02.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପୁରୁଣା ପତିତ ଦୁନିଆରୁ ତୁମମାନଙ୍କର ବେହଦର ବୈରାଗ୍ୟ ଆସିବା ଉଚିତ୍ କାହିଁକିନା ତୁମମାନଙ୍କୁ
ପବିତ୍ର ହେବାକୁ ପଡ଼ିବ, ତୁମମାନଙ୍କର ଉନ୍ନତି କଳାର ଆଧାରରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ ।”
ପ୍ରଶ୍ନ:-
କଥାରେ ଅଛି,
ଆତ୍ମା ନିଜର ହିଁ ଶତ୍ରୁ, ନିଜର ହିଁ ମିତ୍ର ଅଟେ, ତେବେ ପ୍ରକୃତ ମିତ୍ରତା କ’ଣ?
ଉତ୍ତର:-
ଏକମାତ୍ର ବାବାଙ୍କ ଶ୍ରୀମତରେ ସଦା ସର୍ବଦା ଚାଲିବା - ଏହା ହିଁ ପ୍ରକୃତ ମିତ୍ରତା ଅଟେ । ପ୍ରକୃତ
ମିତ୍ରତା ହେଉଛି ବାବାଙ୍କୁ ମନେ ପକାଇ ପବିତ୍ର ହେବା ଏବଂ ବାବାଙ୍କଠାରୁ ସମ୍ପତ୍ତିର ପୁରା
ଅଧିକାର ନେବା - ଏହିଭଳି ମିତ୍ରତା କରିବାର ବିଧି ବାବା ହିଁ ବତାଉଛନ୍ତି । ସଙ୍ଗମଯୁଗରେ ହିଁ
ଆତ୍ମା ନିଜର ମିତ୍ର ହେଉଛି ।
ଗୀତ:-
ତୁନେ ରାତ
ଗଁବାୟୀ ...
ଓମ୍ ଶାନ୍ତି ।
ଏମିତି ତ ଏହି
ଗୀତ ହେଉଛି ଭକ୍ତିମାର୍ଗର, ସାରା ଦୁନିଆର ମନୁଷ୍ୟମାନେ ଯେଉଁ ଗୀତ ଗାଉଛନ୍ତି ଅଥବା ଶାସ୍ତ୍ର
ପଢ଼ୁଛନ୍ତି, ତୀର୍ଥ କରିବାକୁ ଯାଉଛନ୍ତି, ସେ ସବୁ ହେଲା ଭକ୍ତି ମାର୍ଗ । ଜ୍ଞାନ ମାର୍ଗ ଏବଂ ଭକ୍ତି
ମାର୍ଗ କାହାକୁ କୁହାଯାଏ, ଏ କଥା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ । ବେଦ ଶାସ୍ତ୍ର, ଉପନିଷଦ
ଆଦି ଏସବୁ ହେଉଛି ଭକ୍ତିମାର୍ଗର ସାମଗ୍ରୀ । ଅଧାକଳ୍ପ ହେଲା ଭକ୍ତିମାର୍ଗ ଏବଂ ଅଧାକଳ୍ପ ଜ୍ଞାନର
ପ୍ରାରବ୍ଧ ଚାଲିଥାଏ । ଭକ୍ତି କରି କରି ପୁଣି ତଳକୁ ଖସିବାକୁ ହିଁ ପଡ଼ିବ । ୮୪ ପୁର୍ନଜନ୍ମ ନେଇ
ନେଇ ତଳକୁ ଓହ୍ଲାଉଛନ୍ତି ପୁଣି ଗୋଟିଏ ଜନ୍ମରେ ତୁମମାନଙ୍କର ଆରୋହଣ କଳା ହେଉଛି । ଏହାକୁ
ଜ୍ଞାନମାର୍ଗ କୁହାଯାଉଛି । ଜ୍ଞାନ ନିମନ୍ତେ ଗାୟନ କରାଯାଏ ଯେ ଏକ ସେକେଣ୍ଡରେ ଜୀବନମୁକ୍ତି ।
ରାବଣ ରାଜ୍ୟ ଯାହାକି ଦ୍ୱାପରଠାରୁ ଚାଲି ଆସୁଛି ତାହା ଶେଷ ହୋଇ ପୁଣି ରାମରାଜ୍ୟ ସ୍ଥାପନ ହେଉଛି
। ଡ୍ରାମାରେ ଯେତେବେଳେ ତୁମର ୮୪ ଜନ୍ମ ପୂର୍ଣ୍ଣ ହେଉଛି, ସେତେବେଳେ ଯାଇ ତୁମର ଚଢ଼ତି କଳା
ଅର୍ଥାତ୍ ଆରୋହଣ କଳା ହେଉଛି ଯାହାଦ୍ୱାରା ସମସ୍ତଙ୍କର ମଙ୍ଗଳ ହେଉଛି । ଏହି ଅକ୍ଷର ମଧ୍ୟ କେଉଁଠି
ନା କେଉଁଠି କୌଣସି ଶାସ୍ତ୍ରରେ ରହିଛି । ଆରୋହଣ କଳା ଦ୍ୱାରା ସମସ୍ତଙ୍କର ମଙ୍ଗଳ ହେଉଛି ।
