11.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ଏହି ନାଟକ ଶେଷ ହେବାକୁ ଯାଉଛି, ତୁମମାନଙ୍କୁ ଘରକୁ ଫେରିବାକୁ ହେବ, ତେଣୁ ଏହି ଦୁନିଆରୁ ମୋହ ତୁଟାଇ ଦିଅ, ନିଜ ଘରକୁ ଏବଂ ନୂଆ ରାଜ୍ୟକୁ ମନେ ପକାଅ ।”

ପ୍ରଶ୍ନ:-
ଦାନର ମହତ୍ୱ କେତେବେଳେ ଥାଏ ଏବଂ ଏହାର ପ୍ରତିଦାନ କେଉଁ ପିଲାମାନଙ୍କୁ ମିଳିଥାଏ?

ଉତ୍ତର:-
ଦାନର ମହତ୍ୱ ସେତେବେଳେ ରହିଥାଏ ଯେତେବେଳେ ଦାନ କରାଯାଇଥିବା ଜିନିଷ ପ୍ରତି ମୋହ ନ ଥାଏ । ଯଦି ଦାନ କରିବା ପରେ ପୁଣି ମନେ ପଡିଲା ତେବେ ତାହା ବଦଳରେ କୌଣସି ଫଳ ମିଳି ପାରିବ ନାହିଁ । ପ୍ରକୃତରେ ପରବର୍ତ୍ତୀ ଜନ୍ମ ପାଇଁ ହିଁ ଦାନ କରାଯାଇଥାଏ, ସେଥିପାଇଁ ଏହି ଜନ୍ମରେ ତୁମ ପାଖରେ ଯାହା କିଛି ଅଛି ସେଥିରୁ ମମତ୍ୱ ତୁଟାଇ ଦିଅ ଏବଂ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ସମ୍ଭାଳ । ଏଠାରେ ତୁମେ ଯାହା କିଛି ଈଶ୍ୱରୀୟ ସେବାରେ ଲଗାଉଛ, ହସ୍‌ପିଟାଲ ବା କଲେଜ ଖୋଲୁଛ ତାହା ଦ୍ୱାରା ଅନେକଙ୍କର କଲ୍ୟାଣ ହୋଇଥାଏ, ତାହାର ପ୍ରତିଦାନରେ ତୁମକୁ ୨୧ ଜନ୍ମ ପାଇଁ ମିଳିଯାଇଥାଏ ।

ଓମ୍ ଶାନ୍ତି ।
ପିଲାମାନଙ୍କୁ ନିଜର ଘର ଏବଂ ନିଜ ରାଜଧାନୀ ମନେ ଅଛି? ଏଠାରେ ଯେତେବେଳେ ବସୁଛ ବାହାରର କଥା ଘରଦ୍ୱାର, କାମଧନ୍ଦା ଆଦି ମନେ ପଡିବା ଉଚିତ୍ ନୁହେଁ । ବାସ୍ ନିଜର ଘର (ପରମଧାମ) ହିଁ ମନେ ପଡିବା ଉଚିତ୍ । ଏବେ ଏହି ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଫେରିବାର ସମୟ, କାରଣ ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ । ସବୁକିଛି ଅଗ୍ନିରେ ସ୍ୱାହା ହୋଇଯିବ । ମିତ୍ର ସମ୍ବନ୍ଧୀ ଆଦି ଯେଉଁମାନଙ୍କୁ ଏହି ଆଖିରେ ଦେଖୁଛ ସେସବୁ ବିନାଶ ହୋଇଯିବେ । ଏହି ଜ୍ଞାନ ବାବା ହିଁ ଆତ୍ମାମାନଙ୍କୁ ବୁଝାଉଛନ୍ତି । ପିଲାମାନେ ଏବେ ନିଜର ଘରକୁ ଫେରିବାକୁ ହେବ । ନାଟକ ଶେଷ ହେବାକୁ ଯାଉଛି । ଏହା ହେଉଛି ୫ ହଜାର ବର୍ଷର ଚକ୍ର । ଦୁନିଆ ତ ରହିଛି, କିନ୍ତୁ ଏହାକୁ ଥରେ ସମ୍ପୂର୍ଣ୍ଣ ରୂପେ ଘୂରିବା ପାଇଁ ପୂରା ୫ ହଜାର ବର୍ଷ ଲାଗୁଛି । ଯେତେ ସବୁ ଆତ୍ମାମାନେ ଅଛନ୍ତି ଏବେ ସମସ୍ତେ ଘରକୁ ଫେରି ଯିବେ । ଏହି ପୁରୁଣା ଦୁନିଆ ହିଁ ଶେଷ ହୋଇଯିବ । ବାବା ସବୁ କଥା ଭଲ ଭାବରେ ବୁଝାଉଛନ୍ତି । କେହି କେହି ହତଭାଗା ଥା’ନ୍ତି ଯିଏକି ତୁଚ୍ଛାଟାରେ ନିଜର ସମ୍ପତ୍ତି