31.10.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ହେଉଛ ଆଧ୍ୟାତ୍ମିକ, ଗୁପ୍ତ ଉଦ୍ଧାରକାରୀ ଆତ୍ମିକ ସେନା, ତୁମକୁ ସାରା ଦୁନିଆକୁ ଉଦ୍ଧାର କରିବାକୁ ହେବ, ବୁଡି ଯାଉଥିବା ନୌକାକୁ ପାରି କରିବାକୁ ହେବ ।”

ପ୍ରଶ୍ନ:-
ସଙ୍ଗମଯୁଗରେ ବାବା କେଉଁ ବିଶ୍ୱ ବିଦ୍ୟାଳୟ ଖୋଲୁଛନ୍ତି, ଯାହାକି ସାରା କଳ୍ପରେ ନ ଥାଏ?

ଉତ୍ତର:-
ରାଜତ୍ୱ ପ୍ରାପ୍ତ କରିବାର ପାଠ ପଢିବା ପାଇଁ ଗଡ୍ ଫାଦର୍‌ଲୀ ୟୁନିଭରସିଟି ଅର୍ଥାତ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବା କଲେଜ ସଂଗମଯୁଗରେ ବାବା ହିଁ ଖୋଲୁଛନ୍ତି । ଏପରି ୟୁନିଭର୍ସିଟି ସାରା କଳ୍ପରେ ନ ଥାଏ । ଏହି ୟୁନିଭର୍‌ସିଟିରେ ପାଠପଢି ତୁମେ ଡବଲ ମୁକୁଟଧାରୀ ରାଜାମାନଙ୍କର ରାଜା ହୋଇଯାଉଛ ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନଙ୍କୁ ସର୍ବପ୍ରଥମେ ବାବା ପଚାରୁଛନ୍ତି, ଯେତେବେଳେ ଏଠାରେ ଆସି ବସୁଛ, ସେତେବେଳେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଉଛ? କାହିଁକି ନା ଏଠି ତୁମର କୌଣସି କାମଧନ୍ଦା, ମିତ୍ର-ସମ୍ବନ୍ଧୀ ଆଦି ମଧ୍ୟ ନାହାନ୍ତି । ତୁମେ ଏହି ବିଚାର ନେଇ ଆସୁଛ ଯେ ଆମେ ଅବିନାଶୀ ପିତାଙ୍କ ସହିତ ମିଳନ କରିବାକୁ ଯାଉଛୁ । କିଏ କହୁଛନ୍ତି? ଆତ୍ମା ଶରୀର ଦ୍ୱାରା କହୁଛି । ପାରଲୌକିକ ବାବା ଏହି ଶରୀରକୁ ଉଧାରରେ ନେଇଛନ୍ତି, ବ୍ରହ୍ମାବାବାଙ୍କ ଦ୍ୱାରା ବୁଝାଉଛନ୍ତି । ଏହା ଥରେ ହିଁ ହୋଇଥାଏ, ଯାହା ବେହଦର ପିତା ଆସି ଶିଖାଉଛନ୍ତି । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ନୌକା ପାର ହେବ । ସମସ୍ତଙ୍କର ନୌକା ବୁଡିଯାଇଛି, ଯିଏ ଯେତିକି ପୁରୁଷାର୍ଥ କରିବେ, ସେହି ହିସାବରେ ନୌକା ପାରି ହେବ । ଗାନ କରୁଛନ୍ତି ଯେ - ହେ ମାଝି, ମୋର ନୌକା ପାରି କରିଦିଅ । ବାସ୍ତବରେ ପ୍ରତ୍ୟେକଙ୍କୁ ନିଜ ପୁରୁଷାର୍ଥ ଆଧାରରେ ପାରି ହେବାର ଅଛି । ଯେପରି ପହଁରା ଶିଖାଇଥା’ନ୍ତି, ପୁଣି ଯେତେବେଳେ ଶିଖି ଯାଇଥାଆନ୍ତି, ସେତେବେଳେ ନିଜେ ହିଁ ପହଁରିଥାନ୍ତି । ଏ ସବୁ ହେଲା ଶରୀରର କଥା । ଏହା ହେଉଛି ଆତ୍ମିକ ଜଗତର କଥା । ତୁମେ ଜାଣିଛ ଯେ ଆତ୍ମା ଏବେ ପଙ୍କରେ ଫସି ଯାଇଛି । ଏହି ସମ୍ବନ୍ଧରେ ହରିଣର ମଧ୍ୟ ଉଦାହରଣ ଦିଅନ୍ତି । ପାଣି ଭାବି ଯାଇଥା’ନ୍ତି, କିନ୍ତୁ ସେଠାରେ କାଦୁଅ ଥାଏ, ତେଣୁ ପଙ୍କରେ ଛନ୍ଦି ହୋଇଯାଆନ୍ତି । କେବେ କେବେ ଷ୍ଟିମର, ମୋଟର ଆଦି ସବୁ ମଧ୍ୟ କାଦୁଅରେ ଦବି ଯାଏ । ପୁଣି ସେଗୁଡିକୁ ଉଦ୍ଧାର କରାଯାଏ । ସେମାନେ ସମସ୍ତେ ହେଉଛନ୍ତି ଉଦ୍ଧାରକାରୀ ସୈନ୍ୟ । ତୁମେ ହେଉଛ ଆତ୍ମିକ ସୈନ୍ୟ । ତୁମେ ଜାଣିଛ ଯେ ସମସ୍ତେ ମାୟାର ପଙ୍କରେ ବୁଡି ଯାଇଛନ୍ତି, ଏହାକୁ ମାୟାର ଦଲଦଲ (ପଙ୍କ) କୁହାଯାଏ । ବାବା ଆସି ବୁଝାଉଛନ୍ତି ଯେ - ଏଠାରୁ ତୁମେ କିପରି ବାହାରି ପାରିବ । ସେମାନେ ଉଦ୍ଧାର କରିଥାନ୍ତି, ଏଥିରେ ମନୁଷ୍ୟକୁ ମନୁଷ୍ୟର ସାହାଯ୍ୟ ଦରକାର ହୋଇଥାଏ । ଏଠାରେ ତ’ ପୁଣି ଆତ୍ମା ପଙ୍କରେ ବୁଡିଯାଇଛି । ବାବା ରାସ୍ତା ବତାଉଛନ୍ତି ଯେ ତୁମେ କିପରି ଏଠାରୁ ବାହାରି ପାରିବ । ତା’ପରେ ତ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇ ପାରିବ । ନିଜକୁ ଏବଂ ଅନ୍ୟମାନଙ୍କୁ ରାସ୍ତା ବତାଇବାକୁ ହେବ ଯେ ତୁମର ନୌକା ଏହି ବିଷୟ ସାଗରରୁ କ୍ଷୀର ସାଗରକୁ କିପରି ଯାଇପାରିବ । ସତ୍ୟଯୁଗକୁ କ୍ଷୀର ସାଗର ବା ସୁଖର ସାଗର କହୁଛନ୍ତି । ଏହା ହେଉଛି ଦୁଃଖର ସାଗର । ରାବଣ ଦୁଃଖର ସାଗରରେ ବୁଡାଉଛି । ବାବା ଆସି ସୁଖର ସାଗରକୁ ନେଇଯାଉଛନ୍ତି ।

ତୁମକୁ ଆତ୍ମିକ ଉଦ୍ଧାରକାରୀ ସୈନିକ କୁହାଯାଉଛି । ତୁମେ ଶ୍ରୀମତ ଆଧାରରେ ସମସ୍ତଙ୍କୁ ରାସ୍ତା ଦେଖାଉଛ । ସମସ୍ତଙ୍କୁ ବୁଝାଉଛ ଯେ - ଦୁଇ ଜଣ ପିତା ଅଛନ୍ତି, ଜଣେ ଶାରିରୀକ ପିତା, ଆଉ ଜଣେ ଆତ୍ମିକ ପିତା । ଲୌକିକ ପିତା ଥାଇ ମଧ୍ୟ ସମସ୍ତେ ପାରଲୌକିକ ପିତାଙ୍କୁ ମନେପକାନ୍ତି କିନ୍ତୁ ତାଙ୍କୁ ବିଲ୍‌କୁଲ୍ ଜାଣନ୍ତି ନାହିଁ । ବାବା କୌଣସି ଗ୍ଳାନି କରୁନାହାନ୍ତି କିନ୍ତୁ ଡ୍ରାମାର ରହସ୍ୟକୁ ବୁଝାଉଛନ୍ତି । ଏକଥା ମଧ୍ୟ ବୁଝାଇବା ପାଇଁ କହୁଛନ୍ତି କି ଏହି ସମୟରେ ସବୁ ମନୁଷ୍ୟ ମାତ୍ରକେ ୫ ବିକାର ରୂପି ପଙ୍କରେ ଫସି ରହିଥିବା ଆସୁରୀ ସମ୍ପ୍ରଦାୟର ଅଟନ୍ତି । ଦୈବୀ ସମ୍ପ୍ରଦାୟଙ୍କୁ ଆସୁରୀ ସମ୍ପଦ୍ରାୟର ଲୋକେ ଯାଇ ନମସ୍କାର କରିଥାନ୍ତି, କାହିଁକି ନା ସେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି । ସନ୍ନ୍ୟାସୀମାନଙ୍କୁ ନମସ୍କାର କରିଥା’ନ୍ତି, ସେମାନେ ମଧ୍ୟ ଘରଦ୍ୱାର ଛାଡି ଯାଇଥାନ୍ତି । ପବିତ୍ର ରହିଥାନ୍ତି । ଏହି ସନ୍ନ୍ୟାସୀ ଏବଂ ଦେବତାମାନଙ୍କ ମଧ୍ୟରେ ରାତି-ଦିନର ଅନ୍ତର ରହିଛି । ଦେବତାମାନଙ୍କର ଜନ୍ମ ମଧ୍ୟ ଯୋଗବଳ ଦ୍ୱାରା ହୋଇଥାଏ । ଏହି କଥାକୁ କେହି ଜାଣନ୍ତି ନାହିଁ । ସମସ୍ତେ କହନ୍ତି, ଈଶ୍ୱରଙ୍କ ଗତି-ମତି ନିଆରା, ଈଶ୍ୱରଙ୍କର ଅନ୍ତ ପାଇ ପାରିବା ନାହିଁ । କେବଳ ଈଶ୍ୱର ବା ଭଗବାନ କହିଲେ ଏତେ ସ୍ନେହର ଅନୁଭବ ହୁଏ ନାହିଁ । ସବୁଠାରୁ ଶ୍ରେଷ୍ଠ ଅକ୍ଷର ହେଉଛି ବାବା । ମନୁଷ୍ୟ ବେହଦର ବାବାଙ୍କୁ ନ ଜାଣିବା କାରଣରୁ ଯେପରି ଅନାଥ ହୋଇ ଯାଇଛନ୍ତି ।

ମ୍ୟାଗାଜିନ୍‌ରେ ମଧ୍ୟ ବାହାରିଛି, ମନୁଷ୍ୟ କ’ଣ କହୁଛନ୍ତି ଏବଂ ଭଗବାନ କ’ଣ କହୁଛନ୍ତି । ବାବା କିଛି ଗାଳି ଦେଉ ନାହାଁନ୍ତି, ସନ୍ତାନମାନଙ୍କୁ ବୁଝାଉଛନ୍ତି କାହିଁକି ନା ବାବା ତ’ ସମସ୍ତଙ୍କୁ ଜାଣନ୍ତି ନା । ବୁଝାଇବା ପାଇଁ କହୁଛନ୍ତି - ଏମାନଙ୍କ ମଧ୍ୟରେ ଆସୁରି ଗୁଣ ଅଛି, ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି । ଏଠାରେ ତ ଲଢେଇର ଆବଶ୍ୟକତା ନାହିଁ । ସେମାନେ ହେଉଛନ୍ତି କୌରବ ଅର୍ଥାତ ଆସୁରୀ ସମ୍ପ୍ରଦାୟ । ଏହା ହେଉଛି ଦୈବୀ ସମ୍ପ୍ରଦାୟ । ବାବା ବୁଝାଉଛନ୍ତି - ମୁକ୍ତି ବା ଜୀବନମୁକ୍ତି ପାଇଁ ମନୁଷ୍ୟ ମନୁଷ୍ୟକୁ ରାଜଯୋଗ ଶିଖାଇବେ ଏହା ହୋଇପାରିବ ନାହିଁ । ଏହି ସମୟରେ ବାବା ହିଁ ତୁମ ଆତ୍ମାମାନଙ୍କୁ ଶିଖାଉଛନ୍ତି । ଦେହ-ଅଭିମାନ, ଦେହୀ ଅଭିମାନୀ ମଧ୍ୟରେ ଦେଖ କେତେ ପ୍ରଭେଦ ରହିଛି । ଦେହ-ଅଭିମାନ ଦ୍ୱାରା ତୁମେ ତଳକୁ ଖସି ଆସିଛ । ବାବା ଥରେ ହିଁ ଆସି ତୁମକୁ ଦେହୀ-ଅଭିମାନୀ କରୁଛନ୍ତି । ଏପରି ନୁହେଁ ଯେ ତୁମେ ସତ୍ୟଯୁଗରେ ଦେହ ସହିତ ସମ୍ବନ୍ଧ ରଖିବ ନାହିଁ । ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ ମୁଁ ଆତ୍ମା ପରମପିତା ପରମାତ୍ମାଙ୍କର ସନ୍ତାନ ଅଟେ । ଏହି ଜ୍ଞାନ ଏବେ ହିଁ ତୁମକୁ ମିଳୁଛି, ଯାହାକି ପ୍ରାୟଃ ଲୋପ ହୋଇଯିବ । ତୁମେ ହିଁ ଶ୍ରୀମତ ଆଧାରରେ ଚାଲି ପ୍ରାଲବ୍ଧ ପାଇଥାଅ । ବାବା ରାଜଯୋଗ ଶିଖାଇବା ପାଇଁ ହିଁ ଆସନ୍ତି । ଏପରି ପାଠପଢା ଆଉ କେଉଁଠି ବି ନ ଥାଏ । ସତ୍ୟଯୁଗରେ ଦ୍ୱି-ମୁକୁଟଧାରୀ ରାଜାମାନେ ଥାଆନ୍ତି । ପୁଣି ସିଙ୍ଗଲ୍ ତାଜ ବା ଏକ ମୁକୁଟଧାରୀ ଥିବା ରାଜାଙ୍କର ମଧ୍ୟ ରାଜ୍ୟ ରହିଛି, ଏବେ ସେହି ରାଜ୍ୟ ଆଉ ନାହିଁ, ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ତୁମେ ସନ୍ତାନମାନେ ଏବେ ରାଜପଦ ପାଇବା ପାଇଁ ପଢୁଛ, ଏହାକୁ ଗଡ୍ ଫାଦରଲୀ ୟୁନିଭରସିଟି କୁହାଯାଏ । ତୁମର ନାମ ମଧ୍ୟ ଲେଖାହୋଇଛି । ସେମାନେ ଯଦିଓ ଗୀତା ପାଠଶାଳା ନାଁ ରଖୁଛନ୍ତି । ସେଠାରେ କିଏ ପଢାଉଛନ୍ତି? ଶ୍ରୀକୃଷ୍ଣ ଭଗବାନୁବାଚ ବୋଲି କହି ଦେବେ । ତେବେ ଶ୍ରୀକୃଷ୍ଣ ତ ପଢାଇ ପାରିବେ ନାହିଁ । ଶ୍ରୀକୃଷ୍ଣ ତ, ନିଜେ ପାଠଶାଳାକୁ ପଢିବା ପାଇଁ ଯାଇଥାଆନ୍ତି । ପ୍ରିନ୍ସ-ପ୍ରିନ୍ସେସ୍ କିପରି ସ୍କୁଲକୁ ଯାଇଥାନ୍ତି, ସେଠାର ଭାଷା ହିଁ ଅଲଗା ରହିଥାଏ । ଏପରି ନୁହେଁ ଯେ ସଂସ୍କୃତରେ ଗୀତା ଗାୟନ କରାଯାଇଛି । ଏଠାରେ ତ ଅନେକ ଭାଷା ରହିଛି । ଯିଏ ଯେପରି ରାଜା ହୋଇଥା’ନ୍ତି, ସିଏ ନିଜର ଭାଷା ବ୍ୟବହାର କରନ୍ତି । ସଂସ୍କୃତ ଭାଷା କୌଣସି ରାଜାମାନଙ୍କର ନୁହେଁ । ବାବା କୌଣସି ସଂସ୍କୃତ ଶିଖାନ୍ତି ନାହିଁ । ବାବା, ତ ସତ୍ୟଯୁଗ ପାଇଁ ରାଜଯୋଗ ଶିଖାନ୍ତି ।

ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟୀ ହୁଅ । ପ୍ରତିଜ୍ଞା କରାନ୍ତି, ଏଠାକୁ ଯିଏ ବି ଆସନ୍ତି, ତାଙ୍କୁ ପ୍ରତିଜ୍ଞା କରାଯାଇଥାଏ । କାମକୁ ଜିତିଲେ ତୁମେ ଜଗତଜୀତ ହେବ । ଏହା ହେଉଛି ମୁଖ୍ୟ ବିକାର । ଏହି ହିଂସା ଦ୍ୱାପରରୁ ଚାଲି ଆସିଛି, ଯଦ୍ୱାରା ବାମ ମାର୍ଗ ଆରମ୍ଭ ହେଲା । ଦେବତାମାନେ କିପରି ବାମ ମାର୍ଗକୁ ଯାଇଥାଆନ୍ତି, ଏହାର ମଧ୍ୟ ମନ୍ଦିର ଅଛି । ସେଠାରେ ବହୁତ ବିକାରୀ ଚିତ୍ର ତିଆରି କରିଛନ୍ତି । ବାକି ବାମ ମାର୍ଗକୁ କେବେ ଗଲେ, ତାହାର କିଛି ତିଥି-ତାରିଖ ତ ନାହିଁ । ଏଥିରୁ ସିଦ୍ଧ ହେଉଛି ଯେ କାମ ଚିତାରେ ବସିବାରୁ କଳା ହୋଇଯାଆନ୍ତି କିନ୍ତୁ ନାମ-ରୂପ ତ ବଦଳି ଯାଇଥାଏ ନା । କାମ ଚିତାରେ ଚଢିବା ଦ୍ୱାରା ଆଇରନ ଏଜ୍‌ଡ ହୋଇଯାଇଥା’ନ୍ତି । ଏବେ ତ ୫ ତତ୍ତ୍ୱ ବି ତମୋପ୍ରଧାନ ହୋଇଯାଇଛି ନା, ସେଥିପାଇଁ ଶରୀର ମଧ୍ୟ ଏହିପରି ତମୋପ୍ରଧାନ ହେଉଛି । ଜନ୍ମରୁ ହିଁ କିଏ କିପରି, କିଏ କିପରି ହୋଇ ଥାଆନ୍ତି । ସେଠାରେ ତ ଏକ୍‌ଦମ୍ ସୁନ୍ଦର ଶରୀର ରହିବ । ଏବେ ତମୋପ୍ରଧାନ ହୋଇଥିବା କାରଣରୁ ଶରୀର ମଧ୍ୟ ଏହିପରି ହୋଇଛି । ମନୁଷ୍ୟ ପରମାତ୍ମାଙ୍କୁ ଈଶ୍ୱର ପ୍ରଭୂ ଆଦି ଭିନ୍ନ-ଭିନ୍ନ ନାମରେ ମନେପକାଇଥା’ନ୍ତି କିନ୍ତୁ ବିଚରା ମାନଙ୍କୁ ଜଣା ହିଁ ନାହିଁ । ଆତ୍ମା ନିଜ ବାପାଙ୍କୁ ମନେପକାଉଛି - ହେ ବାବା, ଆସି ଶାନ୍ତି ଦିଅ । ଏଠାରେ ତ କର୍ମେନ୍ଦ୍ରିୟ ଦ୍ୱାରା ଅଭିନୟ କରୁଛନ୍ତି, ତେଣୁ ଶାନ୍ତି କିପରି ମିଳିବ । ଯେତେବେଳେ ଏଇ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା, ସେତେବେଳେ ବିଶ୍ୱରେ ଶାନ୍ତି ଥିଲା । କିନ୍ତୁ କଳ୍ପର ଆୟୁକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି, ତେଣୁ ମନୁଷ୍ୟ ବିଚରା ବୁଝିବେ କିପରି । ଯେତେବେଳେ ଦେବତାମାନଙ୍କର ରାଜ୍ୟ ଥିଲା ସେତେବେଳେ ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା, ଆଉ କୌଣସି ରାଷ୍ଟ୍ରରେ ଏପରି କହନ୍ତି ନାହିଁ ଯେ ଗୋଟିଏ ଧର୍ମ ଗୋଟିଏ ରାଜ୍ୟ ହେଉ । ଏଠାରେ ଆତ୍ମା ଚାହୁଁଛି ଯେ ଗୋଟିଏ ରାଜ୍ୟ ହେଉ । ତୁମର ଆତ୍ମା ଜାଣୁଛି ଯେ ଏବେ ଆମେ ଏକ ରାଜ୍ୟ ସ୍ଥାପନ କରୁଛୁ । ଆମେ ସେଠାରେ ସାରା ବିଶ୍ୱର ମାଲିକ ହେବୁ । ବାବା ଆମକୁ ସବୁ କିଛି ଦେଇ ଦେଉଛନ୍ତି । କେହି ବି ଆମ ଠାରୁ ରାଜ୍ୟ ଛଡାଇ ନେଇ ପାରିବେ ନାହିଁ । ଆମେ ସାରା ବିଶ୍ୱର ମାଲିକ ହୋଇଯିବୁ । ବିଶ୍ୱରେ କୌଣସି ସୂକ୍ଷ୍ମ ବତନ, ସ୍ଥୂଳ ବତନ ଆସେ ନାହିଁ । ଏହି ସୃଷ୍ଟିର ଚକ୍ର ଏଇଠି ହିଁ ଘୂରିଥାଏ । ଏହାକୁ ରଚୟିତା, ପିତା ହିଁ ଜାଣନ୍ତି । ଏପରି ନୁହେଁ ଯେ ବାବା ନୂଆ ଦୁନିଆ ରଚନା କରୁଛନ୍ତି । ବାବା ସଙ୍ଗମରେ ପୁରୁଣା ଦୁନିଆକୁ ନୂଆ ଦୁନିଆ କରିବାକୁ ଆସିଥା’ନ୍ତି । ଦୂରଦେଶରୁ ବାବା ଆସିଛନ୍ତି, ତୁମେ ଜାଣିଛ ଯେ ନୂଆ ଦୁନିଆ ମଧ୍ୟ ତୁମ ପାଇଁ ତିଆରି ହେଉଛି । ବାବା, ଆମ ଆତ୍ମାମାନଙ୍କର ଶୃଙ୍ଗାର କରୁଛନ୍ତି । ତା ସହିତ ପୁଣି ଶରୀରର ମଧ୍ୟ ଶୃଙ୍ଗାର ହୋଇଯିବ । ଆତ୍ମା ପବିତ୍ର ହେବା ଦ୍ୱାରା ପୁଣି ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ମିଳିବ । ସତ୍ତ୍ୱପ୍ରଧାନ ତତ୍ତ୍ୱ ଆଧାରରେ ଶରୀର ଗଠନ ହେବ । ଦେବତାମାନଙ୍କର ସତ୍ତ୍ୱପ୍ରଧାନ ଶରୀର ଥାଏ ନା, ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ଧର୍ମରେ ହିଁ ଶକ୍ତି ଅଛି ବୋଲି ଗାୟନ ରହିଛି । ତେବେ ଏହି ଶକ୍ତି କେଉଁଠାରୁ ମିଳିଲା? ଗୋଟିଏ ହିଁ ଦେବୀ-ଦେବତା ଧର୍ମ ରହିଛି ଯେଉଁଥିରୁ ଶକ୍ତି ମିଳିଥାଏ । ଏଇ ଦେବତାମାନେ ହିଁ ସାରା ବିଶ୍ୱର ମାଲିକ ହୁଅନ୍ତି ଆଉ କେହି ବିଶ୍ୱର ମାଲିକ ହୁଅନ୍ତି ନାହିଁ । ତୁମକୁ କେତେ ଶକ୍ତି ମିଳୁଛି । ଲେଖା ମଧ୍ୟ ହୋଇଛି ଯେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ଶିବବାବା ବ୍ରହ୍ମାଙ୍କ ଦ୍ୱାରା କରିଥା’ନ୍ତି । ଏହି କଥା ଦୁନିଆରେ କେହି କଣ ଜାଣିଛନ୍ତି । ବାବା କହୁଛନ୍ତି - ମୁଁ ବ୍ରାହ୍ମଣ କୁଳର ସ୍ଥାପନା କରି, ପୁଣି ସେମାନଙ୍କୁ ସୂର୍ଯ୍ୟବଂଶୀ ରାଜ୍ୟକୁ ନେଇ ଆସୁଛି । ଯିଏ ଭଲ ଭାବେ ପଢନ୍ତି, ସିଏ ଉତ୍ତୀର୍ଣ୍ଣ ହୋଇ ସୂର୍ଯ୍ୟ ବଂଶୀରେ ଆସନ୍ତି । ଏହା ହେଉଛି ସବୁ ଜ୍ଞାନଯୁକ୍ତ କଥା । ସେମାନେ ପୁଣି ସ୍ଥୂଳ ବାଣ ହତିଆର ଆଦି ଦେଖାଇଛନ୍ତି । ବାଣ ଚଳାଇବା ମଧ୍ୟ ଶିଖନ୍ତି । ଛୋଟ ପିଲାମାନଙ୍କୁ ମଧ୍ୟ ବନ୍ଧୁକ ଚାଳନା ଶିଖାଇଥା’ନ୍ତି । ତୁମର ପୁଣି ହେଉଛି ଯୋଗ ରୂପି ବାଣ । ବାବା କହୁଛନ୍ତି, ମୋତେ ଯଦି ମନେପକାଇବ, ତେବେ ତୁମର ବିକର୍ମ ବିନାଶ ହେବ । ଏଥିରେ ତ ହିଂସାର କୌଣସି କଥା ନାହିଁ । ତୁମର ପାଠ ପଢା ମଧ୍ୟ ଗୁପ୍ତ । ତୁମେ ହେଉଛ ଆଧ୍ୟାତ୍ମିକ ଆତ୍ମା ଉଦ୍ଧାରକାରୀ ସୈନ୍ୟ । ଏହା କାହାକୁ ହେଲେ ଜଣା ନାହିଁ କି ଆତ୍ମିକ ସୈନିକ କିପରି ହୁଅନ୍ତି । ତୁମେ ହେଉଛ ଅସାଧାରଣ, ଆଧ୍ୟାତ୍ମିକ ଆତ୍ମିକ ଉଦ୍ଧାରକାରୀ ସୈନ୍ୟ ବାହିନୀ । ସାରା ଦୁନିଆକୁ ତୁମେ ଉଦ୍ଧାର କରୁଛ । ସମସ୍ତଙ୍କର ନୌକା ବୁଡିଯାଇଛି । ବାକି ସୁନାର ଲଙ୍କା ବୋଲି ତ କିଛି ନାହିଁ । ଏପରି ନୁହେଁ ଯେ ସୁନାର ଦ୍ୱାରିକା ତଳକୁ ଚାଲି ଯାଇଛି, ତାହା ବାହାରି ଆସିବ । ନା, ଦ୍ୱାରିକାରେ ମଧ୍ୟ ଏମାନଙ୍କର ରାଜ୍ୟ ଥିଲା ପରନ୍ତୁ ସତ୍ୟଯୁଗରେ ଥିଲା । ସତ୍ୟଯୁଗୀ ରାଜାମାନଙ୍କର ଡ୍ରେସ ହିଁ ଅଲଗା ହୋଇଥାଏ, ତ୍ରେତାର ଡ୍ରେସ୍ ଅଲଗା ଅଟେ । ଭିନ୍ନ-ଭିନ୍ନ ଡ୍ରେସ, ଭିନ୍ନ-ଭିନ୍ନ ପ୍ରଥା ପରମ୍ପରା ଥାଏ । ପ୍ରତ୍ୟେକ ରାଜାଙ୍କର ନୀତି-ନିୟମ ଏବଂ ପ୍ରଥା-ପରମ୍ପରା ନିଜସ୍ୱ ହୋଇଥାଏ ସତ୍ୟଯୁଗର ନାମ ନେଲେ ହିଁ ମନ ଖୁସି ହୋଇଯାଏ । କହନ୍ତି ମଧ୍ୟ ସ୍ୱର୍ଗ, ପାରାଡାଇଜ୍ କିନ୍ତୁ ମନୁଷ୍ୟ କିଛି ବି ଜାଣନ୍ତି ନାହିଁ । ମୁଖ୍ୟ ତ ହେଉଛି ଏହି ଦିଲୱାଡା ମନ୍ଦିର । ଅବିକଳ ତୁମର ସ୍ମୃତିଚିହ୍ନ । ମଡେଲ୍ ତ ସର୍ବଦା ଛୋଟ ତିଆରି କରିଥା’ନ୍ତି ନା । ଏହା ବିଲ୍‌କୁଲ୍ ଅବିକଳ ମଡେଲ୍ ଅଟେ । ଶିବବାବା ମଧ୍ୟ ଅଛନ୍ତି, ଆଦି ଦେବ ମଧ୍ୟ ଅଛନ୍ତି, ଉପରେ ବୈକୁଣ୍ଠ ଦେଖାଇଛନ୍ତି । ଶିବବାବା ଥିବେ, ତେବେ ତ ନିଶ୍ଚୟ ରଥ ବି ଥିବ । ଆଦି ଦେବ ବସିଛନ୍ତି, ଏହା ମଧ୍ୟ କାହାକୁ ହେଲେ ଜଣାନାହିଁ । ଇଏ ଶିବବାବାଙ୍କର ରଥ ଅଟନ୍ତି । ମହାବୀର ହିଁ ରାଜ୍ୟ ପ୍ରାପ୍ତ କରିଥାନ୍ତି । ଆତ୍ମାରେ କିପରି ଶକ୍ତି ଆସିଥାଏ, ତାହା ମଧ୍ୟ ତୁମେ ଏବେ ବୁଝୁଛ । ଘଡି ଘଡି ନିଜକୁ ଆତ୍ମା ବୋଲି ଭାବ । ମୁଁ ଆତ୍ମା, ଶାନ୍ତିଧାମ, ସୁଖଧାମରେ ନିଶ୍ଚୟ ପବିତ୍ର ହିଁ ରହିବି । ଏବେ ବୁଦ୍ଧିରେ ଆସୁଛି ଯେ ଏହା କେତେ ସହଜ କଥା । ଭାରତ ସତ୍ୟଯୁଗରେ ପବିତ୍ର ଥିଲା । ସେଠାରେ ଅପବିତ୍ର ଆତ୍ମା ରହିପାରିବ ନାହିଁ । ଏତେ ସବୁ ପତିତ ଆତ୍ମା ଉପରକୁ କିପରି ଯିବେ । ନିଶ୍ଚୟ ପବିତ୍ର ହୋଇକରି ହିଁ ଯିବେ ନା । ପୁରୁଣା ସଂସାରରେ ନିଆଁ ଲାଗିବ, ପୁଣି ସବୁ ଆତ୍ମାମାନେ ଚାଲିଯିବେ । ବାକି ଶରୀର ରହିଯିବ । ଏ ସବୁର ଚିହ୍ନ ମଧ୍ୟ ରହିଛି । ହୋଲିକାର ଅର୍ଥ କେହି କଣ ବୁଝନ୍ତି । ସାରା ଦୁନିଆ ଏଥିରେ ସ୍ୱାହା ହେବାର ଅଛି । ଏହା ହେଉଛି ଜ୍ଞାନ ଯଜ୍ଞ । ଜ୍ଞାନ ଅକ୍ଷରକୁ ବାଦ୍ ଦେଇ ବାକି ରୁଦ୍ର ଯଜ୍ଞ କହିଦେଉଛନ୍ତି । ବାସ୍ତବରେ ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ଏହା ବ୍ରାହ୍ମଣମାନଙ୍କ ଦ୍ୱାରା ହିଁ ରଚନା କରାଯାଏ । ତୁମେ ହେଉଛ ସମ୍ପୂର୍ଣ୍ଣ ସତ୍ୟ ବ୍ରାହ୍ମଣ । ପ୍ରଜାପିତା ବ୍ରହ୍ମାଙ୍କର ତ ସମସ୍ତେ ସନ୍ତାନ ଅଟନ୍ତି ନା । ବ୍ରହ୍ମାଙ୍କ ଦ୍ୱାରା ହିଁ ମନୁଷ୍ୟ ସୃଷ୍ଟିର ରଚନା କରାଯାଏ । ବ୍ରହ୍ମାଙ୍କୁ ହିଁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର କୁହାଯାଏ, ଏହାଙ୍କର ବଂଶାବଳୀ ରହିଛି