02.02.25    Avyakt Bapdada     Odia Murli    31.12.2003     Om Shanti     Madhuban


“ଏହି ବର୍ଷ ନିମିତ୍ତ ଏବଂ ନିର୍ମାନ ହୋଇ ଜମାର ଖାତାକୁ ବଢାଅ ଏବଂ ଅଖଣ୍ଡ ମହାଦାନୀ ହୁଅ”


ଆଜି ଅନେକ ଭୂଜାଧାରୀ ବାପଦାଦା ନିଜର ଚାରିଆଡର ଭୁଜାମାନଙ୍କୁ ଦେଖୁଛନ୍ତି । କେତେକ ଭୁଜା ଅର୍ଥାତ୍ ସନ୍ତାନମାନେ ସାକାର ରୂପରେ ତ ସମ୍ମୁଖରେ ଅଛନ୍ତି କିନ୍ତୁ ଆଉ କେତେ ଜଣ ସୂକ୍ଷ୍ମ ରୂପରେ ଉପସ୍ଥିତ ଥିବାର ମଧ୍ୟ ଦେଖାଉଛନ୍ତି । ତେଣୁ ବାପଦାଦା ନିଜର ଅନେକ ଅନେକ ଭୁଜାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି ଏବଂ ସବୁ ଭୁଜା ରୂପୀ ସନ୍ତାନମାନେ ବହୁତ ବହୁତ ଅଲରାଉଣ୍ଡର ଅର୍ଥାତ୍ ସବୁଥିରେ ପାରଙ୍ଗମ, ସଦାପ୍ରସ୍ତୁତ ଏବଂ ଆଜ୍ଞାକାରୀ ଭୁଜା ଅଟନ୍ତି । ଯେଉଁମାନେ କି ବାପଦାଦାଙ୍କଠାରୁ ଟିକିଏ ନିର୍ଦ୍ଦେଶ ପାଇବା ମାତ୍ରକେ କହିଥାଆନ୍ତି, ଆଜ୍ଞା ହଁ ବାବା, ହାଜିର ବାବା, ଏବେ ଏବେ ବାବା.... । ଏହିଭଳି ମୁରବୀ ପିଲାମାନଙ୍କୁ ଦେଖି ବାପଦାଦାଙ୍କୁ କେତେ ଖୁସି ଲାଗୁଥିବ! ବାପଦାଦା ଏଥିପାଇଁ ଗର୍ବ କରୁଛନ୍ତି ଯେ ବାପଦାଦାଙ୍କ ବ୍ୟତୀତ ଅନ୍ୟ କୌଣସି ଧର୍ମଆତ୍ମାଙ୍କ ବା ମହାନ ଆତ୍ମାଙ୍କୁ ଏତିକି ଏବଂ ଏହିଭଳି ସହଯୋଗୀ ଭୁଜା ମିଳି ନ ଥାଆନ୍ତି । ସାରା କଳ୍ପରେ ଚକ୍ର ଲଗାଇ ଦେଖ ଏହିଭଳି ସହଯୋଗୀ ଭୁଜା କାହାକୁ ମିଳିଛନ୍ତି କି? ତେଣୁ ବାପଦାଦା ପ୍ରତ୍ୟେକ ଭୁଜାର ବିଶେଷତାକୁ ଦେଖୁଛନ୍ତି । ତୁମେମାନେ ସାରା ବିଶ୍ୱ ଭିତରୁ ବାଛି ହୋଇ ଆସିଥିବା ବିଶେଷ ଭୁଜା ବା ସହଯୋଗୀ ଭୁଜା ଅଟ । ଦେଖ ଆଜି ଏହି ହଲ୍‌ରେ ମଧ୍ୟ କେତେ ପିଲା ପହଞ୍ଚି ଯାଇଛନ୍ତି! (ଆଜି ହଲ୍‌ରେ ୧୮ ହଜାରରୁ ମଧ୍ୟ ଅଧିକ ଭାଇ ଭଉଣୀ ବସିଛନ୍ତି) ସମସ୍ତେ ନିଜକୁ ପରମାତ୍ମାଙ୍କର ଭୁଜା ବୋଲି ଭାବୁଛ? ଗର୍ବ କରୁଛ ନା!