ହରେଇ ଦେଇଥାଆନ୍ତି । ଭକ୍ତିମାର୍ଗରେ ଦାନପୁଣ୍ୟ ତ କରିଥା’ନ୍ତି ନା । ଯଦି କେହି ଧର୍ମଶାଳା ତିଆରି କରିଥା’ନ୍ତି ବା କେହି ହସ୍‌ପିଟାଲ ତିଆରି କରିଥାନ୍ତି, ତେବେ ବୁଦ୍ଧିରେ ଥାଏ କି ଏହାର ଫଳ ଆର ଜନ୍ମରେ ମିଳିବ । କୌଣସି ଆଶା ନ ରଖି ଅନାସକ୍ତ ହୋଇ କେହି କିଛି ବି କରୁନାହାଁନ୍ତି । ଏମିତି ତ’ ବହୁତ କହିଥା’ନ୍ତି ଯେ ଫଳର ଇଚ୍ଛା ଆମେ ରଖୁନାହୁଁ । କିନ୍ତୁ ନା, ଫଳ ତ ନିଶ୍ଚୟ ମିଳିଥାଏ । ମନେ କର କାହା ପାଖରେ ପଇସା ଅଛି, ସେଥିରୁ ଯଦି ସିଏ ଧର୍ମ କାର୍ଯ୍ୟରେ ଲଗାଇଲେ ତେବେ ବୁଦ୍ଧିରେ ରହିଥାଏ କି ମୋତେ ଆର ଜନ୍ମରେ ମିଳିବ । ଯଦି ମମତ୍ୱ ରହିଲା ଯେ ଏହି ଜିନିଷ ମୋର, ତେବେ ଏପରି ଭାବିଲେ ପରଜନ୍ମରେ କିଛି ବି ମିଳିବ ନାହିଁ । ଦାନ ପରବର୍ତ୍ତୀ ଜନ୍ମ ପାଇଁ କରାଯାଏ । ଯଦି ଆର ଜନ୍ମରେ ମିଳିବ ତେବେ ଏହି ଜନ୍ମରେ ମମତ୍ୱ କାହିଁକି ରଖୁଛ, ସେଥିପାଇଁ ବାବା ତୁମକୁ ନିମିତ୍ତ କରାଇଥା’ନ୍ତି ଯାହାଦ୍ୱାରା ନିଜର ମମତ୍ୱ ତୁଟିଯିବ । ଯଦି କେହି ବଡ ସାହୁକାରଙ୍କ ଘରେ ଜନ୍ମ ନେଇଥା’ନ୍ତି ତେବେ କୁହାଯାଏ ସିଏ ଭଲ କର୍ମ କରିଛନ୍ତି । କେହି କେହି ରାଜାରାଣୀଙ୍କ ପାଖରେ ମଧ୍ୟ ଜନ୍ମ ନେଇଥା’ନ୍ତି କାହିଁକି ନା ସେମାନେ ବହୁତ ଦାନ ପୁଣ୍ୟ କରିଛନ୍ତି କିନ୍ତୁ ତାହା ହେଉଛି ଅଳ୍ପ କାଳ ପାଇଁ, ଗୋଟିଏ ଜନ୍ମ ପାଇଁ । ଏବେ ତ ତୁମେ ଏହି ପାଠ ପଢୁଛ । ଜାଣୁଛ ଏହି ପାଠ ଦ୍ୱାରା ଆମଙ୍କୁ ଏହିପରି ହେବାକୁ ହେବ, ତେଣୁ ଦିବ୍ୟଗୁଣ ଧାରଣ କରିବା ଦରକାର । ଏଠାରେ ଯାହା ଦାନ କରୁଛ ତାହା ଦ୍ୱାରା ଏହି ଆତ୍ମିକ ବିଶ୍ୱବିଦ୍ୟାଳୟ, ଡାକ୍ତରଖାନା ଖୋଲାଯାଉଛି । ତେବେ ଦାନ ଦେଲା ପରେ ସେଥିରୁ ମମତ୍ୱ ତୁଟାଇ ଦେବା ଦରକାର କାହିଁକି ନା ତୁମେ ଜାଣିଛ ଆମେ ଭବିଷ୍ୟତ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ନେଉଛୁ । ଏହି ବାବା ତୁମମାନଙ୍କ ପାଇଁ ଘର ଆଦି ତିଆରି କରୁଛନ୍ତି । ଏହା ତ ଅସ୍ଥାୟୀ ଅଟେ । ନଚେତ୍ ଏତେ ସବୁ ପିଲା କେଉଁଠାରେ ରହିବେ । ସବୁ କିଛି ଶିବବାବାଙ୍କୁ ଦେଉଛନ୍ତି । ସିଏ ହିଁ ଧନୀ ଅର୍ଥାତ୍ ମାଲିକ ଅଟନ୍ତି । ସେ ଏହାଙ୍କ ଦ୍ୱାରା ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ଏହା କରାଉଛନ୍ତି । ଶିବବାବା ତ ରାଜତ୍ୱ କରୁନାହାଁନ୍ତି । ସିଏ ତ’ ଦାତା ଅଟନ୍ତି । ତାଙ୍କର ପୁଣି ମମତ୍ୱ କେଉଁଥିରେ ରହିବ! ଏବେ ବାବା