22.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ସମୟ ତୁମ ପାଇଁ ଅତି ମୂଲ୍ୟବାନ ଅଟେ, ଏହି ସମୟରେ ତୁମେ ବାବାଙ୍କର ସଂପୂର୍ଣ୍ଣ ସହଯୋଗୀ ହୁଅ, ସହଯୋଗୀ ସନ୍ତାନମାନେ ହିଁ ଉଚ୍ଚ ପଦ ପାଇଥାନ୍ତି ।”

ପ୍ରଶ୍ନ:-
ଯୋଗ୍ୟ ସେବାଧାରୀ ସନ୍ତାନମାନେ କେଉଁ ଭଳି ବାହାନା କେବେହେଲେ କରିବେ ନାହିଁ?

ଉତ୍ତର:-
ଯୋଗ୍ୟ ସେବାଧାରୀ ସନ୍ତାନମାନେ ଏଭଳି ବାହାନା କେବେହେଲେ କରିବେ ନାହିଁ କି ବାବା ଏଠାରେ ବହୁତ ଗରମ ହେଉଛି, ବହୁତ ଥଣ୍ଡା ହେଉଛି, ସେଥିପାଇଁ ଆମେ ସେବା କରିପାରୁ ନାହୁଁ । ଯଦିବା ଟିକିଏ ଗରମ ହେଉଛି ବା ଥଣ୍ଡା ହେଉଛି ତେବେ ବି ଏତେ କୋମଳ ହେବା ଉଚିତ୍ ନୁହେଁ । ଏପରି କହିବା ଉଚିତ୍ ନୁହେଁ ଯେ ଆମେ ତ’ ଏହା ସହନ କରିପାରୁ ନାହୁଁ । କାରଣ ଏହି ଦୁଃଖଧାମରେ ଦୁଃଖ-ସୁଖ, ଥଣ୍ଡା-ଗରମ, ନିନ୍ଦା-ସ୍ତୁତି ସବୁ କିଛି ସହନ କରିବାକୁ ହିଁ ପଡିବ । ଏଥିରେ କୌଣସି ବାହାନା କରିବାର ନାହିଁ ।

ଗୀତ:-
ଧିରଜ ଧର ମନୱା....

ଓମ୍ ଶାନ୍ତି ।
ଏ କଥା ପିଲାମାନେ ହିଁ ଜାଣିଛନ୍ତି ଯେ ସୁଖ ଏବଂ ଦୁଃଖ କାହାକୁ କୁହାଯାଉଛି । ଏହି ଜୀବନରେ ସୁଖ ଏବଂ ଦୁଃଖ କେବେ ମିଳୁଛି ଏହାକୁ କେବଳ ତୁମେ ବ୍ରାହ୍ମଣମାନେ ହିଁ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ଏହା ହେଉଛି ଦୁଃଖର ଦୁନିଆ । ଏଠାରେ ଅଳ୍ପ ସମୟ ପାଇଁ ଦୁଃଖ-ସୁଖ, ସ୍ତୁତି-ନିନ୍ଦା ସବୁ କିଛି ସହନ କରିବାକୁ ପଡୁଛି । ଏବେ ଏହି ସବୁଥିରୁ ପାରି ହେବାକୁ ପଡିବ । କାହାକୁ ଅଳ୍ପ ଗରମ ଲାଗିଲେ କହନ୍ତି ଆମେ ଥଣ୍ଡାରେ ରହିବୁ । ତେବେ ପିଲାମାନଙ୍କୁ ତ ଗରମ ଅଥବା ଥଣ୍ଡାରେ ମଧ୍ୟ ସେବା କରିବାକୁ ହିଁ ହେବ ନା । ବର୍ତ୍ତମାନ ସମୟରେ ଅଳ୍ପ ବହୁତ ଦୁଃଖ ମିଳିଲେ ମଧ୍ୟ ତୁମ ପାଇଁ ଏହା କିଛି ନୂଆ କଥା ନୁହେଁ । ଏହା ତ’ ଦୁଃଖଧାମ ଅଟେ ନା । ଏବେ ତୁମକୁ ସୁଖଧାମକୁ ଯିବା ପାଇଁ ସଂପୂର୍ଣ୍ଣ ପୁରୁଷାର୍ଥ କରିବାକୁ ହେବ । ଏହା ତ ତୁମର ସବୁଠାରୁ ମୂଲ୍ୟବାନ ସମୟ । ଏଥିରେ ବାହାନା ଚଳିବ ନାହିଁ । ବାବା ଯୋଗ୍ୟ ସେବାଧାରୀମାନଙ୍କ ନିମନ୍ତେ କହୁଛନ୍ତି, ଯେଉଁମାନେ ସେବା କରିବା ଜାଣି ନାହାଁନ୍ତି, ସେମାନେ ତ କୌଣସି କାମର ନୁହଁନ୍ତି । ଏଠାକୁ ବାବା ଆସିଛନ୍ତି ଭାରତକୁ କ’ଣ ସାରା ବିଶ୍ୱକୁ ସୁଖଧାମ କରିବା ପାଇଁ । ତେଣୁ ବ୍ରାହ୍ମଣ ସନ୍ତାନମାନଙ୍କୁ ହିଁ ବାବାଙ୍କର ସହଯୋଗୀ ହେବାକୁ ପଡିବ । ବାବା ଆସିଛନ୍ତି ତେଣୁ ତାଙ୍କ ମତରେ ଚାଲିବା ଉଚିତ୍ । ଯେଉଁ ଭାରତ ସ୍ୱର୍ଗ ଥିଲା ତାହା ଏବେ ନର୍କ ହୋଇଯାଇଛି । ତାକୁ ପୁଣି ସ୍ୱର୍ଗ କରିବାକୁ ହେବ । ଏ କଥା ମଧ୍ୟ ବର୍ତ୍ତମାନ ଜଣା ପଡୁଛି । ସତ୍ୟଯୁଗରେ ଏହି ପବିତ୍ର ରାଜାମାନଙ୍କର ରାଜ୍ୟ ଥିଲା, ସେମାନେ ବହୁତ ସୁଖୀ ଥିଲେ, ପୁଣି ଅପବିତ୍ର ରାଜା ହୋଇଥା’ନ୍ତି ଈଶ୍ୱର ଅର୍ଥେ ଦାନ-ପୁଣ୍ୟ କରିବା ଦ୍ୱାରା, ତାଙ୍କୁ ମଧ୍ୟ ଶକ୍ତି ମିଳିଥାଏ । ଏବେ ହେଉଛି ପ୍ରଜାମାନଙ୍କର ରାଜ୍ୟ । କିନ୍ତୁ ଏମାନେ କୌଣସି ଭାରତର ସେବା କରିପାରିବେ ନାହିଁ । ଭାରତ ଅଥବା ଦୁନିଆର ସେବା ତ ଏକମାତ୍ର ବେହଦର ବାବା ହିଁ କରୁଛନ୍ତି । ଏବେ ବାବା ତୁମମାନଙ୍କୁ କହୁଛନ୍ତି - ମଧୁର ସନ୍ତାନମାନେ, ଏବେ ମୋର ସହଯୋଗୀ ହୁଅ । କେତେ ସ୍ନେହର ସହିତ ବୁଝାଉଛନ୍ତି, କିନ୍ତୁ ଏକଥା କେବଳ ଦେହୀ-ଅଭିମାନୀ ପିଲାମାନେ ହିଁ ବୁଝୁଛନ୍ତି । ଦେହ-ଅଭିମାନୀ ସନ୍ତାନମାନେ କ’ଣ ବା ସାହାଯ୍ୟ କରିପାରିବେ । କାହିଁକି ନା ସେମାନେ ମାୟାର ଜଞ୍ଜିରରେ ବାନ୍ଧି ହୋଇ ରହିଛନ୍ତି । ଏବେ ବାବା ନିର୍ଦ୍ଦେଶ ଦେଉଛନ୍ତି କି ସମସ୍ତଙ୍କୁ ମାୟାର ଜଞ୍ଜିରରୁ ଏବଂ ଗୁରୁମାନଙ୍କ ଜଞ୍ଜିରରୁ ମୁକ୍ତ କର । ଏହା ହିଁ ତୁମର କର୍ତ୍ତବ୍ୟ ଅଟେ । ବାବା କହୁଛନ୍ତି ମୋର ଯିଏ ଭଲ ସହଯୋଗୀ ହେବେ ସେମାନେ ପଦ ମଧ୍ୟ ଉଚ୍ଚ ପାଇବେ । ବାବା ନିଜେ ସମ୍ମୁଖକୁ ଆସି କହୁଛନ୍ତି - ମୁଁ ଯିଏ, ଯେପରି ଅଟେ, ସାଧାରଣ ହୋଇଥିବା କାରଣରୁ ମୋତେ ସଂପୂର୍ଣ୍ଣ ରୂପେ ଜାଣି ନାହାଁନ୍ତି । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି - ଏକଥା କେହି ଜାଣି ନାହାଁନ୍ତି । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ, ଏକଥା ମଧ୍ୟ କାହାକୁ ଜଣାନାହିଁ । ଏବେ ତୁମେ ଜାଣୁଛ କିପରି ଏମାନେ ରାଜ୍ୟ ପାଇଥିଲେ ପୁଣି କିପରି ହରାଇଲେ । ବର୍ତ୍ତମାନ ମନୁଷ୍ୟମାନଙ୍କର ତ ବିଲ୍‌କୁଲ୍ ତୁଚ୍ଛ ବୁଦ୍ଧି ହୋଇଯାଇଛି । ଏବେ ବାବା ସମସ୍ତଙ୍କର ବୁଦ୍ଧିର ତାଲା ଖୋଲିବା ପାଇଁ, ପଥର ବୁଦ୍ଧିରୁ ପାରସ ବୁଦ୍ଧି କରିବା ପାଇଁ ଆସିଛନ୍ତି । ବାବା କହୁଛନ୍ତି ଏବେ ସହଯୋଗୀ ହୁଅ । ମୁସଲମାନମାନେ ଖୁଦାୟୀ ଖିଦମତଗାର ଅର୍ଥାତ୍ ଈଶ୍ୱରୀୟ ସେବାଧାରୀ କହୁଛନ୍ତି କିନ୍ତୁ ସେମାନେ ତ ମଦଦଗାର ଅର୍ଥାତ୍ ସହଯୋଗୀ ହେଉନାହାଁନ୍ତି । ଭଗବାନ ଆସି ଯାହାଙ୍କୁ ପବିତ୍ର କରୁଛନ୍ତି ତାଙ୍କୁ ହିଁ କହୁଛନ୍ତି, ଏବେ ଅନ୍ୟମାନଙ୍କୁ ନିଜ ସମାନ କର, ଶ୍ରୀମତରେ ଚାଲ । ବାବା ପବିତ୍ର ସ୍ୱର୍ଗବାସୀ କରିବା ପାଇଁ ଆସିଛନ୍ତି ।

ତୁମେ ବ୍ରାହ୍ମଣ ସନ୍ତାନମାନେ ହିଁ ଜାଣିଛ ଯେ ଏହା ହେଉଛି ମୃତ୍ୟୁଲୋକ । ବସୁ-ବସୁ ଏଠାରେ ଅଚାନକ ମୃତ୍ୟୁ ହୋଇଯାଉଛି ତେବେ କାହିଁକି ଆମେ ପୂର୍ବରୁ ମେହନତ କରି ବାବାଙ୍କଠାରୁ ପୂରା ସମ୍ପତ୍ତି ନେଇ ନିଜର ଭବିଷ୍ୟତ ଜୀବନକୁ ଶ୍ରେଷ୍ଠ ନ କରିବା । ମନୁଷ୍ୟମାନଙ୍କର ଯେବେ ବାନପ୍ରସ୍ଥ ଅବସ୍ଥା ହୁଏ ଭାବନ୍ତି ଏବେ ଆମେ ଭକ୍ତି କରିବା । ବାନପ୍ରସ୍ଥ ଅବସ୍ଥା ନ ହେବା ପର୍ଯ୍ୟନ୍ତ ଖୁବ୍ ଧନ ସମ୍ପତ୍ତି ରୋଜଗାର କରିଥା’ନ୍ତି । ବର୍ତ୍ତମାନ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ । ତେବେ କାହିଁକି ବାବାଙ୍କର ସହଯୋଗୀ ନ ହେବା । ତେବେ ନିଜର ମନକୁ ପଚାରିବା ଦରକାର, ମୁଁ ବାବାଙ୍କର ସହଯୋଗୀ ହୋଇଛି । ଯୋଗ୍ୟ ସେବାଧାରୀ ସନ୍ତାନମାନେ ତ ବିଖ୍ୟାତ ହୋଇଯାଆନ୍ତି । ସେମାନେ ବହୁତ ଭଲ ମେହନତ କରୁଛନ୍ତି । ତେବେ ଯୋଗଯୁକ୍ତ ହୋଇ ରହିଲେ ହିଁ ସେବା କରିପାରିବ । ଯୋଗବଳ ଦ୍ୱାରା ହିଁ ସାରା ଦୁନିଆକୁ ପବିତ୍ର କରିବାକୁ ହେବ । ସାରା ବିଶ୍ୱକୁ ତୁମେ ପାବନ କରିବା ପାଇଁ ନିମିତ୍ତ ହୋଇଛ । ତୁମ ପାଇଁ ପୁଣି ପବିତ୍ର ଦୁନିଆ ମଧ୍ୟ ନିଶ୍ଚୟ ଦରକାର, ସେଥିପାଇଁ ପତିତ ଦୁନିଆର ବିନାଶ ନିଶ୍ଚିତ ହେବ । ଏବେ ସମସ୍ତଙ୍କୁ ଏହି କଥା କୁହ ଯେ ଦେହ-ଅଭିମାନକୁ ଛାଡ । ଏକମାତ୍ର ବାବାଙ୍କୁ ହିଁ ମନେପକାଅ । ସେ ହିଁ ପତିତ-ପାବନ ଅଟନ୍ତି । ସମସ୍ତେ ତାଙ୍କୁ ହିଁ ସ୍ମରଣ କରୁଛନ୍ତି । ସାଧୁ-ସନ୍ଥ ଆଦି ସମସ୍ତେ ଅଙ୍ଗୁଳି ଦ୍ୱାରା ଉପରକୁ ଇଙ୍ଗିତ କରନ୍ତି ଯେ ପରମାତ୍ମା ଜଣେ ଅଟନ୍ତି, ସେ ହିଁ ସମସ୍ତଙ୍କର ସୁଖଦାତା । ଈଶ୍ୱର ଅଥବା ପରମାତ୍ମା କହିଦେଉଛନ୍ତି କିନ୍ତୁ ତାଙ୍କୁ କେହି ଜାଣି ନାହାଁନ୍ତି । କେହି ଗଣେଶ, ହନୁମାନ ଅଥବା ନିଜର ଗୁରୁଙ୍କୁ ମନେ ପକାଉଛନ୍ତି । ଏବେ ତୁମେ ଜାଣୁଛ ସେମାନେ ସବୁ ହେଉଛନ୍ତି ଭକ୍ତିମାର୍ଗର । ଭକ୍ତି ମାର୍ଗ ମଧ୍ୟ ଅଧାକଳ୍ପ ଚାଲିବାର