ବାପଦାଦାଙ୍କୁ ଖୁସି ଲାଗୁଛି ଯେ ଚାରିଆଡର ପିଲାମାନେ ନୂଆ ବର୍ଷ ପାଳନ କରିବା ପାଇଁ ଏଠାରେ ଆସି ପହଞ୍ଚିଯାଇଛନ୍ତି । କିନ୍ତୁ ନୂତନ ବର୍ଷ କେଉଁ କଥାକୁ ମନେ ପକାଇ ଦେଉଛି? ନୂତନ ଯୂଗ ଏବଂ ନୂତନ ଜନ୍ମକୁ ମନେ ପକାଇ ଦେଉଛି । ଆଜି ଏହା ଯେତିକି ପୁରୁଣା ଶେଷ ଜନ୍ମ ଅଟେ, ସେହିପରି ପ୍ରଥମ ନୂତନ ଜନ୍ମଟି କେତେ ସୁନ୍ଦର ହେବ! ଏହା ଶ୍ୟାମ, ତାହା ସୁନ୍ଦର ଏବଂ ଏତିକି ସ୍ପଷ୍ଟ ମଧ୍ୟ ଅଟେ ଯେପରି ଆଜି ପୁରୁଣା ବର୍ଷ ମଧ୍ୟ ସ୍ପଷ୍ଟ ଅଟେ ଏବଂ ସମ୍ମୁଖରେ ନୂତନବର୍ଷ ମଧ୍ୟ ସ୍ପଷ୍ଟ ଅଟେ । ଏହିଭଳି ନିଜର ନୂଆ ଯୁଗ ଏବଂ ନୂଆ ଜନ୍ମ ସମ୍ମୁଖରେ ସ୍ପଷ୍ଟ ରୂପରେ ଅନୁଭବ ହେଉଛି? ଆଜି ଶେଷ ଜନ୍ମରେ ଅଛୁ, କାଲି ପ୍ରଥମ ଜନ୍ମରେ ଥିବୁ । ଏହା ସ୍ପଷ୍ଟ ଅଟେ ତ? କ’ଣ ସମ୍ମୁଖକୁ ଆସିଯାଉଛ ନା? ଏଠାରେ ଯେଉଁମାନେ ଆରମ୍ଭ ସମୟର ପିଲାମାନେ ଅଛନ୍ତି ସେମାନେ ବ୍ରହ୍ମାବାବାଙ୍କ ଭିତରେ ଏହାକୁ ଅନୁଭବ କରିଛନ୍ତି । ବ୍ରହ୍ମାବାବାଙ୍କୁ ଯେପରି ନିଜର ନୂଆ ଜନ୍ମ, ନୂଆ ଜନ୍ମର ରାଜତ୍ୱ କରୁଥିବା ଶରୀର ରୂପୀ ବସ୍ତ୍ର ସର୍ବଦା ସମ୍ମୁଖରେ ଥିବା ଖୁଣ୍ଟରେ ଲଟକିଥିବାର ଦେଖାଯାଉ ଥିଲା । ଯେଉଁମାନେ ବି ତାଙ୍କ ସହିତ ମିଶିବା ପାଇଁ ଯାଉଥିଲେ ସେମାନେ ମଧ୍ୟ ଅନୁଭବ କରୁଥିଲେ । ବ୍ରହ୍ମାବାବାଙ୍କୁ ଅନୁଭବ ହେଉଥିଲା ଆଜି ବୁଢା ଅଛି କାଲିକୁ .ଛୋଟ ପିଲା ହୋଇଯିବି । ମନେ ଅଛି ନା! ପୁରୁଣାମାନଙ୍କୁ ମନେ ଅଛି ନା? ଏହା ଆଜି ଏବଂ କାଲିର ହିଁ ଖେଳ ଅଟେ । ତେଣୁ ସମସ୍ତଙ୍କୁ ନିଜର ଭବିଷ୍ୟତ ଏତିକି ସ୍ପଷ୍ଟ ଅନୁଭବ ହେବା ଉଚିତ୍ । ଆଜି ସ୍ୱରାଜ୍ୟ ଅଧିକାରୀ ଅଟୁ କାଲି ବିଶ୍ୱରାଜ୍ୟ ଅଧିକାରୀ ହେବୁ । ନିଶା ଅଛି ତ? ଦେଖ, ଆଜି ପିଲାମାନେ ମୁକୁଟ ପିନ୍ଧି ବସିଛନ୍ତି । (ରିଟ୍ରିଟ୍ କାର୍ଯ୍ୟକ୍ରମରେ ଆସିଥିବା ଡବଲ ବିଦେଶୀ ଛୋଟ ଛୋଟ ପିଲାମାନେ ମୁକୁଟ ପିନ୍ଧି ବସିଛନ୍ତି) ତେଣୁ କେଉଁ ନିଶା ରହିଛି? ମୁକୁଟ ପିନ୍ଧିବା ଦ୍ୱାରା କେଉଁ ନିଶା ଆସୁଛି? ଏମାନେ ଫରିସ୍ତା ପଣିଆର ନିଶାରେ ବସିଛନ୍ତି, ହାତ ହଲାଉଛନ୍ତି, ଆମେ ନିଶାରେ ଅଛୁ ।

