାଅ । ତିନୋଟି ବିନ୍ଦୁର ରହସ୍ୟ ତ ଜାଣିଛ ନା! ତେଣୁ ବିନ୍ଦୁକୁ ଯଥା ସମୟରେ
କାର୍ଯ୍ୟରେ ଲଗାଅ । ଯେପରି ବୈଜ୍ଞାନିକମାନେ ସବୁ କଥାରେ ତୀବ୍ରଗତି କରୁଛନ୍ତି ଏବଂ ପରିବତ୍ତନ
ଶକ୍ତିକୁ ମଧ୍ୟ ଅଧିକ କାର୍ଯ୍ୟରେ ଲଗାଉଛନ୍ତି, ସେହିପରି ଶାନ୍ତିର ଶକ୍ତିର ଅଧିକାରୀ ଆତ୍ମାମାନେ
ମଧ୍ୟ ଏବେ ଲକ୍ଷ୍ୟ ରଖ ଯଦି ପରିବର୍ତ୍ତନ କରିବାର ଅଛି, ତେବେ ଜ୍ଞାନୀ ତ ସମସ୍ତେ ଅଟ ଏବେ
ଶକ୍ତିଶାଳୀ ହୁଅ ଏବଂ ସେକେଣ୍ଡର ଗତିରେ ପରିବର୍ତ୍ତନ କର । କରୁଛୁ ତ, ହୋଇଯିବୁ ଯେ.... କରିନେବୁ....
ଏପରି ନୁହେଁ । ତେବେ ଏହା ହୋଇପାରିବ ନା ମୁଶକିଲ୍ ଅଟେ, କାହିଁକି ନା ଶେଷ ସମୟରେ ଗୋଟିଏ
ସେକେଣ୍ଡର ହିଁ ପରୀକ୍ଷା ଆସିବ, ମିନିଟ୍ର ନୁହେଁ, ଯଦି ସେକେଣ୍ଡରେ ପାସ୍ କରିବାର ଅଭ୍ୟାସ ବହୁତ
ସମୟର ଥିବ ତେବେ ଯାଇ ଗୋଟିଏ ସେକେଣ୍ଡ ଭିତରେ ସମ୍ମାନର ସହିତ ପାସ୍ କରିପାରିବ । ତୁମେମାନେ
ପରମାତ୍ମ ବିଦ୍ୟାର୍ଥୀ ଅଟ, ପରମାତ୍ମ ପାଠପଢା ପଢୁଛ, ତେଣୁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ
ହିଁ ପଡିନ ନା! କେବଳ ପାସ୍ ହେବାର ନମ୍ବର ରଖିଦେଲେ କ’ଣ ହେବ, ପାସ୍ ୱିଥ୍ ଅନର ଅର୍ଥାତ୍
ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ପଡିବ । ତେବେ ତୁମେମାନେ ସବୁ କ’ଣ ଲକ୍ଷ୍ୟ ରଖିଛ? ଯେଉଁମାନେ
ଭାବୁଛନ୍ତି ପାସ୍ ୱିଥ୍ ଅନର ହେବାକୁ ପଡିବ ସେମାନେ ହାତ ଉଠାଅ । ପାସ୍ ୱିଥ୍ ଅନର ତ? ଅନର
ଅର୍ଥାତ୍ ସମ୍ମାନ ଶବ୍ଦକୁ ବିଶେଷ ଗୁରୁତ୍ୱ ଦେବାକୁ ପଡିବ । ଆଚ୍ଛା, ତେଣୁ ଏବେ କ’ଣ କରିବାକୁ
ପଡିବ? ମିନିଟ୍ ମୋଟର ଶବ୍ଦ ତ ସାଧାରଣ ଅଟେ, ଏବେ ସେକେଣ୍ଡର କାମ କରିବାକୁ ପଡିବ ।
କ’ଣ ଶୁଣିଲ ପଞ୍ଜାବବାଲା,
ଏବେ ଗୋଟିଏ ସେକେଣ୍ଡର ମାମଲା । ଏଥିରେ ନମ୍ବରୱାନ କିଏ ହେବ? ପଞ୍ଜାବ ହେବ? ଏହା କ’ଣ ବଡ କଥା ।