ସମସ୍ତଙ୍କର ସଦ୍ଗତି ଦାତା ତ ଏକମାତ୍ର ବାବା ହିଁ ଅଟନ୍ତି ନା । ସନ୍ନ୍ୟାସୀ ଉଦାସୀ ତ ଅନେକ
ପ୍ରକାରର ରହିଛନ୍ତି । ବହୁତ ମତ ମତାନ୍ତର ରହିଛି । ଯେପରି ଶାସ୍ତ୍ରରେ ଲେଖାଯାଇଛି ଯେ କଳ୍ପର
ଆୟୁଷ ଲକ୍ଷ ଲକ୍ଷ ବର୍ଷ, ଏବେ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି ଯେ କଳ୍ପର ଆୟୁଷ ୧୦ ହଜାର ବର୍ଷ
ତେବେ କେତେ ଫରକ ହୋଇଯାଉଛି । ଆଉ କେହି ପୁଣି କହିବେ ଏତେ ହଜାର ବର୍ଷ, କଳିଯୁଗରେ ଅନେକ ମନୁଷ୍ୟ,
ଅନେକ ମତ, ଅନେକ ଧର୍ମ ରହିଛି । ସତ୍ୟଯୁଗରେ ଏକ ମତ ହେବ । ଏହି ବାବା ବସି ତୁମ ପିଲାମାନଙ୍କୁ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି ଏବଂ ଏହି ଜ୍ଞାନକୁ ଶୁଣାଇବାକୁ ମଧ୍ୟ କେତେ ସମୟ
ଲାଗୁଛି, ଏବେ ପର୍ଯ୍ୟନ୍ତ ଶୁଣାଇ ଚାଲିଛନ୍ତି । ଏପରି କେହି କହିପାରିବେ ନାହିଁ ଯେ ପୂର୍ବରୁ
କାହିଁକି ଏ ସବୁ ଶୁଣାଇଲେ ନାହିଁ । ସ୍କୁଲରେ ପାଠପଢ଼ା କ୍ରମାନୁସାରେ ହୋଇଥାଏ, ଛୋଟ ପିଲାମାନଙ୍କର
କର୍ମେନ୍ଦ୍ରିୟ ଛୋଟ ହୋଇଥିବାରୁ ତାଙ୍କୁ ଅଳ୍ପ ଶିଖାଇଥା’ନ୍ତି । ପୁଣି ଯେପରି କର୍ମେନ୍ଦ୍ରିୟ ବଡ଼
ହୋଇ ଚାଲିଲେ, ବୁଦ୍ଧିର ତାଲା ଖୋଲି ଚାଲିଥାଏ । ପାଠପଢ଼ାକୁ ଧାରଣ କରିଚାଲିଛନ୍ତି । ଛୋଟ ପିଲାଙ୍କ
ବୁଦ୍ଧିରେ କିଛି ଧାରଣା ହୋଇପାରିବ ନାହିଁ । ବଡ଼ ହେଲେ ପୁଣି ବାରିଷ୍ଟର ଜଜ୍ ଆଦି ହୋଇଥା’ନ୍ତି ।
ଏଠାରେ ମଧ୍ୟ ସେହିପରି ହେଉଛି । କାହାର ବୁଦ୍ଧିରେ ଭଲ ଧାରଣା ହୋଇଥାଏ । ବାବା କହୁଛନ୍ତି ଏଠାକୁ
ମୁଁ ପତିତରୁ ପାବନ କରିବା ପାଇଁ ଆସିଛି । ତେଣୁ ଏବେ ପତିତ ଦୁନିଆ ପ୍ରତି ବୈରାଗ୍ୟ ଆସିବା ଉଚିତ୍
। ଆତ୍ମା ଯେତେବେଳେ ପବିତ୍ର ହୋଇଯିବ, ସେତେବେଳେ ପୁଣି ଏହି ପତିତ ଦୁନିଆରେ ରହିପାରିବ ନାହିଁ ।
ପତିତ ଦୁନିଆରେ ଆତ୍ମା ବି ପତିତ ହୋଇଯାଇଛି, ମନୁଷ୍ୟମାନେ ମଧ୍ୟ ପତିତ ହୋଇଯାଇଛନ୍ତି । ପବିତ୍ର
ଦୁନିଆରେ ମନୁଷ୍ୟମାନେ ପବିତ୍ର ହେବେ, ପତିତ ଦୁନିଆରେ ମନୁଷ୍ୟ ମଧ୍ୟ ପତିତ ହୋଇଥାଆନ୍ତି । ଏହା
ହେଉଛି ରାବଣ ରାଜ୍ୟ । ଏଠାରେ ଯେପରି ରାଜା-ରାଣୀ ସେହିପରି ପ୍ରଜା ହେବେ । ଏହି ସମସ୍ତ ଜ୍ଞାନ
ବୁଦ୍ଧିରେ ବୁଝିବାକୁ ହେବ । ଏହି ସମୟରେ ସମସ୍ତଙ୍କର ବାବାଙ୍କ ସହିତ ବିପରୀତ ବୁଦ୍ଧି ହୋଇଯାଇଛି
। ତୁମେ ସନ୍ତାନମାନେ ତ ବାବାଙ୍କୁ ମନେ ପକାଉଛ । ତୁମମାନଙ୍କ ଭିତରେ ବାବାଙ୍କ ପ୍ରତି ସ୍ନେହ
ରହିଛି । ଆତ୍ମା ଭିତରେ ବାବାଙ୍କ ପ୍ରତି ସ୍ନେହ ଓ ସମ୍ମାନ ରହିଛି କାହିଁକିନା ବାବାଙ୍କୁ ଜାଣିଛ,
ଏଠାରେ ତୁମେମାନେ ସମ୍ମୁଖରେ ଅଛ । ଶିବବାବାଙ୍କଠାରୁ ଶୁଣୁଛ । ସିଏ ମନୁଷ୍ୟ ସୃଷ୍ଟିର ବୀଜରୂପ,
ଜ୍ଞାନର ସାଗର, ପ୍ରେମର ସାଗର, ଆନନ୍ଦର ସାଗର ଅଟନ୍ତି । ଗୀତା ଜ୍ଞାନ ଦାତା ପରମପିତା,
ତ୍ରିମୂର୍ତ୍ତି ଶିବ ପରମାତ୍ମାଉବାଚ । ତ୍ରିମୂର୍ତ୍ତି ଅକ୍ଷର ନିଶ୍ଚିତ ଲେଖିବାକୁ ହେବ କାହିଁକିନା
ତ୍ରିମୂର୍ତ୍ତିର ତ ଗାୟନ ରହିଛି ନା । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ହେଉଛି ତେବେ ନିଶ୍ଚିତ
ବ୍ରହ୍ମାଙ୍କ ଦ୍ୱାରା ହିଁ ଜ୍ଞାନ ଶୁଣାଇଥିବେ । ଶ୍ରୀକୃଷ୍ଣ ତ ଶିବ ଭଗବାନୁବାଚ ବୋଲି କେବେ ହେଲେ
କହିବେ ନାହିଁ । ପ୍ରେରଣା ଦ୍ୱାରା କିଛି ହେଲେ ହୁଏ ନାହିଁ, ନା ତାଙ୍କ (ଶ୍ରୀକୃଷ୍ଣ) ମଧ୍ୟରେ
ଶିବବାବାଙ୍କର ପ୍ରବେଶତା ହୋଇପାରିବ । ଶିବବାବା ତ ଅନ୍ୟର ଦେଶକୁ ଆସୁଛନ୍ତି । ସତ୍ୟଯୁଗ ତ
ଶ୍ରୀକୃଷ୍ଣଙ୍କର ଦେଶ ଅଟେ ନା । ତେଣୁ ଦୁଇଜଣଙ୍କର ମହିମା ଅଲଗା-ଅଲଗା । ଏହା ହିଁ ମୁଖ୍ୟ କଥା ଅଟେ
।
ସତ୍ୟଯୁଗରେ ଗୀତା କେହି
ପଢନ୍ତି ନାହିଁ । ଭକ୍ତି ମାର୍ଗରେ ତ ଜନ୍ମ-ଜନ୍ମାନ୍ତର ପଢ଼ି ଆସିଛନ୍ତି । ଜ୍ଞାନ ମାର୍ଗରେ ତ ତାହା
ହୋଇପାରିବ ନାହିଁ । ଭକ୍ତିମାର୍ଗରେ ଜ୍ଞାନର କୌଣସି କଥା ରହିବ ନାହିଁ । ଏବେ ରଚୟିତା ବାବା ହିଁ
ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ମନୁଷ୍ୟ ତ ରଚୟିତା ହୋଇପାରିବେ ନାହିଁ ।
ମନୁଷ୍ୟମାନେ କହିପାରିବେ ନାହିଁ ଯେ ମୁଁ ରଚୟିତା ଅଟେ । ବାବା ନିଜେ କହୁଛନ୍ତି - ମୁଁ ମନୁଷ୍ୟ
ସୃଷ୍ଟିର ବୀଜରୂପ, ମୁଁ ଜ୍ଞାନର ସାଗର, ପ୍ରେମର ସାଗର, ସମସ୍ତଙ୍କର ସଦ୍ଗତି ଦାତା ଅଟେ ।
ଶ୍ରୀକୃଷ୍ଣଙ୍କର ମହିମା ହିଁ ଅଲଗା । ତେଣୁ ଏହିପରି ପୂରା ପ୍ରଭେଦ ଲେଖିବା ଦରକାର । ଯାହାକୁ
ମନୁଷ୍ୟ ପଢ଼ି ତୁରନ୍ତ ବୁଝିଯିବେ ଯେ ଗୀତାର ଜ୍ଞାନ ଦାତା ଶ୍ରୀକୃଷ୍ଣ ନୁହଁନ୍ତି, ଏହି କଥାକୁ
ସେମାନେ ସ୍ୱୀକାର କରିବା ଅର୍ଥ ତୁମେ ବିଜୟୀ ହୋଇଗଲ । ମନୁଷ୍ୟ ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ କେତେ
ବ୍ୟାକୁଳ ହେଉଛନ୍ତି, ଯେପରି ଶିବଙ୍କର ଭକ୍ତମାନେ ଶିବଙ୍କ ପାଇଁ ଗଳା କାଟି ଦେବା ପାଇଁ ମଧ୍ୟ
ପ୍ରସ୍ତୁତ ହୋଇଯାଉଛନ୍ତି, ବାସ୍ ଆମକୁ ଶିବଙ୍କ ପାଖକୁ ଯିବାର ଅଛି । ସେହିପରି ସେମାନେ ଭାବୁଛନ୍ତି
ଆମେ ଶ୍ରୀକୃଷ୍ଣଙ୍କ ପାଖକୁ ଯିବୁ । କିନ୍ତୁ ଶ୍ରୀକୃଷ୍ଣଙ୍କ ପାଖକୁ କେହି ଯାଇପାରିବେ ନାହିଁ ।
ଶ୍ରୀକୃଷ୍ଣଙ୍କ ପାଖରେ ବଳି ଚଢ଼ିବାର କୌଣସି କଥା ହିଁ ନାହିଁ । ଦେବୀମାନଙ୍କ ପାଖରେ ବଳି
ଚଢ଼ାଇଥା’ନ୍ତି । ଦେବତାମାନଙ୍କ ପାଖରେ କେବେ କୌଣସି ବଳି ଚଢ଼ାଯାଇ ନ ଥାଏ । ତୁମେମାନେ ଦେବୀ ଅଟ
ନା । ତୁମେ ଶିବବାବାଙ୍କର ହୋଇଛ ତେଣୁ ଶିବବାବାଙ୍କ ଉପରେ ହିଁ (କାଶୀରେ) ବଳି ଚଢ଼ୁଛନ୍ତି ।
ଶାସ୍ତ୍ରରେ ହିଂସାର କଥା ଲେଖିଦେଇଛନ୍ତି । ତୁମେ ତ ଶିବବାବାଙ୍କର ସନ୍ତାନ ଅଟ । ବର୍ତ୍ତମାନ
ତୁମେମାନେ ଶରୀର-ମନ-ଧନ ଶିବବାବାଙ୍କ ଉପରେ ବଳି ଚଢ଼ାଉଛ, ବାକି ଆଉ କୌଣସି କଥା ନାହିଁ ସେଥିପାଇଁ
ଭକ୍ତିମାର୍ଗରେ ଶିବ ଓ ଦେବୀମାନଙ୍କ ଉପରେ ବଳି ଚଢ଼ାଇଥା’ନ୍ତି । ଏବେ ଗଭର୍ଣ୍ଣମେଣ୍ଟ ଶିବ କାଶୀରେ
ବଳି ଚଢ଼ାଇବା ବନ୍ଦ କରିଦେଇଛି । ଏବେ ସେହି ଖଣ୍ଡା ହିଁ ନାହିଁ । ଭକ୍ତିମାର୍ଗରେ ଯେଉଁମାନେ
ଆତ୍ମହତ୍ୟା କରୁଛନ୍ତି ତାହା ମଧ୍ୟ ଯେପରି ନିଜ ସହିତ ଶତ୍ରୁତା କରିବାର ଉପାୟ ଅଟେ । ନିଜ ସହିତ
ମିତ୍ରତା କରିବାର କେବଳ ଗୋଟିଏ ହିଁ ଉପାୟ ରହିଛି ଯାହାକି ବାବା ହିଁ ବତାଉଛନ୍ତି - ପବିତ୍ର ହୋଇ
ବାବାଙ୍କଠାରୁ ପୂରା ବର୍ସା ନିଅ । ଏକମାତ୍ର ବାବାଙ୍କର ଶ୍ରୀମତରେ ଚାଲୁଥାଅ, ଏହାହିଁ ମିତ୍ରତା
ଅଟେ । କହିଥାଆନ୍ତି ଜୀବାତ୍ମା ନିଜର ହିଁ ଶତ୍ରୁ ଅଟେ । ପୁଣି ବାବା ଆସି ଜ୍ଞାନ ଦେଉଥିବାରୁ
ଜୀବାତ୍ମା ନିଜର ମିତ୍ର ହେଉଛି । ଆତ୍ମା ପବିତ୍ର ହୋଇ ବାବାଙ୍କଠାରୁ ବର୍ସା ନେଉଛି, ସଙ୍ଗମ ଯୁଗରେ
ପ୍ରତ୍ୟେକ ଆତ୍ମାକୁ ବାବା ଆସି ମିତ୍ର କରୁଛନ୍ତି । ଆତ୍ମା ନିଜର ମିତ୍ର ହେଉଛି, ଏବେ ଶ୍ରୀମତ
ମିଳୁଛି ତେଣୁ ଭାବୁଛନ୍ତି ଆମେ ବାବାଙ୍କ ମତରେ ହିଁ ଚାଲିବୁ । ନିଜର ମତରେ ତ ଅଧାକଳ୍ପ ଚାଲିଲ ।
ଏବେ ଶ୍ରୀମତ ଆଧାରରେ ହିଁ ସଦ୍ଗତିକୁ ପ୍ରାପ୍ତ କରିପାରିବ, ଏଥିରେ ନିଜର ମତ ଚାଲିପାରିବ ନାହିଁ
। ବାବା ତ କେବଳ ମତ ଦେଉଛନ୍ତି । ତୁମେମାନେ ଦେବତା ହେବା ପାଇଁ ଏଠାକୁ ଆସିଛ ନା । ଏଠାରେ ଭଲ
କର୍ମ କରିଲେ ପରବର୍ତ୍ତୀ ଜନ୍ମରେ ଅମରଲୋକରେ ମଧ୍ୟ ଭଲ ଫଳ ମିଳିବ । ଏହା ତ ହେଉଛି ହିଁ ମୃତ୍ୟୁ
ଲୋକ । ଏହି ରହସ୍ୟକୁ ମଧ୍ୟ ତୁମେ ପିଲାମାନେ ହିଁ ଜାଣିଛ, ତାହା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ
। କାହା କାହାର ବୁଦ୍ଧିରେ ତ ଭଲ ଭାବରେ ଧାରଣା ହେଉଛି, ଯଦି କେହି ଧାରଣା ନ କରିପାରିଲେ ତେବେ
ଏଥିରେ ଶିକ୍ଷକ କ’ଣ କରିପାରିବେ । ଶିକ୍ଷକଙ୍କୁ କ’ଣ କୃପା ଅଥବା ଆଶୀର୍ବାଦ ମାଗିବେ । ଶିକ୍ଷକ ତ
ପାଠପଢ଼ାଇ ନିଜ ଘରକୁ ଚାଲିଯାଇଥା’ନ୍ତି । ସ୍କୁଲରେ ପ୍ରଥମେ ପ୍ରଥମେ ଈଶ୍ୱରଙ୍କର ପ୍ରାର୍ଥନା
କରିଥା’ନ୍ତି - ହେ ଇଶ୍ୱର ଆମକୁ ପାସ୍ କରାଇଦିଅ, ତେବେ ଆମେ ଆପଣଙ୍କ ପାଖରେ ଭୋଗ ଲଗାଇବୁ ।
କିନ୍ତୁ ଶିକ୍ଷକଙ୍କୁ କେବେ ଆଶୀର୍ବାଦ କରିବା ପାଇଁ କହି ନ ଥା’ନ୍ତି । ବର୍ତ୍ତମାନ ପରମାତ୍ମା
ଆମର ପିତା ସହିତ ଶିକ୍ଷକ ମଧ୍ୟ ଅଟନ୍ତି । ବାବାଙ୍କର ଆଶୀର୍ବାଦ ତ ସଦାସର୍ବଦା ରହିଛି । ବାପା
ସର୍ବଦା ପୁଅକୁ ଚାହିଁଥାନ୍ତି, ପୁଅ ଜନ୍ମ ହେଲେ ତାକୁ ଧନ ଦେବି । ତେବେ ଏହା ମଧ୍ୟ ଆଶୀର୍ବାଦ
ହେଲା ନା । ଏହା ଏକ କାଇଦା ଅଟେ । ପୁଅକୁ ବାପାଙ୍କଠାରୁ ବର୍ସା (ସମ୍ପତ୍ତି) ମିଳିଥାଏ । ଏବେ ତ
ତମଃପ୍ରଧାନ ହେବାରେ ଲାଗିଛନ୍ତି । ଯେପରି ବାପା ସେହିପରି ପିଲା । ଦିନକୁ ଦିନ ପ୍ରତ୍ୟେକ ଜିନିଷ
ତମଃପ୍ରଧାନ ହୋଇଚାଲିଛି । ତତ୍ତ୍ୱ ମଧ୍ୟ ତମଃପ୍ରଧାନ ହୋଇଚାଲିଛି । ଏହା ହେଉଛି ହିଁ ଦୁଃଖଧାମ ।
ଯଦି ଏହାର ଆୟୁଷ ଆହୁରି ୪୦ ହଜାର ବର୍ଷ ହେବ ତେବେ ଅବସ୍ଥା କ’ଣ ହେବ । ମନୁଷ୍ୟମାନଙ୍କର ବୁଦ୍ଧି
ବିଲ୍କୁଲ ହିଁ ତମଃପ୍ରଧାନ ହୋଇଯାଇଛି ।
ବର୍ତ୍ତମାନ ତୁମମାନଙ୍କର
ବାବାଙ୍କ ସହିତ ଯୋଗ ରହିଛି ତେଣୁ ବୁଦ୍ଧି ଆଲୋକିତ ହୋଇଯାଇଛି । ବାବା କହୁଛନ୍ତି ଯେତେ ଯୋଗଯୁକ୍ତ
ହୋଇ ରହିବ ସେତେ ଲାଇଟ୍ ବଢ଼ିଚାଲିବ । ଯୋଗ ଦ୍ୱାରା ଆତ୍ମା ପବିତ୍ର ହୋଇଥାଏ । ଲାଇଟ୍ ବଢ଼ିଚାଲିଥାଏ
। ଯୋଗ ନ କଲେ ଲାଇଟ୍ ମିଳିବ ନାହିଁ । ଯୋଗ କରିଲେ ଲାଇଟ୍ର ବୃଦ୍ଧି ହୋଇଚାଲିବ । ଯୋଗ ନ କରି ଯଦି
କୌଣସି ପ୍ରକାରର ବିକର୍ମ କରିଲ ତେବେ ଲାଇଟ୍ କମ୍ ହୋଇଯିବ । ତୁମେମାନେ ଏବେ ସତ୍ତ୍ୱପ୍ରଧାନ ହେବା
ପାଇଁ ପୁରୁଷାର୍ଥ କରୁଛ । ଏହା ବହୁତ ବୁଝିବାର କଥା ଅଟେ । ଯୋଗ କରିବା ଦ୍ୱାରା ହିଁ ତୁମର ଆତ୍ମା