ତେଣୁ ଏହି ବର୍ଷ କ’ଣ କରିବ? ନୂତନ ବର୍ଷରେ କେଉଁ ନବୀନତା କରିବ? କିଛି ଯୋଜନା କରିଛ? ନବୀନତା କ’ଣ କରିବ? କାର୍ଯ୍ୟକ୍ରମ ତ କରିଚାଲିଛ । ଲକ୍ଷେ ଲୋକଙ୍କୁ ଏକାଠି କରିବାର କାର୍ଯ୍ୟକ୍ରମ ମଧ୍ୟ କରିଲ, ଦୁଇ ଲକ୍ଷର କାର୍ଯ୍ୟକ୍ରମ ମଧ୍ୟ କରିଲ, ଏବେ ନବୀନତା କ’ଣ କରିବ? ଆଜିକାଲିର ଲୋକମାନେ ଗୋଟିଏ ପଟେ ସ୍ୱ ପ୍ରାପ୍ତିର ଇଚ୍ଛୁକ ମଧ୍ୟ ଅଟନ୍ତି କିନ୍ତୁ ଏଥିପାଇଁ ସାହାସ ନାହିଁ । ଦୁର୍ବଳ ଅଟନ୍ତି । ଶୁଣିବାକୁ ମଧ୍ୟ ଚାହୁଁଛନ୍ତି କିନ୍ତୁ ନିଜେ ହେବୁ - ଏଥିପାଇଁ ସାହସ ନାହିଁ । ଏହିଭଳି ଆତ୍ମାମାନଙ୍କୁ ପରିବର୍ତ୍ତନ କରିବା ପାଇଁ ପ୍ରଥମେ ଆତ୍ମାମାନଙ୍କୁ ସାହସ ରୂପୀ ଡେଣା ଦିଅ ଏବଂ ସାହସ ରୂପୀ ଡେଣା ପ୍ରଦାନ କରିବାର ଆଧାର ହେଲା ଅନୁଭବ । ତେଣୁ ସେମାନଙ୍କୁ ଅନୁଭବ କରାଅ । ଅନୁଭବ ଏଭଳି ଜିନିଷ ଯଦି ଟିକିଏ ବି ଆଞ୍ଜୁଳି ମିଳିଯିବା ଦ୍ୱାରା ଅନୁଭବ କରିନେଲେ ତେବେ ଅନୁଭବର ଡେଣା କୁହ ବା ଅନୁଭବର ପାଦ କୁହ ଯାହା ଆଧାରରେ ସେମାନେ ସାହସର ସହିତ ଆଗକୁ ବଢି ପାରିବେ । ଏଥିପାଇଁ ଏହି ବର୍ଷ ବିଶେଷ କରି ନିରନ୍ତର ଅଖଣ୍ଡ ମହାଦାନୀ ହେବାକୁ ପଡିବ ଖଣ୍ଡିତ ନୁହେଁ, ଅଖଣ୍ଡ । ନିଜର ସଂକଳ୍ପ ଦ୍ୱାରା ସେମାନଙ୍କୁ ଶକ୍ତି ସ୍ୱରୂପ କରାଅ । ମହାଦାନୀ ହୋଇ ନିଜର ମାନସିକ ଶକ୍ତି ଦ୍ୱାରା, ପ୍ରକମ୍ପନ ଦ୍ୱାରା ନିରନ୍ତର ଶକ୍ତିଗୁଡିକର ଅନୁଭବ କରାଅ । ବାଣୀ ଦ୍ୱାରା ଜ୍ଞାନର ଦାନ ଦିଅ । କର୍ମ ଦ୍ୱାରା ଗୁଣର ଦାନ ଦିଅ । ସାରା ଦିନ ଚାହେଁ ମନ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ କର୍ମ ଦ୍ୱାରା ଅଖଣ୍ଡ ମହାଦାନୀ ହୁଅ । ସମୟ ଅନୁସାରେ ଏବେ ଏବେର ଦାନୀ ନୁହେଁ, କେବେ କେବେ ଦାନ କରିଦେଲ, ତାହା ମଧ୍ୟ ନୁହେଁ, ଅଖଣ୍ଡ ଦାନୀ ହୁଅ କାହିଁକି ନା ଆତ୍ମାମାନଙ୍କୁ ଏବେ ନିରନ୍ତର ଦାନ ଦେବାର ଆବଶ୍ୟକତା ରହିଛି । ତେବେ ମହାଦୀନ ହେବା ପାଇଁ ପ୍ରଥମେ ନିଜର ଜମାର ଖାତାକୁ ଚେକ୍ କର । ଚାରୋଟିଯାକ ବିଷୟରେ ଜମାର ଖାତା ଶତକଡା ହିସାବରେ କେତେ ଅଛି? ଯଦି ନିଜ ଭିତରେ ଜମାର ଖାତା ଭରପୂର ନ ଥିବ ତେବେ ମହାଦାନୀ କିପରି ହୋଇପାରିବ? ତେବେ ଜମାର ଖାତାକୁ ଚେକ୍ କରିବାର ଚିହ୍ନ କ’ଣ? ମନ, ବଚନ ଏବଂ କର୍ମ ଦ୍ୱାରା ସେବା ତ କରିଛ କିନ୍ତୁ ଜମା ହୋଇଛି କି ନାହିଁ ତା’ର ଚିହ୍ନ ହେଲା - ସେବା କରିବାରେ ପ୍ରଥମେ ନିଜର ସନ୍ତୁଷ୍ଟତା । ଏହା ସହିତ ଯେଉଁମାନଙ୍କର ସେବା କରିଲ, ସେମାନଙ୍କ ଭିତରେ ଖୁସି ରୂପକ ସନ୍ତୁଷ୍ଟତା ଆସିଲା କି ନାହିଁ? ଯଦି ଏହି ଦୁଇଟିରେ ସନ୍ତୁଷ୍ଟତା ନାହିଁ ତେବେ ଜାଣି ନିଅ ଜମା ଖାତାରେ ତୁମର ସେବାର ଫଳ ଜମା ହୋଇ ନାହିଁ ।