ଏବେ ଯେତିକି ନିଶାର ସହିତ କହୁଛ, ବହୁତ ଭଲ କହୁଛ, ବାପଦାଦା ଯେତେବେଳେ ଶୁଣୁଛନ୍ତି ବହୁତ ଖୁସି
ହେଉଛନ୍ତି, ତୁମେମାନେ କହୁଛ ନା - ଏହା କ’ଣ ବଡ କଥା, ବାଦାଦାଦା ସାଥୀରେ ଅଛନ୍ତି ନା । ତେବେ
ତୁମ ସାଥୀରେ ତ ସବୁଠାରୁ ବଡ ଅଥୋରିଟୀ ଅଛନ୍ତି, ତେଣୁ ଏବେ କ’ଣ କରିବ? ଏବେ ତୀବ୍ର ହେବାକୁ ପଡିବ
। ସେବା ତ କରୁଛ, ତା’ଛଡା ସେବା ନ କରି ଆଉ କରିବ ବା କ’ଣ? ଖାଲି ବସିବ କି? ସେବା ତ ବାହ୍ମଣ
ଆତ୍ମାମାନଙ୍କର ଧର୍ମ ମଧ୍ୟ ଅଟେ, କର୍ମ ମଧ୍ୟ ଅଟେ । କିନ୍ତୁ ଏବେ ସେବା କରିବା ସହିତ ସମର୍ଥ
ସ୍ୱରୂପ ହେବାକୁ ପଡିବ, ଯେତିକି ସେବାରେ ଉମଙ୍ଗ-ଉତ୍ସାହ ଦେଖାଉଛ ସେଥିରେ ବାପଦାଦା ଖୁସି ଅଛନ୍ତି,
ଅଭିନନ୍ଦନ ମଧ୍ୟ ଦେଉଛନ୍ତି, କିନ୍ତୁ ଯେପରି ସେବାର ମୁକୁଟ ମିଳିଯାଇଛି ନା! (ଯୁବା ପଦଯାତ୍ରୀମାନେ
ମୁକୁଟ ପିନ୍ଧି ବସିଛନ୍ତି) ମୁକୁଟ ମଧ୍ୟ ପିନ୍ଧିଛ, ଦେଖ କେତେ ଭଲ ଳାଗୁଛି । ଏବେ ସମସ୍ତେ ସ୍ମୃତି
ସ୍ୱରୂପ ହେବାର ମୁକୁଟ ପିନ୍ଧି ଦେଖାଅ । ଯୁବା, ଗର୍ବ ଅଟ ନା, ତେଣୁ କେଉଁ କମାଲ କରିବ? ସେବାରେ
ମଧ୍ୟ ନମ୍ବରୱାନ ଏବଂ ସମର୍ଥ ସ୍ୱରୂପ ହେବାରେ ମଧ୍ୟ ନମ୍ବରୱାନ । ସନ୍ଦେଶ ଦେବା ମଧ୍ୟ ବ୍ରାହ୍ମଣ
ଜୀବନର ଧର୍ମ ଏବଂ କର୍ମ ଅଟେ କିନ୍ତୁ ଏବେ ବାପଦାଦା ସଂକେତ ଦେଉଛନ୍ତି ଯେ ପରିବର୍ତ୍ତନର
ମେଶୀନାରୀକୁ ଆହୁରି ତୀବ୍ର କର । ନଚେତ୍ ପାସ୍ ୱିଥ୍ ଅନର ହେବା କଷ୍ଟକର ହୋଇଯିବ । କାହିଁକି ନା
ବହୁତ ସମୟର ଅଭ୍ୟାସ ହେବା ଦରକାର? ଭାବିଲ ଏବଂ କରିଲ । କେବଳ ଭାବିବାର ସ୍ୱରୂପ ହୁଅ ନାହିଁ
ସମର୍ଥ ସ୍ମୃତି ଦ୍ୱାରା ସମର୍ଥ ସ୍ୱରୂପ ହୁଅ । ବ୍ୟର୍ଥକୁ ତୀବ୍ରଗତିରେ ସମାପ୍ତ କର । ବ୍ୟର୍ଥ