ଶ୍ରୀମତ ଦେଉଛନ୍ତି କି ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ପୂର୍ବରୁ ତୁମେ ଯେତେବେଳେ କାହାକୁ ଜ୍ଞାନ ଦେଉଥିଲ ତେବେ ମୃତ୍ୟୁର କିଛି କଥା କହୁ ନ ଥିଲ ଏବେ ବାବା ଆସିଛନ୍ତି ତେଣୁ ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ । ବାବା କହୁଛନ୍ତି ମୁଁ କେବଳ ଆସିଛି ଏହି ପୁରୁଣା ଦୁନିଆକୁ ବିନାଶ କରିବା ପାଇଁ । ଏହି ରୁଦ୍ର ଯଜ୍ଞରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯିବ । ଏଠାରେ ଯାହା କିଛି ନିଜ ପାଇଁ ଜମା କରିବ ତାହା ନୂଆ ଦୁନିଆରେ ମିଳିବ । ନଚେତ୍ ଏଠାରେ ସବୁ କିଛି ଶେଷ ହୋଇଯିବ । କେହି ନା କେହି ଖାଇଯିବେ । ଆଜିକାଲି ମନୁଷ୍ୟ ଉଧାରରେ ମଧ୍ୟ ଦେଉଛନ୍ତି । ବିନାଶ ହେଲେ ତ ସବୁକିଛି ଶେଷ ହୋଇଯିବ । କେହି କାହାକୁ କିଛି ଦେବେ ନାହିଁ, ସବୁ ଏହିଠାରେ ହିଁ ରହିଯିବ । ଆଜି ଭଲ ଅଛନ୍ତି, କାଲି ଦେବାଳିଆ ହୋଇଯାଉଛନ୍ତି । କାହାକୁ ମଧ୍ୟ କିଛି ପଇସା ମିଳିବାର ନାହିଁ । କାହାକୁ ଦେଲ, ଯଦି ସିଏ ମରିଗଲେ, ପୁଣି କିଏ ତାକୁ ଫେରାଇବ । ତେବେ କ’ଣ କରିବା ଦରକାର? ତେଣୁ ଭାରତର ୨୧ ଜନ୍ମର କଲ୍ୟାଣ ପାଇଁ ଏବଂ ପୁଣି ନିଜର ୨୧ ଜନ୍ମର କଲ୍ୟାଣର କାର୍ଯ୍ୟରେ ଲଗାଇ ଦେବା ଦରକାର । ତୁମେ ଯାହାକିଛି ବି କରୁଛ କେବଳ ନିଜ ପାଇଁ ହିଁ କରୁଛ । ଜାଣୁଛ ଶ୍ରୀମତ ଦ୍ୱାରା ଆମେ ଉଚ୍ଚ ପଦ ପାଉଛୁ । ଯାହା ଦ୍ୱାରା ୨୧ ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତି ମିଳିବ । ଏହାକୁ କୁହାଯାଉଛି ଅବିନାଶୀ ବାବାଙ୍କର ଆତ୍ମିକ ହସ୍‌ପିଟାଲ ଏବଂ ୟୁନିଭରସିଟି, ଯେଉଁଠାରୁ ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ଖୁସି ମିଳୁଛି । କିନ୍ତୁ ଏଠାରେ ଯଦି କାହାର ସ୍ୱାସ୍ଥ୍ୟ ଅଛି କିନ୍ତୁ ଧନ ନାହିଁ ତେବେ ସିଏ ଖୁସିରେ ରହିପାରିବ ନାହିଁ । ଯଦି ଉଭୟ ଥିବ ତେବେ ଖୁସିରେ ରହିବେ । ବାବା ତୁମକୁ ୨୧ ଜନ୍ମ ପାଇଁ ସ୍ୱାସ୍ଥ୍ୟ ଓ ସମ୍ପତ୍ତି ଉଭୟ ଦେଉଛନ୍ତି । ତାହା ମଧ୍ୟ ୨୧ ଜନ୍ମ ପାଇଁ ଜମା କରିବାକୁ ହେବ । ପିଲାମାନଙ୍କର କାମ ହେଲା ଉପାୟ ବାହାର କରିବା । ବାବାଙ୍କର ଆସିବା ଦ୍ୱାରା ଗରିବ ପିଲାମାନଙ୍କର ଭାଗ୍ୟ ଖୋଲିଯାଉଛି । ବାବା ହିଁ ଗରିବର ବନ୍ଧୁ ଅଟନ୍ତି । ସାହୁକାରଙ୍କର ଭାଗ୍ୟରେ ହିଁ ଏ କଥା ନାହିଁ । ଏହି ସମୟରେ ଭାରତ ସବୁଠାରୁ ଗରିବ ହୋଇଯାଇଛି । ଯିଏ ସାହୁକାର ଥିଲା ସେ ହିଁ ଗରିବ ହୋଇଯାଇଛି । ଏହି ସମୟରେ ସମସ୍ତେ ପାପ ଆତ୍ମା ହୋଇ ଯାଇଛନ୍ତି । ଯେଉଁଠାରେ ପୁଣ୍ୟ ଆତ୍ମାମାନେ ଥା’ନ୍ତି ସେଠାରେ କେହି ଜଣେ ହେଲେ ବି ପାପ ଆତ୍ମା ନ ଥା’ନ୍ତି । ତାହା ହେଉଛି ସତ୍ୟଯୁଗ ସତ୍ତ୍ୱପ୍ରଧାନ ଦୁନିଆ, ଏହା ହେଉଛି କଳିଯୁଗ ତମଃପ୍ରଧାନ ଦୁନିଆ । ତୁମେ ଏବେ ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ । ବାବା ତୁମମାନଙ୍କୁ ସ୍ମୃତି ଦେଉଛନ୍ତି ତେଣୁ ତୁମେ ଜାଣୁଛ ଯେ ଆମେ ହିଁ ସ୍ୱର୍ଗବାସୀ ଥିଲୁ । ପୁଣି ଆମେ ହିଁ ୮୪ ଜନ୍ମ ନେଇଛୁ । ବାକି ୮୪ ଲକ୍ଷ ଯୋନିର କଥା ତ ଗପ ଅଟେ । କ’ଣ ଏତେ ଜନ୍ମ ପଶୁ ଯୋନିରେ ରହିଲ! ତେବେ କ’ଣ ଏହି ଶେଷ ଜନ୍ମରେ ମନୁଷ୍ୟ ଜନ୍ମ ମିଳୁଛି? କ’ଣ ଏବେ ଘରକୁ ଫେରିବାକୁ ହେବ?

ଏବେ ବାବା ବୁଝାଉଛନ୍ତି - ମୃତ୍ୟୁ ସମ୍ମୁଖରେ ଛିଡା ହୋଇଛି । ଆଉ ୪୦-୫୦ ହଜାର ବର୍ଷ ନାହିଁ । ମନୁଷ୍ୟ ତ ବିଲ୍‌କୁଲ୍ ଘୋର ଅନ୍ଧକାରରେ ଅଛନ୍ତି, ସେଥିପାଇଁ କୁହାଯାଉଛି ପଥରବୁଦ୍ଧି । ଏବେ ତୁମେ ପଥରବୁଦ୍ଧିରୁ ପାରସ ବୁଦ୍ଧି ହେଉଛ । ଏହି କଥା କୌଣସି ସନ୍ନ୍ୟାସୀ ଆଦି କହିପାରିବେ ନାହିଁ । ଏବେ ତୁମକୁ ବାବା ସ୍ମୃତି ଦେଉଛନ୍ତି ଯେ, ତୁମମାନଙ୍କୁ ଏବେ ଘରକୁ ଫେରିଯିବାକୁ ହେବ । ତେଣୁ ଯେତେ ଦୂର ସମ୍ଭବ ନିଜର ବ୍ୟାଗ୍‌-ବ୍ୟାଗେଜ୍ ଅର୍ଥାତ୍ ଜିନିଷପତ୍ର ସ୍ଥାନାନ୍ତର କରିଦିଅ । ବାବା ଏ ସବୁ କିଛି ନିଅ ଆମେ ସତ୍ୟଯୁଗରେ ୨୧ ଜନ୍ମ ପାଇଁ ପାଇଯିବୁ । ଏହି (ବ୍ରହ୍ମା) ବାବା ମଧ୍ୟ ଦାନ ପୁଣ୍ୟ କରୁଥିଲେ । ଦାନପୁଣ୍ୟରେ ତାଙ୍କର ବହୁତ ସଉକ ଥିଲା । ବ୍ୟବସାୟୀମାନେ ଦୁଇ ପଇସା ଧର୍ମ କାର୍ଯ୍ୟ ନିମନ୍ତେ ରଖି ଦେଇଥା’ନ୍ତି ନା । ବାବା ମଧ୍ୟ ପ୍ରତିଦିନ ଗୋଟିଏ ଅଣା ଧର୍ମ କାର୍ଯ୍ୟ ପାଇଁ ବାହାର କରୁଥିଲେ । କେହି ବି ଆସିଲେ ଆମ ଦୁଆରୁ ଖାଲି ହାତରେ ନ ଯାଉ । ଏବେ ଭଗବାନ ସମ୍ମୁଖକୁ ଆସିଛନ୍ତି, ଏ କଥା କାହାକୁ ଜଣା ନାହିଁ । ମନୁଷ୍ୟ ଦାନ ପୁଣ୍ୟ କରି କରି ଯଦି ମରିଗଲେ ପୁଣି କେଉଁଠି ମିଳିବ? ପବିତ୍ର ହେଉନାହାଁନ୍ତି, ବାବାଙ୍କ ସହ ପ୍ରୀତି ରଖୁନାହାଁନ୍ତି । ବାବା ବୁଝାଉଛନ୍ତି ଯାଦବ ଏବଂ କୌରବଙ୍କର ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି । ପାଣ୍ଡବଙ୍କର ହେଲା ବିନାଶକାଳେ ପ୍ରୀତବୁଦ୍ଧି । ୟୁରୋପବାସୀ ସମସ୍ତେ ଯାଦବ ଅଟନ୍ତି, ଯିଏକି ମୁଶଳ (କ୍ଷେପଣାସ୍ତ୍ର) ଆଦି ତିଆରି କରୁଛନ୍ତି । ଶାସ୍ତ୍ରରେ ତ କ’ଣ କ’ଣ ସବୁ ଲେଖି ଦେଇଛନ୍ତି । ଡ୍ରାମା ପ୍ଲାନ୍ ଅନୁଯାୟୀ ଢେର ଶାସ୍ତ୍ର ତିଆରି ହୋଇଛି । ଏଥିରେ ପ୍ରେରଣା ଆଦିର କିଛି କଥା ନାହିଁ । ପ୍ରେରଣା ଅର୍ଥାତ୍ ବିଚାର । ବାକି ଏମିତି ନୁହେଁ କି ବାବା ପ୍ରେରଣା ଦ୍ୱାରା ପାଠ ପଢାଉଛନ୍ତି । ବାବା ବୁଝାଉଛନ୍ତି ଇଏ ମଧ୍ୟ ଜଣେ ବ୍ୟବସାୟୀ ଥିଲେ । ତାଙ୍କର ବହୁତ ଖ୍ୟାତି ଥିଲା । ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ । ବାବାଙ୍କର ପ୍ରବେଶତା ହେଲା ପରେ ତାଙ୍କର ଗାଳି ଖାଇବା ଆରମ୍ଭ ହେଲା । ୟାଙ୍କର ବ୍ୟବସାୟରେ ଭଲ ନାଁ ଥିଲା । ତାଙ୍କୁ ସମସ୍ତେ ସମ୍ମାନ ଦେଉଥିଲେ । ବାବା ପ୍ରବେଶ କଲେ ଏବଂ ଏହାଙ୍କର ଗାଳି ଖାଇବା ଆରମ୍ଭ ହୋଇଗଲା । ଶିବବାବାଙ୍କୁ ତ କେହି ଜାଣି ନାହାଁନ୍ତି, ନା ତାଙ୍କୁ ଗାଳି ଦେଇପାରିବେ । ଗାଳି ଇଏ ଖାଉଛନ୍ତି । କୃଷ୍ଣ କହିଥିଲେ - ନା ମୁଁ ଲହୁଣୀ ଖାଇନାହିଁ । ଇଏ ମଧ୍ୟ କହୁଛନ୍ତି କର୍ତ୍ତବ୍ୟ ତ ସବୁ ଶିବବାବାଙ୍କର ମୁଁ କିଛି କରୁନାହିଁ । ଯାଦୁଗର ତ ସିଏ, ମୁଁ ନୁହେଁ । ଅଯଥାରେ ଏହାଙ୍କୁ ଗାଳି ଦେଉଛନ୍ତି । ମୁଁ କ’ଣ କାହାକୁ ଭଗାଇ ନେଇ ଆସିଛି କି? କାହାକୁ ମଧ୍ୟ କହିନାହିଁ କି ତୁମେ ଘରଦ୍ୱାର ଛାଡି ଚାଲିଆସ । ମୁଁ ତ ସେଠାରେ (କରାଚିରେ) ଥିଲି, ଏମାନେ ଆପେ ଆପେ ପଳାଇ ଆସିଲେ । ଖାଲିଟାରେ ମୋତେ ଦୋଷ ଦେଇଦେଲେ । କେତେ ଗାଳି ଖାଇଲି । କ’ଣ କ’ଣ କଥା ସବୁ ଶାସ୍ତ୍ରରେ ଲେଖିଦେଇଛନ୍ତି । ବାବା କହୁଛନ୍ତି ଏ ସବୁ ପୁଣି ବି ହେବ । ଏ ସବୁ ହେଉଛି ଜ୍ଞାନର କଥା । କେହି ମନୁଷ୍ୟ କ’ଣ ଏ କଥା କରିପାରିବ । ତାହା ବି ପୁଣି ବ୍ରିଟିଶ୍ ସରକାରଙ୍କର ରାଜ୍ୟ, ସେ ସମୟରେ କାହା ପାଖରେ ଏତେ ମାତା କନ୍ୟା ଆସି ରହିପାରିବେ! କେହି କିଛି କରିପାରିଲେ ନାହିଁ । ଯଦି କାହାର ସମ୍ବନ୍ଧୀ ଆସୁଥିଲେ ତ ପିଲାମାନେ ତାଙ୍କୁ ଏକଦମ୍ ବିଦା କରି ଦେଉଥିଲେ । ବାବା ତ କହୁଥିଲେ ତୁମେ ତାଙ୍କୁ ବୁଝାଇ ସୁଝାଇ ନେଇଯାଇପାରିଲେ ନେଇଯାଅ । ମୁଁ କ’ଣ ମନା କରୁଛି କିନ୍ତୁ କାହାର ସାହସ ହେଉ ନ ଥିଲା । ଶିବବାବାଙ୍କର ଶକ୍ତି ଥିଲା ନା । ଏହା କିଛି ନୂଆ କଥା ନୁହେଁ । ଏ ସବୁ ପୁଣି ବି ହେବ । ଗାଳି ମଧ୍ୟ ଖାଇବାକୁ ପଡିବ । ଦ୍ରୌପଦୀଙ୍କର ମଧ୍ୟ କଥା ରହିଛି । ଏମାନେ ସବୁ ଦ୍ରୌପଦୀ ଏବଂ ଦୁଃଶାସନ ଅଟନ୍ତି, ଏହା ଜଣଙ୍କର କଥା ନୁହେଁ । ଶାସ୍ତ୍ରରେ ଏହିସବୁ କାହାଣୀ ସବୁ କିଏ ଲେଖିଥିଲା? ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ଆତ୍ମାର ଜ୍ଞାନ କାହା ପାଖରେ ନାହିଁ, ବିଲ୍‌କୁଲ୍ ଦେହ ଅଭିମାନୀ ହୋଇଯାଇଛନ୍ତି । ଦେହୀ-ଅଭିମାନୀ ହେବାରେ ମେହନତ ଲାଗୁଛି । ରାବଣ ବିଲ୍‌କୁଲ୍ ଓଲଟା କରିଦେଇଛି । ଏବେ ବାବା ସିଧା କରୁଛନ୍ତି ।

ଦେହୀ ଅଭିମାନୀ ହେବା ଦ୍ୱାରା ସ୍ୱତଃ ସ୍ମୃତି ଆସିଥାଏ କି ମୁଁ ଆତ୍ମା ଅଟେ ଏହି ଦେହ ଯେପରି ଏକ ବାଜା ଅଟେ, ଯାହାକି ବଜାଇବା ପାଇଁ ମିଳିଛି । ଯଦି ଏହି ସ୍ମୃତି ବି ଥାନ୍ତା ତେବେ ଦିବ୍ୟଗୁଣ ଆସିଯାଇଥାନ୍ତା । ତୁମେ କାହାକୁ ଦୁଃଖ ବି ଦେଇପାରି ନ ଥାନ୍ତ । ଭାରତରେ ହିଁ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏହା ୫ ହଜାର ବର୍ଷର କଥା । ଯଦି କେହି ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି ତେବେ ସିଏ ଘୋର ଅନ୍ଧକାରରେ ଅଛନ୍ତି । ଡ୍ରାମାନୁଯାୟୀ ଯେତେବେଳେ ସମୟ ପୂରା ହେଉଛି ସେତେବେଳେ ବାବା ଆସୁଛନ୍ତି । ଏବେ ବାବା କହୁଛନ୍ତି ମୋର ଶ୍ରୀମତରେ ଚାଲ । ମୃତ୍ୟୁ ସମ୍ମୁଖରେ ଠିଆ ହୋଇଛି । ପୁଣି ମନରେ ଯାହା କିଛି ଆଶା ରହିଛି ତାହା ସବୁ ବାକି ରହିଯିବ । ମୃତ୍ୟୁ ତ ସୁନିଶ୍ଚିତ । ଏହା ସେହି ମହାଭାରତ ଲଢେଇ ଅଟେ । ତେଣୁ ଯେତେ ନିଜର କଲ୍ୟାଣ କରିପାରିବ ସେତେ ଭଲ । ନଚେତ୍ ତୁମେ ଖାଲି ହାତରେ ଯିବ । ସାରା ଦୁନିଆ ଖାଲି ହାତରେ ଯିବ । କେବଳ ତୁମେ ପିଲାମାନେ ହାତ ଭରପୁର କରି ଅର୍ଥାତ୍ ଧନବାନ ହୋଇଯାଉଛ । ଏ ସବୁ କଥା ବୁଝିବା ପାଇଁ ବିଶାଳ ବୁଦ୍ଧି ଦରକାର । ଏଠାରେ କେତେ ଧର୍ମର ମନୁଷ୍ୟ ରହିଛନ୍ତି, ଏଠାରେ ପ୍ରତ୍ୟେକଙ୍କର ନିଜ ନିଜର ଅଭିନୟ ଚାଲିଛି । ଜଣଙ୍କର ପାର୍ଟ ଆଉ ଜଣଙ୍କ ସହ ମିଶିପାରିବ ନାହିଁ । ପ୍ରତ୍ୟେକଙ୍କର ଚେହେରା ଭିନ୍ନ ଭିନ୍ନ ଅଟେ । କେତେ ଢେର ଚେହେରା ରହିଛି, ଏ ସବୁ ଡ୍ରାମାରେ ନିଧାର୍ଯ୍ୟ ରହିଛି । କେତେ ଆଶ୍ଚର୍ଯ୍ୟର କଥା ନା । ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ମନେକର । ମୁଁ ଆତ୍ମା ୮୪ ଜନ୍ମର ଚକ୍ର ଲଗାଉଛି, ମୁଁ ଆତ୍ମା ଏହି ଡ୍ରାମାର ଅଭିନେତା ଅଟେ, ଏଥିରୁ ଆମେ ବାହାରି ଯାଇପାରିବା ନାହିଁ, ମୋକ୍ଷ ପାଇପାରିବା ନାହିଁ । ତେଣୁ ଚେଷ୍ଟା କରିବା ମଧ୍ୟ ବୃଥା ଅଟେ । ବାବା କହୁଛନ୍ତି ଏହି