ବାପଦାଦା କେବେ କେବେ ପିଲାମାନଙ୍କର ଜମାର ଖାତାକୁ ମଧ୍ୟ ଦେଖୁଛନ୍ତି । କେଉଁଠି କେଉଁଠି ମେହନତ ଅଧିକ କିନ୍ତୁ ଫଳର ଜମା କମ୍ ହେଉଛି । ଏହାର କାରଣ କ’ଣ? ଉଭୟ ପଟର ସନ୍ତୁଷ୍ଟତାର କମୀ । ଯଦି ସନ୍ତୁଷ୍ଟତାର ଅନୁଭବ କରି ନ ପାରିଲ, ଚାହେଁ ନିଜେ ହୁଅ, ଚାହେଁ ଅନ୍ୟମାନେ ହୁଅନ୍ତୁ ତେବେ ଜମା ଖାତାରେ ବହୁତ କମ୍ ଜମା ହୋଇଥାଏ । ତେବେ ବାପଦାଦା ଜମାର ଖାତାକୁ ବହୁତ ସହଜରେ ବଢାଇବାର ସୁବର୍ଣ୍ଣ ଚାବୀ ପିଲାମାନଙ୍କୁ ଦେଇଛନ୍ତି । ଜାଣିଛ ସେହି ଚାବୀଟି କ’ଣ? ତୁମମାନଙ୍କୁ ତ ମିଳିଛି ନା! ଜମାର ଖାତାକୁ ସହଜରେ ଭରପୁର କରିବାର ସୁବର୍ଣ୍ଣ ଚାବୀଟି ହେଲା - ମନ-ବାଣୀ-କର୍ମ ଯାହାଦ୍ୱାରା ବି ହେଉ ସେବା କରିବା ସମୟରେ ଗୋଟିଏ ହେଲା ନିଜ ଭିତରେ ନିମିତ୍ତ ଭାବର ସ୍ମୃତି, ଏହା ସହିତ ନିର୍ମାନ ଭାବର ସ୍ଥିତିରେ ସ୍ଥିତ ହୋଇ ସେବା କରିବ ତେବେ ତୁମର ଏହି ମନୋଭାବ ଦ୍ୱାରା ଆତ୍ମାମାନଙ୍କର ଭାବନା ସହଜରେ ପୂର୍ଣ୍ଣ ହୋଇଯିବ, ଆଜିକାଲିର ଲୋକମାନେ ପ୍ରତ୍ୟେକଙ୍କର ମନେଭାବକୁ ନୋଟ୍ କରୁଛନ୍ତି । ଏହି ଆତ୍ମା ନିମିତ୍ତ ଭାବରେ ସେବା କରୁଛନ୍ତି, ନା ଅଭିମାନର ଭାବ ଅଛି? ଯେଉଁଠି ନିମିତ୍ତ ଭାବ ଅଛି ସେଠାରେ ନିର୍ମାନ ଭାବ ଆପେ ଆପେ ଆସିଯାଇଥାଏ । ତେଣୁ ଚେକ୍ କର - କ’ଣ ଜମା ହେଲା? କେତେ ଜମା ହେଲା? କାହିଁକି ନା ସାରା କଳ୍ପ ଭିତରେ ଏହି ସମୟରେ ସଂଗମଯୁଗ ହିଁ ଜମା କରିବାର ଏକମାତ୍ର ଯୁଗ । ତା’ପରେ ତ ସାରା କଳ୍ପ ଜମାର ପ୍ରାରବ୍ଧ ଭୋଗ କରିଚାଲିବ । ତେଣୁ ଏହି ବର୍ଷ ବିଶେଷ କରି କେଉଁ କଥା ଉପରେ ଅଧିକ ଧ୍ୟାନ ଦେବ? ନିଜ ନିଜର ଜମାର ଖାତାକୁ ଚେକ୍ କର । ତେଣୁ ଚେକର୍ ମଧ୍ୟ ହୁଅ ଏବଂ ମେକର୍ ଅର୍ଥାତ୍ କରିବାବାଲା ମଧ୍ୟ ହୁଅ କାହିଁକି ନା ସମୟ ପାଖେଇ ଆସିବାର ଲକ୍ଷଣ ଗୁଡିକୁ ମଧ୍ୟ ଦେଖୁଛ । ସମସ୍ତେ ବାପଦାଦାଙ୍କ ସହିତ ପ୍ରତିଜ୍ଞା ମଧ୍ୟ କରିଛ - ଆମେ ସମାନ ହୋଇ ଦେଖାଇବୁ । କରିଛ ନା? ଯେଉଁମାନେ ପ୍ରତିଜ୍ଞା କରିଛ ସେମାନେ ହାତ ଉଠାଅ । କରିଛ ତ? ପକ୍କା? ନା କିଛି କମୀ ବେଶୀ ଅଛି? ପକ୍କା କରିଛ ତ? ତେବେ ବ୍ରହ୍ମାବାବାଙ୍କ ସମାନ ଜମା ଖାତା ମଧ୍ୟ ହେବା ଦରକାର ନା! ଯଦି ବ୍ରହ୍ମାବାବାଙ୍କ ସମାନ ହେବାକୁ ଚାହୁଁଛ ତେବେ ବ୍ରହ୍ମାବାବାଙ୍କର ବିଶେଷ ଚରିତ୍ର କ’ଣ ଦେଖିଥିଲ? ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ ସବୁ କଥାରେ “ମୁଁ କହୁଥିଲେ” ନା “ବାବା” କହୁଥିଲେ? ମୁଁ କରୁଛି କହୁ ନ ଥିଲେ, ବାବା କରାଉଛନ୍ତି, କାହା ସହିତ ମିଶିବାକୁ ଆସିଛ? ବାବାଙ୍କ ସହିତ ମିଶିବାକୁ ଆସିଛ । ମୁଁ ପଣିଆର ଅଭାବ, ଅବିଦ୍ୟା - ଏହା ହିଁ ଦେଖିଥିଲ ନା! ଠିକ୍ କଥା ନା? ପ୍ରତ୍ୟେକ ମୁରଲୀରେ ବାବା, ବାବା ଶବ୍ଦ କେତେ ଥର ମନେ ପକାଇ ଦେଉଛନ୍ତି? ତେବେ ସମାନ ହେବାର ଅର୍ଥ ହେଲା ପ୍ରଥମେ ମୁଁ ପଣିଆର ଅଭାବ ହେବା ଦରକାର । ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ବ୍ରାହ୍ମଣମାନଙ୍କର ମୁଁ ପଣିଆ ମଧ୍ୟ ବହୁତ ରୟାଲ ଅର୍ଥାତ୍ ରାଜକୀୟ ଅଟେ । ମନେ ଅଛି ନା? ଶୁଣାଇଥିଲୁ ନା! ସମସ୍ତେ ଚାହୁଁଛନ୍ତି ଯେ ବାପଦାଦାଙ୍କର ପ୍ରତ୍ୟକ୍ଷତା ହେଉ । ଏଥିପାଇଁ ଯୋଜନା ମଧ୍ୟ ବହୁତ କରୁଛ । ବହୁତ ଭଲ ଭଲ ଯୋଜନା କରୁଛ ସେଥିପାଇଁ ବାପଦାଦା ମଧ୍ୟ ଖୁସି ହେଉଛନ୍ତି । କିନ୍ତୁ ଏହି ରାଜକୀୟ ରୂପର ମୁଁ ପଣିଆ ଯୋଜନାଗୁଡକୁ ଏବଂ ସଫଳତାକୁ କିଛି ମାତ୍ରାରେ କମ୍ କରିଦେଉଛି । ସ୍ୱାଭାବିକ ଭାବରେ ସଂକଳ୍ପରେ, ବାଣୀରେ, କର୍ମରେ ସବୁଥିରେ ବାବା, ବାବା ଶବ୍ଦ ସ୍ମୃତିରେ ରହିବା ରଦକାର । ମୁଁ ପଣିଆ ନୁହେଁ । ବାପଦାଦା ନିର୍ଦ୍ଦେଶକର୍ତ୍ତା ହୋଇ କରାଉଛନ୍ତି । ଜଗଦମ୍ବାଙ୍କର ମଧ୍ୟ ଏହା ହିଁ ବିଶେଷ ଧାରଣା ଥିଲା । ଜଗଦମ୍ବାଙ୍କର ସ୍ଳୋଗାନ ମନେ ଅଛି ତ, ପୁରୁଣାମାନଙ୍କର ମନେ ଥିବ । କ’ଣ ମନେ ଅଛି? ତେବେ କୁହ (ହୁକମୀ ହୁକୁମ୍ ଚଲାଏ ରହା) ଏହା ଥିଲା ଜଗଦମ୍ବାଙ୍କର ବିଶେଷ ଧାରଣା ତେଣୁ ମୁଁ ପଣିଆକୁ ସମାପ୍ତ କରି ସମାନ ହେବାକୁ ପଡିବ ଏବଂ ନମ୍ବର ମଧ୍ୟ ଜମା କରିବାକୁ ପଡିବ । ମୁଖରୁ ବାବା ବାବା ଶବ୍ଦ ଆପେ ଆପେ ବାହାରିବା ଦରକାର । କର୍ମ କରିବା ସମୟରେ, ତୁମମାନଙ୍କର ଚେହେରାରେ ବାପଦାଦାଙ୍କର ମୂରତ ଦେଖାଯାଉ ତେବେ ଯାଇ ପ୍ରତ୍ୟକ୍ଷତା ହେବ ।

ତେବେ ବାପଦାଦା ଏହିଭଳି ରୟାଲ୍ ରୂପର ମୁଁ-ମୁଁ ର ଗୀତ ବହୁତ ଶୁଣୁଛନ୍ତି । ମୁଁ ଯାହା କରିଛି ତାହା ହିଁ ଠିକ୍ ଅଟେ, ମୁଁ ଯାହା ଭାବିଛି ତାହା ହିଁ ଠିକ୍ ଅଟେ ଏବଂ ତାହା ହିଁ ହେବା ଉଚିତ୍‌, ଏହି ମୁଁ ପଣିଆ ହିଁ ଧୋକା ଦେଇ ଦେଉଛି । ଯଦି ଭାବୁଛ ବା କହୁଛ ତେବେ କୁହ କିନ୍ତୁ ନିମିତ୍ତ ଏବଂ ନିର୍ମାନ୍ ଭାବ ରଖି କୁହ । ବାପଦାଦା ପୂର୍ବରୁ ମଧ୍ୟ ଗୋଟିଏ ଆତ୍ମିକ ଡ୍ରିଲ୍ ଶିଖାଇଛନ୍ତି ତାହା କେଉଁ ଡ୍ରିଲ୍‌? ଏବେ ଏବେ ମାଲିକ, ଏବେ ଏବେ ବାଳକ । ବିଚାର ଦେବାରେ ମାଲିକ ପଣିଆ, ଅଧିକାଂଶ ଆତ୍ମାଙ୍କ ଦ୍ୱାରା ଯାହା ନିଧାର୍ଯ୍ୟ କରାଗଲା ତାକୁ ମାନି ନେବାରେ ବାଳକ ପଣିଆ । ଏହିଭଳି ମାଲିକ ଏବଂ ବାଳକ ପଣିଆର ଅଭ୍ୟାସ ବା ଆତ୍ମିକ ଡ୍ରିଲ୍ ବହୁତ ବହୁତ ଆବଶ୍ୟକ ଅଟେ । ସେଥିପାଇଁ ବାପଦାଦାଙ୍କର ଶିକ୍ଷାରୁ କେବଳ ତିନୋଟି ଶବ୍ଦକୁ ମନେ ରଖ - ସମସ୍ତଙ୍କର ନିଶ୍ଚିତ ମନେ ଥିବ! ସଂକଳ୍ପରେ ନିରାକାରୀ, ବାଣୀରେ ନିରହଂକାରୀ, କର୍ମରେ ନିର୍ବିକାରୀ । ଯେତେବେବେଳ ବି କୌଣସି ସଂକଳ୍ପ କରୁଛ ନିରକାରୀ ସ୍ଥିତିରେ ସ୍ଥିତ ହୋଇ ସଂକଳ୍ପ କର । ଅନ୍ୟ ସବୁ କଥା ପଛକେ ଭୁଲି ହୋଇଯାଉ କିନ୍ତୁ ଏହି ତିନୋଟି ଶବ୍ଦକୁ ଭୁଲ ନାହିଁ । ସାକାର ବ୍ରହ୍ମାଙ୍କର ଏହି ତିନୋଟି ଶବ୍ଦର ଶିକ୍ଷା ତୁମମାନଙ୍କ ପାଇଁ ଉପହାର ଅଟେ । ତେଣୁ ବ୍ରହ୍ମାବାବାଙ୍କ ସହିତ ସାକାର ରୂପରେ ମଧ୍ୟ ସ୍ନେହ ଥିଲା । ଏବେ ମଧ୍ୟ ଅନେକ ଡବଲ ବିଦେଶୀ ପିଲାମାନେ ଅନୁଭବ ଶୁଣାଉଛନ୍ତି ଯେ ଆମର ବ୍ରହ୍ମାବାବାଙ୍କ ସହିତ ବହୁତ ସ୍ନେହ ଅଛି । କେବେ ଦେଖିନାହାଁନ୍ତି ପୁଣି ବି ସ୍ନେହ ରହିଛି । ଅଛି ନା ସ୍ନେହ? କ’ଣ କହୁଛ ଡବଲ ବିଦେଶୀମାନେ ବ୍ରହ୍ମାବାବାଙ୍କ ସହିତ ବହୁତ ସ୍ନେହ ଅଛି ନା? ଠିକ୍ କଥା ନା? ତେବେ ଯାହା ପ୍ରତି ସ୍ନେହ ଥାଏ ତା’ଠାରୁ ମିଳିଥିବା ଉପହାରକୁ ବହୁତ ଯତ୍ନର ସହିତ ସାଇତି ରଖିଥାଆନ୍ତି । ଚାହେଁ ଛୋଟିଆ ଉପହାରଟିଏ ହୋଇଥାଉ ନା କାହିଁକି, ତେବେ ଯାହା ପ୍ରତି ଅତି ସ୍ନେହ ଥାଏ ତା’ର ଉପହାରକୁ ଲୁଚେଇ କରି ମଧ୍ୟ ରଖିଥାଆନ୍ତି, ଅତି ଯତ୍ନରେ ରଖିଥାଆନ୍ତି । ତେଣୁ ବ୍ରହ୍ମାବାବାଙ୍କ ସହିତ ଯଦି ସ୍ନେହ ଅଛି ତେବେ ଏହି ତିନୋଟି ଶବ୍ଦର ଶିକ୍ଷା ସହିତ ମଧ୍ୟ ସ୍ନେହ ରହିବା ଦରକାର । ଏହାଦ୍ୱାରା ସମ୍ପନ୍ନ ହେବା ବା ସମାନ ହେବା ବହୁତ ସହଜ ହୋଇଯିବ । ତେଣୁ ମନେ ପକାଅ ବ୍ରହ୍ମାବାବା କ’ଣ କହିଥିଲେ!