ସଂକଳ୍ପ, ବ୍ୟର୍ଥ ବାଣୀ, ବ୍ୟର୍ଥ କର୍ମ, ବ୍ୟର୍ଥ ସମୟ ଏବଂ ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ବ୍ୟର୍ଥ
ବିଧି, ବ୍ୟର୍ଥ ରୀତି-ନୀତି ସବୁକୁ ସମାପ୍ତ କର । ଯେତେବେଳେ ବ୍ରାହ୍ମଣ ଆତ୍ମାମାନେ ତୀବ୍ରଗତିରେ
ଏହିଭଳି ସ୍ୱର ବ୍ୟର୍ଥକୁ ସମାପ୍ତ କରିଦେବ, ସେତେବେଳେ ଯାଇ ଆତ୍ମାମାନଙ୍କର ଆଶୀର୍ବାଦର ଖାତା ଏବଂ
ନିଜର ପୁଣ୍ୟର ଖାତା ତୀବ୍ରଗତିରେ ଜମା କରିପାରିବେ ।
ବାପଦାଦା ତ ପୂବରୁ ମଧ୍ୟ
ଶୁଣାଇ ଦେଇଛନ୍ତି ଯେ ବାପଦାଦା ତିନୋଟି ଖାତା ଚେକ୍ କରୁଛନ୍ତି । ପୁରୁଷାର୍ଥର ଗତିର ଖାତା,
ଆଶୀର୍ବାଦର ଖାତା ଏବଂ ପୁଣ୍ୟର ଖାତା କିନ୍ତୁ ଅଧିକାଂଶ ପିଲାଙ୍କର ଖାତା ଏବେ କମ୍ ଭରପୂର ଅଛି ।
ସେଥିପାଇଁ ବାପଦାଦା ଆଜି ଏହି ସ୍ଳୋଗାନ ମନେ ପକାଇ ଦେଉଛନ୍ତି ଯେ ଏବେ ତୀବ୍ରବେଗୀ ହୁଅ, ତୀବ୍ର
ପୁରୁଷାର୍ଥୀ ହୁଅ, ତୀବ୍ରଗତିରେ ସମାପ୍ତି କରିବାବାଲା ହୁଅ । ତୀବ୍ରଗତିରେ ନିଜର ସଂକଳ୍ପ ଦ୍ୱାରା
ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାବାଲା ହୁଅ ।
ବାପଦାଦା ଗୋଟିଏ କଥାରେ
ସବୁ ପିଲାଙ୍କ ଉପରେ ବହୁତ ଖୁସି ମଧ୍ୟ ଅଛନ୍ତି । କେଉଁ କଥାରେ ଜାଣିଛ? ଆନ୍ତିରକ ସ୍ନେହ ତ
ସମସ୍ତଙ୍କର ବାବାଙ୍କ ସହିତ ରହିଛି, ସେଥିପାଇଁ ମଧ୍ୟ ଅଭିନନ୍ଦନ । କିନ୍ତୁ କହିବୁ ଏବେ କ’ଣ କରିବ?
ଏହି ମିଳନ ଋତୁ ସମାପ୍ତ ହେବା ପାଇଁ, ଏବେ ତ ବହୁତ ସମୟ ବାକି ଅଛି, ତେଣୁ ତୀବ୍ରଗତିରେ କିଛି ନା
କିଛି ଚମତ୍କାରୀ କରି ଦେଖାଅ । କ’ଣ ପସନ୍ଦ ତ? ପସନ୍ଦ ତ? ଯେଉଁମାନେ ଭାବୁଛନ୍ତି ଲକ୍ଷ୍ୟ ଏବଂ
ଲକ୍ଷଣ ଦୁଇଟିକୁ ସ୍ମୃତିରେ ରଖିବୁ, ସେମାନେ ହାତ ଉଠାଅ । ଡବଲ ବିଦେଶୀମାନେ ମଧ୍ୟ ରଖିବେ,
ଟୀଚରମାନେ ମଧ୍ୟ ରଖିବେ ଏବଂ ଯୁବାବର୍ଗବାଲା ମଧ୍ୟ ରଖିବେ ଏବଂ ପ୍ରଥମ ଧାଡିବାଲା ମଧ୍ୟ ରଖିବେ ତ!