ଅଛି । ବଡ ବଡ ଋଷିମୁନୀ ଆଦି ସମସ୍ତେ ନେତି-ନେତି ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହି ଆସୁଛନ୍ତି । ରଚୟିତା ଏବଂ ରଚନାକୁ ଆମେ ଜାଣି ନାହୁଁ । ବାବା କହୁଛନ୍ତି ସେମାନେ ତ୍ରିକାଳଦର୍ଶୀ ତ ନୁହଁନ୍ତି । ବୀଜରୂପ, ଜ୍ଞାନର ସାଗର ତ ଜଣେ ହିଁ ଅଟନ୍ତି । ସେ ଆସୁଛନ୍ତି ମଧ୍ୟ ଭାରତକୁ । ଶିବ ଜୟନ୍ତୀ ଏବଂ ଗୀତା ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ତେଣୁ କୃଷ୍ଣଙ୍କୁ ସ୍ମରଣ କରୁଛନ୍ତି । ଶିବଙ୍କୁ ତ ଜାଣି ନାହାଁନ୍ତି । ଶିବବାବା କହୁଛନ୍ତି ପତିତ-ପାବନ ଜ୍ଞାନର ସାଗର ତ ମୁଁ ହିଁ ଅଟେ । କୃଷ୍ଣଙ୍କ ପାଇଁ ତ କହିପାରିବ ନାହିଁ । ତେବେ ଗୀତାର ଭଗବାନ କିଏ? ଏହି ଚିତ୍ର ବହୁତ ଭଲ । ବାବା ଏହି ଚିତ୍ର ସବୁ ପିଲାମାନଙ୍କର ହିଁ କଲ୍ୟାଣ ନିମନ୍ତେ ତିଆରି କରାଇଛନ୍ତି । ଶିବବାବାଙ୍କ ମହିମା ତ ସଂପୂର୍ଣ୍ଣ ଲେଖିବାକୁ ହେବ । ତେବେ ସମସ୍ତ ଆଧାର ଏହା ଉପରେ ହିଁ ରହିଛି । ଉପରୁ ଯେଉଁ ଆତ୍ମାମାନେ ଆସୁଛନ୍ତି ସେମାନେ ପବିତ୍ର ହିଁ ଥା’ନ୍ତି । ପବିତ୍ର ହେବା ବିନା କେହି ଘରକୁ ଯାଇପାରିବେ ନାହିଁ । ମୂଳ ଏବଂ ମୁଖ୍ୟ କଥା ହେଉଛି ପବିତ୍ରତାର । ତାହା ହେଉଛି ପବିତ୍ରଧାମ, ଯେଉଁଠି ସମସ୍ତ ଆତ୍ମାମାନେ ରହୁଛନ୍ତି । ତୁମେ ଏଠାରେ ଅଭିନୟ କରି-କରି ପତିତ ହୋଇଯାଇଛ । ଯିଏ ସବୁଠାରୁ ଅଧିକ ପାବନ ଥିଲେ, ସିଏ ପୁଣି ପତିତ ହୋଇଛନ୍ତି । ଦେବୀ-ଦେବତା ଧର୍ମର ନାମ-ଚିହ୍ନ ମଧ୍ୟ ଗୁପ୍ତ ହୋଇଗଲାଣି । ଦେବତା ଧର୍ମ ପରିବର୍ତ୍ତେ ହିନ୍ଦୁ ଧର୍ମ ନାମ ରଖିଦେଇଛନ୍ତି । ତୁମେ ହିଁ ସ୍ୱର୍ଗର ରାଜ୍ୟ ନେଉଛ ପୁଣି ହରାଉଛ । ଏହା ହାରିବା ଏବଂ ଜିତିବାର ଖେଳ ଅଟେ । ମାୟାଠାରୁ ହାରିଲେ ହାରିବା, ମାୟାଠାରୁ ଜିତିଲେ ଜିତିବା । ମନୁଷ୍ୟମାନେ ତ ରାବଣର ଏତେ ବଡ ମୂର୍ତ୍ତି କେତେ ଖର୍ଚ୍ଚ କରି ତିଆରି କରୁଛନ୍ତି ପୁଣି ଗୋଟିଏ ଦିନରେ ଜଳାଇ ଦେଉଛନ୍ତି । କାରଣ ସିଏ ଶତ୍ରୁ ଅଟେ ନା । କିନ୍ତୁ ଏହା କଣ୍ଢେଇ ଖେଳ ହୋଇଗଲା । ଶିବବାବାଙ୍କର ମଧ୍ୟ ଚିତ୍ର ତିଆରି କରି ପୂଜା କରି ପୁଣି ଭାଙ୍ଗି ଦେଉଛନ୍ତି । ଦେବୀମାନଙ୍କର ଚିତ୍ର ମଧ୍ୟ ଏହିପରି ତିଆରି କରି ପୁଣି ନେଇ ବୁଡାଇ ଦେଉଛନ୍ତି । କିଛି ହେଲେ ବୁଝୁ ନାହାଁନ୍ତି । ଏବେ ତୁମେମାନେ ବେହଦର ଇତିହାସ-ଭୂଗୋଳକୁ ଜାଣୁଛ କି ଏହି ଦୁନିଆର ଚକ୍ର କିପରି ଘୂରୁଛି । ସତ୍ୟଯୁଗ-ତ୍ରେତାଯୁଗ ବିଷୟରେ କାହାକୁ ବି ଜଣା ନାହିଁ । ଦେବତାମାନଙ୍କର ମଧ୍ୟ ନିନ୍ଦନୀୟ ଚିତ୍ର କରିଦେଇଛନ୍ତି ।

