04.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବର୍ତ୍ତମାନ ତୁମେମାନେ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛ, ଦେବତାମାନେ ପୁରୁଷୋତ୍ତମ ଅଟନ୍ତି । କାହିଁକି ନା ସେମାନେ ପବିତ୍ର ଅଟନ୍ତି, ତୁମେମାନେ ବର୍ତ୍ତମାନ ପବିତ୍ର ହେଉଛ ।”

ପ୍ରଶ୍ନ:-
ବେହଦର ବାବା ତୁମ ପିଲାମାନଙ୍କୁ ଶରଣ କାହିଁକି ଦେଇଛନ୍ତି?

ଉତ୍ତର:-
କାହିଁକି ନା ଆମେ ସମସ୍ତେ ଅଳିଆ ଗଦାରେ ପଡିଥିଲେ । ବାବା ଆମମାନଙ୍କୁ ଅଳିଆ ଗଦାରୁ ବାହାର କରି ସୁବାସିତ ଫୁଲ କରୁଛନ୍ତି । ଆସୁରୀ ଗୁଣଧାରୀ ପିଲାମାନଙ୍କୁ ଦୈବୀ ଗୁଣଧାରୀ କରୁଛନ୍ତି । ଡ୍ରାମା ଅନୁସାରେ ବାବା ଆସି ଆମକୁ ଅଳିଆ ଗଦାରୁ ବାହାର କରି ପୋଷ୍ୟ କରି ନିଜର ସନ୍ତାନ କରୁଛନ୍ତି ।

ଗୀତ:-
ୟହ କୌନ ଆୟା ଆଜ ସବେରେ ସବେରେ...

ଓମ୍ ଶାନ୍ତି ।
ରାତିକୁ ଦିନ କରିବା ପାଇଁ ବାବାଙ୍କୁ ଏଠାକୁ ଆସିବାକୁ ପଡୁଛି । ଏବେ ତୁମେ ସନ୍ତାନମାନେ ଜାଣିଛ ଯେ ବାବା ଆସିଛନ୍ତି । ପ୍ରଥମେ ଆମେ ଶୂଦ୍ର ବର୍ଣ୍ଣର, ଶୁଦ୍ର ବୁଦ୍ଧି ଥିଲୁ । ବର୍ଣ୍ଣ ବିଷୟରେ ଥିବା ଚିତ୍ର ମଧ୍ୟ ବୁଝାଇବା ପାଇଁ ବହୁତ ଭଲ । ପିଲାମାନେ ଜାଣିଛନ୍ତି ଆମେ ଏହି ବର୍ଣ୍ଣରେ କିପରି ଚକ୍ର ଲଗାଉଛୁ । ଏବେ ଆମକୁ ପରମପିତା ପରମାତ୍ମା ଶୂଦ୍ରରୁ ବ୍ରାହ୍ମଣ କରିଛନ୍ତି । କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ଆମେ ବ୍ରାହ୍ମଣ ହେଉଛୁ । ବ୍ରାହ୍ମଣମାନଙ୍କୁ ପୁରୁଷୋତ୍ତମ କୁହାଯିବ ନାହିଁ । ପୁରୁଷୋତ୍ତମ ତ ଦେବତାମାନଙ୍କୁ ହିଁ କୁହାଯିବ । ବ୍ରାହ୍ମଣମାନେ ପୁରୁଷୋତ୍ତମ ହେବା ପାଇଁ ଏବେ ପୁରୁଷାର୍ଥ କରୁଛନ୍ତି । ପତିତରୁ ପବିତ୍ର ହେବା ପାଇଁ ହିଁ ବାବାଙ୍କୁ ଡାକୁଛନ୍ତି । ତେଣୁ ନିଜକୁ ପଚାରିବା ଉଚିତ୍ ଯେ ମୁଁ କେତେ ପର୍ଯ୍ୟନ୍ତ ପବିତ୍ର ହୋଇଛି? ସ୍କୁଲରେ ପଢୁଥିବା ଛାତ୍ରମାନେ ମଧ୍ୟ ପାଠ ପଢିବା ପାଇଁ ବିଚାର ସାଗର ମନ୍ଥନ କରିଥା’ନ୍ତି ନା । ଜାଣି ଥାଆନ୍ତି ଯେ ଏହି ପାଠ ପଢିବା ଦ୍ୱାରା ଆମେ ଏହିପରି ହେବୁ । ସେହିପରି ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଏବେ ଆମେ ଦେବତା ହେବା ପାଇଁ ବ୍ରାହ୍ମଣ ହୋଇଛୁ । ଏହା ହେଲା ଆମର ଅମୂଲ୍ୟ ଜୀବନ, କାହିଁକି ନା ଆମେ ଈଶ୍ୱର ପିତାଙ୍କର ସନ୍ତାନ ହୋଇଛୁ । ଈଶ୍ୱର ତୁମକୁ ରାଜଯୋଗ ଶିଖାଇ, ପତିତରୁ ପବିତ୍ର କରାଉଛନ୍ତି । ପବିତ୍ର ଦେବତା