ତେବେ ପଦ୍ମ ପଦ୍ମ ପଦ୍ମଗୁଣା ଆଗୁଆ ଅଭିନନ୍ଦନ । ଆଚ୍ଛା! ଏବେ ଏବେ ଅଭ୍ୟାସ କର - ଗୋଟିଏ ସେକେଣ୍ଡ
ଭିତରେ ନିର୍ବିକଳ୍ପ, ନିରବ୍ୟର୍ଥ ସଂକଳ୍ପ ହୋଇ ଏକାଗ୍ର ଅର୍ଥାତ୍ ଏକମାତ୍ର ପିତା ଦ୍ୱିତୀୟ କେହି
ନୁହେଁ, ଏହି ଗୋଟିଏ ସଂକଳ୍ପରେ ଏକାଗ୍ର ହୋଇ ବସିପାରିବ? ଅନ୍ୟ କୌଣସି ସଂକଳ୍ପ ନ ଥିବ । ଗୋଟିଏ
ହିଁ ସଂକଳ୍ପର ଏକାଗ୍ରତା ଶକ୍ତିର ଅନୁଭବରେ ବସିଯାଅ । ଏଥିରେ ସମୟ ଲଗାଇବାର ନାହିଁ, କେବଳ ଗୋଟିଏ
ସେକେଣ୍ଡ ଭିତରେ ଏକାଗ୍ର ହୋଇଯାଅ, ଚାରିଆଡର ପିଲାମାନଙ୍କୁ ଯେଉଁମାନେ ବି ବଶେଷ ଶୁଭେଚ୍ଛା
ବାର୍ତ୍ତା ପଠାଇଛନ୍ତି, ସେମାନେ ସମସ୍ତେ ନିଜ ନିଜ ନାମରେ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ
ସ୍ୱୀକାର କର । ବାପଦାଦା ଦେଖୁଛନ୍ତି ଯେ ସମସ୍ତଙ୍କ ଦିଲ୍ ଭିତରେ ଆସୁଛି, ଆମେ ମଧ୍ୟ ମନେ ପକାଉଛୁ,
କିନ୍ତୁ ତୁମେ ପିଲାମାନେ ସଂକଳ୍ପ କରିବା ମାତ୍ରେ ସେହି ସମୟରେ ହିଁ ବାପଦାଦାଙ୍କ ପାଖରେ ପହଞ୍ଚି
ଯାଉଛି । ସେଥିପାଇଁ ସବୁ ପିଲାଙ୍କୁ ନାମ ଏବଂ ବିଶେଷତା ସମ୍ପନ୍ନ ଶୁଭେଚ୍ଛା ଦିଆଯାଉଛି ।
ତେବେ ସମସ୍ତ ସଦା ସ୍ମୃତି
ସ୍ୱରୂପ, ସଦା ସମର୍ଥ ସ୍ୱରୂପ, ଅନୁଭବ ସ୍ୱରୂପ ଶ୍ରେଷ୍ଠ ସନ୍ତାନମାନଙ୍କୁ, ସର୍ବଦା ଯାହା ଶୁଭ
ସଂକଳ୍ପ କରିଲ ତାକୁ ତୁରନ୍ତ କାର୍ଯ୍ୟକାରୀ କରିଲ । ଯେପରି ତୁରନ୍ତ ଦାନର ମହତ୍ୱ ରହିଛି ସେହିପରି
ତୁରନ୍ତ ପରିବର୍ତ୍ତନର ମଧ୍ୟ ମହତ୍ୱ ରହିଛି । ତେଣୁ ଏହିଭଳି ତୁରନ୍ତ ପରିବର୍ତ୍ତନ କରୁଥିବା ବିଶ୍ୱ
ପରିବର୍ତ୍ତକ ପିଲାମାନଙ୍କୁ, ସର୍ବଦା ପରମାତ୍ମ ପାଳନା, ପରମାତ୍ମ ସ୍ନେହ, ପରମାତ୍ମ ପାଠପଢା ଏବଂ
ପରମାତ୍ମ ଶ୍ରୀମତକୁ ପ୍ରତ୍ୟେକ କର୍ମରେ କାର୍ଯ୍ୟକାରୀ କରୁଥିବା ମହାବୀର ପିଲାମାନଙ୍କୁ, ସର୍ବଦା
ସାହସ, ଏକାଗ୍ରତା ଏବଂ ଏକତା ଦ୍ୱାରା ନମ୍ବରୱାନ ତୀବ୍ର ପୁରୁଷାର୍ଥ କରୁଥିବା ପିଲାମାନଙ୍କୁ