ତେଣୁ ନୂତନ ବର୍ଷରେ ବାଣୀର ସେବା ପଛକେ କର, ଧୁମ୍‌ଧାମ୍‌ରେ କର କିନ୍ତୁ ଅନୁଭବ କରାଇବାର ସେବା ଉପରେ ସର୍ବଦା ଅଧିକ ଧ୍ୟାନ ଦିଅ । ସମସ୍ତେ ଅନୁଭବ କରନ୍ତୁ ଯେ ଏହି ଭଉଣୀଙ୍କ ଦ୍ୱାରା ବା ଭାଇଙ୍କ ଦ୍ୱାରା ମୋତେ ଶକ୍ତିର ଅନୁଭବ ହେଲା ବା ଶାନ୍ତିର ଅନୁଭବ ହେଲା କାହିଁକି ନା ଅନୁଭବ କେବେ ବି ଭୁଲି ହେବ ନାହିଁ । ଶୁଣିଥିବା କଥା ଭୁଲି ହୋଇଯିବ, ଭଲ ଲାଗିବ କିନ୍ତୁ ଭୁଲି ହୋଇଯିବ । ତେଣୁ ଅନୁଭବ ଏଭଳି ଜିନିଷ ଯାହାକି ସେମାନଙ୍କୁ ତୁମ ପାଖକୁ ଟାଣି ଆଣିବ । ସମ୍ପର୍କରେ ଥିବା ଆତ୍ମା ସମ୍ବନ୍ଧକୁ ଆସିଯିବ କାହିଁକି ନା ସମ୍ବନ୍ଧରେ ନ ଆସିଲେ ସମ୍ପତ୍ତିର ଅଧିକାରୀ ହୋଇପାରିବେ ନାହିଁ ତେଣୁ ଅନୁଭବ ହିଁ ସମ୍ବନ୍ଧରେ ଆଣିପାରିବ । ଆଚ୍ଛା!

ଏବେ ବୁଝିପାରିଲ ତ କ’ଣ କରିବ? ଚେକ୍ କର, ଚେକ୍‌ର ମଧ୍ୟ ହୁଅ, ମେକର ମଧ୍ୟ ହୁଅ । ଅନୁଭବ କରାଇବାରେ ମେକର ହୁଅ, ଜମାର ଖାତାକୁ ଚେକ୍ କରିବାରେ ଚେକର ହୁଅ । ଆଚ୍ଛା!