ବାବା ବୁଝାଉଛନ୍ତି - ମଧୁର ସନ୍ତାନମାନେ, ବିଶ୍ୱର ମାଲିକ ହେବା ପାଇଁ ବାବା ତୁମକୁ ଯେଉଁ ଖାଦ୍ୟପେୟର ବାରଣ ବତାଉଛନ୍ତି ସେ ସବୁ ବାରଣ କର, ଯୋଗଯୁକ୍ତ ସ୍ଥିତିରେ ରହି ଭୋଜନ ତିଆରି କର, ଯୋଗଯୁକ୍ତ ସ୍ଥିତିରେ ରହି ଖାଅ । ବାବା ନିଜେ କହୁଛନ୍ତି ମୋତେ ମନେପକାଅ ତେବେ ତୁମେ ପୁନର୍ବାର ବିଶ୍ୱର ମାଲିକ ହୋଇଯିବ । ବାବା ମଧ୍ୟ ପୁଣି ଥରେ ଆସିଛନ୍ତି । ଏବେ ସଂପୂର୍ଣ୍ଣ ବିଶ୍ୱର ମାଲିକ ହେବାକୁ ପଡିବ । ଫଲୋ ଫାଦର-ମଦର ଅର୍ଥାତ୍ ବ୍ରହ୍ମାବାବା ଏବଂ ମମ୍ମାଙ୍କୁ ଅନୁକରଣ କର । ତେବେ ମାତାଙ୍କ ବିନା କେବଳ ପିତା ତ ହୋଇ ପାରିବେ ନାହିଁ । ସନ୍ନ୍ୟାସୀମାନେ କହିଥାନ୍ତି ଯେ ଆମେ ସମସ୍ତେ ପିତା । ଆତ୍ମା ସୋ ପରମାତ୍ମା, ତାହା ସମ୍ପୂର୍ଣ୍ଣ ଭୁଲ୍ ହୋଇଯାଉଛି । ଏଠାରେ ମାତା ପିତା ଉଭୟ ପୁରୁଷାର୍ଥ କରୁଛନ୍ତି । ଫଲୋ ମଦର ଫାଦର, ଏହି ଶବ୍ଦ ମଧ୍ୟ ଏଠିକାର ଅଟେ । ଏବେ ତୁମେ ଜାଣୁଛ ଯିଏ ବିଶ୍ୱର ମାଲିକ ଥିଲେ, ପବିତ୍ର ଥିଲେ, ବର୍ତ୍ତମାନ ସେମାନେ ଅପବିତ୍ର ହୋଇଯାଇଛନ୍ତି । ପୁନର୍ବାର ପବିତ୍ର ହେଉଛନ୍ତି । ଆମେ ମଧ୍ୟ ତାଙ୍କର ଶ୍ରୀମତକୁ ପାଳନ କରି ଏହି ପଦକୁ ପ୍ରାପ୍ତ କରୁଛୁ । ସେ ଏହାଙ୍କ ଦ୍ୱାରା ନିର୍ଦ୍ଦେଶ ଦେଉଛନ୍ତି, ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ହେବ । ଯଦି ତାଙ୍କୁ ଅନୁକରଣ କରୁନାହଁ ତେବେ କେବଳ ବାବା-ବାବା କହି ମୁଖ ମିଠା କରୁଛ । ଯଦି ଅନୁକରଣ କରୁଛ ତେବେ ସୁପୁତ୍ର ସନ୍ତାନ କୁହାଯିବ । ତୁମେମାନେ ଜାଣିଛ ମମ୍ମା-ବାବାଙ୍କୁ ଅନୁକରଣ କରିଲେ ହିଁ ଆମେ ରାଜା ହୋଇପାରିବା । ଏସବୁ ବୁଝିବାର କଥା । ବାବା କହୁଛନ୍ତି କେବଳ ମୋତେ ମନେପକାଅ ତେବେ ବିକର୍ମ ବିନାଶ ହେବ । ବାସ୍‌, ଅନ୍ୟମାନଙ୍କୁ ଏହା ମଧ୍ୟ ବୁଝାଅ - ତୁମେ କିପରି ୮୪ ଜନ୍ମ ନେଇ ନେଇ ଅପବିତ୍ର ହୋଇଯାଇଛ । ଏବେ ପୁଣି ପବିତ୍ର ହେବାକୁ ପଡିବ । ଯେତେ ବାବାଙ୍କ ସହିତ ଯୋଗ ଲଗାଇବ, ସେତେ ପବିତ୍ର ହୋଇଯିବ । ଯେଉଁମାନେ ସମ୍ପୂର୍ଣ୍ଣ ଯୋଗଯୁକ୍ତ ହୋଇ ରହୁଛନ୍ତି, ସେହିମାନେ ହିଁ ନୂଆ ଦୁନିଆକୁ ପ୍ରଥମେ-ପ୍ରଥମେ ଯିବେ । ପୁଣି ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ । ପ୍ରଦର୍ଶନୀକୁ ତ’ ବାବା-ମମ୍ମା ବୁଝାଇବା ପାଇଁ ଯାଇପାରିବେ ନାହିଁ । ବାହାରୁ କୌଣସି ବଡ ଲୋକ ଆସିଲେ କେତେ ଲୋକ ତାଙ୍କୁ ଦେଖିବା ପାଇଁ ଯାଇଥା’ନ୍ତି କି ଇଏ କିଏ ଆସିଛନ୍ତି । ଏହି ବାବା କେତେ ଗୁପ୍ତ । ବାବା କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା କହୁଛି । ମୁଁ ହିଁ ଏହାଙ୍କ ନିମନ୍ତେ ଉତ୍ତରଦାୟୀ । ତୁମେ ସର୍ବଦା ଭାବ ଶିବବାବା କହୁଛନ୍ତି, ସେ ହିଁ ପାଠ ପଢାଉଛନ୍ତି । ତୁମକୁ ଶିବବାବାଙ୍କୁ ହିଁ ଦେଖିବାକୁ ହେବ, ଏହାଙ୍କୁ ଦେଖ ନାହିଁ । ନିଜକୁ ଆତ୍ମା ମନେକର ଏବଂ ପରମାତ୍ମା ବାବାଙ୍କୁ ସ୍ମରଣ କର । ଆମେ ସମସ୍ତେ ଆତ୍ମା ଏବଂ ଆତ୍ମାରେ ହିଁ ସମସ୍ତ ପାର୍ଟ ଭରି ରହିଛି । ଏହି ଜ୍ଞାନ ବୁଦ୍ଧିରେ ଘୁରିବା ଉଚିତ୍ । କେବଳ ଦୁନିଆର କଥା ବୁଦ୍ଧିରେ ରହିବାର ଅର୍ଥ କିଛି ବୁଝି ନାହାଁନ୍ତି । ବୁଦ୍ଧି ବିଲ୍‌କୁଲ୍ ତୁଚ୍ଛ ଅଟେ । କିନ୍ତୁ ଏମାନଙ୍କର ମଧ୍ୟ କଲ୍ୟାଣ ତ କରିବାକୁ ହେବ । ସ୍ୱର୍ଗକୁ ତ ଯିବେ କିନ୍ତୁ ଉଚ୍ଚପଦ ପାଇପାରିବେ ନାହିଁ । ଦଣ୍ଡ ଭୋଗ କରିଯିବେ । ତେବେ ଉଚ୍ଚ ପଦ କିପରି ପାଇବେ, ସେ କଥା ତ ବାବା ବୁଝାଉଛନ୍ତି । ପ୍ରଥମତଃ ସ୍ୱଦର୍ଶନ ଚକ୍ରଧାରୀ ହୁଅ ଏବଂ ଅନ୍ୟକୁ କରାଅ । ପକ୍କା ଯୋଗୀ ମଧ୍ୟ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଯୋଗୀ କରାଅ । ବାବା କହୁଛନ୍ତି ମୋତେ ମନେପକାଅ । ତୁମେ ପୁଣି କହୁଛ ବାବା ଆମେ ଭୁଲିଯାଉଛୁ । ଲଜ୍ୟା ଆସୁ ନାହିଁ! ବହୁତ ଅଛନ୍ତି ଯିଏ ସତ୍ୟ କଥା କହୁନାହାଁନ୍ତି, ବହୁତ ଭୁଲି ଯାଇଛନ୍ତି । ବାବା ବୁଝାଉଛନ୍ତି ଯେ କେହି ବି ଆସନ୍ତୁ ତାଙ୍କୁ ବାବାଙ୍କର ପରିଚୟ ଦିଅ । ଏବେ ୮୪ ଜନ୍ମର ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି, ଏବେ ଘରକୁ ଯିବାକୁ ହେବ । ରାମ ବି ଗଲେ ରାବଣ ବି ଗଲା ଅର୍ଥାତ୍ ପ୍ରତ୍ୟେକ ଆତ୍ମା ଘରକୁ ଯିବେ । ଏହାର ଅର୍ଥ ମଧ୍ୟ କେତେ ସହଜ । ତେବେ ନିଶ୍ଚିତ ସଂଗମଯୁଗ ହୋଇଥିବ ଯେତେବେଳେ କି ରାମ ଏବଂ ରାବଣର ପରିବାର ରହିଛି । ଏକଥା ମଧ୍ୟ ଜାଣିଛ ସବୁ ବିନାଶ ହୋଇଯିବ, ବାକି ଅଳ୍ପ ରହିବେ । କିପରି ତୁମକୁ ରାଜ୍ୟ ମିଳୁଛି, ଏକଥା ମଧ୍ୟ ଆଗକୁ ଗଲେ ଜଣାପଡିବ । ପ୍ରଥମରୁ ତ ସବୁ କଥା କୁହାଯିବ ନାହିଁ । ପୁଣି ତ ଖେଳ ହୋଇପାରିବ ନାହିଁ । ତୁମକୁ ସାକ୍ଷୀ ହୋଇ ସବୁକିଛି ଦେଖିବାକୁ ହେବ । ଆଗକୁ ସାକ୍ଷାତ୍‌କାର ମଧ୍ୟ ବହୁତ ହେବ । ଏହି ୮୪ ଜନ୍ମର ଚକ୍ରକୁ ଦୁନିଆରେ କେହି ଜାଣି ନାହାଁନ୍ତି ।

ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଆମେ ଘରକୁ ଯାଉଛୁ । ରାବଣ ରାଜ୍ୟରୁ ଏବେ ଛୁଟି ମିଳୁଛି । ପୁଣି ନିଜର ରାଜଧାନୀକୁ ଆସିବୁ । ବାକି ଅଳ୍ପ ଦିନ ରହିଛି । ଏହି ଚକ୍ର ଘୂରି ଚାଲିଛି ନା । ଅନେକ ଥର ଏହି ଚକ୍ର ଲଗାଇଛ, ଏବେ ବାବା କହୁଛନ୍ତି ତୁମେମାନେ ଯେଉଁ କର୍ମ ବନ୍ଧନରେ ବାନ୍ଧି ହୋଇଛ ତାକୁ ଭୁଲିଯାଅ । ଗୃହସ୍ଥ ବ୍ୟବହାରରେ ରହି ତାକୁ ଭୁଲିବାକୁ ଚେଷ୍ଟା କର । ଏବେ ନାଟକ ପୂରା ହେବାକୁ ଯାଉଛି, ନିଜର ଘରକୁ ଯିବାକୁ ହେବ, ଏହି ମହାଭାରତ ଲଢେଇ ପରେ ହିଁ ସ୍ୱର୍ଗର ଗେଟ୍ ଖୋଲିବ, ସେଥିପାଇଁ ବାବା କହୁଛନ୍ତି ଏହି ନାମ ବହୁତ ଭଲ, ଗେଟ୍ ୱେ ଟୁ ହେଭେନ୍ (ସ୍ୱର୍ଗକୁ ରାସ୍ତା) । କେହି କେହି କହୁଛନ୍ତି ଲଢେଇ ତ ହୋଇ ଆସୁଛି । କୁହ, ମୁସଳର (କ୍ଷେପଣାସ୍ତ୍ର ଏବଂ ବମ୍‌) ଲଢେଇ କେବେ ଲାଗିଛି, ଏହି ମୁସଳ ଦ୍ୱାରା ହିଁ ଅନ୍ତିମ ଲଢେଇ ହେବ । ୫୦୦୦ ବର୍ଷ ପୂର୍ବରୁ ମଧ୍ୟ ଯେବେ ଲଢେଇ ଲାଗିଥିଲା, ତେବେ ମଧ୍ୟ ଏହି ଯଜ୍ଞ ରଚନା କରାଯାଇଥିଲା । ଏହି ପୁରୁଣା ଦୁନିଆର ଏବେ ବିନାଶ ହେବ । ନୂଆ ରାଜଧାନୀର ସ୍ଥାପନା ହେଉଛି ।

ତୁମେ ରାଜତ୍ୱ ନେବା ପାଇଁ ଏହି ଆଧ୍ୟାତ୍ମିକ ପାଠ ପଢୁଛ । ତୁମର ହେଉଛି ଆତ୍ମିକ ଧନ୍ଦା ଅର୍ଥାତ୍ ଆତ୍ମିକ ବ୍ୟବସାୟ । ଶାରୀରିକ ବିଦ୍ୟା ତ କାମରେ ଆସିବ ନାହିଁ, ଶାସ୍ତ୍ର ମଧ୍ୟ କାମରେ ଆସିବ ନାହିଁ ତେବେ କାହିଁକି ଏହି ଧନ୍ଦାରେ ଲାଗି ନ ଯିବା । ବାବା ତ ବିଶ୍ୱର ମାଲିକ କରାଉଛନ୍ତି । ତେଣୁ ବିଚାର କରିବା ଦରକାର - ମୁଁ କେଉଁ ପାଠପଢାରେ ଅଧିକ ଧ୍ୟାନ ଦେବି । ସେମାନେ ତ ବିନାଶୀ ଡିଗ୍ରୀ ପାଇବା ପାଇଁ ପାଠ ପଢୁଛନ୍ତି । ତୁମେ ରାଜତ୍ୱ ପାଇଁ ପଢୁଛ । କେତେ ରାତି-ଦିନର ଫରକ ରହିଛି । ହଦର ପାଠ ପଢିବା ଦ୍ୱାରା ମିଳିବ କି ନାହିଁ ତାହା ଜଣା ନାହିଁ । ଯଦି କେହି ସେହି ସମୟ ଭିତରେ ଶରୀର ଛାଡି ଦେଲେ ତେବେ ତାହା ମଧ୍ୟ ଗଲା । ଏହି ରୋଜଗାର