ବାପଦାଦାଙ୍କର ଦିଲ୍ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଦିଲ୍ର ଆଶୀର୍ବାଦ ଏବଂ ନମସ୍ତେ ।
ଦାଦିମାନଙ୍କ ସହିତ:-
ସମସ୍ତେ ବହୁତ ଭଲ ପାର୍ଟ କରୁଛ । ବାପଦାଦା ସମସ୍ତଙ୍କର ପାର୍ଟକୁ ଦେଖି ଖୁସି ହେଉଛନ୍ତି । ସାନ
ସାନ ମାନେ ମଧ୍ୟ ଭଲ ପାର୍ଟ କରୁଛନ୍ତି । ତେଣୁ ଏମିତି ଭାବିବ ନାହିଁ ଯେ ଆମେ ଛୋଟ ଅଟୁ । ଛୋଟମାନେ
ମଧ୍ୟ ଆଲ୍ଲାଙ୍କୁ ପ୍ରିୟ ଅଟନ୍ତି । ଶକ୍ତିମାନଙ୍କର ପାର୍ଟ ଅଲଗା, ପାଣ୍ଡବମାନଙ୍କର ପାର୍ଟ ଅଲଗା
। ପାଣ୍ଡବମାନେ ନ ଥିଲେ କାମ ଚଳିବ ନାହିଁ କିମ୍ବା ଶକ୍ତିମାନେ ନ ଥିଲେ ମଧ୍ୟ କାମ ଚଳିବ ନାହିଁ,
ସେଥିପାଇଁ ଭାରତରେ ଚତୁର୍ଭୁଜର ସ୍ମାରକୀ ରହିଛି । ଅନ୍ୟ କୌଣସି ବି ଧର୍ମରେ ଚତୁର୍ଭୁଜର ସ୍ମାରକୀ
ଦେଖାଇ ନାହାଁନ୍ତି କିନ୍ତୁ ଭାରତର ସ୍ମାରକୀ ମାନଙ୍କରେ ଚତୁର୍ଭୁଜର ମହତ୍ୱ ରହିଛି । ତେଣୁ ଉଭୟ
ଭଲ ପାର୍ଟ କରୁଛନ୍ତି କିନ୍ତୁ ଏବେ ଆଉ ଟିକିଏ ଶୀଘ୍ର ଶୀଘ୍ର କରିବାକୁ ହେବ, ବାସ୍ । କେବେ କେବେ
ଟିକିଏ ଢିଲା ହୋଇଯାଉଛ । ଏବେ କିନ୍ତୁ ଆଉ ଢିଲା ହେବାର ସମୟ ନାହିଁ । କଥା ତ ଭିନ୍ନ ଭିନ୍ନ
ପ୍ରକାରର ଆସିବ କିନ୍ତୁ ଆମକୁ ସବୁ କଥାର ରହସ୍ୟକୁ ବୁଝି ରହସ୍ୟଯୁକ୍ତ, ଯୋଗଯୁକ୍ତ, ସ୍ନେହଯୁକ୍ତ,
ସହଯୋଗଯୁକ୍ତ ହୋଇ ଚାଲିବାକୁ ହେବ । ଏହା ଭଲ କଥା ନା! (ଦାଦୀଜୀଙ୍କୁ) ବହୁତ ଭଲ ଲାଗୁଛି ନା? ଦେଖ
କେତେ ପିଲା ଆସିଛନ୍ତି । କାହିଁକି ଆସିଛନ୍ତି? ଏମାନେ ସମସ୍ତେ କାହିଁକି ଆସିଛନ୍ତି? ତୁମ ସହିତ
ମିଶିବା ପାଇଁ ଆସିଛନ୍ତି । ବାପଦାଦାଙ୍କ ସହିତ ମଧ୍ୟ ମିଶିବା ପାଇଁ ଆସିଛନ୍ତି କିନ୍ତୁ ସାଥୀରେ
ଯଦି ଦାଦୀମାନେ ନ ଥିବେ ତେବେ କହିବେ ମଜା ଆସୁ ନାହିଁ ଏବଂ ତୁମେମାନେ ନ ଥିଲେ ମଧ୍ୟ ମଜା ଲାଗେ
ନାହିଁ ।
ବରଦାନ:-
ସ୍ମୃତିର ସ୍ୱୀଚ୍
ଦ୍ୱାରା ସ୍ୱ କଲ୍ୟାଣ ଏବଂ ସମସ୍ତଙ୍କର କଲ୍ୟାଣ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ ।
ସ୍ଥିତିର ଆଧାର ହେଲା
ସ୍ମୃତି । ସ୍ମୃତିରେ ସର୍ବଦା ଏହି ଶକ୍ତିଶାଳୀ ସଂକଳ୍ପ ରହୁ ଯେ “ମୁଁ ବାବାଙ୍କର ବାବା ମୋ’ର” ।
ତେବେ ଏହି ସ୍ମୃତି ଦ୍ୱାରା ନିଜର ସ୍ଥିତି ଶକ୍ତିଶାଳୀ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ
କରିପାରିବ । ଯେପରି ସ୍ୱୀଚ୍ ଅନ୍ କରିବା ଦ୍ୱାରା ଚାରିଆଡ ଆଲୋକିତ ହୋଇଯାଏ ସେହିପରି ଏହି ସ୍ମୃତି
ମଧ୍ୟ ଏକ ସ୍ୱୀଚ୍ ଭଳି ଅଟେ । ସର୍ବଦା ସ୍ମୃତି ରୂପୀ ସ୍ୱୀଚ୍ ପ୍ରତି ଧ୍ୟାନ ଦେବା ଦ୍ୱାରା ନିଜର
ଏବଂ ସମସ୍ତଙ୍କର କଲ୍ୟାଣ କରିଚାଲିବ । ଯେହେତୁ ନୂଆ ଜନ୍ମ ପାଇଛ, ତେଣୁ ସ୍ମୃତିଗୁଡିକ ମଧ୍ୟ ନୂଆ
ହେବା ଦରକାର ତେଣୁ ସମସ୍ତ ସବୁ ପୁରୁଣା ସ୍ମୃତିକୁ ସମାପ୍ତ କରିଦିଅ - ଏହି ବିଧି ଦ୍ୱାରା ସିଦ୍ଧି
ସ୍ୱରୂପର ବରଦାନ ପ୍ରାପ୍ତ ହୋଇଯିବ ।
ସ୍ଲୋଗାନ:-
ଅତିନ୍ଦ୍ରିୟ
ସୁଖର ଅନୁଭୂତି କରିବା ପାଇଁ ନିଜର ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ରୁହ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ । ବାପଦାଦା ପିଲାମାନଙ୍କର
ପ୍ରେମର ବନ୍ଧନରେ ବାନ୍ଧି ହୋଇଛନ୍ତି । ସେଥିରୁ ବାହାରିଯିବା ପାଇଁ ଚାହିଁଲେ ମଧ୍ୟ ବାହାରିପାରିବେ
ନାହିଁ ସେଥିପାଇଁ ଭକ୍ତିମାର୍ଗରେ ମଧ୍ୟ ବାନ୍ଧିବାର ଚିତ୍ର ଦେଖାଇଛନ୍ତି । ବାସ୍ତବରେ
ପିଲାମାନଙ୍କର ପ୍ରେମର ବନ୍ଧନରେ ଅବ୍ୟକ୍ତ ହୋଇଥିଲେ ମଧ୍ୟ ବାନ୍ଧି ହେବାକୁ ପଡୁଛି ।
ବ୍ୟକ୍ତଥିବାବେଳେ ମୁକୁଳିବାକୁ ଚାହିଁଲେ ମଧ୍ୟ ମୁକୁଳି ପାରିନଥିଲେ । କାରଣ ଏହି ପ୍ରେମର ରସୀ
ବହୁତ ମଜବୁତ ଅଟେ । ତେଣୁ ଏହିଭଳି ପ୍ରେମ ସ୍ୱରୂପ ହୋଇ, ପରସ୍ପରକୁ ପ୍ରେମର ରସୀରେ ବାନ୍ଧି ନିକଟ
ସମ୍ବନ୍ଧର ବା ଆପଣାର ପଣିଆର ଅନୁଭୂତି କରାଅ ।