ହେଉଛୁ । ବର୍ଣ୍ଣ ଉପରେ ବୁଝାଇବା ବହୁତ ଭଲ । ସନ୍ନ୍ୟାସୀମାନେ ଏହି କଥାକୁ ବୁଝିବେ ନାହିଁ । ବାକି ୮୪ ଜନ୍ମର ହିସାବ ବୁଝିପାରିବେ । ଏ କଥା ମଧ୍ୟ ବୁଝିପାରିବେ ଯେ ଆମେ ସନ୍ନ୍ୟାସ ଧର୍ମାବଲମ୍ବୀ, ୮୪ ଜନ୍ମ ନେଉ ନାହୁଁ । ଇସ୍‌ଲାମୀ, ବୌଦ୍ଧି ଆଦି ମଧ୍ୟ ବୁଝୁଛନ୍ତି ଯେ ଆମେ ୮୪ ଜନ୍ମ ନେଉନାହୁଁ । ହଁ, ପୁନର୍ଜନ୍ମ ନେଉଛନ୍ତି, କିନ୍ତୁ କମ୍ । ଏ କଥା ଯଦି ତୁମେ ବୁଝାଇବ ତେବେ ତୁରନ୍ତ ବୁଝିଯିବେ । ବୁଝାଇବା ପାଇଁ ମଧ୍ୟ ଯୁକ୍ତି ଦରକାର । ତୁମେ ପିଲାମାନେ ଏଠାରେ ସମ୍ମୁଖରେ ବସିଛ ତେଣୁ ବାବା ବୁଦ୍ଧିକୁ ସତେଜ କରୁଛନ୍ତି । ଅନ୍ୟ ପିଲାମାନେ ମଧ୍ୟ ଏଠାକୁ ସତେଜ ହେବା ପାଇଁ ଆସୁଛନ୍ତି । ତୁମକୁ ତ ପ୍ରତ୍ୟହ ବାବା ମନେ ପକାଇ ଦେଉଛନ୍ତି ଯେ, ଏହି ସବୁ କଥାକୁ ଧାରଣ କର । ବୁଦ୍ଧିରେ ଏହି ଖିଆଲ ଚାଲୁ ଯେ, ଆମେ ୮୪ ଜନ୍ମ କିପରି ନେଉଛୁ? କିପରି ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ? ବ୍ରହ୍ମାଙ୍କର ସନ୍ତାନ ହିଁ ବ୍ରାହ୍ମଣ ଅଟନ୍ତି । ଏବେ ବ୍ରହ୍ମା କୁଆଡୁ ଆସିଲେ? ବାବା ବୁଝାଉଛନ୍ତି ମୁଁ ଏହାଙ୍କର ନାମ ବ୍ରହ୍ମା ରଖିଛି । ତେବେ ଯେଉଁ ବ୍ରହ୍ମାକୁମାର-କୁମାରୀମାନେ ଅଛନ୍ତି ସେମାନେ ସମସ୍ତେ ଗୋଟିଏ ପରିବାର ହୋଇଗଲେ । ତେବେ ନିଶ୍ଚିତ ସେମାନେ ପୋଷ୍ୟ ହୋଇଛନ୍ତି ଏବଂ ସେମାନଙ୍କୁ ବାବା ହିଁ ପୋଷ୍ୟ କରୁଛନ୍ତି । ତାଙ୍କୁ ବାବା ବୋଲି କୁହାଯାଉଛି, ଦାଦା କୁହାଯିବ ନାହିଁ । ବାପାଙ୍କୁ ବାପା ବୋଲି ହିଁ କୁହାଯାଇଥାଏ ଏବଂ ବାପାଙ୍କଠାରୁ ହିଁ ସମ୍ପତ୍ତି ମିଳିଥାଏ । କେହି ଦାଦା, ମାମୁଁ ଅଥବା ବଂଶର ଅନ୍ୟ କେହି ମଧ୍ୟ ପୋଷ୍ୟ କରିଥା’ନ୍ତି । ଯେପରି ବାବା ଶୁଣାଇ ଥିଲେ ଜଣେ କନ୍ୟା ଅଳିଆ ଗଦାରେ ପଡିଥିଲା, ତାକୁ କେହି ଉଠାଇ ନେଇ ଆଉ କାହାର କୋଳକୁ ଦେଇ ଦେଲେ କାହିଁକି ନା ତାଙ୍କର ନିଜର ସନ୍ତାନ ନ ଥିଲା । ତେଣୁ ସେହି ଝିଅ ଯାହାର କୋଳକୁ ଗଲା ତାଙ୍କୁ ହିଁ ନିଜର ମାତା-ପିତା ବୋଲି କହିବାକୁ ଲାଗିବ ନା । ଏହା ତ ପୁଣି ବେହଦର କଥା । ତୁମେ ପିଲାମାନେ ମଧ୍ୟ ଯେପରି ବେହଦର ଅଳିଆ ଗଦାରେ ପଡିଥିଲ, ବିଷୟ ବୈତରଣୀ ନଦୀରେ ପଡିଥିଲ । କେତେ ଅପରିଷ୍କାର ହୋଇ ପଡିଥିଲ । ଡ୍ରାମା ଅନୁସାରେ ବାବା ଆସି ସେହି ଆବର୍ଜନାରୁ ବାହାର କରି ତୁମକୁ ପୋଷ୍ୟ କରିଛନ୍ତି । ତମଃପ୍ରଧାନକୁ ଅଳିଆ ବୋଲି କୁହାଯିବ ନା । ବିକାରୀ ଆସୁରୀଗୁଣ ଯୁକ୍ତ ମନୁଷ୍ୟମାନେ ଦେହ-ଅଭିମାନୀ ଅଟନ୍ତି । କାମ, କ୍ରୋଧ ମଧ୍ୟ ବହୁତ ବଡ ବିକାର ଅଟେ ନା । ତେବେ ତୁମେ ରାବଣର ବଡ ଅଳିଆ ଗଦାରେ ପଡିଥିଲ । ବାସ୍ତବରେ ତୁମେ ରିଫ୍ୟୁଜୀ ଅର୍ଥାତ୍ ଶରଣାର୍ଥୀ ମଧ୍ୟ ଅଟ । ଏବେ ତୁମେ ବେହଦ ବାବାଙ୍କର ଶରଣ ନେଇଛ, ବାବା ଅଳିଆ ଗଦାରୁ ବାହାର କରି ତୁମକୁ ଫୁଲ ସଦୃଶ ଦେବତା କରୁଛନ୍ତି । ବର୍ତ୍ତମାନ ସାରା ଦୁନିଆ ଯେପରି ଏକ ବିଶାଳ ଅଳିଆ ଗଦାରେ ପଡିଛି । ବାବା ଆସି ତୁମ ସନ୍ତାନମାନଙ୍କୁ ଅଳିଆରୁ ବାହାର କରି ନିଜର କରୁଛନ୍ତି । କିନ୍ତୁ ଆର୍ବଜନାରେ ରହିବାରେ ଏପରି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ ସେଥିରୁ ବାହାର କରିଦେଲେ ମଧ୍ୟ ତାଙ୍କୁ ଆବର୍ଜନା ହିଁ ଭଲ ଲାଗୁଛି । ବର୍ତ୍ତମାନ ବାବା ଆସି ବେହଦର ପଙ୍କରୁ ବାହାର କରୁଛନ୍ତି । ଡାକୁଛନ୍ତି ମଧ୍ୟ ହେ ବାବା ଆସି ଆମକୁ ଫୁଲ କର । କଣ୍ଟାର ଜଙ୍ଗଲରୁ ବାହାର କରି ଫୁଲ ଭଳି କର । ଈଶ୍ୱରଙ୍କ ବଗିଚାରେ ବସାଅ । ଏବେ ଅସୁରମାନଙ୍କର ଜଙ୍ଗଲରେ ପଡିଛୁ । ବାବା ତୁମ ପିଲାମାନଙ୍କୁ ବଗିଚାକୁ ନେଇଯାଉଛନ୍ତି । ଶୁଦ୍ରରୁ ଏବେ ବ୍ରାହ୍ମଣ ହୋଇଛ ପୁଣି ଦେବତା ହେବ । ଏହା ଦେବତାମାନଙ୍କର ରାଜଧାନୀ ଅଟେ । ବ୍ରାହ୍ମଣମାନଙ୍କର ରାଜତ୍ୱ ନାହିଁ, ଯଦିଓ ପାଣ୍ଡବମାନଙ୍କର ନାମ ରହିଛି କିନ୍ତୁ ପାଣ୍ଡବମାନଙ୍କର ରାଜତ୍ୱ ନାହିଁ । ଏବେ ତୁମେମାନେ ରାଜପଦ ପ୍ରାପ୍ତ କରିବା ପାଇଁ ବାବାଙ୍କ ସାଥିରେ ବସିଛ । ବେହଦର ରାତ୍ରି ଏବେ ଶେଷ ହୋଇ ବେହଦର ଦିନ ଆରମ୍ଭ ହେବାକୁ ଯାଉଛି । ଗୀତ ଶୁଣିଲ ନା - କୌନ ଆୟା ସବେରେ ସବେରେ.... ସକାଳୁ ସକାଳୁ ବାବା ଆସୁଛନ୍ତି ରାତ୍ରିକୁ ସମାପ୍ତ କରି ଦିନ କରିବା ପାଇଁ ଅର୍ଥାତ୍ ସ୍ୱର୍ଗର ସ୍ଥାପନା, ନର୍କର ବିନାଶ କରାଇବା ପାଇଁ । ଯଦି ଏ କଥା ବି ବୁଦ୍ଧିରେ ରହିବ ତେବେ ଖୁସି ମିଳିବ । ଯେଉଁମାନେ ନୂଆ ଦୁନିଆରେ ଉଚ୍ଚପଦ ପାଇବେ ସେମାନେ କେବେ ହେଲେ ନିଜର ଆସୁରୀ ସ୍ୱଭାବ ଦେଖାଇବେ ନାହିଁ । ଯେଉଁ ଯଜ୍ଞ ଦ୍ୱାରା ଏତେ ଉଚ୍ଚ ହେଉଛନ୍ତି, ସେହି ଯଜ୍ଞର ସେବା ବହୁତ ସ୍ନେହର ସହିତ କରିବେ । ଏପରି ଯଜ୍ଞରେ ତ ନିଜର ହାଡ ମଧ୍ୟ ସ୍ୱାହା କରିଦେବା ଉଚିତ୍ । ନିଜକୁ ଦେଖିବା ଦରକାର - ଏହିପରି ଚାଲିଚଳନ ରହିଲେ ଆମେ ଉଚ୍ଚପଦ କିପରି ପାଇବୁ! ତୁମେମାନେ ଅବୁଝା ଛୋଟ ପିଲା ତ ନୁହଁ ନା । ସମସ୍ତେ ବୁଝିପାରୁଛନ୍ତି - ରାଜା, ପ୍ରଜା କିପରି ହେଉଛନ୍ତି? ବାବା ମଧ୍ୟ ଅନୁଭବୀ ରଥ ନେଇଛନ୍ତି । ଯିଏକି ରାଜାମାନଙ୍କୁ ଭଲ ଭାବରେ ଜାଣିଛନ୍ତି । ରାଜାମାନଙ୍କର ଦାସ-ଦାସୀମାନଙ୍କୁ ମଧ୍ୟ ବହୁତ ସୁଖ ମିଳିଥାଏ । ସେମାନେ ତ ରାଜାମାନଙ୍କ ସାଥିରେ ହିଁ ରହିଥା’ନ୍ତି । କିନ୍ତୁ ସେମାନଙ୍କୁ ଦାସ-ଦାସୀ ହିଁ କୁହାଯିବ ନା । କିନ୍ତୁ ସୁଖ ତ ମିଳିବ ନା । ଯାହା ରାଜା-ରାଣୀ ଖାଇବେ ତାହା ତାଙ୍କୁ ମିଳିବ । ବାହାର ଲୋକମାନେ ସେ ଖାଦ୍ୟ ଖାଇପାରିବେ ନାହିଁ । ଦାସୀମାନେ ମଧ୍ୟ କ୍ରମାନୁସାରେ ରହିବେ । କେହି ଶୃଙ୍ଗାର କରିବେ, କେହି ପିଲାମାନଙ୍କୁ ସମ୍ଭାଳିବେ, କେହି ଝାଡୁ ଆଦି କରିବେ । ଏଠାକାର ରାଜାମାନଙ୍କର ଏତେ ଦାସ-ଦାସୀ ଅଛନ୍ତି, ତେବେ ସେଠାରେ କେତେ ଢେର ଥିବେ । ସମସ୍ତଙ୍କ ଉପରେ ନିଜର ଅଲଗା-ଅଲଗା ଦାୟିତ୍ୱ ରହିବ । ରହିବାର ସ୍ଥାନ ଅଲଗା ହେବ । ତାହା କୌଣସି ରାଜା-ରାଣୀଙ୍କ ମହଲ ପରି ସଜାଯାଇ ନ ଥିବ, ଯେପରି ସର୍ଭ୍ୟାଣ୍ଟ୍ (ଚାକର) ମାନଙ୍କର କ୍ୱାଟର (ଘର) ରହିଥାଏ ନା । ସେମାନେ ଭିତରକୁ ଆସିବେ ନିଶ୍ଚିତ କିନ୍ତୁ ରହିବେ ନିଜ ଘରେ । ତେଣୁ ବାବା ଭଲ ଭାବରେ ବୁଝାଉଛନ୍ତି ନିଜ ଉପରେ ଦୟା କର । ମୁଁ କିପରି ସବୁଠାରୁ ଉଚ୍ଚରୁ ଉଚ୍ଚ ହେବି । ଏବେ ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ । ଏହା ମଧ୍ୟ ଅହୋ ସୌଭାଗ୍ୟ । ପୁଣି ଦେବତା ହେବୁ । ଏହି ସଂଗମଯୁଗ ବହୁତ କଲ୍ୟାଣକାରୀ ଅଟେ । ତୁମମାନଙ୍କର ପ୍ରତ୍ୟେକ କଥାରେ କଲ୍ୟାଣ ଭରି ହୋଇ ରହିଛି । ଭଣ୍ଡାରରେ ମଧ୍ୟ ଯୋଗରେ ରହି ଭୋଜନ ତିଆରି କଲେ ବହୁତଙ୍କର କଲ୍ୟାଣ ହୋଇଯିବ । ଶ୍ରୀନାଥ ଦ୍ୱାରରେ ଭୋଜନ ପ୍ରସ୍ତୁତ କରିବା ସମୟରେ ବିଲ୍‌କୁଲ୍ ନିରବରେ ରହିଥା’ନ୍ତି । କେବଳ ଶ୍ରୀନାଥ ହିଁ ମନେ ରହିଥା’ନ୍ତି । ଭକ୍ତମାନେ ମଧ୍ୟ ନିଜର ଭକ୍ତିରେ ବହୁତ ମସ୍ତ ରହିଥା’ନ୍ତି । ସେହିପରି ତୁମମାନଙ୍କୁ ମଧ୍ୟ ଜ୍ଞାନରେ ମସ୍ତ ରହିବାକୁ ପଡିବ । ଶ୍ରୀକୃଷ୍ଣଙ୍କର ଏପରି ଭକ୍ତି କରୁଛନ୍ତି ଯେ, ସେ କଥା ନ କହିଲେ ଭଲ । ବୃନ୍ଦାବନରେ ଦୁଇଜଣ କନ୍ୟା ଅଛନ୍ତି, ପୂରା ଭକ୍ତିନୀ ଅଟନ୍ତି, କହୁଛନ୍ତି ବାସ୍ ଆମେ ଏହିଠାରେ ହିଁ ରହିବୁ । ଏହିଠାରେ ହିଁ କୃଷ୍ଣଙ୍କ ସ୍ମୃତିରେ ଶରୀର ତ୍ୟାଗ କରିବୁ । ତାଙ୍କୁ ଅନେକ କହୁଛନ୍ତି ଭଲ ଘରେ ଯାଇ ରୁହ, ଜ୍ଞାନ ନିଅ, କହୁଛନ୍ତି ଆମେ ତ ଏହିଠାରେ ହିଁ ରହିବୁ । ତେଣୁ ତାଙ୍କୁ ଭକ୍ତ ଶିରୋମଣୀ କୁହାଯିବ । କୃଷ୍ଣଙ୍କ ଉପରେ କେତେ ସମର୍ପଣ ହୋଇଯାଉଛନ୍ତି । ଏବେ ତୁମକୁ ସେହିପରି ବାବାଙ୍କ ଉପରେ ସମର୍ପଣ ହେବାକୁ ପଡିବ । ପ୍ରଥମେ-ପ୍ରଥମେ ଆରମ୍ଭରୁ ଶିବବାବାଙ୍କ ଉପରେ କେତେ ସମର୍ପିତ ହୋଇଗଲେ । ବହୁ ସଂଖ୍ୟାରେ ଆସିଗଲେ । ପୁଣି ଯେବେ ଭାରତକୁ ଆସିଲେ ତେବେ ଅନେକଙ୍କୁ ନିଜ ନିଜର ଘରଦ୍ୱାର ମନେ ପଡିବାକୁ ଲାଗିଲା । ତେଣୁ କେତେକ ଚାଲିଗଲେ । ଅନେକଙ୍କ ଉପରେ ମାୟାର ଗ୍ରହଣ ତ ଲାଗୁଛି ନା । କେବେ କିଭଳି, କେବେ କିଭଳି ଦଶା ପଡୁଛି । ବାବା ବୁଝାଉଛନ୍ତି ଯେ କେହି ବି ଆସିଲେ ତାଙ୍କୁ କୁହ କେଉଁଠାକୁ ଆସିଛ? ବାହାରେ ବୋର୍ଡ ଦେଖିଲ - ବ୍ରହ୍ମାକୁମାର-କୁମାରୀ, ଏହା ତ ପରିବାର ଅଟେ ନା । ଜଣେ ହେଉଛନ୍ତି ନିରାକାର ପରମପିତା ପରମାତ୍ମା । ଦ୍ୱିତୀୟରେ ପୁଣି ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ଗାୟନ ରହିଛି । ଏମାନେ ସମସ୍ତେ ତାଙ୍କର ସନ୍ତାନ, ଶିବବାବା ତ ଦାଦା ଅର୍ଥାତ୍ ଜେଜେବାପା ଅଟନ୍ତି, ସମ୍ପତ୍ତି ତାଙ୍କଠାରୁ ମିଳୁଛି । ସେ ରାୟ ଦେଉଛନ୍ତି ଯେ ମୋତେ ମନେ ପକାଅ ତେବେ ତୁମେ ପତିତରୁ ପବିତ୍ର ହୋଇଯିବ । କଳ୍ପ ପୂର୍ବରୁ ମଧ୍ୟ ବାବା ଏହିପରି ରାୟ ଦେଇଥିଲେ । ଏହା କେତେ ଉଚ୍ଚ ପାଠପଢା । ଏ କଥା ମଧ୍ୟ କେବଳ ତୁମ ବୁଦ୍ଧିରେ ଅଛି ଯେ ଆମେ ବାବାଙ୍କଠାରୁ ବର୍ସା ନେଉଛୁ ।

ତୁମେ ସନ୍ତାନମାନେ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢୁଛ । ତେଣୁ ତୁମମାନଙ୍କୁ ଦୈବୀଗୁଣ ନିଶ୍ଚିତ ଧାରଣ କରିବାକୁ ପଡିବ । ତୁମର ଖାଦ୍ୟ, ପାନୀୟ ,ବାଣୀ କେତେ ରାଜକୀୟ ହେବା ଉଚିତ୍ । ଦେବତାମାନେ କେତେ ଅଳ୍ପ ଖାଇଥାଆନ୍ତି । ସେମାନଙ୍କ ମଧ୍ୟରେ କୌଣସି ଲାଳସା ନ ଥାଏ, ୩୬ ପ୍ରକାରର ଭୋଜନ ତିଆରି ହୁଏ କିନ୍ତୁ ବହୁତ କମ୍ ଖାଇଥା’ନ୍ତି । ଖାଇବା ପିଇବାର ଲାଳସା ରଖିବା - ଏହାକୁ ମଧ୍ୟ ଆସୁରୀ ଚଳଣି କୁହାଯିବ । ଦୈବୀ ଗୁଣ ଧାରଣ କରିବାକୁ ହେଲେ ଖାଦ୍ୟ ପାନୀୟ ବହୁତ ଶୁଦ୍ଧ ଏବଂ ସାଧାରଣ ହେବା ଉଚିତ୍ । କିନ୍ତୁ ମାୟା ଏପରି ଯେ ଏକଦମ୍ ପଥର ବୁଦ୍ଧି କରିଦେଉଛି, ପୁଣି ପଦ ମଧ୍ୟ ସେହିପରି ମିଳିବ । ବାବା କହୁଛନ୍ତି ନିଜର କଲ୍ୟାଣ କରିବା ପାଇଁ ଦିବ୍ୟଗୁଣ ଧାରଣ କର । ଯଦି ନିଜେ ଭଲ ଭାବରେ ପାଠ ପଢିବ ଏବଂ ଅନ୍ୟମାନଙ୍କୁ ପଢାଇବ ତେବେ ତୁମକୁ ପୁରସ୍କାର ମଧ୍ୟ ମିଳିବ । ବାସ୍ତବରେ ବାବା କାହାକୁ ଦିଅନ୍ତି ନାହିଁ ତୁମେ ନିଜର ପୁରୁଷାର୍ଥ ଆଧାରରେ ପୁରସ୍କାର ପାଉଛ । ତେବେ ନିଜକୁ ଦେଖିବା ଦରକାର ଯେ ଆମେ କେତେ ସେବା କରୁଛୁ? ଆମେ ସେଠାରେ ଯାଇ କ’ଣ ହେବୁ? ଏହି ସମୟରେ ଯଦି ଶରୀର ଛାଡି ଦେଲ ତେବେ କେଉଁ ପଦ ମିଳିବ? ବାବାଙ୍କୁ କେହି ପଚାରିଲେ ବାବା ତୁରନ୍ତ କହିଦେବେ ଏହାର ଚାଲିଚଳଣିରୁ ଜଣାପଡୁଛି ଇଏ ଅମୁକ ପଦ ପାଇବ । ପୁରୁଷାର୍ଥ ହିଁ କରୁ ନାହାଁନ୍ତି ତେଣୁ କଳ୍ପ କଳ୍ପାନ୍ତର ପାଇଁ ନିଜର କ୍ଷତି କରୁଛନ୍ତି, ଭଲ ସେବାଧାରୀ ନିଶ୍ଚିତ ରୂପେ ଭଲ ପଦ ପାଇବେ । ମନ ଭିତରେ ଜଣାପଡିଯାଇଥାଏ ଯେ ଇଏ ଯାଇ ଦାସ ଦାସୀ ହେବେ । କିନ୍ତୁ ବାହାରେ କିଛି କହିପାରିବେ ନାହିଁ । ସ୍କୁଲରେ ଛାତ୍ରମାନେ ମଧ୍ୟ ବୁଝିଯାଆନ୍ତି ଆମେ ସିନିୟର (ବରିଷ୍ଠ) ହେବୁ ନା ଜୁନିଅର (ସାନ) । ଏଠାରେ ମଧ୍ୟ ଏହିପରି, ସିନିୟର ଯିଏ ହେବେ ସେ ରାଜା-ରାଣୀ ହେବେ, ଜୁନିୟର କମ୍ ପଦ ପାଇବେ । ସାହୁକାରମାନଙ୍କ ମଧ୍ୟରେ ସିନିୟର୍ ଏବଂ ଜୁନିଅର୍ ରହିବେ । ଦାସଦାସୀମାନଙ୍କ ମଧ୍ୟରେ ବି ସିନିୟର ଏବଂ ଜୁନିୟର ହେବେ । ସିନିୟରଙ୍କର ଦରମା ଅଧିକ ହୋଇଥାଏ । ଝାଡୁ ଲଗାଉଥିବା ଦାସଦାସୀଙ୍କୁ କେବେ ହେଲେ ମହଲ ମଧ୍ୟକୁ ପ୍ରବେଶ କରିବାର ହୁକୁମ ଦିଆଯାଇ ନ ଥାଏ । ଏହିସବୁ କଥାକୁ ତୁମେ ପିଲାମାନେ ହିଁ ଭଲ ଭାବରେ ବୁଝିପାରିବ । ଆଗକୁ ଗଲେ ଆହୁରି ଅଧିକ ବୁଝିପାରିବ । ଯିଏ ଅନ୍ୟମାନଙ୍କୁ ଆଗରେ ରଖନ୍ତି ତାଙ୍କର ସମ୍ମାନ ମଧ୍ୟ ରଖାଯାଇଥାଏ । ଦେଖ କୁମାରକା (ଦାଦୀ ପ୍ରକାଶମଣୀ), ସେ ସିନିୟର ତେଣୁ ତାଙ୍କର ସମ୍ମାନ ରଖିବା ଉଚିତ୍ ।

ବାବା ପିଲାମାନଙ୍କର ଧ୍ୟାନ ଆକର୍ଷଣ କରୁଛନ୍ତି - ଯେଉଁମାନେ ମହାରଥୀ, ସେମାନଙ୍କର ସମ୍ମାନ ରଖ । ଯଦି ସମ୍ମାନ ରଖୁ ନାହାଁନ୍ତି, ତେବେ ନିଜ ଉପରେ ପାପର ବୋଝ ଚଢୁଛି । ଏହିସବୁ କଥା ଉପରେ ବାବା ବହୁତ ଧ୍ୟାନ ଦେଉଛନ୍ତି । ଏଥିପାଇଁ ବହୁତ ଖବରଦାର ରହିବା ଦରକାର । କ୍ରମାନୁଯାୟୀ କାହାର ସମ୍ମାନ କିପରି ରଖିବା ଦରକାର, ବାବା ତ ସମସ୍ତଙ୍କୁ ଜାଣିଛନ୍ତି ନା । ଯଦି କହିଦେବେ ପୁଣି ଟ୍ରେଟର (ବିଶ୍ୱାସଘାତକ) ହେବାକୁ ଡେରି କରିବେ ନାହିଁ । ପୁଣି କୁମାରୀ, ମାତାମାନଙ୍କ ଉପରେ ବନ୍ଧନ ମଧ୍ୟ ଆସିଯିବ । ଅତ୍ୟାଚାର ସହନ କରିବାକୁ ପଡିବ । ତେଣୁ ବହୁତ ମାତାମାନେ ଲେଖୁଛନ୍ତି - ବାବା ଆମକୁ ଇଏ (ବିକାର ପାଇଁ) ବହୁତ ହଇରାଣ କରୁଛନ୍ତି, ଆମେ କ’ଣ କରିବୁ? ଆରେ ତୁମେ କ’ଣ ପଶୁ ହୋଇଛ ଯେ ଜବରଦସ୍ତି କରିବେ । ତୁମମାନଙ୍କର ଭିତରେ ଇଚ୍ଛା ଅଛି ତେଣୁ ପଚାରୁଛ କ’ଣ କରିବୁ । ଏଥିରେ ତ ପଚାରିବାର କଥା ନାହିଁ । ଆତ୍ମା ହିଁ ନିଜର ମିତ୍ର ଏବଂ ନିଜର ଶତ୍ରୁ ମଧ୍ୟ ହୋଇଥାଏ । ଯାହା ଚାହିଁବ ତାହା କରିପାରିବ । କାହାକୁ ପଚାରିବା ଅର୍ଥାତ୍ ନିଜର ଇଚ୍ଛା ରହିଛି । ମୁଖ୍ୟ କଥା ହେଉଛି ଯୋଗବଳର । ସେହି ଯୋଗବଳ ଦ୍ୱାରା ହିଁ ତୁମେ ପବିତ୍ର ହୋଇଥାଅ । ଏହି ଲକ୍ଷ୍ମୀ-ନାରାୟଣ ପ୍ରଥମ ନମ୍ବରର ପାବନ ଅଟନ୍ତି ନା । ମମ୍ମା କେତେ ସେବା କରୁଥିଲେ । ଏପରି ତ କେହି କହିପାରିବେ ନାହିଁ ଯେ ଆମେ ମମ୍ମାଙ୍କଠାରୁ ମଧ୍ୟ ହୁସିଆର । ମମ୍ମା ଜ୍ଞାନରେ ସବୁଠାରୁ ଆଗୁଆ ଥିଲେ । ତେବେ ଅନେକଙ୍କ ପାଖରେ ଯୋଗର ଅଭାବ ରହିଛି । ଯଦି ଯୋଗ କରିବେ ନାହିଁ ତେବେ ବିକର୍ମ ବିନାଶ କିପରି ହେବ । ନିୟମ କହୁଛି - ଶେଷ ସମୟରେ ବାବାଙ୍କ ସ୍ମୃତିରେ ରହି ଶରୀର ଛାଡିବାକୁ ହେବ । ଶିବବାବାଙ୍କ ସ୍ମୃତିରେ ହିଁ ପ୍ରାଣ ଶରୀରରୁ ବାହାରିବା ଉଚିତ୍ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ମନେ ନ ପଡନ୍ତୁ । କେଉଁଥିରେ ମଧ୍ୟ ମନର ଆସକ୍ତି ନ ରହୁ । ଏହା ଅଭ୍ୟାସ କରିବା ଉଚିତ୍ । ଆମେ ଅଶରୀରୀ ହୋଇ ଆସିଥିଲେ ପୁଣି ଅଶରୀରୀ ହୋଇଯିବାକୁ ହେବ । ବାବା ଏହି କଥା ତୁମମାନଙ୍କୁ ବାରମ୍ବାର ବୁଝାଉଛନ୍ତି । ଏବେ ବହୁତ ମିଠା ହେବାକୁ ପଡିବ । ତୁମମାନଙ୍କ ଭିତରେ ଦୈବୀଗୁଣ ମଧ୍ୟ ରହିବା ଦରକାର । ଦେହ-ଅଭିମାନ ଭୂତ ଅଟେ । ତେଣୁ ନିଜ ଉପରେ ବହୁତ ଧ୍ୟାନ ଦେବାକୁ ହେବ । ବହୁତ ସ୍ନେହର ସହିତ ସମସ୍ତଙ୍କ ସହିତ ଚାଲିବା ଉଚିତ୍ । ବାବାଙ୍କୁ ଏବଂ ଚକ୍ରକୁ ମନେପକାଇବାକୁ ହେବ । ଯଦି ଏହି ସୃଷ୍ଟିଚକ୍ରର ଜ୍ଞାନ କାହାକୁ ବି ବୁଝାଇବ ତେବେ ସେମାନେ ଆଶ୍ଚର୍ଯ୍ୟ ହେବେ । ଯଦି ୮୪ ଜନ୍ମର କାହାଣୀ କାହାର ମନେ ରହୁ ନାହିଁ ତେବେ ୮୪ ଲକ୍ଷ ଜନ୍ମର କାହାଣୀ କିପରି ମନେ ପକାଇପାରିବେ? ତାହା ସ୍ମୃତିରେ ମଧ୍ୟ ଆଦୌ ଆସିବ ନାହିଁ । ଯଦି ଏହି ଚକ୍ରକୁ ମଧ୍ୟ ବୁଦ୍ଧିରେ ରଖିବ ତେବେ ଅହୋ ସୌଭାଗ୍ୟ । ଏବେ ଏହି ସୃଷ୍ଟି ନାଟକ ଶେଷ ହେବାକୁ ଯାଉଛି । ସେଥିପାଇଁ ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ଆସିବା ଦରକାର ଏବଂ ବୁଦ୍ଧିଯୋଗ ଶାନ୍ତିଧାମ, ସୁଖଧାମରେ ଲାଗି ରହିବା ଉଚିତ୍ । ଗୀତାରେ ମଧ୍ୟ ରହିଛି ମନମନାଭବ । କିନ୍ତୁ ଗୀତା ପାଠକମାନେ ମନମନାଭବର ଅର୍ଥକୁ ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣୁଛ ଶିବଭଗବାନୁବାଚ - ଦେହର ସର୍ବ ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ମନେକର । କିଏ କହିଛନ୍ତି? ସ୍ୱୟଂ ବାବା । କିଏ ପୁଣି କହୁଛନ୍ତି ଆମେ ତ ଏହି ଶାସ୍ତ୍ରକୁ ମାନୁଛୁ, ଭଗବାନ ପଛକେ ଆସିଯାଆନ୍ତୁ ତଥାପି ବି ମାନିବୁ ନାହିଁ । କେବଳ ଶାସ୍ତ୍ର ପଢିଚାଲିଥା’ନ୍ତି । ଭଗବାନ ଆସିଛନ୍ତି ରାଜଯୋଗ ଶିଖାଉଛନ୍ତି, ଏବେ ନୂଆ ଦୁନିଆର ସ୍ଥାପନା ହେଉଛି, ଏହି ଶାସ୍ତ୍ର ଆଦି ସବୁ ହେଲା ଭକ୍ତିମାର୍ଗର । ଯଦି ଭଗବାନଙ୍କ ଉପରେ ନିଶ୍ଚୟ ହୋଇଯିବ ତେବେ ବର୍ସା ନେବାରେ ଲାଗିପଡିବେ, ପୁଣି ସେମାନଙ୍କର ଭକ୍ତି ମଧ୍ୟ ସମାପ୍ତ ହୋଇଯିବ । କିନ୍ତୁ ସେହିପରି ନିଶ୍ଚୟ ହେଲେ ତ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଦେବତା ହେବା ପାଇଁ ବହୁତ ରାଜକୀୟ ସଂସ୍କାର ଧାରଣ କରିବାକୁ ହେବ । ଖାଦ୍ୟ ପାନୀୟ ବହୁତ ଶୁଦ୍ଧ ଏବଂ ସାଧାରଣ ରଖିବାକୁ ହେବ । ମନରେ ଲାଳସା ରଖିବା ଉଚିତ୍ ନୁହେଁ । ନିଜ ଆତ୍ମାର କଲ୍ୟାଣ ଅର୍ଥେ ଦିବ୍ୟ ଗୁଣ ଧାରଣ କରିବାକୁ ହେବ ।

(୨) ନିଜ ପ୍ରତି ଧ୍ୟାନ ରଖି, ସମସ୍ତଙ୍କ ସହ ବହୁତ ସ୍ନେହରେ ଚାଲିବାକୁ ପଡିବ । ନିଜଠାରୁ ବରିଷ୍ଠମାନଙ୍କୁ ନିଶ୍ଚିତ ଭାବେ ସମ୍ମାନ ଦେବାକୁ ହେବ । ବହୁତ ବହୁତ ମିଠା ହେବାକୁ ପଡିବ । ଦେହ-ଅଭିମାନରେ ଆସିବା ଉଚିତ୍ ନୁହେଁ ।

ବରଦାନ:-
ବିତି ଯାଇଥିବା କଥାକୁ ଦୟାଶୀଳ ହୋଇ ନିଜ ଭିତରେ ସମାହିତ କରି ନେଉଥିବା ଶୁଭଚିନ୍ତକ ହୁଅ ।

ଯଦି କାହାର ବିତିଯାଇଥିବା ଦୋଷ ଦୁର୍ବଳତା ଗୁଡିକର କଥା କେହି ତୁମକୁ ଶୁଣାଉଛି ତେବେ ତା’ ପ୍ରତି ଶୁଭଭାବନା ରଖି ତା’ଠାରୁ ଦୂରେଇ ଯାଅ । ପରସ୍ପର ଭିତରେ କାହାର ଦୋଷ ଦୁର୍ବଳତାର କଥା ବା ବ୍ୟର୍ଥ ଚିନ୍ତନର ଆଲୋଚନା କରିବା ଉଚିତ୍ ନୁହେଁ । ବିତିଯାଇଥିବା କଥାକୁ ଦୟାଶୀଳ ହୋଇ ନିଜ ଭିତରେ ସମାହିତ କରିନିଅ ଏବଂ ଶୁଭଭାବନା ସହିତ ଆତ୍ମା ପ୍ରତି ମାନସିକ ସେବା କରୁଥାଅ । ଯଦି କୌଣସି ସଂସ୍କାରର ବଶୀଭୂତ ହୋଇ କେହି ଓଲଟା କଥା କହୁଛି ବା କରୁଛି ତେବେ ତାକୁ ପରିବର୍ତ୍ତନ କର । ଜଣଙ୍କ ପାଖରୁ ଆଉ ଜଣକ ପାଖକୁ, ତା’ଠାରୁ ଆଉ ଜଣଙ୍କ ପାଖକୁ, ଏହିଭଳି ବ୍ୟର୍ଥ କଥାର ମାଳା ତିଆରି ନ ହେଉ । ଏହିଭଳି କଥାଗୁଡିକ ପ୍ରତି ଧ୍ୟାନ ଦେବା ଅର୍ଥ ଶୁଭଚିନ୍ତକ ହେବା ।

ସ୍ଲୋଗାନ:-
ଯଦି ତୁମେ ସନ୍ତୁଷ୍ଟମଣୀ ହେବ ତେବେ ପ୍ରଭୁ ପ୍ରିୟ, ଲୋକ ପ୍ରିୟ ଏବଂ ସ୍ୱୟଂ ପ୍ରିୟ ହୋଇଯିବ ।