ତ ସାଥିରେ ଯିବ । ମୃତ୍ୟୁ ତ ମୁଣ୍ଡ ଉପରେ । ପ୍ରଥମେ ଆମେ ନିଜ ପାଇଁ ପୂରା ରୋଜଗାର କରିନେବା ଦରକାର । ଏହି ରୋଜଗାର କରୁ-କରୁ ଦୁନିଆ ହିଁ ବିନାଶ ହୋଇଯିବାର ଅଛି । ତୁମର ପାଠପଢା ସମାପ୍ତ ହେଲେ ଯାଇ ଦୁନିଆର ବିନାଶ ହେବ । ତୁମେ ଜାଣିଛ ଯିଏବି ମନୁଷ୍ୟ ମାତ୍ରକେ ରହିଛନ୍ତି, ତାଙ୍କ ମୁଠାରେ ଚଣା ଅର୍ଥାତ୍ ମୂଲ୍ୟ ହୀନ ବିନାଶୀ ସମ୍ପତ୍ତି ରହିଛି । ତାକୁ ହିଁ ମାଙ୍କଡ ସଦୃଶ ଧରି ବସିଛନ୍ତି । ଏବେ ତୁମେ ରତ୍ନ ପ୍ରାପ୍ତି କରୁଛ । ତେଣୁ ଏହି ଚଣାରୁ ମମତ୍ତ୍ୱ ତୁଟାଇ ଦିଅ । ଭଲ ଭାବରେ ବୁଝିଗଲେ ଚଣା ମୁଠାକୁ ଛାଡି ଦେଉଛନ୍ତି । ଏ ସବୁ ତ ପାଉଁଶ ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଆତ୍ମିକ ପାଠପଢ଼ା ନିଜେ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇବାକୁ ହେବ । ଅବିନାଶୀ ଜ୍ଞାନ ରତ୍ନରେ ନିଜର ହାତ ମୁଠାକୁ ଅର୍ଥାତ୍ ଭାଗ୍ୟକୁ ଭରପୁର କରିବାକୁ ହେବ । ଚଣାଦାନା ଭଳି ମୂଲ୍ୟହୀନ ପ୍ରାପ୍ତି ପଛରେ ସମୟ ନଷ୍ଟ କରିବାର ନାହିଁ ।

(୨) ବର୍ତ୍ତମାନ ଏହି ସୃଷ୍ଟି ନାଟକ ଶେଷ ହେବାକୁ ଯାଉଛି, ସେଥିପାଇଁ ନିଜକୁ ସମସ୍ତ କର୍ମ ବନ୍ଧନରୁ ମୁକ୍ତ କରିବାକୁ ହେବ । ନିଜେ ସ୍ୱଦର୍ଶନ ଚକ୍ରଧାରୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ଅଲୌକିକ ମାତା ପିତାଙ୍କୁ ଅନୁକରଣ କରି ରାଜ ପଦର ଅଧିକାରୀ ହେବାକୁ ପଡିବ ।

ବରଦାନ:-
ନିଜର ସଂକଳ୍ପକୁ ମଧ୍ୟ ଚେକ୍ କରି ବ୍ୟର୍ଥର ଖାତାକୁ ସମାପ୍ତ କରୁଥିବା ଶ୍ରେଷ୍ଠ ସେବାଧାରୀ ହୁଅ ।

ଶ୍ରେଷ୍ଠ ସେବାଧାରୀ ସିଏ ଯାହାର ପ୍ରତ୍ୟେକ ସଂକଳ୍ପ ଶକ୍ତିଶାଳୀ ଅଟେ । ଗୋଟିଏ ବି ସଂକଳ୍ପ କେଉଁଠି ବି ବ୍ୟର୍ଥରେ ଯାଉ ନ ଥିବ । କାହିଁକି ନା ସେବାଧାରୀ ଅର୍ଥାତ୍ ବିଶ୍ୱ ରୂପୀ ମଞ୍ଚ ଉପରେ ଅଭିନୟ କରୁଥିବା ଅଭିନେତା । ସାରା ବିଶ୍ୱ ତୁମକୁ କପି କରୁଛି । ଯଦି ତୁମେ ଗୋଟିଏ ବି ସଂକଳ୍ପ ବ୍ୟର୍ଥ କରିଲ ତେବେ କେବଳ ନିଜ ପ୍ରତି କରିଲ ନାହିଁ କିନ୍ତୁ ଅନେକଙ୍କ ପାଇଁ ନିମିତ୍ତ ହୋଇଗଲ, ସେଥିପାଇଁ ଏବେ ବ୍ୟର୍ଥର ଖାତାକୁ ସମାପ୍ତ କରି ଶ୍ରେଷ୍ଠ ସେବାଧାରୀ ହୁଅ ।

ସ୍ଲୋଗାନ:-
ସେବାର ବାୟୁମଣ୍ଡଳ ସୃଷ୍ଟି କରିବା ସହିତ ବେଦହର ବୈରାଗ୍ୟ ବୃତ୍ତିର ବାୟୁମଣ୍ଡଳ ମଧ୍ୟ ସୃଷ୍ଟି କର ।