ଏବେ ସମସ୍ତେ କ’ଣ କରିବ? ନୂତନ ବର୍ଷରେ ବାପଦାଦାଙ୍କୁ କିଛି ଉପହାର ଦେବ ନା ନାହିଁ? ତେବେ ନୂତନ ବର୍ଷରେ କ’ଣ ସବୁ କରିଥାଅ? ପରସ୍ପରକୁ ଉପହାର ଦେଇଥାଅ ନା? କାର୍ଡ ମଧ୍ୟ ଦେଇଥାଆନ୍ତି ଏବଂ ଉପହାର ମଧ୍ୟ ଦେଇଥାଆନ୍ତି । ତେଣୁ ବାପଦାଦାଙ୍କୁ କୌଣସି କାର୍ଡ ଦରକାର ନାହିଁ, ଭଲ ରେକର୍ଡ ଦରକାର । ସମସ୍ତଙ୍କର ରେକର୍ଡ ବହୁତ ଭଲ ନମ୍ବରୱାନ ହେବା ଦରକାର । ନିର୍ବିଘ୍ନ ମଧ୍ୟ ହେବା ଦରକାର । ଏବେ ଯଦି କେବେ କେବେ କୌଣସି ବିଘ୍ନର କଥା ଶୁଣୁଛନ୍ତି ତେବେ ବାପଦାଦାଙ୍କୁ ଗୋଟିଏ ହସିବାର ଖେଳ ମନେ ପଡିଯାଉଛି । ଜାଣିଛ, ତାହା କେଉଁ ଖେଳ? ତାହା ହେଲା - ବୁଢାବୁଢୀମାନେ କଣ୍ଢେଇ ଖେଳ ଖେଳୁଛନ୍ତି । ବୟସରେ ବୁଢା ବୁଢୀ ଅଟନ୍ତି କିନ୍ତୁ କଣ୍ଢେଇ ଖେଳ ଖେଳୁଛନ୍ତି । ତେଣୁ ହସିବାର ଖେଳ ହେଲା ନା! ସେହିପରି ଏବେ ଯେଉଁ ସବୁ ଛୋଟ ଛୋଟ କଥାଗୁଡିକୁ ଶୁଣୁଛ ବା ଦେଖୁଛ ତାହା ସେହିଭଳି ହିଁ ଅନୁଭବ ହେଉଛି । ବାନପ୍ରସ୍ଥ ଅବସ୍ଥାବାଲା ହୋଇ ମଧ୍ୟ କେତେ ଛୋଟ ଛୋଟ କଥାରେ ହଲଚଲ୍ ହୋଇଯାଉଛ । ଏହି ରେକର୍ଡ ବାପଦାଦାଙ୍କୁ ଆଦୌ ଭଲ ଲାଗୁ ନାହିଁ । ତେଣୁ ଏହା ବଦଳରେ ନିର୍ବିଘ୍ନ ରହିବାର ଏବଂ ଛୋଟ ଛୋଟ କଥା ଗୁଡିକୁ ସମାପ୍ତ କରିବାର ରେକର୍ଡ ଦିଅ । ବଡ କଥାକୁ ଛୋଟ କରିବା ଶିଖ ଏବଂ ଛୋଟ ଛୋଟ କଥାକୁ ସମାପ୍ତ କରିବା ଶିଖ । ବାପଦାଦା ଗୋଟିଏ ଗୋଟିଏ ପିଲାର ଚେହେରାକୁ ବାପଦାଦାଙ୍କର ଚେହେରା ଦେଖାଉଥିବା ଦର୍ପଣ କରିବାକୁ ଚାହୁଁଛନ୍ତି । ତୁମମାନଙ୍କର ଚେହେରା ରୂପୀ ଦର୍ପଣରେ ବାପଦାଦା ଦେଖାଯାଆନ୍ତୁ । ତେବେ ଏହିଭଳି ବିଚିତ୍ର ଦର୍ପଣ ବାପଦାଦାଙ୍କୁ ଉପହାର ରୂପରେ ଦିଅ । ଦୁନିଆରେ ତ ଏଭଳି କୌଣସି ଦର୍ପଣ ନାହିଁ ଯେଉଁଥିରେ ପରମାତ୍ମା ଦେଖାଯାଉଥିବେ । ତେଣୁ ତୁମେମାନେ ଏହି ନୂତନ ବର୍ଷରେ ଏଭଳି ଉପହାର ଦିଅ ଯାହା ଦ୍ୱାରା ତୁମେ ଏହିଭଳି ବିଚିତ୍ର ଦର୍ପଣ ହୋଇଯିବ । ଯିଏ ବି ତୁମକୁ ଦେଖନ୍ତୁ ବା ଶୁଣନ୍ତୁ ତାଙ୍କୁ ବାପଦାଦା ହିଁ ଦେଖାଯାଆନ୍ତୁ, ବାପଦାଦାଙ୍କର କଥା ହିଁ ଶୁଣାଯାଉ । ତେଣୁ ଏହି ଉପହାର ଦେବ ତ? ଯେଉଁମାନେ ଦେବା ପାଇଁ ଦୃଢ ସଂକଳ୍ପ କରୁଛନ୍ତି ସେମାନେ ହାତ ଉଠାଅ । ଦୃଢ ସଂକଳ୍ପର ହାତ ଉଠାଅ । ଡବଲ ବିଦେଶୀମାନେ ମଧ୍ୟ ଉଠାଉଛନ୍ତି । ସିନ୍ଧି ଗ୍ରୃପବାଲା ମଧ୍ୟ ଉଠାଉଛନ୍ତି । ଭାବି ଭାବି ଉଠାଉଛନ୍ତି ।

ବହୁତ ଭଲ କଥା - ବାପଦାଦାଙ୍କର ସିନ୍ଧୀ ଗ୍ରୃପ ଉପରେ ବହୁତ ଆଶା ରହିଛି, କହିବୁ କେଉଁ ଆଶା ରହିଛି? ଏହି ଆଶା ରହିଛି ଯେ ସିନ୍ଧୀ ଗ୍ରୃପ ଭିତରୁ ଏଭଳି ଜଣେ ମାଇକ୍ ବାହାରୁ ଯିଏକି ଚାଲେଞ୍ଚ କରିବ ଯେ ଏହି ସଂସ୍ଥା କ’ଣ ଥିଲା ଏବଂ କ’ଣ ହୋଇଗଲାଣି । ଯିଏକି ସିନ୍ଧୀ ଲୋକ ମାନଙ୍କୁ ନିଦରୁ ଉଠାଇବ । ବିଚରମାନେ ତ ବିଚରା ହିଁ ଅଟନ୍ତି । ଚିହ୍ନି ହିଁ ନାହାଁନ୍ତି । ନିଜ ଦେଶର ଅବତାରଙ୍କୁ ହିଁ ଜାଣି ନାହାଁନ୍ତି । ତେଣୁ ସିନ୍ଧୀ ଗ୍ରୃପରେ ଏଭଳି କେହି ବାହାରୁ ଯିଏକି ଚାଲେଞ୍ଚ ଦେଇ କହିବ ଯେ ମୁଁ ଶୁଣାଇପାରିବି ଯଥାର୍ଥ କ’ଣ । ଏହା ଠିକ୍ କଥା ନା? ଏହି ଆଶାକୁ ପୂରଣ କରିବା ନା? ଆଚ୍ଛା!