ପବିତ୍ର ହୋଇଯିବ । ତୁମେ ଲେଖି ମଧ୍ୟ ପାରିବ ଯେ ଏହି ରଚୟିତା ଏବଂ ରଚନାର ଜ୍ଞାନ ଶ୍ରୀକୃଷ୍ଣ
ଦେଇପାରିବେ ନାହିଁ । ସେ ତ ହେଉଛନ୍ତି ପ୍ରାରବ୍ଧ । ଏକଥା ମଧ୍ୟ ଲେଖି ଦେବା ଉଚିତ୍ ଯେ ୮୪ ତମ
ଅନ୍ତିମ ଜନ୍ମରେ କୃଷ୍ଣଙ୍କର ଆତ୍ମା ପ୍ରଥମ ନମ୍ବରକୁ ଯିବା ପାଇଁ ପୁନର୍ବାର ଜ୍ଞାନ ନେଉଛନ୍ତି ।
ବାବା ଏକଥା ମଧ୍ୟ ବୁଝାଇଛନ୍ତି ଯେ ସତ୍ୟଯୁଗରେ ୯ ଲକ୍ଷ ହିଁ ରହିବେ, ପୁଣି ସେମାନଙ୍କଠାରୁ ଧୀରେ
ଧୀରେ ବୃଦ୍ଧି ମଧ୍ୟ ହେବ ନା । ସେଠାରେ ଦାସ-ଦାସୀ ମଧ୍ୟ ବହୁତ ରହିବେ ନା, ଯେଉଁମାନେ କି ପୂରା
୮୪ ଜନ୍ମ ନେଉଛନ୍ତି । ୮୪ ଜନ୍ମର ହିଁ ଗଣନା କରାଯାଇଥାଏ । ଯିଏ ଭଲ ଭାବରେ ପରୀକ୍ଷାରେ ପାସ୍
କରିବେ ସେମାନେ ପ୍ରଥମେ-ପ୍ରଥମେ ଆସିବେ । ଯେତେ ବିଳମ୍ବରେ ଯିବ ତେବେ ଘରକୁ ସେତେ ପୁରୁଣା ତ
କୁହାଯିବ ନା । ନୂଆ ଘର ତିଆରି ହୋଇ ପୁଣି ଦିନକୁ ଦିନ ଆୟୁଷ କମ୍ ହୋଇଚାଲିଥାଏ । ସେଠାରେ ତ
ସୁନାର ମହଲ ହେବ, ତାହା ତ ପୁରୁଣା ହୋଇପାରିବ ନାହିଁ । ସୁନା ତ ସର୍ବଦା ଚମକୁଥାଏ । ତଥାପି ମଧ୍ୟ
ସଫା ନିଶ୍ଚୟ କରିବାକୁ ପଡ଼ିବ । ଯଦିଓ ଖାଣ୍ଟି ସୁନାରେ ଅଳଙ୍କାର ତିଆରି କରାଯାଏ ତେବେ ମଧ୍ୟ ଶେଷରେ
ଚମକ ତ କମ୍ ହୋଇଯାଇଥାଏ, ପୁଣି ତାକୁ ପଲିସ୍ କରିବାକୁ ପଡ଼ିଥାଏ । ତୁମ ସନ୍ତାନମାନଙ୍କର ସର୍ବଦା
ଏହି ଖୁସି ରହିବା ଦରକାର ଯେ ଆମେ ନୂଆ ଦୁନିଆକୁ ଯାଉଛୁ । ଏହି ନର୍କରେ ଆମର ଏହା ଅନ୍ତିମ ଜନ୍ମ ।
ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛୁ, ଜାଣିଛୁ ଏହା ପୁରୁଣା ଦୁନିଆ, ପୁରୁଣା ଶରୀର ଅଟେ । ଏବେ
ଆମକୁ ସତ୍ୟଯୁଗ ନୂଆ ଦୁନିଆରେ ନୂଆ ଶରୀର ନେବାକୁ ହେବ । ସେଠାରେ ୫ ତତ୍ତ୍ୱ ମଧ୍ୟ ନୂଆ ହେବ ।
ଏହିପରି ବିଚାର ସାଗର ମନ୍ଥନ ଚାଲିବା ଉଚିତ୍ । ଏହା ପାଠପଢ଼ା ଅଟେ ନା । ଅନ୍ତିମ ସମୟ ପର୍ଯ୍ୟନ୍ତ
ତୁମର ଏହି ପାଠପଢ଼ା ଚାଲିଥିବ । ପାଠପଢ଼ା ବନ୍ଦ ହେବା ମାତ୍ରେ ବିନାଶ ହୋଇଯିବ । ତେଣୁ ନିଜକୁ
ଛାତ୍ର ଭାବି ଏହି ଖୁସିରେ ରହିବା ଉଚିତ୍ ଯେ - ଆମକୁ ଭଗବାନ ପାଠ ପଢ଼ାଉଛନ୍ତି । ଏହି ଖୁସି କ’ଣ
କମ୍ କଥା, କିନ୍ତୁ ତା’ ସହିତ ମାୟା ମଧ୍ୟ ଓଲଟା କାମ କରାଇ ନେଉଛି । ୫-୬ ବର୍ଷ ପବିତ୍ର ରହୁଛନ୍ତି
ପୁଣି ମାୟା ପତିତ କରିଦେଉଛି । ଥରେ ପତିତ ହୋଇଗଲେ ପୁଣି ସେହି ପୂର୍ବ ଅବସ୍ଥା ଆଉ ହୋଇପାରିବ ନାହିଁ