ଡ୍ରାମାରୁ କେହି ମୁକ୍ତ ହୋଇଯିବେ ଏବଂ ଆଉ କେହି ଆସି ମିଶିଯିବେ - ଏହା ହୋଇପାରିବ ନାହିଁ । ଏତେ ସବୁ ଜ୍ଞାନ ସମସ୍ତଙ୍କ ବୁଦ୍ଧିରେ ରହିପାରିବ ନାହିଁ । ତୁମମାନଙ୍କୁ ସାରା ଦିନ ଏହିପରି ଜ୍ଞାନରେ ରମଣ କରିବାକୁ ହେବ । ଏକ ଘଡି, ଅଧା ଘଡି... ଏହିପରି ବାବାଙ୍କ ସ୍ମୃତିରେ ରୁହ ପୁଣି ଏହି ଅଭ୍ୟାସକୁ ବଢାଇ ଚାଲ । ଭଲେ ୮ ଘଣ୍ଟା ସ୍ଥୂଳ ସେବା କର, ଆରାମ ମଧ୍ୟ କର, କିନ୍ତୁ ଏହି ଆଧ୍ୟାତ୍ମିକ ଗଭର୍ଣ୍ଣମେଣ୍ଟର ସେବାରେ ମଧ୍ୟ ସମୟ ଦିଅ । ତୁମେ ନିଜର ହିଁ ସେବା କରୁଛ, ଏହା ହେଉଛି ମୁଖ୍ୟ କଥା । ଯୋଗର ଯାତ୍ରାରେ ରୁହ, ବାକି ଜ୍ଞାନ ଦ୍ୱାରା ଉଚ୍ଚ ପଦ ପାଇବାକୁ ହେବ । ନିଜର ଯୋଗର ପୂରା ଚାର୍ଟ ରଖ, ଜ୍ଞାନ ତ ସହଜ ଅଟେ । ଯେପରି ବାବାଙ୍କର ବୁଦ୍ଧିରେ ରହିଛି ଯେ ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ, ଏହାର ଆଦି-ମଧ୍ୟ-ଅନ୍ତକୁ ଜାଣିଛି । ଆମେ ମଧ୍ୟ ବାବାଙ୍କର ସନ୍ତାନ ଅଟୁ । ବାବା ଏକଥା ବୁଝାଇଛନ୍ତି ଯେ କିପରି ଏହି ସୃଷ୍ଟିଚକ୍ର ଘୁରୁଛି । ସେହି ରୋଜଗାର ପାଇଁ ତ ତୁମେ ୮-୧୦ ଘଣ୍ଟା ସମୟ ଦେଉଛ ନା । ଭଲ ଗ୍ରାହକ ମିଳିଗଲେ ରାତିରେ ମଧ୍ୟ ହାଇ (ନିଦ) ଆସି ନ ଥାଏ । ଯଦି ହାଇ ମାରିଲ ତେବେ ଜଣାଯିବ ଯେ ଇଏ ଥକି ଯାଇଛନ୍ତି କିମ୍ବା ବୁଦ୍ଧି କେଉଁଠି ବାହାରେ ଘୂରିବୁଲୁଛି । ସେବାକେନ୍ଦ୍ରମାନଙ୍କରେ ମଧ୍ୟ ବଡ ସାବଧାନତାର ସହିତ ରହିବା ଦରକାର । ଯେଉଁ ପିଲାମାନେ ପରଚିନ୍ତନ ନ କରି, ନିଜ ପାଠପଢାରେ ହିଁ ମସ୍ତ ରହିଥାନ୍ତି ତାଙ୍କର ସର୍ବଦା ଉନ୍ନତି ହୋଇଥାଏ । ତୁମକୁ ଅନ୍ୟର ଚିନ୍ତନ କରି ନିଜର ପଦ ଭ୍ରଷ୍ଟ କରିବାର ନାହିଁ । ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ... । କେହି ଯଦି ଭଲ କଥା କହୁ ନାହାଁନ୍ତି, ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅ । ସର୍ବଦା ନିଜକୁ ଦେଖିବା ଦରକାର ଅନ୍ୟକୁ ନୁହେଁ । ନିଜର ପାଠପଢା ଛାଡିବା ଉଚିତ୍ ନୁହେଁ । ବହୁତ ଋଷି ଯାଉଛନ୍ତି । ଆସିବା ବନ୍ଦ କରିଦେଉଛନ୍ତି, ପୁଣି ଆସୁଛନ୍ତି । ନ ଆସିଲେ ଯିବେ କୁଆଡେ? ସ୍କୁଲ୍ ତ ଗୋଟିଏ । ନିଜ ଗୋଡରେ ନିଜେ କୁରାଢି ମାରିବା ଉଚିତ୍ ନୁହେଁ । ତୁମେ ନିଜର ପାଠପଢାରେ ମସ୍ତ ହୋଇ ରୁହ । ବହୁତ ଖୁସିରେ ରୁହ । ଭଗବାନ ପାଠ ପଢାଉଛନ୍ତି, ବାକି ଆଉ କ’ଣ ଦରକାର । ଭଗବାନ ଆମର ପିତା, ଶିକ୍ଷକ, ସଦ୍‌ଗୁରୁ ଅଟନ୍ତି, ତାଙ୍କ ସହିତ ହିଁ ବୁଦ୍ଧିର ଯୋଗ ଲଗାଇବାକୁ ହେବ । ସେ ହେଉଛନ୍ତି ସାରା ଦୁନିଆର ସର୍ବଶ୍ରେଷ୍ଠ ପ୍ରିୟତମ, ଯିଏକି ତୁମକୁ ପ୍ରଥମ ନମ୍ବର ବିଶ୍ୱର ମାଲିକ କରୁଛନ୍ତି ।