ଚାରିଆଡର ସଦା ଅଖଣ୍ଡ ମହାଦାନୀ ପିଲାମାନଙ୍କୁ, ଚାରିଆଡର ବାବାଙ୍କର ରାଇଟ୍ ହ୍ୟାଣ୍ଡ ଅର୍ଥାତ୍ ବିଶେଷ ସହଯୋଗୀ ଏବଂ ଆଜ୍ଞାକାରୀ ଭୁଜାମାନଙ୍କୁ, ଚାରିଆଡର ସର୍ବଦା ସମସ୍ତଙ୍କୁ ସାହସର ଡେଣା ପ୍ରଦାନ କରୁଥିବା ସାହସୀ ଆତ୍ମାମାନଙ୍କୁ, ଚାରିଆଡର ସର୍ବଦା ନିଜର ପିତାଙ୍କ ସମାନ ପ୍ରତ୍ୟେକ କର୍ମରେ ଅନୁକରଣ କରୁଥିବା, ବ୍ରହ୍ମାବାବା ଏବଂ ଜଗଦମ୍ବାଙ୍କର ଶିକ୍ଷାଗୁଡିକୁ ସର୍ବଦା ବାସ୍ତବିକ ଜୀବନରେ କାର୍ଯ୍ୟକାରୀ କରୁଥିବା ପିଲାମାନଙ୍କୁ ବହୁତ ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆଶୀର୍ବାଦ ଏବଂ ନମସ୍ତେ ।

ଡବଲ ବିଦେଶୀମାନଙ୍କ ପ୍ରତି ଏବଂ ଭାରତର ପିଲାମାନଙ୍କ ପ୍ରତି ଡବଲ ଗୁଡନାଇଟ୍ ଏବଂ ଗୁଡମର୍ଣ୍ଣିଙ୍ଗ୍ ଉଭୟ ଦିଆଯାଉଛି । ଯେପରି ଏବେ ବହୁତ ଖୁସି ହୋଇଯାଉଛ! ସେହିପରି ଯେତେବେଳେ ବି କୌଣସି କଥା ଆସିବ ସେତେବେଳେ ଆଜିର ଦିନକୁ ମନେ ପକାଇ ଖୁସିରେ ନାଚିବ । ଖୁସିର ଝୁଲଣାରେ ସର୍ବଦା ଝୁଲୁଥିବ । ତୁମ ଭିତରେ କେବେ ବି ଦୁଃଖର ଲହଡି ନ ଉଠୁ, ଦୁଃଖଦେବାବାଲା ତ ଦୁନିଆରେ ଅନେକ ଆତ୍ମା ଅଛନ୍ତି, ତୁମେ କିନ୍ତୁ ସୁଖ ଦେବା ଏବଂ ସୁଖ ନେବାବାଲା, ସୁଖଦାତାଙ୍କର ସନ୍ତାନ ସୁଖ ସ୍ୱରୂପ ଅଟ । କେବେ ସୁଖର ଝୁଲଣାରେ ଝୁଲ, କେବେ ସ୍ନେହର ଝୁଲଣାରେ ଝୁଲ, କେବେ ଶାନ୍ତିର ଝୁଲଣାରେ ଝୁଲ । ସର୍ବଦା ଝୁଲୁ ହିଁ ଥାଅ । ତଳେ ଅର୍ଥାତ୍ ଦେହ-ଅଭିମାନର ମାଟି ଉପରେ କେତେ ବେଳେ ବି ପାଦ ରଖ ନାହିଁ । କେବଳ ଝୁଲିବାରେ ଲାଗିଯାଅ । ନିଜେ ଖୁସିରେ ରୁହ, ସମସ୍ତଙ୍କୁ ଖୁସିରେ ରଖ ଏବଂ ଲୋକମାନଙ୍କୁ ଖୁସି ବାଣ୍ଟ । ଆଚ୍ଛା! ଓମ୍ ଶାନ୍ତି ।

ବରଦାନ:-
ଫରିସ୍ତା ପଣିଆର ସ୍ଥିତି ଦ୍ୱାରା ବାବାଙ୍କର ସ୍ନେହର ପ୍ରତିଦାନ ଦେଉଥିବା ସମାଧାନ ସ୍ୱରୂପ ହୁଅ ।

ଫରିସ୍ତା ସ୍ୱରୂପ ସ୍ଥିତିରେ ସ୍ଥିତ ହେବା - ଏହା ହିଁ ହେଉଛି ବାବାଙ୍କର ସ୍ନେହର ପ୍ରତିଦାନ ଦେବା । ଏହିଭଳି ପ୍ରତିଦାନ ଦେବାବାଲା ପିଲାମାନେ ସମାଧାନ ସ୍ୱରୂପ, ହୋଇଯାଆନ୍ତି । ନିଜେ ସମାଧାନ ସ୍ୱରୂପ ହେବା ଦ୍ୱାରା ନିଜର ଏବଂ ଅନ୍ୟ ଆତ୍ମାମାନଙ୍କର ସମସ୍ୟା ଗୁଡିକ ଆପେ ଆପେ ସମାପ୍ତ ହୋଇଯାଏ । ତେଣୁ ଏବେ ଏହିଭଳି ସେବା କରିବାର ସମୟ ଅଟେ ବା ନେବା ସହିତ ଦେବାର ମଧ୍ୟ ସମୟ ଅଟେ । ସେଥିପାଇଁ ଏବେ ବାବାଙ୍କ ସମାନ ଉପକାରୀ ହୋଇ, ସମସ୍ତଙ୍କର ଡାକରାକୁ ଶୁଣି ନିଜର ଫରିସ୍ତା ରୂପ ଦ୍ୱାରା ସେହି ଆତ୍ମାମାନଙ୍କ ନିକଟରେ ପହଞ୍ଚିଯାଅ ଏବଂ ସମସ୍ୟାଗୁଡିକରେ ଥକିଯାଇଥିବା ଆତ୍ମାମାନଙ୍କର ଥକାବଟ ଅର୍ଥାତ୍ କ୍ଲାନ୍ତିକୁ ଦୂର କର ।

ସ୍ଲୋଗାନ:-
ବ୍ୟର୍ଥ ପ୍ରତି ବେପରୁଆ ହୋଇଯାଅ କିନ୍ତୁ ମର୍ଯ୍ୟାଦା ଗୁଡିକରେ ନୁହେଁ ।