। ମୁଁ ପତିତ ହୋଇଯାଇଛି ତେଣୁ ନିଜ ପ୍ରତି ଘୃଣା ଆସିଥାଏ । ଏବେ ତୁମ ପିଲାମାନଙ୍କୁ ସମସ୍ତ କଥାକୁ
ସ୍ମୃତିରେ ରଖିବାକୁ ହେବ । ଏହି ଜନ୍ମରେ ଯାହା କିଛି ପାପ କରିଛ, ପ୍ରତ୍ୟେକ ଆତ୍ମାକୁ ନିଜ ଜୀବନ
ବିଷୟରେ ତ ଜଣାଅଛି ନା । କେହି ମନ୍ଦ ବୁଦ୍ଧି, କେହି ବିଶାଳ ବୁଦ୍ଧି ହୋଇଥା’ନ୍ତି, ଛୋଟ ସମୟର
ଜୀବନ କାହାଣୀ ମନେ ତ ରହିଥାଏ ନା । ଏହି ବାବା (ବ୍ରହ୍ମାବାବା) ମଧ୍ୟ ଛୋଟ ବେଳର ଇତିହାସ
ଶୁଣାଉଛନ୍ତି ନା । ବାବାଙ୍କୁ ସେହି ଘର ଆଦି ମଧ୍ୟ ମନେ ଅଛି । କିନ୍ତୁ ଏବେ ତ ସେଠାରେ ସବୁ ନୂଆ
ନୂଆ ଘର ହୋଇଯାଇଥିବ । ୬ ବର୍ଷରୁ ଆରମ୍ଭ କରି ନିଜର ଜୀବନ କାହାଣୀ ମନେ ରହିଥାଏ । ଯଦି ଭୁଲି
ଯାଇଛ ତେବେ ମାନ୍ଦା ବୁଦ୍ଧି ବୋଲି କୁହାଯିବ । ବାବା କହୁଛନ୍ତି ନିଜର ଜୀବନ କାହାଣୀ ଲେଖ । ପୁରା
ଜୀବନର କଥା ନା । ଜଣାପଡ଼ିଯାଏ ନିଜ ଜୀବନ କେତେ ଚମତ୍କାର ଥିଲା । ଗାନ୍ଧୀ, ନେହେରୁ ଆଦିଙ୍କର କେତେ
ବଡ଼-ବଡ଼ ଗ୍ରନ୍ଥ ତିଆରି ହେଉଛି । ବାସ୍ତବରେ ତୁମର ଜୀବନ ତ ବହୁତ ମୂଲ୍ୟବାନ ଅଟେ । ଏହା ହିଁ ହେଉଛି
ଏକ ଚମତ୍କାର ଜୀବନ । ଏହା ହେଉଛି ସବୁଠାରୁ ମୂଲ୍ୟବାନ, ଅମୂଲ୍ୟ ଜୀବନ । ଏହାର ମୂଲ୍ୟାଙ୍କନ
କରାଯାଇ ପାରିବ ନାହିଁ । ବର୍ତ୍ତମାନ ତୁମେମାନେ ହିଁ ସେବା କରୁଛ । ଏହି ଲକ୍ଷ୍ମୀ-ନାରାୟଣ କିଛି
ବି ସେବା କରୁନାହାଁନ୍ତି । ତୁମର ଜୀବନ ବହୁତ ମୂଲ୍ୟବାନ, ଯେତେବେଳେ କି ଅନ୍ୟମାନଙ୍କର ମଧ୍ୟ
ସେହିପରି ଜୀବନ ଗଢ଼ିବାର ସେବା କରୁଛ । ଯିଏ ଭଲ ସେବା କରିଥା’ନ୍ତି, ସେମାନେ ଗାୟନ ଯୋଗ୍ୟ
ହୋଇଥା’ନ୍ତି । ବୈଷ୍ଣବୀ ଦେବୀଙ୍କର ମନ୍ଦିର ମଧ୍ୟ ଅଛି ନା । ଏବେ ତୁମେ ସଚ୍ଚା-ସଚ୍ଚା ବୈଷ୍ଣବ
ହେଉଛ । ବୈଷ୍ଣବ ଅର୍ଥାତ୍ ଯିଏ ପବିତ୍ର ଅଟନ୍ତି । ଏବେ ତୁମର ଖାଦ୍ୟ-ପାନୀୟ ମଧ୍ୟ ବୈଷ୍ଣବ ଅଟେ ।
ପ୍ରଥମ ନମ୍ବରର ବିକାରରେ ତ ତୁମେ ବୈଷ୍ଣବ (ପବିତ୍ର) ଅଟ । ଜଗତଅମ୍ବାଙ୍କର ଏହି ସବୁ ସନ୍ତାନମାନେ
ବ୍ରହ୍ମାକୁମାର-କୁମାରୀ ଅଟନ୍ତି ନା । ବ୍ରହ୍ମା ଏବଂ ସରସ୍ୱତୀ । ବାକି ପିଲାମାନେ ହେଉଛନ୍ତି
ତାଙ୍କର ସନ୍ତାନ । କ୍ରମାନୁସାରେ ଦେବୀମାନେ ମଧ୍ୟ ଅଛନ୍ତି, ଯାହାଙ୍କର ପୂଜା ହୋଇଥାଏ । ବାକି
ସେମାନଙ୍କୁ ଏତେ ଭୂଜା ଆଦି ଦେଇ ଦେଇଛନ୍ତି ସେସବୁ ଫାଲତୁ କଥା । ତୁମେ ଅନେକଙ୍କୁ ନିଜ ସମାନ
କରାଉଛ, ତେଣୁ ତୁମକୁ ବହୁତ ଭୂଜା ଦେଇଦେଇଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ ୧୦୦ ଭୂଜା ବାଲା, ହଜାର
ଭୂଜା ବାଲା ଦେଖାଉଛନ୍ତି । ଏ ସବୁ ଭକ୍ତିମାର୍ଗର କଥା । ତୁମକୁ ପୁଣି ବାବା କହୁଛନ୍ତି ଦୈବୀଗୁଣ
ମଧ୍ୟ ଧାରଣ କରିବାକୁ ହେବ । କାହାକୁ ବି ଦୁଃଖ ଦିଅନାହିଁ । କାହାକୁ ଓଲଟା-ସିଧା ରାସ୍ତା ବତାଇ
ତାର ସତ୍ୟାନାଶ କରନାହିଁ । ଏକମାତ୍ର ମୁଖ୍ୟ କଥା ବୁଝାଇବା ଦରକାର କି ବାବା ଏବଂ ତାଙ୍କର
ସମ୍ପତ୍ତିକୁ ମନେପକାଅ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଗାୟନ ଏବଂ
ପୂଜନ ଯୋଗ୍ୟ ହେବା ପାଇଁ ପକ୍କା ବୈଷ୍ଣବ ହେବାକୁ ପଡ଼ିବ । ଖାଦ୍ୟ ପାନୀୟର ଶୁଦ୍ଧତା ସହିତ ପବିତ୍ର
ମଧ୍ୟ ରହିବାକୁ ହେବ । ଏହି ମୂଲ୍ୟବାନ ଜୀବନରେ ଈଶ୍ୱରୀୟ ସେବା କରି ଅନେକଙ୍କର ଜୀବନକୁ ଶ୍ରେଷ୍ଠ
କରିବାକୁ ହେବ ।
(୨) ବାବାଙ୍କ ସହିତ ଏପରି
ଯୋଗ ଲଗାଇବାକୁ ହେବ, ଯାହାଦ୍ୱାରା ଆତ୍ମାର ଲାଇଟ୍ ବଢ଼ିଚାଲିବ । କୌଣସି ପ୍ରକାରର ବିକର୍ମ କରି
ଆତ୍ମାର ଲାଇଟ୍ କମ୍ କରିବା ଉଚିତ୍ ନୁହେଁ । ନିଜ ସହିତ ମିତ୍ରତା କରିବାକୁ ହେବ ।
ବରଦାନ:-
ସ୍ୱ-ସ୍ଥିତିର
ଆସନ ଉପରେ ସ୍ଥିତ ରହି ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରୁଥିବା ମାଷ୍ଟର ରଚୟିତା ଭବ ।
ଯେ କୌଣସି ପରିସ୍ଥିତି
ପ୍ରକୃତି ଦ୍ୱାରା ହିଁ ଆସିଥାଏ, ସେଥିପାଇଁ ପରିସ୍ଥିତି ରଚନା ଅଟେ ଏବଂ ସ୍ୱ-ସ୍ଥିତିବାଲା ଆତ୍ମା
ରଚୟିତା ଅଟେ । ମାଷ୍ଟର ରଚୟିତା ବା ମାଷ୍ଟର ସର୍ବଶକ୍ତିବାନ କେବେ ବି ହାରିପାରିବ ନାହିଁ ।
ଅସମ୍ଭବ ଅଟେ । ଯଦି କେହି ନିଜର ଆସନକୁ ଛାଡି ଦେବ ତେବେ ହାରିବାକୁ ପଡିବ । କାରଣ ଆସନକୁ ଛାଡିବା
ଅର୍ଥ ଶକ୍ତିହୀନ ହେବା । ଆସନ ଆଧାରରେ ଶକ୍ତିଗୁଡିକ ଆପେ ଆପେ ଆସିଥାଏ । ଯେଉଁମାନେ ଆସନ ଉପରୁ
ତଳକୁ ଆସିଥାଆନ୍ତି ସେମାନଙ୍କୁ ମାୟାର ଧୂଳି ଲାଗିଯାଏ । ତେଣୁ ବାପଦାଦାଙ୍କର ଗେହ୍ଲା ସନ୍ତାନ,
ମରଜୀବା ଜନ୍ମଧାରୀ ବ୍ରାହ୍ମଣ ଆତ୍ମାମାନେ କେବେ ବି ଦେହ ଅଭିମାନ ରୂପୀ ମାଟିରେ ଖେଳି ପାରିବେ
ନାହିଁ ।
ସ୍ଲୋଗାନ:-
ଦୃଢତାର ଶକ୍ତି
କଡା ସଂସ୍କାରକୁ ମଧ୍ୟ ମହମ ଭଳି ତରଳାଇ ଦିଏ ଅର୍ଥାତ୍ ସମାପ୍ତ କରିଦିଏ ।