ନା । ଯେମିତି ଅଲଗା-ଅଲଗା ବଂଶର ବଂଶାବଳୀ ରଖିଥା’ନ୍ତି ନା । ତୁମର ବୁଦ୍ଧିରେ ଅଛି ଯେ ମୂଳବତନରେ ଆତ୍ମାମାନଙ୍କର ବଂଶାବଳୀ, ବିଧିପୂର୍ବକ ରହିଥାଏ । ଶିବବାବା ପୁଣି ବ୍ରହ୍ମା-ବିଷ୍ଣୁ-ଶଙ୍କର, ପୁଣି ଲକ୍ଷ୍ମୀ-ନାରାୟଣ ଆଦି ହେଉଛନ୍ତି ମନୁଷ୍ୟମାନଙ୍କର ବଂଶାବଳୀ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମିକ ଉଦ୍ଧାରକାରୀ ସୈନିକ ହୋଇ ନିଜକୁ ଏବଂ ସମସ୍ତଙ୍କୁ ସଠିକ୍ ରାସ୍ତା ଦେଖାଇବାକୁ ହେବ । ସାରା ଦୁନିଆକୁ ବିଷୟ ସାଗରରୁ ଉଦ୍ଧାର କରିବା ପାଇଁ ବାବାଙ୍କର ସମ୍ପୂର୍ଣ୍ଣ ସାହାଯ୍ୟକାରୀ ହେବାକୁ ପଡିବ ।

(୨) ଜ୍ଞାନ-ଯୋଗ ଆଧାରରେ ପବିତ୍ର ହୋଇ ଆତ୍ମାର ଶୃଙ୍ଗାର କରିବାକୁ ହେବ, ଶରୀରର ନୁହେଁ । ଆତ୍ମା ପବିତ୍ର ହୋଇଗଲେ ଶରୀରର ଶୃଙ୍ଗାର ସ୍ୱତଃ ହୋଇଯିବ ।

ବରଦାନ:-
ଦୂରେଇ ରହିବା ପରିବର୍ତ୍ତେ ପ୍ରତି ମୂହୁର୍ତ୍ତରେ ବାବାଙ୍କର ସାହାରାର ଅନୁଭବ କରୁଥିବା ନିଶ୍ଚୟ ବୁଦ୍ଧି ବିଜୟୀ ଭବ ।

ବିଜୟୀ ଭବର ବରଦାନୀ ଆତ୍ମା ପ୍ରତି ମୂହୁର୍ତ୍ତରେ ନିଜକୁ ପରମାତ୍ମ ସାହାରା ରୂପୀ ଛତ୍ରଛାୟା ତଳେ ରହିଥିବାର ଅନୁଭବ କରିଥାଏ । ସେମାନଙ୍କ ମନ ଭିତରେ ସଂକଳ୍ପ ମାତ୍ରରେ ମଧ୍ୟ ବେସାହାରା ହେବାର ବା ଏକଲାପଣିଆର ଅନୁଭବ ହୋଇ ନ ଥାଏ । କେବେ ବି ଉଦାସୀ ବା ଅଳ୍ପକାଳର ବିନାଶୀ ବୈରାଗ୍ୟ ଆସି ନ ଥାଏ । ସେମାନେ କେବେ ବି କୌଣସି କାର୍ଯ୍ୟଠାରୁ, ସମସ୍ୟାଠାରୁ ବା ବ୍ୟକ୍ତିଠାରୁ ଦୂରେଇ ଯାଆନ୍ତି ନାହିଁ କିନ୍ତୁ ସବୁ କର୍ମ କରି, ସବୁ କିଛି ସମ୍ମୁଖୀନ କରି, ସମସ୍ତଙ୍କର ସହଯୋଗୀ ହୋଇ ବେହଦର ବୈରାଗ୍ୟ ବୃତ୍ତିରେ ରହିଥାଆନ୍ତି ।

ସ୍ଲୋଗାନ:-
ଏକମାତ୍ର ବାବାଙ୍କ ସଂଗରେ ରୁହ ଏବଂ ବାବାଙ୍କୁ ହିଁ ନିଜର ସାଥୀ କର ।


ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।

ଦିବ୍ୟବୁଦ୍ଧି ରୂପୀ ବିମାନ ଦ୍ୱାରା ସବୁଠାରୁ ଉଚ୍ଚ ଶିଖର ସ୍ଥିତିରେ ସ୍ଥିତ ହୋଇ ଅବ୍ୟକ୍ତ ଦେଶର ନିବାସୀ ହୋଇ ବିଶ୍ୱର ସର୍ବ ଆତ୍ମାମାନଙ୍କ ପ୍ରତି ଶୁଭଭାବନା ଏବଂ ଶ୍ରେଷ୍ଠ କାମନାର ସହଯୋଗର ତରଙ୍ଗ ବିଚ୍ଛୁରିତ କର । ଯୋଗର ପ୍ରୟୋଗ ଦ୍ୱାରା ଦୁଃଖି-ଅଶାନ୍ତ ଆତ୍ମାମାନଙ୍କୁ ଶାନ୍ତି ଏବଂ ଶକ୍ତିର ସକାଶ ଦିଅ ।