ବାବା କହୁଛନ୍ତି ତୁମର ଆତ୍ମା ବହୁତ ପତିତ ହୋଇଯାଇଛି, ତେଣୁ ଉଡି ପାରିବ ନାହିଁ । ପବିତ୍ରତାର ଡେଣା କଟିଯାଇଛି । ରାବଣ ହିଁ ସବୁ ଆତ୍ମାମାନଙ୍କର ଡେଣା କାଟି ଦେଇଛି । ଶିବବାବା କହୁଛନ୍ତି ମୋ ବିନା କେହି ପାବନ କରିପାରିବେ ନାହିଁ । ସମସ୍ତ ଅଭିନେତା ଏହିଠାରେ ଅଛନ୍ତି, ବୃଦ୍ଧି ପାଇଚାଲିଛନ୍ତି, ବର୍ତ୍ତମାନ କେହି ଫେରି ପାରିବେ ନାହିଁ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସ୍ୱଚିନ୍ତନ ଏବଂ ପାଠପଢାରେ ମଜ୍ଜି ରହିବାକୁ ହେବ, ଅନ୍ୟକୁ ଦେଖିବାର ନାହିଁ । ଯଦି କେହି ଭଲ କଥା କହୁନାହାଁନ୍ତି, ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବାର ଅଛି । ଅଭିମାନ କରି ପାଠପଢାକୁ ଛାଡିବାର ନାହିଁ ।

(୨) ବଞ୍ଚି ଥାଉ ଥାଉ ସବୁ କିଛି ଦାନ କରି ସେଥିରୁ ନିଜର ମମତ୍ୱ ତୁଟାଇ ଦେବାର ଅଛି । ସମ୍ପୂର୍ଣ୍ଣ ସମର୍ପଣ କରି ନିମିତ୍ତ ହୋଇ ହାଲୁକା ହୋଇ ରହିବାର ଅଛି । ଦେହୀ ଅଭିମାନୀ ହୋଇ ସମସ୍ତ ଦୈବୀଗୁଣ ଧାରଣ କରିବାର ଅଛି ।

ବରଦାନ:-
ଭିନ୍ନତାକୁ ସମାପ୍ତ କରି ଏକତା ସୃଷ୍ଟି କରୁଥିବା ସଚ୍ଚା ସେବାଧାରୀ ହୁଅ ।

ବ୍ରାହ୍ମଣ ପରିବାରର ବିଶେଷତା ହେଲା ଅନେକ ହୋଇଥିଲେ ମଧ୍ୟ ଏକ । ତୁମମାନଙ୍କର ଏକତା ଦ୍ୱାରା ହିଁ ସାରା ବିଶ୍ୱରେ ଏକ ଧର୍ମ, ଏକ ରାଜ୍ୟର ସ୍ଥାପନା ହେଉଛି ସେଥିପାଇଁ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଭିନ୍ନତାକୁ ସମାପ୍ତ କର ଏବଂ ଏକତା ଆଣ ତେବେ କୁହାଯିବ ସଚ୍ଚା ସେବାଧାରୀ । ସେବାଧାରୀ ନିଜ ପାଇଁ ନୁହଁନ୍ତି କିନ୍ତୁ ସେବା କରିବା ପାଇଁ ଥାଆନ୍ତି । ନିଜର ସବୁ କିଛି ସେବା ପ୍ରତି ସ୍ୱାହା କରିଥାଆନ୍ତି, ଯେପରି ସାକାର ବାବା ସେବାରେ ହାଡ ମଧ୍ୟ ସ୍ୱାହା କରି ଦେଇଥିଲେ ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିଦେଇଥିଲେ, ସେହିପରି ତୁମମାନଙ୍କର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ସେବା ହେଉଥାଉ ।

ସ୍ଲୋଗାନ:-
ଯଦି ପରମାତ୍ମାଙ୍କର ସ୍ନେହରେ ହଜିଯିବ, ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ ।